Press "Enter" to skip to content

ଅଧ୍ୟାତ୍ମବିଦ୍ୟା ବିଦ୍ୟାନାମ୍‌

ଚଳିତ ମାସ ପ୍ରାର୍ଥନା : ବ୍ରହ୍ମାକୃତ ଶ୍ରୀକୃଷ୍ଣ ସ୍ତୁତି

ନୌମୀଡ୍ୟ ତେଽଭ୍ରବପୁଷେ ତଡିଦମ୍ବରାୟ ଗୁଞ୍ଜାବତଂସପରିପିଚ୍ଛଳସନ୍ମୁଖାୟ ।
ବନ୍ୟସ୍ରଜେ କବଳବେତ୍ରବିଷାଣବେଣୁ-ଲକ୍ଷ୍ମଶ୍ରିୟେ ମୃଦୁପଦେ ପଶୁପାଙ୍ଗଜାୟ  ॥ 1 ॥

ଅସ୍ୟାପି ଦେବ ବପୁଷୋ ମଦନୁଗ୍ରହସ୍ୟ ସ୍ୱେଚ୍ଛାମୟସ୍ୟ ନ ତୁ ଭୂତମୟସ୍ୟ କୋଽପି ।
ନେଶେ ମହି ତ୍ୱବସିତୁଂ ମନସାନ୍ତରେଣ ସାକ୍ଷାତ୍ତବୈବ କିମୁତାତ୍ମସୁଖାନୁଭୂତେଃ  ॥ 2 ॥

ହେ ସ୍ତୁତ୍ୟ (ଉପାସନାଯୋଗ୍ୟ ପ୍ରଭୁ) ! ମେଘସମ ଶ୍ୟାମଳ ଶରୀରଧାରୀ, ବିଜୁଳି ସମ ଚକମକି ବସ୍ତ୍ରରେ ଆଚ୍ଛାଦିତ, ବନପୁଷ୍ପର କୁଣ୍ଡଳ ଓ ମୟୂରପୁଚ୍ଛ ମୁକୁଟରେ ସୁଶୋଭିତ ମୁଖସମ୍ପନ୍ନ, ଗଳାରେ ବୈଜୟନ୍ତୀ ମାଳା, ଚତୁର୍ହସ୍ତରେ ଗ୍ରାସ(ପଘା), ବେତ୍ର, ସୀଂଗା, ବଂଶୀ ଆଦି ଧାରଣକରି ଶୋଭାୟମାନ, କୋମଳଚରଣସମ୍ପନ୍ନ, ନନ୍ଦଗୋପଙ୍କର ଅତି ଆଦରର କହ୍ନେୟା ! ଆପଣଙ୍କୁ ମୁଁ ନମସ୍କାର କରୁଅଛି । 

ହେ ଦେବ ! ଭକ୍ତ ଇଚ୍ଛାନୁସାରେ ପ୍ରକଟିତ ତଥା ମଦନୁଗ୍ରହକାରୀ ଆପଣଙ୍କର ଏହି ଅତି ସୁଲଭ ଅବତାର, ଯାହା ପଞ୍ଚଭୌତିକ ନୁହେଁ ବରଂ ଅଚିନ୍ତ୍ୟ ଶୁଦ୍ଧ ସତ୍ତ୍ୱମୟ ଅଟେ, ସେହି ମହିମାକୁ ମନତଃ ଜାଣିବା ପାଇଁ ମୁଁ ବ୍ରହ୍ମା, ସମର୍ଥ ନୁହେଁ କି ଅନ୍ୟ କେହିହେଲେ ଆପଣଙ୍କୁ ଜାଣିବା ପାଇଁ ସମର୍ଥ ନୁହଁନ୍ତି । ଯେତେବେଳେ ଅବତାରଙ୍କର ମହିମା ବୋଧ ହୋଇ ପାରୁନାହିଁ, ସେତେବେଳେ ଆତ୍ମସୁଖର ଅନୁଭବରୁ ଜ୍ଞାତହେଉଥିବା ଗୁଣାତୀତସ୍ୱରୂପ ସାକ୍ଷାତ୍ ଆପଣଙ୍କର ମହିମାକୁ ଏକାଗ୍ର ମନରେ ମଧ୍ୟ ଜାଣିବାକୁ କିଏ ଆଉ ସମର୍ଥ ହୋଇପାରିବ ? ଅର୍ଥାତ୍ ଆପଣଙ୍କର ମହିମା ଜାଣିବାକୁ କେହିହେଲେ ସମର୍ଥ ନୁହଁନ୍ତି । 

Latest Posts