Press "Enter" to skip to content

ଜୀବନର ଉଦ୍ଦେଶ୍ୟ : ଆତ୍ମସାକ୍ଷାତ୍କାର-1

Last updated on January 27, 2021

(ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ବିକାନେର, ରାଜସ୍ଥାନରେ ପ୍ରଦତ୍ତ ପ୍ରବଚନର ସଂକଳନ)


ଉଜ୍ଜ୍ୱଳ ଦିପ୍ତିମନ୍ତ ଆତ୍ମସ୍ୱରୂପ ! ପରମପିତା ପରମାତ୍ମାଙ୍କର ଦିବ୍ୟ ଅମର ସନ୍ତାନଗଣ !
ଅଧ୍ୟକ୍ଷ ମହାଶୟ ବର୍ତ୍ତମାନ ଯାହା କହିଗଲେ ”ବିନୁ ସତସଙ୍ଗ ବିବେକ ନ ହୋଈ । ରାମ କୃପା ବିନୁ ସୁଲଭ ନ ସୋଈ ।।”
ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଯଦି ଭଗବାନ କୃପା କରନ୍ତି, ତେବେ ଯାଇ ସତ୍ସଙ୍ଗ ପ୍ରାପ୍ତି ହୋଇଥାଏ, ନଚେତ୍ ଏହା ମିଳେ ନାହିଁ । ଏହାର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ଏଠାରେ ଏକତ୍ରିତ ହୋଇଛନ୍ତି, ଆପଣ ସମସ୍ତଙ୍କ ଉପରେ ଶ୍ରୀରାମଙ୍କ କୃପା ଅବଶ୍ୟ ରହିଛି, ଅନୁଗ୍ରହ ରହିଛି, ତେଣୁ ଆପଣ ଅାଜି ଏଠାରେ ଉପସ୍ଥିତ ।
ବିଦ୍ୟାର୍ଥୀ ବୃନ୍ଦ ! ଆଜିର ପ୍ରବଚନରୁ ଯଦି ଆପଣ କିଛି ଲାଭଦାୟକ ଉପଯୋଗୀ ତଥ୍ୟ ପ୍ରାପ୍ତ ହୁଅନ୍ତି, ତେବେ ତାହାକୁ ଅନ୍ୟ ସହପାଠୀଙ୍କ ସହ ଅବଶ୍ୟ ବଣ୍ଟନ କରିବେ । ବିଦ୍ୟାର୍ଥୀ, ନବଯୁବକ ତଥା ଯେ କେହି ବି ଏହି ଧରିତ୍ରୀପୃଷ୍ଠକୁ ମନୁଷ୍ୟ ରୂପରେ ଆସିଛନ୍ତି, ସମସ୍ତଙ୍କ ପାଇଁ ଜାଣିବାଯୋଗ୍ୟ ଗୋଟିଏ ମୁଖ୍ୟ କଥା ହେଉଛି— ଏହା ଏକ ସାମାନ୍ୟ ସତ୍ୟ ଅଟେ, ସାମାନ୍ୟ ଏକ ଜ୍ଞାନ ଅଟେ, ଯାହାକୁ ପ୍ରାପ୍ତ ହୋଇ ସମସ୍ତେ ନିଜ ଜୀବନ ନିର୍ବାହ କରିବା ଦରକାର, ନହେଲେ ଜୀବନ ଅସ୍ତ-ବ୍ୟସ୍ତ ହୋଇଯିବ । ବାଳକ, ବୃଦ୍ଧ ଆଦି ପ୍ରତ୍ୟେକଙ୍କୁ ଏହା ଜାଣି ରଖିବା ଦରକାର କି, ଏହା ବିନା ଜୀବନ ଠିକ୍ ଭାବରେ ନିର୍ବାହ ହୋଇପାରିବ ନାହିଁ । ସେହି ଜ୍ଞାନ ହେଉଛି, ଆମେ ଏଠାକୁ କେବଳ ମାତ୍ର କିଛି ଦିନ ପାଇଁ ଆସିଛୁ ଆଉ ଦିନେ ସବୁକିଛି ଛାଡି ଏଠାରୁ ଆମକୁ ଚାଲିଯିବାକୁ ପଡିବ ।
ଏହି ଜୀବନ ରୂପୀ ନାଟକରେ ଧରିତ୍ରୀ ଏକ ରଙ୍ଗମଞ୍ଚ ଅଟେ । ଏହି ନାଟକରେ ଆମେ ଏକ ନିର୍ଦ୍ଦିଷ୍ଟ ଚରିତ୍ରରେ ଅଭିନୟ କରିବାକୁ ଏଠାକୁ(ଧରାକୁ) ଆସିଛେ । ନାଟକରେ ଅନେକ ପ୍ରକାର ଚରିତ୍ର ରହିଥାନ୍ତି । ରାମଲୀଳାର ସମୟ ଆସିଗଲେ ସେଥିରେ ରାମ, ଲକ୍ଷ୍ମଣ, ଭରତ, ଶତୃଘ୍ନ, ସୀତା, କୈକେୟୀ, ମନ୍ଥରା, ମନ୍ଦୋଦରୀ, ରାବଣ, ବିଭୀଷଣ, ଦଶରଥ, ବିଶ୍ୱାମିତ୍ର, ବଶିଷ୍ଠ ଆଦି ସମସ୍ତ ପାତ୍ରଙ୍କର ଆବଶ୍ୟକତା ରହିଛି କିନ୍ତୁ ଏହି ଜୀବନ ନାଟକରେ ଏକ ସାମାନ୍ୟ ପାତ୍ରତ୍ୱ ରହିଛି । ସେହି ସାମାନ୍ୟ ପାତ୍ରତ୍ୱ କଣ ? ତାହା ହେଉଛି ଆମେ ସମସ୍ତେ ଏଠାକୁ ମନୁଷ୍ୟ ରୂପରେ ଆସିଛେ । ଯେଉଁଭଳି ମହାଭାରତ ନାଟକରେ ଯୁଦ୍ଧ ଦୃଶ୍ୟରେ କର୍ଣ୍ଣ, ଅର୍ଜ୍ଜୁନ, ଭୀଷ୍ମ, ଦ୍ରୋଣ ଭିନ୍ନ ଭିନ୍ନ ପାତ୍ର କିନ୍ତୁ ସେମାନଙ୍କର ସାମାନ୍ୟ ଏକ ପାତ୍ରତା ହେଉଛି ସେମାନେ ସମସ୍ତେ ଯୋଦ୍ଧା ଭାବରେ ସେଠାକୁ ଆସିଛନ୍ତି । ସେହିଭଳି ଏହି ମନୁଷ୍ୟତ୍ୱ ସମ୍ପନ୍ଧରେ ଆମେ ଏକ ବିଶେଷ ବୁଝାମଣା ତ ମିଳୁଛି କି, ତାହା କଣ ଅଟେ ? ତାହା ଏଭଳି ଅଟେ କି ମନୁଷ୍ୟତ୍ୱ ଆମର ସମ୍ପର୍କ ଆମର ବାସ୍ତବିକ ବ୍ୟକ୍ତିତ୍ୱ ନୁହେଁ, ନାଟକରେ ଅଭିନୀତ ଏକ ପାତ୍ରତ୍ୱ ମାତ୍ର ଅଟେ କିନ୍ତୁ ବାସ୍ତବରେ ଆମେ ସେହି ପାତ୍ର ନୋହୁଁ । ନାଟକରେ କେହି ଓକିଲ ଏକ ଚରିତ୍ର ନେଇପାରେ, କେହି ଦୋକାନୀ ଏକ ଚରିତ୍ର ନେଇପାରେ, କୌଣସି ଶିକ୍ଷକ, ବିଦ୍ୟାର୍ଥୀ ମଧ୍ୟ ଗୋଟିଏ ଗୋଟିଏ ପାତ୍ରତ୍ୱ ନେଇପାରନ୍ତି, କିନ୍ତୁ ତାଙ୍କ ନିଜ ବ୍ୟକ୍ତିତ୍ୱ ତ ସେହି ଚରିତ୍ରରୁ ଭିନ୍ନ ରହେ ।
ଏହିଭଳି ଆମ ନିଜର ବ୍ୟକ୍ତିତ୍ୱ କ’ଣ ? ତାକୁ ବୁଝିବା ପାଇଁ ଯେ ପର୍ଯ୍ୟନ୍ତ ଆମେ ପ୍ରୟାସ କରିବା ନାହିଁ ଆଉ ନିଜକୁ କେବଳ ମନୁଷ୍ୟ ବୋଲି ବୁଝିଥିବା, ସେତେବେ ଳ ଯାଏଁ ମନୁଷ୍ୟ ଭିତରର ଯେତେସବୁ ଦୁର୍ବଳତା, ଅବଗୁଣ, ଦୋଷାଦି ଅଛି, ସେ ସବୁ ଆମ ଭିତରେ ବସାବାନ୍ଧି ରହିବେ । ଯେପର୍ଯ୍ୟନ୍ତ ଆମେ ଏହା ବୁଝିଥିବା କି ଆମେ ମନୁଷ୍ୟ, ଆମେ ସେଥିରୁ ନିଜକୁ ମୁକ୍ତ କରିପାରିବା ନାହିଁ । ଆରେ ! ଧରିତ୍ରୀର ଏହି ରଙ୍ଗମଞ୍ଚରେ ମନୁଷ୍ୟ ଜୀବନ ରୂପୀ ନାଟକରେ ଆମ ଦ୍ୱାରା ଗୃହୀତ ଏକ ସାମାନ୍ୟ ଚରିତ୍ର ଅଟେ । ଆମେ ମନୁଷ୍ୟ ନୋହୁଁ କିନ୍ତୁ ବୁଝିବସିଛେ କି ଆମେ ମଣିଷ, କାହିଁକି ନାଁ ଜୀବନ ନାଟକରେ ଆମେ ଯେଉଁ ଅଭିନୟ କରୁଛେ, ତା ସହିତ ସାମିଲ ହୋଇ ଆମେ ଆମ ବାସ୍ତବିକ ଜୀବନକୁ ଭୁଲିଯାଉଛେ । ସଂସାର ପ୍ରପଞ୍ଚରେ ମନୁଷ୍ୟ ପାଇଁ ଯେତେସବୁ ସମସ୍ୟା ରହିଛି, ଯେତେସବୁ ଦୁଃଖ ରହିଛି, ଯେତେ ସବୁ ଶୋକ-ସଙ୍କଟ ରହିଛି, ଯେତେ ବି ମନୁଷ୍ୟ ହାୟ ହାୟ କରିଥାଏ, କାନ୍ଦିଥାଏ, ସେ ସବୁର ମୂଳ କାରଣ ହେଉଛି ସେ ନିଜକୁ ମଣିଷ ବୋଲି ଭାବି ନେଇଛେ । ଜୀବନରୂପୀ ନାଟକରେ ଯେଉଁ ଚରିତ୍ର ଅଭିନୟ ପାଇଁ ଆମେ ନେଇଛି, ତାହାକୁ ହିଁ ଆମେ ଆମ ନିଜର ବାସ୍ତବିକ ସ୍ୱରୂପ ବୁଝିନେଇଛୁ । ଏହି ବିଷମତା ହିଁ ସବୁ ସମସ୍ୟାର ମୂଳ କାରଣ । ମୁଁ ମଣିଷ ଅଟେ, ମୁଁ ବ୍ୟାପ୍ତ ମଣିଷ, ମୁଁ ସେଥିରେ ଅଙ୍କୁରିତ ହୋଇଗଲି, ଅଙ୍କୁରିତ ହୋଇଯିବାରୁ ମୋ ଭିତରେ ସ୍ୱାର୍ଥ ଜାଗ୍ରତ ହୋଇଗଲା, ତେଣୁ ଅନ୍ୟମାନଙ୍କ ସହ ଏକ ଭିନ୍ନ ଭାବ ଉଦ୍ରେକ ହେଲା । ଯେଉଁଠାରେ ମୁଁ ଏକ ଭିନ୍ନ ଅହଂ ଅଟେ— ସେହି ଭାବ ଉଦ୍ରେକ ହୋଇଗଲା, ସେଠାରେ ଅନ୍ୟମାନଙ୍କ ସହ ଏକଭାବ ସମାପ୍ତି ହୋଇଗଲା ।
ଏହି ଭ୍ରମ ସହିତ, ଏହି ଭ୍ରାନ୍ତିର ସହିତ, ଏହି ବିପରୀତ ଜ୍ଞାନ ସହିତ, ଯେତେବେଳେ ଆମର ଆମ ନିଜ ସହିତ ପ୍ରେମଭାବ ଉତ୍ପନ୍ନ ହୋଇଗଲା, ସେତେବେଳେ ଆମେ ବୁଝିଥାଉକି, ଆମର ଏହି ଜୀବନରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନିଜ ପାଇଁ ଯେତେ ଆରାମ, ଯେତେ ଅନୁକୂଳତା, ଯେତେ ସୁଖ, ଯେତେ ଭୋଗ ସାମଗ୍ରୀ ରହିଛି — ସବୁ ଏକତ୍ରିତ କରିନେଇ ସେ ସବୁର ଉପଭୋଗରେ ଲାଗିଯାଉ, ଆଉ ସେଥିରେ ଆମେ ନିରନ୍ତର ଲାଗି ହିଁ ରହୁ, ତେଣୁ ତାହା ଆମର କର୍ତ୍ତବ୍ୟ ହୋଇଗଲା । ଏହିଭଳି ଜୀବନ ପ୍ରତି, ପୂରାପୂରି ଏକ ବିପରୀତ ଭାବନା, ବିପରୀତ ବୁଝାମଣା, ବିପରୀତ ଜ୍ଞାନ ନେଇ ଆମେ ଆଗକୁ ବଢିଥାଉ । ଅତଃ ଏଭଳି ଆମେ ଜୀବନକୁ ସୁଚାରୂରୂପେ କିଭଳିପରିଚାଳିତ କରାଯାଇପାରିବ ? କାହିଁକି ନାଁ ଯେତେବେଳେ ଆମର ଆଧାର ବାକ୍ୟ ହିଁ ଭୁଲ୍, ସେତେବେଳେ ନିଷ୍କର୍ଷ କିଭଳି ସତ୍ୟ ହେବ ? ଗଣିତ ଅବା ରସାୟନ-ବିଜ୍ଞାନର କୌଣସି ସମୀକରଣକୁ ସମାଧାନ କରିବା ସମୟରେ ଯଦି ପ୍ରଥମରୁ ହିଁ ଆମେ ଭୁଲ କରିଦେବା ତେବେ ତାହାର ନିଷ୍କର୍ଷ ମଧ୍ୟ ନିଶ୍ଚିତ ରୂପେ ଭୁଲ ହିଁ ହୋଇଯିବ ।
ଆଛା ଠିକ୍‌ ଅଛି, ତତ୍କାଳ ପାଇଁ ଆମେ ମନୁଷ୍ୟ ହିଁ ଅଟୁ । ବାସ୍ତବରେ ଆମର ନିତ୍ୟ ନିଜ ସ୍ୱରୂପ ଦିବ୍ୟତା ଅଟେ । ଆମେ ଦିବ୍ୟ, ପରିପୂର୍ଣ୍ଣ ଅଟୁ । ଆମ ଭିତରେ ନାଁ ସ୍ୱାର୍ଥ ଅଛି, ନାଁ ଦ୍ୱେଷ, ନାଁ କ୍ରୋଧ, ନାଁ ମାତ୍ସର୍ଯ୍ୟ ଅଛି, ନାଁ ତୃଷ୍ଣା, ନାଁ ଈର୍ଷ୍ୟା ରହିଛି । କୌଣସି ପ୍ରକାର କଳଙ୍କ ଆମ ପାଖରେ ପହଞ୍ଚିପାରେ ନାହିଁ । ତାହା ଜଳି କରି ଭସ୍ମ ହୋଇଯିବ । ଆମେ ଏକ ଉଜ୍ଜ୍ୱଳ ଜ୍ୟୋତି, ଜ୍ୱଳନ୍ତ ଅଗ୍ନି, ଯାହା ପାଖରେ କୌଣସି ମଳିନତା, କୌଣସି ଅପବିତ୍ରତା, କୌଣସି ନକାରାତ୍ମକ ତତ୍ତ୍ୱ ପାଖକୁ ଆସିବାକୁ ସାହସ ବି କରିପାରିବ ନାହିଁ । ଆମେ ପରିପୂର୍ଣ୍ଣ ଦିବ୍ୟତାର ଏକ ଜ୍ୱଳନ୍ତ କେନ୍ଦ୍ର, ଏହା ସତ୍ୟ ଅେଟ । ଏହି ସତ୍ୟର ଯିଏ ଉପାସନା କରିବ, ଏହି ସତ୍ୟର ଯିଏ ଅନୁସନ୍ଧାନ କରିବ, ଏହି ସତ୍ୟର ଯିଏ ଅହରହ ଚିନ୍ତନ କରିବ, ତାହାର ଜୀବନ ହିଁ ପ୍ରକୃତ ସଚ୍ଚୋଟ ଜୀବନ ହେବ, ଅନ୍ୟ ସମସ୍ତଙ୍କର ଜୀବନ ନକଲି ବା ନିକୃଷ୍ଟ ବୋଲାଇବ ।
ଆପଣ ଭିତରେ କିଛି ଭିନ୍ନ ଆଉ ବାହାରେ କିଛି ଭିନ୍ନ ପ୍ରଦର୍ଶନ କରୁଛନ୍ତି, ଏଥିପାଇଁ ଏଭଳି ନିକୃଷ୍ଟ ଜୀବନ ବ୍ୟତୀତ କରୁଛନ୍ତି । ସଚ୍ଚୋଟ ବା ସାଧୁ ଜୀବନ ନୁହେଁ— ଯଦି ଆପଣ ଦିବ୍ୟ ଅଟନ୍ତି, ତେବେ ଦିବ୍ୟତା ଆପଣଙ୍କ ବ୍ୟବହାରରେ ପ୍ରକଟ ହେବା ଦରକାର । ଦେଖ, ଏହା କୌଣସି ଘଣ୍ଟେ ଅଧଘଣ୍ଟେ ପାଇଁ ଆସିଥିବା କୌଣସି ସ୍ୱାମୀଜୀଙ୍କ କହିବା କଥା ନୁହେଁ, ଏହା ନିରାଟ ସତ୍ୟ ଅଟେ । ସମ୍ପୂର୍ଣ୍ଣ ଧରିତ୍ରୀର ଏହି ପ୍ରପଞ୍ଚରେ, ଆପଣଙ୍କ ଜନ୍ମ ଏଭଳି ଏକ ରାଷ୍ଟ୍ରରେ ହୋଇଛି, ଯାହା ଧରିତ୍ରୀର ଏକ ଅଂଶ ହେଲେ ମଧ୍ୟ ତାହାର ଏକ ଜଟିଳ ଅଂଶ ଅନ୍ୟ କିଛି ଭୂୂମିକାରେ ଧରିତ୍ରୀର ଊର୍ଦ୍ଧ୍ୱରେ ଅବସ୍ଥିତ । ଏହା ଏକ ଅନୁଭୂତି ଅଟେ । ବାସ୍ତବିକ ଭାରତ, ଅାନ୍ତରିକ ଭାରତ, ଏହି ସ୍ଥୂଳ ଜଗତର ଅଂଶ ନୁହେଁ । ଜଗତର ଊର୍ଦ୍ଧ୍ୱରେ, ଏହି ଜଗତର ସୃଷ୍ଟି ପୂର୍ବରୁ ଏକ ପରାତ୍ପର ତତ୍ତ୍ୱ ରହିଛି । ମୁଁ ପୂର୍ବ ଶବ୍ଦର ପ୍ରୟୋଗ କରୁଛି, କିନ୍ତୁ ଏଥି ସହିତ ବର୍ତ୍ତମାନ ସମୟର ପ୍ରୟୋଗ କରୁଛି । କାହିଁକି ନାଁ ସେହି ଯେଉଁ ପୂର୍ବ ତତ୍ତ୍ୱ, ଯାହାର ଏଠାରେ ବର୍ଣ୍ଣନା ହେଉଛି, ତାହା ଅନାଦି, ଅନନ୍ତ ଅଟେ । ତ୍ରିକାଳରେ ତାହାର ଅଭାବ କେବେ ହୋଇନଥାଏ । ଜପୁଜୀ ସାହେବ ମଧ୍ୟ ପ୍ରଥମେ କହୁଥିଲେ— ଆଦି ସଚୁ ଜୁଗାଦି ସଚୁ ।। ହେ ଭୀ ସଚୁ ନାନକ ହୋସୀ ଭୀ ସଚୁ ।।
ଭୂତ, ଭବିଷ୍ୟ, ବର୍ତ୍ତମାନରେ ସେ ତ୍ରିକାଳରେ ବିରାଜମାନ– ସେଥିରେ କୌଣସି ପରିବର୍ତ୍ତନ ହୁଏନାହିଁ । ଆଉ ସେହି ତତ୍ତ୍ୱାବଶିଷ୍ଟ ହେଉଛି ଆପଣଙ୍କର ପ୍ରକୃତ ରାଷ୍ଟ୍ର । ଆଧ୍ୟାତ୍ମିକ ଭାରତ— ଏହା ଏକ ଅନୁଭୂତି । ଏହି ଅନୁଭୂତି ଆପଣଙ୍କୁ ଆପଣଙ୍କ ପୂର୍ବଜଙ୍କ ଠାରୁ ପ୍ରାପ୍ତ ଏକ ବାସ୍ତବିକ ଅମୂଲ୍ୟ ଐଶ୍ୱର୍ଯ୍ୟ, ଏକ ଅତୁଲ୍ୟ ନିଧି, ଯାହାକୁ ଆପଣ ବିଶ୍ୱର ଅନ୍ୟ କୌଣସି ଦେଶରେ, ରାଷ୍ଟ୍ରରେ, ଜନସମୁଦାୟରେ ପ୍ରାପ୍ତ କରିପାରିବେ ନାହିଁ । ସମ୍ପୂର୍ଣ୍ଣ ଧରିତ୍ରୀବକ୍ଷରେ ଖୋଜିଆସିଲେ ବି ନୁହେଁ । ଦେଶ-ବିଦେଶରେ ସମସ୍ତଙ୍କର ଯେଉଁ ଦୃଷ୍ଟିଭଙ୍ଗୀ ଆମେ ଦେଖୁଛେ, ତାହା ହେଉଛି— ସମସ୍ତେ ବୁଝନ୍ତି କି ଆମେ ବହୁତ ବିଚାରବାନ, ବଡ ତାର୍କିକ, ବୈଜ୍ଞାନିକ ପ୍ରବୃତ୍ତିସମ୍ପନ୍ନ— ଯହାକିଛି ଦୃଶ୍ୟ ହେଉଛି, ତାହାକୁ ହିଁ ଆମେ ସତ୍ୟ ବୋଲି ବୁଝି ନେଇଛୁ, ଯେପରି ଟେଷ୍ଟ ଟ୍ୟୁବରେ ପକାଇ ସିଦ୍ଧ କଲେ ହିଁ ସତ୍ୟ ପ୍ରତିପାଦିତ ହୁଏ ।
ଉଲ୍ଲୁ(ପେଚା) ସୂର୍ଯ୍ୟଙ୍କୁ ମାନେନାହିଁ, କିନ୍ତୁ ସୂର୍ଯ୍ୟଙ୍କର ଏଥିରେ କିଛି ଯାଏ ଆସେ ନାହିଁ । ଗୋଟିଏ ଉଲ୍ଲୁ ସୂର୍ଯ୍ୟଙ୍କୁ ନ ମାନୁ, ଲକ୍ଷ ଲକ୍ଷ ଉଲ୍ଲୁ ସୂର୍ଯ୍ୟଙ୍କୁ ନ ମାନନ୍ତୁ, ସୂର୍ଯ୍ୟଙ୍କର ସେଥିରେ କିଛି ଯାଏ ଆସେ ନାହିଁ । ଏହିଭଳି ଦେଶ-ବିଦେଶରେ ମଧ୍ୟ ଆମର ଭାଇବନ୍ଧୁ ଅଜ୍ଞାନରେ ରହିଛନ୍ତି, କିନ୍ତୁ ଯାହା ଯଥାର୍ଥ ସତ୍ୟ, ତାହା ତ ବତାଇବାକୁ ହିଁ ପଡିବ । ସେମାନେ ନିବିଡ ଅନ୍ଧକାରରେ ରହିଛନ୍ତି କାହିଁକି ନାଁ ସେମାନେ ଭାବନ୍ତି କି ଆମେ ଯାହା ପଞ୍ଚଇନ୍ଦ୍ରିୟ ମାଧ୍ୟମରେ ଅନୁଭବ କରିପାରୁ, ତାହା ହିଁ ସତ୍ୟ, ଏହା ଆଗକୁ ଆଉ କିଛି ନାହିଁ । ଏହା କୌଣସି ବିଚିତ୍ର କଥା ନୁହେଁ । କଠୋପନିଷଦରେ କଥିତ ଅଛି— ଅଳ୍ପଜ୍ଞ ଅର୍ଥାତ୍ ବାଳକ ବୁଦ୍ଧିସମ୍ପନ୍ନ ଲୋକ ଏଭଳି ହିଁ କହିଥାନ୍ତି ।
ହଜାର ବର୍ଷ ପୂର୍ବରୁ ଆପଣଙ୍କ ଭଳି, ବରଂ ଆପଣଙ୍କ ଠାରୁ ମଧ୍ୟ ଛୋଟ, ୧୦-୧୧ ବର୍ଷର ବାଳକର ମନରେ ଏକ ଜିଜ୍ଞାସା ଉତ୍ପନ୍ନ ହୋଇଥିଲା କି, ଦୃଷ୍ଟି ଆରପାରିରେ କଣ ଅଛି, ମୁଁ ଜାଣିବାକୁ ଚାହୁଁଛି ? ଯେତେବେଳେ ମଣିଷର ମୃତ୍ୟୁ ହୋଇଯାଏ ତେବେ କଣ ସେ ଶେଷ ହୋଇଯାଏ ? କେହି କେହି କହିଥାନ୍ତି— ନାଁ ନାଁ ସେ ଶେଷ ହୋଇନଥାଏ, କିଛି ରହିଥାଏ । ବାସ୍ତବରେ ସେ ଶେଷ ହୋଇଯାଇଥାଏ ନାଁ କିଛି ଅବଶିଷ୍ଟ ରହେ ? ଯଦି ରହିଥାଏ, ତେବେ ସେ ପୁଣି କଣ କରେ? କିଭଳି ରହେ ? ଏ ସବୁ ପ୍ରଶ୍ନର ଉତ୍ତର ସେ ଯମରାଜାଙ୍କ ଠାରୁ ଜାଣିବାକୁ ଚାହିଁଲା । ଯମରାଜ ତାକୁ ବୁଝାଇବା ପାଇଁ ବହୁତ ଚେଷ୍ଟା କଲେ—’ଆରେ ଭାଇ ! ତୁମେ ଏବେ ବାଳକ, ଛୋଟ ପିଲା, ଏହି ଜ୍ଞାନକୁ ତୁମେ କାହିଁକି ଜାଣିବାକୁ ଚାହୁଁଛ ? ଆଉ ଅନ୍ୟ କିଛି ମାଗ, ମୁଁ ନିଶ୍ଚିତ ଦେବି । ଏହି ଜ୍ଞାନ ପାଇଁ ତ ବହୁତ ପ୍ରଯତ୍ନ କରିବାକୁ ପଡିବ । ବହୁତ ତପସ୍ୟା କରିବାକୁ ପଡିବ, ସାଧନା କରିବାକୁ ପଡିବ, ଧ୍ୟାନ କରିବାକୁ ପଡିବ, ସଂଯମ ଓ ଅନୁଶାସନ ଦ୍ୱାରା ପ୍ରସ୍ତୁତି କରି ତାହାର ଅଧିକାରୀ ହେବାକୁ ପଡିବ, ତେବେ ଯାଇ ଏହି ଜ୍ଞାନ ପ୍ରାପ୍ତି ହେବ । ପ୍ରଶ୍ନର ଉତ୍ତର ରୂପେ ଏଭଳି ଜ୍ଞାନ କଣ ଏଭଳି ହୋଇପାରେ । ଅତଃ ଏହି ଜ୍ଞାନକୁ ତୁମେ ଛାଡିଦିଅ ପୁତ୍ର । ଆଉ ଅନ୍ୟ କୌଣସି ବସ୍ତୁ ଯାଚନା କର । ତୁମେ ଚାହିଁଲେ ଏଭେରେଷ୍ଟ ଶୃଙ୍ଗ ସଦୃଶ ଅନେକସ୍ୱର୍ଣ୍ଣ, ରତ୍ନ ଆଦି ମାଗିପାର, ବଡ ବଡ ରାଜପ୍ରାସାଦ, ସେନାସାମନ୍ତ, ହସ୍ତୀ, ଅଶ୍ୱ, ଚାକର-ବାକର, ଖାଦ୍ୟ-ପାନୀୟ ନୃତ୍ୟ-ଗୀତ ସବୁକିଛି ମାଗିପାର କିନ୍ତୁ ଏଭଳି ଜ୍ଞାନରୁ ନିବୃତ୍ତ ହୁଅ ।”
ବାଳକ କହିଲେ—”ନାଁ, ମୋତେ ତ ସେହି ଜ୍ଞାନର ଆବଶ୍ୟକତା ରହିଛି । ଏହିସବୁ ବସ୍ତୁ, ଭୋଗସାମଗ୍ରୀକୁ ପ୍ରାପ୍ତକରି ମୁଁ କଣ କରିବି ? ଦିନେ ତ ମୁଁ ମଧ୍ୟ ମୃତ୍ୟୁ ଲାଭ କରିବି, ଏସବୁ ମୋ ସହିତ ତ ଯିବନାହିଁ । ଏସବୁ ସହିତ ମୁଁ ଫସିଯିବି, ମୋହ-ମମତା ହୋଇଯିବ ପୁଣି ମୃତ୍ୟୁ ସମୟରେ ଦୁଃଖଭୋଗ କରିବାକୁ ପଡିବ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.