Last updated on August 13, 2022
ଶ୍ରୀ ଗୋପୀନାଥ ଶତପଥୀ, (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ଉପନିଷଦୀୟ ଯୁଗର କାହାଣୀ । ମନୁଷ୍ୟ ନିମନ୍ତେ ସଂସାର ଯେଭଳି ଲୋଭନୀୟ ଥିଲା ତାର ଅନେକ ଗୁଣରେ ଅାକର୍ଷଣୀୟ ଥିଲା । କାନନ ପାଦପ ବେଷ୍ଠିତ କାନନ ମଧ୍ୟାହ୍ନର ଅନ୍ଧାରକୁ ଜିଣି ସବୁଜିମାରେ ବନଭୂମିକୁ ଆଚ୍ଛାଦିତ କରୁଥିଲା । ସଦ୍ୟ ପ୍ରଷ୍ଫୁଟିତ ପୁଷ୍ପର ସୁରଭି ବନଭୂମିରେ ଋଷିପ୍ରାଣ ବିମୋହିନୀ ସ୍ନିଗ୍ଧ ଶୀତଳ ଛାୟା ମୁନି ନୟନକୁ ବିମୋହିତ କରୁଥିଲା । ତା’ଠାରୁ ଅଧିକ ବିମୋହନ ଶକ୍ତି ଥିଲା ପ୍ରକୃତିର, ଯେଉଁ ପ୍ରକୃତି ରିମ୍ ଝିମ୍ ବୃଷ୍ଟିର ତାଳେ ତାଳେ ପ୍ରତି ପାଦପକୁ ଝୁମେଇ ଝୁମେଇ ବର୍ଷାର ତାଳେ ତାଳେ ବିଭୁ ସତ୍ତାର ପ୍ରାଣସ୍ପର୍ଶୀ ସଂଗୀତ ଗାନକରି ଧରିତ୍ରୀକୁ ସଂଗୀତମୟ କରି ତୋଳିଥିଲା । ନିଃସଙ୍ଗ କାନନରେ ପରମାତ୍ମାଙ୍କ ସହିତ ଅତ୍ୟନ୍ତ ଅନ୍ତରଙ୍ଗ । ଋଷି ହୃଦୟକୁ ଦିବ୍ୟ ଭାବନରେ ଉଜ୍ଜୀବିତ କରିଥିଲା ତାହାହିଁ ଥିଲା ବ୍ରହ୍ମ ଉପାସନା । ବ୍ରହ୍ମ ଉପାସନାରେ ମଗ୍ନ ଋଷି ବିଭୁ କୃପାରେ ସର୍ବଦା ବିଭୁ ଉପାସନା ସମ୍ବଳକୁ ପାଥେୟ କରି କାଳାତିପାତ କରୁଥିଲେ । ଅଦୂରର ଜନବସତି ସଂସାର ମୋହରେ ମୋହାଚ୍ଛନ୍ନ ହେଲାବେଳେ ବିଭୁଙ୍କ ଉପାସନା ଋଷିର ହୁଏ ସମ୍ପତ୍ତି । ସେହି ସମ୍ପତ୍ତି ଲୋଭରେ ତପଶ୍ଚରଣରେ ଋଷି ପରମ ପ୍ରଭୁଙ୍କ ସାନିଧ୍ୟରେ ଅନୁଭବ କରନ୍ତି, ଈଶ୍ୱର ସର୍ବତ୍ର ବିଦ୍ୟମାନ ସର୍ବବ୍ୟାପୀ, ସର୍ବଜ୍ଞ ଏବଂ ସର୍ବାନ୍ତକରଣର ସ୍ୱାମୀ ଅାଶ୍ରମର ପ୍ରତ୍ୟେକ କର୍ମ ବିଭୁକୃପାରେ ସମାହିତ ହୁଏ । ବିଭୁ କୃପା ବ୍ୟତୀତ କାର୍ଯ୍ୟ ସମାହିତ ହେବା ଅଚିନ୍ତନୀୟ । ଚକ୍ଷୁ ବିଭୁଙ୍କକୃପାରେ ଦେଖେ, କର୍ଣ୍ଣ ଶୁଣେ ଏବଂ ଶରୀର କାର୍ଯ୍ୟ କରେ ।
ସେହି ପ୍ରଭୁଙ୍କର ନାମ ବ୍ରହ୍ମ । ଉପନିଷଦ ତାଙ୍କୁ ଓ୩ମ୍ ଖଂ ବ୍ରହ୍ମ ନାମରେ ଅଭିହିତ କରିଛନ୍ତି । ବିଶାଳ ସଂସାରର ସ୍ରଷ୍ଟା ବ୍ରହ୍ମଙ୍କୁ ଅତ୍ୟନ୍ତ ନିକଟରେ ଅନୁଭବ କରି ଋଷିମାନେ ଅାପଣାର ଶରୀର ମଧ୍ୟରେ ବ୍ରହ୍ମଙ୍କୁ ଦେଖନ୍ତି । ବ୍ରହ୍ମଙ୍କ ଶରୀରର ଅଭ୍ୟନ୍ତରକୁ ଦେଖି ପାରୁଥିଲା ଋଷିମାନସ ଇନ୍ଦ୍ରିୟର କାର୍ଯ୍ୟକୁ ନିଷ୍କ୍ରିୟ କରି ପ୍ରାଣାୟାମ ବଳରେ ଅାତ୍ମ ନିରିକ୍ଷଣ କରିବା ଏକ ଦିବ୍ୟ ଅନୁଭୂତି । ସ୍ୱୀୟ ସାଧନ ବଳରେ ମନୁଷ୍ୟ ହୁଏ ଋଷି, ଋଷି ସ୍ତରରୁ ସାଧ୍ୟ ପୁଣି କଠୋର ତପସ୍ୟା ବଳରେ ସାଧ୍ୟ ସ୍ତରରୁ ଦେବତାରେ ପରିଣତ ହୁଅନ୍ତି ।
ଅବିରତ ସାଧନା ଦେବତାଙ୍କୁ ଅଖଣ୍ଡ କ୍ଷମତାର ଅଧିକାରୀ କରେ । ଅନେକ ଦେବତାଙ୍କ ମଧ୍ୟରେ କ୍ଷମତାର ଅପପ୍ରୟୋଗର ସୂତ୍ରପାତ ହୁଏ । କେତେକ ଦେବତା ଯଥା :- ଅଗ୍ନି, ବାୟୁ, ଇନ୍ଦ୍ର ଅାଦି ଦେବଗଣ ସଂସାରରେ ନିଜ ପ୍ରତିଭା ବଳରେ ବଳୀୟାନ ହୁଅନ୍ତି । ସାଧନା ବଳରେ ସେମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ବିଜୟ ହୋଇଥାଏ । କ୍ରମେ ସେମାନେ ଅନୁଭବ କଲେ ଯେ ସେମାନେ ଅତ୍ୟନ୍ତ ଶକ୍ତିଶାଳୀ । ସେମାନଙ୍କର ତପସ୍ୟା ସେମାନଙ୍କୁ ମହନୀୟ କରିଛି । ନିଜ ବ୍ୟତୀତ ସେମାନେ କାହାକୁ ମଧ୍ୟ ବଳବାନ ମନେକଲେ ନାହିଁ । ସେମାନେ କ୍ଷମତା ବଳରେ ଅନ୍ଧସଦୃଶ ହୋଇଗଲେ । ବ୍ରହ୍ମଙ୍କୁ ନିଷ୍କ୍ରିୟ ଏବଂ ଶକ୍ତିହୀନ ମନେକଲେ । ଏକଥା ବ୍ରହ୍ମ ଜାଣିପାରିଲେ । ଦେବତାମାନଙ୍କର ଗର୍ବକୁ ପରୀକ୍ଷା ନିମନ୍ତେ ବ୍ରହ୍ମ ନିଜେ ନିଜର କାମନାରେ ଗୋଟିଏ ସୁନ୍ଦର ଯକ୍ଷ ରୂପେ ଅବତ୍ତୀର୍ଣ୍ଣ ହେଲେ ଏବଂ ଅାକାଶମାର୍ଗରେ ହଠାତ୍ ଦୃଶ୍ୟମାନ ହୋଇ ଦେବତାମାନଙ୍କ ସମ୍ମୁଖକୁ ଅାସିଲେ । ଦେବତାମାନଙ୍କ ମଧ୍ୟରୁ ଅଗ୍ନି ଯକ୍ଷଙ୍କୁ ପ୍ରଶ୍ନକଲେ, ତୁମେ କିଏ? ଛଦ୍ମବେଶୀ ଯକ୍ଷ ପ୍ରଶ୍ନ କଲେ ତୁମେ କିଏ? ଅଗ୍ନି ଉତ୍ତରଦେଲେ ମୁଁ ଅଗ୍ନି ମତେ ମଧ୍ୟ ଜାତବେଦ କହନ୍ତି । ଯକ୍ଷ ପ୍ରଶ୍ନ କଲେ ତୁମର କ’ଣ ଶକ୍ତି ଅଛି? ପୃଥିବୀ ପୃଷ୍ଠରେ ଯେତେସବୁ ବସ୍ତୁ ଅଛି ମୁଁ ସେ ସବୁକୁ ତୁରନ୍ତ ଜାଳି ଦେଇପାରେ । ବ୍ରହ୍ମ ତତ୍କ୍ଷଣାତ୍ ଏକ ଶୁଖିଲା କାଠି ରଖିଦେଇ କହିଲେ ଏହାକୁ ଭଷ୍ମ କରିଦିଅ । ଅଗ୍ନି ବହୁ ଚେଷ୍ଟା କରି ମଧ୍ୟ ଉକ୍ତ ଶୁଖିଲା କାଠିଟିକୁ ଭଷ୍ମ କରିପାରିଲେ ନାହିଁ । ଫେରିଯାଇ ଦେବଗଣଙ୍କୁ କହିଲେ, ଏ ଯକ୍ଷ କିଏ ଅାମ୍ଭେ ଜାଣି ପାରୁ ନାହୁଁ ଏହାଙ୍କର ଅଦ୍ଭୁତ ଶକ୍ତି ରହିଛି ।
ଦେବତାଗଣ ବାୟୁଦେବଙ୍କୁ ଏ ଯକ୍ଷ କିଏ ଜାଣିବାକୁ କହିଲେ । ବାୟୁ କ୍ଷୀପ୍ର ବେଗରେ ଯକ୍ଷଙ୍କ ସମ୍ମୁଖକୁ ଅାସି ପ୍ରଶ୍ନକଲେ ତୁମ୍ଭେ କିଏ? ଯକ୍ଷ ପ୍ରଶ୍ନ କଲେ ତୁମେ କିଏ, ଏ ମହାଶୂନ୍ୟରେ ତୁମର କାମ କ’ଣ? ବାୟୁ ଉତ୍ତର ଦେଲେ, ଅାମ୍ଭେ ବାୟୁ । ଯେକୌଣସି ବସ୍ତୁକୁ ଉଡ଼େଇ ନେଇ ଯିବାର ଶକ୍ତି ଅାମ୍ଭର ଅଛି । ଏପରିକି ପ୍ରଚଣ୍ଡ ବେଗରେ ପ୍ରବାହିତ ହେଲେ ଧରିତ୍ରୀ ବକ୍ଷରେ ପ୍ରଚଣ୍ଡ ପ୍ରଳୟ ଅନୁଷ୍ଠିତ ହୁଏ । ପ୍ରାଣୀକୁଳ ବିନାଶ ଯା’ନ୍ତି ଏକଥା ଶୁଣି ଛଦ୍ମବେଶୀ ଯକ୍ଷ ଏକ ଶୁଷ୍କ କାଠି ରଖିଦେଇ ଉଡ଼େଇ ନେବାକୁ କହିଲେ । ବାୟୁ ପ୍ରଚଣ୍ଡ ବେଗରେ ପ୍ରବାହିତ ହୋଇ ମଧ୍ୟ କାଠିଟିକୁ ଉଡ଼ାଇ ନେଇ ପାରିଲେ ନାହିଁ । ନିଜର ଅପାରଗତା ଦେବଗଣଙ୍କୁ ଜ୍ଞାତ କରାଇ ବାୟୁ ଲଜ୍ଜିତ ହେଲେ ।
ଦେବଗଣ ପରାକ୍ରମଶାଳୀ ଇନ୍ଦ୍ରଙ୍କୁ ଯକ୍ଷଙ୍କ ପରିଚୟ ଜାଣିବାକୁ ପଠାଇଲେ । ପୂର୍ବଭଳି ଯକ୍ଷ ଇନ୍ଦ୍ରଙ୍କ ପରିଚୟ ଜାଣିବା ପରେ ହଠାତ୍ ଅନ୍ତର୍ଦ୍ଧାନ ହୋଇ କିଛିକ୍ଷଣ ପରେ ମହାକାଶରେ ଜଣେ ସୁନ୍ଦରୀ ସ୍ତ୍ରୀ ରୂପେ ଅାବିର୍ଭୂତ ହେଲେ । ଅଳଙ୍କାର ବିଭୂଷିତା ଦେବୀ ଅତ୍ୟନ୍ତ ସୁନ୍ଦରୀ ଦେବୀ ରୂପେ ଅାବିର୍ଭୂତ ହେଲେ । ଇନ୍ଦ୍ର ପୁଚ୍ଛାକଲେ ଦେବୀ ଅାପଣଙ୍କ ପରିଚୟ? ଯକ୍ଷ ଉତ୍ତର ଦେଲେ ଅାମ୍ଭ ନାମ ‘ଉମା’ ଇନ୍ଦ୍ର ପୁଚ୍ଛା କଲେ ଏ ଯକ୍ଷ କିଏ ଥିଲେ? ଯକ୍ଷ ଉତ୍ତର ଦେଲେ ବ୍ରହ୍ମ ବ୍ରହ୍ମ । ସମସ୍ତ ବିଷୟରେ ଜ୍ଞାତ ସେ ବ୍ରହ୍ମାଣ୍ଡରେ ବ୍ୟାପ୍ତ ସର୍ବ ବ୍ୟାପି ହୋଇଥିବାରୁ ସେ ସର୍ବତ୍ର ସ୍ଥିତ ହୋଇଥାନ୍ତି ।
ଅଗ୍ନି, ବାୟୁ, ଇନ୍ଦ୍ରାଦି ଦେବଗଣ ପୂର୍ବରୁ ବ୍ରହ୍ମଙ୍କର ପ୍ରଚଣ୍ଡ ଶକ୍ତି ସମ୍ବନ୍ଧରେ ଅବଗତ ଥିଲେ । ବ୍ରହ୍ମ ସର୍ବତ୍ର ବିଦ୍ୟମାନ ସେ ଏକ ହୋଇ ପାରନ୍ତି ପୁଣି ଏକାଧିକ ମଧ୍ୟ ହୋଇପାରନ୍ତି । ଅଗ୍ନି, ବାୟୁଙ୍କ ଅପେକ୍ଷା ଇନ୍ଦ୍ର ବ୍ରହ୍ମଙ୍କର ଅତ୍ୟନ୍ତ ନିକଟତମ ଥିଲେ । ବ୍ରହ୍ମ ପରମାତ୍ମା ହେବା ବେଳେ ଇନ୍ଦ୍ର ଜୀବାତ୍ମା ଅଟନ୍ତି । ଉଭୟ ଜୀବାତ୍ମା ଓ ପରମାତ୍ମା ବନ୍ଧୁ ଭାବରେ ଥାନ୍ତି । ଅଗ୍ନି ଏବଂ ବାୟୁ ଜଡ଼ ଜଗତର ପ୍ରତିନିଧିତ୍ୱ କରୁଥିବା ବେଳେ ଇନ୍ଦ୍ର ଚେତନ ଜଗତର ପ୍ରତିନିଧିତ୍ୱ କରୁଥିଲେ । ସେମାନେ ପ୍ରକୃତିର ବିକୃତିରୂପେ ଦେହଧାରଣ କରିଥିଲେ । ଅପର ପକ୍ଷରେ ବ୍ରହ୍ମ, ଜୀବ ଏବଂ ପ୍ରକୃତି ଏକଧାରାରେ ସୃଷ୍ଟିର ମୂଳଉତ୍ସ । ଏହା ପରେ ସମସ୍ତ ଦେବଗଣ ବ୍ରହ୍ମଙ୍କର ଅନନ୍ତଶକ୍ତି ଦେଖି ବିଭୁସତ୍ତାରେ ବିମୋହିତ ହେଲେ । T
Be First to Comment