Press "Enter" to skip to content

ଶିକ୍ଷା — ସେଦିନର ଏବଂ ଆଜି

Last updated on August 13, 2022

ଲେଖକ : ଗୋପୀନାଥ ଶତପଥୀ
ନୀଳଚକ୍ର ନଗର, ଅଠରନଳା, ପୁରୀ
ପୃଷ୍ଠା : ୧୭୨, ଡିମାଇ
ମୂଲ୍ୟ : ୧୬୫ଟଙ୍କା ମାତ୍ର/-
‘‘ଶିକ୍ଷା — ସେଦିନର ଏବଂ ଆଜି’’—ପୁସ୍ତକଟି ଲେଖକ ଗୋପୀନାଥ ଶତପଥୀଙ୍କର ଜୀବନ-ଜୀବିକା ଜଡିତ ସାର ନିର୍ଯାସରୁ ସାଉଁଟି ଆଣିଥିବା ଏକ ଦୁର୍ମୂଲ୍ୟ ପ୍ରକାଶନ ଭଳି ମନେହୁଏ । ବୃତ୍ତିଗତ ଜୀବନରେ- ଜଣେ ଆଦର୍ଶ ଶିକ୍ଷକ ଭାବେ ଅବସର ନେଲେ ମଧ୍ୟ ତାଙ୍କର ଶିକ୍ଷା ପ୍ରକ୍ରିୟାର ଅନ୍ତ ଘଟିନାହିଁ, ବରଂ ତାହା ଆହୁରି ବହୁଗୁଣିତ ହୋଇଯାଇଛି । ଅଧ୍ୟୟନ, ବିଚାରବିମର୍ଶ, ବିଶ୍ଲେଷଣର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସେ ପ୍ରତିଟି ମୁହୂର୍ତ୍ତର ସଦୁପଯୋଗ କରି ଚାଲିଛନ୍ତି, ଯାହା ଜଣେ ପ୍ରକୃତ ଶିକ୍ଷାବିତ୍ ଭାବରେ ତାଙ୍କୁ ପରିଗଣିତ କରିଛି । କେବଳ ଏତିକି ନୁହେଁ ସେ ଜଣେ ବୈଦିକ ପ୍ରବକ୍ତା ଏବଂ ବୈଦିକ ଶାସ୍ତ୍ରର ଗମ୍ଭୀର ଅଧ୍ୟେତା ଅଟନ୍ତି ।
ଉକ୍ତ ପୁସ୍ତକରେ ବୈଦିକ ଯୁଗର ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଠାରୁ ଆଧୁନିକ ଭାରତର ଶିକ୍ଷା ଆନ୍ଦୋଳନ, ସମ୍ବିଧାନର ପ୍ରସ୍ତାବନା, ପ୍ରମୁଖ ଶିକ୍ଷା ଆୟୋଗ, ଜାତୀୟ ଶିକ୍ଷଣ ନୀତି, ଡ୍ରାଫ୍ଟ ଜାତୀୟ ଶିକ୍ଷାନୀତି-୨୦୧୯ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରସଙ୍ଗର ବିଶ୍ଲେଷଣାତ୍ମକ ଆଲୋଚନା କରି ସେ ମତ ଉପସ୍ଥାପନ କରିଛନ୍ତି । ଏହା ନିଶ୍ଚିତ ଭାବେ ପୁସ୍ତକର ନାମକରଣର ସାର୍ଥକତାକୁ ପରିପୁଷ୍ଟି ପ୍ରଦାନ କରିଛି, ଏଥିରେ ଦ୍ୟୁରୁକ୍ତି ନାହିଁ ।
ପୁସ୍ତକର ଉପକ୍ରମଣିକା ଭାବରେ ‘ସାମ୍ପ୍ରତିକ ସମସ୍ୟା ବହୁଳ ସମାଜ’ ଶୀର୍ଷକର ଉଦ୍ଧୃତାଂଶଟିଏ ପଢିଲେ ତାଙ୍କର ଶିକ୍ଷା ସମ୍ବନ୍ଧୀୟ ଗମ୍ଭୀର ଚିନ୍ତନ ଓ ବିଚାରଧାରାକୁ ନିଶ୍ଚିତ ଅବଗତ ହୋଇପାରିବା— ‘‘ସମାଜରେ ବଞ୍ଚିବାକୁ ହେଲେ ବଞ୍ଚିବା କଳାଟି ସମାଜରୁ ଶିଖିବାକୁ ହୁଏ । ଏହା ଶିକ୍ଷା କରିବା ନିମିତ୍ତ କାଳଚକ୍ରର ଅବଧି ଗଣନ ପ୍ରକ୍ରିୟା କିମ୍ବା ଅଧ୍ୟୟନ, ଅଧ୍ୟାପନା, ଯଜନ, ଯାଜନ, ଦାନ ଏବଂ ପ୍ରତିଗ୍ରହଣର ସୂତ୍ର ଆପଣାଇବାର ଆବଶ୍ୟକତା ନ ଥାଏ । ଏହା ସ୍ୱତଃସ୍ଫୂର୍ତ୍ତ । ମୁଁ ଶିକ୍ଷାଲାଭ କରୁପାରୁନାହିଁ ବୋଲି ହତାଶ ହୋଇ ଥକିଗଲେ ସମାଜର ପ୍ରଚଳିତ ଧାରା କଣ ଆମ ପାଇଁ ଅଟକିଯିବ ! ନା, ବରଂ ତେଲ ଲୁଣ ସଂସାରରେ ଅଣ ନିଃଶ୍ୱାସୀ ହୋଇ ଧାଉଁଥିବା ନିଃସହାୟ ପ୍ରାଣୀଟା ଜୀବନ ଯନ୍ତ୍ରଣାର ପ୍ରଚଣ୍ଡ ରୌଦ୍ରତାପରେ ଏକାକୀ ଦିଗନ୍ତ ବିସ୍ତାରି ରାଜରାସ୍ତାରେ ବିଷର୍ଣ୍ଣ ହୋଇ ଟଳିପଡିବ ଏବଂ ପ୍ରଗତି ରଥ ଦୁର୍ବାର ବେଗରେ ତା’ଉପରେ ମାଡିଯିବ । ’’
ଉପସଂହାର ପ୍ରସଙ୍ଗରେ ସେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ପାଶ୍ଚାତ୍ୟ ଶିକ୍ଷା ଜ୍ଞାନଦୀପ୍ତ ଦାର୍ଶନିକମାନଙ୍କର ନିର୍ଦ୍ଦେଶରେ ନିୟନ୍ତ୍ରିତ ହେଉଥିବାବେଳେ ଭାରତୀୟ ଶିକ୍ଷା ଗୁରୁକୂଳ ପରମ୍ପରାରେ ଋଦ୍ଧିମନ୍ତ । ସେ ଗୁରୁକୂଳ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଜଡିତ ଚିନ୍ତାଧାରା, ଗୁରୁଶିଷ୍ୟଙ୍କର ନିବିଡ ସମ୍ପର୍କ, ଉଭୟଙ୍କର ଅଧ୍ୟୟନ ଅଧ୍ୟାପନା ପ୍ରତି ନିଷ୍ଠା ଆଦିର ୧୦ଗୋଟି ସାଧାରଣ ସତ୍ୟକୁ ପୁସ୍ତକରେ ସ୍ଥାନୀତ କରିଛନ୍ତି ।
ଉପସଂହାର ପ୍ରସଙ୍ଗର ଶେଷରେ ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି, ଶିକ୍ଷା ସହ ଅର୍ଥାତ୍‌ ସମଗ୍ର ଜୀବନ ଶିକ୍ଷା-ଶିକ୍ଷଣ ଆଦି ସହ ଜଡିତ ରହି, ଆଜି ବାର୍ଦ୍ଧକ୍ୟରେ ଉପନୀତ ହୋଇ ଅମୃତ କଣିକାକୁ ସାଉଁଟିଲେ ମଧ୍ୟ ତାହା ବହୁ ଦୂରରେ ଭଳି ମନେହୁଏ ।
୧୭୨ ପୃଷ୍ଠା ସମ୍ବଳିତ ପୁସ୍ତକଟି ପ୍ରସ୍ତୁତ କରିବା ପାଇଁ ସେ ୩୧ଗୋଟି ପୁସ୍ତକର ସହାୟତା ନେଇଛନ୍ତି । ପ୍ରକୃତରେ ପୁସ୍ତକଟି ଶିକ୍ଷକ, ବିଦ୍ୟାର୍ଥୀ, ଅଧ୍ୟକ୍ଷ ଆଦି ବର୍ଗର ପ୍ରିୟଭାଜନ ଓ ତଥ୍ୟ ପ୍ରଦାୟକ ଗ୍ରନ୍ଥଭାବରେ ପରିଚୟ ପ୍ରଦାନ କରିପାରିବ ବୋଲି ଆଶାକରୁଛୁ । ଏହା ପୂର୍ବରୁ ଲେଖକଙ୍କର ‘ପୁରୁଷସୂକ୍ତ ଏକ ତାତ୍ତ୍ୱିକ ଅନୁଶୀଳନ’, ‘ଶ୍ରୁତି ସିନ୍ଧୁ ତୀରେ’ ଆଦି ବୈଦିକ ପୁସ୍ତକ ପ୍ରକାଶନ ହୋଇସାରିଛି ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.