Press "Enter" to skip to content

ରାମାୟଣ କଥା

ତ୍ରିଶଙ୍କୁ ଉପାଖ୍ୟାନ (ପୂର୍ବ ପ୍ରକାଶିତ ସଂଖ୍ୟା : 220 ଉତ୍ତାରୁ)

ବିଶ୍ୱାମିତ୍ର ନିଜ ନିଗ୍ରହ ବିଷୟରେ ଭାବି ଅତ୍ୟନ୍ତ ସନ୍ତପ୍ତ ଓ ବୈରଭାବାପନ୍ନ ହୋଇଗଲେ । ତେଣୁ ଦକ୍ଷିଣ ଦିଗକୁ ଯାତ୍ରା ଆରମ୍ଭ କରିଦେଲେ । ସେଠାରେ ତପସ୍ୟାକରି କିଛିକାଳ ରହିଲାପରେ ତାଙ୍କର ଚାରୋଟି ପୁତ୍ର ସନ୍ତାନ (ହବିଷ୍ପନ୍ଦ, ମଧୁସ୍ପନ୍ଦ, ଦୃଢ଼ନେତ୍ର, ମହାରଥ) ଲାଭ ହେଲା । ସହସ୍ରବର୍ଷ ପରେ ବ୍ରହ୍ମା ଆସି କହିଲେ, ତୁମେ ତପୋବଳରେ ରାଜର୍ଷିଲୋକକୁ ଜୟ କରିଅଛ । ତେଣୁ ଆମେ ତୁମକୁ ରାଜର୍ଷି କହିବୁ । ବ୍ରହ୍ମା ଚାଲିଗଲେ । ବିଶ୍ୱାମିତ୍ର ଅତ୍ୟନ୍ତ ଦୁଃଖିତ ହୋଇ ଭାବିଲେ, ମୁଁ କଠୋର ତପସ୍ୟା କଲି, ତଥାପି ଦେବତାଗଣ ଓ ଋଷିଗଣ ମୋତେ କେବଳ ରାଜର୍ଷି ଜ୍ଞାନ କଲେ ! ମନେହେଉଛି, ଏତିକି ତପସ୍ୟାର ଫଳ କିଛି ହୋଇନାହିଁ । ତେଣୁ ସେ ଆହୁରି କଠୋର ତପସ୍ୟାରେ ରତ ରହିଲେ ।
ଇତ୍ୟବସରରେ ଈକ୍ଷ୍ୱାକୁ ବଂଶୋଦ୍ଭବ ତ୍ରିଶଙ୍କୁ ନାମଧ୍ୟାୟୀ ଜଣେ ରାଜା ଥିଲେ । ତାଙ୍କର ଏପରି ଆକାଂକ୍ଷା ହେଲାକି, ମୁଁ ଯଜ୍ଞର ଉପଯୋଗକରି ସଶରୀରରେ ଦେବଲୋକ ଗମନ କରିବି । ତେଣୁ ସେ ବଶିଷ୍ଠଙ୍କୁ ଡକାଇ ତାଙ୍କର ଇଚ୍ଛା ବ୍ୟକ୍ତ କଲେ । କିନ୍ତୁ ବଶିଷ୍ଠ, ଏହାକୁ ଅସାଧ୍ୟ ଜଣାଇଲେ । ତ୍ରିଶଙ୍କୁ କିନ୍ତୁ ହତୋତ୍ସାହୀ ନହୋଇ ଦକ୍ଷିଣ ଦିଗକୁ ଗମନ କଲେ, ଯେଉଁଠି ବଶିଷ୍ଠଙ୍କର ଶହେ ପୁଅ ତପସ୍ୟା କରୁଛନ୍ତି । ସେମାନେ ସବୁ ତ୍ରିଶଙ୍କୁଙ୍କର ପ୍ରାର୍ଥନା ଶୁଣି କହିଲେ, ଦୁର୍ବୁଦ୍ଧି କରନାହିଁ । ଆମ୍ଭର ପିତା ଯେହେତୁ ପ୍ରତ୍ୟାଖ୍ୟାନ କରିଛନ୍ତି, ତୁମେ ପୁନରାୟ ଏଠାକୁ ଆସିଛ କାହିଁକି ? ଏହାଶୁଣି ସେ ଈକ୍ଷ୍ୱାକୁ ବଂଶର ଗୁରୁଙ୍କ ନିକଟକୁ ଗଲେ । ମାତ୍ର ସେ ମଧ୍ୟ ଫେରାଇଦେଲେ । ଏଥିପାଇଁ ତ୍ରିଶଙ୍କୁ କ୍ରୋଧିତ ହୋଇ କହିଲେ, ଗୁରୁ ଏବଂ ଗୁରୁପୁତ୍ର ଯଦି ସମସ୍ତେ ମୋତେ ପ୍ରତ୍ୟାଖ୍ୟାନ କରନ୍ତି, ତାହେଲେ ବି ମୁଁ ଅନ୍ୟତ୍ର ଚେଷ୍ଟା କରିବି । ଏଭଳି ମତିଗତିକୁ ଦେଖି ଋଷିପୁତ୍ରଗଣ ତ୍ରିଶଙ୍କୁଙ୍କୁ ଅଭିଶାପ ଦେଇ କହିଲେ, ତୁମେ ଚଣ୍ଡାଳ ହୁଅ । ରାତ୍ର ଅତୀତ ହୁଅନ୍ତେ, ତ୍ରିଶଙ୍କୁ ଚଣ୍ଡାଳରୂପ ହୋଇଗଲେ । ନୀଳ କର୍କଶ ଦେହ, ନୀଳ ବସ୍ତ୍ର ପରିହିତ ଖର୍ବକାୟ କେଶ ଏବଂ ଗଳାରେ ଶ୍ମଶାନମାଳା ଓ ଅଙ୍ଗରେ ଲହ୍ୱର ଆବରଣ ଶୋଭା ପାଇଲା । ଏହାକୁ ଦେଖି ମନ୍ତ୍ରୀ, ଅମାତ୍ୟ ଓ ପୌରବାସୀ ତାଙ୍କୁ ତ୍ୟାଗକରି ଚାଲିଗଲେ । ଏଥର ତ୍ରିଶଙ୍କୁ ଅନନ୍ୟ ଉପାୟ ହୋଇ ବଶିଷ୍ଠଙ୍କର ଚିରଶତ୍ରୁ ବିଶ୍ୱାମିତ୍ରଙ୍କର ଅନୁସନ୍ଧାନରେ ଚାଲିଲେ ।
ବିଶ୍ୱାମିତ୍ରଙ୍କର ସନ୍ଧାନ ପାଇ ତାଙ୍କୁ ନିବେଦନ କଲେ, ହେ ସୌମ୍ୟଦର୍ଶନ ମହାତ୍ମା ! ଗୁରୁ ଏବଂ ଗୁରୁପୁତ୍ରମାନେ ଆମ୍ଭଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସଶରୀରେ ସ୍ୱର୍ଗ ଯିବାପାଇଁ ଆମ୍ଭର ମନରେ କାମନା ଥିଲା । କିନ୍ତୁ ତାହା ସିଦ୍ଧ ନହୋଇ ବିପରିଣାମ ଘଟିଛି । ମୁଁ ଶତ ଯଜ୍ଞ କରିଛି । କିନ୍ତୁ ତାର ଫଳ ପାଇନାହିଁ । ପୂର୍ବରୁ କେବେ ଅସତ୍ୟ କହିନାହିଁ । କ୍ଷାତ୍ର ଧର୍ମର ଶପଥକରି କହୁଛି— କଷ୍ଟ ପଡ଼ିଲେ ମଧ୍ୟ ଅସତ୍ୟ କହିବି ନାହିଁ । ନାନାପ୍ରକାର ଯଜ୍ଞ କରିଛି, ଧର୍ମାନୁସାରେ ପ୍ରଜାପାଳନ ମଧ୍ୟ କରିଛି, ଗୁରୁଗଣଙ୍କୁ ସଦାଚାର ପ୍ରଦର୍ଶନକରି ତୁଷ୍ଟ ମଧ୍ୟ କରିଛି । ମୁଁ ଧର୍ମସାଧନକରି ଏବଂ ଯଜ୍ଞ ସମ୍ପାଦନକରି ଇଚ୍ଛା କରୁଛି ଯେ, ସଶରୀରେ ସ୍ୱର୍ଗକୁ ଯିବି କିନ୍ତୁ ଗୁରୁମାନେ ଏଥିରେ ଅସନ୍ତୁଷ୍ଟ ହୋଇଛନ୍ତି । ତେଣୁ ମୋର ମନେହେଉଛି, ଦୈବାକାର ପ୍ରାବଲ୍ୟ ହୋଇଛି, ପୁରୁଷାକାର ନିରର୍ଥକ ଯାଇଛି । ଏସବୁ ଅବସ୍ଥା ଦେଖି ବିଶ୍ୱାମିତ୍ର ତ୍ରିଶଙ୍କୁଙ୍କୁ କହିଲେ, ଆମ୍ଭେ ତୁମର ଯଜ୍ଞ ସମ୍ପାଦନ କରିବୁ ଯାହାଫଳରେ ତୁମେ ସ୍ୱର୍ଗ ଗମନ କରିବ । ବିଶ୍ୱାମିତ୍ରଙ୍କର ଆଦେଶରେ ପୁତ୍ରମାନେ ଯଜ୍ଞର ଆୟୋଜନ କରିବାକୁ ଲାଗିଲେ ଏବଂ ଶିଷ୍ୟଗଣ ଚତୁର୍ଦ୍ଦିଗରୁ ଋଷି ତଥା ଋତ୍ୱିକ ମାନଙ୍କୁ ଆବାହନ କରିବାକୁ ଗଲେ । ଶିଷ୍ୟମାନେ ଫେରିଆସି ଜଣାଇଲେ, ସବୁ ଦେଶର ବ୍ରାହ୍ମଣମାନେ ଆସିବେ କିନ୍ତୁ ମହୋଦୟ ନାମକ ଋଷି ଏବଂ ବଶିଷ୍ଠଙ୍କ ପୁତ୍ରଗଣ ଆସିବେ ନାହିଁ । ସେମାନେ କ୍ରୋଧିତ ହୋଇ କହିଛନ୍ତି କି, ଯାହାର ଯାଜକ କ୍ଷତ୍ରିୟ ବିଶେଷତଃ ଯିଏ ଚଣ୍ଡାଳ ତାଙ୍କର ଯଜ୍ଞ ସଭାରେ ଦେବତା ଓ ଋଷିଗଣ କିଭଳି ହବି ଭୋଜନ କରିବେ ?
ଏହାଶୁଣି ବିଶ୍ୱାମିତ୍ର ମଧ୍ୟ ରୁଷ୍ଟହୋଇ ଅଭିଶାପ ଦେଲେ, ଯେଉଁ ଦୁରାତ୍ମାମାନେ ଏଭଳି କଥା କହିଛନ୍ତି ସେମାନେ ଭସ୍ମ ହେବେ । ସେମାନେ ସାତଜନ୍ମ କଦାଚାରୀ ତଥା କୁକୁର ମାଂସ ଭୋଜୀ ଚଣ୍ଡାଳ ହୋଇ ଦୁର୍ଗତି ଭୋଗ କରିବେ ।
ବିଶ୍ୱାମିତ୍ର ନିଜେ ଯାଜକ ହୋଇ ଯଥାବିଧି ଯଜ୍ଞ ଆରମ୍ଭ କଲେ କିନ୍ତୁ ବହୁକାଳ ଗତ ହୋଇଗଲେ ମଧ୍ୟ ଦେବତାମାନେ ଯଜ୍ଞଭାଗ ଗ୍ରହଣ କରିବାପାଇଁ ଆସିଲେ ନାହିଁ । ତେଣୁ ବିଶ୍ୱାମିତ୍ର ମଧ୍ୟ ରୋଷପୂର୍ବକ ଶ୍ରୁବ ଉତ୍ତୋଳନକରି ତ୍ରିଶଙ୍କୁକୁ କହିଲେ, ତୁମେ ମୋ ତପଶକ୍ତିକୁ ଦେଖ । ସଶରୀରେ ସ୍ୱର୍ଗପ୍ରାପ୍ତି ଦୁର୍ଲ୍ଲଭ କିନ୍ତୁ ମୁଁ ତପସ୍ୟାବଳରେ ଯେଉଁସବୁ ଫଳ ଅର୍ଜନ କରିଛି, ତାହାରି ବଳରେ ତୁମେ ସ୍ୱର୍ଗ ଗମନ କର । କଥା ନସରୁଣୁ ଅନ୍ୟ ଋଷିଗଣଙ୍କ ସମ୍ମୁଖରେ ତ୍ରିଶଙ୍କୁ ସଶରୀରେ ସ୍ୱର୍ଗାରୋହଣ କରିବାକୁ ଲାଗିଲେ । ଏହାଦେଖି ଦେବଗଣଙ୍କ ସହ ଇନ୍ଦ୍ର ସେଠାରେ ଉପସ୍ଥିତ ହୋଇ କହିଲେ— ତ୍ରିଶଙ୍କୁ ତୁମେ ଫେରିଯାଅ, ତୁମଠାରେ ସ୍ୱର୍ଗାରୋହଣର ଅଧିକାର ଲାଭ ହୋଇନାହିଁ । ମୂଢ଼ତାପୂର୍ବକ ଏଭଳି କରନାହିଁ । ତୁମେ ଗୁରୁଶାପରେ ଆକ୍ରାନ୍ତ ହୋଇଅଛ । ତେଣୁ ମୁଣ୍ଡପିଟି ତଳେ ପଡ଼ିବ । ଏହାକୁ ଅମାନ୍ୟ କରିବାରୁ ତାହାହିଁ ଘଟିଲା । ତ୍ରିଶଙ୍କୁ ତ୍ରାହି ତ୍ରାହି ରାବ କରି ଭୂମି ଆଡ଼କୁ ଫେରିବାକୁ ଲାଗିଲେ । ବିଶ୍ୱାମିତ୍ର କ୍ରୋଧାବିଷ୍ଟ ହୋଇ କହିଲେ, ତିଷ୍ଠ, ତିଷ୍ଠ । ତେଣୁ ତ୍ରିଶଙ୍କୁ ଦକ୍ଷିଣ ଆକାଶର ଅପର ଏକ ସପ୍ତର୍ଷିମଣ୍ଡଳ ଓ ନକ୍ଷତ୍ରସମୂହ ସୃଷ୍ଟିକରି କହିଲେ, ତାହେଲେ ମୁଁ ଅନ୍ୟଏକ ଇନ୍ଦ୍ର ସୃଷ୍ଟି କରୁଛି । ସେହି ଇନ୍ଦ୍ର ଶାସନ କରନ୍ତୁ ଅଥବା ଜଗତ ଇନ୍ଦ୍ରହୀନ ହୋଇଯାଉ । ଏଥର ନୂତନ ସ୍ୱର୍ଗରେ ଦେବଗଣ ସୃଷ୍ଟି କରିବାକୁ ମଧ୍ୟ ଲାଗିଲେ, ସୁରାସୁର ଓ ଋଷିଗଣଙ୍କ ସହିତ ସେଠାରେ ଆସି ଉପସ୍ଥିତ ହେଲେ ଏବଂ ସେମାନଙ୍କ ମଧ୍ୟରେ ବାଦବିବାଦ ଚାଲିଲା । ଦେବଗଣ କହିଲେ, ମୁନିଶ୍ରେଷ୍ଠ ! ଆପଣ ଯାହା ଚାହୁଁଛନ୍ତି, ତାହା ହେବ, ଆକାଶର ଜ୍ୟୋତିଶ୍ଚକ୍ରର ବହିର୍ଦେଶରେ ଆପଣଙ୍କର ସୃଷ୍ଟ ନକ୍ଷତ୍ରସମୂହ ରହିବେ । ତହିଁରେ ଅଧଃଶିରା ତ୍ରିଶଙ୍କୁ ଦେବତୁଲ୍ୟ ହୋଇ ରହନ୍ତୁ । ଜ୍ୟୋତିର୍ମୟ ରୂପଧରି ସାମର୍ଥ୍ୟ ଅନୁସାରେ ସେ ଅବସ୍ଥାନ କରନ୍ତୁ, ଯେଉଁଠି ଏହି ନୂତନ ମଣ୍ଡଳ ସବୁ ତିଆରି ହୋଇଛି । ଫଳତଃ ତ୍ରିଶଙ୍କୁ ନାଁ ସ୍ୱର୍ଗ, ନାଁ ମର୍ତ୍ତ୍ୟ କୌଣସିଠାରେ ସ୍ଥାନ ନପାଇ ଏପରି ଏକ ନୂତନ ମଣ୍ଡଳରେ ରହିଲେ, ଯାହାକୁ ବିଶ୍ୱାମିତ୍ର ସମ୍ମତି ମଧ୍ୟ ଦେଲେ ।
ଶୁନଃଶେପଙ୍କ ଉପାଖ୍ୟାନ
ଦେବଗଣ ଓ ଋଷିଗଣ ଚାଲିଗଲେ ବିଶ୍ୱାମିତ୍ର ତାଙ୍କର ତପୋବନବାସୀ ମୁନିମାନଙ୍କୁ କହିଲେ, ତ୍ରିଶଙ୍କୁକୁ ଦକ୍ଷିଣ ଦିଗରେ ଅବସ୍ଥାନ କରାଇଲେ ଆମକୁ ତପସ୍ୟାରେ ବିଘ୍ନ ହେବ । ଚାଲ, ଆମେ ପଶ୍ଚିମ ଦିଗରେ ପୁଷ୍କର ତୀର୍ଥକୁ ଯିବା । ସେଥିପାଇଁ ବିଶ୍ୱାମିତ୍ର ପୁଷ୍କର ତୀର୍ଥକୁ ଯାଇ କଠୋର ତପସ୍ୟା ଆରମ୍ଭ କରିଦେଲେ । ସେତେବେଳେ ଅଯୋଧ୍ୟାର ରାଜା ଅମ୍ବରୀଷ ଗୋଟିଏ ଯଜ୍ଞ ଆୟୋଜନ କଲେ । ଇନ୍ଦ୍ର ତାଙ୍କ ଯଜ୍ଞର ପଶୁଟିକୁ ହରଣ କରିନେଲେ । ଅମ୍ବରୀଷଙ୍କର ପୁରୋହିତ କହିଲେ, ମହାରାଜ, ଆପଣଙ୍କ ଦୋଷରୁ ପଶୁ ଅପହୃତ ହୋଇଛି । ଯାହାକୁ ରାଜା ରକ୍ଷା କରିପାରନ୍ତି ନାହିଁ, ସେ ଦୋଷଗ୍ରସ୍ତ ହୋଇ ବିନଷ୍ଟ ହୁଅନ୍ତି । ଏଥର ଯଜ୍ଞାରମ୍ଭ ପୂର୍ବରୁ ସେହି ପଶୁକୁ ଅନ୍ୱେଷଣ କରିନିଅନ୍ତୁ । ନଚେତ୍ ପ୍ରାୟଶ୍ଚିତ୍ତ ସ୍ୱରୂପ ଗୋଟିଏ ମଣିଷ ଆଣିଦିଅନ୍ତୁ । ଅମ୍ବରୀଷ ପଶୁର ସନ୍ଧାନ କରିକରି ବହୁ ଦେଶ ଗଲେ ମଧ୍ୟ କିଛି ଫଳ ହେଲାନାହିଁ । ଅବଶେଷରେ ସେ ଭୃଗୁତୁଙ୍ଗରେ ପହଁଞ୍ଚିଲେ । ସେଠାରେ ମହର୍ଷି ଋଚିକ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ବସବାସ କରୁଥିଲେ । କୁଶଳ ଜିଜ୍ଞାସା ପରେ ଅମ୍ବରୀଷ କହିଲେ, ଆମର ଯଜ୍ଞ ପଶୁଟି ଅପହୃତ ହୋଇଯାଇଛି । କେଉଁଠିହେଲେ ମିଳୁନାହିଁ । ଆପଣ ଯଦି ଲକ୍ଷେ ଧେନୁ ନେଇ ଆପଣଙ୍କ ପୁତ୍ରଟିକୁ ବିକ୍ରୟ କରନ୍ତେ ତେବେ କୃତାର୍ଥ ହୁଅନ୍ତି । ତାଙ୍କ ସ୍ତ୍ରୀ କହିଲେ, ଆମ୍ଭ ସ୍ୱାମୀ ଜ୍ୟେଷ୍ଠପୁତ୍ରକୁ ଦେବେନାହିଁ ଆଉ କନିଷ୍ଠ ପୁତ୍ରଟି ମୋର ପ୍ରିୟ ଅଟେ, ତାକୁ ମୁଁ ମଧ୍ୟ ଦେବିନାହିଁ । ହେ ନରଶ୍ରେଷ୍ଠ, ଜ୍ୟେଷ୍ଠପୁତ୍ର ପ୍ରାୟତଃ ପିତାଙ୍କର ହୋଇଥାନ୍ତି, କନିଷ୍ଠ ମାତାର ହୋଇଥାଏ । ତେଣୁ ମୁଁ କନିଷ୍ଠ ପୁତ୍ରର ରକ୍ଷା ଅବଶ୍ୟ କରିବି । ସେତେବେଳେ ମଧ୍ୟମ ପୁତ୍ର ଶୁନଃଶେପ ଅମ୍ବରୀଷଙ୍କୁ କହିଲେ, ମହାରାଜ ! ପିତା ଜ୍ୟେଷ୍ଠକୁ ମାତା କନିଷ୍ଠକୁ ଅବିକ୍ରେୟ କହୁଛନ୍ତି । ଯେହେତୁ ମୁଁ ମଧ୍ୟମ ତେଣୁ ମୋତେ ନେଇଯାନ୍ତୁ । ଅମ୍ବରୀଷ ବହୁ ସୁବର୍ଣ୍ଣ, ରତ୍ନ ଓ ଧେନୁ ଆଦି ପ୍ରଦାନ କରି ତାଙ୍କୁ ସାଙ୍ଗରେ ନେଇଗଲେ ।
ମଧ୍ୟାହ୍ନ ସମୟରେ ସେମାନେ ପୁଷ୍କର ତୀର୍ଥରେ ବିଶ୍ରାମ କରୁଥାନ୍ତି । ଏପରି ସମୟରେ ସେ ତାଙ୍କର ମାତୁଳ ବିଶ୍ୱାମିତ୍ରଙ୍କୁ ଦେଖିଲେ । ସେତେବେଳକୁ ଶୁନଃଶେପ ତୃଷାର୍ତ୍ତ ଏବଂ ପଥଶ୍ରାନ୍ତ ହୋଇଥିବାର କଥା ଜାଣିପାରିଲେ । କାନ୍ଦିକାନ୍ଦି ଶୁନଃଶେପ କହିଲେ କି, ମୋର ମାଆ, ବାପା, ଜ୍ଞାତି, ବାନ୍ଧବ କେହି ନାହାଁନ୍ତି ବୋଲି ମୋତେ ଏହି ରାଜା ନେଇଯାଉଛନ୍ତି, ତେଣୁ ମୋତେ ଆପଣ ରକ୍ଷା କରନ୍ତୁ । ଏଭଳି କରନ୍ତୁ ଯେଉଁଥିରେ ରାଜା ଅମ୍ବରୀଷ କୃତକାର୍ଯ୍ୟ ହେବେ ଆଉ ମୁଁ ମଧ୍ୟ ଦୀର୍ଘାୟୁ ହୋଇ ତପସ୍ୟାକରି ସ୍ୱର୍ଗକୁ ଯାଇପାରିବି । ଶୁନଃଶେପଙ୍କୁ ସାନ୍ତ୍ୱନାଦେଇ ବିଶ୍ୱାମିତ୍ର ତାଙ୍କ ପୁଅମାନଙ୍କୁ କହିଲେ, ଏହି ବାଳକ ମୁନିପୁତ୍ର, ଆମର ଶରଣାଗତ । ତୁମେ ଯଜ୍ଞର ପଶୁହୋଇ ଏହାର ପ୍ରାଣରକ୍ଷା କର । ବିଶ୍ୱାମିତ୍ରଙ୍କ ସନ୍ତାନଗଣ ଉପହାସକରି କହିଲେ, ନିଜ ପୁତ୍ରକୁ ତ୍ୟାଗକରି ଆପଣ ଅନ୍ୟର ପୁତ୍ରକୁ ତ୍ରାଣ କରିବାପାଇଁ କହୁଛନ୍ତି । ଏହା ତ କୁକୁର ମାଂସ ଭକ୍ଷଣ ଭଳି ଗର୍ହିତ ହେଲା । ବିଶ୍ୱାମିତ୍ର ସକ୍ରୋଧେ ଅଭିଶାପ ଦେଇ କହିଲେ, ତୁମେମାନେ ବଶିଷ୍ଠଙ୍କ ପୁତ୍ରମାନଙ୍କ ଭଳି ପତିତ ହୁଅ । କୁକୁରମାଂସ ଖାଇ ଶହେ ବର୍ଷ ବଞ୍ଚିରହ । ତାପରେ ସେ ଶୁନଃଶେପକୁ ଦୁଇଟି ଦିବ୍ୟଗାଥା ଶିଖାଇଦେଲେ । ଅମ୍ବରୀଷ ଯଜ୍ଞ ସ୍ଥାନକୁ ଆସି ଶୁନଃଶେପକୁ ରକ୍ତ ବସ୍ତ୍ର ପରିଧାନ ପୂର୍ବକ ଯୂପବଦ୍ଧ କରିଦେଲେ । ଶୁନଃଶେପ ବିଶ୍ୱାମିତ୍ରଙ୍କ ଶିକ୍ଷା ଅନୁସାରେ ଅଗ୍ନିଙ୍କର ସ୍ତବ କରି ଇନ୍ଦ୍ର ଓ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଗାଥା ଗାନକଲେ । ଇନ୍ଦ୍ର ତୁଷ୍ଟହୋଇ ଶୁନଃଶେପକୁ ଦୀର୍ଘାୟୁ ବରଦେଲେ ଏବଂ ଅମ୍ବରୀଷ ମଧ୍ୟ ଯଜ୍ଞ ସମାପନ କରି ଇନ୍ଦ୍ରଙ୍କ କୃପାରୁ ବହୁଗୁଣ ଫଳଲାଭ କଲେ ।
ବିଶ୍ୱାମିତ୍ରଙ୍କ ବ୍ରାହ୍ମଣତ୍ୱ ଲାଭ
ପୁଷ୍କର ତୀର୍ଥରେ ବିଶ୍ୱାମିତ୍ର ସହସ୍ର ବର୍ଷ ତପସ୍ୟା କଲାପରେ ବ୍ରହ୍ମା ଦେବଗଣଙ୍କ ସହିତ ସେଠାରେ ଉପସ୍ଥିତ ହୋଇ ତାଙ୍କୁ କହିଲେ, ତୁମେ ତୁମ କର୍ମ ପ୍ରଭାବରୁ ଋଷି ହେଲ । ତୁମର ମଙ୍ଗଳବିଧାନ ହେଉ । ଏଭଳି ଆଶୀର୍ବାଦ ଦେଇ ଦେବଗଣ ଚାଲିଗଲା ପରେ ମଧ୍ୟ ବିଶ୍ୱାମିତ୍ର ପୁନର୍ବାର ତପସ୍ୟାରେ ରତ ରହିଲେ । ଏହି ଭଳି ଅନେକ କାଳ ଅତିକ୍ରାନ୍ତ ହୋଇ ଚାଲିଲା । ଏକଦା ମେନକା ପୁଷ୍କର ସରୋବରରେ ସ୍ନାନ କରିବାକୁ ଆସିଥିଲେ । ତାଙ୍କୁ ଦେଖି ବିଶ୍ୱାମିତ୍ର ମୋହିତ ହୋଇ ତାଙ୍କୁ କହିଲେ, ହେ ସୁନ୍ଦରୀ ଅପ୍ସରା ! ତୁମେ ଆମ୍ଭ ଆଶ୍ରମରେ ବାସକଲେ କିଛି ଅସୁବିଧା ଅଛିକି ? ମୁଁ କାମବିମୋହିତ ହୋଇଛି । ଯଦି ଆମ୍ଭ ପ୍ରତି ଅନୁଗ୍ରହ କରନ୍ତ, ତେବେ ଆମ୍ଭେ ସନ୍ତୋଷ ଲାଭ କରନ୍ତୁ । ମେନକା ସମ୍ମତି ଦେଲେ । ଫଳରେ ବିଶ୍ୱାମିତ୍ରଙ୍କ ତପସ୍ୟା ଭଗ୍ନ ହେବାକୁ ଲାଗିଲା । ଦଶବର୍ଷ ପରେ ସେ ଲଜ୍ଜା ତଥା ଅନୁଶୋଚନାରେ କାତର ହୋଇ ଭାବିଲେ, ଦେବଗଣ ଏଭଳି ତପହାନିର ପ୍ରୟାସ କରିଛନ୍ତି । ସେ ଅନୁତପ୍ତ ହୋଇ ଦୀର୍ଘ ନିଃଶ୍ୱାସ ଛାଡ଼ିବାକୁ ଲାଗିଲେ । ମେନକା ଭୟରେ କମ୍ପିତ ହୋଇ କୃତାଞ୍ଜଳିପୁଟରେ ତାଙ୍କ ପାଖରେ ଠିଆହୋଇ ରହିଲେ । ମେନକାଙ୍କର ଏହି ଭୟାର୍ତ୍ତରୂପ ଦେଖି ବିଶ୍ୱାମିତ୍ର ମିଷ୍ଟବାକ୍ୟ କହି ତାଙ୍କୁ ବିଦାୟ ଦେଲେ ଏବଂ ଉତ୍ତର ପର୍ବତକୁ ଯାଇ କୌଷିକୀ ତୀରରେ କଠୋର ତପସ୍ୟାରେ ରତ ହେଲେ । ଦେବଗଣ ଭୟକରି ବ୍ରହ୍ମାଙ୍କ ପାଖରେ ଯାଇ ଉପନୀତ ହେଲେ । ବିଶ୍ୱାମିତ୍ର ମହର୍ଷି ହେବାକୁ ଚାହାଁନ୍ତି । ଆପଣ ତାଙ୍କର ଇଚ୍ଛା ପୂର୍ଣ୍ଣ କରନ୍ତୁ । ବ୍ରହ୍ମା ବିଶ୍ୱାମିତ୍ରଙ୍କ ପାଖକୁ ଆସି କହିଲେ, ହେ ମହର୍ଷି, ତୁମ୍ଭ ତପସ୍ୟାରେ ଆମ୍ଭେ ତୁଷ୍ଟ ହେଲୁ । ତୁମେ ଆଜିଠାରୁ ମହାନ ତଥା ମୁଖ୍ୟ ଋଷିର ପଦ ଗ୍ରହଣ କର । ବିଶ୍ୱାମିତ୍ର ପ୍ରଣିପାତ ଜଣାଇ କହିଲେ, ଆପଣ ମୋତେ ସର୍ବଶ୍ରେଷ୍ଠ ବ୍ରହ୍ମର୍ଷି ନାମରେ ସମ୍ବୋଧନ କଲେନାହିଁ କାହିଁକି ? ଏଥିରୁ ବୁଝାଯାଉଛି କି, ଆପଣ ଏବେ ମଧ୍ୟ ମୋତେ ଜିତେନ୍ଦ୍ରିୟ ଜ୍ଞାନ କରିପାରି ନାହାଁନ୍ତି । ବ୍ରହ୍ମା ଉତ୍ତରଦେଲେ, ଠିକ୍ କଥା ଯେତେଦିନ ପର୍ଯ୍ୟନ୍ତ ତୁମ୍ଭେ ଜିତେନ୍ଦ୍ରିୟ ହୋଇନାହଁ, ମୁଁ ଭାବିବି କିପରି ? ହେ ମୁନିଶ୍ରେଷ୍ଠ, ତୁମ୍ଭେ ଚେଷ୍ଟା କରିଚାଲ । ଏହା କହି ସେ ଚାଲିଗଲେ । ବିଶ୍ୱାମିତ୍ର ମଧ୍ୟ କୌଣସି ପ୍ରକାରେ ବିଚଳିତ ନହୋଇ ଘୋରତର ତପସ୍ୟାରେ ମଗ୍ନ ହେଲେ । ଏହିଭଳି ସହସ୍ର ବର୍ଷ ଗତ ହେଲା । ଇନ୍ଦ୍ର ଭୟଭୀତ ହୋଇ ରମ୍ଭାନାମ୍ନୀ ଅପ୍ସରାକୁ କହିଲେ, ତୁମେ ଯାଇ ବିଶ୍ୱାମିତ୍ରଙ୍କୁ ପ୍ରଲୋଭିତ କର କିନ୍ତୁ ରମ୍ଭା ସେଥିରେ ସମ୍ମତି ଦେଲେନାହିଁ । ତେଣୁ ତାଙ୍କୁ ଇନ୍ଦ୍ର କହିଲେ—
ରମ୍ଭା, ଭୟ କରନାହିଁ । ତୁମପାଇଁ ଭଲହେବ ଯଦି ତୁମେ ମୋର ଆଜ୍ଞା ପାଳନ କର । ବସନ୍ତକାଳରେ ରମଣୀୟ ବୃକ୍ଷରେ ହୃଦୟଗ୍ରାହୀ କୋକିଳରୂପେ କନ୍ଦର୍ପ ସହିତ ମୁଁ ତୁମ ପାଖରେ ରହିବି । ତୁମର ଅତି ଉଜ୍ଜ୍ୱଳ ରୂପକୁ ବହୁଗୁଣ କରାଇଦେଇ ସେହି ତପସ୍ୱୀ କୌଷିକଙ୍କୁ ତପସ୍ୟାରୁ ବିଚଳିତ କରାଅ । ରମ୍ଭା ମନୋହର ରୂପରେ ବିଶ୍ୱାମିତ୍ରଙ୍କ ନିକଟକୁ ଯାଇ ହାବଭାବ ସହିତ ମଧୁର ସଙ୍ଗୀତ ପ୍ରଦର୍ଶନ କଲେ । ବିଶ୍ୱାମିତ୍ର ତାଙ୍କୁ ହୃଷ୍ଟଚିତ୍ରରେ ଦେଖିଲେ । କିନ୍ତୁ ତାଙ୍କର ସନ୍ଦେହ ହେଲା ଯେ, ଏଗୁଡ଼ିକ ସବୁ ଇନ୍ଦ୍ରିୟଙ୍କର କାମ । ତେଣୁ ସେ ରାଗିଉଠି ରମ୍ଭାକୁ ଅଭିଶାପ ଦେଲେ— ମୁଁ କାମ, କ୍ରୋଧ ଜୟ କରିବାକୁ ଚାହେଁ, ତୁମେ ମୋତେ ପ୍ରଲୋଭନ ଦେଖାଉଛ । ହତଭାଗିନୀ ତୁମେ ଏବେ ଶିଳା ମୂର୍ତ୍ତି ହୋଇଯାଅ । ଦଶସହସ୍ର ବର୍ଷ ପରେ ଜଣେ ମହାତେଜସ୍ୱୀ ବ୍ରାହ୍ମଣ ତୁମକୁ ଉଦ୍ଧାର କରିବେ । ରମ୍ଭାଙ୍କର ଏତାଦୃଶ ପରିଣତି ଦେଖି ଇନ୍ଦ୍ର ଓ କନ୍ଦର୍ପ ସେହି ସ୍ଥାନ ଛାଡ଼ି ପଳେଇଗଲେ । ବିଶ୍ୱାମିତ୍ର ମଧ୍ୟ ଅନୁତପ୍ତ ହୋଇ ଭାବିଲେ, ଆଉ ମୁଁ ଆଗକୁ ତପ ହାନିକର କ୍ରୋଧରେ ବଶୀଭୂତ ହେବିନାହିଁ କି କାହାକୁ ଅଭିଶାପ ଦେବିନାହିଁ । ଯେତେବେଳ ପର୍ଯ୍ୟନ୍ତ ବ୍ରାହ୍ମଣତ୍ୱ ଲାଭ ନକରିଛି, ସେତେବେଳ ପର୍ଯ୍ୟନ୍ତ ଜିତେନ୍ଦ୍ରିୟ ହୋଇ ନିଃଶ୍ୱାସ ରୋଧକରି ଅନାହାରରେ ତପସ୍ୟା କରିବି । ଏଥିପାଇଁ ସେ ହିମାଳୟ ତ୍ୟାଗକରି ପୂର୍ବଦିଗକୁ ଚାଲିଗଲେ ।
ସହସ୍ର ବର୍ଷ ବ୍ୟାପୀ ତପସ୍ୟା କରିବା ଦ୍ୱାରା ତାଙ୍କର ବ୍ରତ ପୂର୍ଣ୍ଣ ହେଲା । ତାପରେ ସେ ଅନ୍ନଭୋଜନର ଉପକ୍ରମ କରନ୍ତେ, ଇନ୍ଦ୍ର ଦ୍ୱିଜବେଶରେ ଉପସ୍ଥିତ ହୋଇ ଅନ୍ନ ଯାଚଜ୍ଞା କଲେ । ବିଶ୍ୱାମିତ୍ର ସମସ୍ତ ଅନ୍ନ ଦେଇଦେଲେ ଏବଂ ଅନାହାରରେ ମୌନୀ ହୋଇ ପୁନଃ ସହସ୍ର ବର୍ଷ ତପସ୍ୟାରେ ରତ ରହିଲେ । ତପସ୍ୟା ଫଳରେ ମସ୍ତକରୁ ଧୂମ ନିର୍ଗତ ହେଲା । ତ୍ରିଲୋକ ତାପିତ ହେବାକୁ ଲାଗିଲା । ଆଉ ସମସ୍ତେ ବ୍ୟାକୁଳ ହୋଇଉଠିଲେ । ଦେବର୍ଷି, ଗନ୍ଧର୍ବ ଆଦି ସମସ୍ତେ ବ୍ରହ୍ମାଙ୍କ ନିକଟକୁ ଯାଇ କହିଲେ, ନାନା ଉପାୟରେ ବିଶ୍ୱାମିତ୍ରଙ୍କୁ ଲୋଭାନ୍ୱିତ ଓ କ୍ରୋଧିତ କରାଇବାରେ ଚେଷ୍ଟା ବିଫଳ ହୋଇଛି । ତାଙ୍କ ନିକଟରେ କୌଣସିମତେ ପାପ ଆଉ ଦୃଷ୍ଟ ହେଉନାହିଁ । ଏଥର ଯଦି ତାଙ୍କର ମନୋବାଞ୍ଛା ପୂର୍ଣ୍ଣ କରା ନଯାଏ, ତେବେ ସେ ତପୋବଳରେ ତ୍ରିଲୋକକୁ ନଷ୍ଟ କରିପକାଇବେ । ସେଥିପାଇଁ ବ୍ରହ୍ମା ବିଶ୍ୱାମିତ୍ରଙ୍କ ପାଖକୁ ଯାଇ କହିଲେ, ବ୍ରହ୍ମର୍ଷି ! ଆମ୍ଭେ, ତୁମ୍ଭ ତପସ୍ୟାରେ ତୁଷ୍ଟ ହେଲୁ । ଏଥର ତୁମେ ବ୍ରାହ୍ମଣତ୍ୱ ପ୍ରାପ୍ତ ହେଲ । ବିଶ୍ୱାମିତ୍ର ଆନନ୍ଦିତ ହୋଇ କହିଲେ, ତେବେ ଓଁକାର, ବଷଟକାର ଏବଂ ସମସ୍ତ ବେଦ ଆମ୍ଭର ଆୟତ୍ତ ହେଉ ଏବଂ ସର୍ବବେଦ ବିଷାରଦ ବଶିଷ୍ଠ ମଧ୍ୟ ଆମ୍ଭଙ୍କୁ ବ୍ରାହ୍ମଣ କହନ୍ତୁ । ବିଶ୍ୱାମିତ୍ରଙ୍କର ମନୋବାଞ୍ଛା ପୂର୍ଣ୍ଣ ହେଲା । ଦେବଗଣଙ୍କ ଅନୁରୋଧରେ ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ବ୍ରାହ୍ମଣ ଭାବରେ ସ୍ୱୀକାର କଲେ ଏବଂ ତାଙ୍କ ସହିତ ମୈତ୍ରୀ ସ୍ଥାପନ କଲେ ।
ଶତାନନ୍ଦ ଏହି ଇତିହାସ ଶେଷକଲେ ରାଜର୍ଷି ଜନକ ବିଶ୍ୱାମିତ୍ରଙ୍କୁ କୃତାଞ୍ଜଳିପୁଟରେ କହିଲେ, ଆପଣମାନଙ୍କ ଆଗମନ ଫଳରେ ଆମ୍ଭେ ଧନ୍ୟ ତଥା ଅନୁଗୃହୀତ ହେଲୁ । ଏବେ ସୂର୍ଯ୍ୟ ଅସ୍ତ ଯାଉଛନ୍ତି । କାଲି ପ୍ରଭାତରେ ପୁନରାୟ ଆପଣଙ୍କ ସହିତ ଦର୍ଶନ ହେବ । ମିଥିଳାପତି ଜନକ ଏବଂ ତାଙ୍କର ଉପାଧ୍ୟାୟ ଓ ବାନ୍ଧବଗଣ ବିଶ୍ୱାମିତ୍ରଙ୍କୁ ପ୍ରଦକ୍ଷିଣ କରି ଚାଲିଗଲେ । ବିଶ୍ୱାମିତ୍ର ମଧ୍ୟ ରାମ, ଲକ୍ଷ୍ମଣଙ୍କ ସହିତ ନିଜ ଆବାସକୁ ପ୍ରବେଶ କଲେ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.