Press "Enter" to skip to content

ଜ୍ଞାନ ଓ କର୍ମର ସମ୍ମିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ସମ୍ଭବ

Last updated on August 13, 2022

ଯତ୍ର ବ୍ରହ୍ମ ଚ କ୍ଷତ୍ରଂ ଚ ସମଯଞ୍ଜୌ ଚରତଃ ସହ ।
ତଂଲ୍ଲୋକଂ ପୁଣ୍ୟଂ ପ୍ରଜ୍ଞେଷଂ ଯତ୍ର ଦେବାଃ ସହଗ୍ନିନା ।।(ଋ.ବେ.୨୦/୨୫)

ଯେଉଁଠାରେ ଜ୍ଞାନ ଦ୍ୱାରା ସତ୍ କର୍ମକୁ ଜାଗ୍ରତ ରଖିବା ଜରୁରୀ, ସେଠାରେ ଶସ୍ତ୍ର ଦ୍ୱାରା ଦୁଷ୍ଟମାନଙ୍କର ସଂହାର ମଧ୍ୟ ଆବଶ୍ୟକ । ଜ୍ଞାନ ଓ କର୍ମର ସଂଯୋଗରେ ହିଁ ସର୍ବାଙ୍ଗପୂର୍ଣ୍ଣ ଆଧ୍ୟାତ୍ମିକ ଜୀବନ ନିର୍ବାହ ହୋଇଥାଏ । ବ୍ରାହ୍ମଣ ବର୍ଗର ଜ୍ଞାନ ଆଉ କ୍ଷତ୍ରିୟ ବର୍ଗର ତେଜ ଯେଉଁଠାରେ ସମ୍ମିଳିତ ହୋଇ ରହିବ, ସେହି ସମାଜ ସର୍ବଦା ପରିପୂର୍ଣ୍ଣ ହୋଇ ରହିବ ।
ବ୍ୟାଖ୍ୟା : ଗୀତାରେ ଭଗବାନ କହିଛନ୍ତି, ସମୟେ ସମୟେ ସାଧୁମାନଙ୍କର ରକ୍ଷା, ଦୁଷ୍ଟମାନଙ୍କର ସଂହାର ନିମନ୍ତେ ଅବତାର ଗ୍ରହଣ କରିଥାନ୍ତି । ସଂସାରକୁ ସୁଖୀ ରଖିବାର ମୂଳମନ୍ତ୍ର ହେଉଛି- ଏହି ମହୀକୁ ଦୁଷ୍ଟ ଦୁରାଚାରୀମାନଙ୍କ କବଳରୁ ମୁକ୍ତି କରିବା । ପରମାତ୍ମା ଏହି ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ପରମାତ୍ମାଙ୍କର ପବିତ୍ର ଅଂଶ ହିଁ ଆମର ଆତ୍ମା । ଆମେ ହିଁ ତାଙ୍କର ପ୍ରତିନିଧି, ତାଙ୍କର ଅସଂଖ୍ୟ ଅନୁଦାନ ବରଦାନ ଆମକୁ ପ୍ରାପ୍ତ ହେଉଛି । ଆମକୁ ଆମର ପ୍ରତିଭା ଓ କ୍ଷମତାକୁ ସଂସାରରେ ସତ୍ କର୍ମର ପ୍ରସାର ଓ ଦୁଷ୍କର୍ମ ନାଶ କରିବା ହେତୁ ଉପଯୋଗ କରିବା ଦରକାର । ତାହାହିଁ ପ୍ରକୃତ ମାନବ ଧର୍ମ ଅଟେ । ଜ୍ଞାନଯୋଗ ଓ କର୍ମଯୋଗର ସାଧନା ଏକତ୍ରିତ ଭାବେ କରିବାରେ ହିଁ ମାନବ ଶରୀରର ଉପଯୋଗିତା ରହିଛି ଅନ୍ୟଥା ମାନବ ଓ ପଶୁ ମଧ୍ୟରେ କୌଣସି ଅନ୍ତର ନାହିଁ ।
ମନୁଷ୍ୟ ଉପରେ ଅନେକ ମର୍ଯ୍ୟାଦା ଓ ନୈତିକ ନିୟମ ବନ୍ଧାଯାଇଛି ଆଉ ସମସ୍ତ ବୋଝ ତା ଉପରେ ଲଦାଯାଇଛି । ସେହି ଦାୟିତ୍ୱ ଓ କର୍ତ୍ତବ୍ୟକୁ ପୂରା କରିବା ମନୁଷ୍ୟର ଧର୍ମ ଅଟେ । ଶରୀରକୁ ନିରୋଗ ରଖି, ମସ୍ତିଷ୍କକୁ ସଦ୍ଗୁଣୀ କରି ଦେଶ, ଧର୍ମ, ସମାଜ ଓ ସଂସ୍କୃତିକୁ ସମୁନ୍ନତ ରଖିବା ପାଇଁ ପୂର୍ଣ୍ଣ ଧ୍ୟାନ ଦେବା ମନୁଷ୍ୟର କର୍ତ୍ତବ୍ୟ । ନିଜର ଜ୍ଞାନ ଆଉ ପ୍ରତିଭାର ଉତ୍ତରୋତ୍ତର ଉନ୍ନତି କରି ତଦନୁସାରେ ଶ୍ରେଷ୍ଠ ଆଚରଣ କରିବା ଆମର ପବିତ୍ର କର୍ତ୍ତବ୍ୟ । ଏହା ହିଁ ଜ୍ଞାନଯୋଗ ଓ କର୍ମଯୋଗର ସମ୍ମିଳିତ ସାଧନା । ପ୍ରକୃତ ହେଉଛି ଈଶ୍ୱରଭକ୍ତି, ଏହା ମାନବକୁ ମାନବତାର ଗାରିମା ପ୍ରଦାନ କରିଥାଏ ।
ବର୍ଣ୍ଣ ବ୍ୟବସ୍ଥାର ବିଧାନ ଅନୁସାରେ ଚାରିବର୍ଣ୍ଣର ସମ୍ମିଳିତ ସାଧନା ସମାଜର ଉତ୍ଥାନ ନିମିତ୍ତ ଏକାନ୍ତ ଅପରିହାର୍ଯ୍ୟ, ଯାହାକୁ ଆମେ ଭୁଲିଗଲେଣି । ଏହି ଜ୍ଞାନ ରୂପୀ ଅଙ୍କୁଶ ଦ୍ୱାରା ହିଁ ସମାଜ ତେଜସ୍ୱୀ, ବର୍ଚସ୍ୱୀ ହୋଇଥାଏ, ଉନ୍ନତି କରିଥାଏ ଓ ସବୁଦିଗରୁ ପରିପୂର୍ଣ୍ଣ ହୋଇଥାଏ । ଅତଃ ଜ୍ଞାନ ଓ କର୍ମର ସମ୍ମିଳିତ ସାଧନା ଦ୍ୱାରା ସମାଜର ଉତ୍ଥାନ ଅବଶ୍ୟମ୍ଭାବୀ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.