Press "Enter" to skip to content

ଧ୍ୟାନ ନମନ୍ତେ ସଠିକ ପ୍ରଣାଳୀର ଚୟନ

Last updated on August 13, 2022

ଧ୍ୟାନର ଅନେକାନେକ ପ୍ରଣାଳୀ ଆମ ସମ୍ମୁଖରେ ରହିଛି । ଶାସ୍ତ୍ର-ଆଚାର୍ଯ୍ୟ ଓ ଆନ୍ତରିକ ପ୍ରସ୍ତୁତିରୁ ଏହା କୁହାଯାଇପାରେ, ତନ୍ମଧ୍ୟରୁ ସଠିକ୍ ଧ୍ୟାନ-ପ୍ରଣାଳୀର ଚୟନ ଏକ କଷ୍ଟକର ପଦ୍ଧତି କାରଣ ଅନେକଗୁଡିଏ ପଦ୍ଧତି ବା ସୁଯୋଗ ଆମ ଆଖି ଆଗରେ ରହିଛି । ସେଗୁଡିକ ମଧ୍ୟରୁ ନିଜକୁ ସୁହାଇବା ଭଳି ଅର୍ଥାତ୍ ଯେଉଁଟି ଯୁକ୍ତିକର ବା ଉପାଦେୟ ସେଇଟିକୁ ଖୋଜି ବାହାର କରିବା ଏତେ ସହଜ ନୁହେଁ । ଯଦି କାହାର ସାହାଯ୍ୟ ନେଲ, ତେବେ ସେ ନିଜେ କିମ୍ବା ଯାହା ଦ୍ୱାରା ପ୍ରରୋଚିତ ତାଙ୍କର ଯୋଗ୍ୟତା ଥାଉ କି ନ ଥାଉ ସେହି ମାର୍ଗରେ ଚାଲିବାକୁ ବାଧ୍ୟକରିବେ । ପୁନଶ୍ଚ ଶାସ୍ତ୍ରର ସାହାଯ୍ୟ ନେବାକୁ ଚାହିଁଲେ ଯଥା ସମ୍ଭବ ଅଭିଜ୍ଞ ତଥା ବିଜ୍ଞ ବ୍ୟକ୍ତିଙ୍କର ସାହାଯ୍ୟ ମିଳିବା ଅସମ୍ଭବ । ତେଣୁ ଏହା ଏକ କଷ୍ଟକର କଥା କିନ୍ତୁ ସମ୍ଭବ । ଏପରି କହିବାର ତାତ୍ପର୍ଯ୍ୟ ଆମ ପାଖରେ ରହିଥିବା ସାମର୍ଥ୍ୟ ଅର୍ଥାତ୍ ବିବେକ-ବିଚାରର ଉପଯୋଗ କରି ସଠିକ ବୈଜ୍ଞାନିକ ପଦ୍ଧତିକୁ ଆପଣେଇ ଅଗ୍ରଗତିର ମାତ୍ରା ଆକଳନ କରିପାରିଲେ ଏହା କେବଳ ସମ୍ଭବ ନୁହେଁ, ଆନନ୍ଦଦାୟୀ ମଧ୍ୟ ଏବଂ ପରିଣତି ଅତ୍ୟନ୍ତ ସୁଖଦାୟୀ ଓ ଯଥାର୍ଥ ହୋଇପାରିବ । ଅଧୁନା ପ୍ରଶ୍ନ ହେବ ସେଇ ବିବେକ-ବିଚାର ପ୍ରୟୋଗ ମଧ୍ୟ ଜ୍ଞାନ ଓ ନିଜର ସାମର୍ଥ୍ୟର ପ୍ରାମାଣିକତା ଉପରେ ନିର୍ଭର କରେ । ଏହାକୁ ଯଥାଯଥ ଉପଯୋଗ ଆମ ପାଇଁ ମଧ୍ୟ ଏକ ଅସମାହିତ ଶଙ୍କା ସଦୃଶ । ତଥାପିବି ମୁଁ କହିବି ସମ୍ଭବ । ଅବଗତିରେ ଆଣି ଉପଯୋଗରେ ଲଗାଇ ପାରିଲେ ଆମେ ବୁଝିପାରିବା କେଉଁଟି ଯଥାର୍ଥ । ଏବେ ବି ଶଙ୍କା ରହିଛି ଜଣେ ପାଣି ପିଇବା ପାଇଁ କୂଅ ଖୋଳି ପିଇପାରେ କିନ୍ତୁ ଭଲ ପାଣି ପାଇଁ ନାନା ସ୍ଥାନରେ କୂପ ଖନନ କରି ସଠିକ ସ୍ଥାନ ନିରୂପଣ ଯେପରି କଥା, ଆମ୍ଭ କହିବା ଅନୁସାରେ ଚୟନ କରି କରି କାର୍ଯ୍ୟାନ୍ୱିତ କରିବା ସେଇ କଥା ଭଳି ହେଲା ମାତ୍ର ଆମ୍ଭେ ପ୍ରଥମରୁ କହିଛୁ ବିବେକ-ବିଚାର ଉଭୟର ପ୍ରୟୋଗ କରନ୍ତୁ ଏବଂ ଅନ୍ତରାତ୍ମାର ନିର୍ଯାସକୁ ବିଶ୍ଳେଷଣକରି ଚୟନର ସୁଯୋଗକୁ ବ୍ୟବସ୍ଥିତ କରନ୍ତୁ, ଦେଖିବେ ଯେଉଁ କିଛିଟା ରହିବ ତହିଁରୁ ଗୋଟିଏ କିମ୍ବା ଦୁଇଟିର ପ୍ରୟୋଗରୁ ବୁୁଝାପଡିଯିବ ତୁମପାଇଁ କେଉଁଟି ଯଥାର୍ଥ । ଏଥିପାଇଁ ଯେଉଁ ଭାବ ଓ ମାନସିକତା ଦରକାର ତାହାକୁ ପ୍ରଥମେ ଜଣାଇଦେବା ଓ ପରେ ପରେ ପ୍ରକାର ଗୁଡିକର ଆଲୋଚନା କରିବା ।
ଆପଣ ଚୟନ କରିବାର ଅବସର ସେତେବେଳେ ନିଅନ୍ତୁ, ଯେତେବେଳେ ଆପଣଙ୍କ ପାଖରେ ଅନେକଗୁଡିଏ ସୁଯୋଗ ରହିଛି । କହିବା ବାହୂଲ୍ୟ ଉପଲବ୍ଧ ପ୍ରଣାଳୀମାନଙ୍କୁ ପ୍ରଥମେ ଅବଧାରଣା ଭିତରକୁ ଆଣନ୍ତୁ ।
ଅବଧାରଣା ଆଣିଲା ପରେ ଅନ୍ତରାତ୍ମା ତଥା ନିଜକୁ ଯଥାର୍ଥ ମନେ ହେଉଥିବା ଗୋଟିଏ ଦୁଇଟି ପଦ୍ଧତିକୁ ଆଗ୍ରହ ଅନୁସାରେ ଗବେଷଣାର ଅନ୍ତର୍ଭୁକ୍ତ କରିଦିଅନ୍ତୁ ।
ଗବେଷଣା ଅର୍ଥାତ୍ ଏଷଣାମାନଙ୍କୁ ପରିତ୍ୟାଗ କରି ଗଭୀର ପ୍ରବେଶର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ । ଏଷଣା କହିଲେ ବନ୍ଧନ ଓ ବାଧକ fitters, ତାହାକୁ ବଳପୂର୍ବକ ଅଳ୍ପ ସମୟ ପାଇଁ ହେଉ ପଛକେ ତ୍ୟାଗକରି ଆନୁଧ୍ୟାନକୁ ତୀବ୍ର ତଥା ଅନ୍ୱେଷୀ କରାନ୍ତୁ ।
ବେଶ୍ କିଛି କାଳ ନିଜର ସାମର୍ଥ୍ୟାନୁସାରେ କସରତ କରାଇ ତାହାର ନିର୍ଯାସ ନିଜେ ନିଜେ ଆକଳନ କରନ୍ତୁ । ଆପଣ କହିପାରିବେ ରୋଗୀପାଇଁ ଯାହା ଭଲ ଲାଗେ, ତାହା ତା’ପାଇଁ ହିତକର ନ ହୋଇପାରେ । ତେଣୁ ମୁଁ ଯାହା ଭଲ ଲାଗୁଛି, ତାହା କିପରି ସ୍ୱୀକାର କରିପାରିବି, ସେହି କ୍ଷେତ୍ରରେ ମୁଁ କହିବି ଆପଣ ରୋଗୀ ନୁହଁନ୍ତି ବରଂ ଯୋଗୀ କାରଣ କିଛି ପ୍ରଥା, ପ୍ରଣାଳୀ ଓ ପଦ୍ଧତିର ଧାରଣା ହେଲାପରେ ପରୀକ୍ଷା କରୁଛନ୍ତି ଓ ଆତ୍ମାକୁ ଉପଯୋଗକରି ଚୟନ ବସ୍ତୁରେ ମନୋନିବେଶ କରୁଛନ୍ତି ।
ଅଧୁନା ଲକ୍ଷ୍ୟ ସମ୍ପର୍କରେ ଭାବନ୍ତୁ ଆପଣ ଉକ୍ତ ଧ୍ୟାନ ମାଧ୍ୟମରେ କ’ଣ ହାସଲ କରିବାକୁ ଚାହୁଁଥିଲେ, ତାହାର ପ୍ରାପ୍ତି ନିମନ୍ତେ କିଛି ଯୁକ୍ତାତ୍ମକ ସୂଚନା ମିଳୁଛି କି ନାହିଁ । ଯଦି ମିଳୁନି ତେବେ ପରିବର୍ତ୍ତନ ସାପେକ୍ଷ ।
ଆଉ ଉକ୍ତ କ୍ରିୟାଭ୍ୟାସ କାଳରେ ଯଦି ବାଧା-ବିଘ୍ନ ଆସୁଛି ବିଚଳିତ ନ ହୋଇ ଚଟାଣବତ୍ ପଡିରହିବାକୁ ପଡିବ । କହିପାରିବା ପ୍ରାରମ୍ଭରୁ ଅର୍ଥାତ୍ ଚୟନ ମୁହୂର୍ତ୍ତରୁ ଯଦି ବ୍ୟତିକ୍ରମ ଦେଖାଯାଉଛି, ତେବେ ମଧ୍ୟ ନିଜକୁ ଆଉ ଟିକିଏ ଅଧିକା ପରଖି ନେବାକୁ ହେବ । ବାଧା ସେମାନଙ୍କର କାମ କରିବେ ଆଉ ତୁମେ ତୁମ କାମ କରିବ, ଏହି ଧାରଣାକୁ ଦୃଢ କରିବାକୁ ହେବ । ହୋଇପାରେ ଏଥିପାଇଁ ଆପଣଙ୍କୁ ଏକ ମୋଟା ଅଙ୍କାର କିଛି ହରାଇବାକୁ ପଡିପାରେ ମାତ୍ର ଲକ୍ଷ୍ୟ ହାସଲ ଦିଗରେ ତାହା କିଛି ନୁହେଁ ।
ପରିଶେଷରେ ଗୋଟିଏ କଥା କି ଅଗ୍ରସର ହେଉଥିବା ମାର୍ଗକୁ disclose ନ କରିବା ଶ୍ରେୟସ୍କର, ଯଦି ନିଜ ଉପଚାରରେ ନିଜେ ଅକ୍ଷମ, ଅତି ସାବଧାନତାର ସହିତ ଜଣେ କେହି mentor ଯୋଗାଡ କରିବାକୁ ହେବ, ଯିଏ ତୁମ ପାଇଁ ଅନୁକୂଳ ଆଉ ତୁମ ସମ୍ପର୍କରେ ଅନୁଧ୍ୟାନ ନ କରି ଟିପ୍ପଣୀ ଦେଉନଥିବେ । କାରଣ ତାଙ୍କ ଅଭିଜ୍ଞତା ହୁଏତ ଆମପାଇଁ କିଛି ମାର୍ଗଦର୍ଶନ ଦେଇପାରେ ।
ଏ ସମସ୍ତ ପରେ ମନରେ ଧାରଣାକୁ ଦୃଢ ସଂକଳ୍ପ କରନ୍ତୁ କି, ଯେଉଁ ଆତ୍ମାକୁ ଓ ମନକୁ ପ୍ରଶିକ୍ଷିତ କରାଇ ଆପଣ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତାହାର ଅସୀମ ସାମର୍ଥ୍ୟ ରହିଛି ଆଉ ଅସମ୍ଭବ ସ୍ଥିତିରେ ବା ପ୍ରତିରୋଧ ହେଲେ ଆତ୍ମାରୂପୀ ଭଗବାନଙ୍କ ପ୍ରେରଣା ଅବଶ୍ୟ ମିଳିବ । ଏହା ଇତର/ସାଧାରଣ ଲୋକଙ୍କୁ ଜଣାଇବା ଓ ନିଜର ସାମର୍ଥ୍ୟକୁ ଅନ୍ୟ ଦ୍ୱାରା ଆକଳିତ ହେବାର କିଛି ହେଲେ ଆବଶ୍ୟକ ନୁହେଁ ।
ତେଣୁ କହିପାରିବା କି ଯେତେ ପ୍ରକାର ଧ୍ୟାନ ପ୍ରଣାଳୀ ରହିଛି, ତହିଁରୁ ଗୋଟିଏ ଚୟନକରି ଯାହା ତୁମକୁ ସୁହାଉଛି, ସେହି ଠାରୁ ଆରମ୍ଭକରିବା ଭଲ । ଯଦିଓ ଆପଣ ଆଗରୁ ନାନା ପ୍ରଣାଳୀ ସହିତ ଅବଗତ ତଥାପି ଚୟନଟିକୁ ପ୍ରାଧାନ୍ୟ ଦେଇ ପ୍ରାଥମିକ ସ୍ତରରୁ ଆରମ୍ଭ କରୁଛନ୍ତି, ଏହାକୁ ସୁଦୃଢ ଓ ସୁସ୍ପଷ୍ଟ କରାଇ ନିଅନ୍ତୁ । ତାହା ଆପଣଙ୍କ ପାଇ ଶ୍ରେଷ୍ଠତମ ଚୟନ ହେବ ଓ ଯେତେବଡ କଷ୍ଟକର ପ୍ରଣାଳୀ ହୋଇଥିଲେ ବି ଆୟତ୍ତାଧୀନ ହୋଇପାରିବ । ଆସନ୍ତୁ, ଉପଲବ୍ଧ ଅନେକ ପ୍ରକାର ପ୍ରଣାଳୀରୁ କେତେକକୁ ଜାଣିବା ଆଉ କେଉଁଟି ମୋତେ ବେଶୀ ଭଲ ଲାଗୁଛି, ତାକୁ ବାଛିନେଇ କାର୍ଯ୍ୟାନ୍ୱିତ କରାଇବା ।
୧. ଶ୍ୱାସ ନିୟନ୍ତ୍ରଣ(Breath Control):
ହିନ୍ଦୁ ଅବଧାରଣା ଅନୁସାରେ ପ୍ରାଣାୟାମକୁ ଶ୍ୱାସ-ନିୟନ୍ତ୍ରଣ କୁହାଯାଇପାରେ । ନିଜର ଶ୍ୱାସକୁ ନିୟନ୍ତ୍ରଣକରି ଆପଣ ନିଜର ଜୀବନୀଶକ୍ତି ବା ପ୍ରାଣକୁ ନିୟନ୍ତ୍ରଣାଧୀନ କରିପାରିବେ, ଯାହାକି କାୟ-ମନୋ-ବାକ୍ୟରେ ଆଧ୍ୟାତ୍ମିକତାର ସ୍ପର୍ଶ ଦେଇପାରିବ । ଏହା ଅତି ସହଜ ଧ୍ୟାନ ପ୍ରଣାଳୀ ଅଟେ କାରଣ ଏହି ସମୟରେ ଆପଣଙ୍କୁ ନିଜ ଶ୍ୱାସ ଉପରେ ଦୃଷ୍ଟି ନିବଦ୍ଧ ଓ ମନୋନିବେଶ କରିବାକୁ ହୋଇଥାଏ । ଧୀରେ ଧୀରେ ଶ୍ୱାସର ଗତିକୁ ଶିଥିଳକରି ଦୀର୍ଘକାଳ ପର୍ଯ୍ୟନ୍ତ ଅଭ୍ୟାସକରି ଆପଣ ଏ ପ୍ରକାର କାର୍ଯ୍ୟକୁ ଦକ୍ଷତାର ସହିତ ପରିଚାଳନା କରି ଧ୍ୟାନାବିଷ୍ଟ ହୋଇପାରିବେ ।
ଯଦିଓ ଆପଣ ଆଧ୍ୟାତ୍ମିକ ଧାରଣା ଉପରେ ସନ୍ଦିହାନ ଅଛନ୍ତି । ତଥାପି ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି କି, ଗଭୀର ଓ ଦୀର୍ଘସମୟ ପର୍ଯ୍ୟନ୍ତ ଶ୍ୱାସ ନେଇପାରିବା ଦ୍ୱାରା ତାହା ଉଭୟ ମସ୍ତିଷ୍କ ଏବଂ ଶରୀର ଉପରେ ତୁରନ୍ତ କାର୍ଯ୍ୟକରେ ଓ ପ୍ରଭାବ ପକାଏ । ଧୀରେ ଧୀରେ ଶ୍ୱାସ ନେବା ଦ୍ୱାରା ଆପଣ ହୃଦୟର ଗତିକୁ ମନ୍ଥର କରାଇପାରିବେ ଓ ଆରାମ ଦେବାକୁ ସକ୍ଷମ ହେବେ । ଏହି ଅବସ୍ଥାରେ ଚାପ ମୁକ୍ତି ହେବା ସହଜ ହୁଏ ଏବଂ ଶରୀର ରାସାୟନିକ ପଦାର୍ଥ ମୁକ୍ତ ହୋଇଥାଏ, ଯାହାକି ଆରୋଗ୍ୟକାରକ ଓ ପୁନରୁଦ୍ଧାରରେ ସହାୟକ ହୋଇଥାଏ । ଅତିରିକ୍ତ–ବାୟୁ ପୂର୍ଣ୍ଣକରି ଗଭୀର ଶ୍ୱାସ ନେବାଦ୍ୱାରା ଶରୀରକୁ ବେଶୀ ଅମ୍ଲଜାନ ନେବାରେ ସାହାଯ୍ୟ କରେ, ଯାହାକି ରକ୍ତ ସହ ପ୍ରବେଶ କଲେ ଊର୍ଜାର ଅବଧାରଣା ହୁଏ । ଶରୀର ସ୍ଫୂର୍ତ୍ତିପୂର୍ଣ୍ଣ ହେବା ସହିତ ସତେଜ ହୋଇ ଉଠେ । ଏହା ଶରୀରକୁ ନାନା ପ୍ରକାର Toxin ମୁକ୍ତ କରର୍ପ୍ଥାତ୍ detoxification ରେ ସହାୟକ ହୁଏ । ଏପରିକି ରୋଗ ଉପଶମରେ ସାହାଯ୍ୟ କରେ ।
ଆମ ଶରୀରରେ ଥିବା ଅନେକ ରୋଗ ଏହି ଶରୀର ଶ୍ୱାସକ୍ରିୟା ମାଧ୍ୟମରେ ସୁସ୍ଥ ହୋଇଥାନ୍ତି, ଯାହାର ଉଦାହରଣ ଆପଣ କୁକୁରକୁ ଦେଖି ଆକଳନ କରିପାରିବେ । ହଁ କହିପାରିବା କି ଏହା ଏତେ ସହଜ ନୁହେଁ କାରଣ ଆମେ ଉକ୍ତ କ୍ରିୟା କାଳରେ ନିଜର ସଚେତନତା ହରାଇଥାଉ ଯେଉଁଥିପାଇଁ କି ଆମେ ଶ୍ୱାସକୁ ଅଳ୍ପ ଅଳ୍ପ ନେଉ ଓ ତ୍ୟାଗ କରୁ କାରଣ ସଚେତ ରହିବାରେ ଆମେ ଅଭ୍ୟସ୍ତ । ତା ଆଗକୁ ଯିବାକୁ ଭାବିନାହଁୁ ।
ଅଧୁନା ପରବର୍ତ୍ତୀ କ୍ରିୟା ଭାବରେ ଏହାର ଉପକାର ଓ ବ୍ୟବହାରିକତାକୁ ପରଖିବା ପାଇଁ ଚେଷ୍ଟା କରନ୍ତୁ । ଯେମିତିକି ଆପଣ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଯାଉଛନ୍ତି, ଆସନ୍ନ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛନ୍ତି, ଅବା ଅନ୍ତର୍ଗମନ କରିବାକୁ ଚାହୁଁଛନ୍ତି, ସେତେବେଳେ ଏହି ପ୍ରକ୍ରିୟାକୁ ପୂର୍ଣ୍ଣ ଉପଯୋଗକରି ଦେଖିନିଅନ୍ତୁ ବାସ୍ତବରେ ସହାୟକ ହୋଇପାରୁଛି କି ନାହିଁ । ଏକ ଗଭୀର ଦୀର୍ଘ ନିଃଶ୍ୱାସ ଆପଣଙ୍କୁ ଯେ କେତେ ସହାୟକ ହେଉଛି ତାହା ଅବଶ୍ୟ ଥରେ ଅଧେ ଜାଣିଥିବେ, ଯଦି ନ ଜାଣିଛନ୍ତି ଥରେ ଦୁଇଥର କରି ଦେଖନ୍ତୁ । ପରେ ପରେ ଏହାକୁ ବୃଦ୍ଧି କରାଇ ବେଶୀ ମାତ୍ରାରେ ଲାଭାନ୍ୱିତ ହୁଅନ୍ତୁ । ଏହା ଅନ୍ତତଃ ଚିନ୍ତା ମୁକ୍ତିରେ ସହାୟକ ହେବା ସହିତ ଚିନ୍ତା ହ୍ରାସ କରାଇବା ଦିଗରେ ଭଲ ପ୍ରଦର୍ଶନ ପାଇଁ ସାହାଯ୍ୟ କରିବ । ମାନସିକ ସାମର୍ଥ୍ୟକୁ ଦ୍ୱିଗୁଣିତ କରିବା ସହିତ ଶରୀରକୁ କିଛିକାଂଶରେ ସୁସ୍ଥତା ପ୍ରଦାନ କରିବ । ଶାରୀରିକ ଅସୁସ୍ଥତାରୁ ମୁକ୍ତ କରାଇବା ସହ ସହଜବୋଧ(relax) କରାଇପାରିବ ।
ଆପଣ ଯେତେ ପ୍ରକାର ପଦ୍ଧତି ଜାଣିଛନ୍ତି ଓ ଆଗକୁ ଜାଣିବେ, ସେଗୁଡିକ ଅପେକ୍ଷା ଏହି ଶ୍ୱାସ ନିୟନ୍ତ୍ରଣ ପ୍ରକ୍ରିୟା ଲାଭଦାୟକ ଓ ସହଜସାଧ୍ୟ । ତେଣୁ ପ୍ରାରମ୍ଭିକ ସ୍ତରର ସାଧକଙ୍କ ପାଇଁ ଏହା ସର୍ବାଗ୍ରେ ସ୍ୱୀକୃତ ।
୨. ଚିନ୍ତା ନିୟନ୍ତ୍ରଣ (thought control) :
ଏହା ଗୋଟିଏ ଶ୍ରେଷ୍ଠତମ ପ୍ରଣାଳୀ ଯାହାକି ପ୍ରଥମେ ମନ ଓ ପରେ ଧୀରେ ଧୀରେ ଚିନ୍ତାଧାରା ଉପରେ ପ୍ରଭାବ ପକାଇଥାଏ । ଅଧିକାଂଶ ଲୋକଙ୍କର ଧାରଣା ହୁଏ କି, ଆମେ ଯାହାସବୁ ମନର ଉପଯୋଗ କରି କରୁ, ସେଗୁଡିକ ସବୁ ଧ୍ୟାନ । ବାସ୍ତବରେ ଏହିଗୁଡିକ ଧ୍ୟାନ ଭଳି ଅର୍ଥାତ୍ ଧ୍ୟାନର ଏକ ରୂପ ପ୍ରାୟ । କହିବା ଅତ୍ୟନ୍ତ କଷ୍ଟକର କି, ଆପଣ ଥରେ ଦୁଇଥର ଚେଷ୍ଟାକଲେ ଜାଣିପାରିବେ ବା ଲାଭାନ୍ୱିତ ହୋଇପାରିବେ । କାରଣ ଆପଣ ଜାଣନ୍ତି ଆମର ମସ୍ତିଷ୍କ ଆମ ସହିତ ସବୁବେଳେ ଭାବର ଆଦାନପ୍ରଦାନ(chating) କରେ । ସେ ଯେହେତୁ online ଭଳି ଆମ ସହିତ ଜଡିତ ହୋଇରହିଛି ଓ ତାର କ୍ରିୟା(ଭାବର ଆଦାନ ପ୍ରଦାନ) କରୁଛି, ତାହାର ପ୍ରେରଣା ଓ ଅନୁପ୍ରେରଣା ଆମର ସ୍ୱୀକୃତି ଲାଭ କରିନେଇଛି । ଯେତେବେଳେ ଆପଣ ନିଜ ଚିନ୍ତାକୁ ସମସ୍ତ କର୍ମରୁ ନିବୃତ୍ତ କରାଇ ଶାନ୍ତ ହେବାକୁ ଅବା ଏକ ନିର୍ଦ୍ଦିଷ୍ଟ କର୍ମରେ ଲଗାଇବାକୁ ପ୍ରୟାସ କରିବେ, ସେତେବେଳେ ସେ(ଚିନ୍ତା) ଆପଣଙ୍କୁ ଛାଡି କୁଆଡେ ଯିବ ? କହିବା କଥା ହେଉଛି ଆପଣ ନିଜକୁ ଯେତେ ଚିନ୍ତାଶୂନ୍ୟର ପ୍ରୟାସ କରିବେ, ସେତିକି ସେତିକି ସେ ଭାବନା ଭିତରକୁ ପଶିବାକୁ ଚେଷ୍ଟା କରିବ । ଆଉ ଯଦିବି ଆପଣ ଜଣେ କି ଦୁଇଜଣ ପାଇଁ ସଫଳ ହୁଅନ୍ତି, ତେବେ େସ କାର୍ଯ୍ୟ କରୁଥିବା ପରିସର ଭିତରେ ବା ପରିଧି ମଧ୍ୟରେ ରହି ଆକ୍ରମଣର ପ୍ରୟାସ ଜାରି ରଖିବ । ଫଳରେ ସୁଯୋଗ ପାଇଲେ ପୁନରାୟ ପ୍ରବେଶକରି ଆଧିପତ୍ୟ ବିସ୍ତାର କରିବାରେ ଲାଗିପଡିବ । ପୁନଶ୍ଚ କହିପାରିବା କି ଆପଣ ନିଜେ ଚିନ୍ତା ଛାଡିଲେ କି ନାହିଁ ଯେତେବେଳେ ପରଖିବା ଆରମ୍ଭ କରୁଛନ୍ତି , ସେ ମଧ୍ୟ ସେତେବେଳେ ତାର କାର୍ଯ୍ୟାରମ୍ଭ କରିଦେବ ପରିଣତିରେ ଚିନ୍ତା ଛାଡିବା ନୁହେଁ ବରଂ ଚିନ୍ତାଗ୍ରସ୍ତ ହୋଇଯିବେ । ମାତ୍ର କହିପାରିବା ବିଷୟ ଚିନ୍ତାରେ ମଗ୍ନଥିବା ମସ୍ତିଷ୍କ ଏବେ ତା ନିଜର କାର୍ଯ୍ୟକଳାପ ଭାବୁଛି ମାତ୍ର ସେ ଭାବୁଛି ନିଶ୍ଚୟ । ତେବେ ଆପଣ ଚିନ୍ତା ତ୍ୟାଗକରି ଚିନ୍ତାଗ୍ରସ୍ତ ହେଲେ, େଯଉଁଠି ଥିଲେ ସେଇଠିକୁ ଚାଲିଆସିଲେ ।
ଆପଣ ନିଜର ଚିନ୍ତାକୁ ଯେତେ ଶିଥିଳତା ପ୍ରଦାନ କରିବେ, ସେ ଆପଣଙ୍କ ମଧ୍ୟରେ ପ୍ରବେଶକରି ଆପଣଙ୍କୁ ସେତେ ଅଧିକ ରାସ୍ତାଚ୍ୟୁତ ବା ବିପଥଗାମୀ କରାଇବାକୁ ପ୍ରୟାସ କରିବା ଆରମ୍ଭ କରିଦେବ । ତେଣୁ ଜଣେ ପ୍ରାରମ୍ଭିକ ସ୍ତରର ସାଧକଙ୍କ ପାଇଁ ଅସମ୍ଭବ ମନେ ହୋଇପାରେ । ତାଙ୍କପାଇଁ କହିପାରିବା କି, ଧରିନିଅନ୍ତୁ ଆପଣ ସମସ୍ତ ଚିନ୍ତାକୁ ଦୂରକୁ ଫିଙ୍ଗିଦେଲେ ଆଉ ଚିନ୍ତନରେ ବିରାମ ଲଗାଇଲେ । ହେଲେ ସେଇ ଏକାକଥା, କିଛି କ୍ଷଣ ପରେ ଚିନ୍ତା ତାର କେଉଁ ଏକ ଛୋଟରୁ ଛୋଟ ଛିଦ୍ର ଦେଇ ଆପଣଙ୍କ ଭିତରେ ପଶିଯାଇଛି । ଆପଣଙ୍କୁ ତେଣୁ ଏହି ପ୍ରକ୍ରିୟା କାଳରେ ବିଚଳିତ ବା ହତୋତ୍ସାହୀ ହେବା ଅନୁଚିତ ବରଂ ବିଶ୍ୱାସ ରହିବା ଦରକାର । ଆମ ଆଗରେ ଅନେକ ଉଦାହରଣ ରହିଛି ମହାତ୍ମାମାନେ ଏପରି କରି ଚିନ୍ତାକୁ ଦୂରେଇ ଭାବନାକୁ ଏକକେନ୍ଦ୍ରୀତ କରିପାରିଛନ୍ତି । ଅତଃ ଆମେ ପାରିବା ନାହିଁ ଭାବିବା ବଦଳରେ tenacity ପ୍ରୟୋଗକରି ବାରମ୍ବାର କରିଚାଲିବାକୁ ହେବ ଯେପରି ତୈଳ ଖୁଣ୍ଟିରେ ମାଙ୍କଡ ଚଢୁଥାଏ ଅର୍ଥାତ୍ ଲମ୍ଫଦେଇ ଅବା ବଳ ପ୍ରୟୋଗକରି ସେ ଯେତେ ଉଚ୍ଚକୁ ଉଠିଲେ ମଧ୍ୟ ତୈଳାକ୍ତ ପ୍ରଭାବରୁ ଖସି ଆସେ । ସେ କିନ୍ତୁ ତାକୁ ଛାଡି ନ ଦେଇ ଥରକୁ ଥର ଚେଷ୍ଟା କରି କରି ପରିଶେଷରେ ଖୁଣ୍ଟିର ଅଗ୍ରଭାଗରେ ପହଞ୍ଚିଯାଇ ପାରୁଛି । ତେଣୁ ଆମକୁ ଥରେ ଦୁଇଥର କି ଦିନେ ଦୁଇଦିନ ନୁହେଁ ବରଂ ଦୃଢତାର ସହିତ ଲାଗି ରହିବାକୁ ହେବ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ।
ଯଦି କିଛି କରି କରି ଆପଣ ସାମାନ୍ୟତମ ଅନୁଭବର ସ୍ପର୍ଶ ପାଇଛନ୍ତି, ଯେମିତି କହିପାରନ୍ତି କି, ଅନେକ ଦିନର ଅଭ୍ୟାସ ପରେ ଆପଣ ମିନିଟିକ ପାଇଁ ବି ମନରୁ ଚିନ୍ତାକୁ ଦୂରେଇବାକୁ ସକ୍ଷମ ହୋଇଛନ୍ତି, ତେବେ ତାର ପ୍ରଭାବ ବେଶ୍ ଉପଲବ୍ଧ ହେବ । ଦୀର୍ଘ ସମୟର ଶ୍ୱାସରୋଧ ଅପେକ୍ଷା ମୁହୂର୍ତ୍ତକର ଚିନ୍ତାରୋଧ ବା ମୁକ୍ତି ଆପଣଙ୍କୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇ ଦେଇପାରେ । ବୈଜ୍ଞାନିକମାନେ ଦେଖିଛନ୍ତି କି ଏହା ମସ୍ତିଷ୍କରେ ଏପରି ଆଖିଦୃଶିଆ ପରିବର୍ତ୍ତନ ଆଣିଦେବ, ଯାହା ଆପଣ କଳ୍ପନା ସୁଦ୍ଧା କରି ନ ଥିବେ । ବୌଦ୍ଧ ମତରେ ତଥା ଅନେକଙ୍କ ମତରେ ଏହି ଅଭ୍ୟାସର ଉପଲବ୍ଧି ବା ଚରମ ପରିଣତି ଆପଣଙ୍କୁ ଏକ blishfull state (ଆନନ୍ଦମୟ ସ୍ଥିତି) ଅନୁଭବ କରାଇପାରିବ । ଶାନ୍ତି ଓ ଅନ୍ତରାନୁଭୂତି କରାଇ ଆପଣଙ୍କୁ ବେଶ୍ ସହଜବୋଧ କରାଇପାରିବ । ଏପରିକି ନିର୍ବାଣ ପ୍ରାପ୍ତିରେ ସହାୟକ ହେବ । ଖାଲି ସହାୟକ ନୁହେଁ ବରଂ ସେହି ସ୍ତରରେ ପହଞ୍ଚାଇଦେବ । ତେଣୁ ଏ ପ୍ରକାର ଧ୍ୟାନ ମଧ୍ୟ କରାଯାଇପାରେ  । ତେଣୁ ଅନେକ ପରମ୍ପରାରେ ଏହାକୁ ଅନୁମୋଦନ ମଧ୍ୟ କରାଯାଇଛି ।
ଏହା ନିଜକୁ ଚିନ୍ତାଶୂନ୍ୟ ଓ ବିରକ୍ତିଭାବରୁ ମୁକ୍ତ କରାଇବ ନିଶ୍ଚୟ । ଶରୀରକୁ ଏକ ବିଶେଷ ସ୍ପର୍ଶ ଦେଇ ଆନନ୍ଦ ଓ ସହଜଯୁକ୍ତ କରାଇପାରିବ । ଯାହାକି ଆପଣଙ୍କ ଭାବନା ଓ କାର୍ଯ୍ୟକ୍ରମ ଉପରେ ବେଶ୍ ପ୍ରଭାବ ପକାଇବ, ଯେମିତିକି ଆପଣ ଅନୁଭବ କରିପାରିବେ କି ଯେତେ ଚାପଗ୍ରସ୍ତ ହୋଇ ଆପଣ ଦାୟିତ୍ୱ ସମ୍ପାଦନ କରୁଥିଲେ ତାହାଠାରୁ ଅନେକ ବେଶୀ ସହଜବୋଧ କରୁଛନ୍ତି । କାର୍ଯ୍ୟର ଚାପ ପାଇବେ ନାହିଁ, ବରଂ ସହଜ-ସରଳତାର ସ୍ପର୍ଶ ପାଇପାରିବେ । ଶ୍ୱାସରୋଧ ଠାରୁ ଅନେକ ଗୁଣ ଶ୍ରେଷ୍ଠ ସ୍ଥିତି ଲାଭକରିବେ । ପରିଣତିରେ ଯାହା ପାଇବାକଥା ଅର୍ଥାତ୍ ଦିବ୍ୟାନନ୍ଦକୁ ଆହ୍ୱାନ କରିପାରିବେ ଓ ଅଧିକ ପାଇବା ପାଇଁ ଅନୁସନ୍ଧାନ କରିବାରେ ଅଗ୍ରସର ହେବେ । କହିବା ବାହୁଲ୍ୟ ଯେଉଁ ମୁକ୍ତି ନିମନ୍ତେ ମୁନିଋଷି ଓ ବର୍ତ୍ତମାନର ସାଧୁ ସନ୍ଥମାନେ ଆଶାକରି ଆଧ୍ୟାତ୍ମିକ ଜୀବନ ଅତିବାହିତ କରୁଛନ୍ତି ଆପଣ ତାହାକୁ ପାଇବାକୁ ସକ୍ଷମ ହେବେ । ସେମାନେ ଜୀବନବ୍ୟାପୀ କରୁଥିବା ପ୍ରୟାସ ଠାରୁ ଅନେକ ସହଜ ଭାବରେ ଲକ୍ଷ୍ୟପ୍ରାପ୍ତି କରିପାରିବେ ।
ଆମ ମତରେ ପ୍ରାରମ୍ଭିକ ସ୍ତରରେ ଏହି ଅଭ୍ୟାସ ଆରମ୍ଭକରି ବିଫଳତାର ସ୍ୱାଦନେଇ ଅସଫଳ ମନୋରଥ ପୋଷଣ କରିବା ଅପେକ୍ଷା କିଛି କାଳ ଶ୍ୱାସର ଗତିକୁ ନିୟନ୍ତ୍ରଣ କଲାପରେ ଏହି ଅଭ୍ୟାସ ଆରମ୍ଭ କରନ୍ତୁ । ଅନେକାଂଶରେ ସଫଳତା ମିଳିପାରିବ । ମୋଟ ଉପରେ କହିଲେ ଧ୍ୟାନଯୋଗୀଙ୍କ ନିମନ୍ତେ ଏହା ଦ୍ୱିତୀୟ ପାହାଚ ବା ପ୍ରକାରର ସ୍ତରୋନ୍ନତି ପ୍ରୟାସ ଅଟେ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.