Press "Enter" to skip to content

ଓଁ

Last updated on August 13, 2022

କମଳେଶ ଡି. ପଟେଲ

ଆମକୁ ସେହି ମୌଳିକ ଧ୍ୱନି ବିଷୟରେ ଗହନ ଜ୍ଞାନ ପ୍ରଦାନ କରୁଛନ୍ତି, ଯାହା ସୃଷ୍ଟି ରଚନା ସମୟରେ ପ୍ରକଟ ହୋଇଥିଲା ।

ଓଁ — ନାଁ ହିନ୍ଦୁ ଅଟେ, ନାଁ ବୌଦ୍ଧ ନାଁ ଈଶାଈ । ଏହା କୌଣସି ଶବ୍ଦ ମଧ୍ୟ ନୁହେଁ । ଏହା ବାସ୍ତବରେ ଏକ ଚିହ୍ନ ଅଟେ । ଯେତେବେଳେ ଆପଣ ସୂର୍ଯ୍ୟୋଦୟ ଅବା ପୂର୍ଣ୍ଣିମାର ସୌନ୍ଦର୍ଯ୍ୟ କଥା କହୁଛନ୍ତି, ତେବେ କ’ଣ ସୂର୍ଯ୍ୟୋଦୟ ହିନ୍ଦୁ ଧର୍ମର ପ୍ରତୀକ ଅବା ପୂର୍ଣ୍ଣିମା ବୌଦ୍ଧ ଧର୍ମର ପ୍ରତୀକ ମାନିନେଉଛନ୍ତି କି ?
ଓଁ — ତ ମୌଳିକ ଧ୍ୱନି, ଯାହା ସୃଷ୍ଟି ରଚନା ସମୟରେ ପ୍ରକଟ ହୋଇଥିଲା । ଏହା ଆମ ଆତ୍ମା ଭିତରେ ଆମ ସ୍ୱାଭାବିକ ସ୍ମୃତିରେ ସନ୍ନିହିତ—‘ଅ’ ଠାରୁ ନେଇ ‘ଉ’ ତଥା ‘ମ’ ପର୍ଯ୍ୟନ୍ତ’— ଆଉ ସେହି ଶୂନ୍ୟତାକୁ ପ୍ରମାଣିତ କରିଥାଏ ଯାହା ‘ମ’ ପରବର୍ତ୍ତୀ ଅବସ୍ଥାରେ ଆସିଥାଏ । ଏହା ଧ୍ୱନି ରହିତ ଧ୍ୱନି ଅଟେ, ଯାହା ‘ମ’ ପରେ ହୋଇଥାଏ । ଯାହାକୁ ଆମେ ଧରିରଖିବା ଦରକାର । ‘ଅ’ ର ଧ୍ୱନି, ତା’ପରେ ‘ଉ’ ତଥା ‘ମ’ର ଧ୍ୱନି ଆଉ ତାପରେ ହେଉଥିବା ଧ୍ୱନି ରହିତ ଧ୍ୱନି, ଏହାର ଅତ୍ୟଧିକ ମହତ୍ତ୍ୱ ରହିଛି । ଏହା ହିଁ ସେହି ଶୂନ୍ୟ ନୀରବତା, ଯାହା ଓଁ ଧ୍ୱନି ପରବର୍ତ୍ତୀ ସ୍ଥିତିରେ ହୋଇଥାଏ, ଆମକୁ ଚତୁର୍ଥ ଅବସ୍ଥା, ତୁରୀୟାବସ୍ଥାର ସ୍ମରଣ କରାଇଥାଏ ।
ଆସନ୍ତୁ ଏହି ସୋପାନଗୁଡିକୁ ବୁଝିବା । ବାସ୍ତବରେ ତୁରୀୟର କିପରି ଅନୁଭବ କରିବା ? କ’ଣ ତୁରୀୟର ପରବର୍ତ୍ତୀ ସ୍ଥିତିରେ ମଧ୍ୟ କିଛି ସୋପାନ ରହିଛି ? ତୁରୀୟର ଆଗକୁ, ସେହି ସ୍ତର ପର୍ଯ୍ୟନ୍ତ କିପରି ଯିବା, ଯାହା ତା’ଠାରୁ ଊର୍ଦ୍ଧ୍ୱରେ ରହିଛି— ତୁରୀୟାତୀତ ଅବସ୍ଥା ? ପ୍ରାଣସ୍ୟ ପ୍ରାଣଃ, ଯୁକ୍ତ ଧ୍ୟାନ ସହାୟତାରେ । ଏହା ପ୍ରାଣସ୍ୟ ପ୍ରାଣଃ ଆଉ କିଛି ନୁହେଁ, ପ୍ରାଣାହୁତି ହିଁ ଅଟେ, ଯାହା ଉପନିଷଦରେ ଭଲ ଭାବରେ ବର୍ଣ୍ଣିତ ହୋଇଛି । କେନ ଉପନିଷଦରେ ଏହାର ଉଲ୍ଲେଖ ରହିଛି—
ଶ୍ରୋତ୍ରସ୍ୟ ଶ୍ରୋତ୍ରଂ ମନସୋ ମନୋ ଯତ୍ ବାଚୋ ହ ବାଚଂ ସ ଉ ପ୍ରାଣସ୍ୟ ପ୍ରାଣଃ ଚକ୍ଷୁଶ୍ଚକ୍ଷୁଃ । ଅତିମୁଚ୍ୟ ଧୀରାଃପ୍ରେତ୍ୟାସ୍ମାଲ୍ଲୋକାଦମୃତା ଭବନ୍ତି ।
ତାହା ଯାହା ଆମ କର୍ଣ୍ଣର କର୍ଣ୍ଣ(ଆନ୍ତରିକ ଶ୍ରବଣ) ଅଟେ, ଆମ ମନର ମନ, ଆମ ବାଣୀର ବାଣୀ, ଆମ ପ୍ରାଣର ପ୍ରାଣ ଆଉ ଆମ ଚକ୍ଷୁର ଚକ୍ଷୁ(ଅନ୍ତର୍ଦୃଷ୍ଟି), ଯେତେବେଳେ ବୁଦ୍ଧିମାନ ବ୍ୟକ୍ତି ଅବା ଜ୍ଞାନୀ ଏହାକୁ ବୁଝିନିଏ, ସେ ଏହି ସଂସାରରୁ ଆଗକୁ ଯିବା ପରେ ସେ ଅମର ହୋଇଯାଏ ।
ଚେତନାର ସେହି ତିନିଗୋଟି ଅବସ୍ଥାକୁ ଅନୁଭବ କରିବା ସରଳ ଅଟେ ଯାହାକୁ ଆମେ ସମସ୍ତେ ପ୍ରତିଦିନ ଉପଲବ୍ଧି କରିଥାଉ । ଏହା ହେଉଛି— ଚେତନାର ଜାଗ୍ରତ ଅବସ୍ଥା, ଚେତନାର ସ୍ୱପ୍ନାବସ୍ଥା ତଥା ଗଭୀର ନିଦ୍ରାବସ୍ଥା ଅବା ସୁଷୁପ୍ତି, ଯେଉଁଠାରେ ଚେତନା ନିଜର ସ୍ରୋତ(ଉତ୍ସ), ଆତ୍ମା ଆଡକୁ ଟାଣି ନେଇଥାଏ । ପ୍ରଥମେ ଜାଗ୍ରତ ଅବସ୍ଥାରେ ଚେତନା ଜ୍ଞାନର ବାହ୍ୟ ଅନ୍ୱେଷଣରେ ସ୍ରୋତରୁ ଦୂରେଇ ଯିବାକୁ ଲାଗିଥାଏ, ଯେଉଁଥିରୁ ଆଧୁନିକ ବିଜ୍ଞାନର କ୍ଷେତ୍ର ସୃଷ୍ଟି ହୁଏ ।
ସ୍ୱପ୍ନାବସ୍ଥାର ଚେତନା ମଧ୍ୟବର୍ତ୍ତୀ ସ୍ଥିତିରେ ରହିଥାଏ, ଯେଉଁଠାରେ ଆମେ ଶ୍ଳୋକ, କବିତା, ଗଜଲ ଆଦି ଦେଖିଥାଉ । ଏହା ଆନ୍ତରିକ ଅନ୍ୱେଷଣର ବିଷୟ ଅଟେ ଆଉ ଆନ୍ତରିକ ସଂସାର ସହ ସମ୍ବନ୍ଧିତ ।
ଗହନ ନିଦ୍ରାବସ୍ଥାରେ ଚେତନା ନିଜର ଉତ୍ସ ଆତ୍ମା ଆଡକୁ ଆକର୍ଷିତ କରିଥାଏ ।
ଚେତନାର ଏହି ପୂରା ବର୍ଣ୍ଣକ୍ରମକୁ ବର୍ତ୍ତମାନ E.E.G. ମେସିନରେ ମାପ କରାଯାଇପାରୁଛି । ତୁରୀୟାବସ୍ଥାର ତରଙ୍ଗ ବର୍ଣ୍ଣକ୍ରମ ସୁଷୁପ୍ତି ଭଳି ପ୍ରତୀତ ହୋଇଥାଏ କିନ୍ତୁ ସୁଷୁପ୍ତି ସଦୃଶ ହେଉଥିବା ତରଙ୍ଗ ପାର୍ଟନ୍ ଭଳି ମଧ୍ୟ ଜଣେ ଧ୍ୟାନୀ ସଚେତ ରହିପାରେ । ଏହା ଯୌଗିକ ଧ୍ୟାନର କଳା ଅଟେ । ଯୋଗୀ ଏହି ଅବସ୍ଥାରେ ଉପନୀତ ହେବାପାଇଁ ବ୍ୟାକୁଳ ହୋଇଥାନ୍ତି ଆଉ ନିଜର ପୂର୍ଣ୍ଣ ଶକ୍ତି ଉପଯୋଗକରି ସେଠାରେ ଉପନୀତ ହେବାପାଇଁ ତପସ୍ୟା କରିଥାନ୍ତି କିନ୍ତୁ ଯୌଗିକ ପ୍ରାଣାହୂତିର ସହାୟତାରେ ତୁରୀୟାବସ୍ଥାର ଅନୁଭବ କରିବା ସରଳ, ସହଜ ତଥା ସ୍ୱାଭାବିକ ହୋଇଯାଏ ।
ତୁରୀୟର ଊର୍ଦ୍ଧ୍ୱରେ ମଧ୍ୟ କୌଣସି ଅବସ୍ଥା ଅଛି କି ? ଆମେ ତୁରୀୟାର ଊର୍ଦ୍ଧ୍ୱରେ ତୁରୀୟାତୀତ ଅବସ୍ଥା ପର୍ଯ୍ୟନ୍ତ କିପରି ପହଞ୍ଚି ପାରିବା ?
ତୁରୀୟାତୀତ, ତୁରୀୟାବସ୍ଥାର ବିସ୍ତାର ଅଟେ । ତୁରୀୟାବସ୍ଥା ସୀମିତ ହୋଇଥାଏ କାହିଁକି ନାଁ ଏହା କେବଳ ଧ୍ୟାନ ସମୟରେ ସମାଧି ଅବସ୍ଥା ପ୍ରାପ୍ତ କଲେ ହିଁ ମିଳିଥାଏ । ତୁରୀୟାତୀତ ଅବସ୍ଥାକୁ ରାଜଯୋଗର ସହଜ ମାର୍ଗ ପଦ୍ଧତି ଅନ୍ତର୍ଗତ ଉନ୍ମୁକ୍ତ ଚକ୍ଷୁ ଦ୍ୱାରା ପ୍ରାପ୍ତ କରିବା ସମ୍ଭବ ଅଟେ । ତୁରୀୟାତୀତ ଅବସ୍ଥା ସମସ୍ତ ଅବସ୍ଥାକୁ ନିଜଠାରେ ସମାହିତ କରି ନେଇଥାଏ— ଅ, ଉ, ମ ତଥା ଧ୍ୱନି ରହିତ ଧ୍ୱନି ।
ଆମେ ଆଗକୁ ଅଗ୍ରସର ହେଉଛୁ ।
ଅ— ବାହ୍ୟ ଜାଗ୍ରତ ଅବସ୍ଥାରୁ
ଉ— ଆନ୍ତରିକ ସ୍ୱପ୍ନାବସ୍ଥା ପର୍ଯ୍ୟନ୍ତ
ମ— ସୁଷୁପ୍ତିର ଗଭୀର ନିଦ୍ରାବସ୍ଥା ପର୍ଯ୍ୟନ୍ତ
ତୁରୀୟାବସ୍ଥାର ଧ୍ୱନି ରହିତ ନୀରବତା ପର୍ଯ୍ୟନ୍ତ
ଆଉ ଅନ୍ତତଃ ତୁରୀୟାତୀତ ଅବସ୍ଥା ପର୍ଯ୍ୟନ୍ତ
ତୁରୀୟାବସ୍ଥାରେ ଆମେ ଚେତନାର ସମ୍ପୂର୍ଣ୍ଣ ବର୍ଣ୍ଣକ୍ରମର ଆନନ୍ଦ ନେଇଥାଉ । କ’ଣ ଏହା ସେହି ବିକାଶ ନୁହେ, ଯାହାର ଆମେ ଅନ୍ୱେଷଣ କରୁଅଛୁ ?
ଓଁ ଉପରିସ୍ଥ ବିନ୍ଦୁ ଏହି ତୁରୀୟାବସ୍ଥାର ସୂଚକ । ଏହିଭଳି ଓଁ ଏହି ଚିହ୍ନ, ଯାହା ଆଧ୍ୟାତ୍ମିକ ଯାତ୍ରାକୁ ପରିଦୃଶ୍ୟ କରିଥାଏ, ଆମକୁ ସ୍ମରଣ କରାଇଦିଏ କି ଆମେ ଆମ ମୂଲ୍ୟାବସ୍ଥାକୁ ପୁନଃ ପ୍ରାପ୍ତ କରୁଅଛୁ । ଏହି ଚିହ୍ନକୁ ଆମେ ମୁକ୍ତବିଚାରରେ ଦେଖିବା ଦରକାର ଆଉ ତା ଭିତରେ ଲୁକ୍କାୟିତ ତତ୍ତ୍ୱକୁ ନିଜ ଭିତରେ ସମାହିତ କରିଦେବା ଦରକାର ।

Heartfulness mag : collectors edition 2016-17

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.