Press "Enter" to skip to content

ଶରୀର ତଥା ଆତ୍ମବଳ ଦ୍ୱାରା ପୁରୁଷାର୍ଥ

Last updated on August 13, 2022

ଉତ୍ କ୍ରାମାତଃ ପୁରୁଷ ମାବ ପତ୍ଥାମୃତ୍ୟୋଃ ପଡ୍ ବୀଶମବମଞ୍ଚମାନଃ ।
ମା ଚ୍ଛିତ୍ଥା ଅସ୍ମାଲ୍ଲୋକାଦଗ୍ନେଃ ସୂର୍ଯ୍ୟସ୍ୟ ସଂଦୃଶଃ ।।
(ଅଥର୍ବବେଦ – ୮/୧/୪)

ଭାବାର୍ଥ : ହେ ମନୁଷ୍ୟ ! ତୁମକୁ ନିଜର ବର୍ତ୍ତମାନ ଅବସ୍ଥାରେ ସନ୍ତୁଷ୍ଟ ରହିବା ଉଚିତ ନୁହେଁ । ତୁମେ ଆଗକୁ ବଢ ଆଉ ଶରୀର ତଥା ଆତ୍ମବଳ ଦ୍ୱାରା ପୁରୁଷାର୍ଥ କର ।
ବ୍ୟାଖ୍ୟା — ସଂସାରର ଗୂଢ ରହସ୍ୟକୁ ଭେଦ କରିବା ଅତ୍ୟନ୍ତ ଦୁଷ୍କର । ପ୍ରତିଦିନ ମନୁଷ୍ୟ ଏହି ରହସ୍ୟ ଉନ୍ମୋଚନ ନିମିତ୍ତ ନୂତନ ନୂତନ ପ୍ରୟାସ କରିଚାଲିଛି । ପ୍ରଗତିର ଉନ୍ନତିର ଏହା ହିଁ ଆଧାର । ଉଠ, ଚାଲ, ପଡ, ପୁଣି ଉଠି ଆଗକୁ ଚାଲ, ବାରମ୍ବାର ପ୍ରଚେଷ୍ଟା କର । ନିରନ୍ତର ଉଦ୍ୟତ କର, ସାହସ ହରାଅ ନାହିଁ, ଧୀରେ ଧୀରେ ଶିଖରରେ ଉପନୀତ ହୋଇଯିବ । ଅସଫଳତାରେ ଧୈର୍ଯ୍ୟହରା ହୁଅନାହିଁ । ଏଥିରୁ ତ କେବଳ ଏହା ଅନୁୁମେୟ କରିହୁଏ ଯେ ସଫଳତା ନିମିତ୍ତ ପୂର୍ଣ୍ଣ ମାତ୍ରାରେ ପ୍ରୟାସ ହୋଇନାହିଁ । ତେଣୁ ଶତଗୁଣ ପ୍ରୟାସର ଆବଶ୍ୟକତା ରହିଛି ।
କିନ୍ତୁ ଏସବୁ କଣ ଖାଲି କହିଦେଲେ ହୋଇଯିବ ? ଶରୀରବଳ ଓ ଆତ୍ମବଳର ଅଭାବରେ କଣ ଏସବୁ ସମ୍ଭବ ? ନାଁ ଏସବୁ ପାଇଁ ତ ତପ, ସଂଯମ, ବ୍ରହ୍ମଚର୍ଯ୍ୟ ଦ୍ୱାରା ଶରୀରକୁ ପୁଷ୍ଟ କରିବା ଦରକାର, ଯଦ୍ଦ୍ୱାରା ସାଂସାରିକ ବାଧାସବୁ ଅନାୟାସରେ ପାର କରିପାରିବା । ଶରୀର ଉପରେ ଏଭଳି ନିୟନ୍ତ୍ରଣ ସଂଯମ ରୂପୀ ସାଧନାକୁ ସରଳ କରିଦେଇଥାଏ । ଇନ୍ଦ୍ରିୟକୁ ବଶ କରିବାର ଏହା ପ୍ରଥମ ସୋପାନ । ମହାନ ହେବାପାଇଁ ଆତ୍ମଶକ୍ତି ଅତ୍ୟନ୍ତ ଆବଶ୍ୟକ, ଏହାଦ୍ୱାରା ଅନ୍ୟସବୁକୁ ମଧ୍ୟ ଅର୍ଜନ କରାଯାଇପାରିବ । ଯାହାର ଆତ୍ମବଳ ବଳବାନ୍, ସେ ଜୀବନର ଆଦର୍ଶ ସିଦ୍ଧାନ୍ତକୁ ଜୀବନରେ ପ୍ରତିଫଳିତ କରିବା ସହ ଉତ୍ତରୋତ୍ତର ପ୍ରଗତି କରିଚାଲିଥାଏ । ଆମକୁ ଆମ ଜୀବନରେ ସୂର୍ଯ୍ୟଦେବତାଙ୍କୁ ନିଜର ଆଦର୍ଶ କରିବା ଦରକାର — ପ୍ରତି କ୍ଷଣ, ପ୍ରତି ମୁହୂର୍ତ୍ତ, ନିରନ୍ତର ନିଜ ଲକ୍ଷ୍ୟ ଆଡକୁ ଅଗ୍ରସର । ସଂସାରର ଉପକାର ନିମିତ୍ତ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିବାକୁ ତତ୍ପର । ସମସ୍ତଙ୍କୁ ପ୍ରକାଶ, ତାପ ଓ ଊର୍ଜାର ଅନୁଦାନ ବିତରଣ କରିଦେବାପାଇଁ ତତ୍ପର । ସଂସାରର ମଳ ନଷ୍ଟ କରିବାର ଆତ୍ମବଳରେ ସମ୍ପନ୍ନ ରହିବାରେ ସଦା ସଂଲଗ୍ନ । ସ୍ୱାର୍ଥ ବିହୀନ କର୍ମରେ ସଦା ତତ୍ପର, ଏହାହିଁ ଜୀବନରେ ସଫଳତାର ରହସ୍ୟ ।
ଗୋଟିଏ ଉକ୍ତି ରହିଛି — ମନୁଷ୍ୟ ଯଦି ପ୍ରୟାସ କରିବ, ତେବେ ନରରୁ ନାରାୟଣ ହୋଇଯିବ । ଆମର ଋଷିମୁନିଗଣ ସମଗ୍ର ସଂସାରକୁ ଏହି ବାର୍ତ୍ତା ଦେଇଯାଇଛନ୍ତି । ଦେବତ୍ୱ ଗୁଣାବଳୀକୁ ନିଜର ଆଚରଣ ମାଧ୍ୟମରେ ଧାରଣକରିବାର ପ୍ରୟାସରେ ଆମେ କେବେ ବି ହେଳା କରିବା ଅନୁଚିତ ।

ସୂର୍ଯ୍ୟଙ୍କ ସମ ପ୍ରଗତି ନିମିତ୍ତ ସତତ ପ୍ରୟାସରତ ରହିବା ହିଁ ଜୀବନ ଅଟେ,ଏହା ହିଁ ବ୍ରାହ୍ମଣର ଧର୍ମ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.