Press "Enter" to skip to content

ଅଧ୍ୟାତ୍ମ ହିଁ ଅନ୍ତର୍ଜଗତର ବିଜ୍ଞାନ

ସ୍ୱାମୀ ଶଶାଙ୍କାନନ୍ଦ


ବିଜ୍ଞାନର ଅର୍ଥ ହେଉଛି, ଯେକୌଣସି ବିଷୟ ସମ୍ବନ୍ଧରେ ବିଶେଷ ଜ୍ଞାନ ଲାଭ କରିବା । ଯଦି ଆମେ ଇତିହାସ ରଚନାର ପୂର୍ବ କଥା ବିଚାର କରିବା ତେବେ ଆମକୁ ପାଷାଣ ଯୁଗକୁ ଯିବାପାଇଁ ପଡ଼ିବ । ସେ ସମୟରେ ମାନବକୁ ନାଁ ତ ବାହ୍ୟ ପ୍ରକୃତିର ରହସ୍ୟ ସମ୍ବନ୍ଧରେ ଜ୍ଞାତ ଥିଲା ଆଉ ନାଁ ନିଜ ସ୍ୱରୂପ ସମ୍ବନ୍ଧରେ କୌଣସି ଜ୍ଞାନ ଥିଲା । ତାକୁ ତ କେବଳ କ୍ଷୁଧା, ନିଦ୍ରା, ଭୟ ଆଉ ମୈଥୁନର ଅନୁଭବ ଥିଲା । ସଭ୍ୟତା ଏବଂ ସଂସ୍କୃତିର ତ ଜନ୍ମ ସୁଦ୍ଧା ହୋଇନଥିଲା । ସେମାନଙ୍କୁ କ୍ଷୁଧା ଲାଗିଲେ ପଶୁମାନଙ୍କୁ ଅବା ପରସ୍ପରକୁ ମାରି ଖାଇଯାଉଥିଲେ । ନିଦ ଆସିଲେ, ଯେକୌଣସିଠାରେ ଏମିତିକି ଗୁମ୍ଫାରେ ଅବା ବୃକ୍ଷର ପାଦଦେଶରେ ଶୋଇଯାଉଥିଲେ, ଭୟ କାରଣରୁ ଆଶ୍ରୟ ଖୋଜୁଥିଲେ । ଏହିଠାରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ସେମାନେ ପ୍ରକୃତି ମଧ୍ୟରେ ଚତୁର୍ଦ୍ଦିଗରେ ଯାହା ଦେଖୁଥିଲେ, ସେଥିରେ କ୍ଷୁଧା ଦୂର କରିବାପାଇଁ ଖାଦ୍ୟପଦାର୍ଥ ଉତ୍ପତ୍ତିର ସାଧନ ଖୋଜିବାରେ ଲାଗିଲେ, ଥଣ୍ଡା ଲାଗିବାରୁ ବସ୍ତ୍ର ପରିଧାନ କରିବା କଥା ଭାବିବାରେ ଲାଗିଲେ, ପରସ୍ପର ଭୟ କାରଣରୁ ନିବାସ ନିର୍ମାଣ କରିବା କଥା ଚିନ୍ତାକଲେ । ଏପ୍ରକାର ପ୍ରୟାସ ଏବଂ ଏ ଦିଗରେ ସକ୍ରିୟ ହେବା କାରଣରୁ ସେମାନଙ୍କୁ ପ୍ରକୃତି ବିଷୟରେ ଜ୍ଞାନ ହେବାକୁ ଲାଗିଲା । ଧୀରେ ଧୀରେ କୃଷି-ବିଜ୍ଞାନ, ବସ୍ତ୍ର-ଉଦ୍ୟୋଗ, ଚିକିତ୍ସା, ଶଲ୍ୟ-ଚିକିତ୍ସା, ବିଜ୍ଞାନର ବିକାଶ ହେଲା । କଳା, ଚିତ୍ରକଳା, ସଙ୍ଗୀତ ଏବଂ ନୃତ୍ୟର ବିକାଶ ହେଲା । ରାସ୍ତା, ସଡ଼କ, ଗାଡ଼ି ଆଦିର ନିର୍ମାଣ ହେଲା । ଭାରତ ଯେତେବେଳେ ଧନଧାନ୍ୟ ସମ୍ପନ୍ନ ଏବଂ ସମୃଦ୍ଧଶାଳୀ ହୋଇସାରିଥିଲା, ସେତେବେଳେ ଅନ୍ୟ ଦେଶବାସୀମାନେ ବି ଜଙ୍ଗଲରେ ରହୁଥିଲେ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି କି, ସମୃଦ୍ଧଶାଳୀ ହେବାପରେ ବି କଣ ମନୁଷ୍ୟ ସୁଖୀ ହୋଇପାରିଛି ? ଭୌତିକ ବିଜ୍ଞାନର ପ୍ରଗତି ଆମକୁ ଧନଧାନ୍ୟ ସମ୍ପନ୍ନ କରି ଦେଇଛି ହେଲେ ତାଦ୍ୱାରା ଯେଉଁ ବସ୍ତୁମାନଙ୍କର ପ୍ରାପ୍ତି ହେଲା, ସେ ସବୁ କ୍ଷଣିକ । କ୍ଷଣିକ ହୋଇଥିବା କାରଣରୁ ତାହାର ଅଭାବରେ ଦୁଃଖ ପ୍ରାପ୍ତି ହେଉଥିଲା । ଭୌତିକ ବିଷୟମାନଙ୍କର ପ୍ରାପ୍ତି ସୁଲଭ ହେବାପରେ ବି ସୁଖପ୍ରଦ ହୋଇଥାଏ, କିନ୍ତୁ ଅଭାବରେ ତାହା ଦୁଃଖର କାରଣ ହୋଇଯାଏ । ଆମେ ପୁନର୍ବାର ତାହାର ଆଶା କରିଥାଉ ଆଉ ପ୍ରାପ୍ତି ନହେଲେ ଦୁଃଖ ପ୍ରାପ୍ତି କରିଥାଉ । ଏଥିପାଇଁ ଏହି ବୈଜ୍ଞାନିକମାନଙ୍କ ମଧ୍ୟରେ ଯେଉଁମାନେ ବୁଦ୍ଧିମାନ ଥିଲେ, ସେମାନେ ବିଚାର କରିବା ଆରମ୍ଭ କରିଦେଲେ । ସେମାନେ ଏହି ନିଷ୍କର୍ଷରେ ଉପନୀତ ହେଲେ ଯେ, କ୍ଷଣିକ ବିଷୟରେ ସୁଖ ନାହିଁ । ସୁଖ ତ ସେହି ବିଷୟରେ ହୋଇପାରେ, ଯାହା ଅନନ୍ତ ଅଟେ, ଯାହାର ଅନ୍ତ ନାହିଁ, ଯାହା କ୍ଷଣିକ ନୁହେଁ ବରଂ ସର୍ବଦା ଆମ ସଙ୍ଗରେ ରହିଥାଏ । ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଲେ କି, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବାହାରେ ସୁଖ ଖୋଜୁଥିଲୁ, କାହିଁକି ନାଁ ଆମକୁ ବ୍ରହ୍ମା ବାହ୍ୟମୁଖୀ କରିଦେଇଛନ୍ତି । ଏଥିପାଇଁ ବର୍ତ୍ତମାନ ଧ୍ୟାନସ୍ଥ ହୋଇ ଭିତରେ ଖୋଜିବାକୁ ଲାଗିଲୁ ।
ଉପନିଷଦରେ ଏହାର ବର୍ଣ୍ଣନା ଦେଖିବାକୁ ମିଳିଥାଏ—
କଶ୍ଚିତ୍‌ଧୀରାଃ ପ୍ରତ୍ୟଗାତ୍ମାନମୈକ୍ଷଦାବୃତ୍ତଚକ୍ଷୁଃ ଅମୃତତ୍ତ୍ୱମିଚ୍ଛନ୍‌ ।
ଗଭୀର ଧ୍ୟାନ ଅର୍ଥାତ୍‌ ସମାଧି ଅବସ୍ଥାରେ ସେହି ବୈଜ୍ଞାନିକମାନେ ମନ୍ତ୍ରଦ୍ରଷ୍ଟା ଅର୍ଥାତ୍‌ ଋଷି ହୋଇଗଲେ ଆଉ ସେମାନଙ୍କୁ ସେହି ଚରମ ଜ୍ଞାନ ପ୍ରାପ୍ତ ହେଲା ଯାହାକୁ ପ୍ରାପ୍ତ କରି ସେମାନେ କହିଉଠିଲେ—
ବେଦାହମେତଂ ପୁରୁଷଂ ମହାନ୍ତଂ
ଆଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍‌ ।
ତମେବ ବିଦିତ୍ୱା ଅତି ମୃତ୍ୟୁମେତି
ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ । ।
ଅର୍ଥାତ୍‌— “ମୁଁ ସେହି ମହାନ୍‌ ପୁରୁଷଙ୍କୁ ଜାଣିଗଲି, ଯିଏ ସମସ୍ତ ଅନ୍ଧକାରରୁ ଊର୍ଦ୍ଧ୍ୱରେ ସ୍ଥିତ ପ୍ରକାଶ ସ୍ୱରୂପ ଅଟନ୍ତି, ଯାହାକୁ ଜାଣି ମନୁଷ୍ୟ ମୃତ୍ୟୁକୁ ପାର କରିନିଏ । େଥିପାଇଁ ଅନ୍ୟ କୌଣସି ଦ୍ୱିତୀୟ ମାର୍ଗ ନାହିଁ ।”
ଏଠାରେ ପ୍ରାପ୍ତ କରିବାର ଅର୍ଥ କୌଣସି ବସ୍ତୁର ପ୍ରାପ୍ତି ନୁହେଁ ବରଂ ଅନୁଭବର ଅଟେ । କାରଣ, ଏହି ଅବସ୍ଥାରେ ଋଷିଗଣ ଅନୁଭବ କରିଛନ୍ତି କି, ସେମାନେ ଶରୀର ନୁହଁନ୍ତି, ଇନ୍ଦ୍ରିୟ ନୁହଁନ୍ତି, ମନ ନୁହଁନ୍ତି, ବୁଦ୍ଧି ମଧ୍ୟ ନୁହଁନ୍ତି ବରଂ ଏସବୁଠାରୁ ଊର୍ଦ୍ଧ୍ୱରେ ସ୍ଥିତ ଆତ୍ମା ଅଟନ୍ତି, ଯାହା ଆମର ପ୍ରକୃତ ସ୍ୱରୂପ ଅଟେ । ସେହି ଆତ୍ମା ସମସ୍ତଙ୍କ ଭିତରେ ବିରାଜମାନ କରନ୍ତି ଏବଂ ଅସୀମ, ଅନନ୍ତ, ଅଜନ୍ମା, ଏକମେବାଦ୍ୱିତୀୟଂ ବ୍ରହ୍ମଙ୍କର ଅଂଶ ମାତ୍ର ଅଟନ୍ତି । “ବ୍ରହ୍ମବିଦ୍‌ ବ୍ରହ୍ମୈବ ଭବତି”—ବ୍ରହ୍ମଙ୍କୁ ଜାଣିନେଲେ ବ୍ରହ୍ମ ହୋଇଯାନ୍ତି । ଯେଉଁଭଳି ବର୍ଷା ଜଳ ଅଥବା ପ୍ରବହମାନ ନଦୀ ସମୁଦ୍ରରେ ମିଳିତ ହୋଇ ସମୁଦ୍ର ହୋଇଯାଏ ।
ଏଭଳି ଆତ୍ମଜ୍ଞାନ ହେଲେ ଆତ୍ମଜ୍ଞାନୀ ନିଜକୁ ଆତ୍ମା ଅନୁଭବ କରିଥାନ୍ତି, ଯିଏ ଅନନ୍ତ ଅଟନ୍ତି, ଅନନ୍ତ ସୁଖ ଏବଂ ଆନନ୍ଦର ମୂଳଉତ୍ସ ଅଟନ୍ତି । ସେ ନାଁ କୌଣସି ଶାସ୍ତ୍ରଦ୍ୱାରା ଛେଦନ କରିହୁଅନ୍ତି, ନାଁ ଅଗ୍ନିଦ୍ୱାରା ପ୍ରଜ୍ଜ୍ୱଳିତ ହୁଅନ୍ତି, ନାଁ ଜଳଦ୍ୱାରା ଆଦ୍ର ହୁଅନ୍ତି, ନାଁ ବାୟୁ ତାଙ୍କୁ ଶୁଷ୍କ କରିପାରେ ବରଂ ସେ ତ ଅମର ଅଟନ୍ତି, ତାଙ୍କର ନାଁ ତ ଜନ୍ମ ହୁଏ, ନାଁ ମୃତ୍ୟୁ ହୁଏ, ଯେତେବେଳେ ଆତ୍ମାର ଅନ୍ତ ହୁଏନାହିଁ, ତେବେ ଯେଉଁ ସୁଖ ତାଙ୍କର ପ୍ରାପ୍ତି ହୋଇଥାଏ, ତାହା କଦାପି କ୍ଷୀଣ ହୁଏନାହିଁ । ଏଥିପାଇଁ ତାହା ପରମସୁଖ ଅଟେ, ତାହା ପରମ ପଦ ଅଟେ, ଯାହା ସହିତ ଦୁଃଖ ଲେଶମାତ୍ର ଯୁକ୍ତ ହୋଇନଥାଏ ।
ଋଷିମାନେ ସେମାନଙ୍କ ଶିଷ୍ୟମାନଙ୍କୁ ଏହି ଆତ୍ମଜ୍ଞାନ ଲାଭ କରାଇଲେ । ସେମାନଙ୍କୁ ସାଧନାର ମାର୍ଗ ସମ୍ବନ୍ଧରେ ଅବଗତ କରାଇଲେ ଏବଂ ଏହି ଉଚ୍ଚ ଅବସ୍ଥାରେ ଉପନୀତ ହେବାର ମାର୍ଗ ଦର୍ଶନ କରାଇଲେ । ଏହି ଜ୍ଞାନ ଗୁରୁ-ଶିଷ୍ୟ ପରମ୍ପରା ଅନୁସାରେ ମୌଖିକ ରୂପେ ଚାଲିଆସୁଥିଲା । ପରେ ଲିପିବଦ୍ଧ ହୋଇ ବେଦ ରୂପରେ, ଗ୍ରନ୍ଥରୂପରେ ପ୍ରସିଦ୍ଧ ହେଲା । ଯେତେବେଳେ ଭାରତ ଏକପକ୍ଷରେ ସମୃଦ୍ଧଶାଳୀ ଥିଲା, ସେତେବେଳେ ଅନ୍ୟପକ୍ଷରେ ଆତ୍ମଜ୍ଞାନସମ୍ପନ୍ନ ମଧ୍ୟ ଥିଲା, ଇତିହାସରେ ସେହି କାଳକୁ ବୈଦିକ କାଳ କୁହାଯାଏ । ସ୍ୱାମୀ ବିବେକାନନ୍ଦ କହିଛନ୍ତି କି, ଯେତେବେଳେ ଭାରତରେ ବୈଦିକ କାଳ ଚାଲୁଥିଲା, ସେତେବେଳେ ରୋମ୍‌ର ଜନ୍ମ ମଧ୍ୟ ହୋଇନଥିଲା, ୟୁରୋପର ଅସ୍ତିତ୍ୱ ନଥିଲା ଆଉ ସେଠାକାର ଲୋକମାନେ ନୀଳରଙ୍ଗରେ ମୁଖକୁ ରଙ୍ଗୀନ୍‌ କରି ଜଙ୍ଗଲରେ ଘୂରିବୁଲୁଥିଲେ । ଅର୍ଥାତ୍‌ ସଭ୍ୟତା ଏବଂ ସଂସ୍କୃତିର ବିକାଶ ସର୍ବପ୍ରଥମେ ଭାରତରେ ହିଁ ହୋଇଥିଲା । ଏହାର ପ୍ରଭାବ ଏସିଆ ଦେଶମାନଙ୍କରେ ବହୁତ ଭଲଭାବରେ ପଡ଼ିଥିଲା ।
ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ ସଭ୍ୟତା ଏବଂ ସଂସ୍କୃତିର ଅନ୍ୟ ଏକ ରୂପ ବିକଶିତ ହେଲା, ଯାହାକୁ ଆମେ ଭୋଗବାଦୀ ସଂସ୍କୃତି କହିଥାଉ । ଦୁର୍ଭାଗ୍ୟବଶତଃ ୨୦୦୦ବର୍ଷର ବାହ୍ୟ ଆକ୍ରମଣ, ଅନ୍ୟ ଜାତିମାନଙ୍କର ପ୍ରବେଶ ତଥା ବ୍ରିଟିଶ ରାଜ୍ୟର ସ୍ଥାପନା ଆମକୁ ଆମର ସଭ୍ୟତା ଏବଂ ସଂସ୍କୃତିରୁ ବହୁତ ଦୂରକୁ ନେଇଯାଇଛି । ଆମ ଖାଦ୍ୟପାନୀୟରେ, ବସ୍ତ୍ର-ଆଭୂଷଣରେ, ଚଳପ୍ରଚଳ ହେବା ସମୟରେ, ବ୍ୟବହାରରେ, ସମସ୍ତ ପାଶ୍ଚାତ୍ୟ ସଭ୍ୟତାର ସ୍ୱରୂପ ନିଜ ସ୍ଥାନ ନେଇସାରିଛି । ଆମର ଜୀବନ ମଧ୍ୟ ଭୋଗବାଦୀ ଜୀବନ ହୋଇସାରିଛି । ବର୍ତ୍ତମାନ ଆତ୍ମଜ୍ଞାନ ଏବଂ ମୁକ୍ତି ଆମ ଜୀବନର ଉଦ୍ଦେଶ୍ୟ ହୋଇ ରହିନାହିଁ । ତାହାର ସ୍ଥାନ ତ ଧନ ଏବଂ ବିଷୟଭୋଗ ନେଇସାରିଛି । କିନ୍ତୁ ଯେଉଁ ଶିକ୍ଷାପ୍ରଣାଳୀ ଲର୍ଡ଼ ମାଇକେଲଙ୍କ ପରାମର୍ଶରେ ଆମ ଦେଶକୁ ଅଣାଯାଇଛି, ତାହା ଆମକୁ ଚାକର କରିବା ଶିଖାଇଦେଇଛି, ମାଲିକ କହିବାରେ ଆମକୁ ଲଜ୍ଜା ଏବଂ ସଂକୋଚ ହେଉଛି । ସ୍ୱନିର୍ଭର ଏବଂ ସ୍ୱରୋଜଗାର ଆମକୁ ବହୁତ କଠିନ ଏବଂ ଅସମ୍ଭବ ଲାଗୁଛି । ଏଥିପାଇଁ ରାଜନୈତିକ ସ୍ୱତନ୍ତ୍ରତା ମିଳିବାପରେ ମଧ୍ୟ ଆମେ ଚାକର ହୋଇ ରହିଯାଇଛୁ । ଆମକୁ ନିଜଠାରେ ବିଶ୍ୱାସ ନାହିଁ, ସାହାସ ନାହିଁ କି ଆମେ ବିପରୀତ ପରିସ୍ଥିତିମାନଙ୍କରେ ସଂଘର୍ଷ କରିବାର ସାହାସ ଜୁଟାଇପାରିବା ନାହିଁ । ଆମେ ଆମକୁ ଦୀନ-ହୀନ ମନେକରିବାରେ ଲାଗିଛୁ । ଆତ୍ମଜ୍ଞାନ ଏବଂ ଆତ୍ମ-ବିଶ୍ୱାସ ତ କେବଳ ଶାସ୍ତ୍ରସମୂହର ପୃଷ୍ଠାରେ ରହିଯାଇଛି, ଯାହାକୁ ପଢ଼ିବା ଏବଂ ବୁଝିବାପାଇଁ ଆମ ମନରେ କୌଣସି ଆଗ୍ରହ କି ଆକର୍ଷଣ ନାହିଁ ।
ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତି ଆଧାରରେ ଆମେ ଈଶ୍ୱରଙ୍କ ଆସ୍ଥାର ପ୍ରମାଣ ଚାହୁଁଛୁ । ଯେଉଁଭଳି ପ୍ରୟୋଗଶାଳାର ପରୀକ୍ଷଣ କାଳରେ ଆମେ ବୈଜ୍ଞାନିକ ଅନୁସନ୍ଧାନ କରୁ ଏବଂ ସିଦ୍ଧାନ୍ତରେ ଉପନୀତ ହେଉ, ସେହିଭଳି ଆଜିର ପିଢ଼ି ଭଗବାନଙ୍କ ପ୍ରମାଣ ମଧ୍ୟ ପ୍ରତ୍ୟକ୍ଷ ଇନ୍ଦ୍ରିୟଗମ୍ୟ ରୂପେ ଚାହୁଁଛି । ଋଷି-ମୁନିମାନଙ୍କର ବାଣୀ, ଶାସ୍ତ୍ରସମୂହର କଥନ ପ୍ରାଚୀନ ପରୀମାନଙ୍କର କାହାଣୀ ଭଳି ବୋଧ ହେଉଛି ଆଉ ବୈଜ୍ଞାନିକ କଳ୍ପନା ମାତ୍ର ମନ ମଧ୍ୟକୁ ଆସିଯାଉଛି । ଆଜି ତ ଭୌତିକ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକତା ମାଧ୍ୟମରେ ଯେଉଁ ଯନ୍ତ୍ର ଆମକୁ ପ୍ରାପ୍ତ ହୋଇଛି, ସେଗୁଡ଼ିକୁ ଆମେ ଆମର ଭୋଗ-ମନୋରଞ୍ଜନ ଏବଂ ବିଷୟ-ଭୋଗ-ସୁଖର ପ୍ରାପ୍ତି ସାଧନରେ ବିନିଯୋଗ କରିଚାଲିଛୁ ।
ଏହି ଘୋର କଳିଯୁଗ ସମୟରେ ଯୁଗ ପ୍ରୟୋଜନର ଆଧାରରେ ସେହି ପରବ୍ରହ୍ମ ପରମାତ୍ମା ନିର୍ଗୁଣ ନିରାକାର ହେବାପରେ ମଧ୍ୟ ନିଜର ମାୟାର ଆଶ୍ରୟ ନେଇ ମନୁଷ୍ୟ ରୂପରେ ଅବତରିତ ହୋଇଥିଲେ, ଶ୍ରୀରାମକୃଷ୍ଣଙ୍କ ରୂପରେ । ଯେଉଁଭଳି ଭାବରେ ତ୍ରେତାରେ ଭଗବାନ୍‌ ଶ୍ରୀରାମଙ୍କ ସହିତ ହନୁମାନ୍‌ ମଧ୍ୟ ଆସିଥିଲେ, ଠିକ୍‌ ସେହିଭଳି ଦ୍ୱାପରରେ ଶ୍ରୀକୃଷ୍ଣଙ୍କ ସହିତ ଅର୍ଜ୍ଜୁନ ଆସିଥିଲେ ଆଉ ଏହି ଯୁଗରେ ଭଗବାନ୍‌ ଶ୍ରୀରାମକୃଷ୍ଣଙ୍କ ସହିତ ଶଙ୍କର ସୁମନ ହନୁମାନ୍‌ଜୀ ମହାରାଜ ତଥା ନର ଋଷି ଅର୍ଜ୍ଜୁନ ଏକ ଶରୀରରେ ନରେନ୍ଦ୍ରନାଥଙ୍କ ରୂପନେଇ ଅବତରିତ ହୋଇଛନ୍ତି, ଯିଏ ପରେ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଅଟନ୍ତି ।
ଏହି ଯୁଗର ସନ୍ଦେହ, ଅବିଶ୍ୱାସ ଏବଂ ଅଜ୍ଞାନକୁ ଦୂର କରି ଧର୍ମ-ସଂସ୍ଥାପନ କାର୍ଯ୍ୟ ନିମନ୍ତେ ନରେନ୍ଦ୍ରନାଥ ଏହି ସନ୍ଦେହବାଦୀ ପ୍ରଶ୍ନସମୂହକୁ ଉତ୍ଥାପିତ କରିଦେଇଥିଲେ କି, ଭଗବାନ୍‌ ଆଦି କିଛି ନୁହଁନ୍ତି, କାହିଁକି ନାଁ କେହି ବି ବ୍ୟକ୍ତି ତାଙ୍କୁ ଦେଖିନାହାଁନ୍ତି । ସେ ସେହିସମୟର ଧର୍ମନେତାମାନଙ୍କୁ ପଚାରିଲେ କି, କଣ ସେମାନେ ଈଶ୍ୱରଙ୍କୁ ଦେଖିଛନ୍ତି ? କାହାରିଠାରୁ କିଛି ଉତ୍ତର ନପାଇବାରୁ ସେ ତ ନାସ୍ତିକ ଭାବନାରେ ଡ଼ୁବିଗଲେ ଆଉ ତାଙ୍କ ମଧ୍ୟରେ ଏତେ ଶକ୍ତିଥିଲା, ଶ୍ରୀରାମକୃଷ୍ଣଙ୍କ କଥନାନୁସାରେ କି, ସେ ସମଗ୍ର ସଂସାରକୁ ଓଲଟ-ପାଲଟ କରିପାରିଥାନ୍ତେ ଅର୍ଥାତ୍‌ ଆଜି ଆମେ ଦେଖିଥାନ୍ତେ କି, ସମଗ୍ର ଜଗତ ଭଗବାନଙ୍କୁ ଛାଡ଼ି ନାସ୍ତିକ ହୋଇ ରହିଯାଇଥାନ୍ତା । କିନ୍ତୁ ସେ ତ ଧର୍ମସଂସ୍ଥାପନ ନିମନ୍ତେ ଆସିଥିଲେ ଆଉ ଏଥିପାଇଁ ନରେନ୍ଦ୍ରନାଥ ପ୍ରଶ୍ନ କଲେ । ତାହାର ସମାଧାନ ମଧ୍ୟ ଭଗବାନ୍‌ ଶ୍ରୀରାମକୃଷ୍ଣ କରିଥିଲେ, ଯିଏ ଏହି ସତ୍ୟକୁ ଦେଖିଥିଲେ । ଯେଉଁଭଳି ଭାବରେ ଏକ ପ୍ରୟୋଗଶାଳାରେ ବୈଜ୍ଞାନିକ ବିଜ୍ଞାନର ପ୍ରୟୋଗ କରି ସିଦ୍ଧାନ୍ତରେ ଉପନୀତ ହୋଇଥାନ୍ତି ଏବଂ ସେହି ସିଦ୍ଧାନ୍ତକୁ ବୈଜ୍ଞାନିକ ଢଙ୍ଗରେ ପ୍ରସାର କରିଥାନ୍ତି । ନରେନ୍ଦ୍ରନାଥ ମଧ୍ୟ ଶ୍ରୀରାମକୃଷ୍ଣଙ୍କୁ ସେହି ପ୍ରଶ୍ନ ପଚାରିଥିଲେ କି, କଣ ସେ ଈଶ୍ୱରଙ୍କୁ ଦେଖିଛନ୍ତି ? ସେତେବେଳେ ଜଣେ ବୈଜ୍ଞାନିକଙ୍କ ଭଳି ଶ୍ରୀରାମକୃଷ୍ଣ ଉତ୍ତରଦେଲେ—ହଁ, ମୁଁ ତାଙ୍କୁ ଦେଖିଛି, ଯେମିତି ତୋତେ ଦେଖୁଛି । ନାଁ, ତାଠାରୁ ବି ଅଧିକ ସ୍ପଷ୍ଟ ଏବଂ ମୁଁ ତାଙ୍କ ସହ କଥା ମଧ୍ୟ ହେଉଛି, ଖାଲି ଏତିକି ନୁହେଁ ତୁ ଚାହିଁଲେ ତୋତେ ବି ଦେଖାଇଦେଇ ପାରିବି ।
ଆଧୁନିକ ଭୌତିକ ବିଜ୍ଞାନର ଦୌଡ଼ କେବଳ ବାହ୍ୟଜଗତର ରହସ୍ୟର ଅନୁସନ୍ଧାନ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ, ଏହାର ଊର୍ଦ୍ଧ୍ୱରେ ଅନ୍ତର ଜଗତ ରହସ୍ୟକୁ ଜାଣିବା ତା ଦ୍ୱାରା ସମ୍ଭବ ନୁହେଁ । ଏଥିପାଇଁ ଯେଉଁଠାରେ ଭୌତିକ ବିଜ୍ଞାନର ଅନ୍ତ ରହିଛି, ସେଠାରେ ଆଧ୍ୟାତ୍ମିକ ବିଜ୍ଞାନର ପ୍ରାରମ୍ଭ ହୋଇଥାଏ । ଶ୍ରୀରାମକୃଷ୍ଣ ତାଙ୍କର ସାଧନା ମାଧ୍ୟମରେ ଈଶ୍ୱର-ପ୍ରାପ୍ତି ଅବା ଈଶ୍ୱର-ଦର୍ଶନ କିପରି ପ୍ରାପ୍ତ ହୋଇଥାଏ, ଏହା ଦର୍ଶାଇ ଦେଇଥିଲେ, କେବଳ ଦେଖାଇ ନାହାଁନ୍ତି ବରଂ ନିଜ ଶିଷ୍ୟମାନଙ୍କ ଜୀବନରେ ତାହାର ଅନୁଭବ ମଧ୍ୟ କରାଇ ଦେଇଛନ୍ତି । ଯେଉଁ ନରେନ୍ଦ୍ର ନାସ୍ତିକ ହେବାପାଇଁ ଯାଉଥିଲେ, ସେ ତାଙ୍କଦ୍ୱାରା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୋଇ ସାଧନାରତହୋଇ ନିର୍ବିକଳ୍ପ ସମାଧିର ଅନୁଭବ କରିଛନ୍ତି ଏବଂ ଆଗକୁ ଯାଇ ସ୍ୱାମୀ ବିବେକାନନ୍ଦଙ୍କ ରୂପରେ ସମଗ୍ର ଜଗତକୁ ବେଦାନ୍ତର ଗର୍ଜନରେ ଦୋହଲାଇ ଦେଇଛନ୍ତି । ଶ୍ରୀରାମକୃଷ୍ଣ, ମା ସାରଦା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ତଥା ଶିକ୍ଷାସମୂହରୁ ଏହି ବିଶ୍ୱାସ ହେଉଅଛି କି, ଆଧ୍ୟାତ୍ମିକତା କୌଣସି କଳ୍ପନା ନୁହେଁ ବରଂ ବିଜ୍ଞାନ ଅଟେ । ଈଶ୍ୱରଙ୍କ ଉପରେ ଆସ୍ଥା, ଈଶ୍ୱରଙ୍କ ଉପରେ ବିଶ୍ୱାସ ଏବଂ ଈଶ୍ୱର-ଦର୍ଶନ ଅସମ୍ଭବ ନୁହେଁ ବରଂ ମାନବ ଜୀବନର ଉଦ୍ଦେଶ୍ୟ ଅଟେ । ସ୍ୱାମୀ ବିବେକାନନ୍ଦ କହିଛନ୍ତି—
“ଆଜିର ବିଜ୍ଞାନ ଆଧ୍ୟାତ୍ମିକ ବିଜ୍ଞାନର ଏକ ଦୂରସ୍ଥ ପ୍ରତିଧ୍ୱନି ଅଟେ ।”
G

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.