Last updated on August 13, 2022
ବ୍ୟବହାର ଦ୍ୱାରା ପରିବର୍ତ୍ତନ
ଚୋରି କରିବା ଏକ ଘୃଣ୍ୟ ଓ ଛୋଟ ତଥା ପାପ କାର୍ଯ୍ୟ ରୂପେ ଜାଣିଥିଲେ ମଧ୍ୟ କେତେକ ନିଜ ପ୍ରବୃତ୍ତି କାରଣରୁ ତ କେତେକ ପରିସ୍ଥିତିରେ ପଡି ଚୋରି କାର୍ଯ୍ୟକୁ ବାଛି ନେଇଥାନ୍ତି । ବ୍ୟବସାୟ, ବାଣିଜ୍ୟ ତଥା ଛୋଟମୋଟ ଦୋକାନୀ ମଧ୍ୟ ଏହିଭଳି କାର୍ଯ୍ୟ ପ୍ରତିଦିନ ନଜରରେ ରଖିଥାନ୍ତି । କିନ୍ତୁ ଚୋରକୁ ଗାଳି ଗୁଲଜ ତଥା ଦଣ୍ଡ ଦେବା ପରିବର୍ତ୍ତେ ନେଉଥିବା ବା ଚୋରି ଜିନିଷ କିଣିବା ପାଇଁ କିଛି ସାହାଯ୍ୟ କରିଦେଲେ ସେ ହୁଏତ ପରିବର୍ତ୍ତନ ହୋଇପାରନ୍ତା, ମହାତ୍ମାଜନଙ୍କର ଦୃଷ୍ଟିଭଙ୍ଗୀ ଏଭଳି ଅଟେ ।
ଏକ ଘଟଣା ରହିଛି । ଜଣେ ବ୍ୟବସାୟୀ ସବୁବେଳେ ରାତିରେ ନିଜ କାର୍ଯ୍ୟ ସମାପ୍ତି ପରେ ପାଖ ଆଶ୍ରମର ସାଧୁଙ୍କ ନିକଟକୁ ଯାଇ କିଛି ସମୟ ବିତାଇ ଆଶୀର୍ବଚନ ପାଇ ଘରକୁ ଫେରନ୍ତି । ଏକଦା ସେହି ସାଧୁ ତାଙ୍କୁ ନିଜର ବ୍ୟବସାୟ କଥା ପଚାରିଲେ, ଏବଂ କେବେ ଠକ ଅବା ଚୋର ହାବୁଡରେ ପଡିଛନ୍ତି କି ବୋଲି ପଚାରିଥିଲେ । ବ୍ୟବସାୟୀ ଜଣକ କହିଲେ, ‘‘ଆଜ୍ଞା ବହୁଥର ଘଟିଛି । ଆଜି ମଧ୍ୟ ଏଭଳି ଘଟଣାଟିଏ ଘଟିଛି । ତାକୁ କାମରୁ ବହିଷ୍କାର କରିବା ପୂର୍ବକ ଅନେକ ଗାଳି ଦେଇଛି କିନ୍ତୁ ସେଇ ଏକା କଥା ।’’ ସ୍ୱାମୀଜୀ ଏହା ଶୁଣି କହିଲେ, ‘‘ତୁମେ ତାକୁ ଗାଳି ଦେବା ପରିବର୍ତ୍ତେ ଚୋରି କରୁଥିବା ଜିନିଷର ମୂଲ୍ୟ ଦେଇ ତାକୁ କିଣି ନେଇଯିବାକୁ କହିଥିଲେ ହୁଏତ ସେ ପୂରା ପରିବର୍ତ୍ତନ ହୋଇପାରିଥାନ୍ତା । କାରଣ ତାର କିଛି ଅସୁବିଧା ପରିସ୍ଥିିତି ରହିଥିବ ! ତେଣୁ ଏଭଳି ବ୍ୟାଧିର ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ରହିଛି । ତୁମମାନଙ୍କୁ ଏଥିପ୍ରତି ବିଶେଷ ଯତ୍ନ ଦେବାକୁ ପଡିବ ।’’
ପ୍ରକୃତରେ ଦଣ୍ଡ ବା ଶାସ୍ତିର କିଛି ଉପାଦେୟତା ରହିଛି କିନ୍ତୁ ପ୍ରଥମରୁ କୋହଳ ପୂର୍ବକ ଅନ୍ୟ କିଛି ମାର୍ଗରେ ସହଯୋଗ କଲେ ସେଭଳି କର୍ମରୁ ନିବୃତ୍ତ ହେବା ସହଜ ଭଳି ମନେହୁଏ । କାରଣ ଦଣ୍ଡ ନିଶ୍ଚିତପକ୍ଷେ ଗୋଟିଏ ବ୍ୟକ୍ତିତ୍ୱର ଗାରିମା ଉପରେ ଘନକୁହୁଡି ଆଚ୍ଛାଦିତ କରିଦିଏ, ତାହା ହୁଏତ ସହସା ଜଣାପଡେନାହିଁ । ତେଣୁ ତ ସାଧୁମହାତ୍ମାଗଣ ଏହାର ବିପରୀତ ଉପାୟ ବତାଇଥାଆନ୍ତି, ଏହା ହିଁ ଜଣେ ସାଧୁଙ୍କର ଦୃଷ୍ଟିଭଙ୍ଗୀ ଅଟେ । T
ରୁକ୍ଷ ବ୍ୟବହାରର ଆବଶ୍ୟକତା
ଜୀବନରେ ଉତ୍ଥାନ-ପତନ, ଭଲ-ମନ୍ଦ, ଜୟ-ପରାଜୟ, ସୁବିଧା-ଅସୁବିଧା ଲାଗିରହିଥାଏ, ଠିକ୍, ସେହିଭଳି ଯେପରି ଦିନ-ରାତି, କ୍ଷୟ-ବୃଦ୍ଧି ଆଦି ସୃଷ୍ଟିର ପରିବର୍ତ୍ତନ ଘଟି ଚାଲିଛି । ଆମେ କେବଳ ଦିନ ବା କେବଳ ରାତି ବା କେବଳ ସୁଖ ଆଶାକରିବା ଅସମ୍ଭବ । ଜୀବନର ଚଲାପଥରେ ବହୁ ଘାତ-ପ୍ରତିଘାତର ସମ୍ମୁଖୀନ ହୋଇ ଆଗକୁ ବଢିବାକୁ ହୋଇଥାଏ । ସମସ୍ତେ ଚାହଁାନ୍ତି ସୁବିଧା, ସୁଖ, ସମୃଦ୍ଧିର ପଥ କିନ୍ତୁ ଭୁଲିଯାଆନ୍ତି ଯେ ଅସୁବିଧା, ଦୁଃଖ, ବାଧାବିଘ୍ନ ବିନା ବା ଏକ ସଂଘର୍ଷମୟ ଜୀବନ ବିନା ପ୍ରକୃତ ଜୀବନ ଜୀଇଁବା ସାର୍ଥକ ହୋଇପାରେନା । ଏ ସମ୍ପର୍କରେ ଜଣେ ସାଧୁଙ୍କର ବିଚାର ଆମ ଧାରଣାକୁ ଆହୁରି ସ୍ପଷ୍ଟ କରିପାରିବ ।
ଏକଦା ଜଣେ ଶାଖା ଆଶ୍ରମର ବ୍ରହ୍ମଚାରୀ ସେବକ ମୁଖ୍ୟ ଆଶ୍ରମ ଆସିଥାନ୍ତି । ସେଠାରେ ଦିବସାବଧି ବିଭିନ୍ନ କାର୍ଯ୍ୟରେ ଯୋଗଦେଇ ସେ କିଛି ଅଭିଜ୍ଞତା ହାସଲ କରନ୍ତି ଏବଂ ରାତିରେ ବଡ ମହାରାଜଙ୍କ ସହ କିଛି ସମୟ ବିତାଇଥାଅାନ୍ତି । ଦିନେ ମହାରାଜ ବ୍ରହ୍ମଚାରୀଙ୍କୁ ନିଜ ଆଶ୍ରମ ରହଣୀ ତଥା ସେଠାର ସୁବିଧା ଅସୁବିଧା ସମ୍ପର୍କରେ ପଚାରିଲେ । ସେ ନିଜର ସବୁକଥା, ଦୈନନ୍ଦିନ କାର୍ଯ୍ୟାବଳୀ, ପସନ୍ଦ-ଅପସନ୍ଦ ସବୁକୁ ଅତି ଆପଣାର ଜନପାଖରେ ବ୍ୟକ୍ତ କରିବା ଭଳି କହିଚାଲିଲେ । ସେସବୁ ସହିତ ଆଶ୍ରମାଧ୍ୟକ୍ଷଙ୍କର ତାଙ୍କ ପ୍ରତି ଯେଉଁ ସ୍ନେହ-ଆଦର ତଥା ଭଲପାଇବା ରହିଛି ସେ ସମ୍ପର୍କରେ ମଧ୍ୟ କହିଚାଲିଲେ । କହିଲାବେଳେ ଏହା ମଧ୍ୟ କହିବାକୁ ଭୁଲିଲେ ନାହିଁ ଯେ, ଅଧ୍ୟକ୍ଷ ମହାରାଜ ମୋତେ କେବେହେଲେ କଠୋର ବ୍ୟବହାର କରିନାହାଁନ୍ତି । ସବୁବେଳେ ସେ ମୋ’ ସହିତ ଭଲ ବ୍ୟବହାର କରିଛନ୍ତି । ଏପରିକି ଆଶ୍ରମରେ ମୁଁ କେବେ କାହାରିଠାରୁ ଖରାପ ବା ରୁକ୍ଷତାପୂର୍ଣ୍ଣ କୌଣସି ବ୍ୟବହାର ପାଇନାହିଁ । ତାଙ୍କଠାରୁ ଏସବୁ ଶୁଣିବାପରେ ବଡ ମହାରାଜ କହିଲେ, ‘‘ଏହା କ’ଣ ଏକ ସଫଳ ଜୀବନ ଗଠନର ପରିଚାୟକ ? ତୁମେ ଜାଣିଛ, ନଦୀଟିଏ ଅଙ୍କେଇବଙ୍କେଇ, ବହୁ ପାହାଡ, ପର୍ବତ, ନଈ, ନାଳ ଅତିକ୍ରମ କରି ଶେଷରେ ଯାଇ ସାଗରରେ ମିଳିତ ହୋଇଥାଏ । ଧରାପୃଷ୍ଠରେ ପାଦ ଦେଇଥିବା ପ୍ରତ୍ୟେକଟି ଜୀବନକୁ କିଛି ନାଁ କିଛି ଖାଲଢିପ, ଆବୁଡା-ଖାବଡା, ବାଧାବିଘ୍ନର ସମ୍ମୁଖୀନ ହୋଇ ଏକ ସଂଘର୍ଷପୂର୍ଣ୍ଣ ଜୀବନ ଅତିବାହିତ କରି, ସେଥିରୁ ଜ୍ଞାନଲାଭକରି ଏକ ପୂର୍ଣ୍ଣ ସାର୍ଥକ ଜୀବନ ଲାଭ ହୋଇଥାଏ । ଆଉ ତୁମେ କେବଳ ସମସ୍ତଙ୍କ ଠାରୁ ଭଲ ବ୍ୟବହାର ପାଇ ଖୁସିରେ ଅଛ ବୋଲି କହୁଛ, କାଲି ଆଉ କେଉଁ ଆଶ୍ରମକୁ ଯିବ, ଆଉ କେଉଁ ସ୍ୱାମୀଜୀଙ୍କ ସଂସ୍ପର୍ଶରେ ଆସିବ, ତାଙ୍କ ଠାରୁ ମଧ୍ୟ ତୁମକୁ ଶିକ୍ଷା କରିବାର ରହିଛି । ଯଦି ତୁମେ ରୁକ୍ଷତାର, କର୍କଶ ବ୍ୟବହାରର ସମ୍ମୁଖୀନ ହେବା ଶିଖିଯାଇଥିବ, ତେବେ ତୁମକୁ ଆଉ କୌଣସିଠାରେ କିଛି ଅସୁବିଧା ହେବାର ଆଶା ନଥିବ । ତେଣୁ ସବୁବେଳେ ଏକ ଆହ୍ୱାନପୂର୍ଣ୍ଣ ଜୀବନକୁ ସ୍ୱାଗତ କରିବାର ଆବଶ୍ୟକତା ରହିଛି । ଏହା ତୁମକୁ କେବେହେଲେ ଜୀବନରେ ପଛକୁ ଫେରାଇ ଦେବନାହିଁ, ସମସ୍ତ ବିପଦଆପଦକୁ ସହି ଆଗକୁ ପାଦ ଥାପିବାର ସାହସ ଓ ମନୋବଳ ପ୍ରଦାନ କରିବ ।
କ୍ଷଣିକ ସାଧୁସଙ୍ଗର ସଦୁପଯୋଗ କର —
ଭଗବାନ୍ ଦେବଦୁର୍ଲ୍ଲଭ ଏଇ ମନୁଷ୍ୟ ଶରୀର ଦେଇଛନ୍ତି, ତାହାକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ପାଇଁ ବୁଦ୍ଧି, ବିବେକ, ବିଚାର ଓ ଚିନ୍ତାଶକ୍ତି ଆଦି ବହୁ ଗୁଣାବଳୀରେ ତାକୁ ସୁସଜ୍ଜିତ କରିଛନ୍ତି । କିନ୍ତୁ ଏହାର ସତ୍ ବିନିଯୋଗର ଆବଶ୍ୟକତା ରହିଛି । କ୍ଷଣିକ ସାଧୁସଙ୍ଗ ମଧ୍ୟ ଜୀବନର ମୋଡ ପରିବର୍ତ୍ତନ କରିଦିଏ । ଅତଃ ସାଧୁଙ୍କର ସାକ୍ଷାତକାର ମନୁଷ୍ୟ ଜୀବନରେ ଏକ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ, ଏଥିରେ ଦ୍ୟୁରୁକ୍ତି ନାହିଁ । ତେବେ ସେହି ସୁଯୋଗର ଉପଯୁକ୍ତ ଲାଭନେବା ହିଁ ଆମର କର୍ତ୍ତବ୍ୟ । ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ, ତତୋଽଧିକ ଦୁର୍ଲ୍ଲଭ ସାଧୁସଙ୍ଗତି ଲାଭ । ଭଗବାନ୍ ଆଦି ଶଙ୍ଗରାଚାର୍ଯ୍ୟ ଏ ପ୍ରସଙ୍ଗରେ କହିଛନ୍ତି—
ଦୁର୍ଲ୍ଲଭଂ ତ୍ରୟମେବୈତଦ୍ ଦେବାନୁଗ୍ରହହେତୁକମ୍ । ମନୁଷ୍ୟତ୍ୱଂ ମୁମୁକ୍ଷୁତ୍ୱଂ ମହାପୁରୁଷସଂଶ୍ରୟଃ ।। (ବିବେକ ଚୂୂଡାମଣି-୩)
ମନୁଷ୍ୟ ଏହି ଜନ୍ମରେ ଭବ ବା ସଂସାରରୂପକ ସାଗର ପାରି ହେବା ନିମିତ୍ତ କ୍ଷଣମାତ୍ର ସାଧୁସଙ୍ଗ ମଧ୍ୟ ନୌକା ସଦୃଶ— କ୍ଷଣମିହ ସଜ୍ଜନ-ସଂଗତିରେକା । ଭବତି ଭବାର୍ଣ୍ଣବ-ତରଣେ ନୌକା ।।
ଏହି ପ୍ରସଙ୍ଗରେ ଜନୈକ ସାଧୁ ଓ ତାଙ୍କର ଜଣେ ଭକ୍ତଙ୍କର କଥୋପକଥନ— ଯେତେବେଳେ ଭକ୍ତ ଦିବସାବଧି କାର୍ଯ୍ୟ ସମାପ୍ତି ପରେ ସାଧୁଙ୍କ ନିକଟକୁ ଆସିଛନ୍ତି ଏବଂ ପଦସେବା ଆରମ୍ଭ କରିଛନ୍ତି, ସେତେବେଳେ ସାଧୁ ତାଙ୍କର ଭଲମନ୍ଦ କଥା ପଚାରିଛନ୍ତି । ଆଜି ଆଶ୍ରମକୁ ଆସିଥିବା ଅତିଥି ସାଧୁମାନଙ୍କ ସହ ସାକ୍ଷାତ ପ୍ରସଙ୍ଗ ଉଠାଇ କହିଥିଲେ, ‘କ’ଣ ତୁମେ ସାଧୁସଙ୍ଗ ଲାଭକଲ ?’ ଭକ୍ତ କହିଲେ, ‘ଆଜ୍ଞା ସ୍ୱାମୀଜୀ, ମୁଁ ମହାରାଜଙ୍କୁ ଯାଇ ପ୍ରଣାମ କରିଆସିଛି ।’ ‘ସେ ତୁମକୁ କଣ କହିଲେ ?’ ‘ନାଁ କିଛି କହିନାହାଁନ୍ତି କାରଣ ମୁଁ ତାଙ୍କୁ ଯାଇ ପ୍ରଣାମ କରିଛି । ସେ କିଛି ସମୟ ବସି ସ୍ନାନ ନିମିତ୍ତ ବାହାରିଗଲେ, ତେଣୁ ଆଉ କିଛି ଉପଦେଶ ପାଇନାହିଁ ।’ ଏହାଶୁଣି ସାଧୁ କହିଲେ, ‘‘ଏଥର ମନେରଖ, ଯେତେବେଳେ ବି ତୁମେ ସାଧୁସଙ୍ଗତି ଲାଭ କରିବ, ତାଙ୍କଠାରୁ କିଛି ଜ୍ଞାନ ଆହରଣ, ଉପଦେଶ ଅବା ଆଶୀର୍ବଚନ ପ୍ରାପ୍ତି ହେବ । ମୁକ୍ତିର ମାର୍ଗ ପ୍ରସଙ୍ଗରେ ତାଙ୍କ ପାଖରେ ନିଜର ଶଙ୍କା ଉତ୍ଥାପନ କରିବ । ଜ୍ଞାନ-ଭକ୍ତି ଆଦି କିପରି ଲାଭ କରିବ, ତାହାକୁ ଜିଜ୍ଞାସୁ ମନ ନେଇ ଉପସ୍ଥାପନ କରିବ । ସେହିସବୁ ପ୍ରସଙ୍ଗରେ ଆଲୋଚନା ପର୍ଯ୍ୟାଲୋଚନା ଦ୍ୱାରା ମନ, ବୁଦ୍ଧି, ବିଚାର ସବୁ ମାର୍ଜିତ ତଥା ଶୁଦ୍ଧପବିତ୍ର ହେବ ଏବଂ ଅଧ୍ୟାତ୍ମ ଜ୍ଞାନରେ ନିଜେ ପରିପୁଷ୍ଟି ଲାଭ କରିବ । ଯଦ୍ଦ୍ୱାରା ତୁମକୁ ଏହି ଦୁଃଖଯାତନା ପୂର୍ଣ୍ଣ ସଂସାରର ଆଧିବ୍ୟାଧିରୁ ମଧ୍ୟ ମୁକ୍ତି ମିଳିପାରିବ । ଯଦିବି ତୁମକୁ ଏପରି ଲାଗେ କି ମୋର ସେହିସବୁ ଜ୍ଞାନ ଭକ୍ତି ରହିଛି, ତଥାପି ଆହୁରି ଅଧିକ ତଥା ତୀବ୍ର ଭକ୍ତି ଲାଭ ନିମିତ୍ତ ପ୍ରାର୍ଥନା ଜଣାଇବା ଉଚିତ, ଜିଜ୍ଞାସା ପୋଷଣ କରିବା ଉଚିତ । ନଚେତ୍ ଏ ଭବସାଗର ରୂପୀ ଜଳାର୍ଣ୍ଣବ ପାର ହେବା ଅତୀବ କଠିନ ମନେହେବ ।’’ T
Be First to Comment