Press "Enter" to skip to content

ଶ୍ରୀବିଷ୍ଣୁ ସହସ୍ରନାମ (ଓଡିଆ ଅର୍ଥ ସହିତ)

Last updated on August 13, 2022

ବ୍ୟାଖ୍ୟା ଓ ସମ୍ପାଦନା : ଡଃ ଦିଗମ୍ବର ମହାନ୍ତି
ପୃଷ୍ଠା : ଡିମାଇ ୨୫୬ ପୃଷ୍ଠା
ମୂଲ୍ୟ : ଟ ୧୫୦/- ମାତ୍ର
ପ୍ରକାଶକ : ସତ୍‌ ସାହିତ୍ୟ
ସହଦେବ ଖୁଣ୍ଟା, ବାଲେଶ୍ୱର-୧

ଶ୍ରୀବିଷ୍ଣୁ ସହସ୍ରନାମ କଥା ଶୁଣିଲାମାତ୍ରେ ଆମେ ସାଧାରଣତଃ ଅନୁମାନ କରିନେଉ ନିଶ୍ଚିତପକ୍ଷେ ବିଷ୍ଣୁଙ୍କର ଏକହଜାର ନାମ ବିଶେଷ, ଯାହା ପ୍ରାୟ ସମସ୍ତଙ୍କ ପାଇଁ ଜଣାଶୁଣା ଆଉ ଏହାକୁ ପାଠ କରିବାର ମୂଲ୍ୟ ମଧ୍ୟ ଯଥେଷ୍ଟ ଅଧିକ ରହିଛି । ଶ୍ରୀବିଷ୍ଣୁ ସହସ୍ରନାମ ପାଠ ପ୍ରାୟତଃ ଅର୍ଦ୍ଧାଧିକ ବ୍ୟକ୍ତି କରୁଥିବାର ମଧ୍ୟ ଶୁଣାଯାଏ କିନ୍ତୁ ପ୍ରତ୍ୟେକଟି ନାମର ବିଶେଷତାକୁ ମନନକରି, ଅର୍ଥବୋଧ ହୋଇ ଅଥବା ସନ୍ଧିବିଚ୍ଛେଦକରି, ଉପଯୁକ୍ତ ବିଧି ସହକାରେ ପାଠ କରିବାର ମୂଲ୍ୟ ଯଥେଷ୍ଟ ଅଧିକ, ଏଥିରେ ଦ୍ୟୁରୁକ୍ତିବୋଧ ନାହିଁ । ଶ୍ରୀବିଷ୍ଣୁଙ୍କର ସହସ୍ରନାମ ଜପ, ଓ ଅର୍ଚ୍ଚନା ଜୀବକୁ ଦେବତ୍ୱ ମଧ୍ୟ ପ୍ରଦାନ କରିପାରେ ।
ଏହି ସହସ୍ରନାମ ମହାଭାରତ ଗ୍ରନ୍ଥର ତ୍ରୟୋଦଶ ପର୍ବ ଅନୁଶାସନ ପର୍ବରୁ ଆନୀତ । ଏଥିରେ ମନୁଷ୍ୟ ପାଇଁ ଆଚାର, ବ୍ୟବହାର, ଅଭ୍ୟାସ, କର୍ତ୍ତବ୍ୟ ଓ ଜୀବନ ଜୀବିକାର ବିଚାରଧାରାମାନ ତଥା ମାନବପାଇଁ ଧର୍ମ, ନ୍ୟାୟ ଓ ମୁକ୍ତିମାର୍ଗର ଉପଦେଶମାନ ଆଲୋଚିତ ହୋଇଛି । ମହାରାଜ ଯୁଧିଷ୍ଠିରଙ୍କର ଜିଜ୍ଞାସା ଉନ୍ମୋଚନ ନିମିତ୍ତ ଭୀଷ୍ମ ପିତାମହଙ୍କର ଜ୍ଞାନପୂର୍ଣ୍ଣ ଉପଦେଶ, ଏଥିମଧ୍ୟରେ ଯୁଧିଷ୍ଠିର ଷଡପ୍ରଶ୍ନ ଉପସ୍ଥାପନ କରିଛନ୍ତି ଏବଂ ଭୀଷ୍ମ ପିତାମହ ଉତ୍ତରରେ ଶ୍ରୀବିଷ୍ଣୁଙ୍କୁ ଉପଯୋଗୀ ଦେବତା ମନେକରି ତାଙ୍କର ସହସ୍ରନାମର ଅବତାରଣା ପୂର୍ବକ ତାଙ୍କର ପ୍ରଶସ୍ତି ଗାନ କରିଛନ୍ତି । ସର୍ବମୋଟ ୧୪୨ଗୋଟି ଶ୍ଳୋକର ସମାହାର ମଧ୍ୟରୁ ପ୍ରଥମ ୧୩ଗୋଟି ଶ୍ଳୋକକୁ ଉପକ୍ରମ ବୋଲି ବୁଝାଯାଏ, ୨ୟ ଓ ୩ୟ ଶ୍ଳୋକରେ ଯୁଧିଷ୍ଠିରଙ୍କର ୬ଗୋଟି ପ୍ରଶ୍ନ ପରବର୍ତ୍ତୀ ୧୦ଗୋଟି ଶ୍ଳୋକରେ ଭୀଷ୍ମ ପିତାମହଙ୍କର ଉତ୍ତର । ଏହା ପରବର୍ତ୍ତୀ ୧୦୭ଟି ଶ୍ଲୋକ ଅଧ୍ୟାୟର ମୁଖ୍ୟ ଅଂଶ ଅର୍ଥାତ୍ ଶ୍ରୀବିଷ୍ଣୁଙ୍କର ସହସ୍ରନାମକୁ ପ୍ରତିପାଦିତ କରେ । ଶେଷ ୨୨ଗୋଟି ଶ୍ଳୋକ ଉପସଂହାର ବା ଫଳଶ୍ରୁତି ଭାବରେ ପରିଗଣିତ ହୁଏ । ଅତଃ ଏହାକୁ ଉପଯୁକ୍ତ ଭାବରେ ବୋଧହୋଇ ନାମର ମହିମାକୁ ହୃଦ୍ ବୋଧ କରି ଚିନ୍ତନ-ମନନାଦି ପୂର୍ବକ ପାଠକଲେ ନିଶ୍ଚିତ ଜୀବନ ସାର୍ଥକ ହେବ ।
ଡଃ ମହାନ୍ତି ସଂସ୍କୃତ ସାହିତ୍ୟରେ ଅଧ୍ୟାପନା କାର୍ଯ୍ୟରୁ ଜୀବିକା ପ୍ରାରମ୍ଭ କରିଥିଲେହେଁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଛନ୍ତି । ଅର୍ଥବୋଧ ହୋଇ ନାମ ପାଠ କଲେ ମନ ଅଧିକ ଶକ୍ତିଶାଳୀ ହୋଇ ଜୀବ ଓ ପରମର ମିଳନର ପଥ ଉନ୍ମୁକ୍ତ ହୋଇପାରିବ ବୋଲି ସେ ମନେକରିଥିଲେ । ଅତଃ ପୂର୍ବରୁ ଅର୍ଥସମେତ ସହସ୍ରନାମ ପୁସ୍ତିକା ପ୍ରାପ୍ତ ହେଉଥିଲେ ହେଁ ସଂକଳକ ତଥା ସମ୍ପାଦକ ମହୋଦୟଙ୍କର ପ୍ରତ୍ୟେକନାମର ବ୍ୟାଖ୍ୟା ପୂର୍ବକ ଯେଉଁ ପ୍ରଚେଷ୍ଟା ନିଶ୍ଚିତ ସାଧାରଣ ପାଠକଙ୍କ ପାଇଁ ଉପାଦେୟକ୍ଷମ ହେବା ମନେହୁଏ । T

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.