Press "Enter" to skip to content

ସାଧୁ-ଦୃଷ୍ଟି……

Last updated on August 13, 2022

କର୍ମ ହିଁ ଉପାସନା

ମନୁଷ୍ୟ ଜୀବନର ସାର୍ଥକତା ତ୍ୟାଗ ଓ ନିଷ୍ଠାପର ସାଧନା ଦ୍ୱାରା ହିଁ ସମ୍ଭବ । ତ୍ୟାଗପୂର୍ଣ୍ଣ ଜୀବନ ବିନା ଜୀବନର ପ୍ରକୃତ ସ୍ୱାଦ ମିଳିବା କଷ୍ଟକର । କିନ୍ତୁ ଆମେ ସାଧାରଣ ଭାବରେ ଏହାକୁ ଠିକ୍ ଭାବରେ ବୁଝିନଥାଉ । ନିଃସ୍ୱାର୍ଥ ଓ ନିଷ୍କାମଭାବରେ କର୍ମ ସମ୍ପାଦନାକୁ ମଧ୍ୟ ଆମେ ଉପାସନା ବୋଲି ଜାଣି ରଖିବା ଦରକାର । ଏହା ଭାବିବା ଭୁଲ୍ ଯେ ସାଧନାମୟ ଜୀବନ ନିର୍ବାହ କରିବା ଅର୍ଥାତ୍ କେବଳ ଜପ, ତପ, ପୂଜା, ପ୍ରାର୍ଥନାରେ ସମସ୍ତ ସମୟ ଲାଗି ରହିବା । ଚାଲନ୍ତୁ ଜଣେ ବୟୋଜ୍ୟେଷ୍ଠ ବରିଷ୍ଠ ସାଧୁଙ୍କର ବିଚାରରୁ ଏହାକୁ ସ୍ପଷ୍ଟ ହେବା ।
ଏକଦା ଗୋଟିଏ ଆଶ୍ରମରେ ଜଣେ ବ୍ରହ୍ମଚାରୀ ସାଧନମୟ ଜୀବନର ଅୟମାରମ୍ଭ କରିଥିଲେ । ସେ ନୀତି ନିୟମାନୁସାରେ ନିଜର ସମସ୍ତ କର୍ମ ସମ୍ପାଦନାକୁ ଗୁରୁତ୍ୱ ଦେଇଥିଲେ । ନିଜର ନିତ୍ୟକର୍ମ ଓ ସାଧନା ବ୍ୟତୀତ ଆଶ୍ରମର କର୍ମ ସମ୍ପାଦନା ମଧ୍ୟ ଜରୁରୀ । ସେ ପ୍ରାତଃ କାଳରୁ ୨/୩ ଘଣ୍ଟା ନିଜର ସାଧନରେ ସଂଲଗ୍ନ ହେବାପରେ ଅବଶିଷ୍ଟ ସମୟ ଆଶ୍ରମ କର୍ମରେ ସଂଯୁକ୍ତ ରହୁଥିଲେ । ଆଶ୍ରମର ନୂତନ ଗୃହ, ପରିବେଶ, ହତା ଆଦିର ନିର୍ମାଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ଦୀର୍ଘ ୯ ବର୍ଷ ଧରି ଏହି ଦାୟିତ୍ୱ ସମ୍ପାଦନ କରି ସେ ଆଶ୍ରମର ଗଠନାତ୍ମକ ଦିଗକୁ ଦୃଢ କରିପାରିଥିଲେ । ଥରେ ଆଶ୍ରମାଧ୍ୟକ୍ଷ କାର୍ଯ୍ୟ ତଦାରଖ ନିମିତ୍ତ ଆସିଲେ । କାର୍ଯ୍ୟ ଯୋଜନାନୁଯାୟୀ ଶେଷ ହୋଇଥିବା କଥା ଦେଖିଲେ । ପରବର୍ତ୍ତୀ କାର୍ଯ୍ୟ ଅନ୍ୟ ଏକ ବିଭାଗାଶ୍ରମରେ ହେବାପାଇଁ ସ୍ଥିର ହୋଇଥିଲା । ତେଣୁ ସେହି ଆଶ୍ରମକୁ ଏହି ବ୍ରହ୍ମଚାରୀଙ୍କୁ ପ୍ରେରଣ କରିବା ପାଇଁ ସ୍ଥିରକଲେ ।
ବ୍ରହ୍ମଚାରୀ ଏହା ଶୁଣି ହତୋତ୍ସାହିତ ହେଲେ ଓ କହିଲେ ମହାରାଜ, ମୁଁ ଗତ ୯ବର୍ଷ ହେଲା ଏହି କାର୍ଯ୍ୟରେ ଲାଗିରହିଛି । ଏହି ଦିନମାନଙ୍କରେ ମୁଁ କେବଳ ମୋର ନିତ୍ୟ କର୍ମ ସମାପନ କରି ଅଳ୍ପ କିଛି ସମୟ ସାଧନା କରି ଅବଶିଷ୍ଟ ସମୟକୁ ଏହି ତଦାରଖ କାର୍ଯ୍ୟରେ ଲଗାଇଛି । ମନବୋଧ କରି େକବେ ଜପ, ତପ ମଧ୍ୟ କରିପାରିଲି ନାହିଁ । ତେଣୁ ମୋତେ ପୁଣି ସେହି ଦାୟିତ୍ୱ ଅର୍ପଣ କଲେ ମୁଁ ସାଧନା କରିପାରୁ ନାହିଁ । ଆପଣ ମୋତେ ଦୁଇ ବର୍ଷ ସମୟ ଦିଅନ୍ତୁ, ମୁଁ ବୃନ୍ଦାବନ ଯାଇ ସେଠାରେ ମନବୋଧକରି ସାଧନା କରିବି, ତପସ୍ୟା କରିବି । ତାପରେ ଯାଇ କୌଣସି ଦାୟିତ୍ୱ ନେବି । ବ୍ରହ୍ମଚାରୀଙ୍କ ଠାରୁ ଏକଥା ଶୁଣିବା ପରେ ମହାରାଜ ଟିକିଏ ରାଗିଗଲେ କହିଲେ, ତୁମେ ସାଧନା ପାଇଁ ଯିବାକୁ ଚାହୁଁଛ, ଯାଅ । କିନ୍ତୁ ଏଭଳି ଯେଉଁ ଭୁଲ୍ ଭାବନା ମନରେ ରଖିଛ, ତାହାକୁ ମନରୁ ବାହାର କରିଦିଅ । ଆଶ୍ରମ, ସଂଘ ପାଇଁ କାର୍ଯ୍ୟ କଲେ ତାହା କେବେ ବୃଥା ଯାଏ ନାହିଁ । ତୁମେ ଆଜି ପର୍ଯ୍ୟନ୍ତ ଏହି ଭ୍ରାନ୍ତ ଧାରଣା ନେଇ କାର୍ଯ୍ୟ ନିର୍ବାହ କରିଛ, ତେଣୁ ତୁମକୁ ସମୟ ଅପଚୟ ବୋଧ ହେଉଛି । ଏହା ମଧ୍ୟ ଏକ ପ୍ରକାର ସାଧନା, ତାହା ତୁମେ ବୁଝିପାରି ନାହଁ । ତୁମେ ନିଷ୍ଠାପର ଭାବରେ ଦାୟିତ୍ୱ ସମ୍ପାଦନ କରିଛ, ତାହାର ମଧ୍ୟ ବହୁମୂଲ୍ୟ ରହିଛି । କେବଳ ଯେ ଜପ-ତପ କଲେ ସାଧନା ହେବ, ତାହା ନୁହେଁ ।
ଆମେ ଆମ ଅନୁଷ୍ଠାନ ପାଇଁ ଯାହାକିଛି କାର୍ଯ୍ୟ ସମ୍ପାଦନ କରୁଛେ, ତାହା ତ ସାମୂହିକ କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ଭାବରେ ହୋଇଛି । ତେବେ ତାର ମଧ୍ୟ ନିଶ୍ଚିତ ମୂଲ୍ୟ ରହିଛି । କାରଣ କର୍ମ ବି ଉପାସନା ଅଟେ । ଏହା କେବେ ବୃଥା ଯାଏ ନାହିଁ । ତୁମେ ତୁମର ଏହି ଭାବନାକୁ ଦୂରକର ।


ସବୁ ତାଙ୍କ ପାଇଁ, ଆମ ପାଇଁ ନୁହେଁ

ଗୋଟିଏ ଆଶ୍ରମରେ କିଛି ସନ୍ନ୍ୟାସୀ ଓ ବ୍ରହ୍ମଚାରୀ ରହୁଥିଲେ । ସେଠାକୁ ଭକ୍ତମାନଙ୍କର ଯିବା ଆସିବା ମଧ୍ୟ ହେଉଥିଲା । ଆଶ୍ରମରେ ବିଭିନ୍ନ ଉତ୍ସବ ମଧ୍ୟ ଅନୁଷ୍ଠାନ ହେଉଥିଲା । ବଡ ବଡ ଉତ୍ସବରେ ମୁଖ୍ୟ ଆଶ୍ରମର ମହନ୍ତ ଓ ବଡ ସ୍ୱାମୀଜୀମାନେ ମଧ୍ୟ ଆସି ରହନ୍ତି । ଭକ୍ତମାନଙ୍କ ସହ ମିଳାମିଶା, ଆଲୋଚନା ମଧ୍ୟ ହୁଏ ।
ଏକଦା ଜଣେ ବରିଷ୍ଠ ମହନ୍ତ ମହାରାଜ ଆସି ଉକ୍ତ ଆଶ୍ରମରେ କିଛିଦିନ ରହିଲେ । ଧୀରେ ଧୀରେ ଭକ୍ତମାନେ ଏହିକଥା ଜାଣିପାରିଲେ । ସେମାନେ ପ୍ରତିଦିନ କେହି ନା କେହି କିଛି କିଛି ଭଲ ଭଲ ଜିନିଷ ସ୍ୱାମୀଜୀମାନଙ୍କ ପାଇଁ ଆଣି ଆସୁଥିଲେ । ଥରେ ଭୋଜନ ଗ୍ରହଣ ସମୟରେ ଆଶ୍ରମର ମୁଖ୍ୟ ସ୍ୱାମୀଜୀ ଅତିଥି ସ୍ୱାମୀଜୀଙ୍କୁ କହିଲେ, ମହାରାଜ! ଦେଖନ୍ତୁ, ଆପଣ ଆସିବା ପରଠାରୁ ଭକ୍ତମାନଙ୍କର ଭେଟି ବଢିବାରେ ଲାଗିଛି, ଫଳତଃ ଆମେମାନେ ସ୍ୱାଦିଷ୍ଟ ବ୍ୟଞ୍ଜନର ଅବସର ପାଉଛୁ । ବଡ ସ୍ୱାମୀଜୀ ଏହା ଶୁଣି ହସିଲେ ଓ କହିଲେ, ଏକଥା ଠିକ୍ ନୁହେଁ । ଶୁଣ,ଏ ବିଷୟରେ ତୁମକୁ ଗୋଟିଏ ଗଳ୍ପ କହୁଛି ।
ଥରେ ଯୀଶୁ ଗୋଟିଏ ଗଧ ଉପରେ ବସି ନଗର ଭ୍ରମଣ କରୁଥିଲେ । ଭକ୍ତମାନେ ରାସ୍ତା ଉପରେ ଯୀଶୁଙ୍କୁ ଦେଖି ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ ମଧ୍ୟ କରୁଥିଲେ । ସେହି ମାଳଟିକୁ ଯୀଶୁ ନେଇ ନିଜ ଗଧ ବେକ ଉପରେ ପକାଇ ଦେଉଥିଲେ । ଗଧ ବେକରେ ମାଳ ଦେଖି ବହୁତ ଖୁସି, ଲୋକଙ୍କର ତା ପ୍ରତି ଏତେ ସମ୍ମାନ ଦେଖି ସେ ଗର୍ବିତ ହୋଇଗଲା । ଆଉ ତାର ଚାଲିକୁ ଟିକିଏ ମନ୍ଥର କରିଦେଲା । ଗତି ମନ୍ଥର ହେବାରୁ ପରିଣତି କ’ଣ ହୋଇଥିବ, ଭାବିପାରୁଥିବ । ଚାବୁକ୍ ପ୍ରହାର ବସିଲା, ଫଳରେ ସେ ପୁଣି ମନ୍ଥର ଚାଲିକୁ ବଢାଇଲା ।
ତେଣୁ ଏହି େଯଉଁ ସ୍ୱାଦିଷ୍ଟ ଭୋଜନ ସବୁ ତୁମ ପାଇଁ ମୋ ପାଇଁ ନୁହେଁ, ଏ ସବୁ ତାଙ୍କ(ଭଗବାନ) ପାଇଁ । ଭକ୍ତମାନଙ୍କର ଭଗବାନଙ୍କ ପାଇଁ ଯେଉଁ ଭକ୍ତି ଭାବ ରହିଛି ସେଥିପାଇଁ ସେମାନେ ଏ ସବୁ ଭେଟି ଆଣି ଅସୁଛନ୍ତି । ତୁମର ଏଭଳି ବୁଝିବା ଭୁଲ୍ । ଯାହାକିଛି ହେଉଛି ତାଙ୍କରି ପାଇଁ ହେଉଛି । ତେଣୁ ତାଙ୍କର ଜୟଗାନ କର ।
T

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.