Press "Enter" to skip to content

ସାଧୁ-ଦୃଷ୍ଟି……(୨)

Last updated on March 7, 2021

ଦିନଚର୍ଯ୍ୟାର ମହତ୍ତ୍ୱ
ବ୍ରହ୍ମଚାରୀମାନଙ୍କର ଆଶ୍ରମ ରହଣୀ ସମୟର ଏକ ଘଟଣା । ବ୍ରହ୍ମଚର୍ଯ୍ୟ ଜୀବନ ତ ନୀତିନିୟମ ଓ ଶୃଙ୍ଖଳିତ ଆଚରଣ ପୂର୍ଣ୍ଣ ଜୀବନ ଅଟେ । ନୀତିନିଷ୍ଠ ଓ ଦାୟିତ୍ୱ ତଥା ଅଭୀଜ୍ଞ ଗୁରୁଙ୍କ ଅଧୀନରେ ବ୍ରହ୍ନଚର୍ଯ୍ୟବାସ ହୋଇଥାଏ । ସେହି ସମୟରେ ପାଠ ପ୍ରତି ଯେତିକି ଧ୍ୟାନ ଦିଆଯାଏ, ତା’ଠାରୁ ଅଧିକା ଆଚରଣଶୀଳ ଓ ସଂଯମୀ ଜୀବନଯାପନ ପ୍ରତି ଗୁରୁତ୍ୱ ଦିଆଯାଏ ।
ଏକଦା ଗୋଟିଏ ଆଶ୍ରମରେ ଜଣେ ନିଷ୍ଠାପର ସନ୍ନ୍ୟାସୀ ଥିଲେ । ବ୍ରହ୍ମଚାରୀମାନଙ୍କର ଅଧ୍ୟାତ୍ମଜୀବନରେ ଅଗ୍ରଗତି ନିମିତ୍ତ ସେ ଅଧିକ ଦୃଷ୍ଟି ଦେଉଥିଲେ । ଏଥିପାଇଁ ସବୁବେଳେ ସେ ଦୈନନ୍ଦିନ ଦିନଚର୍ଯ୍ୟାର ସୁଚାରୁ ସମ୍ପାଦନାକୁ ଜୋର୍ ଦେଉଥିଲେ । ଥରେ ସେ ଜଣେ ବ୍ରହ୍ମଚାରୀଙ୍କୁ ପଚାରିଲେ— କଣ ତୁମର ଦୈନନ୍ଦିନ କ୍ରିୟା ଠିକ୍ ଠାକ୍ ଚାଲିଛି, ସମୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ ଚାଲିଛି ତ ? ସେ କହିଲେ, ଆଜ୍ଞା, ସବୁବେଳେ ଠିକ୍ ଚାଲିଥାଏ କିନ୍ତୁ ଏଇ କିଛିଦିନ ହେବ ଟିକିଏ ବ୍ୟତିକ୍ରମ ହୋଇଛି । ମୁଁ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ ସମାପନ କରିପାରୁନାହିଁ । ତାଙ୍କଠାରୁ ଏଭଳି ଉତ୍ତର ଶୁଣି ସନ୍ନ୍ୟାସୀ କହିଲେ—ଏହା ଠିକ୍ ନୁହେଁ । ସାମାନ୍ୟ ଅନିୟମିତତା ମଧ୍ୟ ଗ୍ରହଣୀୟ ନୁହେଁ କାରଣ ଗୋଟିଏରୁ ଅନ୍ୟ ଗୋଟିଏ ବ୍ୟତିକ୍ରମ ବଢି ଚାଲିବ । ଏହା ଗୁରୁତ୍ୱର ବିଷୟ ନୁହେଁ ଯେ ତୁମେ କେତେ ବିଳମ୍ବରେ ମୋ ପାଖକୁ ଆସିଛ । କିନ୍ତୁ ଏହା ମନେରଖ ଯେ, ଗୋଟିଏ ବ୍ୟତିକ୍ରମ ବା ନିୟମଭଙ୍ଗ ପର୍ଯ୍ୟାୟକ୍ରମେ ତୁମକୁ ଅନ୍ୟ ସମସ୍ତ ନିୟମ ପାଳନରୁ ନିବୃତ୍ତ କରିଆଣିବ ।
ସନ୍ନ୍ୟାସୀ ଏଭଳି କହି ତାଙ୍କୁ ସଚେତନ କରାଇଥିଲେ । ଏଭଳି କିଛିଦିନ ବିତିଯାଇଥିଲା । ସନ୍ନ୍ୟାସୀଙ୍କର ଦେହ ଅସୁସ୍ଥ ଥିଲା । ତଥାପି ସେ ନିଜ ନିତ୍ୟ ନୈମିତ୍ତିକ ଅଭ୍ୟାସରୁ କେବେ ନିବୃତ୍ତ ରହୁନଥିଲେ କି ଦୈନନ୍ଦିନ ଜୀବନଚର୍ଯ୍ୟାରେ ମଧ୍ୟ ହେଳା କରୁନଥିଲେ । ଥରେ ବ୍ରହ୍ମଚାରୀ ସନ୍ନ୍ୟାସୀଙ୍କ ପ୍ରକୋଷ୍ଠକୁ ପ୍ରବେଶ କଲାବେଳେ ଦେଖିଲେ ତାଙ୍କ ସେବକ ସ୍ୱାମୀଜୀ ତାଙ୍କୁ ଅଣ୍ଟାପାଖରୁ ଧରି ଠିଆହୋଇଛନ୍ତି । ସେ ଏହା ଦେଖି ଟିକିଏ ବିସ୍ମିତ ହୋଇଗଲେ । ପରେ ଯାଇ ସ୍ୱାମାଜାଙ୍କୁ ପଚାରିଲେ, ଆପଣ ଏଭଳି କାହିଁକି ସନ୍ନ୍ୟାସୀଙ୍କୁ ଧରି ଠିଆହୋଇଥିଲେ, କଣ କିଛି ଦେହଖରାପ ଅଛିକି ? ସ୍ୱାମୀଜୀ କହିଲେ, ନାଁ ନାଁ, ସେ ମୋତେ ସେଭଳି ଧରି ରଖିବା ପାଇଁ କହିଥିଲେ । ତାଙ୍କର ଶରୀର ଆଉ ତାଙ୍କ ନିୟନ୍ତ୍ରଣରେ ରହୁନାହିଁ । ସେ ଶାରୀରିକ ଅଭ୍ୟାସ ସମୟରେ ଥରି ଉଠୁଛନ୍ତି । ଆଉ ନିଜର ଦୈନନ୍ଦିନ ଅଭ୍ୟାସସବୁକୁ ନିଜେ ଏକାକୀ କରିପାରୁନାହାଁନ୍ତି । ତେଣୁ ମୋତେ ସେ ସାହାଯ୍ୟ କରିବା ପାଇଁ କହିଥିଲେ । ଯାହାଫଳରେ ତାଙ୍କର ସାଧନାସବୁକୁ ନିୟମାନୁସାରେ ସମ୍ପନ୍ନ କରିପାରିବେ । ଦେହଖରାପ ହେଲେ ମଧ୍ୟ ସେ କେବେ ନିଜ କାର୍ଯ୍ୟରେ ବ୍ୟତିକ୍ରମ କରିବାକୁ ଚାହାଁନ୍ତି ନାହିଁ । ସେହି ସମୟଟି ତାଙ୍କର ନିୟମିତ ସାଧନାର ସମୟ ଥିଲା ।
ଏଥିରୁ ବୁଝାପଡେ ସନ୍ନ୍ୟାସୀ ମହାରାଜଙ୍କର କଥା ଓ କାମ ଏକ ଥିଲା । ସେ ଯାହା ଅନ୍ୟମାନଙ୍କୁ କରିବାକୁ କହୁଥିଲେ ତାହା ତାଙ୍କ ଜୀବନରେ ଅଭ୍ୟାସ ବା ପ୍ରୟୋଗକରି କହୁଥିଲେ । ନିଜ ସାଧନାମୟ ଜୀବନରେ ନିୟମିତ ଶୃଙ୍ଖଳିତ ଭାବରେ ସାଧନା ରତ ରହି ସେ ଅନ୍ୟମାନଙ୍କୁ ସେଭଳି ହେବାକୁ ଉପଦେଶ ଦେଉଥିଲେ । 


ସଚେତନତା
ଜୀବନରେ ସଚେତନତାର ପ୍ରଭାବ ନିଶ୍ଚିତ ରହିଛି, ଯାହା ଗୋଟିଏ ଜୀବନ କଳିକାକୁ ତାର ସୁଗୁଣ ସୁରଭି ପ୍ରସ୍ଫୁଟିତ କରିବାେର ଏକାନ୍ତ ସହାୟକ ହୋଇଥାଏ । ଏହି ସଚେତନତା ରୂପୀ ଗୁଣକୁ ନିଷ୍ଠାପର ଅଧ୍ୟାତ୍ମବାଦୀ ମହାପୁରୁଷଗଣ ନିଜ ଜୀବନରେ ପ୍ରତିଫଳିତ କରି ଚରମ ଲକ୍ଷ୍ୟ ହାସଲ କରିବା ସହ ସାଧାରଣ ଜନସମାଜକୁ ମୁକ୍ତି ମାର୍ଗରେ ନେଇପାରନ୍ତି । ଆସନ୍ତୁ ଜଣେ ମହାତ୍ମାଙ୍କର ଜୀବନୀ ଅନୁଧ୍ୟାନ କରିବା, ସଚେତନତା ସମ୍ପର୍କରେ ଆମର ଧାରଣାକୁ ଅଧିକ ଦୃଢୀଭୂତ କରିବା ।
ଥରେ ଜଣେ ମହାତ୍ମାଙ୍କ ନିକଟକୁ ଜଣେ ଭକ୍ତ ଆସିଥିଲେ । ସେ ମହାତ୍ମାଙ୍କୁ ସାକ୍ଷାତ୍କରି ସହସା ପଚାରିଲେ, ଆପଣ ଏଠାକୁ ଆସିବା ସମୟରେ ଏଇ ଆଖପାଖରେ କିଛି ଓସ୍ତଗଛ ଥିବାର ଦେଖିଛନ୍ତି କି ? ଭକ୍ତ ତତ୍ କ୍ଷଣାତ୍ କହିଲେ, ନାଁ ମୁଁ ତ କିଛି ସେଭଳି ଗଛ ଦେଖିନାହିଁ । ଏଭଳି କହି ହଠାତ୍ ଚତୁର୍ପାଖରେ ନିଜର ଦୃଷ୍ଟି ବୁଲାଇଆଣିଲେ । ସଙ୍ଗେ ସଙ୍ଗେ ଦେଖିଲେ ପାଖ ଏକ ଶିଳ୍ପକାର୍ଯ୍ୟାଳୟ ନିକଟରେ ଓସ୍ତଗଛଟିଏ ଅଛି । ମହାତ୍ମା କହିଲେ, କଣ କିଛି ଦେଖିଲ ? ଆଜ୍ଞା, ମୁଁ ଗୋଟିଏ ଓସ୍ତ ଗଛ ଶିଳ୍ପକାର୍ଯ୍ୟାଳୟ ପାଖରେ ଥିବାର ଦେଖୁଛି, କିନ୍ତୁ ତାହା ମୋ ନଜରକୁ ଆସିନଥିଲା । ଏଭଳି କଥା ଶୁଣିବା ପରେ ମହାତ୍ମା କହିଲେ, ତୁମେ ଯେଉଁଠି ରୁହ, ଯେଉଁଠାକୁ ଯାଅ, ତୁମ ଆଖପାଖର ପରିବେଶ ପ୍ରତି ସଚେତନ ରହିବ, ଦୃଷ୍ଟିନିକ୍ଷେପ କରିବ । ଏହା ତୁମ ଜୀବନକୁ ମାର୍ଜିତ କରିବ । ଜୀବନର ପ୍ରତିଟି କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ସଚେତନତା ମନୁଷ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ମନୁଷ୍ୟ ଜୀବନକୁ ଶୃଙ୍ଖଳିତ କରିବା ସହ ନୀତିପୂର୍ଣ୍ଣ ଜୀବନଯାପନକରି ଲକ୍ଷ୍ୟ ଦିଗରେ ଅଗ୍ରସର କରାଇଥାଏ ଏବଂ ପରିଶେଷରେ ପ୍ରାପ୍ତିକୁ ସୁନିଶ୍ଚିତ କରାଏ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.