Press "Enter" to skip to content

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୫
ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ
(ବେଦାନ୍ତ ବୋଧକ ଛନ୍ଦାବଳୀର ସରଳତମ ଅର୍ଥ ସହ ବ୍ୟାଖ୍ୟା )

Last updated on August 13, 2022

୧୧ଶ ପଦର ଆଗକୁ …..
ବ୍ୟାଖ୍ୟା :— ଆମେ ଆତ୍ମା ଏବଂ ଜଗତ୍‌ ସମ୍ବନ୍ଧରେ ସତ୍ୟଜ୍ଞାନ ଲାଭ ଉଦ୍ଦେଶ୍ୟରେ ଧ୍ୟାନ, ବିଚାର ଏବଂ ସଂଯମତା ଆଦି ଆଚରଣ କରୁ ହେଲେ ଯଦି ଏସବୁକୁ ସଠିକ୍‌ ରୂପେ କରି ନ ପାରୁ ତେବେ ଏହା ଆମ ମଧ୍ୟରେ ସତ୍‌ଜ୍ଞାନର ଉଦ୍ରେକ କରିପାରିବ ନାହିଁ । ଜ୍ଞାନ ଉଦ୍ରେକ ନହେଲେ ଆମର କଲ୍ୟାଣ ସାଧିତ ହେବନାହିଁ । ତେବେ ସାଂସାରିକ ସୁଖର ଅନ୍ତିମ ପରିଣାମ କଣ ହେବ ? ଏହି ସୁଖ କଣ ନିତ୍ୟସୁଖରେ ପରିଣତ ହୋଇପାରିବ ନାଁ କେବଳ କ୍ଷଣିକ ସୁଖର ଆଭାସ ଦେବ ? ଏସବୁୁକୁ ପ୍ରତ୍ୟକ୍ଷ ଅନୁଭବରେ ନଆଣିଲେ ଅବିଦ୍ୟାଜନିତ କ୍ଳେଶ ତ ନିଶ୍ଚିତରୂପେ ଭୋଗ କରିବାକୁ ପଡ଼ିବ । କେବଳ ଶାସ୍ତ୍ର ଶୁଣିଲେ, ପଢ଼ିଲେ କି ସତ୍‌ସଙ୍ଗ କଲେ ‘ମୁଁ’ ଆଉ ‘ମୋର’ଭାବ ଜନିତ କ୍ଳେଶ ଦୂର ହୁଏନାହିଁ । ଏକମାତ୍ର ସାଧନା ଦ୍ୱାରା ଏସବୁକୁ ଅନୁଭବରେ ଆଣିବାପାଇଁ ହେବ । ତେବେଯାଇ ସତ୍‌ପ୍ରେରଣା ମିଳିପାରିବ । ଅଳ୍ପ କ୍ଳେଶ ପାଇବାପରେ ବି ଏସବୁଥିରୁ ଆମେ ନିଜକୁ ମୁକ୍ତ କରିପାରିବା ।
ସ୍ୱଳ୍ପମାତ୍ରାରେ ଯଦି ସାଂସାରିକ ସୁଖକୁ ଆମେ ଭୋଗ କରୁ, ତେବେ ତାହାର ବନ୍ଧନ ଏତେ ଶକ୍ତ ଯେ, ଆମକୁ ତଦ୍‌ଜନିତ ସୁଖର ଅନିତ୍ୟତା ସମ୍ପର୍କରେ ଅବଗତ ହେବାକୁ ଦେବନାହିଁ । ସତ୍‌ଜ୍ଞାନର ଅବଗତି ନିମନ୍ତେ ପ୍ରୟାସୀ ହେବାପରେ ବି ଆମେ ସ୍ମୃତିହୀନ ହୋଇ ପୁନର୍ବାର ପୂର୍ବ ଅଭ୍ୟାସ କାରଣରୁ କ୍ଷଣିକ ସୁଖ ପାଇଁ ପ୍ରେରିତ ହୋଇଯାଉ । ଆମକୁ ବିଚାର କରିବା ନିମନ୍ତେ ସୁଯୋଗ ବି ମିଳେନାହିଁ । ମାନ, ଦ୍ୱେଷ, ରାଗ, ସଂଶୟ ଆଦି ବନ୍ଧନ ଆମ ମତିକୁ ଏବଂ ସ୍ମୃତିକୁ ହରଣ କରିନିଏ । ଏସବୁ ଏକାନ୍ତରେ ବସିରହିଥିବା ବ୍ୟକ୍ତିଙ୍କୁ ନିଶ୍ଚିତରୂପେ ଅନୁଭବ ହୋଇଥାଏ ।
ଅତଃ ଆମକୁ ମନେରଖିବା ଆବଶ୍ୟକ କି, ଦୈନନ୍ଦିନ ଜୀବନରେ ଆମେ କର୍ମରତ ହେବାପରେ ମଧ୍ୟ ମନକୁ ସର୍ବଦା ଜାଗ୍ରତ ରଖିବା, ଯାହାକୁ ସ୍ମୃତି କୁହାଯାଏ । ଅର୍ଥାତ୍‌ ମନକୁ ସଠିକ୍‌ ସ୍ଥାନରେ ରଖି ସମସ୍ତ କର୍ମ ସମ୍ପାଦନ କରିବା । ଫଳରେ ଆମ ଭିତରେ ଆଉ ମାନ, ଦ୍ୱେଷ, କ୍ରୋଧ, କାମ ଏସବୁ ଉଙ୍କିମାରିବ ନାହିଁ । କାରଣ ଏସବୁ ଆମ ବିଚାରକୁ ହରଣ କରିନେଇ ପୁନଃ ଆମକୁ ବିପଥଗାମୀ କରାଇଦିଅନ୍ତି । ଏଥିପାଇଁ ଯଦି ବି ଆମେ ମାନ, ଅପମାନ, ଦ୍ୱେଷାଦି ବନ୍ଧନରୁ ମୁକ୍ତ ବୋଲି ମନେ ମନେ ଭାବିନେଉ ଆଉ ମନକୁ ଜାଗ୍ରତ ନ ରଖୁ କିମ୍ବା ସାଧନାରେ ଅବହେଳା କରୁ, ତେବେ ଏହା ଆମର ଅଗ୍ରଗତିକୁ ବାଧିତ କରି ଆମକୁ ନିମ୍ନଗାମୀ କରାଏ । ଅତଃ ମନର ଜାଗ୍ରତ ଅବସ୍ଥା ଏବଂ ସାଧନାର ତତ୍ପରତା ଉଭୟେ ଆମକୁ ଉଚ୍ଚତର ସ୍ଥିତିରେ ଉପନୀତ କରାଇଥାନ୍ତି ।
ଲୁପ୍ତ ମତି ସ୍ମୃତି ରହୀ, ହୁଆ ଅନ୍ଧକାର,
ଅଭାବ କୋ ପ୍ରତୀତ କର, ଜାଗେ ସଂସ୍କାର ।
ଜଗ ମେଁ ବନା ରହନେ କା ଜୋ ସହଜ ‘ମୁଁ’ କା ଭାବ,
ଆକ୍ଷିପ୍ତ କରେ ‘ନାମ ରୂପ’, ‘କରଣ ମରଣ’ ସ୍ରାବ ।।୧୨।।

ଶ୍ଳୋକାର୍ଥ :— ମତି ଏବଂ ସ୍ମୃତି ଲୁପ୍ତ ହୋଇଗଲେ ଚତୁର୍ଦ୍ଦିଗରେ ଅନ୍ଧକାର ଘୋଟିଯାଏ । ଯାହାର ଅଭାବ କାରଣରୁ ସଂସ୍କାର ସବୁ ଜାଗିଉଠେ । ଜଗତରେ ରହିବାର ଏହି ଯେଉଁ ‘ମୁଁ’ର ଭାବ ଏହା ନାମ, ରୂପ, କାର୍ଯ୍ୟରେ ମନୁଷ୍ୟକୁ ଲିପ୍ତକରି ମରଣ ଅନନ୍ତର ପୁନର୍ବାର ଜଗତକୁ ଆଣିଥାଏ ।
ଭାବାର୍ଥ :— ଯଦି ମରଣ କାଳରେ ମନୁଷ୍ୟର ମତି ଏବଂ ସ୍ମୃତି ଲୁପ୍ତ ହୋଇଯାଏ ଅଥବା ଯତ୍ନର ସହିତ ସେ ଏହାକୁ ଜାଗ୍ରତ କରିପାରେ ନାହିଁ, ଏପରିକି ଯଦି ବି ଜୀବନରେ ଦୁଃଖର ଆଧିକ୍ୟ କାରଣରୁ କିଛି ସ୍ମୃତି ଜାଗିଉଠେ, ହେଲେ ମରଣକାଳର ମୃତ୍ୟୁଜନିତ ଦୁଃଖ ତାହାକୁ ମଧ୍ୟ ଭୁଲାଇଦିଏ, ତେବେ ଏହି ଅବିଦ୍ୟା ମନୁଷ୍ୟକୁ ମରଣ ଅନନ୍ତର ପୁନଃ ଜନ୍ମ ନେବାପାଇଁ ବାଧ୍ୟ କରିଦିଏ । ଏଥିପାଇଁ ମନୁଷ୍ୟର ଏ ଜଗତରେ ଯେଉଁ ନାମ, ରୂପ, କାର୍ଯ୍ୟ ଆଦି ରହିଛି ସେ ସବୁ ତାର ‘ମମତ୍ୱ’ ଭାବ କାରଣରୁ ହିଁ ଜାଗ୍ରତ ହୋଇଥାଏ । ଯଦ୍ଦ୍ୱାରା ମରଣୋନ୍ମଖୀ ହେବାମାତ୍ରେ ମନୁଷ୍ୟ ମତି, ସ୍ମୃତି ରହିତ ହୋଇ ଆବାଗମନ ଚକ୍ରରେ ପତିତ ହୁଏ । ଏଥିପାଇଁ କୁହାଯାଇଛି, ମରଣ କାଳରେ ଯେପରି ମତି ଏବଂ ସ୍ମୃତି ଜାଗ୍ରତ ରହନ୍ତି, ସେଥିପାଇଁ ମନୁଷ୍ୟକୁ ପ୍ରଯତ୍ନଶୀଳ ହେବା ଆବଶ୍ୟକ ।
ବ୍ୟାଖ୍ୟା :— ଜୀବନ କାଳରେ ଯଦି ଆମେ ମତି ଏବଂ ସ୍ମୃତି ରହିତ ହେଉ ତେବେ ଏକାନ୍ତରେ ଅର୍ଥାତ୍‌ ଅନ୍ୟମାନଙ୍କ ସଙ୍ଗରହିତ ହୋଇ ଜୀବନ ଧାରଣ କରିବା ଅବା ସମୟ ଅତିବାହିତ କରିବା ଆମପାଇଁ ଅତ୍ୟନ୍ତ ଦୁଷ୍କର ହୋଇଉଠେ, ଏହି ସତ୍ୟକୁ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି । ଅଧୁନା ଏହି ଶ୍ଳୋକରେ ବର୍ଣ୍ଣିତ ହୋଇଛି ଯେ, ଯଦି ମରଣ କାଳରେ ବି ଆମେ ମତି କି ସ୍ମୃତି ରହିତ ହୋଇଯାଉ ତେବେ ଆମର କି ଗତି ହେବ । ଯେମିତି ଜୀବନକାଳରେ ମତି, ସ୍ମୃତି ବିହୀନ ହେଲେ ଆମକୁ ଜଗତର ଶରଣ ନେବାକୁ ହୁଏ, ଠିକ୍‌ ସେହିପରି ମରଣ କାଳରେ ଏହାର ଅଭାବରେ ଆମକୁ କିଛି ନାଁ କିଛି କାର୍ଯ୍ୟ କରିବାପାଇଁ ପୁନର୍ବାର ଜଗତକୁ ଆସିବାପାଇଁ ପଡ଼ିବ । ଅର୍ଥାତ୍‌ ନିଜ ମଧ୍ୟରେ ଆମେ ସୁଖ କି ଶାନ୍ତି ନପାଇପାରିବା କାରଣରୁ ଆମକୁ ପୁନର୍ବାର ଜନ୍ମ ନେବାକୁ ପଡ଼ିବ । ନିଜର ବାଧାବିଘ୍ନକୁ ଦୂର କରିବାପାଇଁ ବାଧ୍ୟହୋଇ ଆମେ ବାଲ୍ୟାବସ୍ଥାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଅନେକ ପ୍ରକାରେ କର୍ମରେ ପ୍ରବୃତ୍ତ ହେଉ । ସେ ସମସ୍ତ କର୍ମ ଆମ ସ୍ମୃତିପଟ୍ଟରେ ଅନେକ ପ୍ରକାର ଦୃଶ୍ୟ ଉତ୍ପନ୍ନ କରନ୍ତି, ଫଳରେ ମରଣ କାଳରେ ସେ ସବୁ ଉଜ୍ଜୀବିତ ହୋଇଉଠେ ଆଉ ଆମେ ସେ ସବୁକୁ ସ୍ମରଣ କରିକରି ମୃତ୍ୟୁବରଣ କରୁ । ଯେହେତୁ ଆମେ ମତିବିହୀନ ହୋଇଥାଉ, ସେଥିପାଇଁ କିଛି ବି ଆମ ଅଧୀନରେ ନଥାଏ । ଯେଉଁ ସମୟରେ ଅବିଦ୍ୟା କୌଣସି ସଂସ୍କାରକୁ ଜାଗ୍ରତ କରିଦିଏ, ଆମକୁ ସଙ୍ଗେସଙ୍ଗେ ସେଠାରେ ସଂସ୍କାର ଅନୁସାରେ ଶରୀର ଆଉ ଇନ୍ଦ୍ରିୟଗଣ ମଧ୍ୟ ପ୍ରାପ୍ତ ହୋଇଯାନ୍ତି । ଫଳତଃ ପଶୁ-ପକ୍ଷୀ, କୀଟ-ପତଙ୍ଗ ପର୍ଯ୍ୟନ୍ତ ଯେକୌଣସି ଯୋନିରେ ବି ଆମେ ଉତ୍ପନ୍ନ ହେବାର ସମ୍ଭାବନା ଦେଖାଦିଏ । ପ୍ରକୃତରେ ଏ ସଂସାର ବଡ଼ ଭୟଙ୍କର ଅଟେ । ଏଥିପାଇଁ ମୃତ୍ୟୁ ସମୟରେ ଆମେ ଯେପରି ମତି କିମ୍ବା ସ୍ମୃତିହୀନ ହୋଇ ନମରୁ, ସେଥିପାଇଁ ଆମକୁ ଜୀବନକାଳରେ ପ୍ରଯତ୍ନ କରିବାକୁ ହେବ ।
ଏହି ଅବିଦ୍ୟା କାରଣରୁ କୌଣସି ଜ୍ଞାନର ପ୍ରକାଶ ହୋଇପାରେନାହିଁ, ଯାହା ଦୁଃଖରୂପେ ପ୍ରତୀତ ହୁଏ । ଏହିଭଳି ସ୍ଥିତିରେ ନିଜର ବିନାଶ ହେବା କଥା ମନକୁ ଆସେ ଯାହା ଦୁଃଖରୂପେ ଅନୁଭବ ହୁଏ । ତାପରେ ଦୁଃଖ ଆମ ଭିତରର ସଂସ୍କାରକୁ ଜାଗ୍ରତ କରି ପୂର୍ବ ଜ୍ଞାନସମୂହକୁ ଉଦ୍ରେକ କରିଦିଏ, ଫଳରେ ଅଳ୍ପମାତ୍ରାରେ ଦୁଃଖ ଲାଘବ ହୋଇଯାଏ । ଜ୍ଞାନ ଜାଗ୍ରତ ହେବାଫଳରେ ନିଜର ସ୍ଥିତି ସମ୍ବନ୍ଧରେ ଆଭାସ ହୁଏ । ବିନାଶର ଶଙ୍କା କିଛି ସମୟ ପାଇଁ ଦୂର ହୋଇଯାଏ । ଧୀରେଧୀରେ ଜଗତରେ ଅନେକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ଆମକୁ ଆନନ୍ଦ ଲାଗେ । ଯଦ୍ଦ୍ୱାରା ସମସ୍ତ ବସ୍ତୁର ସ୍ୱରୂପ ଏବଂ ନାମ ସଂସ୍କାର ସୃଷ୍ଟି ହୁଏ । ଏ ସବୁ ନାମରୂପ ଜଗତକୁ ପୁନର୍ବାର ଗ୍ରହଣ କରିବାପାଇଁ ଇନ୍ଦ୍ରିୟଗଣଙ୍କର ରଚନା ହୁଏ । ଏସବୁ ଅବିଦ୍ୟାରୁ ଉତ୍ପନ୍ନ ହୁଏ । ଏହା ସହିତ ପୁନଃ ଭୋଗସାଧନ ଶରୀରର ମଧ୍ୟ ଉତ୍ପତ୍ତି ହୁଏ । ଜନ୍ମ ଗ୍ରହଣ କରିବା ପରେ କୌଣସି ବସ୍ତୁ ଅବା ପ୍ରାଣୀ କଦାପି ସମାନ ଭାବରେ ଚିରକାଳ ପାଇଁ ତିଷ୍ଠି ରହିପାରେ ନାହିଁ । ଶେଷରେ ପରିବର୍ତ୍ତିତ ହେବା ସହିତ ସମାପ୍ତ ହୁଏ ଅର୍ଥାତ୍‌ ମରିଯାଏ । ମରିଯିବା ପରେ ସମ୍ପୂର୍ଣ୍ଣରୂପେ ବିନାଶ ତ ହୁଏନାହିଁ । ଏଥିପାଇଁ ସ୍ୱଭାବତଃ ତିଷ୍ଠି ରହିବାର ଭାବ ଆମକୁ ଯେଉଁଭଳି ପୂର୍ବରୁ ଜନ୍ମଦେଇ ମାରିଥିଲା, ଠିକ୍‌ ସେହିଭଳି ବାରମ୍ବାର ଜନ୍ମ ଦେଇ ମାରିଥାଏ ।
ଅତଃ ଆମର ଯେଉଁ ‘ମୁଁ’ତ୍ୱ ଭାବ ରହିଛି, ତାହାକୁ ଜଗତରେ ଉତ୍ପନ୍ନ କରି ମାରିବାକୁ ହେବ । ଏହା ଜନ୍ମ-ମରଣର ସ୍ରାବ ବା ପ୍ରବାହମାନ ଧାରା ଅଟେ । ଉକ୍ତ ପଦ୍ୟରେ ଏହା ସୂଚିତ କରିଦିଆଯାଇଛି ଯେ, ଜ୍ଞାନ ବିହୀନ, ମତି-ସ୍ମୃତି ରହିତ ମନୁଷ୍ୟ କଦାପି ସମାପ୍ତ ହୁଏନାହିଁ ।
B

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.