Press "Enter" to skip to content
Photo by Yogendra Singh on Pexels.com

ଦୁର୍ଗୁଣକୁ ମୂଳ ଚ୍ଛେଦନ ଓ ସୁଗୁଣକୁ ପ୍ରତିପୋଷଣ

Last updated on August 13, 2022

ଦୁର୍ଗୁଣକୁ ମୂଳ ଚ୍ଛେଦନ ଓ ସୁଗୁଣକୁ ପ୍ରତିପୋଷଣ
ଯେନ ଦେବାଃ ପବିତ୍ରେଣାତ୍ମାନଂ ପୁନତେ ସଦା ।
ତେନ ସହସ୍ରଧାରେଣ ପାବମାନୀଃ ପୁନନ୍ତୁ ନଃ ॥
(ସାମବେଦ-୧୩୦୨)

ଭାବାର୍ଥ : ମନୁଷ୍ୟ ଜୀବନର ସଫଳତା ଏହି କଥାରେ ନିହିତ କି, ସେ ଆତ୍ମିକ ଓ ମାନସିକ ଦୋଷକୁ ତ୍ୟାଗକରି ନିର୍ମଳ ଓ ପବିତ୍ର ହୋଇଯାଆନ୍ତୁ । ଆତ୍ମା ମଳ, ବିକ୍ଷେପ ଓ ଆବରଣ ରହିତ ହେଉ, ଏହାର ଅନେକ ଉପାୟ ବେଦରେ ବର୍ଣ୍ଣିତ, ଅତଃ ପଠନୀୟ ।
ବ୍ୟାଖ୍ୟା : ଏହି ମାନବ ଜୀବନ ଆମକୁ ବହୁ ଜନ୍ମର ପୁଣ୍ୟ ପ୍ରଭାବରୁ ପ୍ରାପ୍ତହୁଏ । ଏହାକୁ ସତ୍କର୍ମରେ ବିନିଯୋଗ କଲେ ହିଁ ମନୁଷ୍ୟ ଶାଶ୍ୱତ ଆନନ୍ଦ ପ୍ରାପ୍ତହୁଏ । ବେଦବର୍ଣ୍ଣିତ ପ୍ରତ୍ୟେକ ବାକ୍ୟ ଏହି ଶିକ୍ଷା ଦିଏ କି ମନୁଷ୍ୟ ଜୀବନରେ ସଦା ଉତ୍ଥାନ ହେଉ, ସେ କେବେ ବି ପତନ ଆଡକୁ ନ ଯାଉ । ଅତଃ ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ସେ ସମସ୍ତ ଦୁର୍ଗୁଣ ପରିତ୍ୟାଗ କରିଦେଉ । ସ୍ୱାର୍ଥ, ଲୋଭ, ମୋହ, ଅହଂକାର ରୂପୀ ଦାନବ ସର୍ବଦା ଆତ୍ମାକୁ ଘେରି ରହିଥାନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ତେବେ ଯାଇ ମନ ଓ ଆତ୍ମା ନିର୍ମଳ ଓ ପବିତ୍ର ହୋଇପାରିବ ।
ବେଦମନ୍ତ୍ରରେ ଇଚ୍ଛାଶକ୍ତି ଉପରେ ଦୃଢତା ଓ ଅତ୍ୟଧିକ ଗୁରୁତ୍ୱ ଦିଆଯାଇଛି । ତପଃ, ସାଧନା, କଠିନ ପରିଶ୍ରମ ଓ ମନୋଯୋଗ ଦ୍ୱାରା ହିଁ ମନୁଷ୍ୟ ନିଜର ଇଚ୍ଛାକୁ ପୂର୍ତ୍ତି କରିପାରିବ । ମହତ୍ୱାକାଂକ୍ଷା ମନୁଷ୍ୟର ଜୀବନୀଶକ୍ତିର ପରିଚାୟକ କିନ୍ତୁ ତଦ୍ ସହିତ ଆତ୍ମତ୍ୟାଗ ଓ ବଳିଦାନର ଆବଶ୍ୟକତା ମଧ୍ୟ ରହିଛି । ତପ ଓ ସାଧନା ଦ୍ୱାରା ଯେତେବେଳେ ମନୁଷ୍ୟର ଏହି ଇଚ୍ଛା ପୂର୍ଣ୍ଣ ହୋଇଯିବ, ସେତେବେଳେ ସେ ପରୋପକାର ନିମିତ୍ତ ନିଜ ଜୀବନକୁ ଉତ୍ସର୍ଗ କରିଦେବ । ପରୋପକାର ଦ୍ୱାରା ମନୁଷ୍ୟର ଜୀବନ ସଫଳ ହୋଇଥାଏ ଆଉ ସଫଳତାର ପରିଣାମ ତାହାର ଇଚ୍ଛାଶକ୍ତି ଉପରେ ନିର୍ଭର କରିଥାଏ । ସଂସାରରେ ସଭ୍ୟତାର ବିକାଶ, ମନୁଷ୍ୟର ଗତିବିଧି ଓ ଭୌତିକ ଉପଲବ୍ଧି ଆଦି ମାନବୀୟ ଇଚ୍ଛାର ଅଭିବ୍ୟକ୍ତି ଅଟେ ।
ଏହି ଇଚ୍ଛାଶକ୍ତି ଚରିତ୍ରରୁ ନିର୍ମିତ ହୋଇଥାଏ ଆଉ ଚରିତ୍ର କର୍ମରୁ ଗଠିତ ହୋଇଥାଏ । ଅତଃ ଯେଭଳି କର୍ମ ହୋଇଥାଏ, ସେଭଳି ଇଚ୍ଛାଶକ୍ତିର ଅଭିବ୍ୟକ୍ତି ହୋଇଥାଏ । ଆମେ ସମସ୍ତେ ଜାଣୁ ଯେ ନୈତିକ ଜୀବନ ସମ୍ପନ୍ନ ହେବା ଲାଭଦାୟକ ତଥାପି ଆମେ ସେଥିରୁ ନିବୃତ୍ତ ରହି ନାନା ପାପକର୍ମରେ ସଂପୃକ୍ତ ରହିଥାଉ । ଅତଃ ତାହାର ଦୁଃଖଦ ଫଳ ଆମକୁ ଭୋଗ କରିବାକୁ ପଡିୁଛି । ଯେଉଁ ବ୍ୟକ୍ତି କୁ-ବିଚାର ଉପରେ ବିଜୟ ପ୍ରାପ୍ତ କରିନେଇଛି, ସେ ଅମୋଘ ଇଚ୍ଛାଶକ୍ତିର ଅଧିକାରୀ ହୋଇପାରିଛି ।
ଯେତେବେଳେ କୌଣସି ବ୍ୟକ୍ତି ଏପରି ବୋଧ ହୋଇଯାଏ କି, ମୁଁ ଆତ୍ମା ଅଟେ, ଶରୀର ନୁହେଁ, ସେତେବେଳେ ସେ ବଳିଷ୍ଠ ହୋଇଯାଏ । ନିଜ ମଧ୍ୟରେ ଈଶ୍ୱରଙ୍କ ବିଦ୍ୟମାନତାକୁ ଅନୁଭବ କରିନେଲେ ଆତ୍ମାରେ ପ୍ରଚଣ୍ଡ ଶକ୍ତି ଉତ୍ପନ୍ନ ହୋଇଯାଏ, ଯାହାକି ମାନସିକ ଦୋଷ ଦୁର୍ବଳତାକୁ ତ୍ୟାଗ କରିବାରେ ସମର୍ଥ । ଦୁର୍ଗୁଣ ଓ ଦୁଷ୍ପ୍ରବୃତ୍ତିରୁ ମୁକ୍ତି ପାଇ ମନୁଷ୍ୟ ମଧ୍ୟରେ ସାତ୍ତ୍ୱିକ ଏବଂ ଦିବ୍ୟ ବିଚାରଧାରା ପ୍ରବାହିତ ହୋଇଥାଏ, ଯଦ୍ଦ୍ୱାରା କୁସଂସ୍କାର ଦୁର୍ଗୁଣ ବିରୁଦ୍ଧରେ ସଂଘର୍ଷ କରିବାର ଉତ୍ସାହ ଜାଗ୍ରତ ହୋଇଥାଏ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.