Press "Enter" to skip to content

ପାପ ଓ ପୁଣ୍ୟର ଖେଳ ‘ସାପ ଓ ସିଡ଼ି’:

Last updated on August 13, 2022

ଭାରତୀୟ ଦର୍ଶନର ବ୍ୟାବହାରିକ ଦୃଷ୍ଟାନ୍ତ


ଆମ୍ଭମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ବାଲ୍ୟକାଳରେ ‘ସାପ ଓ ସିଡ଼ି'(snake and ladder) ଖେଳିଥାଉ ଏବଂ ଏହାର ଆନନ୍ଦ ଉପଭୋଗ କରୁ । କିନ୍ତୁ ଏହି ଖେଳ ଠାରୁ ଖେଳ ସୃଷ୍ଟି ପଛରେ ଥିବା ପ୍ରୟୋଜନ ତଥା ତାତ୍ପର୍ଯ୍ୟ ଅଧିକ ଆକର୍ଷଣୀୟ ।
ସାପ ଓ ସିଡ଼ି ଖେଳ ହେଉଛି ଭାରତୀୟ ଜୀବନ ଦର୍ଶନର ଖେଳରେ ରୂପାନ୍ତରଣର ଏକ ପ୍ରକ୍ରିୟା । ହିନ୍ଦୁ ତଥା ଜୈନ ଦର୍ଶନକୁ ଏହି ଖେଳ ମାଧ୍ୟମରେ ପ୍ରକାଶ କରାଯାଇଅଛି । ପ୍ରଥମେ ଭାରତରେ ହିଁ ଏହି ଖେଳର ଉଦ୍ଭାବନ ହୋଇଥିଲା । ପ୍ରାଚୀନ ଭାରତରେ ଏହାକୁ ‘ମୋକ୍ଷପାତ’ ଭାବରେ ଉଲ୍ଲେଖ କରାଯାଇଛି । ବହୁ ପ୍ରାଚୀନ କାଳରୁ ଏହାର ସୃଷ୍ଟି ହୋଇଥିଲେ ମଧ୍ୟ ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀରେ ମରାଠି ସନ୍ଥ ଧ୍ୟାନେଶ୍ୱର ଏହାର ବହୁଳ ପ୍ରସାର କରିଥିଲେ । ପରବର୍ତ୍ତୀ ସମୟରେ ୧୮୯୨ ମସିହାରେ ବ୍ରିଟିଶ ମାନେ ଏହି ଖେଳକୁ ଇଂଲଣ୍ଡ ନେଇଥିଲେ ଏବଂ ‘snake and ladder’ ଭାବେ ନୂତନ ନାମକରଣ କରିଥିଲେ ।
ଏହି ଖେଳ ପ୍ରଚଳନର ଲକ୍ଷ୍ୟ — ଶିଶୁ ମାନଙ୍କୁ ମାନବୀୟ ମୂଲ୍ୟବୋଧ ତଥା ନୈତିକ ଭାବର ଶିକ୍ଷା ପ୍ରଦାନ କରିବା । ଖେଳରେ ବ୍ୟବହୃତ ବୋର୍ଡ ହେଉଛି ଜୀବନର ପ୍ରତୀକ, ଲୁଡୁଗୋଟି ମନୁଷ୍ୟର ପ୍ରତୀକ । ସିଡ଼ି ହେଉଛି ପୁଣ୍ୟ ତଥା ଆଦର୍ଶ ଗୁଣର ପ୍ରତୀକ, ଯାହା ସାହାଯ୍ୟରେ ପ୍ରତ୍ୟେକ ମାନବ ନିଜ ଜୀବନର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଅତିମାନବୀୟ ଚେତନା ସ୍ତରରେ ପହଂଚିପାରେ ଏବଂ ପୂର୍ଣ୍ଣତା ଲାଭ କରେ  । ଏହା ଚେତନାର ବିବର୍ତ୍ତନ ଧାରାର ନିଦର୍ଶନ । ଯୋଗୀ ଶ୍ରୀଅରବିନ୍ଦଙ୍କ ଦର୍ଶନ ଅନୁସାରେ, ଜୀବନର ଅନ୍ତିମ ଲକ୍ଷ୍ୟ ତଥା ପୃଥିବୀର ମାନବ ଜାତିର ଯେଉଁ କ୍ରମବିକାଶ ଚାଲିଛି ,ତାହାର ଶେଷ ହେଉଛି ପୂର୍ଣ୍ଣତା ପ୍ରାପ୍ତି ବା ମୁକ୍ତି । ମୁକ୍ତି ଅର୍ଥାତ, ଅଜ୍ଞାନ, ଅନ୍ଧକାର, ଦୁଷ୍କର୍ମ, ଦୁଶ୍ଚିନ୍ତାରୁ ମୁକ୍ତି । ଏହି ଖେଳରେ ଥିବା ସାପ ହେଉଛି ପାପ, ଦୁର୍ଗୁଣ, ଅଜ୍ଞାନ, ମୂର୍ଖତାର ପ୍ରତୀକ । ଏହି ଅଜ୍ଞାନ ରୂପୀ ସର୍ପ ମାନବକୁ ଗ୍ରାସ କରି ସମ୍ପୂର୍ଣ୍ଣ ଧୂଳିସାତ କରିଦିଏ ଏବଂ ନିମ୍ନସ୍ତରକୁ ଠେଲିଦିଏ, ଯେଉଁଠାରେ ମାନବ କେବଳ ଦୁଃଖ ଓ ଯନ୍ତ୍ରଣା ପାଏ । ନିଜ କର୍ମମୟ ଜୀବନରେ ସଫଳ ହେବା ନିମନ୍ତେ ଏହି ଅଜ୍ଞାନ ରୂପୀ ସର୍ପକୁ ହଟେଇ ପ୍ରଜ୍ଞାରୂପୀ ସିଡ଼ି ଦ୍ୱାରା ଉଚ୍ଚତମ ସ୍ତରକୁ ଉଠିବା ଆବଶ୍ୟକ । ଜୈନ ଦର୍ଶନରେ ଏହାକୁ ‘ପ୍ରଜ୍ଞାର ଖେଳ’ (game of wisdom) କୁହାଯାଏ ।
ଏହି ଖେଳର ୧୨ ନମ୍ବର ଘର ‘ବିଶ୍ୱାସ’, ୫୧-‘ଭରସା’, ୫୭-‘ଉଦାରତା’, ୭୬-‘ଜ୍ଞାନ’, ୭୮-‘ବୈରାଗ୍ୟ’କୁ ସୂଚାଏ । ଯେତେବେଳେ ଲୁଡୁଗୋଟି(ମାନବର ପ୍ରତୀକ) ଉପରୋକ୍ତ କୌଣସି ଘରେ ପ୍ରବେଶ କରେ, ତେବେ ସେ ନିଜ ଜୀବନ ପଥରେ ଉଚିତ ମାର୍ଗରେ ଅଗ୍ରସର ହୋଇ ଉର୍ଦ୍ଧ୍ୱମୁଖୀ ହୁଏ ।
ଠିକ ସେହିଭଳି ୪୧ ନମ୍ବର ଘର ‘ଅବଜ୍ଞା’, ୪୪-‘ଗର୍ବ’, ୪୯-‘ଅଶିଷ୍ଟତା’, ୫୨-‘ଚୋର ମନୋବୃତ୍ତି’, ୫୮-‘ମିଥ୍ୟା’, ୬୨-‘ମଦ୍ୟପାନ’,୬୯-‘ଋଣ’,୮୪-‘କ୍ରୋଧ’,୯୨-‘ଲୋଭ’,୯୫-‘ଅହଂକାର’,୭୩-‘ହତ୍ୟା’,୯୯-‘କାମପ୍ରବୃତ୍ତି’ ଆଦିକୁ ସୂଚାଏ । ଯେତେବେଳେ ମାନବ ଉପରୋକ୍ତ ନମ୍ବର ଥିବା କୌଣସି ଘରେ ପ୍ରବେଶ କରେ ତେବେ ସେ ତତ୍ କ୍ଷଣାତ ଜୀବନର ନିମ୍ନ ସ୍ତରକୁ ଖସିଆସେ ଏବଂ ଦୁଃଖ ଭୋଗ କରେ ।
ଶ୍ରୀକୃଷ୍ଣ ମଧ୍ୟ ଭଗବଦ ଗୀତାରେ କହିଛନ୍ତି,—
    “ଦମ୍ଭ ଦର୍ପ ଅଭିମାନଶ୍ଚ କ୍ରୋଧ ପାରୁଷ୍ୟମେବ ଚ,
     ଅଜ୍ଞାନ ଚ ଅଭିଜାତସ୍ୟ ପାର୍ଥ ସମ୍ପଦମାସୁରିମ ।”
ଅର୍ଥାତ ଗର୍ବ, ଅହଂକାର, ଅଭିମାନ, କ୍ରୋଧ, କାମ, ଅଜ୍ଞାନ, ନିଷ୍ଠୁରତା ଆଦି ଆସୁରିକ ଗୁଣ ମନୁଷ୍ୟକୁ ନୀଚ୍ଚ ସ୍ତରକୁ ନେଇଯାଏ ଏବଂ କୁମାର୍ଗରେ ପ୍ରେରିତ କରେ । ତେଣୁ ଏହି ସବୁ ଦୁର୍ଗୁଣର ତ୍ୟାଗ କରିବା ଉଚିତ ।
ଶେଷରେ ଏହି ଖେଳବୋର୍ଡ଼ର ସବୁଠାରୁ ଶୀର୍ଷରେ ଥାଏ ୧୦୦ ନମ୍ବର ଘର । ଯାହାର ଲୁଡୁଗୋଟି ଏହି ୧୦୦ ନମ୍ବର ଘରେ ପହଂଚିଯାଏ, ସେ ଆଉ କଦାପି ପଛକୁ ଫେରେ ନାହିଁ ଏବଂ ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ ହୋଇ ବିଜୟୀ ହୁଏ । ଏହି ୧୦୦ ନମ୍ବର ଘର ହେଉଛି ଭାରତୀୟ ଦର୍ଶନରେ ‘ନିର୍ବାଣ’ (liberation) ବା ‘ମୋକ୍ଷ’ର ପ୍ରତୀକ । ମନୁଷ୍ୟ ନିଜ ଜୀବନର ଏହି ସାପ ଓ ସିଡ଼ି ଖେଳରେ ସମସ୍ତ ଦୁଃଖ-ସୁଖର ମୁକାବିଲା କରି ବହୁବାର ଉପରକୁ ଉଠେ, ତଳକୁ ମଧ୍ୟ ଖସେ । ଏହି ଉଠିବା—ଖସିବା ମଧ୍ୟରେ ପ୍ରୟାସ ଜାରି ରଖି, ଯେତେବେଳେ ସେ ଉଚିତ କର୍ମ ଦ୍ୱାରା ୧୦୦ ନମ୍ବର ଘରେ ପ୍ରବେଶ କରେ, ସେତେବେଳେ ମନୁଷ୍ୟ ନିର୍ବାଣ ପ୍ରାପ୍ତ ହୁଏ । ନିର୍ବାଣର ଅର୍ଥ ପୂର୍ଣ୍ଣତା ଏବଂ ନିଜ ମଧ୍ୟରେ ଥିବା ଦିବ୍ୟତ୍ୱର ପରିପ୍ରକାଶ । ପୁରୁଷାର୍ଥର ଧର୍ମ, ଅର୍ଥ, କାମ, ମୋକ୍ଷକୁ ଗୋଟିଏ ପରେ ଗୋଟିଏ ହାସଲ କରି ଶେଷରେ ଏହି ନିର୍ବାଣ ପ୍ରାପ୍ତି ହିଁ ମନୁଷ୍ୟ ଜୀବନର ଅନ୍ତିମ ଲକ୍ଷ୍ୟ । ଏହି ଖେଳ ହେଉଛି ଅନ୍ନମୟ କୋଷରୁ ଆନନ୍ଦମୟ କୋଷ ପର୍ଯ୍ୟନ୍ତ ପ୍ରଗତିର ଏକ ଦୀର୍ଘ ଯାତ୍ରା । ଏଥିରେ ହିଁ ମାନବ ଜାତିର ବିବର୍ତ୍ତନ (evolution)ର ସାର୍ଥକତା ଅନ୍ତର୍ନିହିତ । T
ପ୍ରେରକ — ସତ୍ୟବ୍ରତ ପାଣିଗ୍ରାହୀ, ଗୁଣୁପୁର

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.