Last updated on August 21, 2022
ଭଦ୍ରମିଚ୍ଛନ୍ତ ଋଷୟଃ ସ୍ୱର୍ବିଦସ୍ତପୋ ଦୀକ୍ଷାମୁପନିଷେଦୁରଗ୍ରେ ।
ତତୋ ରାଷ୍ଟ୍ରଂ ବଳମୋଜଶ୍ଚ ଜାତଂ ତଦସ୍ମୈ ଦେବା ଉପସଂନମସ୍ତୁ ।।
(ଅଥର୍ବବେଦ- 19-41-1)
ଭାବାର୍ଥ : ଆତ୍ମକଲ୍ୟାଣ ଇଚ୍ଛାକାମୀ ପୁରୁଷଙ୍କୁ ପ୍ରଥମେ ତପଃ ରୂପକ ଦୀକ୍ଷା ପ୍ରଦାନ କରାଯାଇଥାଏ । ଏହା ଦ୍ୱାରା ଶରୀରବଳ, ମନୋବଳ ତଥା ପଦ ପ୍ରତିଷ୍ଠା ଏବଂ ସୁଖ ପ୍ରାପ୍ତ ଅବଶ୍ୟ ହୁଏ ।
ବ୍ୟାଖ୍ୟା : ସଂସାରରେ ସମସ୍ତ ମହାପୁରୁଷ ତପ ଉପରେ ଗୁରୁତ୍ୱ ଦେଇଛନ୍ତି । ଜୀବନରେ ଅଧିକରୁ ଅଧିକ ସୁଖ ଓ ଆନନ୍ଦ ପ୍ରାପ୍ତି ନିମନ୍ତେ ତପର ଆବଶ୍ୟକତା ରହିଛି । କିନ୍ତୁ ତପ କହିଲେ କ’ଣ ବୁଝାଏ ? ଶରୀରକୁ ନାନା ପ୍ରକାର କଷ୍ଟ ଦେବାର ନାମ ତପ ନୁହେଁ । ତପର ଅର୍ଥ ଧର୍ମ, ସତ୍ୟ ଓ ନ୍ୟାୟମାର୍ଗରେ ଚାଳିତ ହୋଇ ବାଧାବିଘ୍ନ-କଷ୍ଟ ସମୂହକୁ ସହି ଆଗକୁ ବଢିଚାଲିବା । ତପର ଅର୍ଥ କ୍ଷୁଧା-ତୃଷ୍ଣା, ଥଣ୍ଡା-ଗରମ, ସୁଖ-ଦୁଃଖ, ହର୍ଷ-ଶୋକ, ଓ ମାନ-ଅପମାନକୁ ସମଭାବରେ ସହ୍ୟକରିପାରିବା । ତପର ଅର୍ଥ ଭୋଜନ, ବସ୍ତ୍ର, ବ୍ୟାୟାମ, ବିଶ୍ରାମ, ଅଧ୍ୟୟନ ଆଦି ସମସ୍ତ ବିଷୟରେ ଆବଶ୍ୟକତା ଅନୁଯାୟୀ ଅନୁକୂଳ ଆଚରଣ କରିବା, ଯଦ୍ଦ୍ୱାରା ଶରୀର ପୂର୍ଣ୍ଣତଃ ସ୍ୱସ୍ଥ ରହିପାରିବ ।
ଭଗବାନ୍ ଗୀତାରେ ତପ ତିନିପ୍ରକାର କହିଛନ୍ତି— ଶାରୀରିକ ତପ, ବାଣୀରେ ତପ ଓ ମାନସିକ ତପ । ଶରୀର ଦ୍ୱାରା ଆମେ ଗୁରୁ, ବ୍ରାହ୍ମଣ, ବିଦ୍ୱାନ ଆଦିଙ୍କର ପୂଜା କରିବା, ନମ୍ର ଓ ବିନୀତ ରହିବା, ପବିତ୍ର ଓ ସ୍ୱଚ୍ଛ ହେବା, ଆଖି, କାନ, ହସ୍ତ, ପାଦ, ଜିହ୍ୱା ଆଦି ସମସ୍ତ ଇନ୍ଦ୍ରିୟକୁ ବଶରେ ରଖିବା, କୌଣସି ବି ପ୍ରାଣୀକୁ କଷ୍ଟ ଦେବାନାହିଁ । ବାଣୀ ଦ୍ୱାରା ଆମେ କାହାକୁ କଷ୍ଟ ଦେବାଭଳି କଥା କହିବାନାହିଁ । ସର୍ବଦା ସତ କହିବା କିନ୍ତୁ କଟୁ ବା ଅପ୍ରିୟ ସତ୍ୟ କହିବା ନାହିଁ । ପ୍ରିୟ ଓ ମଧୁର ବଚନ କହିବା । ଉତ୍ତମ ଗ୍ରନ୍ଥର ଅଧ୍ୟୟନ ଓ ଚିନ୍ତନ-ମନନ କରିବା । ମନରେ ଆମେ ପ୍ରସନ୍ନ ରହିବା । ଶାନ୍ତ ରହିବା । ମୌନ ରହିବା, ମନର ନିଗ୍ରହ କରିବା ଆଉ ଅନ୍ତଃକରଣକୁ ପବିତ୍ର ରଖିବା ଏହା ମାନସିକ ତପ ଅଟେ ।
ମନୁଷ୍ୟର କ୍ଷୁଦ୍ର ସ୍ୱାର୍ଥ ଏହି ଉଚ୍ଚ ଭାବନାର ବିରୋଧୀ ଅଟେ, ଅତଃ ମନୁଷ୍ୟ ମଧ୍ୟରେ ଏହି ଭାବନାର ପରିସ୍ଫୁଟ କରିବାକୁ ଋଷିମାନଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଲା । ବଡ ବଡ ତପସ୍ୟା କରିବାକୁ ପଡିଲା । କିନ୍ତୁ ସେମାନେ ଦୃଢ ସଂକଳ୍ପ ପୂର୍ବକ ବ୍ରତ ଗ୍ରହଣ କରିଥିଲେ, ଦୀକ୍ଷିତ ଥିଲେ, ଧରିନେବା କି ସେମାନେ ଏହି ଲକ୍ଷ୍ୟ ନିମିତ୍ତ ହିଁ ଜନ୍ମ ନେଇଥିଲେ । ଅତଃ ସେମାନେ ନିଜ ବ୍ରତ ପୂର୍ଣ୍ଣ କଲେ । ସେମାନଙ୍କର ନିଜର କୌଣସି ସ୍ୱାର୍ଥ ନ ଥିଲା । କେବଳ ଲୋକ କଲ୍ୟାଣ ନିମିତ୍ତ ତପ ଅନୁଷ୍ଠାନ ଆଦି କରିଥିଲେ ।
ଅଧିକାଂଶ ଲୋକଙ୍କ ମଧ୍ୟରେ ଏପରି ଭ୍ରମ ରହିଛି କି ତପସ୍ୟା ଘନ ଜଙ୍ଗଲ ମଧ୍ୟରେ ହୋଇଥାଏ, ଯେଉଁଠି ଭୋକଶୋଷରେ ରହି ଶରୀରକୁ ଶୁଷ୍କ କରିଦିଆଯାଏ । ଏହି ବିଚାର ପୂର୍ଣ୍ଣତଃ ଅସତ୍ୟ ଓ ଆଧାରହୀନ ଅଟେ । ସତ୍ୟ ହେଉଛି, ସଂସାରରେ ରହି ବିପରୀତ ପରିସ୍ଥିତିରେ ଯୁକ୍ତ ରହିବା ତପସ୍ୟା ଅଟେ । ଏହା ଦ୍ୱାରା ଶରୀର, ମନ ଓ ଆତ୍ମାର ଶକ୍ତି ବୃଦ୍ଧି ପାଇଥାଏ ।
ତପର ବାସ୍ତବିକ ଅର୍ଥ ହେଉଛି ମନୁଷ୍ୟ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରିବା; ଜଣେ ଅପରର ମଙ୍ଗଳ କାମନା କରିବା ଆଉ ନିଜ ମଧ୍ୟରେ ସାମୁଦାୟିକମଙ୍ଗଳ ଭାବନା ଉତ୍ପନ୍ନ ହେବାକୁ ଦେବା । ସବୁ ବ୍ୟକ୍ତିମାନଙ୍କ ମଧ୍ୟରେ ଉତ୍ପନ୍ନ ଏହି ଭାବନା ମୂର୍ତ୍ତିକୁ ରାଷ୍ଟ୍ର କୁହାଯାଏ । ଏଭଳି ତପସ୍ୱୀ ନାଗରିକଙ୍କର ଊର୍ଜା ହିଁ ରାଷ୍ଟ୍ରକୁ ବଳବାନ୍ ଓ ତେଜସ୍ୱୀ କରିଥାଏ । ଭାଗୀରଥଙ୍କ ଭଳି ଋଷିଙ୍କର ତପଃ ପ୍ରଭାବରୁ ଏହି ଭାରତ ଭୂମିକୁ ‘ସ୍ୱର୍ଗାଦପୀ ଗରୀୟସୀ’ କୁହାଯାଏ ଆଉ ଏହି ଭୂମି ସଂସାରରେ ସୁବର୍ଣ୍ଣ ଚଢେଇ ଉପାଧିରେ ବିଭୂଷିତ ହୋଇଛି । ସମାଜ ଓ ରାଷ୍ଟ୍ରର ହିତ ନିମିତ୍ତ ନିଜର ସବୁକିଛିକୁ ଉତ୍ସର୍ଗ କରିଦେବା ହିଁ ତପ ଅଟେ ।
ଆମେ ମଧ୍ୟ ତପର ବାସ୍ତବିକ ଅର୍ଥକୁ ବୋଧ ହୋଇ ଉନ୍ନତିର ଶିଖରରେ ବିରାଜମାନ କରିପାରିବ ।
•
Be First to Comment