Last updated on August 13, 2022
ଶ୍ରୀଭଗବାନ୍ କହିଲେ — ହେ ମହାବାହୁ ଅର୍ଜ୍ଜୁନ ! ତୁମେ ମୋର ଉପଦେଶ ଶୁଣି ଅତ୍ୟନ୍ତ ପ୍ରୀତିଲାଭ କରୁଅଛ । ତେଣୁ ତୁମର ହିତ କାମନା କରି ଆହୁରି ଉତ୍କୃଷ୍ଟ ଉପଦେଶ ବଚନ କହିବି । ତୁମେ ତାହା ଶ୍ରବଣ କର ।
ମୁଁ ଅଜନ୍ମା ହେଲେ ସୁଦ୍ଧା ମୋର ଉତ୍ପତ୍ତିକୁ ଅର୍ଥାତ୍ ନାନା ବିଭୂତି ସମ୍ପନ୍ନ ହୋଇ ଲୀଳାରେ ପ୍ରକଟ ହେବା ତତ୍ତ୍ୱକୁ ଦେବତା ଏବଂ ମହର୍ଷି କେହିହେଲେ ଜାଣି ପାରନ୍ତି ନାହିଁ, କାରଣ ମୁଁ ଦେବତା ଏବଂ ମହର୍ଷିମାନଙ୍କର ସର୍ବତୋଭାବେ ଆଦିକାରଣ ଅଟେ ଅର୍ଥାତ୍ ମୁଁ ସେମାନଙ୍କର ଉତ୍ପାଦକ ଏବଂ ବୁଦ୍ଧି ପ୍ରଭୃତିର ପ୍ରବର୍ତ୍ତକ ଅଟେ ।
ଯେଉଁ ବ୍ୟକ୍ତି ଏହା ତତ୍ତ୍ୱତଃ ଜାଣନ୍ତି ଯେ ମୁଁ ଅନାଦି ଅର୍ଥାତ୍ ମୁଁ ସମସ୍ତଙ୍କ ଆଦିକାରଣ, କିନ୍ତୁ ମୋର ଆଦି ଅନ୍ତ ନାହିଁ, ତେଣୁ ମୁଁ ଅଜ ଅର୍ଥାତ୍ ମୋର ଜନ୍ମ ନାହିଁ ଏବଂ ମୁଁ ସମସ୍ତ ଭୂତଙ୍କ ମହେଶ୍ୱର ଅର୍ଥାତ୍ ନିୟନ୍ତା ଏବଂ କର୍ମଫଳଦାତା, ସେହି ବ୍ୟକ୍ତି ମୋର ଏହି ତତ୍ତ୍ୱକୁ ଜାଣିଥିବାରୁ ମନୁଷ୍ୟମାନଙ୍କ ମଧ୍ୟରେ ମୋହଗ୍ରସ୍ତ ନୁହଁନ୍ତି ଅର୍ଥାତ୍ ଜ୍ଞାନୀପୁରୁଷ ଅଟନ୍ତି । ସେ ହିଁ ସକଳ ପାପରୁ ବିମୁକ୍ତ ହୋଇଥାନ୍ତି ।
ବୁଦ୍ଧି, ଜ୍ଞାନ,ଚିତ୍ତ ମୋହଗ୍ରସ୍ତ ନୋହିବା, କ୍ଷମା, ସତ୍ୟ, ମନ(ବାହ୍ୟେନ୍ଦ୍ରିୟ ସଂଯମ), ଶମ(ଅନ୍ତରିନ୍ଦ୍ରିୟ ସଂଯମ), ସୁଖ, ଦୁଃଖ, ଉତ୍ପତ୍ତି, ବିନାଶ, ଭୟ, ଅଭୟ, ଅହିଂସା, ରାଗଦ୍ୱେଷଶୂନ୍ୟ ସମଭାବ, ସନ୍ତୋଷ, ତପଃ, ଦାନ, ଯଶ, ଅଯଶ ପ୍ରଭୃତି ପ୍ରାଣୀମାନଙ୍କର ଏହି ଭିନ୍ନ ଭିନ୍ନ ପ୍ରକାର ଭାବ ସକଳ ମୋଠାରୁ ହିଁ ଉତ୍ପନ୍ନ ହୋଇଥାନ୍ତି ।
ଭୃଗୁ ପ୍ରଭୃତି ପୁରାଣ ପ୍ରସିଦ୍ଧ ସପ୍ତ ମହର୍ଷି, ସେମାନଙ୍କ ପୂର୍ବକାଳରେ ଥିବା ସନକାଦି ଚାରି ମହର୍ଷି ଏବଂ ଚତୁର୍ଦ୍ଦଶ ମନୁ ଏମାନେ ସମସ୍ତେ ମୋର ପ୍ରଭାବସମ୍ପନ୍ନ ହୋଇ ମୋର ମନର ସଂକଳ୍ପରୁ ଉତ୍ପନ୍ନ ହୋଇଛନ୍ତି । ଯେଉଁମାନଙ୍କର କି ଏହି ସଂସାରରେ ଥିବା ବ୍ରାହ୍ମଣାଦି ମନୁଷ୍ୟମାନେ ପୁତ୍ରପୌତ୍ରାଦି ସନ୍ତାନସନ୍ତତି ଅଟନ୍ତି ଅର୍ଥାତ୍ ସେହି ମହର୍ଷି ଏବଂ ମନୁମାନଙ୍କଠାରୁ ଏହି ବିଶ୍ୱବ୍ରହ୍ମାଣ୍ଡାଦି ସମସ୍ତ ମନୁଷ୍ୟ ଜନ୍ମଲାଭ କରିଅଛନ୍ତି ।
ମୋର ଏହି ବିଭୂତିକୁ ଅର୍ଥାତ୍ ବିବିଧ ରୂପରେ ବିସ୍ତାରକୁ ବା ସର୍ବାତ୍ମକତ୍ୱକୁ ଏବଂ ଯୋଗକୁ ଅର୍ଥାତ୍ ସର୍ବବସ୍ତୁ ସମ୍ପାଦନ ସମର୍ଥ ଯୋଗଶକ୍ତି ବା ସମଗ୍ର ଜଗତର ଅଭିନ୍ନ କାରଣ ସ୍ୱରୂପ ଐଶ୍ୱର୍ଯ୍ୟକୁ ଯେଉଁ ବ୍ୟକ୍ତି ତତ୍ତ୍ୱ ସହିତ ଜାଣନ୍ତି ଅର୍ଥାତ୍ ଏହି ସମଗ୍ର ବିଶ୍ୱରେ ମୁଁ ସର୍ବତ୍ର ବାସୁଦେବରୂପେ ପରିପୂର୍ଣ୍ଣ ରହିଛି ଏବଂ ସମସ୍ତ ହିଁ ମୋର ଯୋଗଶକ୍ତିରୂପ ଐଶ୍ୱର୍ଯ୍ୟରୁ ଲାଭ କରନ୍ତି — ଏହି ତତ୍ତ୍ୱକୁ ଯେଉଁ ବ୍ୟକ୍ତି ଜାଣିଛନ୍ତି ସେ ସଂଶୟ ରହିତ ଯୋଗଦ୍ୱାରା ସମ୍ୟଗ୍ ଦର୍ଶନ ଲାଭ କରି ମୋ’ଠାରେ ଯୁକ୍ତ ହୁଅନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଁ ଏହି ସମସ୍ତ ଜଗତର ଉତ୍ପତ୍ତିର କାରଣ ଅଟେ ଏବଂ ମୋଠାରୁ ସମସ୍ତ ହିଁ ପ୍ରବର୍ତ୍ତିତ ହେଉଅଛି, ଏହି ପ୍ରକାର ତତ୍ତ୍ୱକୁ ଅବଗତ ହୋଇ ମୋର ଭକ୍ତ ପଣ୍ଡିତମାନେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ମୋର ଉପାସନା କରନ୍ତି ।
ମୋର ଭକ୍ତ ଜ୍ଞାନୀଜନମାନେ ମୋଠାରେ ଚିତ୍ତ ଏବଂ ପ୍ରାଣ ସମର୍ପଣ କରି ନିଜ ମଧ୍ୟରେ ଶ୍ରୂତ୍ୟାଦିଶାସ୍ତ୍ର ଚର୍ଚ୍ଚା ଦ୍ୱାରା ମୋର ପ୍ରଭାବକୁ ପରସ୍ପର ବୁଝାଇଥାନ୍ତି ଏବଂ ମୋର ପ୍ରଭାବର ଗୁଣ କୀର୍ତ୍ତନ କରିଥାନ୍ତି । ଏପରି କରିବା ଦ୍ୱାରା ସେମାନେ ସନ୍ତୋଷ ଲାଭ କରନ୍ତି ଏବଂ ମୋଠାରେ ସବୁବେଳେ ଆନନ୍ଦରେ ଧ୍ୟାନରତ ହୁଅନ୍ତି ।
ନିରନ୍ତର ମୋର ଧ୍ୟାନରେ ସର୍ବଦା ଚିତ୍ତ ସଂଯୁକ୍ତ କରି ଶ୍ରଦ୍ଧାର ସହିତ ମୋତେ ଭଜନ କରୁଥିବା ସେହି ଭକ୍ତମାନଙ୍କୁ ମୁଁ ତତ୍ତ୍ୱଜ୍ଞାନରୂପ ଯୋଗ ପ୍ରଦାନ କରେ, ଯାହାଦ୍ୱାରା କି ସେମାନେ ମୋତେ ପ୍ରାପ୍ତ ହୁଅନ୍ତି ।
ସେହି ଭକ୍ତମାନଙ୍କୁ ବୁଦ୍ଧିଯୋଗ ପ୍ରଦାନ କରି ସେମାନଙ୍କ ପ୍ରତି ଅନୁଗ୍ରହ ପ୍ରଦର୍ଶନ କରିବା ନିମିତ୍ତ ମୁଁ ସ୍ୱୟଂ ସେମାନଙ୍କ ହୃଦୟରେ ଅର୍ଥାତ୍ ବୁଦ୍ଧି ବୃତ୍ତିରେ ବିରାଜମାନ ଥାଇ ମୋହନାଶକ ଉଜ୍ଜ୍ୱଳ ତତ୍ତ୍ୱଜ୍ଞାନରୂପ ପ୍ରଦୀପ ଦ୍ୱାରା ଅଜ୍ଞାନତାରୁ ଉତ୍ପନ୍ନ ହୋଇଥିବା ଅନ୍ଧକାରକୁ ଅର୍ଥାତ୍ ଅବିଦ୍ୟାଜନିତ ସଂସାରର ମାୟାକୁ ବିନାଶ କରେ ।
ଅର୍ଜ୍ଜୁନ କହିଲେ — ‘‘ହେ ଭଗବାନ୍, ଆପଣ ଯେ ପରମ ବ୍ରହ୍ମ, ପରମ ଆଶ୍ରୟ, ପରମ ପବିତ୍ର, ଆଦ୍ୟନ୍ତରହିତ, ନିତ୍ୟ ପୁରୁଷ, ସ୍ୱୟଂ ପ୍ରକାଶମାନ, ଦେବତାମାନଙ୍କ ଆଦିଭୂତ, ଜନ୍ମବିହୀନ ଏବଂ ବିଭୁ ଅର୍ଥାତ୍ ସର୍ବବ୍ୟାପକ, ଏହା ଭୃଗୁ ପ୍ରଭୃତି ସମସ୍ତ ଋଷିମାନେ, ଦେବର୍ଷି ନାରଦ, ଅସିତ, ଦେବଳ ଏବଂ ବ୍ୟାସ ତୁମ ସମ୍ବନ୍ଧରେ କହିଅଛନ୍ତି । ଏବେ ତୁମେ ସ୍ୱୟଂ ମଧ୍ୟ ମୋତେ ସେହି କଥା କହୁଛ ।
ହେ କେଶବ, ବର୍ତ୍ତମାନ ତୁମେ ମୋତେ ଯାହା କହିଲ ଏହି ସମସ୍ତ ବିଷୟ ମୁଁ ସତ୍ୟ ବୋଲି ମନେ କରେ, କାରଣ ହେ ଭଗବାନ୍ ତୁମର ଲୀଳାମୟ ପ୍ରକଟ ସ୍ୱରୂପ ସମ୍ବନ୍ଧରେ ଦେବତାମାନେ କିମ୍ବା ଅସୁରମାନେ କେହି କିଛି ଜାଣିପାରି ନାହାନ୍ତି ଅର୍ଥାତ୍ ଦେବତାମାନେ ଜାଣିପାରି ନାହାନ୍ତି ଯେ ସେମାନଙ୍କୁ ଅନୁଗ୍ରହ କରିବା ନିମିତ୍ତ ତୁମେ ଅବତାର ଗ୍ରହଣ କର ଏବଂ ଅସୁରମାନେ ମଧ୍ୟ ଜାଣନ୍ତି ନାହିଁ ଯେ ସେମାନଙ୍କ ନିଗ୍ରହ ନିମିତ୍ତ ତୁମେ ଅବତାର ଗ୍ରହଣକର ।
ହେ ପୁରୁଷୋତ୍ତମ, ହେ ଭୂତସ୍ରଷ୍ଟା, ହେ ଭୂତେଶ, ହେ ଦେବଦେବ, ହେ ଜଗତ୍ପତି, ତୁମେ ନିଜେ କେବଳ କୌଣସି ସାଧନା ବିନା ଆପଣାଛାଏଁ ନିଜକୁ ଜାଣିଛ ।
ଯେଉଁ ସମସ୍ତ ବିଭୂତିମାନଙ୍କ ଦ୍ୱାରା ଅର୍ଥାତ୍ ସ୍ୱୀୟ ବିବିଧ ଅଭିବ୍ୟକ୍ତିମାନଙ୍କ ଦ୍ୱାରା ତୁମେ ଏହି ଲୋକାଦି ସମସ୍ତ ଲୋକମାନଙ୍କରେ ବ୍ୟାପ୍ତ ହୋଇ ରହିଅଛ ତୁମର ସେହି ଅତ୍ୟଦ୍ଧୁତ ସ୍ୱୀୟ ବିଭୂତିମାନଙ୍କୁ ସମ୍ୟକ୍ ଭାବରେ ବର୍ଣ୍ଣନା କରିବାକୁ ଏକମାତ୍ର ତୁମେ ହିଁ କ୍ଷମ ଅଟ ।
ହେ ଯୋଗୀ ଅର୍ଥାତ୍ ହେ ସର୍ବଜ୍ଞତ୍ୱ, ସର୍ବଶକ୍ତିତ୍ୱ ପ୍ରଭୃତି ଯୋଗୈଶ୍ୱର୍ଯ୍ୟଙ୍କର ଅଧିକାରୀ, ମୁଁ ତୁମକୁ ସବୁବେଳେ କି ରୂପେ ଚିନ୍ତା କଲେ ଚିହ୍ନିପାରିବି ଏବଂ କେଉଁ କେଉଁ ଭାବରେ ଅର୍ଥାତ୍ ବିଭୂତିମାନଙ୍କରେ ତୁମକୁ ଚିନ୍ତା କରିପାରିବି ।
ହେ ଜନାର୍ଦ୍ଦନ, ଆପଣଙ୍କ ଯୋଗଶକ୍ତି ଏବଂ ପରମୈଶ୍ୱର୍ଯ୍ୟରୂପ ବିଭୂତି ସମ୍ବନ୍ଧରେ ମୋତେ ପୁଣି ବିଶଦ ଭାବରେ କୁହ, କାରଣ ତୁମର ଅମୃତମୟ ବଚନକୁ ଯେତେ ଶୁଣିଲେ ହେଁ ମନରେ ତୃପ୍ତି ଆସୁନାହିଁ, ଅର୍ଥାତ୍ ଆହୁରି ଅଧିକ ଶୁଣିବାପାଇଁ ଉତ୍କଣ୍ଠା ଜାତ ହେଉଅଛି ।
ହେ କୁରୁବଂଶଶ୍ରେଷ୍ଠ ଅର୍ଜ୍ଜୁନ, ମୋର ବିସ୍ତାରିତ ବିଭୂତିମାନଙ୍କର ସୀମା ନାହିଁ । ତେଣୁ ମୋର ଯେଉଁ ସମସ୍ତ ବିଭୂତି ପ୍ରଧାନ ଅଟନ୍ତି, ତାହା ମୁଁ ତୁମକୁ ବର୍ତ୍ତମାନ କହିବି ।
ମୁଁ ସମସ୍ତ ଭୂତଙ୍କ ଅନ୍ତଃକରଣରେ ପରମାତ୍ମା ରୂପେ ବିରାଜମାନ ଥାଏଁ, ମୁଁ ସମଗ୍ର ଭୂତଙ୍କ ଜନ୍ମ, ସ୍ଥିତି ଏବଂ ସଂହାରର ହେତୁ ଅଟେ ।
ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରେ ମୁଁ ବିଷ୍ଣୁ ନାମକ ଆଦିତ୍ୟ ଅଟେ, ଭୂତପ୍ରକାଶକ ଜ୍ୟୋତିଷ୍କମାନଙ୍କ ମଧ୍ୟରେ ମୁଁ ବିଶ୍ୱବ୍ୟାପୀ ରଶ୍ମିଯୁକ୍ତ ସୂର୍ଯ୍ୟ ଅଟେ, ଅଣଚାଶ ବାୟୁ ଦେବତାଙ୍କ ମଧ୍ୟରେ ମୁଁ ମରିଚ ନାମକ ବାୟୁଦେବତା ଅଟେ ଏବଂ ନକ୍ଷତ୍ରମାନଙ୍କ ମଧ୍ୟରେ ମୁଁ ନକ୍ଷତ୍ରାଧିପତି ଚନ୍ଦ୍ର ଅଟେ ।
ମୁଁ ଚାରିଦେବଙ୍କ ମଧ୍ୟରେ ସାମବେଦ ଅଟେ, ଦେବଗଣଙ୍କ ମଧ୍ୟରେ ଇନ୍ଦ୍ର ଅଟେ, ସମସ୍ତ ଇନ୍ଦ୍ରିୟଙ୍କ ମଧ୍ୟରେ ମୁଁ ମନ ଅଟେ ଏବଂ ଭୂତଗଣଙ୍କ ମଧ୍ୟରେ ମୁଁ ଚୈତନ୍ୟ ଅର୍ଥାତ୍ ଜ୍ଞାନଶକ୍ତି ଅଟେ ।
ଏକାଦଶ ରୁଦ୍ରଙ୍କ ମଧ୍ୟରେ ମୁଁ ଶଙ୍କର, ଯକ୍ଷ ଏବଂ ରାକ୍ଷସଙ୍କ ମଧ୍ୟରେ ମୁଁ ଧନପତି କୁବେର, ଅଷ୍ଟ ବସୁଙ୍କ ମଧ୍ୟରେ ମୁଁ ଅଗ୍ନି, ପର୍ବତଙ୍କ ମଧ୍ୟରେ ମୁଁ ସୁମେରୁ ପର୍ବତ ଅଟେ ।
ହେ ଅର୍ଜ୍ଜୁନ, ମୋତେ ପୁରୋହିତଙ୍କ ମଧ୍ୟରେ ଶ୍ରେଷ୍ଠ ଦେବପୁରୋହିତ ବୃହସ୍ପତି ବୋଲି ଜାଣ । ମୁଁ ସେନାପତିଙ୍କ ମଧ୍ୟରେ ଦେବସେନାପତି କାର୍ତ୍ତିକେୟ ଏବଂ ଜଳାଶୟଙ୍କ ମଧ୍ୟରେ ସମୁଦ୍ର ଅଟେ ।
ମୁଁ ମହର୍ଷିଙ୍କ ମଧ୍ୟରେ ଭୃଗୁ, ଶବ୍ଦସକଳ ମଧ୍ୟରେ ବ୍ରହ୍ମବାଚକ ଏକାକ୍ଷର ଶବ୍ଦ ଓଁକାର, ଯଜ୍ଞଙ୍କ ମଧ୍ୟରେ ମନ୍ତ୍ରୋକ୍ତ ଦେବତାଙ୍କ ଚିନ୍ତାରୂପ ଜପଯଜ୍ଞ ଏବଂ ସ୍ଥାବର ଅର୍ଥାତ୍ ସ୍ଥିର ରହିଥିବା ବସ୍ତୁଙ୍କ ମଧ୍ୟରେ ହିମାଳୟ ପର୍ବତ ଅଟେ ।
ମୁଁ ସମସ୍ତ ବୃକ୍ଷଙ୍କ ମଧ୍ୟରେ ଅଶ୍ୱତ୍ଥ ବୃକ୍ଷ, ଦେବର୍ଷିଙ୍କ ମଧ୍ୟରେ ନାରଦ, ଗାନ୍ଧିଜୀଙ୍କ ମଧ୍ୟରେ ଚିତ୍ରରଥ ଏବଂ ଆଜନ୍ମ ପରମାର୍ଥତତ୍ତ୍ୱ ପ୍ରାପ୍ତ ହୋଇଥିବା ସିଦ୍ଧପୁରୁଷଙ୍କ ମଧ୍ୟରେ କପିଳ ମୁନି ଅଟେ ।
ଘୋଡାଙ୍କ ମଧ୍ୟରେ ଅମୃତ ନିମିତ୍ତ ସମୁଦ୍ର ମନ୍ଥନରୁ ଉଦ୍ଭୁତ ହୋଇଥିବା ଉଚ୍ଚୈଶ୍ରବା ଘୋଡା, ଶ୍ରେଷ୍ଠ ହାତୀଙ୍କ ମଧ୍ୟରେ ଐରାବତ ହାତୀ ଏବଂ ମନୁଷ୍ୟଙ୍କ ମଧ୍ୟରେ ରାଜା ବୋଲି ମୋତେ ଜାଣ ।
ମୁଁ ଅସ୍ତ୍ରଶସ୍ତ୍ରଙ୍କ ମଧ୍ୟରେ ବଜ୍ର, ଗାଈମାନଙ୍କ ମଧ୍ୟରେ କାମଧେନୁ, ସନ୍ତାନଉତ୍ପତ୍ତିର ହେତୁ କାମଦେବ ଏବଂ ସର୍ପଙ୍କ ମଧ୍ୟରେ ବାସୁକି ଅଟେ ।
ମୁଁ ନାଗ ଅର୍ଥାତ୍ ନିର୍ବିଷ ସର୍ପଙ୍କ ମଧ୍ୟରେ ନାଗରାଜ ଅନନ୍ତ, ଜଳଚର ପ୍ରାଣୀଙ୍କ ମଧ୍ୟରେ ସେମାନଙ୍କ ରାଜା ବରୁଣ, ପିତୃଗଣଙ୍କ ମଧ୍ୟରେ ସେମାନଙ୍କ ରାଜା ଅର୍ଯ୍ୟମା ଏବଂ ଶାସନକର୍ତ୍ତାଙ୍କ ମଧ୍ୟରେ ଯମରାଜା ଅଟେ ।
ମୁଁ ଦୈତ୍ୟଙ୍କ ମଧ୍ୟରେ ପ୍ରହ୍ଲାଦ, ଗଣନାକାରୀଙ୍କ ମଧ୍ୟରେ ସମୟ, ପଶୁମାନଙ୍କ ମଧ୍ୟରେ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ଗରୁଡ ଅଟେ ।
ମୁଁ ପବିତ୍ରକାରୀଙ୍କ ମଧ୍ୟରେ (କିମ୍ବା ବେଗଗାମୀଙ୍କ ମଧ୍ୟରେ) ପବନ ଅଟେ, ଶସ୍ତ୍ରଧାରୀଙ୍କ ମଧ୍ୟରେ ଦଶରଥପୁତ୍ର ରାମଚନ୍ଦ୍ର ଅଟେ, ମତ୍ସ୍ୟଙ୍କ ମଧ୍ୟରେ ମକର ଅଟେ ଏବଂ ନଦୀଙ୍କ ମଧ୍ୟରେ ଗଙ୍ଗା ନଦୀ ଅଟେ ।
ହେ ଅର୍ଜ୍ଜୁନ, ମୁଁ ସୃଷ୍ଟବସ୍ତୁମାନଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅର୍ଥାତ୍ ଉତ୍ପତ୍ତି, ସ୍ଥିତି ଏବଂ ସଂହାରକର୍ତ୍ତା ଅଟେ, ମୁଁ ବିଦ୍ୟାମାନଙ୍କ ମଧ୍ୟରେ ଆଧ୍ୟାତ୍ମ ବିଦ୍ୟା ଅର୍ଥାତ୍ ବ୍ରହ୍ମବିଦ୍ୟା ଅଟେ, ବାଦ, କଳ୍ପ ଏବଂ ବିତଣ୍ଡା ଏହି ତିନି ପ୍ରକାର ଯୁକ୍ତିଙ୍କ ମଧ୍ୟରେ ମୁଁ ବାଦ ଅଟେ, ଅର୍ଥାତ୍ ବାଦ ବା ତତ୍ତ୍ୱନିରୂପଣ ମୂଳକ ସ୍ୱପକ୍ଷ ପାତିତାବିହୀନ ଏବଂ ଛଳନାରହିତ ଆଲୋଚନା ଯେପରିକି ସାଧାରଣତଃ ଗୁରୁ ଶିଷ୍ୟଙ୍କ ମଧ୍ୟରେ ହୋଇଥାଏ, ଜଳ୍ପ ବା ମିଥ୍ୟା ଛଳନା ଦ୍ୱାରା ଯୁକ୍ତିଖଣ୍ଡନ ଏବଂ ବିତଣ୍ଡା ବା କୁତର୍କ, ଏହି ତିନି ପ୍ରକାର ଯୁକ୍ତିଙ୍କ ମଧ୍ୟରେ ମୁଁ ତତ୍ତ୍ୱ ନିରୂପଣମୂଳକ ବାଦ ଅଟେ ।
ସର୍ବ ପ୍ରଥମେ କଣ୍ଠରେ ‘ଅ’ ଧ୍ୱନି ଜାତ ହୁଏ । ପରେ ଜିହ୍ୱା, ତାଳୁ, ଦନ୍ତ, ଓଷ୍ଠ ସଂସ୍ପର୍ଶରେ ଇ, ଉ, ଏ, ଓ, ପ୍ରଭୃତି ସ୍ୱର ଏବଂ କ, ଖ, ପ୍ରଭୃତି ବ୍ୟଞ୍ଜନ ଧ୍ୱନିରେ ପରିଣତ ହୁଏ । ତେଣୁ ମୂଳ ‘ଅ’ ଅକ୍ଷର ଅନ୍ୟ ସମସ୍ତ ଅକ୍ଷର ଅପେକ୍ଷା ଶ୍ରେଷ୍ଠ ଅଟେ । ସେଥିପାଇଁ ଅକ୍ଷରଙ୍କ ମଧ୍ୟରେ ମୁଁ ସର୍ବଶ୍ରେଷ୍ଠ ‘ଅ’କାର ଅଟେ । ରାମ ଏବଂ କୃଷ୍ଣ ରାମକୃଷ୍ଣ, ଏହାକୁ ଦ୍ୱନ୍ଦ୍ୱ ସମାସ କହନ୍ତି, ଏଥିରେ ଉଭୟପଦର ପ୍ରାଧାନ୍ୟ ରହିଥାଏ, ତେଣୁ ଦ୍ୱନ୍ଦ୍ୱ ସମାସରେ ଉଭୟ ବା ସର୍ବପଦର ପ୍ରାଧାନ୍ୟ ରହିଥିବାରୁ ତାହା ସର୍ବଶ୍ରେଷ୍ଠ । ସେଥିପାଇଁ ମୁଁ ସମାସମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦ୍ୱନ୍ଦ୍ୱ ସମାସ ଅଟେ । ଭୂତମାନଙ୍କ ଆୟୁ ଗଣନାରୂପ କାଳ ଆୟୁଷର ସଙ୍ଗେ ସଙ୍ଗେ କ୍ଷୟପ୍ରାପ୍ତ ହେଉଥାଏ, କିନ୍ତୁ ମୋର ଆୟୁ ନ ଥିବାରୁ ମୁଁ ସର୍ବଶ୍ରେଷ୍ଠ ଅନନ୍ତ କାଳ ଅଟେ, ମୁଁ ସମଗ୍ର ବିଶ୍ୱର ସକଳ ପ୍ରକାର କର୍ମଫଳର ବିଧାନ କର୍ତ୍ତା ଅଟେ । ମୁଁ ସର୍ବସଂହାରକାରୀ ମୃତ୍ୟୁଦେବତା ଅଟେ, ଭବିଷ୍ୟତ କଳ୍ପମାନଙ୍କର ଯାହା କିଛି ସୃଷ୍ଟହେବ, ସେମାନଙ୍କ ଉତ୍ପତ୍ତିର କାରଣ ଅଟେ, ନାରୀଙ୍କ ମଧ୍ୟରେ ସ୍ତ୍ରୀଗୁଣ ରୂପେ ପ୍ରସିଦ୍ଧ କୀର୍ତ୍ତି, ଶ୍ରୀ, ବାକ୍, ସ୍ମୃତି, ମେଧା, ଧୃତି ଏବଂ କ୍ଷମାର ଅଧିଷ୍ଠାତ୍ରୀ ସପ୍ତ ସ୍ତ୍ରୀଦେବତା ଅଟେ । ଅର୍ଥାତ୍ ଏହି ସ୍ତ୍ରୀଦେବତାମାନେ ମଧ୍ୟ ମୋର ବିଭୂତି ଅଟନ୍ତି ।
ମୁଁ ବେଦର ସାମଗାନମାନଙ୍କ ମଧ୍ୟରେ ବୃହତ୍ ସାମଗାନ ଅଟେ, ଛନ୍ଦ ବିଶିଷ୍ଟ ମନ୍ତ୍ରମାନଙ୍କ ମଧ୍ୟରେ ଗାୟତ୍ରୀ ମନ୍ତ୍ର ଅଟେ, ମାସଙ୍କ ମଧ୍ୟରେ ପ୍ରଥମ ମାସ ମାର୍ଗଶିର ଏବଂ ଋତୁଙ୍କ ମଧ୍ୟରେ ବସନ୍ତଋତୁ ଅଟେ । ବୃହତ୍ ସାମଗାନରେ ଇନ୍ଦ୍ରଙ୍କ ପାଇଁ ହୋମର ବିଧାନ ଥିବାରୁ, ଗାୟତ୍ରୀ ମନ୍ତ୍ର ବ୍ରାହ୍ମଣତ୍ୱର ପରିଚାୟକ ଥିବାରୁ, ମାର୍ଗଶିର ମାସ ପୂର୍ବ କାଳରେ ବର୍ଷର ପ୍ରଥମ ମାସ ଥିବା ହେତୁରୁ ଏବଂ ବସନ୍ତ ଋତୁରେ ଦେବ ପୂଜନାର୍ଥ ପ୍ରଚୁର ପୁଷ୍ପ ଉତ୍ପନ୍ନ ହେଉଥିବାରୁ ଏମାନେ ଶ୍ରେଷ୍ଠ ଅଟନ୍ତି । ତେଣୁ ଏମାନେ ଈଶ୍ୱରଙ୍କ ବିଭୂତି ସମ୍ପନ୍ନ ଅଟନ୍ତି ।
ମୁଁ ପ୍ରବଞ୍ଚନକାରୀଙ୍କ ପଶାଖେଳ ବା ଜୁଆଖେଳ ଅଟେ, ତେଜସ୍ୱୀମାନଙ୍କ ତେଜ ଅଟେ, ବିଜେତାମାନଙ୍କ ଜୟ ଅଟେ, ଉଦ୍ୟମୀପୁରୁଷଙ୍କ ଉଦ୍ୟମ ଅଟେ ଏବଂ ସାତ୍ତ୍ୱିକ ବ୍ୟକ୍ତିଙ୍କ ସତ୍ତ୍ୱଗୁଣ ଅଟେ ।
ଯାଦବମାନଙ୍କ ମଧ୍ୟରେ ମୁଁ ଶ୍ରୀକୃଷ୍ଣ ଅଟେ, ପାଣ୍ଡବଙ୍କ ମଧ୍ୟରେ ମୁଁ ଅର୍ଜ୍ଜୁନ ଅଟେ ଅର୍ଥାତ୍ ତୁମେ ମୋର ସଖା ଥିବାରୁ ପାଣ୍ଡବଙ୍କ ମଧ୍ୟରେ ଶ୍ରେଷ୍ଠ ଏବଂ ମୋର ବିଭୂତିସମ୍ପନ୍ନ ମୁନିଙ୍କ ମଧ୍ୟରେ ମୁଁ ବ୍ୟାସଦେବ ଏବଂ କବିଙ୍କ ମଧ୍ୟରେ ମୁଁ ଉଶନା କବି ଅର୍ଥାତ୍ ଶୁକ୍ରାଚାର୍ଯ୍ୟ ଅଟେ ।
ମୁଁ ଦମନକାରୀ ଅର୍ଥାତ୍ ଶାସନକର୍ତ୍ତାମାନଙ୍କ ଦଣ୍ଡ ଅର୍ଥାତ୍ ଦମନ କରିବା ଶକ୍ତି ଅଟେ, ଜିଣିବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନଙ୍କ ସାମ, ଦାନ ଆଦି ନୀତି ଅଟେ, ଗୋପ୍ୟ ବିଷୟମାନଙ୍କ ଗୋପନର ଉପାୟ ମୌନ ଅଟେ, ଆତ୍ମତତ୍ତ୍ୱଜ୍ଞାନୀମାନଙ୍କ ଜ୍ଞାନ ଅଟେ ।
ହେ ଅର୍ଜ୍ଜୁନ, ଯାହା ମଧ୍ୟ ସମସ୍ତ ଭୂତଙ୍କ ଉତ୍ପତ୍ତିର ମୂଳକାରଣ ତାହା ମୁଁ ଅଟେ, ଏପରି କୌଣସି ଚରାଚର ଭୂତ ନାହିଁ ଯାହା କି ମୋଠାରୁ ସ୍ୱତନ୍ତ୍ରରୂପେ ଅବସ୍ଥାନ କରିପାରେ, ଅର୍ଥାତ୍ ସମସ୍ତ ଚରାଚର ଭୂତ ମୋର ସ୍ୱରୂପ ଅଟେ ।
ହେ ଶତୃ ସନ୍ତାପକାରୀ ଅର୍ଜ୍ଜୁନ, ମୋର ଅଲୌକିକ ବିଭୂତିମାନଙ୍କର ଅନ୍ତ ନାହିଁ । ତଥାପି ମୋର ଅପର୍ଯ୍ୟାପ୍ତ ବିଭୂତିମାନଙ୍କ ସମ୍ବନ୍ଧରେ ମୁଁ ତୁମ ନିକଟରେ ବର୍ତ୍ତମାନ ସଂକ୍ଷେପରେ ପ୍ରକାଶ କଲି ।
ହେ ଅର୍ଜ୍ଜୁନ, ତୁମେ ଏହା ଜାଣିଥାଅ ଯେ, ଏହି ବିଶ୍ୱରେ ଯେଉଁ ସମସ୍ତ ବସ୍ତୁ ଐଶ୍ୱର୍ଯ୍ୟଯୁକ୍ତ, ଶ୍ରୀସମ୍ପନ୍ନ ଅର୍ଥାତ୍ ସୌନ୍ଦର୍ଯ୍ୟ ସମ୍ପନ୍ନ ଏବଂ ପ୍ରଭାବଯୁକ୍ତ, ସେ ସମସ୍ତ ମୋର ତେଜର ଅଂଶରୁ ଉତ୍ପନ୍ନ ହୁଅନ୍ତି ।
ହେ ଅର୍ଜ୍ଜୁନ, ଅନ୍ୟଦିଗରୁ କହିବାକୁ ଗଲେ ମୋର ଏହି ଅସଂଖ୍ୟ ବିଭୂତି ସକଳକୁ ଜାଣିବାରେ ତୁମର କି ପ୍ରୟୋଜନ ଅଛି ? ଅର୍ଥାତ୍ ତୁମର ଏହା ଜାଣିବାର କିଛି ପ୍ରୟୋଜନ ନାହିଁ, କାରଣ ଏହି ସମଗ୍ର ଜଗତକୁ ମୁଁ ମୋର ଗୋଟିଏ ମାତ୍ର ଅଂଶରେ ଧାରଣ କରି ରହିଅଛି, ଅର୍ଥାତ୍ ମୁଁ ଏହି ବିଶ୍ୱରେ ସମସ୍ତ ଚରାଚର ଭୂତମାନଙ୍କରେ ବ୍ୟାପ୍ତ ହୋଇ ରହିଅଛି । ତେଣୁ ଏ ଜଗତରେ ମୋଠାରୁ ସ୍ୱତନ୍ତ୍ର କିଛି ନାହିଁ ।
ଇତି ଦଶମ ଅଧ୍ୟାୟ
Be First to Comment