Last updated on August 13, 2022
ମୌନ ଯୋଗ : ସ୍ୱାମୀ ପରମାନନ୍ଦ
(୬) ଈଶ୍ୱରୀୟ ଉପସ୍ଥିତିର ବୋଧ
“ମୌନ ସମସ୍ତ ବସ୍ତୁର ହୃଦୟ ଅଟେ ଏବଂ କୋଳାହଳ ଏହାର ନାଡ଼ୀର ସ୍ଫୁରଣ ଅଟେ । ମୌନ ଭଙ୍ଗକାରୀ ପ୍ରତ୍ୟେକ ଶବ୍ଦ ମୌନକୁ ସେହିଭଳି ଆହୁରି ଗଭୀର କରିଦେଇଥାଏ ଯେଉଁଭଳି କାନକୁ ବଧିର କରିଦେଉଥିବା ବାଦଲର ଘଡ଼ଘଡ଼ ନୀରବ ନୀଳାକାଶରେ ଲୀନ ହୋଇଯାଏ । ନିଜ ଆତ୍ମାକୁ ନିଜଠାରେ ଭ୍ରମଣ କରିବାକୁ ଦିଅନ୍ତୁ, ଯେଉଁଭଳି ଜଣେ ସନ୍ଥ ଦିବ୍ୟାନନ୍ଦରେ ଉନ୍ମୁକ୍ତ ବିଚରଣ କରିଥାଏ । କାହିଁକି ନାଁ ମୌନ ସହିତ ଏକାକୀ ରହିବା ଈଶ୍ୱରଙ୍କ ସହିତ ଏକାକୀ ରହିବା ସଙ୍ଗେ ସମାନ ଅଟେ ।”
– ବିୟାଣ୍ଡ ଦ ସନରାଇଜ
ଯେତେବେଳେ ଆମେ ଶାଶ୍ୱତ ବସ୍ତୁସମୂହକୁ ପୂର୍ଣ୍ଣରୂପେ ଅବଗତ ହୋଇଯିବା, ସେତେବେଳେ ବାହ୍ୟ ପରିସ୍ଥିତିସମୂହ ଏବଂ ଅବସ୍ଥାସମୂହ ଆମ ଉପରେ ବହୁତ କମ୍ ପ୍ରଭାବ ପକାଇବ । ଯେତେବେଳେ ଶାଶ୍ୱତ ସତ୍ତାର ଉପସ୍ଥିତି ଆମପାଇଁ ବାସ୍ତବିକତା ହୋଇଯାଏ, ସେତେବେଳେ ଆମେ ବଡ଼ରୁ ବଡ଼ ଦୁଃଖ ମୁହୂର୍ତ୍ତରେ ମଧ୍ୟ ନିଜର ଶକ୍ତି ଏବଂ ପ୍ରେରଣାକୁ ପ୍ରାପ୍ତ କରିପାରୁ । ଆମେ ସମସ୍ତ କଠିନତାକୁ କେବଳ ଶାନ୍ତିପୂର୍ବକ ପାର କରିନଥାଉ ବରଂ କଠିନତାର ସମ୍ମୁଖୀନ ହେବା ସମୟରେ ଆମକୁ ଆନନ୍ଦର ମଧ୍ୟ ଅନୁଭବ ହେବାରେ ଲାଗେ । ତାଦ୍ୱାରା ଉଦ୍ବେଳିତ ହେବା ପରିବର୍ତ୍ତେ ଆମେ ତାହାକୁ ବରଦାନ ରୂପେ ସ୍ୱୀକାର କରିଥାଉ । ଚୈତନ୍ୟସତ୍ତା ସର୍ବଦା ଜଡ଼ ଜଗତ୍ ଉପରେ ଶାସନ କରିଥାଏ । ଯଦି ମନନଶୀଳ ଜୀବନ ମାଧ୍ୟମରେ ଉଚ୍ଚତମ ବୋଧ ଜ୍ଞାନ ପ୍ରାପ୍ତ କରି ଆମେ ଆମର ଆଧ୍ୟାତ୍ମିକ ପ୍ରକୃତିକୁ ଅଭିବ୍ୟକ୍ତ କରିବା ଶିଖିନେବା, ତେବେ ଭୌତିକ କଥା ଆମକୁ ବହୁତ କମ୍ ପ୍ରଭାବିତ କରିବ । ଆମକୁ ବିକ୍ଷୁବ୍ଧ କରୁଥିବା ସମସ୍ତ ଛୋଟ ଛୋଟ ଅବାଞ୍ଛନୀୟ ତତ୍ତ୍ୱ ଦୂର ହୋଇଯିବ ଆଉ ଏ ସଂସାର ଦିବ୍ୟ ହୋଇଯିବ ।
ସଂସାରକୁ କିଏ ଦିବ୍ୟ କରିଥାଏ ? ମନୁଷ୍ୟ । ମନୁଷ୍ୟ ନିଜର ଆଚରଣ ଏବଂ ଉଚ୍ଚତର ବୋଧ ଜ୍ଞାନ ଦ୍ୱାରା ସଂସାରର ସମଗ୍ର ପରିବେଶକୁ ବଦଳାଇପାରେ । ଯଦି ଜଗତ୍କୁ ଭୌତିକ ଏବଂ ପରିବର୍ତ୍ତନଶୀଳ ଦେଖିବା ପରିବର୍ତ୍ତେ ଆମେ ଶାଶ୍ୱତ ଏବଂ ଅପରିବର୍ତ୍ତନଶୀଳ ଈଶ୍ୱରଙ୍କୁ ନିଜ ନିକଟରେ ଅଧିକ ଅନୁଭବ କରିବା, ତେବେ ଚେତନାର ଏକ ନୂତନ କ୍ଷେତ୍ରକୁ ଜାଗ୍ରତ କରିଦେବା । ଏହା ନୂତନ ପ୍ରତୀତ ହୋଇପାରେ, କିନ୍ତୁ ଏହା ସର୍ବଦା ବିଦ୍ୟମାନ ଥିଲା ଏବଂ ଶାଶ୍ୱତ ରୂପରେ ବିଦ୍ୟମାନ ଅଛି । ବିଚଳିତ ଏବଂ ଏକାନ୍ତ ମୁହୂର୍ତ୍ତରେ ଯଦି ଆମେ ସେହି ପରମସତ୍ତାଙ୍କ ଉପସ୍ଥିତି ସମ୍ବନ୍ଧରେ ସଚେତ ହେବା, ତେବେ ଆମେ କଦାପି ଅଭାବର ଅନୁଭବ କରିବା ନାହିଁ । ଯେଉଁମାନେ ଏଭଳି ଅଭ୍ୟାସ କରନ୍ତି, ସେମାନେ ସର୍ବଦା ନିଜକୁ ପରମସତ୍ତାଙ୍କଠାରେ ସହବଦ୍ଧ ହୋଇଥାନ୍ତି ଏବଂ ସେମାନେ ଅଜେୟ ହୋଇଯାନ୍ତି । ଦୂଷଣ ତାଙ୍କ ଉପରେ ବିଜୟପ୍ରାପ୍ତ କରନ୍ତି ନାହିଁ ବରଂ ସେ ହିଁ ଦୂଷଣଙ୍କ ଉପରେ ବିଜୟପ୍ରାପ୍ତ କରିନିଅନ୍ତି । ଯେତେବେଳେ ଆମେ ଏହି ସ୍ଥିତିରେ ପହଞ୍ଚିଥାଉ, ସେତେବେଳେ ଆମେ ଏଭଳି ଉଚ୍ଚତର ଶକ୍ତିର ସ୍ୱାମୀ ହୋଇଯାଉ କି, ସର୍ବାଧିକ ଆକ୍ରମକ ବ୍ୟକ୍ତି ମଧ୍ୟ ଆମ ସମ୍ମୁଖରେ ନିଜକୁ ଶକ୍ତିହୀନ ଅନୁଭବ କରିଥାଏ । ଆମେ କୌଣସି ବ୍ୟକ୍ତିଙ୍କ ସହ କେବଳ ତର୍କବିତର୍କ ଅଥବା ସଂଘର୍ଷ କରି ତାକୁ ଆଶ୍ୱସ୍ତ କରିପାରି ନଥାଉ ତଥା ତାହାର ଦୁର୍ବଳତାକୁ ଦୂର କରିପାରି ନଥାଉ, ବରଂ ତାକୁ କିଛି ଉଚ୍ଚତର ବସ୍ତୁ ପ୍ରଦର୍ଶିତ କରି ତାହାର ପୂର୍ଣ୍ଣ ରୂପାନ୍ତରଣ କରିଥାଉ । ଆମେ ଏହାକୁ ପ୍ରକୃତରେ ମହାପୁରୁଷଙ୍କ ଜୀବନରେ କେବଳ ଦେଖିବାକୁ ପାଉ । ସେମାନେ ପ୍ରେମ, ଭ୍ରାତୃବତ୍ ସହାନୁଭୂତି, ଦୟା ଏବଂ ସର୍ବୋପରି, ଅନନ୍ତସତ୍ତାଙ୍କ ଚେତନାରେ ପରିପୂର୍ଣ୍ଣ ହୋଇଥାନ୍ତି । ସ୍ୱାଭାବିକ କଥା, ଯେ ତୁଚ୍ଛ ବସ୍ତୁସମୂହ ସେମାନଙ୍କ ପାଇଁ କିଛି ବି ମହତ୍ତ୍ୱ ରଖେନାହିଁ, ଅତଃ ସେମାନେ ସେମାନଙ୍କ ସୁହୃଦ୍ମାନଙ୍କୁ ଏକ ଉଚ୍ଚ ସ୍ତରକୁ ନେଇଯିବାପାଇଁ ସମର୍ଥ ହୋଇଥାନ୍ତି ଏବଂ ତାଙ୍କର ସର୍ବୋତ୍କୃଷ୍ଟ ଗୁଣସମୂହକୁ ସେ ବ୍ୟକ୍ତ କରନ୍ତି ।
ଆମେ ଯେତେବେଳେ ଉକ୍ତ ଚେତନାର ବିକାଶ କରିଥାଉ, ସେତେବେଳେ ଆମେ ନାଁ କେବଳ ନିଜ ଦୁଃଖକୁ ନିର୍ମୂଳ କରୁ ବରଂ ଏ ସଂସାରର ଦୁଃଖର ଏକ ଅଂଶକୁ ମଧ୍ୟ ସମାପ୍ତ କରିଦେଉ କାହିଁକି ନାଁ ଆମେ ଆଉ ଏକ ଢ଼ଙ୍ଗରେ ସମାଧାନ ବାହାର କରିଥାଉ । କିନ୍ତୁ ଏପରି କରିବାକୁ ସମର୍ଥ ହେବାପାଇଁ ଆମକୁ ଆମ ପ୍ରକୃତିର ଗଭୀରତାକୁ ପ୍ରବେଶ କରିବାକୁ ପଡିବ । ଏହା କୌଣସି ବାର୍ତ୍ତାଳାପ ଅଥବା ସିଦ୍ଧାନ୍ତ ପ୍ରତିପାଦନ ନୁହେଁ । ଏହା ଉପଲବ୍ଧିର ବିଷୟ ଅଟେ । କେଉଁଠାରେ ଉପଲବ୍ଧି ହେବ ? ଆମେ ଆମର ଅନ୍ତରାତ୍ମା ବ୍ୟତିରେକ ଈଶ୍ୱରଙ୍କ ନିକଟରେ ଅନ୍ୟ କୌଣସି ମାର୍ଗରେ ପହଞ୍ଚିପାରିବା ? ନିଜ ଅନ୍ତଃସ୍ଥଳ ବ୍ୟତିରେକ ଆମେ ଆମ ଶକ୍ତି ସହିତ କେଉଁଠାରେ ପରିଚୟ ସ୍ଥାପିତ କରିପାରିବା ? ଆଉ ଏହା ସର୍ବାଧିକ ପ୍ରଭାବଶାଳୀ ଢ଼ଙ୍ଗରେ ସେତେବେଳେ ହୋଇପାରିବ, ଯେତେବେଳେ ଆମର ସମ୍ପୂର୍ଣ୍ଣ ପ୍ରକୃତି ମୌନ ଏବଂ ଏକାଗ୍ର ହୋଇଯିବ । ଯେମିତି ଏହି ନୂତନ ଦୃଶ୍ୟ ଆମ ସମ୍ମୁଖରେ ପ୍ରକଟ ହେବ, ଆମେ ଏକ ନୂତନ ବୋଧ ଜ୍ଞାନରେ ଅଭିଭୂତ ହୋଇଉଠିବା । ଏକ ଅଧିକ ବ୍ୟାପକ ଚେତନା ଆମ ହୃଦୟରେ ଜାତହେବ ଆଉ ଏହା ମାଧ୍ୟମରେ ଆମେ ସମସ୍ତ କ୍ଷୁଦ୍ର ଭାବନା ଏବଂ ସୀମାରୁ ମୁକ୍ତ ହୋଇଯାଉ । ଯେପର୍ଯ୍ୟନ୍ତ ଆମେ ଏହି ବୃହତ୍ତର ଚେତନାକୁ ପ୍ରାପ୍ତ କରିବାନାହିଁ, ସେପର୍ଯ୍ୟନ୍ତ ପ୍ରେମ, ଉଦାରତା ଏବଂ ସେବା ବିଷୟରେ ପୁସ୍ତକ ଅଥବା ଶାସ୍ତ୍ରସମୂହର ନୈତିକ ଶିକ୍ଷା ନାଁ ତ ସତ୍ୟ ପ୍ରତୀତ ହୋଇପାରିବ ଆଉ ନାଁ ଏହା ଆମର ଦୈନିକ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇପାରିବ । କିନ୍ତୁ ଯଦି ଆମେ ଏହାକୁ ପ୍ରାପ୍ତ କରିନେଉ, ତେବେ ଆମକୁ ମୃତ୍ୟୁର ମଧ୍ୟ କୌଣସି ଭୟ ରହିବନାହିଁ, କାରଣ ଜୀବନର ଏକ ନୂତନ ଚେତନା, ଏକ ଅମର ଜୀବନ ଦ୍ୱାରା ଆମେ ମୃତ୍ୟୁକୁ ପରାଭୂତ କରିଦେବା । ଆମକୁ କୌଣସି କଥାର ମଧ୍ୟ ଭୟ ରହେନାହିଁ କାହିଁକି ନାଁ ନିଜର ଆତ୍ମସ୍ୱରୂପ ଏବଂ ପରମସତ୍ତାର ସାକ୍ଷାତ୍କାର କରିନେଇଛୁ ।
ଈଶ୍ୱର ଅବା ଦିବ୍ୟତାର ଉପସ୍ଥିତିର ଏହି ଚେତନା ନାମ ଏବଂ ରୂପର ବିଷୟ ନୁହେଁ । ଏହା ଦ୍ୱାରା କୌଣସି ଫରକ ପଡ଼େନାହିଁ କି, ଆମେ ତାକୁ କେଉଁ ନାମରେ ଡ଼ାକିବା । ଏହା ଏକ ଆନ୍ତରିକ ବୋଧ ଜ୍ଞାନ, ଏକ ଆଧ୍ୟାତ୍ମିକ ଅବଧାରଣା ଅଟେ । ଯେତେବେଳେ ଆମେ ଏହାର ପ୍ରାପ୍ତି କରିନେଉ, ସେତେବେଳେ ଆମେ ଈଶ୍ୱର ଅବା ଆତ୍ମାର ସ୍ୱରୂପ ସମ୍ବନ୍ଧରେ ସମସ୍ତ ବିବାଦକୁ ଛାଡ଼ିଦେଉ । ଆମେ କେବଳ ଈଶ୍ୱରଙ୍କୁ ବିଶ୍ୱାସ କରୁ, କାହିଁକି ନାଁ ଆମେ ତାଙ୍କୁ ଜାଣୁ । ଆମେ ଈଶ୍ୱରଙ୍କୁ ବିଶ୍ୱାସ କରୁ କାରଣ ଆମେ ତାଙ୍କର ସର୍ବପ୍ରେମୀ ଭାବକୁ ନିଜ ଆତ୍ମାରେ ପ୍ରମାଣିତ କରିସାରିଥାଉ । ଆମେ ତାଙ୍କୁ ସର୍ବଶକ୍ତିମାନ୍ ଏବଂ ଅନନ୍ତ କହୁ କାହିଁକି ନାଁ ଆମେ ତାଙ୍କୁ ସେହି ରୂପରେ ପ୍ରାପ୍ତ କରିଛୁ । ଆମେ କେବଳ ସେତେବେଳେ ଧାର୍ମିକ ହେବା, ଯେତେବେଳେ ଆମର ଆଧ୍ୟାତ୍ମିକ ଆଦର୍ଶ ଏହିଭଳି ଏକ ବାସ୍ତବିକତାରେ ପରିଣତ ହୋଇଯିବ । ଆମେ କେବଳ କୌଣସି ଉଦାତ୍ତ ଅବା ସହଜ ମତ ସହ ସମ୍ବନ୍ଧିତ ରହି ଧାର୍ମିକ ହୋଇନଥାଉ । ପରମସତ୍ତାଙ୍କୁ ନିଜ ଅନ୍ତରତମ ପ୍ରଦେଶରେ ପ୍ରାପ୍ତକରି ଆମେ ପ୍ରକୃତ ଧାର୍ମିକ ହୋଇପାରିବା । ଯେପର୍ଯ୍ୟନ୍ତ ଆମର ଆଧ୍ୟାତ୍ମିକ ବିଶ୍ୱାସ ସମ୍ବନ୍ଧରେ ଆମେ ସ୍ୱୟଂ ଅବଗତ ହୋଇନଯାଉ, ସେପର୍ଯ୍ୟନ୍ତ ଆମେ କାହାରିକୁ ଏ ସମ୍ବନ୍ଧରେ ଅବଗତ କରାଇପାରିବା ନାହିଁ । ଆଉ ଯେତେବେଳେ ଆମେ ପୂର୍ଣ୍ଣରୂପେ ଅବଗତ ହୋଇଯିବା ଅବା ତାଙ୍କୁ ମାନିନେବା, ସେତେବେଳେ ଆମକୁ ଆମ ବିଶ୍ୱାସର ଯତ୍ରତତ୍ର ଉପଦେଶ ଦେବାର ଆବଶ୍ୟକତା ରହିବନାହିଁ । ନିଜର ମୌନ କାର୍ଯ୍ୟସମୂହ ଦ୍ୱାରା ହିଁ ଆମେ ଆମକୁ ଉପଦେଶ ଦେବା । ଆମର ଆଚରଣ, ଆମ ଜୀବନ, ଆମର ପ୍ରତ୍ୟେକ ବିଚାର, ଆମର ଉପସ୍ଥିତି ମାତ୍ର ଉପଦେଶ ପ୍ରଦାନ କରିବ । ଶବ୍ଦ ଅପେକ୍ଷା ଉଦାହରଣ ଉଚ୍ଚତମ ଶିକ୍ଷା ଦେଇଥାଏ । ଆତ୍ମସଂଯମ ବିଷୟରେ ସବୁଠାରୁ ବଡ଼ ପାଠ ଆମେ ପୁସ୍ତକମାନଙ୍କରୁ ଶିଖି ନଥାଉ ବରଂ ନିମ୍ନତମ ପ୍ରବୃତ୍ତିସମୂହ ଏବଂ ନିଜର ବିକାରସମୂହ ଉପରେ ବିଜୟପ୍ରାପ୍ତ କଲେ ତଥା ନିଜକୁ ସ୍ୱାଧୀନ କରୁଥିବା ବ୍ୟକ୍ତିଙ୍କ ଠାରୁ ହିଁ ଶିଖିଥାଉ । ଏହି ଜୀବନ୍ତ ଉଦାହରଣ ଆମକୁ ପ୍ରଭାବିତ କରିଥାଏ ଆଉ ଆମେ ଆମ ସହିତ ସେହି ପ୍ରଭାବକୁ ନେଇଯାଉ ।
ଏହା ଜୀବନ ବଞ୍ଚିବାର ବିଷୟ ଅଟେ ଆଉ ସତ୍ୟକୁ ବଞ୍ଚିବାପାଇଁ ଆମକୁ ତାହାକୁ ପ୍ରତ୍ୟକ୍ଷ ବା ଦର୍ଶନ କରିବାପାଇଁ ପଡ଼ିବ । ଆମର ଆଧ୍ୟାତ୍ମିକ ଅନୁଶୀଳନ ଏବଂ ସାଧନାର ଏହା ହିଁ ଉଦ୍ଦେଶ୍ୟ ଅଟେ । ସମର୍ପଣ, ପ୍ରାର୍ଥନା, ଧ୍ୟାନ, ନିତ୍ୟାନିତ୍ୟ ବିବେକ—ଏସବୁ ଆମର ଆଧ୍ୟାତ୍ମିକ ଉତ୍କର୍ଷରେ ଆମର ସହାୟତା କରିଥାନ୍ତି ଯଦ୍ଦ୍ୱାରା ଆମେ ଆମ ଆଦର୍ଶର ପ୍ରତ୍ୟକ୍ଷାନୁଭୂତି କରିପାରିବା । ଯଦି ଆମେ ଏହାର ଉପଲବ୍ଧି କରିପାରିବା ନାହିଁ, ଆମର ସମସ୍ତ ପ୍ରଯତ୍ନ ନିଷ୍ଫଳ ହୋଇଯିବ ଅର୍ଥାତ୍ ଯଦି ଆମେ ଏହି ମୂଳଭୂତ ଦୃଷ୍ଟିକୁ ହରାଇଦେଉ କି ଅନୁଭୂତି ହିଁ ଆମର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ହେବା ଆବଶ୍ୟକ, ତେବେ ଆମେ ଆମର ନିରର୍ଥକ ପ୍ରଯତ୍ନ ମାର୍ଗରେ ଅଳ୍ପ ଆଗକୁ ତ ବଢ଼ିପାରିବା, କିନ୍ତୁ ତାହାର ପରିଣାମ ସ୍ୱଳ୍ପ ହେବ । ଈଶ୍ୱରଙ୍କ ଭାବନା ଆମ ସହିତ ଜୀବନ୍ତ ରହିବା ଆବଶ୍ୟକ । ଆମକୁ ଶାଶ୍ୱତ ସତ୍ତାର ଉପସ୍ଥିତିର ଭାବକୁ ଧରିରଖିବା ଆବଶ୍ୟକ । କିନ୍ତୁ, ଏହାକୁ ଅନ୍ୟକେହି ଆମପାଇଁ କରିପାରିବ ନାହିଁ । ନିଜପାଇଁ ଏହାକୁ ଆମକୁ ହିଁ କରିବାକୁ ପଡ଼ିବ । ଚାଲନ୍ତୁ, ଆମେ ପୂର୍ଣ୍ଣ ବ୍ୟାକୁଳତାର ସହ ପ୍ରୟାସ କରିବା । ଏଥିପାଇଁ ଆମେ ନିଜର ହିଁ ଋଣୀ ଅଟୁ କାହିଁକି ନାଁ ପ୍ରତ୍ୟେକ ପ୍ରାଣୀ ନିମନ୍ତେ ନିଜ ଆତ୍ମାର କଲ୍ୟାଣ ହିଁ ସର୍ବାଧିକ ବିଚାରଣୀୟ କଥା ଅଟେ । ଯଦି ଆମେ ଏଥିରେ ଅସଫଳ ହେଉ, ତେବେ ଆମେ ଜୀବନର ମୁଖ୍ୟ ସିଦ୍ଧାନ୍ତ ସମୂହ ସହିତ ନିଜପ୍ରତି ଏବଂ ନିଜ ଭାଇମାନଙ୍କ ପ୍ରତି ନିଜର ପ୍ରାଥମିକ କର୍ତ୍ତବ୍ୟରେ ଅସଫଳ ରହିବା ।
ଚାଲନ୍ତୁ, ଆମେ ଆମର ସମସ୍ତ ବିଚାର ଏବଂ ଭାବନାକୁ ଈଶ୍ୱରଙ୍କୁ ସମର୍ପିତ କରିବା ପାଇଁ ପ୍ରଯତ୍ନ କରିବା । ସମସ୍ତ ଅନିତ୍ୟ ବସ୍ତୁ ମଧ୍ୟରେ ସେ ହିଁ ଏକମାତ୍ର ଶାଶ୍ୱତ ଅଟନ୍ତି । ସମସ୍ତ ଚେତନ ପ୍ରାଣୀଙ୍କର ସେହିଁ ଚେତନା ଅଟନ୍ତି । ବହୁତ୍ୱ ମଧ୍ୟରେ ସେ ହିଁ ଏକମେବାଦ୍ୱିତୀୟ ଅଟନ୍ତି । ସେ ହିଁ ପ୍ରତ୍ୟେକ ହୃଦୟର ଆକାଂକ୍ଷାକୁ ପୂର୍ତ୍ତି କରିଥାନ୍ତି । ସେ ସବୁର ମୂଳସ୍ରୋତ ତଥା ରକ୍ଷକ ଅଟନ୍ତି । ସେ ସର୍ବକଲ୍ୟାଣକାରୀ ତଥା ସମସ୍ତ ବରଦାନର ପ୍ରଦାତା ଅଟନ୍ତି । ସେହି ପ୍ରଭୁ ଆମକୁ ଅଟଳ ନିଷ୍ଠା ପ୍ରଦାନ କରନ୍ତୁ ତଥା ଆମର ପ୍ରେମପୂର୍ଣ୍ଣ ଉପସ୍ଥିତିର ଚେତନାକୁ ଆମ ଆତ୍ମାରେ ଜାଗ୍ରତ କରନ୍ତୁ, ଯଦ୍ଦ୍ୱାରା ଆମେ କଦାପି ତାଙ୍କୁ ବିସ୍ମରଣ ନ କରୁ ଅଥବା ତାଙ୍କର ଇଚ୍ଛାର ପାଳନ କରିବାରେ ବିଫଳ ନ ହେଉ । ସେ ଆମ ହୃଦୟରେ ସମସ୍ତ ପ୍ରକାର କଟୂତା, ଅହଂକାର ତଥା ପ୍ରତିକୂଳ ଏବଂ ଅସଙ୍ଗତ ବିଚାର ସମୂହକୁ ନିର୍ମୂଳ କରିଦିଅନ୍ତୁ ଯଦ୍ଦ୍ୱାରା ଆମେ ପ୍ରେମ, ଶାନ୍ତି ଏବଂ ସମରସତାରେ ତାଙ୍କରି ଠାରେ ନିବାସ କରୁ । ତାଙ୍କର ପ୍ରଶାନ୍ତି ଆମକୁ ତଥା ସମସ୍ତ ଜୀବଧାରୀଙ୍କୁ ଶାନ୍ତ କରିଦେଉ ।
T
Be First to Comment