Press "Enter" to skip to content

ସମ୍ବାଦ ଓ ସୂଚନା

Last updated on August 21, 2022

ଶ୍ରୀଶ୍ରୀଶଙ୍କର ଜୟନ୍ତୀ ତା ୧୭।୦୫।୨୦୨୧

ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମଦ୍ ଆଦି ଶଙ୍କରଙ୍କର ଧରାବତରଣ ହୋଇଥିଲା, ଯେତେବେଳେକି ବୌଦ୍ଧ ଧର୍ମର ବୈଚାରିକ ଆକ୍ରମଣ ପ୍ରଭାବରୁ ହିନ୍ଦୁ ଧର୍ମ ତନ୍ତ୍ର-ମନ୍ତ୍ର ଆଦି କର୍ମକାଣ୍ଡକୁ ତ୍ୟାଗ କରିବାକୁ ଲାଗିଥିଲା । ଏହି ସଙ୍କଟାପନ୍ନ ଅବସ୍ଥାରେ ହିନ୍ଦୁ ଧର୍ମର ମୂଳ ବିଚାରର ସଂରକ୍ଷଣ କରିବାର ଆବଶ୍ୟକତା ପଡିଥିଲା । ଧାର୍ମିକ ପତନର ଦ୍ରୁତଗତିକୁ ବିରାମ ଲଗାଇବା ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କର ପ୍ରୟାସ ଅତୀବ ପ୍ରଶଂସନୀୟ ଥିଲା ।
ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅନେକ ଶାସ୍ତ୍ରାର୍ଥ ସଞ୍ଚାଳିତ କରି ଅନେକ ବୌଦ୍ଧ ହିନ୍ଦୁ ଧର୍ମଗୁରୁଙ୍କ ଅହଙ୍କାରକୁ ଖଣ୍ଡିତକରି ଅଦ୍ୱୈତବୈଦ ନାମକ ଦର୍ଶନର ଆଧାରଶିଳାକୁ ଦୃଢ ପ୍ରତିଷ୍ଠିତ କରିଥିଲେ । ନିଶ୍ଚିତରୂପେ ତତ୍ କାଳୀନ ସମୟରେ ଏହା ଅତ୍ୟନ୍ତ କଠିନକାର୍ଯ୍ୟ ଥିଲା । ସନାତନ ଧର୍ମର ଆଧାରଶିଳାକୁ ପ୍ରତିଷ୍ଠିତ କରିବାପାଇଁ ଭାରତବର୍ଷର ଚାରିକୋଣରେ ଚାରିଗୋଟି ମହାନ୍ ମଠର ସ୍ଥାପନା କରିଥିଲେ, ଯାହାଫଳରେ ସମଗ୍ର ଭାରତବର୍ଷ ଏକ ସୂତ୍ରରେ ବାନ୍ଧି ହୋଇ ରହିବ । ଆଦି ଶଙ୍କରାଚାର୍ଯ୍ୟଙ୍କର ମାନ୍ୟତା ଉପନୀଷଦୀୟ ବିଚାରଧାରାରେ ପ୍ରଭାବିତ । ସେ ସର୍ବଦା କହୁଥିଲେ, ‘‘ଜୀବର ମୁକ୍ତି ପାଇଁ ଜ୍ଞାନ ଆବଶ୍ୟକ । ବ୍ରହ୍ମ ଏବଂ ଜୀବ ମୂଳତଃ ଓ ତତ୍ତ୍ୱତଃ ଏକ, ଆମକୁ ଯେଉଁ ପାର୍ଥକ୍ୟ ଦୃଶ୍ୟ ହେଉଛି ତାହାର କାରଣ ଅଜ୍ଞାନ । ବ୍ରହ୍ମଙ୍କ ଠାରେ ଲୀନ ହେବାହିଁ ଜୀବର ଚରମ ଓ ପରମ ମୁକ୍ତି ।’’
ଶଙ୍କରାଚାର୍ଯ୍ୟ ନିଜର ପ୍ରଯତ୍ନ ଦ୍ୱାରା ସନାତନ ଆର୍ଯ୍ୟ ପରିପାଟୀକୁ ସୁସ୍ପଷ୍ଟ ଆଧାର ପ୍ରଦାନ କରିଥିଲେ ଏବଂ ହିନ୍ଦୁ ଧର୍ମ ଉପରେ ହେଉଥିବା ମର୍ମାନ୍ତକ ଆଘାତକୁ ନିଃଶେଷ କରିବାପାଇଁ ମହାନ୍ ଭୂମିକା ଗ୍ରହଣ କରିଥିଲେ ।
ଜ୍ଞାନ ମାଧ୍ୟମରେ ହିଁ ଆମେ ସକଳ ଦୁଃଖ-ଯାତନା-କ୍ଳେଶ ପୂର୍ଣ୍ଣ ଜୀବନରୁ ନିଜକୁ ମୁକ୍ତି ଦେଇପାରିବା । ଅତଃ ପ୍ରତିଷ୍ଠାନରେ ଶ୍ରୀଶ୍ରୀଆଦିଶଙ୍କର ଜୟନ୍ତୀ ପାଳନ ଅବସରରେ ଶଙ୍କର ସାହିତ୍ୟ ସମ୍ପର୍କିତ ପାଠଚକ୍ର ଆୟୋଜନ ହୋଇଥିଲା । ଶ୍ରୀଶ୍ରୀଶଙ୍କରାଚାର୍ଯ୍ୟଙ୍କର ଜୀବନ ଚରିତ, ଗ୍ରନ୍ଥରାଜି ଓ ସ୍ତୋତ୍ର ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଅଜ୍ଞାନ କାରଣରୁ ଜୀବ ଏହି ସଂସାର ଭବସାଗରରେ ଦୁଃଖ ଯନ୍ତ୍ରଣା ଭୋଗ କରିଥାଏ, ତେଣୁ ଏଥିରୁ ମୁକ୍ତି ନିମିତ୍ତ ଜ୍ଞାନମାର୍ଗୀ ହେବା ନିତାନ୍ତ ପ୍ରୟୋଜନ, ଏହା ଥିଲା ଉକ୍ତ ପାଠଚକ୍ରର ସାରନିର୍ଯାସ ।


ଶ୍ରୀଶ୍ରୀବୁଦ୍ଧ ପୂର୍ଣ୍ଣିମା ତା ୨୬।୦୫।୨୦୨୧

ବୈଶାଖ ପୂର୍ଣ୍ଣିମା ତିଥିର ମହତ୍ତ୍ୱ ଭଗବାନ୍ ବୁଦ୍ଧଙ୍କ ଜୀବନରେ ଏକ ଆଲୋଡନ ସୃଷ୍ଟି କରିଥିଲା । ଶାକ୍ୟ ରାଜା ଶୁଦ୍ଧୋଦନ, ମାତା ମହାମାୟାଦେବୀଙ୍କ ଗର୍ଭସମ୍ଭୂତ ପୁତ୍ର ସିଦ୍ଧାର୍ଥ ରାଜକୀୟ ଆଭିଜାତ୍ୟ ପୂର୍ଣ୍ଣ ବାତାବରଣରୁ ନିଜକୁ ଦୂରେଇରଖି ମାୟା, ମୋହ, ଦୁଃଖର କାରଣ ଖୋଜିବାପାଇଁ ଆରମ୍ଭ କରିଦେଇଥିଲେ । ଖ୍ରୀଷ୍ଟପୂର୍ବ ୫୬୩ର ବୈଶାଖପୂର୍ଣ୍ଣିମା ତିଥିରେ ସେ ଧରାତଳରେ ଆବିର୍ଭାବ ହୋଇଥିଲେ । ସେହି ତିଥିରେ ହିଁ ସେ ରାଜପ୍ରାସାଦ ତ୍ୟାଗକରି ଜ୍ଞାନାଲୋକର ଅନ୍ୱେଷଣରେ ନିର୍ଗତ ହୋଇଥିଲେ । ବହୁ କଠୋର ସାଧନାରେ ନିବିଷ୍ଟ ହୋଇ ୩୫ବର୍ଷ ବୟସରେ ସେହି ବୈଶାଖ ପୂର୍ଣ୍ଣିମା ତିଥିରେ ସେ ବୋଧିତ୍ୱ ପ୍ରାପ୍ତ ହୋଇଥିଲେ। ଏହାପରେ ସେ ବୁଦ୍ଧଦେବ ନାମରେ ପରିଚିତ ହୋଇଥିଲେ । ତାଙ୍କର ପ୍ରଥମ ଧର୍ମୋପଦେଶ ବାରାଣସୀ ନିକଟସ୍ଥ ସାରନାଥରେ ହୋଇଥିଲା । ତାଙ୍କ ପ୍ରତିଷ୍ଠିତ ଧର୍ମ ବୌଦ୍ଧଧର୍ମ ନାମରେ ଖ୍ୟାତି ଲାଭ କରିଥିଲା । ସେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଏହା ସ୍ଥାପନା କରିଥିଲେ । ପରେ ୪୫ବର୍ଷ କାଳ ସେ ଗଙ୍ଗାନଦୀର ଆଖପାଖରେ ଧର୍ମୋପଦେଶ ପ୍ରଦାନ କରି ଏହି ଧର୍ମର ପ୍ରଚାର-ପ୍ରସାର କରିଥିଲେ । ଏପରିକି ସେ ସେହି ପୁଣ୍ୟ ତିଥିରେ ହିଁ ମହାପରିନିର୍ବାଣ ପ୍ରାପ୍ତି ହୋଇଥିଲେ ତାଙ୍କର ପ୍ରଧାନ ଶିଷ୍ୟମାନଙ୍କ ମଧ୍ୟରେ ଆନନ୍ଦ, ଅନିରୁଦ୍ଧ, ଭୃଗୁ, ଦେବଦତ୍ତ, ଉପାଲୀ, ମହାକଶ୍ୟପ ଆଦି ଅନ୍ୟତମ ଥିଲେ । ସମ୍ରାଟ ଅଶୋକ ବୌଦ୍ଧଧର୍ମର ମହାନ ପ୍ରଚାରକ ଥିଲେ ।
ବୁଦ୍ଧ, ଧର୍ମ ଓ ସଂଘ, ଏହି ତିନୋଟି ବୌଦ୍ଧଧର୍ମର ତ୍ରିରତ୍ନ ଅଟନ୍ତି । ଏହି ବୌଦ୍ଧସଂଘର ଚାରିଗୋଟି ମୁଖ୍ୟ ଅବୟବ ହେଉଛନ୍ତି ଭିକ୍ଷୁ, ଭିକ୍ଷୁଣୀ, ଉପାସକ ଓ ଉପାସିକା । ଯେତେବେଳେ ଏମାନେ ପୂର୍ଣ୍ଣ ଜ୍ଞାନାଲୋକ ପ୍ରାପ୍ତି ହୁଅନ୍ତି, ସେମାନେ ବୁଦ୍ଧ ବୋଲାନ୍ତି । ବୁଦ୍ଧ ହେବା ହିଁ ବୋଧିସତ୍ତ୍ୱଙ୍କ ଜୀବନର ପାରାକାଷ୍ଠା ଅଟେ । ବୌଦ୍ଧଧର୍ମର ଅନ୍ତିମ ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ମାନବ ସମାଜରୁ ଦୁଃଖର ଅନ୍ତ କରିବା । ବୁଦ୍ଧଦେବ କହୁଥିଲେ— ଦୁଃଖ ଅଛି, ଦୁଃଖର କାରଣ ଅଛି, ଦୁଃଖର ନିରୋଧ ଅଛି ଏବଂ ଦୁଃଖ ନିରୋଧର ମାର୍ଗ ରହିଛି । ବୌଦ୍ଧଧର୍ମ ଅନୁସରଣକାରୀମାନଙ୍କ ପାଇଁ ଅଷ୍ଟାଙ୍ଗିକ ମାର୍ଗରେ ପରିଚାଳିତ ହୋଇ ଜୀବିକା ନିର୍ବାହ ପୂର୍ବକ ଅଜ୍ଞାନତା ଏବଂ ଦୁଃଖରୁ ମୁକ୍ତି ତଥା ନିର୍ବାଣ ପାଇବାର ପ୍ରୟାସ କରିବା ଏକ ମୁଖ୍ୟ ସାଧନ ପନ୍ଥା ଥିଲା ।
ଅତଃ ଭଗବାନ ବୁଦ୍ଧଙ୍କ ଜନ୍ମତିଥି ବୁଦ୍ଧପୂର୍ଣ୍ଣିମା ପ୍ରତିଷ୍ଠାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଇତ୍ୟବସରରେ ବୌଦ୍ଧ ସାହିତ୍ୟ ଆଲୋଚନା ପୂର୍ବକ ତାଙ୍କର ପ୍ରକୃତ ଜ୍ଞାନାଲୋକ ଅନ୍ୱେଷଣର ମାର୍ଗ ସମସ୍ତଙ୍କ ପାଇଁ ଅନୁସରଣୀୟ ଓ ଅନୁପାଳନୀୟ ହୋଇଥିବାରୁ ତାଙ୍କର ସ୍ମୃତି ଜୀବନକୁ ନୂତନ ମାର୍ଗରେ ପରିଶୋଭିତ କରୁ, ଏହା ହିଁ ପ୍ରାର୍ଥନା କରାଯାଇଥିଲା ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.