Press "Enter" to skip to content

Sambad O Suchana (October 2020)

Last updated on August 13, 2022

ଶ୍ରୀଶ୍ରୀଦୁର୍ଗାପୂଜା ଓ ପବିତ୍ର ଦଶହରା : ତା୨୫।୧୦।୨୦: ଶ୍ରୀଶ୍ରୀ ଶାରଦୀୟ ଦୁର୍ଗାପୂଜାର ମହାନ୍ ଆଧ୍ୟାତ୍ମିକ ପ୍ରଭାବ ସାରା ଭାରତବର୍ଷରେ ଅନୁଭୂତ ହୁଏ । ଜୀବ ମାତ୍ରକେ ମାଆଙ୍କ ପବିତ୍ର ସ୍ପର୍ଶ ପାଇବା ନିମିତ୍ତ ଏହି ଅବସରକୁ ବ୍ୟାକୁଳିତ ହୋଇ ଚାହିଁ ରହିଥାନ୍ତି। ବ୍ରହ୍ମାଣ୍ଡର ସୃଜନ, ପାଳନ ଓ ସଂହାର ଶକ୍ତିରେ ଯୁକ୍ତ ଭଗବତୀ ଦେବୀ ସଚ୍ଚିଦାନନ୍ଦ ବ୍ରହ୍ମାଙ୍କ ଚିତ୍ ରୂପିଣୀ-ଶକ୍ତି-ଶାଶ୍ୱତ ଚିତ୍ ଶକ୍ତି ଅଟନ୍ତି, ଯିଏ ନିଜର ଅବିନାଶୀ ଗର୍ଭରେ ବ୍ରହ୍ମାଣ୍ଡର ବୀଜକୁ ଧାରଣ କରିଛନ୍ତି । ସେ ବ୍ରହ୍ମାଣ୍ଡ ନିୟନ୍ତାଙ୍କର ଜ୍ୟୋତି ଶକ୍ତି ଅଟନ୍ତି । ଦେବୀଙ୍କର ନବଦିନର ଲୀଳା ଚରିତରେ ନିମ୍ନ ପ୍ରକୃତି ଅର୍ଥାତ୍ ଅଜ୍ଞାନାନ୍ଧକାର ପୂର୍ଣ୍ଣ ଶକ୍ତିସମୂହ ଉପରେ ଉଚ୍ଚଶକ୍ତି- ଜ୍ଞାନପୂର୍ଣ୍ଣ ଶକ୍ତିର ବିଜୟକୁ ଦର୍ଶାଯାଏ ।
ଭକ୍ତଗଣ ତାଙ୍କର ଆଧ୍ୟାତ୍ମିକ ସନ୍ତାନ ରୂପରେ ନୈତିକ ତଥା ଧାର୍ମିକ ଦୃଷ୍ଟିକୁ ଗୁୁରୁତ୍ୱ ଦେଇ କୃପା ଅନୁଗ୍ରହ ପାଇଁ ବ୍ରତୀ ହେବାହିଁ ମାଆଙ୍କ ଉପାସନାର ପ୍ରଧାନ ମାର୍ଗ ଅଟେ । ଅାପଣାର କାମ, କ୍ରୋଧରୂପୀ ପଶୁମାନଙ୍କୁ ଦେବୀଙ୍କ ଚରଣରେ ଅର୍ପଣ କରିଦେଇ ଆରାଧନାରେ ତଲ୍ଲୀନ ହେବା ପ୍ରତ୍ୟେକ ଆଧ୍ୟାତ୍ମ ପିପାସୁର ଲକ୍ଷ୍ୟ ହେବା ଉଚିତ । ଅତଃ ପ୍ରତିଷ୍ଠାନ କାର୍ଯ୍ୟାଳୟରେ ମାଆଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । ନିତ୍ୟପୂଜା ସହ ମାଆଙ୍କ ସ୍ତବସ୍ତୁତି ପାଠ ଓ ସାମୂହିକ ଶ୍ରୀଶ୍ରୀଦୁର୍ଗା ସହସ୍ରନାମ ପାଠ ଆଦି ସମ୍ପନ୍ନ ହୋଇଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଅହଂ ରୂପୀ ପଶୁକୁ ବଳି ଅର୍ପଣ ଅର୍ଥାତ୍ ଆତ୍ମ ସମର୍ପଣ ପୂର୍ବକ ଆସୁରିକ ପ୍ରବୃତ୍ତିରୁ ନିଜକୁ ଓ ପରିବେଶକୁ ତଥା ସମଗ୍ର ବିଶ୍ୱକୁ ରକ୍ଷା କରିବା । ମାଆ ଭଗବତୀ ସକଳ ପ୍ରାଣକୁ ଉଚ୍ଚତର ସ୍ଥିତି ପ୍ରଦାନ କରନ୍ତୁ, ଏହା ହିଁ ଉକ୍ତ ପର୍ବପାଳନର ମହନୀୟତା  ।

ଶ୍ରୀଶ୍ରୀଲକ୍ଷ୍ମୀପୂଜା(କୁମାରପୂର୍ଣ୍ଣମୀ):ତା୩୧-୧୧-୨୦୨୦ରିଖ: ଆଶ୍ୱିନ ମାସର ପୂର୍ଣ୍ଣିମାରେ ମାଆ ଗଜଲକ୍ଷ୍ମୀଙ୍କର ଆବାହନ ନିମିତ୍ତ ଧରାପୃଷ୍ଠ ଚଳଚଞ୍ଚଳ ହୋଇଉଠେ । ଶାରଦୀୟ ଦୁର୍ଗୋତ୍ସବ ପରେ ପରେ ମାଆ ଲକ୍ଷ୍ମୀଙ୍କର ଉପାସନା ଭକ୍ତମାନସରେ ଭକ୍ତିରପ୍ଲାବନ ଘଟାଇ ମଙ୍ଗଳ, ସୌଭାଗ୍ୟ, ତଥା ଉନ୍ନତିର ମାର୍ଗ ଉନ୍ମୁକ୍ତ କରାଏ । ମାଆ ଶ୍ରୀଲକ୍ଷ୍ମୀ ପ୍ରତ୍ୟେକ ଗୃହସ୍ଥର ଆରାଧ୍ୟା । ପବିତ୍ର ହୃଦୟରେ ସ୍ୱଚ୍ଛ ପରିବେଶରେ, ଆଧ୍ୟାତ୍ମିକ ଜୀବନ ନିମିତ୍ତ ଯତ୍ନଶୀଳ ହୋଇ ସେବା-ଭକ୍ତି ଆଦି ମାଧ୍ୟମରେ ଉପାସନାରତ ହେଲେ ମାଆଙ୍କର କୃପା ଅବଶ୍ୟ ଲାଭ ହୋଇଥାଏ । ଯାହା ଫଳରେ ସର୍ବ ପ୍ରକାର ରୋଗ, ଶୋକ, ରିଷ୍ଟ, ଅଶାନ୍ତି, ଚିନ୍ତା, ଅବସାଦ ଆଦି ଖଣ୍ଡନ ହୋଇଥାଏ । ସେ ମଙ୍ଗଳର ଅଧିଷ୍ଠାତ୍ରୀ ଦେବୀ, ଅତଃ ସର୍ବମଙ୍ଗଳକାରୀ ଅଟନ୍ତି ।
ଅତଃ ପ୍ରତିଷ୍ଠାନ କାର୍ଯ୍ୟାଳୟରେ ମାଆଙ୍କର ଆବାହନ ଓ ପୂଜା ଆଦି ସହିତ ଶ୍ରୀଶ୍ରୀଲକ୍ଷ୍ମୀସହସ୍ରନାମ, ଶ୍ରୀସୂକ୍ତ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଓମ୍କାର ସ୍ତୋତ୍ରକୋଷ ଶୃଙ୍ଖଳର ଅଷ୍ଟାଦଶ ଓ ଊନବିଂଶ ସଂଖ୍ୟା ‘ଶ୍ରୀଶ୍ରୀଦେବୀସ୍ତୋତ୍ରମ୍-୧’ (ଶ୍ରୀଶ୍ରୀଦୁର୍ଗା ସ୍ତୋତ୍ରମାଳା) ଓ ‘ଶ୍ରୀଶ୍ରୀଲକ୍ଷ୍ମୀସ୍ତୋତ୍ରମ୍’ (ଦେବୀ ସ୍ତୋତ୍ରମ୍-୨)ର ଡିଜିଟାଲ ସଂସ୍କରଣ (ଇ-ପ୍ରକାଶନ) ଉପଲବ୍ଧ ହୋଇଯାଇଛି । ଏହା ଆମ ‘ଓମ୍ ବୁକ୍ସ ଆପ୍’ ମାଧ୍ୟମରେ ପାଠକମାନେ ବିନା ମୂଲ୍ୟରେ ବ୍ୟବହାର କରପାରିବେ । ୮୫ଟି ଦିବ୍ୟ ଓ ଦୁର୍ମୂଲ୍ୟ ମାଆ ଦୁର୍ଗାଙ୍କର ସ୍ତୋତ୍ର ଏବଂ ମାଆ ଲକ୍ଷ୍ମୀଙ୍କର ୮୪ଗୋଟି ଦିବ୍ୟ ସ୍ତୋତ୍ରର ସମାହାର, ଯାହା ୬୪୮ ଓ ୫୪୪ ପୃଷ୍ଠା ସମ୍ବଳିତ ଅଟେ । ସୂଚନାଯୋଗ୍ୟ ଏହା ଅନ୍ୟତ୍ର ଉପଲବ୍ଧ ନ ହେଉଥିବା, ଦୁର୍ଲ୍ଲଭ ସ୍ତୋତ୍ରାବଳୀ ଅଟେ, ତେଣୁ ପାଠକମାନଙ୍କ ପାଇଁ  ଅତ୍ୟନ୍ତ ବ୍ୟବହାରଯୋଗ୍ୟ ଅଟେ । ஃ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.