Press "Enter" to skip to content

ଆଳସ୍ୟ ତ୍ୟାଗକରି ପୁରୁଷାର୍ଥୀ ହୁଅ, ବୈଦିକ ଜ୍ଞାନରେ ଉଦ୍ଭାସିତ ହୁଅ

Last updated on August 13, 2022

ଅକ୍ରନ୍ କର୍ମ କର୍ମକୃତଃ ସହ ବାଚା ମୟୋଭୁବା  ।
ଦେବେଭ୍ୟଃ କର୍ମ କୃତ୍ୱାସ୍ତଂ ପ୍ରେତ ସଚାଭୁବଃ   ॥ (ଯଜୁର୍ବେଦ -୩/୪୭)

ଭାବାର୍ଥ : ଆଳସ୍ୟକୁ ତ୍ୟାଗ କରି ପୁରୁଷାର୍ଥୀ ହୁଅ, ମୂର୍ଖତାକୁ ତ୍ୟାଗ କରି ବେଦଜ୍ଞାନ ପ୍ରାପ୍ତ ହୁଅ, ମଧୁର ବଚନ କୁହ, ପରସ୍ପର ମିଶି ଜଣେ ଅପରର ସହାୟତା କର  । ଏହା ଦ୍ୱାରା ଇହଲୌକିକ ଓ ପାରଲୌକିକ ସୁଖକୁ ଅବଶ୍ୟ ପ୍ରାପ୍ତି ହୋଇପାରିବ  ।
ବ୍ୟାଖ୍ୟା : ବେଦ ଜ୍ଞାନ-ବିଜ୍ଞାନର ଅଜସ୍ର ଭଣ୍ଡାର ଅଟେ  । ବେଦ ଜ୍ଞାନର ପରିପୁଷ୍ଟିରେ ମନୁଷ୍ୟ ଜୀବନର ସାର୍ଥକତା ନିହିତ  । ଯେଉଁ ବୈଦିକ ଜ୍ଞାନ ଆମକୁ ସଂସାରର ଗୂଢତମ ତତ୍ତ୍ୱ ଅବଗାହନରେ ସହାୟ ହୋଇଥାଏ, ସେହି ଜ୍ଞାନ ଆମକୁ ଜୀବନରେ ପ୍ରୟୋଗ କରିବାର ମାର୍ଗ ମଧ୍ୟ ପ୍ରଦର୍ଶନ କରିଥାଏ  । ଅଜ୍ଞାନ ଓ କୁସଂସ୍କାରରୁ ମୁକ୍ତ ହେବା, ପତିତକୁ ଉଦ୍ଧାର କରିବାର ପ୍ରୟାସୀ କରିବା ତଥା ସଦ୍ ଜ୍ଞାନର ପ୍ରସାର କରିବା ମାନବର ଧର୍ମ ଅଟେ  । ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ମନୁଷ୍ୟ ନିଜ ସ୍ୱାର୍ଥ, ଲାଳସା ଓ କାମନା ପୂରଣ ନିମିତ୍ତ ମୂର୍ଖ ଭାବରେ, ଉଚିତ-ଅନୁଚିତର ଧ୍ୟାନ ନ ରଖି ନୀଚତାକୁ ମଧ୍ୟ ସ୍ୱୀକାର କରିନିଏ  ।
ଆମକୁ ସଜ୍ଜନମାନଙ୍କର ମାର୍ଗ ଅନୁସରଣ କରିବା ଦରକାର । ସେଥିପାଇଁ କୁହାଯାଇଛି ‘ଓଁ ଦେବାନାମପି ପନ୍ଥାମଗନ୍ମ  ।’ ଉଦାରତା, ସହାୟତା ଓ ପ୍ରେମ ପରିପୂର୍ଣ୍ଣ ଜୀବନ ନିର୍ବାହ ପୂର୍ବକ ସମସ୍ତଙ୍କର ଉନ୍ନତିକୁ ପ୍ରଶସ୍ତ କରିବା ଦରକାର  । ନିଜ ସ୍ୱାର୍ଥ ସାଧନରୁ ନିବୃତ୍ତ ରହି ଅନ୍ୟର ହିତସାଧନ ପାଇଁ ତତ୍ପର ରହିବା ଉଚିତ  ।
ଜୀବନ ନଶ୍ୱର, ଏହାର ଅର୍ଥ ନୁହେଁ କି ସମୟ ନଷ୍ଟ କରିବା, ଆଳସ୍ୟ ଓ ବ୍ୟର୍ଥ ବାର୍ତ୍ତାଳାପରେ ଅପଚୟ କରିବା  । ଏଥିରୁ ଏଇ ପ୍ରେରଣା ଲାଭ କରିବା ଦରକାର କି, ସମୟର ସଦୁପଯୋଗ କରି, ପରମାତ୍ମ ଚିନ୍ତନରେ ତତ୍ପର ରହି ଉଚିତ କର୍ମ ସମ୍ପାଦନ କରିବା ଦରକାର  ।
ନିଷ୍କ୍ରିୟତା ଜଡତାର ଲକ୍ଷଣ ଅଟେ, ମୃତ୍ୟୁର ଲକ୍ଷଣ ଅଟେ  । ଅତଃ ଆଳସ୍ୟ ପରାୟଣ ବ୍ୟକ୍ତି ନିଷ୍କ୍ରିୟ ହେବାବେଳେ ଜ୍ଞାନୀ ଶାନ୍ତ ଏବଂ ସନ୍ତୁଳିତ ହୋଇଥାନ୍ତି  । ସେମାନେ ଶ୍ରେୟ ପଥ ଅନୁସରଣ କରି ଆତ୍ମିକ ପରମାନନ୍ଦ ପ୍ରାପ୍ତ ହୋଇଥାନ୍ତି ଏବଂ ଜୀବନର ସବୁ ପ୍ରକାର ସୁଖ ଓ ସନ୍ତୁଷ୍ଟି ଲାଭ କରିଥାନ୍ତି  ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.