Press "Enter" to skip to content

ମହାଶିବ ରାତ୍ରି – ସମ୍ବାଦ

Last updated on August 13, 2022

ତା୨୧ ।୦୨।୨୦୨୦।ରିଖ, ଶୁକ୍ରବାର : ଶ୍ରୀଶ୍ରୀ ମହାଶିବ ରାତ୍ରି – ବିଶ୍ୱଜନକ, ବିଶ୍ୱବନ୍ଧୁ, ଦେବ ଦେବ ମହାଦେବ ସଂସାର ଦାବାନଳରୁ ମୁକ୍ତି ପ୍ରଦାନକରି ନବ ଜୀବନ ପ୍ରଦାନ କରନ୍ତି   । ତ୍ରିନେତ୍ରଯୁକ୍ତ ମହାଦେବଙ୍କ ନେତ୍ରରୁ ପ୍ରଜ୍ୱଳିତ ଅଗ୍ନି ପ୍ରକଟିତ  । ତାଙ୍କର ଲଲାଟଦେଶ ଚନ୍ଦ୍ରକଳାରେ ଉଦ୍ଭାସିତ   । ସେ ତ୍ରିଲୋକରେ ଶ୍ରେଷ୍ଠ ଅଟନ୍ତି   । ଶରଣାଗତମାନଙ୍କୁ ଅଭୟ ବର ପ୍ରଦାନକରି ସଂସାର କଲ୍ୟାଣ କରନ୍ତି   । କଲ୍ୟାଣ ଓ ସୁଖର ମୂଳ ସ୍ରୋତ ଭଗବାନ୍ ଶିବ ମଙ୍ଗଳମୟ ଅଟନ୍ତି   ।
ସେହି ଦେବଦେବ ଶଙ୍କର ସଂସାରବାସୀଙ୍କ ମଙ୍ଗଳର କାରଣ ହୁଅନ୍ତୁ, ଜନ୍ମ-ମରଣ ରୋଗ-ଦୁଃଖ ରୂପୀ ମୃତ୍ୟୁ ବନ୍ଧନରୁ ମୁକ୍ତକରି ଅମୃତରୂପା ମୋକ୍ଷ ପଥରେ ଆସୀନ କରାଇବା ପାଇଁ ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପର ଅନୁଷ୍ଠାନ ପ୍ରତିଷ୍ଠାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି   । ଯାହା ଆଧି-ବ୍ୟାଧି ରୋଗ-ଦୁଃଖ ହରଣ କରି ନାମ-ଯଶ-ଆୟୁ ଓ ଆରୋଗ୍ୟ ପ୍ରଦାନରେ ସହାୟକ ହୁଏ   ।
ଏହି ଜପାନୁଷ୍ଠାନ କ୍ରିୟା ସାମୂହିକ ରାତ୍ରି ଉଜାଗର ପୂର୍ବକ ଅନୁଷ୍ଠିତ ହୋଇଥିଲା   । ସାଧାରଣତଃ ଭକ୍ତ ନିଜର ଉନ୍ନତି ତଥା ସ୍ୱାର୍ଥ ପାଇଁ ନିଷ୍ଠା ଓ ପାରାକାଷ୍ଠାର ଆଶ୍ରୟ ନେଇଥାଏ କିନ୍ତୁ ଏହି ସାମୂହିକ ଜପାନୁଷ୍ଠାନ ବ୍ୟଷ୍ଟି ସ୍ୱାର୍ଥରୁ ସମଷ୍ଟିଗତ ଭାବନାକୁ ରୂପାନ୍ତରିତ କରି ସଂସାର ବାସୀଙ୍କର ସୁଖ-ମଙ୍ଗଳ ଓ କଲ୍ୟାଣକାରକ ହୋଇଥାଏ   । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜୀବନ ପ୍ରଦାୟକ ମନ୍ତ୍ର ଅଟେ । ସମ୍ପ୍ରତି ଜଟିଳ ଓ ଦୁଃସହ ଜୀବନରୁ ପରିତ୍ରାଣ ପାଇଁ ଓ ଜୀବନରେ ଶାନ୍ତି-ମୈତ୍ରୀ-ପବିତ୍ରତାର ସିଞ୍ଚନ ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।
ଅତଃ ଶ୍ରୀଶ୍ରୀମହାଦେବଙ୍କ ପୂଜା ସମାପନାନ୍ତେ ଶ୍ରୀଶ୍ରୀଶିବନାମ ସଂକୀର୍ତ୍ତନ ଓ ଶିବ ସହସ୍ରନାମ ପାଠ ପୂର୍ବକ ସଂପୁଟିତ ବୀଜ ମନ୍ତ୍ର (ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର) ଜପ ନିମିତ୍ତକ ସଂକଳ୍ପ କରାଯାଇଥିଲା   । ସଂପୁଟ ସହ ଜପ କରିବା ଦ୍ୱାରା ଏହା ଶତଗୁଣ ଅଧିକ ଫଳ ପ୍ରଦାୟକ ହୋଇଥାଏ । ନିଷ୍ଠାର ସହ ଜପ କରିବା ଦ୍ୱାରା ମନ୍ତ୍ର ସିଦ୍ଧି ପ୍ରାପ୍ତ ହୋଇଥାଏ । ଅତଃ ସାମୂହିକ ଭାବେ ଏକ ସହସ୍ର ଜପ ପରେ ପରେ ଜପ ସମର୍ପଣ, ଆଳତି ଓ ଶ୍ରୀଶ୍ରୀଶିବମହିମ୍ନ ସ୍ତୋତ୍ର ପାଠ ଆଦି ଅନୁଷ୍ଠିତ ହୋଇଥିଲା   ।
ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ର ୩୩ଗୋଟି ଦେବତାଙ୍କର ଦ୍ୟୋତକ ଅଟେ ତେଣୁ ଉପଯୁକ୍ତ ଫଳ ଲାଭ ସହିତ ମହାମୃତ୍ୟୁକୁ ତରିବାପାଇଁ ଏହା ଏକ ସର୍ବୌଷଧୀ ଅଟେ   ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.