Press "Enter" to skip to content

ସନତ୍ସୁଜାତ ସମ୍ବାଦ- ୪
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ)

Last updated on August 13, 2022

ଧର୍ମ ଏବଂ ଅଧର୍ମଦ୍ୱାରା କିଏ କାହାର ଘାତକ ହୋଇଥାଏ?
ପୂର୍ବରୁ ଆମେ ପ୍ରମାଦକୁ ମୃତ୍ୟୁ କହିଅଛୁ ଅର୍ଥାତ୍ ମୃତ୍ୟୁର ସ୍ୱରୂପ ଏବଂ ପ୍ରମାଦୋକ୍ତ ବହୁ ଅନର୍ଥ ବିଷୟକୁ ସ୍ୱୀକାର କରିଅଛୁ । ପୁନଶ୍ଚ ଏକମାତ୍ର ଆତ୍ମଜ୍ଞାନ ଦ୍ୱାରା ଅଭୟପ୍ରାପ୍ତି ହୋଇଥାଏ, ଏହାକୁ ଦର୍ଶାଇଅଛୁ । ଏହିଭଳି ଭାବରେ ପ୍ରାସଙ୍ଗିକ ଶଙ୍କା ନିବୃତ୍ତି ଉପରାନ୍ତ, କର୍ମର ସ୍ୱରୂପ ଜିଜ୍ଞାସୁ ଧୃତରାଷ୍ଟ୍ର ପୁନଃ ପ୍ରଶ୍ନ କରୁଛନ୍ତି—
ଇହଲୋକରେ କେହିକେହି ପୁଣ୍ୟ କର୍ମାଚରଣ କରିଥାନ୍ତି ଏବଂ ଏହା ମଧ୍ୟ ଦୃଷ୍ଟ ହୁଏ ଯେ, କେହିକେହି ପାପ କର୍ମାନୁଷ୍ଠାନରେ ମଧ୍ୟ ନିରତ ରହନ୍ତି । ଏହି ଅବସ୍ଥାରେ ମୋର (ଧୃତରାଷ୍ଟ୍ର) ପଚାରିବାର କଥା ହେଲା, ଏହି ଉଭୟର ପରିଣାମ କଣ ? ଧର୍ମଦ୍ୱାରା ପାପ ଅଭିଭୂତ ହୁଏ ଅଥବା ପାପଦ୍ୱାରା ଧର୍ମ ପ୍ରତିହତ ହୁଏ ? 22
ଜୀବ ଏବଂ ବ୍ରହ୍ମ ଅଭିନ୍ନ ଅଟନ୍ତି । ଜଗତ୍‌ ମିଥ୍ୟା ଅଟେ । ବ୍ରହ୍ମଜ୍ଞାନ ଦେହାଦିରେ ଆତ୍ମାଭିମାନରୂପ ମୃତ୍ୟୁର ଘାତକ ବୋଲି କୁହାଯାଇଛି । କର୍ମଦ୍ୱାରା ମୃତ୍ୟୁର ବିନାଶ ହୁଏ, ଏଭଳି ସିଦ୍ଧାନ୍ତ ଅନୁସାରେ କ୍ରମମୁକ୍ତି ମାର୍ଗରେ ମୋକ୍ଷ ହୋଇଥାଏ ଏପ୍ରକାର କଥା ପୂର୍ବରୁ ମଧ୍ୟ ବର୍ଣ୍ଣନା କରାଯାଇଛି । କେହିକେହି ମୋକ୍ଷଲାଭାର୍ଥେ ଅଗ୍ନିହୋତ୍ରାଦି ଧର୍ମ ଅର୍ଥାତ୍ ପୁଣ୍ୟକର୍ମ ଆଚରଣ କରନ୍ତି ଅଥବା ଆଉ କେହି ସର୍ବକର୍ମ ପରିତ୍ୟାଗ ପୂର୍ବକ ସନ୍ନ୍ୟାସ ଅବଲମ୍ବନ କରନ୍ତି ଏବଂ କ୍ରମମୁକ୍ତି ଲାଭାର୍ଥେ ଉପାସନା ସହିତ କର୍ମ ଆଦିର ଅନୁଷ୍ଠାନ କରନ୍ତି ନାହିଁ । ଯେଉଁମାନେ ଏହିଭଳି ମହାନ୍‌ ଧର୍ମାନୁଷ୍ଠାନରେ ଅସମର୍ଥ ହୁଅନ୍ତି ଏବଂ ଅଳ୍ପମାତ୍ରାରେ ଅଗ୍ନିହୋତ୍ରାଦି ନିତ୍ୟ କର୍ମାନୁଷ୍ଠାନମାନ କରିଥାନ୍ତି, ସେମାନଙ୍କର ମଧ୍ୟ ସେହି ଧର୍ମ କିପ୍ରକାର ରାଗାଦି ଦ୍ୱେଷରୂପ ପ୍ରତ୍ୟବାୟ ଜନିତ ପାପଦ୍ୱାରା ବିନଷ୍ଟ ହୋଇଯାଏ ଅବା ଏହି ଧର୍ମ ହିଁ ପାପସମୂହକୁ ନଷ୍ଟ କରିଦିଅନ୍ତି ? ଏହା ହିଁ ଧୃତରାଷ୍ଟ୍ରଙ୍କର ଜିଜ୍ଞାସିତ ପ୍ରଶ୍ନ ।
ଅଜ୍ଞାନୀଗଣ ପାପ-ପୁଣ୍ୟ ଉଭୟର ଫଳଭୋଗ କରିଥାନ୍ତି । କିନ୍ତୁ ଜ୍ଞାନୀଗଣଙ୍କ ପକ୍ଷରେ ଜ୍ଞାନାଗ୍ନି ଦ୍ୱାରା ଏହି ଉଭୟର ବିନାଶ ଘଟେ । ସେଥିପାଇଁ ପରବର୍ତ୍ତୀ ଶ୍ଳୋକରେ ଧୃତରାଷ୍ଟ୍ରଙ୍କୁ ସନତ୍‌ସୁଜାତ ବୁଝାଇ କହୁଛନ୍ତି—
ପାପ-ପୁଣ୍ୟ କର୍ମାନୁଷ୍ଠାନ କରି ମଧ୍ୟ ଜ୍ଞାନୀଗଣ ଜ୍ଞାନବଳରେ ତାଙ୍କର ପୂର୍ବକୃତ ପାପ-ପୁଣ୍ୟ ସମୂହକୁ ବିନାଶ କରିଥାନ୍ତି । ଏହା ଶ୍ରୁତିରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଏହିଭଳି ସ୍ଥିତିବିହୀନ ଦେହାଭିମାନୀ, ଅଜ୍ଞାନୀ କେବେ ପୁଣ୍ୟଫଳ ଭାଗୀ ହୁଅନ୍ତି ଆଉ କେବେ ପୂର୍ବାନୁଷ୍ଠିତ ପାପଫଳ ଭୋଗ କରିଥାନ୍ତି । ଏହାମଧ୍ୟ ଶାସ୍ତ୍ରରେ ପ୍ରସିଦ୍ଧ ଅଟେ । 23
ଜ୍ଞାନୀମାନଙ୍କ ଦ୍ୱାରା ବାସ୍ତବରେ ପାପ କି ପୁଣ୍ୟର ଅନୁଷ୍ଠାନ ହୋଇନଥାଏ, କାହିଁକି ନାଁ ସେ ସବୁପ୍ରକାର କାମନା, ଆସକ୍ତି, ଅହଂକାର ଆଦିରୁ ବର୍ଜିତ ଅଟନ୍ତି । ତାଙ୍କର ଶରୀର ପ୍ରାରବ୍ଧବଶତଃ ଏସବୁ ଚେଷ୍ଟା କରିଥାଏ । ଜ୍ଞାନୀଙ୍କର ପାପ-ପୁଣ୍ୟ ଉଭୟ ଜ୍ଞାନ ଦଗ୍ଧ ହୋଇ ବିନଷ୍ଟ ହୁଏ ଆଉ ଅଜ୍ଞାନୀ ଉଭୟର ଭୋଗ କରିଥାଏ । ତାଙ୍କ ପାଇଁ ଗୋଟିଏ ଦ୍ୱାରା ଅପରଟି ବିନାଶ ହୋଇନଥାଏ ।
ଅଜ୍ଞାନୀ ପାପ-ପୁଣ୍ୟ ଉଭୟର ଫଳ ଭୋଗ କରିଥାନ୍ତି ଅଥବା ତାଙ୍କପାଇଁ ଗୋଟିଏ ଦ୍ୱାରା ଅପରଟି ବିନଷ୍ଟ ହୁଏ, ଏପ୍ରକାର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସନତ୍‌ସୁଜାତ କହୁଛନ୍ତି—
ଅଜ୍ଞାନୀ ପୁଣ୍ୟ-ପାପ ଆଦିର କର୍ମାନୁଷ୍ଠାନ ଲବ୍ଧ ଫଳ ପରଲୋକରେ ଭୋଗ କରିଥାଏ । ଏହିଫଳ ଅସ୍ଥିର ତଥା ଅବିନାଶୀ ଅଟେ, ହେଲେ ଜ୍ଞାନୀ କିନ୍ତୁ ଈଶ୍ୱର ଫଳାର୍ପଣ ବୁଦ୍ଧି କାରଣରୁ ଶୁଭକର୍ମ ସବୁ କରିଥାନ୍ତି ବୋଲି ତାଙ୍କଦ୍ୱାରା ତାଙ୍କର ସର୍ବପାପ ନାଶ ହୋଇଥାଏ । ବିଦ୍ୱାନ କର୍ମର ବିନିଯୋଗ ବିଧି ଉତ୍ତମରୂପେ ଜାଣନ୍ତି, ସେଥିପାଇଁ ପାପଠାରୁ ଅଧିକ ବଳବାନ୍‌ ତଥା ତଦନୁଷ୍ଠିତ ପୁଣ୍ୟକର୍ମ ପାପକୁ ବିନାଶ କରିଥାଏ ବୋଲି ଜାଣିବାକୁ ହେବ  ॥24
କେବଳ କର୍ମୀର ଶୁଭକର୍ମ ତଦ୍ରୂପ ବଳବାନ୍‌ ନୁହେଁ, ଅତଏବ ତାହାଙ୍କୁ ପାପ ଓ ପୁଣ୍ୟ ଉଭୟବିଧ କର୍ମଫଳ ଭୋଗିବାକୁ ପଡ଼େ । ଗୋଟିଏ ଦ୍ୱାରା ଅନ୍ୟଟି ବିନାଶ ହୁଏନାହିଁ, କିନ୍ତୁ ଅଜ୍ଞାନୀ ମଧ୍ୟ ଶୁଭ କର୍ମ କରିକରି କାଳକ୍ରମେ ବିଷୟଭୋଗରେ ଅର୍ଥାତ୍‌ ରାଗାଦି ଦୋଷ ପରିହାର ପୂର୍ବକ ଧୀରେଧୀରେ ମୋକ୍ଷମାର୍ଗ ଆଡ଼କୁ ଅଗ୍ରସର ହୋଇଥାଏ । ଧର୍ମ ଅର୍ଥାତ୍‌ ପୁଣ୍ୟକର୍ମ ଜ୍ଞାନମାର୍ଗର ବାଧକ ନୁହେଁ । ଏହା ମୋକ୍ଷଲାଭ ପଥକୁ କ୍ରମଶଃ ସୁଗମ କରିଦିଏ ।
ଅଧିକାରୀ ଭେଦରେ ଧର୍ମ ଅର୍ଥାତ୍‌ ପୁଣ୍ୟକର୍ମାନୁଷ୍ଠାନ ସ୍ୱର୍ଗାଦି ଫଳଭୋଗ ବା ଜ୍ଞାନଲାଭ—ଉଭୟର ସାଧନ ଅଟେ ।
ତାହାହେଲେ, କର୍ମ କାହାକୁ ସ୍ୱର୍ଗାଦିର ପ୍ରାପ୍ତି ଜନିତ ସାଧନ ଏବଂ ଅନ୍ୟ କାହାକୁ ଚିତ୍ତ ଶୁଦ୍ଧିର ସାହାଯ୍ୟ ନେଇ ତତ୍ତ୍ୱଜ୍ଞାନର ସାଧନ, ଏହା ଜାଣିବା ନିମନ୍ତେ ସନତ୍‌ସୁଜାତ ପରବର୍ତ୍ତୀ ଦୁଇଟି ଶ୍ଳୋକ କହିଛନ୍ତି ।
କୌଣସି ବଳବାନ୍‌ ରାଜା ଯେଉଁଭଳି ଅନ୍ୟ ବଳବାନ୍‌ ରାଜାଙ୍କଠାରୁ ଅଧିକା ବଳ ସଞ୍ଚୟ କରିଥାନ୍ତି ଏବଂ ତାଙ୍କୁ ପରାଜିତ କରିବାକୁ ଇଚ୍ଛା କରନ୍ତି, ସେହିଭଳି ଯାହାଙ୍କର ଧର୍ମକର୍ମରେ ଏବଂ ପରପରିଭବେଚ୍ଛା ବିଦ୍ୟମାନ ଥାଏ । ତାଙ୍କର ମୃତ୍ୟୁପରେ ସ୍ୱର୍ଗଲୋକରେ ନକ୍ଷତ୍ର ଆଦିଙ୍କ ଭଳି ଜ୍ୟୋତିର୍ମୟ ଦେହ ପ୍ରାପ୍ତି ହୁଏ । 25
ଫଳାସକ୍ତି ରହିତ ସେହି ଦିବ୍ୟଗଣ ଧୂମ ମାର୍ଗରେ ସ୍ୱର୍ଗଲୋକ ପ୍ରାପ୍ତ ହୋଇ ନକ୍ଷତ୍ର ଆଦିଙ୍କ ଭଳି ପ୍ରକାଶମୟ ଦେହକୁ ପ୍ରାପ୍ତ ହୁଅନ୍ତି । ଏ ସମ୍ପର୍କରେ ଶ୍ରୁତି ମଧ୍ୟ ପ୍ରମାଣ ଦେଇଅଛନ୍ତି କି, ଯେଉଁ କର୍ମକାଣ୍ଡୀ ଇଚ୍ଛାପୂର୍ତ୍ତ ଦାନାଦି ରୂପ କର୍ମସହ ଉପାସନା କରନ୍ତି, ସେମାନେ ଧୂମ ମାର୍ଗକୁ ପ୍ରାପ୍ତ ହୁଅନ୍ତି । ସେମାନେ ପ୍ରକାଶମାନ ସୋମଦେବତାଙ୍କର ଅନ୍ନ ଯାହାକୁ ଦେବଗଣ ଭକ୍ଷଣ କରନ୍ତି, ତାକୁ ପ୍ରାପ୍ତ ହୁଅନ୍ତି । ସେଠାରେ ସେମାନେ କର୍ମକ୍ଷୟ ହେଲା ପର୍ଯ୍ୟନ୍ତ ନିବାସ କରି ପୁନରାୟ ଏହି ମାର୍ଗରେ ପୃଥିବୀଲୋକକୁ ଅର୍ଥାତ୍‌ ଧରାରେ ଜନ୍ମଗ୍ରହଣ କରିଥାନ୍ତି, ଖାଲି ସେତିକି ନୁହେଁ, ସ୍ୱକର୍ମାନୁଯାୟୀ ଉତ୍କୃଷ୍ଟ ବା ଅପକୃଷ୍ଟ ଜୀବ ଦେହ ଧାରଣ କରନ୍ତି । କେଉଁଭଳି ଭାବେ ଧର୍ମ ଅର୍ଥାତ୍‌ ପୁଣ୍ୟକର୍ମ ସ୍ୱର୍ଗାଦି ଫଳଭୋଗର ସାଧନ, ତାହା ଏହି ଶ୍ଳୋକରେ ବର୍ଣ୍ଣନା କରାଯାଇଛି ।
ଶୁଦ୍ଧ କର୍ମ ଚିତ୍ତ ଶୁଦ୍ଧିଦ୍ୱାରା ଜ୍ଞାନର ମଧ୍ୟ ସାଧନଠାରୁ ଊର୍ଦ୍ଧ୍ୱରେ ତାହାକୁ ବୁଝାଇ କହୁଛନ୍ତି—
ଧର୍ମାଚରଣରେ ଯାହାଙ୍କର ଅର୍ଥାତ୍‌ ବିଷୟ ଅନାକୃଷ୍ଟ ଚିତ୍ତ ଜ୍ୟୋତିଷ୍ଟୋମ ଆଦି ପୁଣ୍ୟକର୍ମ ଅନୁଷ୍ଠାନଦ୍ୱାରା ଯାହା ସାଧିତ ହୁଏ, ସେ ପରପରିଭବେଚ୍ଛାକୁ ତ୍ୟାଗକରି ଉକ୍ତ ଧର୍ମକର୍ମକୁ ଜ୍ଞାନର ସାଧନ ବୋଲି ବୁଝିଥାନ୍ତି, ସେମାନେ ଇହଲୋକରୁ ନେଇ ପ୍ରୟାଣ ପର୍ଯ୍ୟନ୍ତ ତ୍ରିବିଷ୍ଟପ ନାମକ ସ୍ୱର୍ଗକୁ ଗମନ କରିଥାନ୍ତି ।
ଫଳ ନିରପେକ୍ଷ ଈଶ୍ୱରାର୍ପିତ କର୍ମାନୁଷ୍ଠାନ ଦିଗକୁ ଯାହା ନିଏ, ତାହାକୁ ପରପରିଭବେଚ୍ଛା ଇଚ୍ଛାଶୂନ୍ୟ ବୋଲି କୁହାଯାଏ ।
ଚିତ୍ତ ଶୁଦ୍ଧିଦ୍ୱାରା ଜ୍ଞାନର ସାଧନ ହୋଇଥାଏ । ତାହାକୁ ଧର୍ମକର୍ମ କୁହାଯାଏ ।
ଚିତ୍ତ ଶୁଦ୍ଧିଦ୍ୱାରା ଅର୍ଥାତ୍‌ ପୂଣ୍ୟ ସାହାଯ୍ୟରେ ପାପ ପରାଭୂତ ହୋଇ ସେମାନେ ଜ୍ଞାନଲାଭରେ ଦେଦୀପ୍ୟମାନ ହୋଇଉଠନ୍ତି ବୋଲି ସନତ୍‌କୁମାର ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି ।
ତ୍ରିବିଷ୍ଟପ କହିଲେ, ଅନ୍ୟ ସ୍ୱର୍ଗଲୋକଠାରୁ ବିଲକ୍ଷଣ ଅଟେ । ତ୍ରବିଷ୍ଟପ—ଆଧ୍ୟାତ୍ମିକାଦି ତାପତ୍ରୟ, ସତ୍ତ୍ୱାଦି ଗୁଣତ୍ରୟ, ଜାଗ୍ରତ ଆଦି ଅବସ୍ଥାତ୍ରୟ ଠାରୁ ସ୍ୱ-ସ୍ୱରୂପରେ ଅବସ୍ଥିତ ବ୍ୟକ୍ତିଙ୍କୁ ଯିଏ ପାଳନ କରନ୍ତି, ତାଙ୍କୁ ବୁଝାଯାଏ ।
ସ୍ୱର୍ଗସୁଖ ଅର୍ଥାତ୍‌ ପୂର୍ଣ୍ଣାନନ୍ଦ ସ୍ୱରୂପ ବ୍ରହ୍ମ :
ଚିତ୍ତ ଶୁଦ୍ଧିଦ୍ୱାରା ଈଶ୍ୱରାର୍ପିତ କର୍ମ କ୍ରମରେ ଜ୍ଞାନର ସାଧନ କିଭଳି ହୁଏ, ତାହା ଆଚାର୍ଯ୍ୟ ସୁରେଶ୍ୱର ନିମ୍ନ ପ୍ରକାରେ ନୈଷ୍କର୍ମ୍ୟ ସିଦ୍ଧିରେ ବର୍ଣ୍ଣନା କରିଅଛନ୍ତି ।(୧/୪୯)—ଯେହେତୁ ନିତ୍ୟକର୍ମ ଅନୁଷ୍ଠାନର ବିଶେଷ ମହିମା ରହିଛି, ତେଣୁ ଚିତ୍ତ ଶୁଦ୍ଧି ନିମନ୍ତେ ତାହାକୁ ସର୍ବଦା ଅନୁଷ୍ଠାନ କରିବା କର୍ତ୍ତବ୍ୟ । ନିତ୍ୟକର୍ମ ଅନୁଷ୍ଠାନଦ୍ୱାରା, ଧର୍ମୋତ୍ପତ୍ତିଦ୍ୱାରା, ଚିତ୍ତ ଶୁଦ୍ଧି ଅର୍ଥାତ୍‌ ଚିତ୍ତର ବିବେକ କ୍ଷମତା ବୃଦ୍ଧି ହୁଏ । ତାପରେ ସଂସାରରେ ଅନିତ୍ୟତ୍ୱ ଆଦିର ଦୋଷ ଦର୍ଶନ ହୁଏ । ତାପରେ ବୈରାଗ୍ୟ, ମୁମୁକ୍ଷୁତ୍ୱ, ଉପାୟ ଅନ୍ୱେଷଣ, ସର୍ବକର୍ମ ଓ ତତ୍‌ସାଧନ ତ୍ୟାଗ, ଯୋଗାଭ୍ୟାସ ଅର୍ଥାତ୍‌ ଶ୍ରବଣ, ମନନ ଓ ନିଦିଧ୍ୟାସନ ପ୍ରଭୃତିର ଅନୁଷ୍ଠାନ କରି ଚିତ୍ତର ପ୍ରତ୍ୟେକ୍‌ପ୍ରବଣତା ଯାହାକୁ ଅନାୟାସରେ ପ୍ରତ୍ୟଗାତ୍ମାରେ ଅବସ୍ଥାନ କରିବା କୁହାଯାଏ, ତାହା ଲାଭ ହୁଏ । ତାପରେ ତତ୍ତ୍ୱମସି ପ୍ରଭୃତି ବାକ୍ୟାର୍ଥ ପରିଜ୍ଞାନ ବା ସାକ୍ଷାତ୍କାର ହୁଏ । ତାପରେ ଅବିଦ୍ୟା ଉଚ୍ଛେଦ ଏବଂ ଆତ୍ମସ୍ୱରୂପ ଅବସ୍ଥିତି ହୁଏ । ଶ୍ରୁତି କହନ୍ତି, ବ୍ରହ୍ମବିତ୍‌ ବ୍ରହ୍ମ ହୋଇଥାନ୍ତି । ଏହିଭଳି ଭାବରେ ପରସ୍ପରର ସାହାଯ୍ୟନେଇ କର୍ମ ଅବିଦ୍ୟା ନିବୃତ୍ତିର କାରଣ ହୋଇଯାଏ । କିନ୍ତୁ ଜ୍ଞାନଭଳି ସାକ୍ଷାତ୍‌ ଅବିଦ୍ୟା ନିବାରକ ହୁଏନାହିଁ, କାରଣ କର୍ମ ଅବିଦ୍ୟାର ବିରୋଧୀ ନୁହେଁ ।
ଜ୍ଞାନର ଆଭରଣ
ଏଠାରେ ବିଦ୍ୱାନମାନଙ୍କର ଆଚରଣକୁ ବର୍ଣ୍ଣନା କରାଯାଇଛି ।
ବେଦବେତ୍ତାଗଣ ସେହି ବିଦ୍ୱାନଙ୍କର ବିଷୟରେ କହିଥାନ୍ତି କି, ଏହିଭଳି ତତ୍ତ୍ୱବେତ୍ତା ଜ୍ଞାନୀ ସ୍ୱଗୃହରେ ଆତ୍ମୀୟ କୁଟୁମ୍ବମାନଙ୍କୁ ନେଇ ସମାଦୃତ ହୋଇପାରନ୍ତି ନାହିଁ ଏବଂ ଅନାତ୍ମୀୟ ଜନଗଣଙ୍କଦ୍ୱାରା ଉପେକ୍ଷିତ ହୋଇଥାନ୍ତି ।
ବସ୍ତୁତଃ ବାହ୍ୟ ଆଚରଣ ଦୃଷ୍ଟିରୁ ଜ୍ଞାନୀଙ୍କୁ କେହିହେଲେ ଜାଣିବାକୁ ସକ୍ଷମ ନୁହଁନ୍ତି, କାରଣ ଜ୍ଞାନ ସ୍ୱ-ସମ୍ବେଦ୍ୟ, ପରସମ୍ବେଦ୍ୟ ନୁହେଁ । ବାହ୍ୟ ଆଚରଣଦ୍ୱାରା ତାହାକୁ କେବଳ ଆକଳନ କରାଯାଏ । ଅନୁମାନ ମଧ୍ୟ ଭ୍ରାନ୍ତ ହୋଇପାରେ । କିନ୍ତୁ ଜ୍ଞାନୀର ଲକ୍ଷଣ ନିରୂପଣ କରାଯାଏ ନାହିଁ ।
ବ୍ରହ୍ମବେତ୍ତା ପୁରୁଷଗଣଙ୍କର କୌଣସି ବାହ୍ୟ ନିର୍ଦ୍ଦିଷ୍ଟ ଲକ୍ଷଣ ନଥାଏ, ତେବେ ତତ୍ତ୍ୱବିତ୍‌ କିପରି ତାହା କୁହାଯାଇପାରେ । ବ୍ରହ୍ମ ଯେଉଁଭଳି ହୋଇଥାନ୍ତି, ଜ୍ଞାନ ପ୍ରଭାବରେ ବିଦ୍ୱାନ ମଧ୍ୟ ସେହିଭଳି ହୋଇଥାନ୍ତି । ଅତଏବ ସମ୍ୟକ୍‌ ଜ୍ଞାନ ମଧ୍ୟ ବିଦ୍ୱାନର ଲକ୍ଷଣ ବୋଲାଏ ।
କ୍ରମଶଃ…
BB

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.