Press "Enter" to skip to content

ନିଜ ଭାଗ୍ୟ ପାଖରେ ହାରି ଯାଅନି

ଗୁରୁ ଓ ଶିଷ୍ୟ  । ଗୁରୁ ପତ୍ନୀ ଆସନ୍ନପ୍ରସବା  । ଗୁରୁଙ୍କୁ ଯିବାକୁ ପଡ଼ିଲା ଦୂର ଦେଶକୁ  । ଶିଷ୍ୟ ରହିଲେ ଗୁରୁ ମାତାଙ୍କ ଦାୟିତ୍ୱ ନେବା ପାଇଁ  । ଗଭୀର ରାତି  । ଗୁରୁ ପତ୍ନୀ ଘର ଭିତରେ ଗର୍ଭ ଯନ୍ତ୍ରଣାରେ  । ଶିଷ୍ୟ ଜଗି ବସିଛନ୍ତି ଦ୍ୱାରରେ  । ହଠାତ ଦେଖିଲେ ଜଣେ ଯୁବକ ଘର ଭିତରକୁ ଯାଉଛନ୍ତି  । ଶିଷ୍ୟ ଆଶ୍ଚର୍ଯ୍ୟ  । —”ହେଇ! କିଏ ତମେ?”
ଯୁବକ ତତୋଽଧିକ ଆଶ୍ଚର୍ଯ୍ୟ  ।
—”ତମେ ମତେ ଦେଖି ପାରୁଛ?”
—”ହଁ  । କାହିଁକି?”
—”ମତେ କେହି ଦେଖି ପାରନ୍ତିନି  ।”
—”ଆଚ୍ଛା! କିଏ ଆପଣ?”
—”ମୁଁ ବିଧାତା  । ଶିଶୁ ଜନ୍ମ ହେବା ମାତ୍ରେ ତା କପାଳରେ ତା ଭାଗ୍ୟ ଲେଖିବା ପାଇଁ ଯାଉଛି  ।”
—”କଣ ଅଛି ତା ଭାଗ୍ୟରେ?”
—”ଏବେଠୁ କେମିତି କହିବି? ତା ପୂର୍ବ ଜନ୍ମର କର୍ମଫଳ ଯାହା ଥିବ ମୋ କଲମ ତାହା ହିଁ ଲେଖିବ  । ଏବେ ବାଟ ଛାଡ଼  ।”
—”ଗୋଟିଏ ସର୍ତ୍ତରେ ଛାଡ଼ିବି  । ଏଠୁ ଯିବା ଆଗରୁ ମତେ କହିକି ଯିବେ ଯେ ଆପଣ କଣ ଲେଖିଛନ୍ତି  ।”
ଅନନ୍ୟୋପାୟ ବିଧାତା ରାଜି  ।
ଶିଶୁ ଜନ୍ମ ହେଲା  । ବିଧାତା ଲେଖିଲେ  । ବାହାରକୁ ଆସି ସାମ୍ନା କଲେ ଶିଷ୍ୟଙ୍କୁ  ।
—”କଣ ଲେଖିଲେ ଆଜ୍ଞା?”
—”ଦୁର୍ଭାଗ୍ୟ  । ଏହି ପୁତ୍ର ସନ୍ତାନଟି ସାରା ଜୀବନ ଦାରିଦ୍ର୍ୟ ଭୋଗିବ  । ଗୋଟିଏ ଗାଈ ଓ ବସ୍ତାଏ ଚାଉଳରେ ନିଜ ଗୁଜୁରାଣ ମେଣ୍ଟେଇବ  ।”
ଦୁଃଖୀ ହେଲେ ଶିଷ୍ୟ  । କିନ୍ତୁ କାହାକୁ କହିଲେନି ଏ ଘଟଣା  ।
କିଛି ବର୍ଷ ବିତି ଗଲା  । ପୁଣି ଗୁରୁମାତା ଆସନ୍ନ ପ୍ରସବା  । ସଂଯୋଗ ବଶତଃ ଏଥର ବି ଗୁରୁ ବାହାରକୁ ଯାଇଛନ୍ତି  । ଏଥର ବି ବିଧାତା ଆସିଲେ  । ଭିତରକୁ ଗଲେ  । ବାହାରକୁ ଆସିଲେ  । କହିଲେ—”ଦୁର୍ଭାଗ୍ୟ  । କନ୍ୟା ସନ୍ତାନଟି ବେଶ୍ୟାବୃତ୍ତି କରି ଜୀବିକା ନିର୍ବାହ କରିବ  ।”
ମନ ଭାଙ୍ଗି ଗଲା ଶିଷ୍ୟଙ୍କର  । ଗୁରୁଙ୍କ ଠାରୁ ବିଦାୟ ନେଇ ଚାଲିଗଲେ ତୀର୍ଥ ଭ୍ରମଣରେ  ।
ବିତି ଗଲା ବହୁ ବର୍ଷ  ।
ଶିଷ୍ୟଙ୍କର ମନ ହେଲା ଗୁରୁଙ୍କୁ ଦେଖା କରିବାକୁ  । ପହଞ୍ଚିଲେ ଗୁରୁଙ୍କ ଗାଁ ରେ  । କିନ୍ତୁ ଆଶ୍ରମ କାହିଁ? କାହାଁନ୍ତି ଗୁରୁ ଏବଂ ଗୁରୁମା?
ଗାଁ ଲୋକେ କହିଲେ ସେମାନେ ତ କେବେଠୁ ପ୍ରାଣ ତ୍ୟାଗ କରିଛନ୍ତି  । ଶିଷ୍ୟଙ୍କୁ ବତେଇ ଦେଲେ ଗୁରୁ ପୁତ୍ରର ଠିକଣା  ।
ଭଙ୍ଗାରୁଜା କୁଡ଼ିଆଟିଏ  । ଭଙ୍ଗା ଗୁହାଳରେ ବନ୍ଧା ଗୋଟେ ରୋଗିଣା ଗାଈ  । କବାଟ ବାଡ଼େଇଲେ ଶିଷ୍ୟ  । ଭିତରୁ ବାହାରି ଆସିଲେ ଦରିଦ୍ର ଗୁରୁପୁତ୍ର  । ଶିଷ୍ୟ ପରିଚୟ ଦେଲେ  । ଗୁରୁପୁତ୍ର ପ୍ରଣାମ କରି ଭିତରକୁ ପାଛୋଟି ନେଲେ  । ଭଙ୍ଗା କାଁଥରେ ଡେରା ହେଇଛି ଅଧ ବସ୍ତା ଚାଉଳ  । ଗୁରୁ ପୁତ୍ର କହିଲେ—” ମହାରାଜ, ଆପଣଙ୍କ ସେବା କରିବାର ସାମର୍ଥ୍ୟ ଆମର ନାହିଁ  । କି ଭାଗ୍ୟ ମୋର, ଯେତେ ଖଟିଲେ ବି ମିଳେ ମାତ୍ର ବସ୍ତାଏ ଚାଉଳ  । ଦିନ ଦିନ କାମ ମିେଳନା  । ଚାଉଳ ସରିବା ପରେ ହିଁ କାମ ମିଳେ  । ଗାଈଟାର ଅବସ୍ଥା ତ ଦେଖିଛନ୍ତି  । ଖୀର ଟୋପାଏ ମିଳିବା ବି କଷ୍ଟକର  ।”
—”ମୋ କଥା ମାନିବ?”
—”କୁହନ୍ତୁ  ।”
—” କାଲି ସକାଳୁ ଯାଇ ଏଇ ଚାଉଳ ଆଉ ଗାଈଟାକୁ ହାଟରେ ବିକି ଦିଅ  । ଯାହା ଟଙ୍କା ଆସିବ ସବୁ ଖର୍ଚ୍ଚ କରିଦିଅ  । ଦୀନ ଦୁଃଖିଙ୍କୁ ଖାଇବାକୁ ଦେଇ, ଦାନ ଧର୍ମରେ  । ସବୁ ଟଙ୍କା  । ଶେଷ ପାହୁଲା ତକ ବି  । କିଛି ଯେମିତି ନ ବଳେ  ।”
—”ଏ କଣ କହୁଛନ୍ତି? ତା ପରେ ଆମେ ଚଳିବୁ କେମିତି?”
—”ମୋ ଉପରେ ବିଶ୍ୱାସ ରଖ  । ମୁଁ ଯାହା କହୁଛି କର  ।”
ଗଲା ଗୁରୁ ପୁତ୍ର  । ବିକି ଦେଲା ଗାଈ, ଅଧ ବସ୍ତା ଚାଉଳ  । ଶେଷ ପଇସା ଯାଏଁ ଖର୍ଚ୍ଚ କରି ଦେଲା ଦାନ ଧର୍ମରେ  । ଚିନ୍ତାଗ୍ରସ୍ତ ଭାବରେ ରାତିରେ ଶୋଇଲା  । ସକାଳୁ ଉଠି ବାହାରକୁ ଆସି ଦେଖିଲା ବେଳକୁ ଗୁହାଳରେ ବନ୍ଧା ହେଇଛି ଗୋଟିଏ ଗାଈ ଆଉ ତା ପାଖରେ ଥୁଆ ହେଇଛି ବସ୍ତାଏ ଚାଉଳ!
ଗୁରୁ ପୁତ୍ର ଦୌଡ଼ିଗଲା ଶିଷ୍ୟ ପାଖକୁ  ।
—”ମହାରାଜ..!”
—”ଜାଣିଛି  । ଯାଅ ବିକି ଦିଅ  । ଖର୍ଚ୍ଚ କରିଦିଅ ସବୁ ପଇସା  । କିଛି ରଖିବନି  ।”
ମାସେ ବିତି ଗଲା  । ଗୁରୁ ପୁତ୍ର ଏବେ ସୁଖୀ  । ଶିଷ୍ୟ ବିଦାୟ ନେବା ଆଗରୁ ପଚାରିଲେ
—”ତୁମର ଗୋଟିଏ ସାନ ଭଉଣୀ ଥିଲା ନା?”
—”ତା ନାଁ ନିଅନ୍ତୁନି ମହାରାଜ  । ଗାଁ ଶେଷ ମୁଣ୍ଡରେ ରହେ  । ଏତେବଡ଼ ମହାତ୍ମାଙ୍କ ଝିଅ ହେଇ… ଛି ଛି  । କଣ କହିବି ଆପଣଙ୍କୁ ତା କଥା..”
—”କିଛି କୁହନି  । ମତେ ବିଦାୟ ଦିଅ  ।”
ଶିଷ୍ୟ ଚାଲିଲେ ଗୁରୁ କନ୍ୟାର ସନ୍ଧାନରେ  ।
ଗାଁ ଶେଷ ମୁଣ୍ଡରେ କୁଡ଼ିଆଟିଏ  । ଶିଷ୍ୟ ଦୁଆର ବାଡ଼େଇଲେ  ।
ଭିତରୁ ଶୁଭିଲା ନାରୀ କଣ୍ଠ
—”କୋଉ ଅଳପେଇସା ଦିନ ବେଳଟାରେ କବାଟ ବାଡାଉଛି ମ? ରାତି ସାରା ଖଟି ଖଟି ମଣିଷ ମଲା  । ଦିନ ବେଳେ ବି ଏମାନଙ୍କୁ ଲାଜ ନାହିଁ? ଯାଅ ଯାଅ ରାତିକି ଆସିବ  ।”
ଶିଷ୍ୟ ପୁଣି କବାଟ ବାଡ଼େଇଲେ  । କବାଟ ଫିଟେଇଲା ଗୋଟିଏ ସୁନ୍ଦରୀ ତରୁଣୀ  । ସନ୍ୟାସୀଙ୍କୁ ଦେଖି ଆଖିର ରାଗ ବିସ୍ମୟରେ ପରିଣତ ହେଲା  ।
—”ଆପଣ?”
ଶିଷ୍ୟ ନିଜ ପରିଚୟ ଦେଲେ  । ତରୁଣୀ ଲଜ୍ଜାରେ ଦୁଃଖରେ ଭାଙ୍ଗି ପଡ଼ିଲା  ।
—”ମତେ କ୍ଷମା କରନ୍ତୁ ମହାରାଜ  । ମୁଁ ମୋ ପିତାଙ୍କ ନାଁ କୁ ତଳେ ପକେଇଛି  । ମୁଁ ପାପୀ  । କିନ୍ତୁ ଅରକ୍ଷିତ ସ୍ତ୍ରୀଲୋକ ମୁଁ  । ଏ କାମ ନକଲେ ଖାଇବି କଣ? କେମିତି ବଞ୍ଚିବି? ଆତ୍ମହତ୍ୟା କରିବି?”
—” ନା  । କଦାପି ନୁହେଁ  । ମୋ କଥା ମାନିବ? ଆଜିଠୁଁ ତୁମେ କାହାକୁ ଦୁଆର ଖୋଲନି  । ଯିଏ ବି ଡାକିବ ତାକୁ କହିବ ଯଦି ସେ ତମକୁ ଗୋଟିଏ ଝୁଡ଼ି ମୁକ୍ତା ଦିଏ, ତାହେଲେ ହିଁ ସେ ଭିତରକୁ ଆସିବ  ।”
—”ଏଭଳି ଅସମ୍ଭବ କଥା କିଏ କାହିଁକି ମାନିବ? କେହି ଆସିବେନି  । ମୁଁ ଖାଇବାକୁ ପାଇବିନି  ।”
—”ମୋ ଉପରେ ବିଶ୍ୱାସ ରଖ  ।”
ପର ଦିନ ସକାଳେ ପୁଣି ତା ଘରକୁ ଗଲେ  । ଗୁରୁ କନ୍ୟା ପାଦ ତଳେ କଚାଡି ପଡ଼ିଲା  ।
—”ଆପଣ ଧନ୍ୟ ମହାରାଜ! ସତରେ ଜଣେ ଆସିଥିଲେ  । ଏଇ ଦେଖନ୍ତୁ ଝୁଡ଼ିଏ ମୁକ୍ତା!”
—”ବାସ  । ଆଉ ତମର ଚିନ୍ତା ନାହିଁ ମାଆ  । ଆଜିଠୁଁ କେବଳ ତାଙ୍କୁ ହିଁ ଅପେକ୍ଷା କର  । ସେ ପ୍ରତି ରାତିରେ ଆସିବେ  । ଆଉ ହଁ, ଏ ମୁକ୍ତା ସବୁ ବିକି ଦିଅ  । ସବୁ ସାରି ଦିଅ ଦାନ ଧର୍ମରେ  । ଗୋଟିଏ ବି ପଇସା ରଖିବନି  । ଆଉ ହଁ, ମନେ ରଖିବ ମୁଁ ଯାହା କହିଛି ସେମିତି ହିଁ ଚଳିବ  ।”
ମାସେ ବିତି ଗଲା  । ଶିଷ୍ୟ ଖୁସି  । ଭାବିଲେ ଏଥର ମୋ କାମ ସରିଗଲା  । ଏଥର ଯିବା  ।
ରାତି ଅଧରେ ଉଠି ଯାତ୍ରା ଆରମ୍ଭ କଲେ  ।
ଶୂନଶାନ ଗାଁ ଦାଣ୍ଡ  ।
ଶିଷ୍ୟ ଚାଲିଛନ୍ତି  । ହଠାତ ଦେଖିଲେ ଜଣେ କିଏ ଆଗରୁ ଆସୁଛି  । ମୁଣ୍ଡରେ ଗୋଟେ ବସ୍ତା, ଗୋଟିଏ ହାତରେ ପଘା ବନ୍ଧା ଗାଈ ଓ ଅନ୍ୟ ହାତରେ ଗୋଟିଏ ଝୁଡ଼ି  ।
ଶିଷ୍ୟ ଡାକିଲେ—”ପ୍ରଭୁ —”
—”ତମେ!..ତମେ!…ତମରି ଯୋଗୁଁ ମୋର ଏଇ ଅବସ୍ଥା  । ମୁଁ ତମର କି ଦୋଷ କରିଥିଲି?” ଚିତ୍କାର କଲେ ବିଧାତା  ।
—”କଣ ହେଇଛି ପ୍ରଭୁ?”
—”ଦେଖି ପାରୁନ? ପ୍ରତି ରାତିରେ ସେ ପୁଅଟିର ଘରେ ନେଇ ଏଇ ଗାଈ ଆଉ ଚାଉଳ ରଖିବି ତା ପରେ ମୁକ୍ତା ଝୁଡ଼ି ନେଇ ଯିବି ସେ ଝିଅ ପାଖକୁ  ।”
—”କାହିଁକି?”
—”ଥଟ୍ଟା ହଉଛ ମୋ ସହିତ? ନିଜ ହାତରେ ସେମାନଙ୍କ ଭାଗ୍ୟ ଲେଖିଥିଲି  । ଅନ୍ୟଥା କେମିତି କରିବି?”
କାନ୍ଦି ପକେଇଲେ ବିଧାତା  ।
—”ମତେ ବଞ୍ଚାଆ  । ଆଉ ପାରୁନି  । ଚାଉଳ ବସ୍ତା ବୋହି ବୋହି ମୁଣ୍ଡ ଚନ୍ଦା ହେଇଗଲାଣି  । ସବୁ ରାତିରେ ବେଶ୍ୟା ପାଖକୁ ଯାଉଛି ବୋଲି ସ୍ତ୍ରୀ ଘର ଛାଡ଼ି ପଳେଇବାକୁ ବସିଲେଣି  । ତମେ ହିଁ ମତେ ବିପଦରେ ପକେଇଛ, ତମେ ହିଁ ଉପାୟ କୁହ  ।”
—”ଉପାୟ ତ ଆପଣଙ୍କ ହାତରେ ପ୍ରଭୁ  । ସେମାନଙ୍କ ଭାଗ୍ୟକୁ ପୁଣି ଥରେ ନୂଆ କରି ଲେଖି ସେମାନଙ୍କୁ ସହଜ ଜୀବନଟିଏ ଦିଅନ୍ତୁ ନହେଲେ ଏମିତି ନିଜ କର୍ମଫଳ ଭୋଗୁଥାନ୍ତୁ  । ପ୍ରଣାମ  ।”
କିଂକର୍ତ୍ତବ୍ୟବିମୁଢ ବିଧାତାଙ୍କୁ ପଛରେ ପକେଇ ଶିଷ୍ୟ ହସି ହସି ଆଗେଇଗଲେ  ।
(ସୋଷିଆଲ୍ ମିଡ଼ିଆ ରୁ ସଂଗୃହିତ,
ସଂକଳିକା ଶ୍ରୀମତୀ ଭାସ୍ୱତୀ ବସୁ)

Moral: ବୁଦ୍ଧି ଅଛି? ତାହେଲେ ବିଧାତା ବି ହାର ମାନିବେ  । ନିଜ ଭାଗ୍ୟ ପାଖରେ ହାରି ଯାଅନି  ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.