Press "Enter" to skip to content

ଶ୍ରୀଶ୍ରୀଭାଗବତ ଜନ୍ମ, ରୂପାନ୍ତରଣ ପୁସ୍ତକ ଉନ୍ମୋଚନ

Last updated on August 13, 2022

(୨୦୨୦ସେପ୍ଟେମ୍ବର ୨) ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀଶ୍ରୀଭାଗବତ ଜନ୍ମ ଉତ୍କଳୀୟ ମାନଙ୍କର ଏକ ସ୍ୱତନ୍ତ୍ର ପର୍ବ ଅଟେ, ଯାହା ଚଳିତ ବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମଦ୍ଭାଗବତ ମହାପୁରାଣ ପୁରାଣମାନଙ୍କ ମଧ୍ୟରେ ଶ୍ରେଷ୍ଠସ୍ଥାନ ହାସଲ କରିଥାନ୍ତି । ତାହା ଶ୍ରୀଶ୍ରୀବିଷ୍ଣୁ ଭଗବାନଙ୍କର ବାଙ୍ମୟ ଅବତାର ରୂପରେ ରୂପ ପରିଗ୍ରହ କରିଥିବାର କୁହାଯାଏ । ଧର୍ମ ଓ ତତ୍ତ୍ୱ ଦୃଷ୍ଟିରୁ ବିଚାରକଲେ ଶ୍ରୀମଦ୍ ଭଗବଦ୍ଗୀତା ଓ ଶ୍ରୀମଦ୍ଭାଗବତ ମହାପୁରାଣ ମଧ୍ୟରେ ବିଶେଷ ପ୍ରଭେଦ ନଥିବାର ଦେଖାଯାଏ । ଭାଗବତରେ ବେଦ ଓ ଉପନିଷଦର ତତ୍ତ୍ୱକୁ ଲୌକିକ ତଥା ସାଧାରଣ ବୋଧଗମ୍ୟ ଶୈଳୀରେ, ରସାଳ ଭାଷାରେ, ବିଭିନ୍ନ ଆଖ୍ୟାୟିକା ମାଧ୍ୟମରେ ବୁଝାଇ ଦିଆଯାଇଛି ।
ଓଡିଆ ଜାତିର ପ୍ରାଣକେନ୍ଦ୍ର, ଆରାଧ୍ୟ, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସନ୍ଥକବି ଅତିବଡୀ ଶ୍ରୀ ଜଗନ୍ନାଥ ଦାସ ଓଡିଶାର ପୁରୀଜିଲ୍ଲାସ୍ଥ କପିଳେଶ୍ୱରପୁରରେ ଜନ୍ମଗ୍ରହଣକରି ମୂଳ ସଂସ୍କୃତ ଭାଗବତକୁ ଉତ୍କଳୀୟମାନଙ୍କ ବୋଧଗମ୍ୟ ଶୈଳୀରେ ଓଡିଆ ଭାଷାରେ ଲେଖି ପ୍ରଚାର କରିଥିଲେ । ତାଙ୍କର ଏହି କାର୍ଯ୍ୟ ବିଶ୍ୱ ସାହିତ୍ୟରେ ଏକ ଅନବଦ୍ୟ କୃତୀ ଭାବରେ ଚିର ଉଦ୍ଭାସିତ ରହିବା ସହ ଏକ ଦୁଃସାହସିକ ଆଧ୍ୟାତ୍ମିକତାର ପରିଚୟ ପ୍ରଦାନ କରି, ଭାଗବତ ମହାପୁରାଣକୁ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଇ ଏକ ବୃହତ୍ ଉଦାହରଣ ସୃଷ୍ଟି କରିପାରିଛି ।


କଲ୍ୟାଣବାବାଙ୍କ ପ୍ରବଚନ ଶୃଙ୍ଖଳାରୁ ‘‘ରୂପାନ୍ତରଣ’’ ପୁସ୍ତକର eBOOK ଉନ୍ମୋଚିତ : ପୂର୍ବ ବର୍ଷାନୁସାରେ ଚଳିତ ବର୍ଷ ମଧ୍ୟ ସନ୍ଥ ଶିରୋମଣି, ଅର୍ଚ୍ଚନୀୟ, ବନ୍ଦନୀୟ, ପ୍ରାତଃ ସ୍ମରଣୀୟ, ପରମପୂଜ୍ୟ ବାବା ଶ୍ରୀ ମହାରାଜଙ୍କର ପ୍ରବଚନ ମୁମ୍ବାଇର ସୁବିଖ୍ୟାତ— ‘ଶ୍ରୀପ୍ରେମପୁରୀ ଆଶ୍ରମ’ରେ ନବ ବର୍ଷ ପ୍ରାରମ୍ଭରେ ୨୦୦୭ମସିହା ଜାନୁୟାରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସମ୍ପନ୍ନ ହୋଇଥିଲା । ଏହି ସପ୍ତଦିବସୀୟ ପ୍ରବଚନ ଶୃଙ୍ଖଳାକୁ ପ୍ରସ୍ତୁତ ପୁସ୍ତକ ମାଧ୍ୟମରେ ସୁଧୀ ପାଠକଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଛି । ଏଥିରେ ୧. ସତ୍‌ସଙ୍ଗ, ୨. ପୃଷ୍ଠଭୂମି , ୩. ଦୃଢ ବିଶ୍ୱାସ, ୪. ଚିନ୍ତନ, ୫. ପ୍ରଜ୍ଞା , ୬. ପରମ ସୁଖ, ୭. ରୂପାନ୍ତରଣ ଶୀର୍ଷକ ୭ ଗୋଟି ଅଧ୍ୟାୟ ସ୍ଥାନୀତ ହୋଇଛି ଯାହା ବ୍ୟକ୍ତିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରାଇବାରେ ବେଶ୍‌ ସକ୍ଷମ ।
ବାବାଜୀ କହନ୍ତି, ମାର ମାର କହି ଅନେକ ଲୋକ ମରିଗଲେଣି, କିନ୍ତୁ ମନ ଭିତରୁ କାମ ମରିପାରୁନାହିଁ । ତୁମେ ବୁଢା ହୋଇଯାଉଛ, ହେଲେ ତୁମ ଭିତରୁ ବାସନା ବୁଢୀ ହେଉନାହିଁ । ତୁମେ ବୁଢା ହେଉଛ, କିନ୍ତୁ ତୁମର କ୍ରୋଧ ବୁଢା ହେଉନାହିଁ । ତେଣୁ ତୁମେ ମାର ନାହିଁ ବରଂ ରୂପାନ୍ତରଣ କର ।
ତେଣୁ ପାଠକ ମାନଙ୍କ ପାଖରେ ବିନା ମୂଲ୍ୟରେ ଓମ୍‌ ପ୍ରତିଷ୍ଠାନ ନିଜ android app : “AUMBOOKS” ମାଧ୍ୟମରେ ଏହାକୁ ଉପଲବ୍ଧ କରାଉଅଛି । ଯେକେହି ଆଗ୍ରହୀ ଏହାର ସୁଯୋଗ ନେବା ପାଇଁ ପକାଶନ ଅବସରରେ ପ୍ରକାଶିକା ମହୋଦୟା ନିବେଦନ କରିଅଛନ୍ତି ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.