Press "Enter" to skip to content

ଉତ୍ଥାନ-ପତନର କାରଣ

Last updated on November 17, 2020

ଭଗବାନ୍‌ ଶ୍ରୀକୃଷ୍ଣ ଗୋଲୋକ ଧାମ ଚାଲିଯିବାପରେ ପାଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସହ ପୃଥିବୀ ତ୍ୟାଗ କରି ଚାଲିଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେ  । ଅତଃ ରାଜବସ୍ତ୍ର ତ୍ୟାଗକରି ବକ୍କଳ ପରିଧାନକରି ଭାରତ ପରିକ୍ରମାରେ ବାହାରିପଡିଲେ  । ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ ଏବଂ ଦ୍ରୌପଦୀ ନିମ୍ନକୁ ଦୃଷ୍ଟି ରଖି ପରିକ୍ରମା କରିକରି ହରିଦ୍ୱାରରେ ପହଞ୍ଚିଲେ  । ସେଠାରେ ଚାରିଗୋଟି ଶିଙ୍ଗ, ସାତଗୋଟି ହାତ ଆଉ ତିନିପାଦଯୁକ୍ତ ଦେବତା ତାଙ୍କ ମାର୍ଗ ଅବରୋଧ କଲେ  । ପଚାରିବାରୁ କହିଲେ, ଋଣ ପରିଶୋଧ ନ କରିବାଯାଏଁ ସେ ସେମାନଙ୍କୁ ଛାଡିବେନାହିଁ  । ଋଣ କଣ ଅଛି ପଚାରିବାରୁ କହିଲେ, “ମୋ ଗାଣ୍ଡୀବ ଧନୁଟି ମୋତେ ଦେଇଦିଅ”  । ତତ୍‌ପଶ୍ଚାତ୍‌ ପାଣ୍ଡବଗଣ ଦ୍ରୌପଦୀଙ୍କ ସହିତ ସ୍ୱର୍ଗାରୋହଣ କରିବାପାଇଁ ହିମାଳୟରେ ପହଞ୍ଚିଲେ  । ସେଠାରେ ଚତୁର୍ଦ୍ଦିଗ ବରଫାବୃତ ଥିଲା, ହଠାତ୍‌ କେହି ଜଣେ ପଡିଯିବାର ଶବ୍ଦ ଶୁଣାଗଲା  । ଭୀମ ଦେଖିଲେ ଦ୍ରୌପଦୀ ପଡିଯାଇଛନ୍ତି  । ଯୁଧିଷ୍ଠିର କହିଲେ, ‘ଯିଏ ପଡିଯାଇଛି ତାକୁ ପଡିରହିବାକୁ ଦିଅ, ପଛକୁ ଆଦୌ ଦେଖନାହିଁ  । କାହାରି ପ୍ରତୀକ୍ଷା କରନାହିଁ  । ଯଦି ଏହି ଧର୍ମ ମାର୍ଗରେ କେହି ତୁମ ସହିତ ଆସିବାପାଇଁ ଚାହୁଁନାହିଁ, ତେବେ କିଛି କଥା ନାହିଁ  ।’ ଦ୍ରୌପଦୀଙ୍କର ପାଞ୍ଚପାଣ୍ଡଙ୍କ ସହ ବିବାହ ହୋଇଥିଲା  । ମାତ୍ର ସେ ଯେତେବେଳେ ଚାହୁଁଥିଲେ କନ୍ୟା ହୋଇପାରୁଥିଲେ, ତାଙ୍କୁ ଏହି ଶକ୍ତି ପୂର୍ବରୁ ପ୍ରାପ୍ତ ଥିଲା  । ପ୍ରବାଦ ଅଛି ଯେ, ସେ ପୂର୍ବଜନ୍ମରେ ତପସ୍ୟା କରି, ଭଗବାନ୍‌ ଶଙ୍କରଙ୍କୁ ପ୍ରସନ୍ନ କରିଥିଲେ ଆଉ ପାଞ୍ଚ ଥର ‘ପତିଂ ଦେହି’ ବୋଲି ଉଚ୍ଚାରଣ କରିଥିଲେ  । ଅତଃ ଭଗବାନ୍‌ ଶଙ୍କର ତାଙ୍କୁ ପାଞ୍ଚ ପତିଙ୍କୁ ପ୍ରଦାନ କରିଥିଲେ  । ଏହାଶୁଣି ଦ୍ରୌପଦୀ ମୂର୍ଚ୍ଛା ହୋଇଯିବାରୁ ଭଗବାନ୍‌ ଶଙ୍କର, ତାଙ୍କୁ ଯେଉଁ ମୁହୂର୍ତ୍ତରେ ଇଚ୍ଛା ସେ କନ୍ୟା ହୋଇପାରିବେ ବୋଲି ବରପ୍ରଦାନ କରିଥିଲେ  ।
ଏକଦା ଭୀମ ଦେଖିଲେ ଯେ, ଯୁଧିଷ୍ଠିର ଦ୍ରୌପଦୀଙ୍କର ପାଦ ମଞ୍ଚାଳୁଛନ୍ତି  । ଏହାଦେଖି ଭୀମ ଶ୍ରୀକୃଷ୍ଣଙ୍କୁ କହିଥିଲେ, ଯୁଧିଷ୍ଠିର ନପୁଂସକ ଅଟନ୍ତି, ସ୍ତ୍ରୀର ପାଦ ମଞ୍ଚାଳୁଛନ୍ତି ! ଶ୍ରୀକୃଷ୍ଣ ଓଲଟା ତାଙ୍କୁ କହିଲେ, ତୁମେ ବି ତ ଏପରି କରୁଛ ! ଭୀମ ନାଁ କହିଥିଲେ  । ଏହାପରେ ଶ୍ରୀକୃଷ୍ଣ ତାଙ୍କୁ ରାତ୍ରିକାଳରେ ଘଞ୍ଚ ଜଙ୍ଗଲକୁ ନେଇ ଏକ ତେନ୍ତୁଳି ବୃକ୍ଷ ଉପରେ ବସାଇଦେଇ କହିଲେ, ଏଠାରେ ବସି ସବୁ ଦେଖିବ, ହେଲେ ଆଦୌ ଭୟଭୀତ ହେବନାହିଁ  । ସେଠାରେ ଥିବା ଶ୍ମଶାନରେ ଏକ ବିଶାଳ ସଭା ବସିଥିଲା, ସମସ୍ତ ଦେବତାଙ୍କର ଆଗମନ ହୋଇଥିଲା  । ସମସ୍ତେ ନିଜନିଜ ସିଂହାସନରେ ବସିଥାନ୍ତି  । କେବଳ ଗୋଟିଏ ସିଂହାସନ ଖାଲିଥାଏ  । ହଠାତ୍‌ ଭୀମ ଦେଖିଲେ, ଦ୍ରୌପଦୀ ସଭାସ୍ଥଳୀକୁ ଆସିବାରୁ ସମସ୍ତେ ତତ୍‌କାଳ ଛିଡା ହୋଇଗଲେ ଆଉ ଦ୍ରୌପଦୀଙ୍କର ପ୍ରାର୍ଥନା କରିବାରେ ଲାଗିଲେ  । ମହାଭାରତ ଯୁଦ୍ଧ ଚାଲିଥାଏ, ସେ କହିଲେ, ଏ ଯୁଦ୍ଧରେ କେହି ବି ଜୀବିତ ରହିବେନାହିଁ  । ଏହାଶୁଣି ଭୀମଙ୍କ ହୃତ୍‌ସ୍ପନ୍ଦନ ବନ୍ଦ ହେବାଭଳି ଲାଗିଲା, ସେ ସ୍ତବ୍ଧ ହୋଇଗଲେ  । ସଙ୍ଗେସଙ୍ଗେ ବୃକ୍ଷରୁ ତଳକୁ ଆସି ଶ୍ରୀକୃଷ୍ଣଙ୍କୁ କହିଲେ, ଏ କଥା ମୁଁ ଆଦୌ ଭାବିନଥିଲି  । ଅତଃ ବଞ୍ଚିବାର ଉପାୟ ଯଦି କିଛି ଅଛି ତେବେ କୁହନ୍ତୁ  । ଶ୍ରୀକୃଷ୍ଣ ଭୀମଙ୍କୁ କହିଲେ, ପାଞ୍ଚଭ୍ରାତା ଜୀବିତ ରହିବାପାଇଁ ଦ୍ରୌପଦୀଙ୍କୁ ବର ମାଗିନିଅ  । ଭୀମ ଆଉ ଶ୍ରୀକୃଷ୍ଣ ଉଭୟେ ଦ୍ରୌପଦୀଙ୍କୁ ଯୁଦ୍ଧରେ ଜୀବିତ ରହିବାପାଇଁ ବରଯାଚନା କରିଥିଲେ  । ଶେଷରେ ତାହା ହିଁ ଘଟିଥିଲା  । ଏଠାରେ ଦ୍ରୌପଦୀଙ୍କର ମହାନତାକୁ ସ୍ପଷ୍ଟରୂପେ ଅବତାରଣା କରାଯାଇଛି  । ସେ କୌଣସି ସାଧାରଣ ନାରୀ ନଥିଲେ, ବରଂ ଥିଲେ ମହାକାଳୀସ୍ୱରୂପା, ଯିଏ ମହାଭାରତ ଯୁଦ୍ଧରେ ଖପ୍ପର ନେଇ ଘୂରିବୁଲୁଥିଲେ  । ତେବେ ସେ ସ୍ୱର୍ଗାରୋହଣ କାଳରେ କାହିଁକି ତଳେ ପଡିଯାଇଥିଲେ ? କାରଣ ଥିଲା, ପାଞ୍ଚପତିଙ୍କ ପ୍ରତି ସେ ସମାନ ଭାବରେ ଅନୁରକ୍ତ ନହୋଇ ଅର୍ଜ୍ଜୁନଙ୍କ ପ୍ରତି ଅଧିକ ଅନୁରକ୍ତ ଥିଲେ, ଏହି ପାପ କାରଣରୁ ତାଙ୍କର ପତନ ହୋଇଥିଲା  ।
ଏହାପରେ ପୁଣିଥର ପଡିବାର ଶବ୍ଦ ଶୁଣାଗଲା  । ଏଥର ସହଦେବ ପଡିଗଲେ  । ସେ ତାଙ୍କ ବୁଦ୍ଧିକୁ ନେଇ ବଡ ଅଭିମାନ କରୁଥିଲେ, ଅତଃ ତାଙ୍କର ପତନ ହୋଇଥିଲା  ।
ଯୁଧିଷ୍ଠିର ସମସ୍ତଙ୍କ ଉପରେ ସମ ଦୃଷ୍ଟି ରଖିଥିବାରୁ ସମସ୍ତଙ୍କ ମଧ୍ୟରେ ଥିବା ଅଭାବଟିକୁ ଭଲଭାବରେ ଜ୍ଞାତ ହୋଇଥିଲେ  । ଏହାପରେ ନକୁଳ ପଡିଗଲେ  । ତାଙ୍କର ରୂପକୁ ନେଇ ବଡ ଗର୍ବ ଥିଲା  । ବିଧାତା ତାଙ୍କୁ ସର୍ବଶ୍ରେଷ୍ଠ ରୂପ ପ୍ରଦାନ କରିଛନ୍ତି ବୋଲି ସେ ଭାବୁଥିଲେ, ଅତଃ ଗର୍ବ କାରଣରୁ ତାଙ୍କର ପତନ ହୋଇଥିଲା  ।
ଏହାପରେ ଅର୍ଜ୍ଜୁନ ପଡିଯାଇଥିଲେ  । ପଚାରିବାରୁ ଯୁଧିଷ୍ଠିର କହିଲେ, ସେ ତାଙ୍କ ବୀରତ୍ୱକୁ ନେଇ ଅଭିମାନ କରୁଥିଲେ, ସର୍ବଦା କହୁଥିଲେ, ଗୋଟିଏ ଦିନରେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଯିବେ, କିନ୍ତୁ ଯୁଦ୍ଧରେ ଜୟୀ ହେବାପାଇଁ ତାଙ୍କୁ ୧୮ଦିନ ସମୟ ଲାଗିଯାଇଥିଲା  । ସେହି ସତ୍ୟବାଦୀ ଅର୍ଜ୍ଜୁନ ନିଜର ପ୍ରତିଜ୍ଞା ପୂର୍ଣ୍ଣ ନକରି ମିଥ୍ୟା ଭାଷଣ ଏବଂ ଦର୍ପୋକ୍ତି କରିବାରୁ ଗାଣ୍ଡୀବର ମଧ୍ୟ ଅପମାନ ହେଲା  ।
ଭୀମ ପଡିଯିବାପରେ ସେ କହିଥିଲେ, ସେ ଅଧିକ ଭୋଜନ କରୁଥିଲେ, କଦାପି କୌଣସି ବ୍ରତ କିମ୍ୱା ଉପବାସ କରୁନଥିଲେ  । ଦେବତା ଥରେ ଭୋଜନ କରନ୍ତି, ମନୁଷ୍ୟମାନେ ଦୁଇଥର, ଦୈତ୍ୟ ତିନିଥର ଆଉ ଶ୍ୱାନମାନେ ଚାରିଥର ଅବା ଚାରିଥରରୁ ଅଧିକ ଭୋଜନ କରନ୍ତି  । ଭୀମ ପେଟୁ ଥିଲେ, ଭୋଜନ ପ୍ରତି ଆସକ୍ତ ଥିଲେ, ତା ସହିତ ତାଙ୍କୁ ନିଜ ଶକ୍ତିକୁ ନେଇ ବହୁତ ଅହଂକାର ଥିଲା  । ଅତଃ ସେ ମଧ୍ୟ ସ୍ୱର୍ଗାରୋହଣ କରିପାରିଲେ ନାହିଁ, ମଝି ରାସ୍ତାରେ ପଡିଗଲେ  ।
ଅଧୁନା ଶେଷରେ ଧର୍ମରାଜ ଆଉ ଶ୍ୱାନ ବାକି ରହିଗଲେ  । ସମସ୍ତେ ଛାଡି ଚାଲିଗଲେ  । ଏହିଭଳି ଭାବେ ଅନ୍ତକାଳରେ ସମସ୍ତେ ସଙ୍ଗ ଛାଡି ଚାଲିଯିବେ କେବଳ ଧର୍ମ ହିଁ ଆମ ସଙ୍ଗରେ ଯିବ  । ଚତୁର୍ଦ୍ଦିଗ ବରଫାବୃତ ଥିଲା, ହିମାଳୟର ସର୍ବୋଚ୍ଚ ଶିଖରରେ ଭାରତର ସମ୍ରାଟ୍‌ ଧର୍ମରାଜ ଯୁଧିଷ୍ଠିର ତାଙ୍କ ଶ୍ୱାନ ସହିତ ଛିଡା ହୋଇଥାନ୍ତି, ତାଙ୍କୁ ନେବାପାଇଁ ସ୍ୱର୍ଗରୁ ଏକ ବିମାନ ଆସିଲା  । ଧର୍ମରାଜଙ୍କୁ ବିମାନ ଆରୋହଣ କରିବାପାଇଁ କହିବାରୁ, ସେ କହିଲେ, ପ୍ରଥମେ ଶ୍ୱାନକୁ ବିମାନରେ ବସାଅ  । ଦେବତାମାନେ କହିଲେ, ଶ୍ୱାନ ସ୍ୱର୍ଗକୁ ଯାଇପାରିବ ନାହିଁ, ଅତଃ ଆପଣ ରଥରେ ବିରାଜମାନ କରନ୍ତୁ  । ଏହାଶୁଣି ଧର୍ମରାଜ ସେହି ଶ୍ୱାନ ବିନା ସ୍ୱର୍ଗାରୋହଣ କରିବାପାଇଁ ସ୍ପଷ୍ଟ ମନା କରିଦେଲେ  । ଶ୍ୱାନ ଶେଷ ପର୍ଯ୍ୟନ୍ତ ତାଙ୍କ ସଙ୍ଗରେ ରହିଥିଲା, ହେଲେ ଭାଇ, ପତ୍ନୀ ସମସ୍ତେ ତାଙ୍କ ସଙ୍ଗ ଛାଡି ଦେଇଥିଲେ  । ଯଦି ଧର୍ମରେ ଶ୍ୱାନ ମଧ୍ୟ ସଙ୍ଗରେ ରହେ, ତେବେ ତାହାର ମଧ୍ୟ ପରିତ୍ୟାଗ କରିବା ଉଚିତ ନୁହେଁ  । ଧର୍ମରାଜ ମନା କରିବାରୁ ତଥା ନିଜେ ନିଜର ପୁଣ୍ୟଫଳର ଅଧା ସେହି ଶ୍ୱାନକୁ ପ୍ରଦାନ କରିବାରୁ ତତ୍‌କାଳ ଶ୍ୱାନ ଯମରାଜାରେ ପରିଣତ ହୋଇଗଲେ ଆଉ ଧର୍ମରାଜ ସ୍ୱର୍ଗଲୋକକୁ ଚାଲିଗଲେ  ।
ଉପରୋକ୍ତ ଦୃଷ୍ଟାନ୍ତ ଆମକୁ ଏହା ବୋଧ କରାଉଅଛି ଯେ, ଭେଦଭାବ, ମିଥ୍ୟାଭାଷଣ ଏବଂ ଅହଂକାର ଯୋଗୁଁ ପତନ ହେବାସ୍ଥଳେ ଧର୍ମମାର୍ଗରେ ଦୃଢ଼ ରହିଲେ ଉତ୍ଥାନ ଅବଶ୍ୟମ୍ଭାବୀ ହୋଇଥାଏ  ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.