Press "Enter" to skip to content

ସାଧୁଦୃଷ୍ଟି……

Last updated on January 27, 2021

ପ୍ରଣାମ ନିବେଦନର ପ୍ରଣାଳୀ

ଆଶ୍ରମରେ ନିବାସ କରୁଥିବା ସ୍ୱାମୀଜୀମାନେ ଶଯ୍ୟାତ୍ୟାଗ ଓ ନିତ୍ୟକର୍ମ ସମାପନାନ୍ତେ ଶ୍ରୀଶ୍ରୀଠାକୁରଙ୍କ ଦର୍ଶନ କରିବାର ବିଧି ରହିଥାଏ । ପ୍ରତ୍ୟେକ ଆଶ୍ରମବାସୀଙ୍କର ଏହା କର୍ତ୍ତବ୍ୟ ଅଟେ । କିନ୍ତୁ ସେହି ଦର୍ଶନ ମଧ୍ୟରେ ଯେ ଭାବାନୁସାରେ କୃପାପ୍ରାପ୍ତିର ମଧ୍ୟ ସୁଯୋଗ ଥାଏ, ଏହାକୁ ସମସ୍ତେ ଉପଲବ୍ଧି କରିପାରନ୍ତି ନାହିଁ ।

ଏକଦା ଜଣେ ବୟୋଜ୍ୟେଷ୍ଠ ସାଧୁ ଅପର ଜଣେ ସାଧୁଙ୍କୁ ଗୁରୁ ଦର୍ଶନ ନିମନ୍ତେ ଯାଉଥିବାର ଦେଖି ପଚାରିଲେ— ଶୁଣ, ତୁମେ କେଉଁଆଡେ ଯାଉଛ ? କ’ଣ ନିତ୍ୟକର୍ମ ସବୁ ସମାପ୍ତ ହେଲାଣି ? ସାଧୁ ବିନୀତ ଭାବରେ କହିଲେ, ଆଜ୍ଞା ସ୍ୱାମୀଜୀ । ନିତ୍ୟକର୍ମ ସମାପନାନ୍ତେ ଠାକୁର ଦର୍ଶନ ନିମିତ୍ତ ଉଦ୍ୟତ ହେଉଛି । ପ୍ରଣାମକରି ଆସିଲେ ଅନ୍ୟ କାମରେ ଆଗେଇଯିବି । ସହସା ବଡ ସ୍ୱାମୀଜୀ କହିଉଠିଲେ, ଶୁଣ ପ୍ରଣାମ କରି ଆସିବା ତ ସମସ୍ତଙ୍କ ବଶର କଥା କିନ୍ତୁ ସେହି ପ୍ରଣାମ ନିବେଦନର ପ୍ରଣାଳୀକୁ ଉପଲବ୍ଧି କରିବା ଜରୁରୀ ଅଟେ । ନଚେତ୍ କାଳ କାଳ ଧରି ଏପରି ମୁଣ୍ଡ ତଳେ ବାଡେଇ ସାଷ୍ଟାଙ୍ଗ ହେଲେ କିଛି ଫଳ ହେବନାହିଁ । ବଡ ସ୍ୱାମୀଜୀଙ୍କ ଠାରୁ ଏଭଳି କଥା ଶୁଣି ସାଧୁ ଟିକିଏ ନୀରବ ହୋଇ କଥାଟି ଉପରେ ଧ୍ୟାନଦେଲେ ଏବଂ ସହସା ସ୍ୱାମୀଜୀଙ୍କ ପାଖରେ ବସିପଡି ପ୍ରଣାମ ନିବେଦନର ପ୍ରଣାଳୀ ବିଷୟରେ ଅଧିକ ଜାଣିବାପାଇଁ ଇଚ୍ଛାକଲେ । ତାଙ୍କ ଭିତରର ଜିଜ୍ଞାସାଭାବ ପରିଦୃଶ୍ୟ କରି ସ୍ୱାମୀଜୀ କହିଲେ— ହଉ, ଠିକ୍ ଅଛି । ଖିଲି ଶୁଣିଦେଲେ ହେବନାହିଁ, ତାହାକୁ ଜୀବନରେ ପ୍ରତିଫଳିତ କଲେ ହିଁ ତୁମ ଭିତରେ ପ୍ରକୃତ ଉପଲବ୍ଧିହେବ, ତୁମେ ନିଶ୍ଚିତ କୃପାପାତ୍ର ହୋଇପାରିବ ।
‘‘ଶ୍ରୀଶ୍ରୀଠାକୁରଙ୍କ ଦର୍ଶନ ପାଇଁ ଏଭଳି ତରବରିଆ ଭାବ ଆଦୌ ଉଚିତ ନୁହେଁ । ଧୀରସ୍ଥିର, ଶାନ୍ତ ଓ ଶୁଦ୍ଧପବିତ୍ର ହୃଦୟରେ ତାଙ୍କର ଦର୍ଶନ ପାଇଁ ମାନସିକ ଆଜ୍ଞା ପ୍ରାପ୍ତି ହୋଇ ଗୃହ/ମନ୍ଦିରକୁ ପ୍ରବେଶ କରିବ । ତାଙ୍କର ଉପସ୍ଥିତିର ଭାବ ମନ ଭିତରେ ଜାଗ୍ରତ କରିବ । କିଛି ସମୟ ନୀରବ ଚିନ୍ତନ ପୂର୍ବକ ସେ ତୁମ ଆଡକୁ ଚାହିଁ ବସିଛନ୍ତି, ଏଭଳି ମନେକରିବ । ତାପରେ ତାଙ୍କର ପାଦଦ୍ୱୟରେ ଦୃଷ୍ଟି ନିକ୍ଷେପ ପୂର୍ବକ ପ୍ରଣାମ ନିବେଦନ କରିବ । କିଛି ସମୟ ତାଙ୍କ ପାଦତଳେ ମଥା ଥାପି ରହିବ, ଯେପରି ସେ ତୁମର ମଙ୍ଗଳ ଚିନ୍ତନ କରୁଛନ୍ତି, ତାହାର ମଧ୍ୟ ସୁଯୋଗ ନେବ ।’’ ଏଭଳି ନିବେଦନ କଲେ ତୁମେ ପ୍ରକୃତ ସ୍ୱଚ୍ଛ ଓ ନିର୍ମଳ ହୃଦୟ ସମ୍ପନ୍ନ ହେବା ସହ କୃପାପ୍ରାପ୍ତି ହୋଇପାରିବ ।
(୨)
ଆମ ଓଡିଆ ପରମ୍ପରାର କିଛି ନିଆରା ବିଧିବିଧାନ ରହିଛି ନିଶ୍ଚୟ । ସେଇଥିପାଇଁ ତ କୁହାଯାଏ— ଆଭିଜାତ୍ୟ, ନୀତିନିୟମ ଓ ସଂସ୍କାର ପରିପୂର୍ଣ୍ଣ ଜୀବନରେ ପାରମାର୍ଥିକ ଉନ୍ନତି ନିଶ୍ଚିତ ହୋଇଥାଏ । କିନ୍ତୁ ଏହାକୁ ଯେ ଖାଲି ଲିଭାଇବାର ବାହାନା କଲେ ଚଳିବନାହିଁ, ଶତପ୍ରତିଶତ ମନ ଦେଇ କାମ କରିବାର ଭାବନା ଜାଗ୍ରତ କଲେ ହିଁ ତାହା ଫଳପ୍ରସୂ ହୁଏ । ଏଠାରେ ପ୍ରଣାମ ସମ୍ପର୍କରେ ଜଣେ ସାଧୁଙ୍କର କଥନକୁ ଚିକିଏ ଦୃଷ୍ଟି ଦେବା ।
ଏକଦା ଗୋଟିଏ ସହରରେ ଥିବା ଆଶ୍ରମକୁ ମୁଖ୍ୟ ଆଶ୍ରମର ବୟୋଜ୍ୟେଷ୍ଠ ସାଧୁମହାରାଜ ଆସିଥିଲେ । ଆଶ୍ରମର ପରିବେଶରେ କିଛି ଭିନ୍ନତା ପରିଲକ୍ଷିତ ହେଉଥିଲା । ସାଜସଜ୍ଜା, ସ୍ୱଚ୍ଛତା, ନିୟମିତ ଦୈନନ୍ଦିନ କାର୍ଯ୍ୟାବଳୀ ସହ ସନ୍ନ୍ୟାସୀ, ବ୍ରହ୍ମଚାରୀ ଓ କର୍ମଚାରୀମାନଙ୍କର କାର୍ଯ୍ୟାବଳୀରେ ମଧ୍ୟ ଚଳଚଞ୍ଚଳତା ଛାୟୀ ଯାଇଥିଲା । ପ୍ରତ୍ୟେକେ ନିଜ କର୍ମ ପ୍ରତି ତତ୍ପରତା ଦେଖାଇବାକୁ ପଛାଉନଥିଲେ । ଇତି ମଧ୍ୟରେ ମହାରାଜଙ୍କ ପ୍ରସ୍ଥାନର ସମୟ ଉପସ୍ଥିତ ହୋଇଗଲା । ପ୍ରତ୍ୟେକେ ଆସି ମହାରାଜଙ୍କୁ ପ୍ରଣାମ ଜଣାଇ ଯାଉଥିଲେ । ଆଶ୍ରମର ଜଣେ ଯୁବାସାଧୁ ତରବରିଆ ହୋଇ ଆସି ତାଙ୍କୁ ପ୍ରଣାମ ଜଣାଇ ଚାଲି ଯାଉଥିବା ସମୟରେ ମହାରାଜ ତାଙ୍କୁ ଧୀର ସ୍ୱରରେ ଅଟକାଇ ରଖିଲେ, ସେହି ଯୁବାସାଧୁଙ୍କ ପ୍ରତି ତାଙ୍କର ନିଶ୍ଚିତ ଭଲପାଇବା ଥିଲା । ସେ ତାଙ୍କୁ ପାଖକୁ ଡାକି ତାଙ୍କର ଆଗାମୀ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଲେ ଏବଂ ପରେ ବୁଝାଇ କହିଲେ, ଶୁଣ, ତୁମେ ଏଭଳି ମୋତେ ତରବରିଆ ବିଦାୟ ଜଣାଇ ଚାଲିଯାଉଥିଲ ଯେ !! କ’ଣ କିଛି ଅନ୍ୟ କାମ ବାକି ରହିଯାଇଛି !!
ସାଧୁସଜ୍ଜନଙ୍କୁ ପ୍ରଣାମ ଜଣାଇବା ସମୟରେ ମୋର ଏଇ କଥାପଦିକ ମନେରଖିବ, ଯାହା ତୁମର ଭବିଷ୍ୟତ ଜୀବନକୁ ଶୃଙ୍ଖଳିତ କରିବ— ‘‘ପ୍ରଥମେ ମନରେ ସମର୍ପଣର ଭାବନା ଆଣିବ । ଏକ ସ୍ୱତନ୍ତ୍ର ବିନମ୍ର ଭାବନା ସହିତ ମଥା ଅବନତ କରିବ । ଯାହାକୁ ପ୍ରଣାମ ଜଣାଉଛ, ତାଙ୍କ ପ୍ରତି ତୁମ ମନରେ ସମ୍ମାନ ଓ ଭକ୍ତି ରହିବା ମଧ୍ୟ ଜରୁରୀ । ଆଉ ତା’ସହିତ ଏଭଳି ମନେକରିବ ଯେ, ସେ ମଧ୍ୟ ତୁମର ମଙ୍ଗଳମୟ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରମାତ୍ମାଙ୍କ ପାଖରେ ଜଣାଉଛନ୍ତି । ଏଥିପାଇଁ ତ ତାଙ୍କୁ ଚିକିଏ ସୁଯୋଗଦେବ । ତେଣୁ ଏଭଳି ତରବରିଆ ହୋଇ କେବଳ ପ୍ରଣାମଟିଏ କରି କାମ ଚଳେଇଦେଲେ କିଛି ଲାଭ ହେବନାହିଁ ବରଂ ତାହା ତୁମକୁ ଆହୁରି କ୍ଷତି ପହଞ୍ଚାଇବ । ଠିକ୍ ଅଛି, ଭାବୁଛି ଆଗକୁ ଏଥିପ୍ରତି ଦୃଷ୍ଟି ଦେଇ ଜୀବନରେ ଉନ୍ନତି କରିବ ।’’ ପ୍ରକୃତରେ ଏହା ଆମ ସମସ୍ତଙ୍କ ପାଇଁ ପାଳନୀୟ ।
ପ୍ରତ୍ୟେକ କାମରେ ଶ୍ରଦ୍ଧା
ଗୋଟିଏ ଆଶ୍ରମରେ ବରିଷ୍ଠ ମହିଳାମାନଙ୍କ ପାଇଁ ଏକ ବିଦ୍ୟାଳୟର ଶୁଭାରମ୍ଭ ହୋଇଥିଲା । ଯେହେତୁ ବିଦ୍ୟାଳୟଟି ନୂଆକରି ଆରମ୍ଭ ହୋଇଥିଲା, ତେଣୁ ବିଦ୍ୟାର୍ଥୀଙ୍କ ସଂଖ୍ୟା ମଧ୍ୟ କମ୍ ଥିଲା । ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସେବିକାମାନେ ମଧ୍ୟ କାମ ପ୍ରତି ଏତେ ଜୋର ଦେଉନଥିଲେ । ସମସ୍ତେ ନିଶ୍ଚିତ ଭାବେ ସନ୍ନ୍ୟାସୀନୀ ଭାବରେ ଆଶ୍ରମରେ ବାସ କରୁଥିଲେ ।
ଏକଦା ବିଦ୍ୟାଳୟର ଦୁଇଜଣ ସେବିକା ସନ୍ନ୍ୟାସିନୀ ମୁଖ୍ୟ ଆଶ୍ରମକୁ ଯିବାପାଇଁ ବାହାରିଲେ । ଚିନ୍ତାକଲେ ଆଶ୍ରମରେ ମଧ୍ୟାହ୍ନ ପ୍ରସାଦ ସେବନ କରି ପ୍ରତ୍ୟାବର୍ତ୍ତନ କରିବେ । ପ୍ରସାଦ ସେବନର ସମୟ ଥିଲା ଦିବା୧୨.୩୦ମି. । ସେମାନେ ଆଶ୍ରମରେ ଠାକୁରଙ୍କୁ ପ୍ରଣାମ ନିବେଦନ କରି ଅଧ୍ୟାକ୍ଷ ସ୍ୱାମୀଜୀଙ୍କ ନିକଟକୁ ଦର୍ଶନ ପାଇଁ ଚାଲିଲେ । ବଡସ୍ୱାମୀଜୀଙ୍କ ଗୃହକୁ ପ୍ରବେଶ କରୁକରୁ ସେ ପ୍ରଶ୍ନ କଲେ— ‘‘କ’ଣ, ତୁମର ଆଜି ବିଦ୍ୟାଳୟ ପାଠପଢା ନାହିଁ ?’’ ସେମାନେ କହିଲେ, ‘‘ଆଜ୍ଞା ମହାରାଜ, ଅଛି । ଯେହେତୁ ବିଦ୍ୟାଳୟ ଘ୧୨.୩୦ମି.ରେ ଆରମ୍ଭ ହେବ, ତେଣୁ ଆମ୍ଭେ ପ୍ରସାଦ ପାଇ ଚଲିଯିବୁ। ସାମାନ୍ୟ ଟିକିଏ ବିଳମ୍ବ ହୋଇପାରେ ।’’
ସେମାନଙ୍କ ଠାରୁ ଏଭଳି ଉତ୍ତର ଶୁଣି ମହାରାଜ ଟିକିଏ ଗମ୍ଭୀର ହୋଇ କହିଲେ, ‘‘ଆଜି ତୁମେ ଫେରିଯାଅ, କାର୍ଯ୍ୟସ୍ଥଳୀରେ ଯାଇ ଯଥା ସମୟରେ ଯୋଗଦିଅ । ଅନ୍ୟ କୌଣସି ଛୁଟି ଦିନରେ ଆସି ଏଠାରେ ପ୍ରସାଦ ସେବନ କରିବ ।’ ମହାରାଜଙ୍କ କଥାଶୁଣି ସେହି ସେବିକା ସନ୍ନ୍ୟାସିନୀ ଦ୍ୱୟ ସହସା ପ୍ରସାଦ ସେବନ ନକରି ବିନା ଶବ୍ଦରେ ସେଠାରୁ ଫେରିଆସିଲେ ।
ପରବର୍ତ୍ତୀ ସମୟରେ ସେମାନେ ଏହି ଘଟଣା ବର୍ଣ୍ଣନାକରି କହିଛନ୍ତି— ଆମେ ସେହିଦିନ ମହାରାଜଙ୍କ ଠାରୁ ଏକ ମହତ୍ ଶିକ୍ଷା ପ୍ରାପ୍ତି ହୋଇଥିଲୁ, ଆଉ ବୁଝିନେଇଥିଲୁ କି ପ୍ରତ୍ୟେକ କର୍ମ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ତାହାକୁ ମଧ୍ୟ ଗୁରୁତ୍ୱର ସହ ସମଦୃଷ୍ଟି ଦେଇ ସମ୍ପାଦନା କରିବା ଉଚିତ । ଯେହେତୁ ଆମ ବିଦ୍ୟାଳୟ ନୂଆକରି ଗଢା ଯାଇଥିଲା ଓ ଛୋଟ ଥିଲା, ତେଣୁ ଆମେ ଭାବିଥିଲୁ ଯେ ଟିକିଏ ବିଳମ୍ବ ହେଲେ କିଛି ଅସୁବିଧା ହେବନାହିଁ । କିନ୍ତୁ ମହାରାଜ ଆମକୁ ଏହି କ୍ଷୁଦ୍ର ହେଲେ ମଧ୍ୟ ମହାନ୍ ଭୁଲର ଉପଯୋଗିତାକୁ ଅତି ସହଜରେ ବୁଝିବାପାଇଁ ସୁଯୋଗ ଦେଇଥିଲେ ।
ଅତଃ କ୍ଷୁଦ୍ର ହେଉ କି ବୃହତ୍ ପ୍ରତ୍ୟେକ କାମ ପ୍ରତି ଶ୍ରଦ୍ଧା ଏବଂ ନିଷ୍ଠା ରହିବା ଏକାନ୍ତ ଆବଶ୍ୟକ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.