Last updated on August 13, 2022
ମମାଗ୍ନେ ବର୍ଚୋ ବିହବେଷ୍ୱସ୍ତୁ ବୟଂ ସ୍ୱେନ୍ଧାନାସ୍ତନ୍ୱଂ ପୁଷେମ ।
ମହ୍ୟଂ ନମନ୍ତାଂ ପ୍ରଦିଶଶ୍ଚତ ସ୍ତ୍ରସ୍ତ୍ୱୟାଧ୍ୟକ୍ଷେଣ ପୃତନା ଜୟେମ ।।
(ଅଥର୍ବ ବେଦ -୫/୩/୧)
ଭାବାର୍ଥ : ମନୁଷ୍ୟ ସଂଘର୍ଷରେ ବିଚଳିତ ନ ହୋଇ ପରମାତ୍ମା ଉପାସନାରେ ରତ ରହି ନିଜ ଆତ୍ମା ଓ ଶରୀରକୁ ବଳବାନ୍ ଓ ପରିପୁଷ୍ଟ କରିବା ଦରକାର, ଯଦ୍ଦ୍ୱାରା ସଂସାରରେ କେହି ତାକୁ ପଦଦଳିତ କରିପାରିବେ ନାହିଁ ।
ବ୍ୟାଖ୍ୟା : ସାମ୍ପ୍ରତିକ ସ୍ଥିତିରେ ମନୁଷ୍ୟ ସମ୍ମୁଖରେ ଅତି ବିକଟ ଓ ବିଚିତ୍ର ସ୍ଥିତି ପ୍ରତି ସମୟରେ ଉପସ୍ଥିତ ହୋଇଥାଏ । ସେ ଯାହାକିଛି ନ୍ୟାୟୋଚିତ କାର୍ଯ୍ୟ କରିଥାଏ, ତାକୁ ଅନ୍ୟମାନେ ନିଜ ଅନ୍ୟାୟପୂର୍ଣ୍ଣ ଦୁଷ୍କୃତ୍ୟ ଦ୍ୱାରା ନିଷ୍ଫଳ କରିଚାଲନ୍ତି । ତେଣୁ ତାକୁ ପରାଜିତ ହେବାକୁ ପଡିଥାଏ । ଏହି ଦୂରାବସ୍ଥା ସମୟରେ ତାକୁ ଚିନ୍ତା, ଭୟ, ଶୋକ, କ୍ରୋଧ, ନିରାଶ, ଈର୍ଷ୍ୟା, ତୃଷ୍ଣା ଏବଂ ବାସନାର ସାମ୍ରାଜ୍ୟ ଘେରି ରହିଥାଏ ।
ମନୁଷ୍ୟ ଜୀବନ କେବଳ ଦିନ ବିତାଇବା ପାଇଁ ନୁହେଁ । ଜୀବନକୁ ମଧୁମୟ ଓ ଶ୍ରେଷ୍ଠ କରିବାପାଇଁ କଛି ମହାନ କାର୍ଯ୍ୟ କରିବାକୁ ପଡିଥାଏ । ପ୍ରଯତ୍ନଶୀଳ ହେବାକୁ ହୋଇଥାଏ । ସତତ ସଂଘର୍ଷଶୀଳ ଓ ଜାଗ୍ରତ ରହିବାକୁ ହୁଏ । ମନକୁ ସ୍ଥିର କରି ନିଜ ଲକ୍ଷ୍ୟଦିଗରେ ଆଗେଇବାକୁୁ ହୋଇଥାଏ । ଆଦର୍ଶ ପୁରୁଷଙ୍କର ଅନୁସରଣ କରିବାକୁ ହୋଇଥାଏ । ସଂଘର୍ଷ ହିଁ ଜୀବନ । ସଂସାରରେ ପରିବ୍ୟାପ୍ତ ଦୁଷ୍ପ୍ରବୃତ୍ତି ସହ ସତତ ସଂଘର୍ଷ କରିବା ହିଁ ଜୀବନର ସାର୍ଥକତା ଅଟେ । ସଂଘର୍ଷ ଦ୍ୱାରା ମନୁଷ୍ୟ ମଧ୍ୟରେ ସାତ୍ତ୍ୱିକତା ଓ ସ୍ୱାଭିମାନ ଜାଗ୍ରତ ହୋଇଥାଏ । ଉତ୍ତମ କର୍ମ ନିମିତ୍ତ ଅତ୍ୟଧିକ ପ୍ରେମ, ରୁଚି, ଲଗ୍ନ, ଆସ୍ଥା ଏବଂ ଶ୍ରଦ୍ଧା ଭାବନା ବଳବତୀ ହୋଇଥାଏ । ମନୁଷ୍ୟ ଶ୍ରେଷ୍ଠ ଆଦର୍ଶକୁ ନିଜ ଜୀବନର କେନ୍ଦ୍ରବିନ୍ଦୁ କରିନେଇଥାଏ, ତଦନୁରୂପ ଆଚରଣ ମଧ୍ୟ କରିଥାଏ । ଜୀବନରେ ଛୋଟବଡ ସଂକଟ ତ ଆସିଥାଏ, ଯିଏ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବ୍ୟସ୍ତ ବିଚଳିତ ହୁଅନ୍ତି ନାହିଁ, ଧୈର୍ଯ୍ୟ ପୂର୍ବକ ସମ୍ମୁଖୀନ କରିଥାନ୍ତି, ସେ ଅଗ୍ନିରେ ତପ୍ତ ସ୍ୱର୍ଣ୍ଣ ସମ କାନ୍ତିମୟ ହୋଇଥାନ୍ତି ଆଉ ସଫଳତା ପ୍ରାପ୍ତି ହୋଇଥାନ୍ତି । ଏଭଳି କଠିନ ପରିସ୍ଥିତି ତ ଆମ ଧୈର୍ଯ୍ୟ, ସାହସ ଓ ପରାକ୍ରମର ପରୀକ୍ଷା ନେବାପାଇଁ ଉପସ୍ଥିତ ହୋଇଥାଏ । ସେ ସବୁକୁ ପରାସ୍ତ କଲେ ହିଁ ପ୍ରଭୁକୃପା ରୂପୀ ବରଦାନ ଆମକୁ ମିଳିଥାଏ ।
ସଂଯମ ଦ୍ୱାରା ଆତ୍ମା ଓ ଶରୀରକୁ ବଳବାନ୍ ତଥା ପରିପୁଷ୍ଟ କରି ଜୀବନ ସଂଘର୍ଷରେ ଡେଇଁପଡିବା ହିଁ ଆଦର୍ଶ ବ୍ରାହ୍ମଣଙ୍କର ପ୍ରତୀକ ଅଟେ ।
Be First to Comment