Press "Enter" to skip to content

କୃଷ୍ଣଯଜୁର୍ବେଦୀୟ ବ୍ରହ୍ମୋପନିଷତ୍

Last updated on August 13, 2022

ଓଁ ସହ ନାବବତୁ । ସହ ନୌ ଭୁନକ୍ତୁ । ସହ ବୀର୍ଯ୍ୟଂ କରବାବହୈ ।
ତେଜସ୍ୱିନାବଧୀତମସ୍ତୁ ମା ବିଦ୍ୱିଷାବହୈ ॥ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥


କୃଷ୍ଣଯଜୁର୍ବେଦୀୟ ଉପନିଷଦ୍‌ ତେଇଶିଗୋଟି ମନ୍ତ୍ର ସମ୍ବଳିତ । ଉକ୍ତ ଉପନିଷଦ୍‌ରେ ବ୍ରହ୍ମଙ୍କର ସ୍ୱରୂପ ଏବଂ ତାଙ୍କର ପ୍ରାପ୍ତିର ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏଥିପାଇଁ ଏହି ଉପନିଷଦ୍‌ର ନାମ ବ୍ରହ୍ମୋପନିଷଦ୍‌ ରଖାଯାଇଛି । କିଛିଲୋକ ଏହାକୁ ବ୍ରହ୍ମବିନ୍ଦୁ ଉପନିଷଦ୍‌ ନାମରେ ଅଭିହିତ କରିଛନ୍ତି, ହେଲେ ବିଦ୍ୱାନ୍‌ଗଣଙ୍କ ମତରେ ବ୍ରହ୍ମବିନ୍ଦୁ ଉପନିଷଦ୍‌, କୃଷ୍ଣଯଜୁର୍ବେଦୀୟ ଅମୃତବିନ୍ଦୁ ଉପନିଷଦ୍‌ର ଅନ୍ୟନାମ ଅଟେ । ଅମୃତବିନ୍ଦୁ ଉପନିଷଦ୍‌ ପ୍ରକୃତରେ ଏହାଠାରୁ ଭିନ୍ନ ଅଟେ । ଏଥିରେ ୨୨ଗୋଟି ମନ୍ତ୍ର ରହିଛି ।
ଏଠାରେ ବର୍ଣ୍ଣିତ ବ୍ରହ୍ମୋପନିଷଦ୍‌ରେ ଚତୁଷ୍ପାଦ ବ୍ରହ୍ମଙ୍କର ବର୍ଣ୍ଣନା କରାଯାଇଛି । ଏତଦ୍‌ ବ୍ୟତିରେକ ଏଥିରେ ପରବ୍ରହ୍ମଙ୍କ ଅକ୍ଷରତ୍ୱ, ବ୍ରହ୍ମ ଏବଂ ନିର୍ବାଣର ଏକରୂପତା, ହୃଦୟରେ ବିଦ୍ୟମାନ ଦେବଗଣ, ପ୍ରାଣ ଏବଂ ଜ୍ୟୋତି—ଏହିଭଳି ଭାବରେ ବ୍ରହ୍ମଙ୍କର ତିନିଗୋଟି ସ୍ୱରୂପ (ତ୍ରିବୃତ୍‌ସୂତ୍ର)ର ବର୍ଣ୍ଣନା, ଯଜ୍ଞୋପବୀତର ତାତ୍ତ୍ୱିକ ରହସ୍ୟ, ଶିଖା, ଯଜ୍ଞୋପବୀତ ଆଦିର ସ୍ୱରୂପ-ଜ୍ଞାନ, ବ୍ରାହ୍ମଣଙ୍କ ନିମନ୍ତେ ସେହି ଜ୍ଞାନର ଆବଶ୍ୟକତା ଆଦି ବିଷୟ ସୂଚାରୁରୂପେ ବର୍ଣ୍ଣନା କରାଯାଇଛି । ତତ୍‌ପଶ୍ଚାତ୍‌ ବ୍ରହ୍ମପ୍ରାପ୍ତିର ଉପାୟ, ସତ୍ୟ, ତପ ଆଦିର ମହିମା ବର୍ଣ୍ଣନା କରାଯାଇ, ଯେଉଁଭଳି ଭାବେ ଦୁଗ୍ଧରେ ଘୃତ ମିଶି ରହିଥାଏ, ଠିକ୍‌ ସେହିଭଳି ଆତ୍ମା ଏବଂ ବ୍ରହ୍ମଙ୍କର ଏକତ୍ୱ ସ୍ଥାପନ କରାଯାଇଛି । ବ୍ରହ୍ମଙ୍କର ବ୍ୟାପକତା, ସର୍ବସତ୍ତାବତ୍ତାର ଅନୁଭୂତିକାରୀ ସାଧକ ସ୍ୱୟଂ ବ୍ରହ୍ମସ୍ୱରୂପ ହୋଇଯାନ୍ତି, ଏହା ବର୍ଣ୍ଣିତ ହୋଇଛି । କେତେକ ବିଦ୍ୱାନ୍‌ ଏହାକୁ ଅଥର୍ବବେଦୀୟ ବୋଲି ମଧ୍ୟ ମାନିଥାନ୍ତି ।
ଏହି ଶରୀରରେ ନାଭି, ହୃଦୟ, କଣ୍ଠ ଏବଂ ବ୍ରହ୍ମରନ୍ଧ୍ର—ଉକ୍ତ ଚତୁଃସ୍ଥାନ ଆତ୍ମାର (ବିଶିଷ୍ଟ) ସ୍ଥାନ ଅଟେ । (ସେହି ଚାରିଗୋଟି ସ୍ଥାନରେ) ଚାରି ଚରଣଯୁକ୍ତ ସେହି ବ୍ରହ୍ମ ପ୍ରକାଶିତ ହୋଇଥାନ୍ତି । ସେହି ଆତ୍ମାର ଜାଗ୍ରତ୍‌, ସ୍ୱପ୍ନ, ସୁଷୁପ୍ତି ଏବଂ ତୁରୀୟ—ଏହିଭଳି ଚାରିଗୋଟି ଅବସ୍ଥା ରହିଛି । ସେହି ଅବସ୍ଥାସମୂହ ମଧ୍ୟରୁ ଜାଗ୍ରତ୍‌ରେ ବ୍ରହ୍ମାଙ୍କ ରୂପରେ, ସ୍ୱପ୍ନରେ ବିଷ୍ଣୁଙ୍କ ରୂପରେ ଏବଂ ସୁଷୁପ୍ତି ଅବସ୍ଥାରେ ରୁଦ୍ରଙ୍କ ରୂପରେ ତଥା ଚତୁର୍ଥ ତୁରୀୟ ଅବସ୍ଥାରେ ଅକ୍ଷର ଅର୍ଥାତ୍‌ ପରମାତ୍ମାଙ୍କ ରୂପରେ ସେ ପ୍ରକାଶିତ ହୋଇଥାଏ । ଏହି ଆତ୍ମା ସ୍ୱୟଂ ମନ, ଇନ୍ଦ୍ରିୟସମୂହ, ହସ୍ତ, ପାଦ ଆଦି ରହିତ ଅଟେ । ତାହା କେବଳ ଜ୍ୟୋତିସ୍ୱରୂପ ଅଟେ, ଏଭଳି ସର୍ବବିଦିତ ଅଟେ ।୧
ସେହି ଆତ୍ମାରେ (ବ୍ରହ୍ମରେ) ଲୋକ ଲୋକରୂପେ ନଥାନ୍ତି, ଦେବତା ଦେବତାଙ୍କ ରୂପରେ ନଥାନ୍ତି, ବେଦ ବେଦରୂପରେ ନଥାନ୍ତି, ଯଜ୍ଞ ଯଜ୍ଞରୂପରେ ନଥାନ୍ତି, ମାତା ମାତାଙ୍କ ରୂପରେ ନଥାନ୍ତି, ପିତା ପିତାଙ୍କ ରୂପରେ ନଥାନ୍ତି, ବୋହୂ ବୋହୂରୂପରେ ନଥାଏ, ଚଣ୍ଡାଳ ଚଣ୍ଡାଳରୂପରେ ନଥାଏ, ଭୀଲ (ଜଙ୍ଗଲୀଜୀବ) ଭୀଲରୂପରେ ନଥାଏ, ସନ୍ନ୍ୟାସୀ ସନ୍ନ୍ୟାସୀଙ୍କରୂପରେ ନଥାନ୍ତି, ବାନପ୍ରସ୍ଥ ବାନପ୍ରସ୍ଥ ରୂପରେ ନଥାଏ, ହେଲେ ସେ ତ ସର୍ବଦା ଏକ ରୂପରେ ଅବସ୍ଥାନ କରନ୍ତି, ଅତଃ ସେ ନିର୍ବାଣରୂପରେ ଏବଂ ବ୍ରହ୍ମରୂପରେ ପ୍ରକାଶିତ ହୋଇଥାନ୍ତି ।୨॥
ସେହି ବ୍ରହ୍ମରେ ଦେବଲୋକ, ଋଷିଲୋକ ଏବଂ ପିତୃଲୋକ ନିଜ ନିଜର ସାମର୍ଥ୍ୟ ରକ୍ଷା କରିପାରନ୍ତି ନାହିଁ । ସେ ନିଶ୍ଚିତ ଭାବେ ଜ୍ଞାନ ଦ୍ୱାରା ଜାଣିବା ଯୋଗ୍ୟ ଏବଂ ସେ ସର୍ବବିଦ୍ୟା ସ୍ୱରୂପ ଅଟନ୍ତି ।୩॥
“ସମସ୍ତ ପ୍ରାଣୀଙ୍କ ହୃଦୟରେ ସମସ୍ତ ଦେବତା ଅବସ୍ଥାନ କରନ୍ତି । ହୃଦୟରେ ପ୍ରାଣ ଅବସ୍ଥାନ କରନ୍ତି । ହୃଦୟରେ ହିଁ ପ୍ରାଣ ଏବଂ ଜ୍ୟୋତି ଅବସ୍ଥାନ କରନ୍ତି । ଏହିଭଳି ଭାବରେ ତିନିଗୋଟି ସ୍ୱରୂପରେ ପରମାତ୍ମା ଅବସ୍ଥାନ କରିଥାନ୍ତି—ଯିଏ ଏହି ଭଳି ସୂଚୀତ କରିଥାଏ, ତାହା ତିନିସୂତ୍ର ବିଶିଷ୍ଟ ଯଜ୍ଞୋପବୀତ ଅଟେ ।” ଏହି କଥାକୁ ତାହାର ରହସ୍ୟ ଅବଗତକାରୀମାନେ ବୁଝିପାରନ୍ତି । ସେହି ପରମାତ୍ମା ଚେତନା ରୂପରେ ହୃଦୟରେ ନିବାସ କରିଥାନ୍ତି—ଏହିଭଳି କୁହାଯାଇଛି ।୪॥
(ହୃଦୟସ୍ଥ ଆତ୍ମାକୁ ସୂଚିତ କରିବାପୂର୍ବକ ଏହି—)ଯଜ୍ଞୋପବୀତ ପରମ ପବିତ୍ର ଅଟେ । ଏହା ପ୍ରଜାପତିଙ୍କ ସହିତ ପୂର୍ବରୁ ଉତ୍ପନ୍ନ ହୋଇସାରିଛି । ଏହା ଆୟୁ ପ୍ରଦାନକାରୀ ଅଟେ ।—ଏହିଭଳି ଅବଗତ ହୋଇ ତୁମେ ଉତ୍ତମ ଏବଂ ଉଜ୍ଜ୍ୱଳ ଉପବୀତ ଧାରଣ କର । ସେହି ଯଜ୍ଞୋପବୀତ ତୁମକୁ ବଳ ଏବଂ ତେଜ ପ୍ରଦାନକରୁ ।୫ ॥
ଶିଖା ସହିତ ମୁଣ୍ଡନ କରାଇବା ପରେ ଅର୍ଥାତ୍‌ ସନ୍ନ୍ୟାସୀ ହେବାପରେ ଜ୍ଞାନୀଙ୍କୁ ସେହି ବାହ୍ୟ ସୂତ୍ରକୁ (ଉପବୀତକୁ) ତ୍ୟାଗ କରିଦେବା ଆବଶ୍ୟକ । ତତ୍‌ପଶ୍ଚାତ୍‌ ଯାହାଙ୍କୁ ଅବିନାଶୀ ପରବ୍ରହ୍ମ କୁହାଯାଏ, ତାଙ୍କୁ ହିଁ ସୂତ୍ର ମନେକରି ହୃଦୟରେ ଧାରଣ କରିନେବା ଆବଶ୍ୟକ ।୬ ॥
ଉପବୀତ ପରବ୍ରହ୍ମଙ୍କର ସ୍ଥିତିକୁ ହୃଦୟରେ ସୂଚିତ କରିଥାଏ, ଏଥିପାଇଁ ତାହାକୁ ‘ସୂତ୍ର’ କୁହାଯାଏ । ସୂତ୍ର ହିଁ ପରମପଦ ଅଟେ । ଯିଏ ସେହି ସୂତ୍ରକୁ ଜାଣିଯାଇଛନ୍ତି, ସେ ବେଦ ପାରଙ୍ଗତ ବିପ୍ର ଅଟନ୍ତି, ଏହିଭଳି ଗ୍ରହଣ କରାଯାଏ ।୭ ॥
ଯେଉଁଭଳି ଭାବେ ସୂତ୍ରର ତନ୍ତୁରେ ମନ ଗୁନ୍ଥା ହୋଇଥାଏ, ସେହିଭଳି ବ୍ରହ୍ମଙ୍କଠାରେ ସବୁକିଛି ଗୁନ୍ଥା ହୋଇ ରହିଛି । ଏଥିପାଇଁ ତ ତାଙ୍କୁ ସୂତ୍ର ବୋଲି କୁହାଯାଇଛି । ଉକ୍ତ ସୂତ୍ରକୁ ଯୋଗବେତ୍ତା ଏବଂ ତତ୍ତ୍ୱଦର୍ଶୀ ଯୋଗୀ ନିଜ ହୃଦୟରେ ଧାରଣ କରିବା ଆବଶ୍ୟକ ।୮ ॥
ଉତ୍ତମ ଯୋଗରେ ମଗ୍ନ ପୁୁରୁଷଙ୍କୁ ବାହ୍ୟ ସୂତ୍ର ତ୍ୟାଗ କରିଦେବା ଆବଶ୍ୟକ, କାହିଁକି ନାଁ—ଏହି ସୂତ୍ର ହେଉଛି ବ୍ରହ୍ମସ୍ୱରୂପ ହେବା । ଯିଏ ଏହି ସୂତ୍ରକୁ ଧାରଣ କରନ୍ତି, ସେ ଚେତନ ଅଟନ୍ତି । ଏଥିପାଇଁ ଉତ୍ତମ ଯୋଗ ଧାରଣକାରୀ ବିଦ୍ୱାନ୍(ଜ୍ଞାନୀ)ଙ୍କୁ ବାହ୍ୟ ସୂତ୍ର ତ୍ୟାଗ କରିଦେବା ଆବଶ୍ୟକ । ଏହି ସୂତ୍ରକୁ ଧାରଣ କଲେ ମନୁଷ୍ୟ ଉଚ୍ଛିଷ୍ଟ ଅବା ଅପବିତ୍ର ହୁଏ ନାହିଁ ।୯ ॥
ଜ୍ଞାନରୂପୀ ଯଜ୍ଞୋପବୀତ ଧାରଣକାରୀ ଯେଉଁ ବ୍ୟକ୍ତିଙ୍କ ହୃଦୟରେ ବ୍ରହ୍ମରୂପ ସୂତ୍ର (ପଇତା) ରହିଥାଏ, ସେ ଏହି ସୂତ୍ରର ସ୍ୱରୂପକୁ ଅବଗତ ହୋଇପାରନ୍ତି ଏବଂ ସେ ହିଁ ସଠିକ୍‌ ରୂପେ ଯଜ୍ଞୋପବୀତ ଧାରଣ କରିପାରନ୍ତି ।୧୦ ॥
ଯେଉଁ ଲୋକମାନେ ଜ୍ଞାନରୂପୀ ଶିଖାଯୁକ୍ତ ଅଟନ୍ତି, ଜ୍ଞାନରେ ନିଷ୍ଠା ରଖନ୍ତି ଏବଂ ଜ୍ଞାନରୂପୀ ଯଜ୍ଞୋପବୀତକୁ ଧାରଣ କରନ୍ତି, ସେମାନଙ୍କ ପାଇଁ ଜ୍ଞାନ ହିଁ ସର୍ବଶ୍ରେଷ୍ଠ ଅଟେ, ସେମାନଙ୍କର ଜ୍ଞାନକୁ ପବିତ୍ର କୁହାଯାଏ ।୧୧ ॥
ଯେଉଁ ପୁରୁଷଙ୍କର ଅଗ୍ନିର ଶିଖା ସଦୃଶ ଜ୍ଞାନରୂପୀ ଶିଖା ହୋଇଥାଏ, ଅନ୍ୟ କୌଣସି ଶିଖା ନଥାଏ, ସେ ବାସ୍ତବରେ ଶିଖାଧାରୀ ବୋଲାନ୍ତି, ସେ ପ୍ରକୃତ ଜ୍ଞାନୀ ଅଟନ୍ତି, ଚୁଟି ରଖିଥିବା ଅନ୍ୟ କୌଣସି ଶିଖାଧାରୀ ଅନାବଶ୍ୟକ ଅଟନ୍ତି (ବାହ୍ୟ ଶିଖାର କୌଣସି ଅର୍ଥ ନାହିଁ) ।୧୨ ॥
(ହେଲେ) ଯେଉଁ ବ୍ରାହ୍ମଣମାନେ ବୈଦିକ କର୍ମର ଅଧିକାରୀ ଅଟନ୍ତି, ସେମାନଙ୍କୁ ତ ଏହି ଯଜ୍ଞୋପବୀତ (ସୂତ୍ରାତ୍ମକ) ଧାରଣ କରିବା ଆବଶ୍ୟକ, କାହିଁକି ନାଁ ତାହାକୁ (ପଇତାକୁ) କ୍ରିୟାର ଅଙ୍ଗ ବୋଲି ମନେକରାଯାଏ ।୧୩ ॥
ବ୍ରହ୍ମବେତ୍ତାମାନଙ୍କ ମତରେ ଯାହାଙ୍କର ଶିଖା ଜ୍ଞାନମୟୀ ଅଟେ, ଆଉ ଯଜ୍ଞୋପବୀତ ମଧ୍ୟ ଜ୍ଞାନମୟ ଅଟେ, ତାଙ୍କର ବ୍ରାହ୍ମଣତ୍ୱ ସମ୍ପୂର୍ଣ୍ଣ ହୋଇଥାଏ । ଏହି ଜ୍ଞାନ ହିଁ ଉପବୀତ ଅଟେ, ଏହା ପରମ ଜ୍ଞାନମୟ ମଧ୍ୟ ଅଟେ ।୧୪ ॥
ଏହି ଯଜ୍ଞୋପବୀତ ଜ୍ଞାନ ଅଟେ, ଏହା ପରମପରାୟଣ (ବ୍ରହ୍ମପରାୟଣ) ଅଟେ । ଏଥିପାଇଁ ଜ୍ଞାନୀ ପୁରୁଷ ସଠିକ୍‌ ରୂପେ ଯଜ୍ଞୋପବୀତ ଧାରଣକାରୀ ଅଟନ୍ତି । ସେ ଯଜ୍ଞରୂପ ଅଟନ୍ତି ଏବଂ ସେ ହିଁ ଯଜମାନ ବୋଲାନ୍ତି ।୧୫ ॥
ପରମାତ୍ମା ଏକ ଅଟନ୍ତି, ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଲୁଚି ରହିଛନ୍ତି, ସେ ସର୍ବବ୍ୟାପକ ଏବଂ ସମସ୍ତ ପ୍ରାଣୀଙ୍କର ଅନ୍ତର୍ଯ୍ୟାମୀ ଅଟନ୍ତି, ସେ ସମସ୍ତଙ୍କ କର୍ମକୁ ନିୟମରେ ରଖିଥାନ୍ତି, ସମସ୍ତ ପ୍ରାଣୀଙ୍କର ସେ ଆଶ୍ରୟସ୍ଥାନ ଅଟନ୍ତି । ସେ ସମସ୍ତଙ୍କର ସାକ୍ଷୀ ଅଟନ୍ତି, ସେ ଚୈତନ୍ୟସ୍ୱରୂପ ଅଟନ୍ତି, ସେ ଶୁଦ୍ଧ ଅଟନ୍ତି, ଏକକ ଅଟନ୍ତି ଏବଂ ସେ ନିର୍ଗୁଣ ଅଟନ୍ତି ।୧୬ ॥
ସମସ୍ତଙ୍କୁ ସେ ତାଙ୍କ ଅଧୀନରେ ରଖିଥାନ୍ତି, ସେ ସମସ୍ତ ପ୍ରାଣୀଙ୍କର ଅନ୍ତରାତ୍ମା ଅଟନ୍ତି, ନିଜର ଏକ ରୂପକୁ ସେ ଅନେକ ରୂପରେ ପ୍ରକଟ କରିଥାନ୍ତି । ଯେଉଁ ବୁଦ୍ଧିମାନ୍‌ ମନୁଷ୍ୟମାନେ ନିଜ ଆତ୍ମାରେ ତାଙ୍କୁ ଅବସ୍ଥାନ କରିଥିବାର ଦେଖନ୍ତି, ସେମାନଙ୍କୁ ସ୍ଥାୟୀ ଶାନ୍ତି ପ୍ରାପ୍ତ ହୋଇଥାଏ, ଅନ୍ୟମାନଙ୍କୁ ନୁହେଁ ।୧୭ ॥
ଆତ୍ମାକୁ ନିମ୍ନ ଭାଗର ଅରଣି କରି ତଥା ପ୍ରଣବ(ଓଁକାର)ଙ୍କୁ ଉପର ଅରଣି କରି ଧ୍ୟାନରୂପୀ ମନ୍ଥନ ଅଭ୍ୟାସ ଦ୍ୱାରା (ବାରମ୍ବାର କରିବା ଦ୍ୱାରା) ଏପ୍ରକାର ସେହି ନିଗୃଢ଼ (ଲୁଚି ରହିଥିବା) ଆତ୍ମାର ସାକ୍ଷାତ୍କାର କରିବା ଆବଶ୍ୟକ ।୧୮ ॥
ତିଳରେ ତେଲ ସଦୃଶ, ଦହିରେ ଘୃତ ସଦୃଶ, ଝରଣାରେ ଜଳ ସଦୃଶ ଏବଂ କାଷ୍ଠରେ ଅଗ୍ନି ସଦୃଶ ଏହି ଆତ୍ମା ଆମମାନଙ୍କ ମଧ୍ୟରେ ଲୁଚିକରି (ନିଗୂଢ଼ ରୂପରେ) ବିଦ୍ୟମାନ ଅଟେ । ସେହି ଆତ୍ମା ସତ୍ୟ ଏବଂ ତପ ଦ୍ୱାରା ଆମମାନଙ୍କଠାରେ ପ୍ରକଟ ହୋଇଥାଏ । ଅବା ଏପ୍ରକାର ଅଧିକାର ତାହାକୁ ପ୍ରାପ୍ତ କରିଥାଏ ।୧୯ ॥
ଯେଉଁଭଳି ଭାବରେ ବୁଢ଼ିଆଣୀ ତନ୍ତୁ ଉତ୍ପନ୍ନ କରିଥାଏ ଏବଂ ତାହାକୁ ନିଜ ମଧ୍ୟରେ ସମାହିତ କରିଦେଇଥାଏ, ଠିକ୍‌ ସେହିଭଳି ଜୀବାତ୍ମା ମଧ୍ୟ ଜାଗ୍ରତ୍‌ ଏବଂ ସ୍ୱପ୍ନାବସ୍ଥାରେ ଆତଯାତ କରିଥାଏ ।୨୦ ॥
ଜାଗ୍ରତ୍‌ ଅବସ୍ଥାର ଆତ୍ମା (ବିଶ୍ୱ) ନେତ୍ରରେ ସମ୍ମୁଖରେ ରହିଥାଏ, ସ୍ୱପ୍ନାବସ୍ଥାର ଆତ୍ମା (ତୈଜସ୍‌) କଣ୍ଠରେ ଅବସ୍ଥାନ କରେ, ସୁଷୁପ୍ତାବସ୍ଥାର ଆତ୍ମା (ପ୍ରାଜ୍ଞ) ହୃଦୟରେ ଅବସ୍ଥାନ କରେ ଏବଂ ତୁରୀୟ ଆତ୍ମା ମସ୍ତକ (ବ୍ରହ୍ମରନ୍ଧ୍ର)ରେ ଅବସ୍ଥାନ କରେ, ଏହିଭଳି ବୁଝିବା ଆବଶ୍ୟକ ।୨୧ ॥
ଯେଉଁଠାରେ ମନୁଷ୍ୟର ମନ ଏବଂ ବାଣୀ ପହଁଞ୍ଚି ପାରେନାହିଁ (ମନ ସହିତ ବାଣୀ ଯାହାଙ୍କୁ ପ୍ରାପ୍ତ ନକରି ଫେରିଯାଏ) ଏହିଭଳି ଆତ୍ମାର ଆନନ୍ଦକୁ ଅବଗତ ହୋଇ ଜ୍ଞାନୀ ପୁରୁଷ ମୁକ୍ତ ହୋଇଯାନ୍ତି ।୨୨ ॥
ଦୁଗ୍ଧରେ ଘୃତ ସଦୃଶ ସର୍ବବ୍ୟାପକ ଆତ୍ମାକୁ ଆତ୍ମଜ୍ଞାନ ଏବଂ ତପଦ୍ୱାରା ପ୍ରାପ୍ତ କରାଯାଇପାରେ । ସେହି ଆତ୍ମା ହିଁ ବ୍ରହ୍ମ ଅଟନ୍ତି,ଉପନିଷଦର ପରମ ପଦ ଅଟନ୍ତି ।୨୩ ॥
T T T

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.