Press "Enter" to skip to content

ଭଲ ମଣିଷଟିଏ ପାଇଁ ଅଧ୍ୟାତ୍ମଭାବ ଜରୁରୀ

Last updated on August 13, 2022

ଅନୁହ୍ରୁତଃ ପୁନରେହି ବିଦ୍ୱାନୁଦୟନଂ ପଥଃ ।
ଆରୋହଣମାକ୍ରମଣଂ ଜୀବତୋଜୀତୋଽୟନମ୍ ।। (ଅଥର୍ବବେଦ-୫/୩୦/୭)

ଭାବାର୍ଥ : ରେ ମନୁଷ୍ୟ ! ତୁମେ ସର୍ବଦା ଉଚ୍ଚକୁ ଉଠ, ଏହା ତୁମର ଧର୍ମ ଅଟେ । ଯେଭଳି ପିମ୍ପୁଡି ଭଳି ଛୋଟ ଛୋଟ ଜୀବ ମଧ୍ୟ ଉପରକୁ ଉଠିବା ପାଇଁ ତଦା ତତ୍ପର ଥାଆନ୍ତି, ସେହିଭଳି ତୁମେ ମଧ୍ୟ ଉନ୍ନତିର ଉପାୟକୁ ଜାଣି ସଦା ଆଗକୁ ବଢି ଚାଲ ।
ସଂସାରରେ ଜ୍ଞାନ ବିଜ୍ଞାନର କେତେ ଉନ୍ନତି ହୋଇ ଚାଲିଛି । ଭିନ୍ନ ଭିନ୍ନ ପ୍ରକାରର ସୁବିଧା ଆମକୁ ଉପଲବ୍ଧ ହେଉଛି କିନ୍ତୁ ଏହି ବିଜ୍ଞାନ ଦ୍ୱାରା ଆମକୁ ସୁଖଶାନ୍ତି ପ୍ରାପ୍ତ ହୋଇନଥାଏ । ସୁଖ ଶାନ୍ତି ସର୍ବଦା ଉତ୍ତମ ମନୁଷ୍ୟ ହେଲେ ହିଁ ପ୍ରାପ୍ତି ହୁଏ ଆଉ ଭଲମଣିଷଟିଏ ହେବା ବିଜ୍ଞାନର ବଶର କଥା ନୁହେଁ । ଭଲ ମଣିଷଟିଏ ଅଧ୍ୟାତ୍ମଭାବରୁ ସୃଷ୍ଟି ହୁଏ ।
ଏହି ଅଧ୍ୟାତ୍ମ, ଯିଏ ଶ୍ରେଷ୍ଠ ଓ ଉଚ୍ଚ ମଣିଷ ତିଆରି କରାଏ, ତାହା କ’ଣ ? ତାହା ହେଉଛି ଉପାସନା, ସାଧନା ଓ ଆରାଧନାର ତ୍ରିବେଣୀ ଯେଉଁଥିରେ ବୁଡ ପକାଇଲେ ମନୁଷ୍ୟର ଜୀବନ ସଫଳ ହୋଇଯାଏ । ଈଶ୍ୱରଙ୍କ ଦିବ୍ୟ ଗୁଣକୁ ନିଜ ଭିତରେ ଧାରଣ କରିବାକୁ ଉପାସନା କୁହାଯାଏ । ଦିବ୍ୟ ସିଦ୍ଧାନ୍ତକୁ ସମ୍ମୁଖରେ ରଖି, ସେହି ଆଧାରରେ ନିଜ କର୍ତ୍ତବ୍ୟର ନିର୍ଣ୍ଣୟ କରିବା ଆଉ ଯେଉଁ କର୍ତ୍ତବ୍ୟ ଆମକୁ ସୁହାଇଥାଏ, ତା ଉପରେ ଦୃଢ ରହିବା ଦରକାର । ବଡରୁ ବଡ ଆକର୍ଷଣ, ପ୍ରଲୋଭନ ଅବା ଆପତ୍ତି ସମ୍ମୁଖରେ ମଧ୍ୟ ଅଟଳ ରହିବା ଜରୁରୀ । ସାଧନା ଆପଣାଛାଏଁ ହୋଇଥାଏ । ତପ, ବ୍ରହ୍ମଚର୍ଯ୍ୟ, ସଂଯମ ଦ୍ୱାରା ଶରୀର ଓ ମନକୁ ପୂରାପୂରି ବଶକରିବା, ନିୟନ୍ତ୍ରଣରେ ରଖିବା ଉଚିତ । ଆରାଧନାର ଅର୍ଥ ସେବା । ସର୍ବଦା ଅନ୍ୟର ଭଲ କରିବାପାଇଁ ଧ୍ୟାନ ରଖିବା ଦରକାର । କେବଳ ନିଜ ସ୍ୱାର୍ଥ ଓ ହିତରେ ଲାଗିରହିବା ଉଚିତ ନୁହେଁ ବରଂ ପ୍ରଥମେ ସମାଜର ଉନ୍ନତି ବିଷୟରେ ଭାବିବା ଦରକାର । ସମସ୍ତଙ୍କର ଉନ୍ନତିରେ ହିଁ ନିଜର ଉନ୍ନତି । ଯେଉଁ ମନୁଷ୍ୟ ଏହିଭଳି ଧର୍ମାନୁସାରେ ଆଚରଣ କରିଥାଏ, ସେ ସର୍ବଦା ଉଚ୍ଚରେ ରହିଥାଏ ଆଉ ସ୍ୱର୍ଗୀୟ ବାତାବରଣ ସୃଷ୍ଟି କରିଥାଏ । ସମସ୍ତଙ୍କର ପାଇଁ ସୁଖଶାନ୍ତିର ମାର୍ଗ ପ୍ରଶସ୍ତ କରାଏ ।
ମନୁଷ୍ୟର ଜୀବନ ବିଚିତ୍ର ପ୍ରକାର ଜୀବନ ଅଟେ । ମନୁଷ୍ୟ ନିଜ ଜୀବନ ଯାତ୍ରାରେ ଏତେ ତଳକୁ ଖସିଯାଏ ଯେ ପଶୁ ମଧ୍ୟ ତା’ଠାରୁ ଉତ୍କୃଷ୍ଟ ଜୀବନ ବିତାଇଥାଏ ଆଉ ଏତେ ଶିଖରକୁ ମଧ୍ୟ ଉଠିଯାଏ ଯେ ଦେବତା ମଧ୍ୟ ତା’ଠାରୁ ତଳକୁ ରହିଯାଆନ୍ତି । ନିଜକୁ ନିର୍ଣ୍ଣୟ କରିବାକୁ ପଡିବ କି ଆମକୁ କିଭଳି କର୍ମ କରିବାକୁ ହେବ, କେଉଁଠାକୁ ଯିବାକୁ ହେବ । ଏହି ଯେଉଁ ମହାନ ଯୋନି ପ୍ରାପ୍ତ ହୋଇଛି ସେଥିରେ ପଶୁବତ୍ ଆଚରଣ କରିବା କି ଦେବତ୍ୱର ଅନୁସରଣ କରିବା । ବେଦର ନିର୍ଦ୍ଦେଶ ହେଉଛି, ଉଦ୍ୟାନଂ ତେ ପୁରୁଷ ନାବଯାନମ୍ । ହେ ମନୁଷ୍ୟ ! ତୁମକୁ ଜୀବନର ଶିଖରକୁ ଉଠିବାକୁ ଅଛି ନୀଚ୍ଚକୁ ଯିବାକୁ ନୁହେଁ ।
ଅତଃ ଜୀବନରେ ଉନ୍ନତି ପଥରେ ଯିବାପାଇଁ ପରମେଶ୍ୱରଙ୍କର ଆଶ୍ରୟ ପରମାବଶ୍ୟକ । ତାଙ୍କର ଦୈବୀ ଗୁଣକୁ ନିଜ ଆଚରଣରେ ସମାବେଶ କରିବା ହିଁ ଏକମାତ୍ର ମାର୍ଗ ଅଟେ । ମାନସିକ ଭାବକୁ ଶୁଦ୍ଧ-ପବିତ୍ରକରି ଆତ୍ମ ନିରୀକ୍ଷଣକୁ ଜୀବନର ଅଙ୍ଗ କରିନେବା ଦରକାର । ଏହି ମାନବ ଧର୍ମକୁ ପାଳନ କରି ମନୁଷ୍ୟ ଉତ୍ତମ ହେବା ସହ ଈଶ୍ୱରୀୟ ପ୍ରୟୋଜନର ପୂର୍ତ୍ତି କରିପାରିବ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.