Press "Enter" to skip to content

ସାଧୁ-ଦୃଷ୍ଟି…… (3)

ଚିତ୍ରକୂଟର ପବିତ୍ର ସ୍ପର୍ଶ


ସାଧୁ ଓ ଭକ୍ତମାନଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଆସିଛି ଯେ, ଯଦି ଜଣେ ଅଧ୍ୟାତ୍ମପିପାସୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନୀ ସହ ସମ୍ପର୍କ ରଖୁଥିବା ପବିତ୍ର ଚିତ୍ରକୂଟ ପର୍ବତକୁ ଯାଇ ନିଜ ଇଷ୍ଟଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଓ ଉପାସନାରେ ରତ ରହିବେ, ତେବେ ନିଶ୍ଚିତ ଭାବରେ ତାଙ୍କର ମନୋବାଞ୍ଛା ପୂରଣ ହେବ ଏବଂ ସାଧକଙ୍କର ଚିତ୍ତ ଶୁଦ୍ଧି ହେବା ସହିତ ମନ ମଧ୍ୟ ପବିତ୍ର ହେବ ।
କାହିଁ କେଉଁ ପ୍ରାଚୀନ କାଳରୁ ବହୁ ସାଧୁସନ୍ଥଙ୍କର ଜୀବନୀ ଏହି ପବିତ୍ର ସ୍ଥାନ ସହ ଜଡିତ ହୋଇ ରହିଆସିଛି । ଏହି ଚିତ୍ରକୂଟ ଧାମ ଭାରତର ସବୁଠାରୁ ପ୍ରାଚୀନ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ । ଭାରତର ପ୍ରକାଣ୍ଡ ବିଦ୍ୱାନଗଣ ନିଜ ରଚନାରେ ଚିତ୍ରକୂଟର ମହିମା ବ୍ୟାଖ୍ୟା ମଧ୍ୟ କରିଛନ୍ତି । ଆଦିକବି ମହର୍ଷି ବାଲ୍ମୀକି, ମହର୍ଷି ବ୍ୟାସ, ମହାକବି କାଳିଦାସ, ସଂସ୍କୃତ ନାଟ୍ୟକାର ଭବଭୂତି, ସନ୍ଥକବି ତୁଳସୀ ଏପରିକି ଭଗବାନ ଶ୍ରୀରାମ ମଧ୍ୟ ଏହି ପବିତ୍ର ଭୂମିକୁ ବନବାସ ରହଣୀ ନିମିତ୍ତ ଉପଯୁକ୍ତ ସ୍ଥାନ ଭାବରେ ଚୟନ କରିଥିଲେ । ଏହି ଧାମ ପ୍ରାଚୀନ କାଳରୁ ଋଷିମୁନିମାନଙ୍କର ତପଃସ୍ଥଳୀରୂପେ ପରିଚିତ ହୋଇଆସିଛି । ଋଷି ଅତ୍ରି ଓ ସତୀ ଅନସୂୟା ମଧ୍ୟ ଏଠାରେ ଧ୍ୟାନସ୍ଥ ହୋଇଥିଲେ । ଭଗବାନ ଶ୍ରୀରାମ ନିଜ ବନବାସର ୧୧ବର୍ଷ କାଳ ଏହିଠାରେ ବ୍ୟତୀତ କରିଥିଲେ । ଭକ୍ତ ଶିରୋମଣି ତୁଳସୀଦାସ ଏଠାରେ ସାଧନ ରତ ରହି ପ୍ରଭୁ ଶ୍ରୀରାମଙ୍କ ସାକ୍ଷାତ ଦର୍ଶନ ଲାଭ କରିଥିଲେ । ଚିତ୍ରକୂଟର ପୂତପବିତ୍ର ଭୂମି ଯୋଗୀ, ଋଷି ଓ ଶ୍ରଦ୍ଧାଳୁଙ୍କୁ ଅଧ୍ୟାତ୍ମ ସ୍ପର୍ଶ ଦେଇ ଜୀବନର ସାର୍ଥକତା ନିମିତ୍ତ ଆହ୍ୱାନ ଦେଇଥାଏ ।
ଚିତ୍ରକୂଟରେ ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି କିନ୍ତୁ ସାଧୁ ଦୃଷ୍ଟିରେ ଏହାର ମହିମା କିଛି ନିଆରା, ସେ କେବଳ ସାଧନ ନିମିତ୍ତ ତାହାର ପବିତ୍ର ସ୍ପର୍ଶକୁ ଅବଗାହନ କରି ଭଗବତ୍ମୟ ଜୀବନକୁ ଆହ୍ୱାନ କରିବା ସହ ସାରା ଜୀବନକୁ ଉତ୍ସର୍ଗ କରିଦିଏ ।

ସମସ୍ତ ଶିକ୍ଷାର ଧ୍ୟେୟ ହେଉଛି ମନୁଷ୍ୟର ବିକାଶ


ଥରେ ଜଣେ ଯୁବକ ଗୋଟିଏ ପୁସ୍ତକକୁ ସଙ୍ଗରେ ନେଇ ଜନୈକ ବିଶିଷ୍ଟ ମହାତ୍ମାଙ୍କ ନିକଟକୁ ଗଲେ । ମହାତ୍ମାଙ୍କୁ ପ୍ରଣାମ ଜଣାଇବାପରେ ଆସିବାର କାରଣ ପଚାରିବାରୁ ସେହି ଯୁବକ ଜଣକ ହାତରେ ଥିବା ପୁସ୍ତକଟିକୁ ମହାତ୍ମାଙ୍କୁ ବଢ଼ାଇଦେଇ କହିଲେ, ଆପଣଙ୍କୁ ମୋର ଏକ ଅନୁରୋଧ, କୃପାକରି ଆପଣ ଏହି ପୁସ୍ତକଟିରେ ଆପଣଙ୍କର ନାମ ଲେଖିଦିଅନ୍ତୁ । ମହାତ୍ମା ସେଥିରେ ନିଜର ନାମ ଲେଖିଦେଲେ । ତାପରେ ପଚାରିଲେ, କଣ ତୁମେ ଏହି ପୁସ୍ତଟିକୁ ପଢ଼ିବାପାଇଁ ନେଉଛ ? ଯୁବକ ଜଣକ ଉତ୍ତରଦେଲେ, ନାଁ, ମୁଁ ଏପରି ଅନେକ ପୁସ୍ତକକୁ ବିଶିଷ୍ଟ ବ୍ୟକ୍ତିମାନଙ୍କଦ୍ୱାରା ସ୍ୱାକ୍ଷର କରାଇ ଆଲମାରିରେ ସଜାଇ ରଖିଦିଏ, ଅତଃ ଏହି ପୁସ୍ତକଟିକୁ ମଧ୍ୟ ଆଲମାରିରେ ରଖିଦେବାପାଇଁ ନେଉଛି । ଏହାକହି ଯୁବକଜଣକ ସେଠାରୁ ଚାଲିଗଲେ । ମହାତ୍ମାଙ୍କ ନିକଟରେ ଉପସ୍ଥିତ ଥିବା ଶିଷ୍ୟ ଜଣକ ପଚାରିଲେ—ମହାରାଜ ! ଏହିଭଳି ସ୍ୱାକ୍ଷର କରାଇଲେ କଣ ପୁସ୍ତକଗୁଡ଼ିକର କୌଣସି ଐତିହାସିକ ମୂଲ୍ୟବୋଧ ବଢ଼ିଯାଏ ? ଶିଷ୍ୟଙ୍କ କଥା ଶୁଣି ମହାତ୍ମା କହିଲେ— “ପୁସ୍ତକର ମୂଳ ଉଦ୍ଦେଶ୍ୟ ହେଉଛି, ତାହାର ଅଧ୍ୟୟନ କରି ନିଜ ଜୀବନକୁ ତଦନୁସାରେ ଗଢ଼ିବା, ନିଜ ଜୀବନର ବିକାଶ କରିବା । ଯଦି ଏହିଭଳି ଲକ୍ଷ୍ୟ ଲକ୍ଷ୍ୟ ପୁସ୍ତକକୁ ସ୍ୱାକ୍ଷର କରି ରଖିଦିଆଯାଏ, ତେବେ ତାହାର ମୂଳ ଉଦ୍ଦେଶ୍ୟ ପୂର୍ଣ୍ଣ ହୁଏନାହିଁ । ମନୁଷ୍ୟ ନିକଟରେ ଏହିଭଳି ଦୁର୍ମୂଲ୍ୟ ଜ୍ଞାନ ସମ୍ବଳିତ ପୁସ୍ତକ ଥିବାପରେ ବି ସେ ଅଜ୍ଞାନ ହୋଇ ରହିଯାଏ । ଏହା ଆଜିକାଲିର ଏକ ନୂଆ ଫେସନ ହୋଇଗଲାଣି । ଲୋକମାନେ କେବଳ ଦେଖାଇହେବାପାଇଁ ପୁସ୍ତକ କ୍ରୟ କରୁଛନ୍ତି, ଅଧ୍ୟୟନ କରି ଜୀବନରେ ପ୍ରତିଫଳନ କରିବାପାଇଁ ନୁହେଁ ।”
ସବୁଠାରୁ ଦୁଃଖର କଥା ହେଉଛି, ଆମ ପାଖରେ ମୂଲ୍ୟବାନ୍‌ ଗ୍ରନ୍ଥ ସବୁ ରହିଛି, ହେଲେ ଆମେ ସେ ସବୁକୁ ଲାଲ କପଡ଼ାରେ ବାନ୍ଧି ଠାକୁରଙ୍କ ଘରେ ରଖି ପୂଜା କରୁଛୁ । କେବେ ବି ପୃଷ୍ଠା ଲେଉଟାଉ ନାହୁଁ, କି ସେଥିରୁ କୌଣସି ଶିକ୍ଷା ପ୍ରାପ୍ତ କରିବାପାଇଁ ଚାହୁଁନାହୁଁ । ପ୍ରକୃତରେ ଏପରି କଲେ ଗ୍ରନ୍ଥ ହେଉ ଅବା ଆଲମାରିରେ ସଜା ଯାଇଥିବା ପୁସ୍ତକ ହେଉ କାହାରବି ସମ୍ମାନ ରକ୍ଷା ହୋଇନଥାଏ ବରଂ ସେଥିରେ ଥିବା ଜ୍ଞାନର ଅପମାନ ହୋଇଥାଏ । କାହା ପାଖରେ କେତେ ପୁସ୍ତକ ଅଛି ତାହା ବଡ଼କଥା ନୁହେଁ ବରଂ କିଏ ପୁସ୍ତକଗୁଡ଼ିକୁ ଅଧ୍ୟୟନ କରି ତଦ୍‌ ଅନ୍ତର୍ଗତ ଜ୍ଞାନକୁ ଜୀବନରେ ପ୍ରତିଫଳନ କରୁଛନ୍ତି, ତାହା ସବୁଠାରୁ ବଡ଼ କଥା । ସ୍ୱାମୀ ବିବେକାନନ୍ଦ ମଧ୍ୟ କହୁଥିଲେ— ‘ସମସ୍ତ ଶିକ୍ଷାର ଧ୍ୟେୟ ହେଉଛି ମନୁଷ୍ୟର ବିକାଶ ।’ ଆମେ କଣ ଏକଥା କେବେ ଭାବିପାରିଛୁ !

ସଂସ୍କୃତ ପଠନରୁ ସୁସଂସ୍କୃତ

ଏକଦା ଜଣେ ଭକ୍ତ ସନ୍ଧ୍ୟା ଆଳତି ପରେ ଆଶ୍ରମାଧ୍ୟକ୍ଷଙ୍କୁ ସାକ୍ଷାତ କରିବା ପାଇଁ ଗଲେ, ସେ ବୃତ୍ତିରେ ଅଧ୍ୟାପନା କାର୍ଯ୍ୟ କରୁଥିଲେ । ସାରଙ୍କୁ ନିକଟରେ ଦେଖି ଅଧ୍ୟକ୍ଷ ମହାରାଜ ସହସା ପଚାରିଲେ, ‘‘କ’ଣ ତୁମର ଜୀବିକା, ପରିବାର ସବୁ ଠିକ୍ ଠାକ୍ ଚାଲିଛି ତ ! ପିଲାମାନଙ୍କର ପରୀକ୍ଷା ଶେଷ ହେଲାଣି ନାଁ ନାହିଁ ?’’ ସେ ଉତ୍ତରଦେଲେ, ଆନ୍ତରିକ (Internal) ପରୀକ୍ଷା ସବୁ ଶେଷ ହୋଇଗଲାଣି କିନ୍ତୁ ସମାପ୍ତିସୂଚକ (Final) ପରୀକ୍ଷା ସରିନାହିଁ । ଆସନ୍ତା କାଲିଠାରୁ ଆରମ୍ଭହେବ । କିନ୍ତୁ କିଛି ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଗଲାଣି ।
ମହାରାଜ ତାଙ୍କ ଉତ୍ତର ଶୁଣୁ ଶୁଣୁ ପାଖରେ ଥିବା ଖବରକାଗଜଟିକୁ ଦେଖାଇ ଦେଇ କହିଲେ, ଦେଖ ପିଲାମାନଙ୍କ କୀର୍ତ୍ତିରାଜି । ଏସବୁ ତ ନିତିଦିନିଆ କଥା ହୋଇଗଲାଣି । କଲିକତାର ବିଭିନ୍ନ କଲେଜମାନଙ୍କରେ ଫାଇନାଲ ପରୀକ୍ଷାରେ ପିଲାମାନେ କିଭଳି ଲଙ୍କାକାଣ୍ଡ ଘଟାଉଛନ୍ତି । ତାହା ଆଜିକାଲିର ସବୁ ଖବରକାଗଜର ପୃଷ୍ଠା ଓଲଟାଇଦେଲେ ବଡବଡ ଅକ୍ଷରରେ ଛପା ହୋଇଚାଲିଛି । କିଛି ଟିକିଏ ଅସୁବିଧା ହେଲେ ପରୀକ୍ଷାକୁ ପରିତ୍ୟାଗ କରାଯାଉଛି । ଏଭଳି ଅମାନୁଷିକ ବିଶୃଙ୍ଖଳିତ ଆଚରଣ ପିଲାମାନଙ୍କ ମଧ୍ୟରେ ବଢିବାକୁ ଲାଗିଛି । ଯାହା ସମାଜ ଓ ରାଷ୍ଟ୍ର ପାଇଁ କ୍ଷତିକାରକ ଅଟେ । ସେମାନେ ସବୁ ଭବିଷ୍ୟତର ଜାତି ନିର୍ମାତା, ଦେଶର ଭବିଷ୍ୟତ ବଂଶଧର କିନ୍ତୁ ଏଭଳି ବିଶୃଙ୍ଖଳିତ ଆଚରଣ ଏହି ଶିକ୍ଷାବସ୍ଥାକୁ କଳଙ୍କିତ କରିବା ସହ ଆମ ଦେଶକୁ ଅନ୍ଧକାର ମଧ୍ୟରେ ପତିତ କରାଇଥାଏ । ପାଶ୍ଚାତ୍ୟଦେଶ ଏଭଳିକି ଆମେରିକାରେ ମଧ୍ୟ ଏଭଳି ଆଚରଣମାନ ବୃଦ୍ଧି ପାଇବାକୁ ଲାଗିଛି ।
ଆମ ସମୟରେ ଆମେ ଚାଣକ୍ୟଶ୍ଳୋକ, ନୀତିଶିକ୍ଷା, ହିତୋପଦେଶ ଆଦି ପାଠ କରୁଥିଲୁ । ସେହି ପୁସ୍ତକ ମାନଙ୍କରୁ ବହୁ ଶିକ୍ଷାପ୍ରଦ ନୈତିକ ଜୀବନୀ, ଗଳ୍ପ ଆଦି ମାଧ୍ୟମରେ ଜୀବନ ଗଠନକାରୀ ଶିକ୍ଷା ପ୍ରାପ୍ତ ହେଉଥିଲୁ । ଯାହା ମନ ମଧ୍ୟରେ ଦୃଢ ମାନସିକତା, ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି କରିବା ସହ ନୂତନ କଳାକୌଶଳପୂର୍ଣ୍ଣ ଜୀବନ ବିତାଇବା ପାଇଁ ଆଗ୍ରହ ସୃଷ୍ଟି କରୁଥିଲା । ସଂସ୍କୃତ ପଠନରୁ ଜୀବନ ହୁଏ ସୁସଂସ୍କୃତ ଓ ମାର୍ଜିତ । ଆଚରଣରେ ଶାଳୀନତା ବିଦ୍ୟା ଆହରଣର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭଳି ମନେହୁଏ । ଆଉ ବିଦ୍ୟା ଆହରଣ କରି ଯଦି କୁ-ଆଚରଣ କରୁଥିବା ତେବେ ସେହି ବିଦ୍ୟା ଉପଯୁକ୍ତ ନୁହେଁ ବୋଲି ଧରିନେବା ଉଚିତ ।
କିନ୍ତୁ ତୁମେ ଦେଖ, ବର୍ତ୍ତମାନ ସେଭଳି ପୁସ୍ତକର ବ୍ୟବହାର ଆଉ ଦେଖାଯାଉନାହିଁ । ନୈତିକ ଶିକ୍ଷା ବିଦ୍ୟାଳୟ ପାଠ୍ୟ ଖସଡାରୁ ଦୂରେଇ ଯିବା ଭଳି ମନେହେଉଛି । ସଂସ୍କୃତ ପ୍ରତି ହେୟ ମନୋଭାବ ସୃଷ୍ଟି ହେଉଛି । ମନେହେଉଛି ପିଲାମାନଙ୍କର ଏଭଳି ବିଶୃଙ୍ଖଳିତ ଆଚରଣ ବୃଦ୍ଧିର ପ୍ରଧାନ କାରଣ ସଂସ୍କୃତ ଶିକ୍ଷା ପ୍ରତି ହେୟ ମନୋଭାବ, ଯାହା ସମାଜ ଓ ରାଷ୍ଟ୍ର ପାଇଁ ଅହିତକର ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.