Press "Enter" to skip to content

ମୋହ ମୃତ୍ୟୁର କାରଣ

Last updated on August 13, 2022

ସେହି ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କୁ ବାରମ୍ବାର ନମନ ଯାହାଙ୍କ ଠାରୁ ଏହି ସଂସାରର ସୃଷ୍ଟି ହୋଇଛି, ଯାହାଙ୍କ ଠାରେ ସ୍ଥିତ ରହିଛି ପୁନଃ ଯାହାଙ୍କ ଠାରେ ବିଲୀନ ହୋଇଥାଏ ଆଉ ଯିଏ ନିଜ ପ୍ରକୃତିକୁ ଅଧୀନକରି ମାୟା ଦ୍ୱାରା ଅନେକ ରୂପ ଧାରଣ କରିଥାନ୍ତି ।
ବାସ୍ତବରେ ମୃତ୍ୟୁ କୌଣସି ବସ୍ତୁ ନୁହେଁ, ମୋହ(ଅଜ୍ଞାନ-ପ୍ରମାଦ) ହିଁ ମୃତ୍ୟୁ ଅଟେ । ଯେତେବେଳେ ଜୀବ ପରମାତ୍ମାଙ୍କୁ ଭୁଲି ଆତ୍ମଜ୍ଞାନରୁ ବଞ୍ଚିତ ହୋଇଯାଏ, ସେତେବେଳେ ସେ ଭ୍ରମ କାରଣରୁ ଏହି ହାଡ, ମାଂସ, ରକ୍ତ, ମଜ୍ଜା, ମେଦ ଏବଂ ମଳ-ମୂତ୍ରର ପିଣ୍ଡ ଏହି ସ୍ଥୂଳ ଶରୀରକୁ ନିଜର ସ୍ୱରୂପ ମାନିନେଇଥାଏ । ଶରୀରର ଏହି ହାଡ-ମାଂସାଦିର ଭାରକୁ ହିଁ ସେ ‘ମୁଁ’ ବୋଲି ମାନିନେଇଥାଏ ଆଉ ସେହି ଶରୀର ସହ ସମ୍ବନ୍ଧ ରଖୁଥିବା ଗୃହ-ପରିବାର ଓ ଧନାଦିକୁ ‘ମୋର’ ବୋଲି ମାନିଥାଏ । ଏହି ବିପରୀତ ଭାବନା ଦ୍ୱାରା ତାହାର ଚିତ୍ତରେ ନାନା ପ୍ରକାରର ଦୁର୍ବାସନା ଉତ୍ପନ୍ନ ହୋଇ ଚିତ୍ତକୁ ମଳିନ କରିଦିଏ । ଏହା ଦ୍ୱାରା ସେ ନିଜକୁ କେବେ ମୃତ୍ୟୁ ଆସନ୍ନ, କେବେ ଦୀନ, ଦୁଃଖୀ ଅବା ସୁଖୀ ବୋଲି ବୁଝିନିଏ । ଏହିଭଳି ସେ ନିଜର ମହାବ୍ୟାପକ ସ୍ୱରୂପକୁ ବିସ୍ମୃତ ହୋଇ ନିଜକୁ ଅତି ଛୋଟ ମାନିନେଇଥାଏ ଆଉ ଏହା ଦ୍ୱାରା ତାକୁ ବାରମ୍ବାର ସଂସାର ଚକ୍ରରେ ଭ୍ରମିତ ହେବାକୁ ପଡେ । ଏହା ହିଁ ମୋହ ଅବା ଅଜ୍ଞାନ ଅଟେ ।
ଯେତେବେଳେ ଶ୍ରୀହରିଙ୍କର କୃପା ହୋଇଥାଏ, ସେତେବେଳେ ତାର ସତ୍ ପୁରୁଷଙ୍କ ସଙ୍ଗ ଅବା ସତ୍ ଶାସ୍ତ୍ର ଅଧ୍ୟୟନ ପ୍ରତି ରୁଚି ବୃଦ୍ଧିପାଇଥାଏ । ଏହାଦ୍ୱାରା ସେ ବୁଝିନିଏ କି ଶରୀରର କାରଣ ପୃଥ୍ୱୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ଅଟେ । ଶରୀର ଏସବୁରୁ ସୃଷ୍ଟି, ପୁନଃ ସେହିଥିରେ ହିଁ ଲୀନ ହୁଏ । ବୁଦ୍ ବୁଦ୍ ଜଳରୁ ସୃଷ୍ଟି ହୋଇ ତହିଁରେ ହିଁ ଲୀନ ହୁଏ, ସେହିଭଳି ଏହି ଶରୀର ପଞ୍ଚଭୂତରୁ ବାରମ୍ବାର ଉତ୍ପନ୍ନ ହୋଇ ଲୟ ହୋଇଥାଏ । ମୁଁ ପଞ୍ଚଭୂତରୁ ଭିନ୍ନ ଅତଃ ନାଁ ମୁଁ ଶରୀର ଅଟେ ନାଁ ମୁଁ ହାଡ ଅଟେ, ନାଁ ମାଂସାଦି, ଏହିଭଳି ସତ୍ସଙ୍ଗର ପ୍ରଭାବରୁ ଯେତେ ଯେତେ ବିଚାର ଶୁଦ୍ଧ ହୋଇଥାଏ, ସେତିକି ସେତିକି ତାର ଅନ୍ତଃ କରଣରେ ଭଗବାନଙ୍କର ଭକ୍ତି ବିକଶିତ ହୋଇ କ୍ରମଶଃ ଦୃଢ ହୋଇ ଚାଲିଥାଏ, ପରିଣାମତଃ ଦିନେ ଜ୍ଞାନର ପ୍ରାଦୁର୍ଭାବ ହୋଇଥାଏ । ଆଉ ସେହି ଜ୍ଞାନଦ୍ୱାରା ସେ ଦେଖିଥାଏ କି ସର୍ବବ୍ୟାପୀ ସତ୍-ଚିତ୍-ଆନନ୍ଦ ଅନନ୍ତରୂପ ଆତ୍ମାରେ ହିଁ ସମସ୍ତ ସଂସାର ଆତ୍ମରୂପରେ ସ୍ଥିତ ହୋଇଛି । ସଂସାର ସାରା ଏହି ଆତ୍ମା ହିଁ ସର୍ବତ୍ର ବ୍ୟାପ୍ତ ଅଟେ ।
ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ।
ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ।। (ଶ୍ରୀମଦ୍ଭଗବଦ୍ଗୀତା-୬/୨୯)
ସର୍ବବ୍ୟାପୀ ଅନନ୍ତ ଚେତନରେ ଏକୀଭାବରେ ସ୍ଥିତିରୂପ ଯୋଗରେ ଯୁକ୍ତ ଆତ୍ମା ତଥା ସମସ୍ତଙ୍କୁ ସମଭାବରେ ଦେଖୁଥିବା ଯୋଗୀ ଏହି ଆତ୍ମାକୁ ସମ୍ପୂର୍ଣ୍ଣ ଭୂତଗଣଙ୍କ ମଧ୍ୟରେ ଜଳ ସଦୃଶ ବ୍ୟାପକ ପରିଦୃଶ୍ୟ ହୋଇଥାନ୍ତି ଆଉ ସମ୍ପୂର୍ଣ୍ଣ ଭୂତଗଣଙ୍କୁ ଆତ୍ମା ମଧ୍ୟରେ ଦୃଶ୍ୟ ହୋଇଥାନ୍ତି ।
ଯେଭଳି ଜଳର କୌଣସି ଅଂଶରେ ବରଫ ଜମିଯିବା ଦ୍ୱାରା ତାହା ଏକ ଭିନ୍ନ ପିଣ୍ଡ ଭଳି ଦୃଶ୍ୟ ହୋଇଥାଏ କିନ୍ତୁ ବାସ୍ତବରେ ସେହି ବରଫଖଣ୍ଡର ସର୍ବତ୍ର ଜଳ ହିଁ ରହିଥାଏ, ବରଫ ଜଳରୂପ ହିଁ ଅଟେ । ଏହିଭଳି ସର୍ବବ୍ୟାପୀ ସତ୍-ଚିତ୍-ଆନନ୍ଦରୂପ ଅନନ୍ତଆତ୍ମାର କୌଣସି ଅଂଶରେ ଏହି ବ୍ରହ୍ମାଣ୍ଡର ପିଣ୍ଡ ପ୍ରତୀତ ହୋଇଥାଏ କିନ୍ତୁ ବାସ୍ତବରେ ଏହା ଆତ୍ମରୂପ ହିଁ ଅଟେ । ଯେତେବେଳେ ଏହିଭଳି ଜ୍ଞାନ ହୋଇଯାଏ, ସେତେବେଳେ ସେଥିରେ ମୃତ୍ୟୁର କୌଣସି ସତ୍ତା ରହେ ନାହିଁ— ବରଫ ତରଳି ଯିବା ପରେ ଜଳର ନାଶ ହୁଏ ନାହିଁ, ଜଳରୂପ ନ ବୁଝିବା ପର୍ଯ୍ୟନ୍ତ ତାହାର ଭିନ୍ନତା ଓ ତାହାର ତରଳିବାର ଭାବ ରହିଥାଏ । ସେହିଭଳି ଯେତେବେଳେ ଏକ ଆତ୍ମା ଅବଶିଷ୍ଟ ରହିଯାଏ, ସେତେବେଳେ ମୃତ୍ୟୁର କୌଣସି ସ୍ଥାନ ରହିନଥାଏ, ସେହି ସମୟରେ ହିଁ ସେ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଆନ୍ତି, ଏହା ହିଁ ମନୁଷ୍ୟ ଜୀବନର ଏକମାତ୍ର ଅନ୍ତିମ ଧୈର୍ଯ୍ୟ ଅଟେ ଆଉ ଏଥିପାଇଁ ତାକୁ ନିରନ୍ତର ସାଧନ କରିବା ଦରକାର । ସେହି ସାଧନ ମଧ୍ୟରେ କିଛି ପ୍ରାରମ୍ଭିକ ସାଧନ ରହିଛି, ସାଧକଙ୍କୁ ବିଶେଷ ଧ୍ୟାନ ସହକାରେ ଏହି ସାଧନରେ ସଂଯୁକ୍ତ ହେବାକୁ ପଡିବ ।
୧— ଧ୍ୟାନସହିତ ନିଷ୍କାମଭାବରେ ପରମାତ୍ମାଙ୍କର ପାବନ ନାମ ନିରନ୍ତର ପ୍ରେମପୂର୍ବକ ଜପ କରିବା ଦରକାର ।
୨—ସତ୍ସଙ୍ଗ କରିବା ।
କ) ସତ୍ ଶାସ୍ତ୍ରର ବିଚାର
ଖ) ଭଗବାନଙ୍କର ଭକ୍ତ ଶ୍ରେଷ୍ଠପୁରୁଷଙ୍କର ଶ୍ରଦ୍ଧାଯୁକ୍ତ ସଙ୍ଗ କରିବାକୁ ହେବ ।
୩— ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଆଦିର ପାଳନ କରିବାକୁ ହେବ ।
୪— ନିଜ ଠାରୁ ବଡ ଏବଂ ସମକାଳୀକ ମୈତ୍ରୀ, ନୀଚ୍ଚ ଅବା ଦୀନଦୁଃଖୀଙ୍କ ଉପରେ ଦୟା, ଧର୍ମାତ୍ମା, ଭକ୍ତ ଓ ଶ୍ରେଷ୍ଠ ପୁରୁଷଙ୍କ ଆଚରଣକୁ ଦେଖି ଶୁଣି ପ୍ରସନ୍ନ ହେବା, ଦୁରାଚାରୀଙ୍କ ପ୍ରତି ଉପେକ୍ଷା ଭାବ ପୋଷଣ କରିବା ।
ଏହି ଚତୁଃ ସାଧନ ଦ୍ୱାରା ଅନ୍ତଃକରଣ ଅତି ଶୀଘ୍ର ଶୁଦ୍ଧି ହୋଇଯାଏ । ଏହା ଦ୍ୱାରା ତାହାର ଆନନ୍ଦର ଭଣ୍ଡାର ଉନ୍ମୁକ୍ତ ହୋଇଯାଏ ଆଉ ସେତେବେଳେ ସେ ତତ୍କାଳ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଏ । ତାଙ୍କ ଦୃଷ୍ଟିରେ ସର୍ବତ୍ର ଏକ ପରମାତ୍ମା ହିଁ ଦୃଶ୍ୟ ହୋଇଥାନ୍ତି ।
ପରମାତ୍ମ-ଜ୍ଞାନର ଅବିର୍ଭାବରେ ଭାସମାନ ଜନ୍ମ-ମୃତ୍ୟୁ ଆଦି ବିକାର ସମୂଳେ ନଷ୍ଟ ହୋଇଯାଏ, ସେହି ଠାରେ ତାହାର କର୍ତ୍ତବ୍ୟ ସବୁବେଳ ପାଇଁ ସମାପ୍ତି ହୋଇଯାଏ । ଏହା ମାନବ ଜୀବନର ପରମ ଉନ୍ନତି ଅଟେ, ପରମଗତି ଅଟେ ଆଉ ଏହା ହିଁ ଯଥାର୍ଥ କଲ୍ୟାଣ ଅଟେ । T

କଲ୍ୟାଣ ବ.୧୯୨୬, ସଂ ୪

One Comment

  1. Patitapaban ।। ପତିତପାବନ ।। पतितपावन Patitapaban ।। ପତିତପାବନ ।। पतितपावन May 1, 2021

    Jay jagannath 👏👏👏💐💐💐

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.