Press "Enter" to skip to content

ଆତ୍ମସମୀକ୍ଷା ହିଁ ଭଗବାନଙ୍କ ଉପଦେଶ

Last updated on August 21, 2022

ଆତ୍ମା ସେହି ଦିବ୍ୟମଣି (ଜୀବନର ମୂଳତତ୍ତ୍ୱ) ଅଟେ, ଯାହାର ପ୍ରକାଶରେ ସଂସାରର ଅବିଦ୍ୟା ସମୂଳେ ନାଶ ହୋଇଯାଏ । ମନୁଷ୍ୟ ଶରୀରତଃ ପଶୁ, ମନତଃ ମନୁଷ୍ୟ ଏବଂ ଆତ୍ମତଃ ଈଶ୍ୱର ଅଟେ । ଏହି ସଂସାରଟି ଆମର ଈଶ୍ୱରୀୟ ସତ୍ତାଦ୍ୱାରା ଆମର ସ୍ୱ ମହାନ୍ ଚିତ୍ତର ସମୟ, ସ୍ଥାନ ଏବଂ ପଦାର୍ଥର ଚତୁଃ ଆୟାମୀ କଳ୍ପନାର ଫଳ ଅଟେ, ଯେଉଁଥିରେ ଆମେ ଆମ ଶରୀରଦ୍ୱାରା ପ୍ରବେଶ କରି ଇନ୍ଦ୍ରିୟସମୂହ ଏବଂ ମନ ଦ୍ୱାରା ଏହାକୁ ଭୋଗ କରିବାପାଇଁ ଚାହିଁଥାଉ । ଏହାକୁ ଆମ ଶାସ୍ତ୍ରରେ ‘ତତ୍ ସୃଷ୍ଟ୍ୱା ତଦେବାନୁପ୍ରାବିଶତ୍’ ଅର୍ଥାତ୍ ‘ସ୍ୱୟଂ ସର୍ଜନା କରି ନିଜେ ତନ୍ମଧ୍ୟରେ ପ୍ରବେଶ କରିଯିବା’ କଥା କୁହାଯାଇଛି । ଶରୀରଯୋଗୁଁ ଆମଠାରେ ଅହଂ ଭାବ ଆସିବା ସ୍ୱାଭାବିକ ଆଉ ଯଦି ମନ ଅଛି ତେବେ ମୋହରେ ପଡ଼ିବା ତ ନିଶ୍ଚିତ କଥା । ଫଳରେ ସଂସାର ଆମକୁ ସତ୍ୟ ପ୍ରତୀତ ହୁଏ ଆଉ ଆଖିରେ ଆତ୍ମା ଦୃଶ୍ୟ ନହେଉଥିବା କାରଣରୁ ଆମର ମନ ସ୍ୱତଃ ପଶୁଭାବକୁ ଚାଲିଯାଏ । ଆମକୁ ଲାଗେ ଯେ, ଆମର ତନ ଅଛି, ମନ ଅଛି ଏବଂ ସଂସାର ତ ଅଛି; କିନ୍ତୁ ଆତ୍ମାର ଅସ୍ତିତ୍ୱ ସମ୍ବନ୍ଧରେ ଆମେ ସଂଶୟରେ ପଡ଼ିଯାଉ । ଆତ୍ମାର ବିସ୍ମୃତି ହୋଇଯିବା କାରଣରୁ ଆମେ ଜନ୍ମ ନେଇଥାଉ ଆଉ ମରିଥାଉ, ତା ସହିତ ଅନନ୍ତ କାଳପର୍ଯ୍ୟନ୍ତ ସଂସାରରେ ପଡ଼ିରହୁ । ବାହାରକୁ ବାହାରିପାରି ନଥାଉ । ଆମକୁ ସଂସାରର ନିର୍ଗମ ମିଳିନଥାଏ । ଅତଃ ଅଧୁନା ସବୁଠାରୁ ବଡ଼ ପ୍ରଶ୍ନ ଆମ ସମ୍ମୁଖରେ ଆସି ଉପସ୍ଥିତ ହୋଇଯାଏ କି, ଯଦି ଆତ୍ମା ରହିଛି ତେବେ ତାହା କେଉଁଠି ଅଛି । ଗୀତା ମତରେ ଆତ୍ମା ମରି ନଥାଏ— ‘ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ….’ ଇତ୍ୟାଦି ଇତ୍ୟାଦି । ଏଥିପାଇଁ ଗୀତା ସେହି ଆତ୍ମାର ଅନ୍ୱେଷଣ କରିବାକୁ ଲାଗିଯାଏ । ଆପଣ ଗୀତା ପଢ଼ିଲେ ପାଇବେ କି, ଗୀତା ତାର ଲକ୍ଷ୍ୟରେ ସଫଳ ହୋଇଯାଇଛି ।
କାଳ (ସମୟ), ସ୍ପେଶ ଏବଂ ପଦାର୍ଥ— ଏହି ତିନୋଟି ବିରାଟ ବଡ଼ ଭ୍ରମ ଅଟନ୍ତି, ଯାହା ମଧ୍ୟରୁ ଆମର ବିଚାର ବାହାରକୁ ବାହାରି ପାରୁନାହିଁ । ତୁଳସୀଦାସ ଏହି ଭ୍ରମକୁ ଜାଣିପାରିଥିଲେ ଏଥିପାଇଁ ରାମଚରିତମାନସର ଉତ୍ତରାକାଣ୍ଡରେ ଭଗବାନ୍ ରାମ କାକଭୂଷୁଣ୍ଡିଙ୍କ ସମ୍ମୁଖରେ ନିଜର ଏହି ମାୟାକୁ ଅତ୍ୟନ୍ତ ରୋଚକ ଢଙ୍ଗରେ ସମ୍ବରଣ (ନିରାକରଣ) କରିଛନ୍ତି । କାକଭୂଷୁଣ୍ଡି ଦେଖିଛନ୍ତି କି, ବିରାଟ ସ୍ପେଶ୍ କେବଳ ମାତ୍ର ଦୁଇ ଅଙ୍ଗୁଳି ଦୂରତାରେ ସମାହିତ ହୋଇ ରହିଯାଉଛି । ସୃଷ୍ଟିର ସମଗ୍ର ପଦାର୍ଥ କାକଭୂଷୁଣ୍ଡିଙ୍କ ସହିତ ଭଗବାନଙ୍କ ମୁଖରେ ସମାହିତ ହୋଇଯାଉଛି ଏବଂ ଏହା ଦେଖି ସେ ବଡ଼ ଆଶ୍ଚର୍ଯ୍ୟରେ ପଡ଼ିଯାଉଛନ୍ତି ଯେ, ତାଙ୍କ ଦ୍ୱାରା ଅନନ୍ତକାଳ ପର୍ଯ୍ୟନ୍ତ ଅତିବାହିତ କରାଯାଇଥିବା ସମୟ କେବଳ କିଛି ମୁହୂର୍ତ୍ତରେ ଘଟିଥିବାର ପ୍ରତୀତ ହେଉଛି ।

ପୂର୍ବରୁ ଆଇନଷ୍ଟାଇନ୍ ପ୍ରକାଶର ଗତି ଉପରେ ଭିନ୍ନ ଭିନ୍ନ ପ୍ରୟୋଗ କରି ଏହା ସିଦ୍ଧ କରିଦେଇଛନ୍ତି ଯେ, ସମୟ ଏବଂ ସ୍ପେଶ୍ ନିପରେକ୍ଷ (Absolute) ସତ୍ୟ ନୁହେଁ, ବରଂ ସାପେକ୍ଷ (Relative) ସତ୍ୟ ଅଟେ ଅର୍ଥାତ୍ ପରିବ୍ୟାପ୍ତ ହୋଇପାରେ ତଥା ପଦାର୍ଥ ମଧ୍ୟ କେବଳ ଶକ୍ତି (Energy)ର ପୁଞ୍ଜିମାତ୍ର ଅଟେ । ଉଭୟେ ଅର୍ଥାତ୍ କାକଭୂଷୁଣ୍ଡି-ଆଖ୍ୟାନ ଏବଂ ଆଧୁନିକ ବିଜ୍ଞାନ ଉଭୟରୁ ଏହା ସିଦ୍ଧ ହେଉଛି କି, ସଂସାରର ତିନୋଟି ଯଥା, ଘଟିଥିବା ସମୟ, ସ୍ପେଶ୍ ଏବଂ ପଦାର୍ଥ ଅସତ୍ୟ ହେବାପରେ ବି ଆମକୁ ଏଥିପାଇଁ ସତ୍ୟ ପ୍ରତୀତ ହେଉଛନ୍ତି; କାହିଁକି ନାଁ ଆମକୁ ଆମ ଶରୀର ଏବଂ ଇନ୍ଦ୍ରିୟସମୂହ ଦ୍ୱାରା ଏହାର ଅନୁଭବ ହୋଇଥାଏ । ଏଥିପାଇଁ ଆତ୍ମା, ଯେଉଁଠାରେ ନାଁ ସ୍ପେଶ୍ ଅଛି, ନାଁ ସମୟ ଅଛି, ନାଁ ପଦାର୍ଥ ଅଛି; ସତ୍ୟ ହେବାପରେ ମଧ୍ୟ ଆମକୁ ସତ୍ୟ ପ୍ରତୀତ ହୋଇନଥାଏ । ଆତ୍ମାର ଏହି ଅଦୃଶ୍ୟ ‘ସତ୍ୟ’ ଆମକୁ କେଉଁଭଳି ଦେଖାଯାଏ, ଏହି ସମସ୍ୟାର ସମାଧାନ ଗୀତା ଅଟେ ।
ବିଜ୍ଞାନର ନୂତନ ଅନୁସନ୍ଧାନ ସମ୍ବନ୍ଧରେ ଆମକୁ ଅବଗତ କରାଇବାପାଁଇ ସାଂସାରର ବିଭିନ୍ନ ଦେଶମାନଙ୍କରେ TED ସମ୍ମିଳନୀ ଆୟୋଜିତ କରାଯାଉଛି । ଏହିଭଳି ଏକ ସମ୍ମିଳନୀ ମେଡ଼ିକାଲ ସାଇନ୍ସର ଏକ ଅନୁସନ୍ଧାନକର୍ତ୍ତା କହିଛନ୍ତି କି ଅପରେଶନ୍ କରିବା ପୂର୍ବରୁ ରୋଗୀକୁ ଯେଉଁ ଏନେସଥେସିଆ ଦିଆଯାଏ, ତାହା ମସ୍ତିଷ୍କକୁ ନିଶ୍ଚେଷ୍ଟ କରେନାହିଁ, ବରଂ ମସ୍ତିଷ୍କରେ ଏକ ଏଭଳି ‘ମୌନ କୋଳାହଳ’ (Silent Noise) ସୃଷ୍ଟି କରିଦେଇଥାଏ ଯେ, ଯେଉଁଥିରେ ମସ୍ତିଷ୍କ ଏତେ ବ୍ୟସ୍ତ ହୋଇଯାଏ ଯେ, ଶରୀରର ସୁଧିକୁ ବି ‘ଭୁଲି’ ଯାଏ । ଏବଂ ଏହି ସମୟରେ ଡାକ୍ତର ଆରାମରେ ଅପରେଶନ୍ କରିଦିଅନ୍ତି ।

ଠିକ୍ ଏହିଭଳି ଭାବେ ଦୃଶ୍ୟ ସଂସାରକୁ ସତ୍ୟ ମନେକରି ଆମେ ସେଥିରେ ଡୁବିଯାଇଛୁ । ଏଥିପାଇଁ ନିଜର ଆତ୍ମାକୁ ‘ଭୁଲି’ ଯାଇଛୁ । ଆତ୍ମାର ଏହି ପ୍ରତିଧ୍ୱନି କଣ ଗୀତାର ଏହି ଶ୍ଳୋକରେ ଆମକୁ ଶୁଣାଯାଉନାହିଁ—
ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତି ସଂଯମୀ ।
ଯସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ ।।

କେବଳ ଏହି ଦୁଇଗୋଟି ପଂକ୍ତିର ଅର୍ଥ ଆମେ ବୁଝିଗଲେ ସମ୍ପୂର୍ଣ୍ଣ ଗୀତାକୁ ବୁଝିଯିବା । ପ୍ରଥମ ପଂକ୍ତି ‘ବୈରାଗ୍ୟ’ ଏବଂ ଦ୍ୱିତୀୟ ପଂକ୍ତି ‘ଜ୍ଞାନ’ ସମ୍ପର୍କିତ ଅଟେ । ଯେଉଁଠାରେ ଶାସ୍ତ୍ରରେ ପ୍ରଥମେ ‘ଜ୍ଞାନ’ ସମ୍ପର୍କରେ କୁହାଯାଇଛି ଆଉ ତା ପରେ ଯାଇ ‘ବୈରାଗ୍ୟ’ ସମ୍ପର୍କରେ କୁହାଯାଇଛି । କିନ୍ତୁ ଏଠାରେ ଠିକ୍ ଓଲଟା; କାହିଁକି ନାଁ ଭଗବାନ୍ ପ୍ରଥମେ ଆମକୁ ଆମ ଆତ୍ମାକୁ ସଂଯମ ଅର୍ଥାତ୍ ବୈରାଗ୍ୟ ମାଧ୍ୟମରେ ଜାଗ୍ରତ ରଖିବା କଥା କହିଛନ୍ତି କି, ଅନ୍ୟମାନଙ୍କୁ ଦେଖି ତୁମେ ବି ଶୋଇଯାଅ ନାହିଁ ଆଉ ତାପରେ ମୁନିମାନଙ୍କର ଦୃଷ୍ଟାନ୍ତ ଦ୍ୱାରା ଏହି ଜ୍ଞାନ ମଧ୍ୟ ପ୍ରଦାନ କରିଛନ୍ତି କି, ଯେଉଁ ସାଂସାରିକ କ୍ଷେତ୍ରରେ ସଂସାରର ଲୋକମାନେ ଜାଗ୍ରତ ଅଛନ୍ତି, ସେମାନଙ୍କ ତରଫରୁ ନିଜର ଦୃଷ୍ଟିକୁ ବନ୍ଦ ରଖ, ତାହା ତ ବାସ୍ତବରେ ରାତ୍ରି ଅଟେ । ଏହିଭଳି ଭାବେ ଗୀତାକୁ ଶାସ୍ତ୍ରୀୟ ଜ୍ଞାନର ଆବଶ୍ୟକତା ନାହିଁ । ଗୀତାକୁ ତ କେବଳ ଆମର ଦୃଷ୍ଟିକୋଣକୁ ଠିକ୍ କରିବାର ଅଛି, ଯେପରି ଆମେ ‘ଆତ୍ମା’କୁ ‘ଧ୍ୟାନ’ କରିପାରିବା । ସଂସାରକୁ ପୂର୍ଣ୍ଣରୂପେ (ଅଥବା ଆଂଶିକ ରୂପେ) ବିନଷ୍ଟ କରିଦେବା ଆମଭଳି କ୍ଷୁଦ୍ର ଜୀବପାଇଁ ସମ୍ଭବ ନୁହେଁ । କିନ୍ତୁ ଗୀତା ଆମର ଦୃଷ୍ଟିକୋଣକୁ ଠିକ୍ କରିଦେଇଥାଏ । ଆମ ବୁଦ୍ଧିର ଟେଲିସ୍କୋପକୁ ବୁଲାଇ ସେହି କୋଣରେ ସ୍ଥିର କରିଦିଏ, ଯେଉଁଠାରେ ସଂସାର ସମ୍ପୂର୍ଣ୍ଣରୂପେ ବିନଷ୍ଟ ହୋଇଯାଏ କିନ୍ତୁ ଆତ୍ମା ‘ଫୋକସ୍’କୁ ଆସିଯାଏ ।

ଅତଃ ସେହି ‘ଆତ୍ମତତ୍ତ୍ୱ’ ଯାହାକୁ ଆଜି ଆମେ ଭୁଲିଯାଇଛୁ, ତାକୁ ମନେପକାଇଦେବା ହେଉଛି ଗୀତାର ମୂଳ ଉଦ୍ଦେଶ୍ୟ । ଗୀତା, ଯଦିଓ ଜ୍ଞାନର ଅଥଳ ସାଗର ଅଟେ, ହେଲେ ଗୀତାର ମୂଳ ଉଦ୍ଦେଶ୍ୟ ଜ୍ଞାନ ପ୍ରଦାନ କରିବା ନୁହେଁ କି କେବଳ ଅର୍ଜ୍ଜୁନଙ୍କ ପାଇଁ ନୁହେଁ, ପ୍ରତ୍ୟେକ ଲୋକଙ୍କୁ ଆତ୍ମାର ପ୍ରତ୍ୟକ୍ଷ ଅନୁଭବ କରାଇଦେବା ମୂଳ ଉଦ୍ଦେଶ୍ୟ । ଏଥିପାଇଁ ଭଗବାନ୍ ଜ୍ଞାନ ନୁହେଁ ବରଂ ‘ଜ୍ଞାନଯୋଗ’, କର୍ମ ନୁହେଁ ବରଂ ‘କର୍ମଯୋଗ’ ତଥା ଜ୍ଞାନ ଏବଂ କର୍ମ ଉଭୟର ପରାକାଷ୍ଠା ‘ଭକ୍ତିଯୋଗ’ ଆଦି ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ଜ୍ଞାନ ଏବଂ ଅଜ୍ଞାନ ଉଭୟରୁ ମୁକ୍ତ ନହେଲେ ‘ଆତ୍ମା’ର ଦର୍ଶନ ହୋଇପାରେ ନାହିଁ କାରଣ ଆତ୍ମା ସମସ୍ତ ବନ୍ଧନରୁ ମୁକ୍ତ ଅଟେ । ଏଥିପାଇଁ ଯେତେ ଶାସ୍ତ୍ରଜ୍ଞାନ ଆହରଣ କଲେ ମଧ୍ୟ ଏହାଦ୍ୱାରା ଆତ୍ମଜ୍ଞାନ କଦାପି ହୋଇପାରିବ ନାହିଁ । କାହିଁକି ନାଁ ବ୍ରହ୍ମଜ୍ଞାନ ତୁଳନାରେ ଆମର ଜ୍ଞାନ ସର୍ବଦା ଅପୂର୍ଣ୍ଣ, ନଗଣ୍ୟ ଏବଂ ତୁଚ୍ଛ ନୁହେଁ ବରଂ ଜଡ଼ତା ଅଟେ । ଅତଃ ତାହାକୁ ତ୍ୟାଗ କରିଦେବା ହିଁ ଭଲ । ତାହାଦ୍ୱାରା ଚେତନ ଆତ୍ମା ସମ୍ବନ୍ଧିତ ଜ୍ଞାନ କଦାପି ହୋଇପାରିବ ନାହିଁ । ଅନ୍ୟପକ୍ଷରେ ଦେଖିଲେ, ଯଦି ଶାସ୍ତ୍ରସମୂହର ଜ୍ଞାନ ଦ୍ୱାରା ଆତ୍ମାର ଜ୍ଞାନ ହେଉଥାନ୍ତା ତେବେ ମୂର୍ଖକୁ ତ କଦାପି ଆତ୍ମା ସମ୍ବନ୍ଧରେ ଜ୍ଞାନ ହେବ ନାହିଁ ହେଲେ ଆତ୍ମା ତ ଜ୍ଞାନୀ ଏବଂ ମୂର୍ଖ ଉଭୟଙ୍କ ମଧ୍ୟରେ ବିଦ୍ୟମାନ । ଜ୍ଞାନୀ ହୁଅ ଅବା ମୂର୍ଖ, ନିର୍ବଳ ହୁଅ ଅବା ବଳବାନ୍, ଆସ୍ତିକ ହୁଅ ଅବା ନାସ୍ତିକ ଗୀତା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ଏଥିପାଇଁ ଆତ୍ମଜ୍ଞାନ ଦିଗରେ ଅଗ୍ରସର ହେବା ନିମନ୍ତେ ଭଗବାନ୍ ବେଦସମୂହର ଜ୍ଞାନକୁ ମଧ୍ୟ ବାଧା ବୋଲି କହିଛନ୍ତି— ‘ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରୈଗୁଣ୍ୟୋ ଭବାର୍ଜୁନ ।’ ଏହା ବେଦର ଅବମାନନା ନୁହେଁ ବରଂ ବେଦର ସବୁଠାରୁ ବଡ଼ ପ୍ରଶଂସା ଅଟେ । ଏହା ଏହି କଥାର ପ୍ରମାଣ ଅଟେ ଯେ, ବେଦରୁ ବଡ଼ ଆଉ କୌଣସି ଜ୍ଞାନ ନାହିଁ । ଯଦି ବେଦସମୂହରୁ ବଡ଼ ଅନ୍ୟ କୌଣସି ଜ୍ଞାନ-ଶାସ୍ତ୍ର ଥାଆନ୍ତା, ତେବେ ଭଗବାନ୍ ସେହି ଶାସ୍ତ୍ରର ନାମ ଅବଶ୍ୟ ନେଇଥାନ୍ତେ, ବେଦର ନାମ ନେଇନଥାନ୍ତେ । କାରଣ ଭଗବାନଙ୍କର କହିବାର ତାତ୍ପର୍ଯ୍ୟ ଏଠାରେ ‘ବଡ଼-ରୁ-ବଡ଼ ଜ୍ଞାନ’ ଅଟେ । ଯେହେତୁ ବେଦ ମହାନ୍ ଜ୍ଞାନର ପର୍ଯ୍ୟାୟ ଅଟେ, ସେଥିପାଇଁ ବେଦସମୂହର ଉଦାହରଣ ଦେଇଛନ୍ତି ।

ଜ୍ଞାନର କଣ୍ଟା ଦ୍ୱାରା ଅଜ୍ଞାନର କଣ୍ଟା (ଅର୍ଥାତ୍ ସଂଶୟ)-କୁ ଦୂର କରିଦେବାପରେ ଜ୍ଞାନ ଏବଂ ଅଜ୍ଞାନ ଉଭୟ କଣ୍ଟାକୁ ଫିଙ୍ଗିଦେବା ଆବଶ୍ୟକ । ଜ୍ଞାନର କଣ୍ଟାକୁ ସଜାଡ଼ି ରଖିଲେ ମନ ସର୍ବଦା ଅସହଜ ହୋଇ ରହିଥାଏ । ଅତଃ ନିଜର ସହଜ ଅବସ୍ଥା ଅର୍ଥାତ୍ ଆତ୍ମସ୍ୱରୂପର ପ୍ରାପ୍ତି ହୋଇନଥାଏ ।
ସୁସ୍ଥ ଶରୀର, ସଠିକ୍ ବିଚାର ଏବଂ ନିର୍ମଳ ମନରେ ଆତ୍ମାର ଅନୁଭୂତି ଜାଗ୍ରତ ହୋଇଥାଏ । ଅର୍ଜ୍ଜୁନଙ୍କର ଶରୀର ସୁସ୍ଥ ଥିଲା, ମନ ନିର୍ମଳ ଥିଲା କିନ୍ତୁ ବିଚାର ଠିକ୍ ନଥିଲା । ତାଙ୍କ ବିଚାରକୁ ଠିକ୍ ଦିଗରେ ପରିଚାଳିତ କରିବାର ଉପକ୍ରମ ହିଁ ଗୀତା ଅଟେ, ଯାହା କେବଳ ଅର୍ଜ୍ଜୁନ ନୁହେଁ ପ୍ରତ୍ୟେକ ଯୁଗରେ ପ୍ରତ୍ୟେକ ବ୍ୟକ୍ତିଙ୍କ ବିଚାରକୁ ସଠିକ୍ ଦିଗରେ ପରିଚାଳିତ କରିବାପାଇଁ ସକ୍ଷମ ଅଟେ । ଏଥିପାଇଁ ଗୀତା ମନୁଷ୍ୟର ଶାଶ୍ୱତ ମିତ୍ର ଅଟେ ।
ପ୍ରତ୍ୟେକ ନକାରାତ୍ମକ ବିଚାରକୁ ବିନଷ୍ଟ କରିବା ଏବଂ ପ୍ରତ୍ୟେକ ସକାରାତ୍ମକ ବିଚାରକୁ ପ୍ରଶସ୍ତ କରିବା ଗୀତାର ସ୍ୱାଭାବିକ ଗୁଣଧର୍ମ ଅଟେ । ଗୀତାରେ ଭଗବାନ ସ୍ୱୟଂ ବସି ଜ୍ଞାନ ପ୍ରଦାନ କରୁଛନ୍ତି । ଏଥିପାଇଁ ଗୀତାରେ ଅନନ୍ତ ଜ୍ଞାନ ରହିଛି, ଯାହାକୁ କେହି ବି ପାର କରିପାରୁ ନାହାଁନ୍ତି । ବିଗତ ପାଞ୍ଚହଜାର ବର୍ଷରେ ଅନେକ ସନ୍ଥ ଏବଂ ବିଦ୍ୱାନଗଣ ଜୀବନାବଧି ଗୀତା ଅଧ୍ୟୟନ କରିଛନ୍ତି କିନ୍ତୁ ଗୀତା ଜ୍ଞାନର ଅନ୍ତ ପାଇପାରି ନାହାଁନ୍ତି । ଗୀତାରୂପୀ ନାବରେ ବସି ସେମାନେ ନିଃସନ୍ଦେହରେ ଭବସାଗର ତରିଯାଇଛନ୍ତି, କାହିଁକି ନାଁ ସେହି ବୁଦ୍ଧି ଧନ୍ୟ ଅଟେ, ଯାହା ଈଶ୍ୱରଙ୍କ ଧ୍ୟାନରେ ସତତ ଲାଗିରହିଛି । ଭଗବାନ୍ ସ୍ୱୟଂ ଏଭଳି ଜ୍ଞାନୀମାନଙ୍କୁ ନିଜର ସ୍ୱରୂପ ବୋଲି ମାନିନେଇ ତାଙ୍କର ଅଭ୍ୟର୍ଥନା କରିଛନ୍ତି । କିନ୍ତୁ ଗୀତାର ଅଲୌକିକତା, ଗୀତାର ସତ୍ତ୍ୱ, ଗୀତାର ସେହି ସହଜ ଏବଂ ସ୍ୱତ୍ତଃସ୍ଫୁର୍ତ୍ତ ଜ୍ଞାନ (Spontaneous knowledge) ଅଟେ, ଯାହା ଅର୍ଜ୍ଜୁନଙ୍କୁ ମାଧ୍ୟମକରି ଆମମାନଙ୍କୁ କହିଅଛନ୍ତି କି, ତପସ୍ୱୀଙ୍କଠାରୁ ଶ୍ରେଷ୍ଠ କର୍ମଠ ବ୍ୟକ୍ତି ଅଟନ୍ତି, କର୍ମଠଙ୍କଠାରୁ ଶ୍ରେଷ୍ଠ ଜ୍ଞାନୀ ଅଟନ୍ତି ଏବଂ ଜ୍ଞାନୀଙ୍କଠାରୁ ଶ୍ରେଷ୍ଠ ଯୋଗୀ ଅଟନ୍ତି । ଅତଃ ତୁମେ ଯୋଗୀ ହୋଇଯାଅ ।

ଯୁଦ୍ଧ ଆରମ୍ଭ ହେବାର ଠିକ୍ ପୂର୍ବରୁ କେହି ବି ବିବେକବାନ୍ ବ୍ୟକ୍ତି ଜ୍ଞାନର ପାଠଶାଳା ଖୋଲି ବସିନଥାନ୍ତି । ଅତଃ ଭଗବାନଙ୍କର (ତାତ୍କାଳିକ) ଉଦ୍ଦେଶ୍ୟ କେବଳ ଅର୍ଜ୍ଜୁନଙ୍କୁ ଏହା ସ୍ମରଣ କରାଇଦେବା ଥିଲା ଯେ, ତୁମେ ତାହା ନୁହଁ, ଯାହା ତୁମେ ଭାବୁଛ । ଏହି ଯୋଦ୍ଧାଗଣ ମଧ୍ୟ ତାହା ନୁହଁନ୍ତି, ଯାହା ତୁମେ ସେମାନଙ୍କୁ ଭାବିନେଇଛ । ଭଗବାନ୍ ଚାହୁଁଥିଲେ, କୌଣସି ପ୍ରକାରେ ଯଥାଶୀଘ୍ର ଅର୍ଜ୍ଜୁନଙ୍କୁ ନିଜର ପ୍ରକୃତ ସ୍ୱରୂପ, ନିଜର ଆତ୍ମା ସମ୍ବନ୍ଧରେ ଜ୍ଞାନ ହୋଇଯାଉ ଯଦ୍ଦ୍ୱାରା ସେ ନିର୍ଦ୍ୱନ୍ଦ୍ୱ ଭାବରେ ଯୁଦ୍ଧ କରିପାରିବେ ଏବଂ ଦୈବବଶତଃ ଧର୍ମଯୁଦ୍ଧ ବାହାନାରେ ଗୋଟିଏ ସ୍ଥାନରେ ଯୁଦ୍ଧ ଇଚ୍ଛାରେ ଏକତ୍ର ହୋଇଥିବା ଆତତାୟୀମାନଙ୍କର ସହଜରେ ବିନାଶ ହୋଇଯିବ । ଯେତେବେଳେ ଯାଏଁ ଅର୍ଜ୍ଜୁନଙ୍କର ଦେହବୁଦ୍ଧି ଥିଲା, ସେପର୍ଯ୍ୟନ୍ତ ସେ ନିଜକୁ, ଭୀଷ୍ମ, ଦ୍ରୋଣ ଆଦିଙ୍କୁ, ଏପରିକି ଭଗବାନ୍ କୃଷ୍ଣଙ୍କୁ ମଧ୍ୟ ଦେହ ପର୍ଯ୍ୟନ୍ତ ସୀମିତ ବୋଲି ବୁଝିଥିଲେ । ଆତ୍ମଚେତନା ଜାଗ୍ରତ ହେବାମାତ୍ରେ ସେ ନିଜର ଭୁଲ ପାଇଁ ଭଗବାନଙ୍କୁ କ୍ଷମା ମାଗି କହିଲେ କି, ମୁଁ ଆଜିପର୍ଯ୍ୟନ୍ତ ଆପଣଙ୍କୁ ସାଧାରଣ ବ୍ୟବହାର କରୁଥିଲି କିନ୍ତୁ ଆପଣ ତ ପରମପୁରୁଷ ଅଟନ୍ତି । ଆତ୍ମା ସମ୍ବନ୍ଧୀୟ ଜ୍ଞାନ ନ ରହିବା କାରଣରୁ ଆମ ହୃଦୟରେ ଭଗବାନଙ୍କ ପ୍ରତି ମୂଢ଼ଭାବ ରହିଥାଏ । ଆତ୍ମାର ଅନୁଭବ ହେବାମାତ୍ରେ ଆମ ହୃଦୟରେ ଈଶ୍ୱର ଚେତନା (God Consciousness) ଜାଗ୍ରତ ହୋଇଯାଏ । ଯେମିତି କି, ଯେତେ ଘନ କୁହୁଡ଼ି ହେଲେ ବି ସୂର୍ଯ୍ୟଙ୍କର ଏକ କିରଣ ଦେଖାଯିବା ମାତ୍ରେ ଆମକୁ ସୂର୍ଯ୍ୟ ସମ୍ପୂର୍ଣ୍ଣରୂପେ ଦୃଶ୍ୟ ହୋଇ ଯାଆନ୍ତି ।

ଗୀତା ଶୂନ୍ୟ ଦର୍ଶନ ନୁହେଁ, ବରଂ ମାନବ କଲ୍ୟାଣରେ ରତ (ସର୍ବଭୂତହିତେ ରତଃ), ଉଦ୍ଦେଶ୍ୟପରକ, ବ୍ୟାବହାରିକ ଚିନ୍ତନ ଅଟେ । ଯାହାକୁ ଆମେ ଇଂରାଜୀରେ ଅବଜେକଟିଭ୍ ଥିଙ୍କିଙ୍ଗ୍ (Objective Thinking) କହିପାରିବା ।
ଅବ୍ୟକ୍ତ ଆତ୍ମାକୁ ବ୍ୟକ୍ତ କରିବାର ମନୋବୈଜ୍ଞାନିକ ବିଧି ହେଉଛି ଗୀତା । ଅନ୍ତର୍ଯ୍ୟାମୀ ପ୍ରଭୁ ପ୍ରଥମେ ତ ଅର୍ଜ୍ଜୁନଙ୍କ ରଥକୁ ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ଠିକ୍ ସମ୍ମୁଖକୁ ନେଇଯାଇ ଜାଣିଶୁଣି ଅର୍ଜ୍ଜୁନଙ୍କ ଭାବନାକୁ ଜାଗ୍ରତ କରିଛନ୍ତି ଆଉ ଯେତେବେଳେ ଅର୍ଜ୍ଜୁନ ମନ, ବୁଦ୍ଧି ଏବଂ ଶରୀରତଃ ପରାଜିତ ହୋଇ ବସିଯାଇଛନ୍ତି, ସେତେବେଳେ ଭଗବାନ୍ ହସିହସି ଅତ୍ୟନ୍ତ ଦ୍ରୁତ ଗତିରେ ତାଙ୍କୁ ଆତ୍ମାର ରହସ୍ୟ ସମ୍ବନ୍ଧରେ ଅବଗତ କରାଇବା ପ୍ରାରମ୍ଭ କରିଦେଇଛନ୍ତି ଏବଂ ତାଙ୍କର ସମସ୍ତ ଜିଜ୍ଞାସାକୁ ଯୁକ୍ତିସଙ୍ଗତ ସମାଧାନ କରିବାପୂର୍ବକ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ତାଙ୍କୁ ଆତ୍ମା ସମ୍ବନ୍ଧରେ ସମ୍ପୂର୍ଣ୍ଣ ରହସ୍ୟ ଏବଂ ଆତ୍ମାକୁ ଅବଗତ ହେବାର ଯୋଗ-ବିଧି ବୁଝାଇ ଆତ୍ମାକୁ ଅବଗତ ହେବାର ଅନୁପମ ଫଳ ସମ୍ବନ୍ଧରେ ବତାଇ ଦେଇଛନ୍ତି । ଯେପର୍ଯ୍ୟନ୍ତ ମନ, ବୁଦ୍ଧି ଏବଂ ଶରୀର ମଧ୍ୟରୁ କୌଣସି ଗୋଟିଏ ବି କାମ କରିଥାଏ, ସେପର୍ଯ୍ୟନ୍ତ ଆମକୁ ଆତ୍ମାର ଆବଶ୍ୟକତା ପଡ଼ିନଥାଏ । ଯେତେବେଳେ ଏହି ତିନିଜଣ ଫେଲ୍ ବା ଅସମର୍ଥ ହୋଇଯାଆନ୍ତି, ସେତେବେଳେ ଆତ୍ମାର ରୋଲ୍ ବା କାର୍ଯ୍ୟ ଆରମ୍ଭ ହୁଏ । ମନୁଷ୍ୟ ମରିବାପାଇଁ ଜନ୍ମ ନେଇନାହିଁ, ସଂସାର-ସାଗରକୁ ପାର କରିବାପାଇଁ ଜନ୍ମ ନେଇଛି । ମନୁଷ୍ୟ ନିଜେ ନିଜର ମିତ୍ର ଅଟେ ଏବଂ ନିଜେ ନିଜର ଶତ୍ରୁ ଅଟେ । ଯଦି ଜୀବିତାବସ୍ଥାରେ ଆତ୍ମାକୁ ଜାଣିପାରିବା ନାହିଁ, ତେବେ ଆମେ ‘ଆତ୍ମହନନ’ ଦିଗକୁ ଅଗ୍ରସର ହେଲେ କହିବାକୁ ହେବ ।
ଆମେସବୁ ଆଜି ଜାଣତ-ଅଜାଣତରେ ଏହି ‘ଆତ୍ମହନନ’ ପ୍ରକ୍ରିୟାରେ ଲାଗିରହିଛୁ । ମନୁଷ୍ୟମାତ୍ରକେ ସଫଳତାର ରହସ୍ୟ ଆତ୍ମାରେ ନିହିତ ଅଛି । ଏହି ରହସ୍ୟ ଗୀତା ଆମକୁ କହିଛି । ହେଲେ ଆଜି ଆମେ ପୁନର୍ବାର ଆତ୍ମାକୁ ସମ୍ପୂର୍ଣ୍ଣରୂପେ ଭୁଲିଯାଇଛୁ । ଶରୀରକୁ ହିଁ ସବୁକିଛି ଭାବିନେଇଛୁ । ବିଜ୍ଞାନ ଭୋଗସମୂହର ପ୍ରଚୁର ସାଧନକୁ ସୁଲଭ କରିଦେଇଛି । ଲୋକମାନଙ୍କ ଭିତରେ ଭୋଗସମୂହକୁ ଉପଭୋଗ କରିବାପାଇଁ ପ୍ରବଳ ଆଗ୍ରହ ଦେଖାଦେଉଛି । ବିଜ୍ଞାନର ବିକାଶ ଆତ୍ମାର ମାର୍ଗକୁ ଅବରୁଦ୍ଧ କରିଦେଇଛି । ସଂସାରରେ ଅନାତ୍ମବାଦ ବଢ଼ିବାରେ ଲାଗିଛି । ଅନାତ୍ମବାଦ ବଢ଼ିବାଦ୍ୱାରା ଅନୀଶ୍ୱରବାଦ ବଢ଼ିଚାଲିଛି । ଅନୀଶ୍ୱରବାଦ କାରଣରୁ ଅନାଚାର ବଢ଼ିଚାଲିଛି । ଅନାଚାରରୁ ଏକ ଏଭଳି ଅପସଂସ୍କୃତି ଆସିଯାଇଛି, ଯେଉଁଥିରେ କଦାଚାର, ଦୁରାଚାର, ଭ୍ରଷ୍ଟାଚାର ଆଦି ସବୁକିଛି ରହିଛି । ଦିଗହୀନ ଯୁବାପିଢ଼ିଙ୍କର ଅସୀମ ଊର୍ଜାକୁ କିଛି ନିହିତ ସ୍ୱାର୍ଥ ଅସତ୍ ଉପଯୋଗ କରି ତାଙ୍କୁ ଆତଙ୍କବାଦୀ ଦିଗକୁ ଭ୍ରମିତ କରିପକାଉଛନ୍ତି । ମନୁଷ୍ୟ ପଶୁରେ ପରିଣତ ହୋଇଯାଇଛି । ଏପରି ନୁହେଁ ଯେ, ପଶୁମାନଙ୍କ ଭିତରେ ଆତ୍ମା ନାହିଁ, ଆତ୍ମା ତ ପଶୁଙ୍କର ମଧ୍ୟ ରହିଛି, କିନ୍ତୁ ପଶୁମାନଙ୍କୁ ସେତେବେଳେ ଆତ୍ମା ବିଷୟରେ ଜଣାଯାଏ, ଯେତେବେଳେ ସେମାନେ ମରିଯାଆନ୍ତି ।

ସେତେବେଳେ ସେମାନଙ୍କ ପାଖରେ ଦ୍ୱିତୀୟ ଜନ୍ମ ନେବା ବ୍ୟତିରେକ ଅନ୍ୟକୌଣସି ଉପାୟ ରହେନାହିଁ । କିନ୍ତୁ ମନୁଷ୍ୟକୁ ନିଜର ଆତ୍ମା ସମ୍ବନ୍ଧିତ ଜ୍ଞାନ ଜୀବିତାବସ୍ଥାରେ ବି ପ୍ରାପ୍ତ ହୋଇପାରେ । ଯଦି ଜୀବିତାବସ୍ଥାରେ ମନୁଷ୍ୟକୁ ନିଜ ଆତ୍ମା ସମ୍ବନ୍ଧରେ ଜ୍ଞାନ ହୋଇଯାଏ, ତେବେ ମନୁଷ୍ୟ ଆଉ ମରେନାହିଁ, କେବଳ ଶରୀର ତ୍ୟାଗ କରିଥାଏ । ଶରୀରରେ ଅବସ୍ଥାନ କରିବାପୂର୍ବକ ପ୍ରାଣ ତ୍ୟାଗ କରିବାକୁ ଆମେ ମୃତ୍ୟୁ ବୋଲି କହିଥାଉ, ଯେଉଁଥିରେ ମର୍ମାନ୍ତକ ଯନ୍ତ୍ରଣା ଅନୁଭୂତ ହୋଇଥାଏ, କାହିଁକି ନାଁ ମନ ଶରୀର ଛାଡ଼ିବାକୁ ଚାହିଁନଥାଏ, କିନ୍ତୁ ଆତ୍ମାରେ ଅବସ୍ଥାନକରି ଶରୀର ଛାଡ଼ିବାକୁ ଆମେ ‘ମୁକ୍ତି’ର ନାମ ଦେଇଥାଉ । ମୃତ୍ୟୁ କହିପାରିବା ନାହିଁ, କାରଣ ତାକୁ ପୁଣିଥରେ ଜନ୍ମ ନେବାକୁ ପଡ଼ିନଥାଏ, କିନ୍ତୁ ସଂସାରର ଭୋଗସମୂହରେ ମନୁଷ୍ୟକୁ ଏତେ ରସ ପ୍ରାପ୍ତ ହେଉଛି ଯେ, ତାପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଅଟେ, ଏପରିକି ମରିବା-ମାରିବାପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଉଛି । ଆମର ମନ ଉପଭୋଗରେ ଏତେ ମାତ୍ରାରେ ମଜ୍ଜିଯାଇଛି ଯେ, ଆମକୁ ଆତ୍ମା ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ହେଉନାହିଁ ଅତଃ ଗୀତା ପଢ଼ିବାକୁ କିଏ କହିବ, ଯଦି ବି କେବେ ଗୀତା ଉପରେ ଦୃଷ୍ଟି ପଡ଼ିଯାଏ, ତେବେ ଆମେ କହୁ ଏହାତ ଜ୍ଞାନର ପୁସ୍ତକ ଅଟେ, ଆମର କେଉଁ କାମରେ ଆସିବ ! କିନ୍ତୁ ଗୀତା ଶୂନ୍ୟ ଜ୍ଞାନର ପୁସ୍ତକ ନୁହେଁ, ଆମ ଆତ୍ମାର ବିଜ୍ଞାନ ଅଟେ । ଗୀତା ଏତେ ନିର୍ଦ୍ଦୋଷ ଯେ, ଆମକୁ ଆତ୍ମାର ‘ସତ୍ୟ’କୁ କେବଳ ଦର୍ଶାଇଥାଏ, ଆମ ଉପରେ ଆଦୌ ଆରୋପିତ କରିନଥାଏ । ଆତ୍ମା ଅପଦାର୍ଥ ଅଟେ, ଏଥିପାଇଁ ଦେଖାଯିବାଟା ହିଁ ପର୍ଯ୍ୟାପ୍ତ, ଆରୋପିତ କରିବାର କୌଣସି ଆବଶ୍ୟକତା ପଡ଼େନାହିଁ । ଏଥିପାଇଁ ତ ପରିଶେଷରେ ଅର୍ଜ୍ଜୁନଙ୍କୁ କୁହାଯାଇଛି ଯେ, ‘ଯଥେଚ୍ଛସି ତଥା କୁରୁ’ । ଆତ୍ମତତ୍ତ୍ୱର ଅନୁସନ୍ଧାନ ଏବଂ ତାହାକୁ ମନୁଷ୍ୟକୁ ଦେଖାଇଦେବା— ଏହା ଶ୍ରୀମଦ୍ଭଗବଦ୍ଗୀତାର କୃପା ଅଟେ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.