Last updated on August 13, 2022
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ)
ଦ୍ୱିତୀୟ ଅଧ୍ୟାୟ : (ଉଦ୍ୟୋଗ ପର୍ବ —୪୩ତମ ଅଧ୍ୟାୟ)
ଅୟଂ ହି ଲୋକୋମାନସ୍ୟ ।୧/୪୧।
ଇତ୍ୟାଦି ବାକ୍ୟରେ ଶ୍ରୀମାନ୍ ସନତ୍ସୁଜାତ କଥିତ ମୌନମାହାତ୍ମ୍ୟ ଶ୍ରବଣକରି ମହାରାଜ ଧୃତରାଷ୍ଟ୍ର ପଚାରୁଛନ୍ତି—
ଆହେ ବିଦ୍ୱାନ୍ ! ଏହି ବାଙ୍ନିବୃତ୍ତି ରୂପ ମୌନ କାହାର ହୋଇଥାଏ ? ଏବଂ ବାଙ୍ନିବୃତ୍ତି ଓ ବ୍ରହ୍ମଭାବରୂପ ଦୁଇପ୍ରକାର ମୌନ ମଧ୍ୟରୁ କେଉଁଟି ଯଥାର୍ଥ ମୌନ ଅଟେ ? କୃପାକରି ଏହା ମୋତେ କୁହନ୍ତୁ । ଏହି ସଂସାରରେ କେହି କଣ ବାଙ୍ନିରୋଧରୂପ ମୌନାଭ୍ୟାସ ଦ୍ୱାରା ବ୍ରହ୍ମରୂପ ମୌନକୁ ଲାଭ କରିପାରନ୍ତି ? ହେ ମୁନିଶ୍ରେଷ୍ଠ ! ଏହି ସଂସାରୀ ଲୋକ କି ପ୍ରକାର ମୌନ ଅଭ୍ୟାସ କରିଥାନ୍ତି ? ଏହାକୁ ମୋତେ ସ୍ପଷ୍ଟକରି ବୁଝାଇଦିଅନ୍ତୁ ।
ଏଠାରେ ଧୃତରାଷ୍ଟ୍ରଙ୍କର ଜିଜ୍ଞାସାରୁ ସ୍ପଷ୍ଟ ହେଉଛି କି, ମୌନର ସ୍ୱଭାବକୁ ଉଦ୍ଘାଟନ କରିବା ଏବଂ ଆତ୍ମସ୍ୱରୂପ ମୌନକୁ ଅବଗତ ହେବା । ତେଣୁ ତାଙ୍କର ପ୍ରଶ୍ନ ଏକପ୍ରକାର ଜିଜ୍ଞାସିତ ।
ଧୃତରାଷ୍ଟ୍ରଙ୍କର ପ୍ରଶ୍ନର ଉତ୍ତର ଦେବାକୁଯାଇ ଭଗବାନ୍ ଶ୍ରୀମାନ୍ ସନତ୍ସୁଜାତ କହୁଛନ୍ତି—
ସେହି ପରମାତ୍ମା ହିଁ ଯଥାର୍ଥ ମୌନ ଅଟନ୍ତି, କାରଣ ମନ ସହ ସର୍ବବେଦ ମଧ୍ୟ ତାଙ୍କୁ ପ୍ରକାଶ କରିପାରେ ନାହିଁ । ବିଦ୍ ଜ୍ଞାନରେ ଜ୍ଞାନାର୍ଥକ ବେଦ ଶବ୍ଦ କେବଳ ବାଚକ ରୂପରେ ତହିଁରେ ପ୍ରଯୁକ୍ତ ହୁଏ । ବସ୍ତୁତଃ ଜ୍ଞାନସ୍ୱରୂପ ପରମାତ୍ମା ବାକ୍ୟ ଓ ମନର ଅଗୋଚର । ସେହି ବେଦଶବ୍ଦ ପ୍ରତିପାଦ୍ୟ ସମ୍ବିଦ୍ ହିଁ ପରମାତ୍ମା । ସେ ଜ୍ୟୋତିର୍ମୟ ରୂପରେ ଆମର ଅନୁଭବଗମ୍ୟ ଅଟନ୍ତି ।
ଅଲୌକିକ ବ୍ରହ୍ମରୂପ ମୌନାଭ୍ୟାସ କଣ ଏ ଜଗତରେ ସମ୍ଭବ ! ଏହି ପ୍ରଶ୍ନଟି ଧୃତରାଷ୍ଟ୍ରଙ୍କ ମନରେ ଉତ୍ଥିତ ହୋଇଛି । ସେଥିପାଇଁ ଧୃତରାଷ୍ଟ୍ର ଏପ୍ରକାର ପ୍ରଶ୍ନ କରିଅଛନ୍ତି ।
ଯତୋବାଚୋ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ । (ତୈ.ଉ.୨/୪)— ଶବ୍ଦର ଅଗମ୍ୟ, ତେଣୁ ସେ ମୌନ ।
ବେଦରାଶି ମଧ୍ୟ ସେହି ପରମାତ୍ମାଙ୍କଠାରୁ ଉଦ୍ଭୂତ । ସେଥିପାଇଁ ସେ ବେଦଶାସ୍ତ୍ରର ମଧ୍ୟ ଯୋନି ବା କାରଣ ଅଟନ୍ତି । ପୁରୁଷ ନିଃଶ୍ୱାସବତ୍ (ବୃ.ଉ.୨/୪/୧୦) ଅପ୍ରଯତ୍ନପୂର୍ବକ ପରମାତ୍ମାଙ୍କଠାରୁ ବେଦାଦି ଶାସ୍ତ୍ର ନିର୍ଗତ ହୋଇଛି ।
ଯଦି ସେ ମନବାଣୀର ଅଗୋଚର ତେବେ ତାଙ୍କୁ ଜ୍ଞାନସ୍ୱରୂପ ଭାବରେ ଜାଣିବ ବା କିପରି ?
ଶ୍ରୁତି-ସ୍ମୃତି-ଇତିହାସ-ପୁରାଣାଦିରେ ସେ ଜ୍ୟୋତିର୍ମୟ ରୂପରେ କୀର୍ତ୍ତିତ ହୋଇଛନ୍ତି । ଯେମିତି ଗୀତାରେ କୁହାଯାଇଛି—ତଦ୍ଦେବା ଜ୍ୟୋତିଷାଂ—ଜ୍ୟୋତିଷାମପି ତଜ୍ଜ୍ୟୋତି ସ୍ତମସଃ ପରମୁଚ୍ୟତେ—(ଗୀତା—୧୩/୧୮) ଇତ୍ୟାଦି ଶାସ୍ତ୍ର ବାକ୍ୟ ଏବଂ ଉକ୍ତ ବିଷୟରେ ଆମର ଅନୁଭବ ଓ ପ୍ରମାଣ । ଅତଏବ ଏହାଦ୍ୱାରା ଅବିଶ୍ୱାସ ଅକରଣୀୟ । ଇନ୍ଦ୍ରିୟାଦିର ଅବିଷୟରୂପେ ଏକମାତ୍ର ଅନୁଭବ ତାହାଙ୍କୁ ଜାଣିବାର ଉପାୟ ଅଟେ ।
ବେଦର ସ୍ୱଭାବ ପରିଜ୍ଞାନାର୍ଥେ ଧୃତରାଷ୍ଟ୍ର ଜିଜ୍ଞାସା କରିଛନ୍ତି ଯେ, ବେଦାଧ୍ୟାୟୀ କୌଣସି ପାପ କର୍ମ କଲେ, ସେହି ପାପର ଫଳ ଭୋଗ କରନ୍ତି ନାଁ ନାହିଁ, ଅର୍ଥାତ୍ ବେଦପାଠ ଜନିତ ପୁଣ୍ୟ ତାଙ୍କୁ ସର୍ବପାପବିନଷ୍ଟ କରାଇପାରେ କି ନାହିଁ ?
ଯେଉଁ ବ୍ରାହ୍ମଣ ଋକ୍, ଯଜୁଃ, ସାମ ଆଦି ବେଦ ଅଧ୍ୟୟନ କରନ୍ତି ପୁନରାୟ ପାପାଚରଣରେ ପ୍ରବୃତ୍ତ ହୁଅନ୍ତି, ସେ କଣ ପାପରେ ଲିପ୍ତ ହୁଅନ୍ତି କି ନାହିଁ ? ।।୩।।
ବେଦ ଶବ୍ଦ ଦ୍ୱାରା ବାକ୍ୟ-ମନର ଅତୀତ ବ୍ରହ୍ମତତ୍ତ୍ୱ କଥା ପୂର୍ବରୁ କୁହାଯାଇଛି ଏବଂ ସେହି ବ୍ରହ୍ମଜ୍ଞାନ ଦ୍ୱାରା ସର୍ବପାପ ବିନଷ୍ଟ ହୁଏ ଏହା ମଧ୍ୟ ଶ୍ରୁତି ବର୍ଣ୍ଣନା କରିଛନ୍ତି । ତାହାହେଲେ ମୌନହୀନ ବ୍ୟକ୍ତିମାନେ ବେଦାଧ୍ୟୟନ ଦ୍ୱାରା ଉକ୍ତ ଉଭୟ ଫଳ ଲାଭ କରିପାରନ୍ତି କି ? ଏଭଳି ଆଶଙ୍କା କରାଯାଇ ପାରେ ।
ବେଦାଧ୍ୟୟନ ଦ୍ୱାରା ଅନୁଷ୍ଠିତ ପାପରୁ ପରିତ୍ରାଣ ପାଇବା ଅସମର୍ଥ ।
ପୂର୍ବୋକ୍ତ ତୃତୀୟ ପ୍ରଶ୍ନର ଉତ୍ତର ଦେଇ ଭଗବାନ୍ ସନତ୍ସୁଜାତ କହୁଛନ୍ତି—
ହେ ପରମ ବୁଦ୍ଧିମାନ୍ ମହାରାଜ ଧୃତରାଷ୍ଟ୍ର ! ଆପଣଙ୍କୁ ମୁଁ ମିଥ୍ୟା ଭାଷଣ କରୁନାହିଁ । ଏହା ନିଶ୍ଚିତରୂପେ ଜାଣକି, ଉକ୍ତ ପାପାନୁଷ୍ଠାନ କରୁଥିବା ବ୍ୟକ୍ତିମାନଙ୍କୁ ଋକ୍-ସାମ-ଯଜୁର୍ବେଦ କେହିହେଲେ ରକ୍ଷା କରିପାରି ନଥାନ୍ତି ।।୪।।
ତାହାହେଲେ ବେଦସମୂହ କଣ କରନ୍ତି ? ଏହାକୁ ବୁଝାଇବାକୁ ଯାଇ କହୁଛନ୍ତି—
ପାପାଚାରୀ, ମାୟାବୀ, ଧର୍ମଧ୍ୱଜୀ, ଏହି ବ୍ରାହ୍ମଣ ବେଦବେଦାନ୍ତ ପାଠ କଲେ ମଧ୍ୟ ସଂଜ୍ଞାତପକ୍ଷ ପକ୍ଷୀକୁଳ ଯେଉଁଭଳି ବୃକ୍ଷସ୍ଥ ନୀଡ଼, ସ୍ୱାଶ୍ରୟ ପରିତ୍ୟାଗପୂର୍ବକ ଚାଲିଯାଏ, ସେହିଭଳି ବେଦସକଳ ମଧ୍ୟ ସେପ୍ରକାର ବ୍ରାହ୍ମଣଙ୍କୁ ମୃତ୍ୟୁ କାଳରେ ପରିତ୍ୟାଗ କରିଥାନ୍ତି । ତାଙ୍କୁ କେହି ବି ରକ୍ଷା କରିପାରନ୍ତି ନାହିଁ ।।୫।।
ତାହାହେଲେ, ବେଦାଧ୍ୟୟନର କି ଉପଯୋଗିତା ରହିଛି ?
ଧୃତରାଷ୍ଟ୍ରଙ୍କ ମନରେ ଏଭଳି ଶଙ୍କା ଉଠିବା ସ୍ୱାଭାବିକ, ତେଣୁ ସେ କହୁଛନ୍ତି—
ହେ ବିଦ୍ୱାନ୍ ! ଯଦି ବେଦାଧ୍ୟାୟୀଗଣଙ୍କର ରକ୍ଷା କରିବାକୁ ବେଦସବୁ ଅସମର୍ଥ ହୁଅନ୍ତି, ତାହାହେଲେ ଅନାଦିକାଳରୁ ବ୍ରାହ୍ମଣମାନେ କରିଆସୁଥିବା ବେଦାଧ୍ୟୟନର ପୁଣ୍ୟ ଉତ୍ପତ୍ତି ବିଷୟକ ଶ୍ରୁତି ବାକ୍ୟର ଉଦ୍ଦେଶ୍ୟ କଣ ? ଏହା କଣ ଅର୍ଥ ବିହୀନ ପ୍ରଳାପ ମାତ୍ର ! ।।୬।।
ଏପ୍ରକାର ଶଙ୍କା ସମ୍ବନ୍ଧରେ ଆଚାର୍ଯ୍ୟ ଶଙ୍କରଙ୍କର ମତ ହେଉଛି—ଏ ପ୍ରକାର ଶଙ୍କା ଅମୂଳକ ଅଟେ । କାହିଁକି ନାଁ ବେଦ କେବେହେଲେ ଅର୍ଥହୀନ ପ୍ରଳାପ ବାକ୍ୟର ସମଷ୍ଟି ନୁହେଁ । ସର୍ବଦା ବେଦର ଯଥାର୍ଥ ତାତ୍ପର୍ଯ୍ୟ ନିର୍ଣ୍ଣୟ କରାଯିବା ଉଚିତ । ବେଦର ପ୍ରମୁଖ ତାତ୍ପର୍ଯ୍ୟ ହେଉଛି, ମୋକ୍ଷସଂଜ୍ଞକ ପରମପୁରୁଷାର୍ଥ ପ୍ରାପ୍ତି, ଯାହାକି ସ୍ୱର୍ଗାଦିଠାରୁ ଭିନ୍ନ ଅଟେ । ବେଦବିହିତ କର୍ମ ଓ ଉପାସନାଦି ମୋକ୍ଷସାଧନ ଜ୍ଞାନୋତ୍ପତ୍ତିର ସାଧନମାତ୍ର । ଏହା ଚିତ୍ତଶୁଦ୍ଧି ଦ୍ୱାରା ଜ୍ଞାନଲାଭରେ ସହାୟକ ହୋଇଥାଏ । ସ୍ୱ-ସ୍ୱରୂପ ଜ୍ଞାନ ମୋକ୍ଷ ପ୍ରାପ୍ତିର ଏକମାତ୍ର ସାଧନ ଅଟେ । ଏହି ରୂପରେ କର୍ମ-ଉପାସନାଦି ପରସ୍ପର କ୍ରମରେ ମୋକ୍ଷର ସାଧନ ହୋଇଥାନ୍ତି, ସାକ୍ଷାତ ସାଧନ ନୁହଁନ୍ତି । ଏକମାତ୍ର ପରମାତ୍ମା ଲାଭ ହିଁ ସାଧନ ଅଟେ, ଯାହା ମୋକ୍ଷରୂପକ ପୁରୁଷାର୍ଥ ଭାବରେ ବେଦରେ ନିର୍ଣ୍ଣୟ କରାଯାଇଛି ।
ସ୍ୱର୍ଗାଦି ଲୋକ ପରମପୁରୁଷାର୍ଥ ବିହୀନ, ଦୁଃଖପୂର୍ଣ୍ଣ, ଯାହା ଅଜ୍ଞାନୀମାନଙ୍କର କାମ୍ୟ ଅଟେ । ଜ୍ଞାନଲାଭରେ ତୃପ୍ତ ଜ୍ଞାନୀ, ଅନ୍ୟକିଛି କାମନା କରିନଥାଏ । ଏହାକୁ ନାନା ଶ୍ରୁତିବାକ୍ୟ ଦ୍ୱାରା ଘୋଷିତ କରାଯାଇଛି । ଆତ୍ମବିତ୍ ଅମୃତତ୍ତ୍ୱ ଲାଭ କରିଥାଏ, ଅନାତ୍ମବିତ୍ ଅନର୍ଥ ପ୍ରାପ୍ତି କରିଥାଏ । ଏହିଭଳି ମୋକ୍ଷର ସ୍ୱରୂପ, ତାହାର ସାକ୍ଷାତ୍କାର ଓ ତାହାର ଫଳ ବାରମ୍ବାର ବର୍ଣ୍ଣନା କରାଯାଇଛି । ଏଭଳି ଉକ୍ତ ହୋଇ ଇତସ୍ତତଃ ଭାବରେ ଭ୍ରାମ୍ୟମାଣ ବିଷୟ ରାଗାଦି ଦୋଷଯୁକ୍ତ ଅଜ୍ଞାନୀ ଜୀବଗଣଙ୍କୁ ପୂର୍ଣ୍ଣାନନ୍ଦ ସ୍ୱରୂପ ମୋକ୍ଷ ସାମ୍ରାଜ୍ୟରେ ସ୍ଥାପିତ କରିବା ଉଦ୍ଦେଶ୍ୟରେ ବେଦ ତତ୍ତ୍ୱଜ୍ଞାନ ସାଧନୀଭୂତ ଆତ୍ମଜିଜ୍ଞାସା, ଉତ୍ପାଦକ, ବେଦାଧ୍ୟୟନ, ଯଜ୍ଞ, ଦାନ, ତପସ୍ୟା, ଉପବାସ ଆଦିର ବିଧାନ କରିଅଛନ୍ତି । ଏହିଭଳି ଆତ୍ମଜିଜ୍ଞାସାର କାରଣରୂପ ଯଜ୍ଞାଦି କର୍ମର ପୁରୁଷାର୍ଥତ୍ୱ ସାଧିତ ହୁଏ । କେବଳ ସ୍ୱର୍ଗାଦି ଫଳପ୍ରାପ୍ତି ତାହାର ଉଦ୍ଦେଶ୍ୟ ହେଲେ, ତାହା ଅନର୍ଥଜନକ ବୋଲାଏ । ତେଣୁ ତାହା ପୁରୁଷାର୍ଥବାଚୀ ହୋଇନପାରେ । ଏହା ଶୈନ ଜାଗାଦି ଭଳି ଅନର୍ଥଜନକ ଓ ଅପୁରୁଷାର୍ଥ ତଥା ସଂସାରରୂପ ଅନର୍ଥର କାରଣ ଅଟେ ।
ଏହିଭଳି ଭାବେ ବେଦ ମୋକ୍ଷ ଓ ତାହାର ସାଧନରୂପ ପ୍ରତିପାଦକ ବୋଲି ସଂସାରରୂପ ଅନର୍ଥର ନିବୃତ୍ତିକାରକ ଅଟେ ।
ଅତଏବ ବେଦ ଯଥାର୍ଥ ବେଦବେତ୍ତାଗଣଙ୍କୁ ରକ୍ଷା କରିବାକୁ ନିଶ୍ଚିତ ସମର୍ଥ—ଏହି ମନୋଗତ ଅଭିପ୍ରାୟ ଭଗବାନ୍ ଶ୍ରୀ ସନତ୍ସୁଜାତ ଆଗାମୀ ତିନିଗୋଟି ଶ୍ଳୋକରେ ବର୍ଣ୍ଣନା କରିଛନ୍ତି । ନିତ୍ୟ ଅପରୋକ୍ଷ ଓ ପରମପୁରୁଷାର୍ଥ ସ୍ୱରୂପ ପରମାତ୍ମାଙ୍କର ନିର୍ଦ୍ଦେଶକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି—
Be First to Comment