Press "Enter" to skip to content

ସେବା ପରମଧର୍ମ ( ଉଦ୍ୟୋଗୀପୁରୁଷଙ୍କ ପାଇଁ ଧନର ଅଭାବ ରହେନାହିଁ )

Last updated on August 13, 2022

ଧୃତବ୍ରତୋ ଧନଦାଃ ସୋମବୃଦ୍ଧଃ ସ ହି ବାମସ୍ୟ ବସୁନଃ ପୁରୁକ୍ଷୁଃ ।
ସଂ ଜଗ୍ମିରେ ପଥ୍ୟା ରାୟୋ ଅସ୍ମିନ୍ତ୍ ସମୁଦ୍ରେ ନ ସିନ୍ଧବୋ ୟାଦମାନାଃ ।। (ଋଗ୍ ବେଦ -୬/୧୯/୫)

ଭାବାର୍ଥ : ସମୁଦ୍ରର ଯଦ୍ୟପି କୌଣସି କାମନା ନ ଥାଏ, ତଥାପି ଅନେକ ନଦନଦୀ ଆସି ସେଥିରେ ମିଳିତ ହୋଇ ଚାଲିଥାଆନ୍ତି । ସେହିଭଳି ଉଦ୍ୟୋଗୀ ପୁରୁଷଙ୍କ ସେବାରେ ଲକ୍ଷ୍ମୀ ସଦୈବ ଉପସ୍ଥିତ ରହିଥାନ୍ତି ଅର୍ଥାତ୍ ଯିଏ ଉଦ୍ୟୋଗ କରିଥାନ୍ତି, ପୁରୁଷାର୍ଥ କରିଥାନ୍ତି, ତାଙ୍କୁ କେବେ ଧନର ଅଭାବ ହୋଇନଥାଏ ।

ବ୍ୟାଖ୍ୟା : ‘‘ସେବା ପରମୋଧର୍ମଃ’’— ଅନ୍ୟର ସେବା କରିବା ସଂସାରରେ ସବୁଠାରୁ ଶ୍ରେଷ୍ଠ, ପୁନୀତ ପବିତ୍ର କାର୍ଯ୍ୟ ବୋଲି କୁହାଯାଏ । ସାମୂହିକ ଭାବନାକୁ ଧର୍ମର ଏକ ପ୍ରମୁଖ ଅଙ୍ଗ ବୋଲି କୁହାଯାଏ । ମିଳିମିଶି କାମ କରିବା ଓ ଜଣେ ଅପରକୁ ସାହାଯ୍ୟ କରିବାର ସ୍ୱଭାବ ହିଁ ମନୁଷ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ବିଜ୍ଞାନ, ବ୍ୟାପାର, ଶିଳ୍ପ ଆଦି ଅନେକ କ୍ଷେତ୍ରରେ ପ୍ରଗତିର ସର୍ବୋଚ୍ଚ ସୋପାନରେ ଉପନୀତ କରାଇଥାଏ । ସମାଜର ଉନ୍ନତି ନିମିତ୍ତ ନିଜର କ୍ଷମତା, ପ୍ରତିଭାକୁ ନିୟୋଜିତ କରିବା, ଦୀନ-ଦୁଃଖୀ, ରୋଗୀ, ଅସହାୟ ବ୍ୟକ୍ତିଙ୍କୁ ସହାୟତା କରିବା ଆଉ ସତ୍ କାର୍ଯ୍ୟ ଓ ସତ୍ ପ୍ରୟାସରେ ସଂଲଗ୍ନ ସମାଜସେବୀ ସଂସ୍ଥାମାନଙ୍କୁ ଦାନ ଦେବା ଆମର ଧର୍ମ ଅଟେ ।
ଲୋକମାନଙ୍କ ଭିତରେ ଭ୍ରମଧାରଣା ରହିଛି କି, ଦାନ ଦେବାରେ ତାଙ୍କର ଆର୍ଥିକ ହାନି ହୁଏ । କିନ୍ତୁ ସତ୍ୟ ହେଉଛି ଅନ୍ୟର ଭଲ ନିମିତ୍ତ ଧନ ବ୍ୟୟ କଲେ, ତାହା ବହୁ ଗୁଣେ ପ୍ରାପ୍ତି ହୋଇଥାଏ । ‘ଶତହସ୍ତରେ ଆୟ କରି ସହସ୍ର ହସ୍ତରେ ବଣ୍ଟନ କରିବା’ ଶାସ୍ତ୍ରର ନିର୍ଦ୍ଦେଶ ଅଟେ । ଅନ୍ୟର ସହାୟତାକାରୀ କେବେହେଲେ ଦୀନ-ଦୁଃଖୀ ହୋଇ ରହନ୍ତି ନାହିଁ । ଏହା ତ ଭଗବାନଙ୍କ କ୍ଷେତରେ ବୀଜବପନ କରିବା ସଦୃଶ । ତେଣୁ ମନୁଷ୍ୟ ଉଦ୍ୟୋଗ ଓ ପୁରୁଷାର୍ଥ ପ୍ରତି କେବେ ପ୍ରମାଦ ଆଣିବା ଉଚିତ ନୁହେଁ । ପରିଶ୍ରମ ଓ ପ୍ରଚେଷ୍ଟା ଦ୍ୱାରା ଅଧିକ ଆୟ କରି ବ୍ରାହ୍ମଣୋଚିତ ଆବଶ୍ୟକତାକୁ ପୂର୍ତ୍ତି କରିବା ପରେ ତାକୁ ପରୋପକାରରେ ଲଗାଇବା ଉଚିତ ।
ସମୁଦ୍ରରେ ଅଥଳ ଜଳରାଶି କିନ୍ତୁ ସେ ନିଜ ଉପଯୋଗରେ ଲଗାଏନାହିଁ । ସୂର୍ଯ୍ୟଙ୍କ ସହଯୋଗରେ ବାଷ୍ପ କରି ବାଦଲକୁ ଦେଇଦିଏ, ଆଉ ଏହି ବାର୍ତ୍ତା ଦିଏ ଯେ, ସଂସାରର ତୃଷା ନିବାରଣ ନିମିତ୍ତ ଉପଯୋଗ ହୁଅ । ନିଜର କୌଣସି କାମନା, ସ୍ୱାର୍ଥ ବା ଇଚ୍ଛା ନଥାଏ । କିନ୍ତୁ ତା ପାଖରେ କଣ କେବେ ଜଳର ଅଭାବ ହୋଇଛି ? ନାଁ, ଅସଂଖ୍ୟ ନଦନଦୀର ଜଳ ପ୍ରତି ସମୟରେ ତାକୁ ଜଳ ପୂର୍ଣ୍ଣ କରି ରଖିଥାନ୍ତି । ଏହିଭଳି ପୁରୁଷାର୍ଥ ଓ ପରୋପକାର ସଂଲଗ୍ନ ବ୍ୟକ୍ତିଙ୍କୁ କେବେ ବି ଧନର ଅଭାବ ରହେନାହିଁ । ଯେତେବେଳେ ପରୋପକାରର ମହତ୍ତ୍ୱାକାଂକ୍ଷା ମନରେ ଜାଗ୍ରତ ହୋଇଥାଏ, ତେବେ ଆପଣାଛାଏଁ ଜୀବନ ଉନ୍ନତ ହୋଇଥାଏ, ଦୈନ୍ୟ ନଷ୍ଟ ହୋଇଯାଏ, ଦୁଃଖ ଦୂର ହୋଇଯାଏ ଆଉ ସାମର୍ଥ୍ୟ ସଞ୍ଚାର ହେବା ସହ ବୁଦ୍ଧି ଓ ତେଜ ପ୍ରଖର ହୋଇଥାଏ । ସର୍ବୋପରି ଉତ୍କର୍ଷର ମାର୍ଗ ପ୍ରଶସ୍ତ ହୋଇଥାଏ । ଆତ୍ମୋନ୍ନତିର ସକଳ ବିଘ୍ନ ଦୂର ହୋଇ ଜୀବନ ଲକ୍ଷ୍ୟ ଆଡକୁ ଧାବିତ ହୋଇଥାଏ ।
ଅତଃ ବିଦ୍ୱାନ ଓ ବ୍ରାହ୍ମଣଗଣ ସଫଳତାର ଏହି ରାଜମାର୍ଗରେ ଚାଲିବାର ପ୍ରୟାସ ଜାରି ରଖିବା ଦରକାର ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.