Press "Enter" to skip to content

ଶ୍ରୀମଦ୍‌ଭଗବଦ୍‌ଗୀତା : ବିଭୂତି ଯୋଗ-1 (ପୂଜ୍ୟ ଓଡିଆ ବାବା)

Last updated on August 13, 2022

ଓଁ ଶ୍ରୀଶ୍ରୀ ପରମାତ୍ମନେ ନମଃ
ଶ୍ରୀଗୁରୁଚରଣକମଳେଭ୍ୟୋ ନମଃ

ସଙ୍ଗତି — ପୂର୍ବ ଅଧ୍ୟାୟରେ ଭଗବାନ୍ ନିଜ ଭକ୍ତିର ସ୍ୱରୂପ, ତାହାର ପ୍ରାପ୍ତିର ଉପାୟ ଓ ଅଧିକାରୀର ପ୍ରତିପାଦନ କରିଥିଲେ ବର୍ତ୍ତମାନ ଏଦି ଅଧ୍ୟାୟରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା କରିବେ । ବିଭୂତି ତାଙ୍କର ଐଶ୍ୱର୍ଯ୍ୟ ହିଁ ଅଟେ । ତାତ୍ପର୍ଯ୍ୟ ହେଉଛି କି ନବମ ଅଧ୍ୟାୟରେ ଜ୍ଞାନ, ଭକ୍ତି ଏ କର୍ମ ସବୁର ପ୍ରତିପାଦନ କରି ଶେଷରେ ଭଗବାନ୍ ‘ମତ୍ ପରାୟଣଃ’ ମୋ ପରାୟଣ ହେବାପାଇଁ କହିଛନ୍ତି । ଏବେ ଏହି ଅଧ୍ୟାୟର ଆରମ୍ଭରୁ ପୁନଃ ସେହି ପ୍ରସଙ୍ଗକୁ ବର୍ଣ୍ଣନ କରୁଛନ୍ତି —
ଶ୍ରୀଭଗବାନ କହିଲେ— ହେ ମହାବାହୋ ! ତୁମେ ତଥାପି ମୋର ଏହି ଶ୍ରେଷ୍ଠ ବଚନ ସବୁକୁ ଶୁଣ, ଯାହା ମୁଁ ମୋର ପ୍ରିୟପାତ୍ର ତୁମକୁ, ତୁମର ହିତ ଉଦ୍ଦେଶ୍ୟରେ କହିବି ।୧ ॥
ଭଗବାନ୍ ଅର୍ଜ୍ଜୁନଙ୍କୁ ମହାବାହୁ କହି ସମ୍ବୋଧନ କରିଛନ୍ତି । ଏହାର ଭାବ ହେଉଛି, ତୁମେ ଧୀର-ବୀର ଅଟ ଅତଃ ମୋର ଉପଦେଶ ଗ୍ରହଣ କରିବାକୁ ସମର୍ଥ ଅଟ ।
ପ୍ରଶ୍ନ — ଭଗବାନ୍ ପୁନଃ ସେହି କଥା କହିବାକୁ କାହିଁକି କହିଛନ୍ତି ? କ’ଣ ତାହା ପୁନରୁକ୍ତି ଦୋଷ ହେବନାହିଁ ?
ଉତ୍ତର— ଏହା ପୁନରୁକ୍ତି ଦୋଷ ନୁହେଁ, କାହିଁକି ନାଁ ଏହି ବିଷୟ କଠିନ ଅଟେ । ଅତଃ ଭଗବାନ୍ ଏଥିପାଇଁ ଦୋହରାଉଛନ୍ତି କି ସମ୍ଭବତଃ ଏହି କଥା ଅର୍ଜ୍ଜୁନ ବୁଝିପାରିବେ ନାହିଁ, ତେଣୁ ପୁନଃ କହିବା ଦ୍ୱାରା ସେ ହୃଦୟଙ୍ଗମ କରିପାରିବେ ।
ପ୍ରଶ୍ନ—ଶାସ୍ତ୍ରର ଏଭଳି ନିୟମ ରହିଛି କି, ବିନା ପ୍ରଶ୍ନରେ ଅବା ଅନ୍ୟାୟ ଭାବରେ ପ୍ରଶ୍ନକରାଗଲେ, କାହାକୁ କିଛି ଉତ୍ତର ଦେବା ଉଚିତ ନୁହେଁ— ।।୧।।
ନାପୃଷ୍ଟଃ ତସ୍ୟ-ଚିଦ୍ ବ୍ରୂୟାନ୍ନ ଚାନ୍ୟାୟେନ ପୃଚ୍ଛତଃ ।
ଜାନନ୍ନପି ହି ମେଧାବୀ ଜଡବଲ୍ଲୋକ ଆଚରେତ୍ ।।
ତେବେ ଭଗବାନ୍ ବିନା ପ୍ରଶ୍ନରେ ଅର୍ଜ୍ଜୁନଙ୍କୁ କାହିଁକି କିଛି ଉପଦେଶ ଦେଉଛନ୍ତି ?
ଉତ୍ତର — ଏହା ତ ଠିକ୍ ଅଟେ, କିନ୍ତୁ ଯିଏ ସର୍ବସ୍ୱ ସମର୍ପଣ କରି ଶରଣାପନ୍ନ ହୋଇସାରିଛନ୍ତି ଆଉ ନିଜର ଅତ୍ୟନ୍ତ ପ୍ରିୟ ଅଟନ୍ତି, ତାଙ୍କୁ ବିନା ପ୍ରଶ୍ନରେ କହିବା ଦରକାର, କାହିଁକି ନାଁ ଏହି ନିୟମ ନିଜ ପ୍ରିୟବ୍ୟକ୍ତିଙ୍କ ପାଇଁ ନୁହେଁ । ଶ୍ରୀଗୋସାଇଁ କହନ୍ତି—
ଗୂଢ ହୁଁ ତତ୍ତ୍ୱ ନ ସାଧୁ ଦୁରାବହିଂ ।
ଆରତ ଅଧିକାରୀ ଜହଁ ପାବହିଂ ।।
ଅର୍ଜ୍ଜୁନ ତ ଭଗବାନଙ୍କର ପ୍ରିୟ ସଖା ଏବଂ ତାଙ୍କର ଶିଷ୍ୟତ୍ୱ ମଧ୍ୟ ସ୍ୱୀକାର କରିସାରିଛନ୍ତି, ସେ ତତ୍ତ୍ୱ ଅବଗତ ହେବାପାଇଁ ଉତ୍କଣ୍ଠିତ, ଅତଃ ଅଧିକାରୀ ତଥା ଆର୍ତ୍ତ ମଧ୍ୟ ଅଟନ୍ତି । ଅତଃ ଭଗବାନ୍ ପ୍ରଥମ ଦୁଇଟି ଶ୍ଳୋକରେ ନିଜ ଐଶ୍ୱର୍ଯ୍ୟର ମହିମାକୁ ବତାଉଛନ୍ତି— ।।୧।।
ମୋ ଜନ୍ମର ରହସ୍ୟକୁ ଦେବତା ଓ ମହର୍ଷି ମଧ୍ୟ ଜାଣନ୍ତି ନାହିଁ, କାହିଁକି ନାଁ ମୁଁ ହିଁ ସମସ୍ତ ପ୍ରକାର ଦେବତା ଓ ମହର୍ଷିମାନଙ୍କର ଆଦିକାରଣ ଅଟେ ।୨ ॥
ଦେବତା ଏଥିପାଇଁ ଜାଣନ୍ତି ନାହିଁ କି ସ୍ୱର୍ଗ ଭୋଗ-ଭୂମି ଅଟେ ଆଉ ଭୋଗ ପ୍ରଧାନ ହେବା କାରଣରୁ ସେମାନେ ଭଜନ କରିପାରନ୍ତି ନାହିଁ । ତେବେ ବିନା ଭଜନରେ ସେମାନେ ଭଗବଦବତାରର ରହସ୍ୟ କିଭଳି ଜାଣିପାରିବେ । ମହର୍ଷିମାନେ ମଧ୍ୟ କର୍ମକାଣ୍ଡରେ ଜଡିତ ରହିଥାନ୍ତି, ଅତଃ ସେମାନେ ମଧ୍ୟ ଏହାକୁ ଜାଣିପାରନ୍ତି ନାହିଁ— ‘ଯତ୍କର୍ମୀ ନ ବିଜାନାତି’ । ଅତଃ ଭକ୍ତ ଅତିରିକ୍ତ ଭଗବାନଙ୍କର ରହସ୍ୟକୁ କେହି ହେଲେ ଅବଗତ ହୋଇପାରନ୍ତି ନାହିଁ ।
ଭଗବାନ ଶଙ୍କରାଚାର୍ଯ୍ୟ ମଧ୍ୟ ଏଭଳି ଅର୍ଥ କରିଛନ୍ତି କି, କେବଳ ଭକ୍ତ ହିଁ ମୋତେ ବୋଧ ହୋଇପାରେ । ପରବର୍ତ୍ତୀ ୧୪ଶ ଶ୍ଳୋକରେ କହୁଛନ୍ତି କି, ‘ନହି ତେ ଭଗବନ୍ ବ୍ୟକ୍ତିର୍ବିଦୁର୍ଦେବା ନ ଦାନବାଃ ।’ ଭଗବାନଙ୍କର ସ୍ୱରୂପକୁ ନ ଜାଣିବାର କାରଣ ଏହା ମଧ୍ୟ ଅଟେ କି, ଯାହାର କୌଣସି ନିମିତ୍ତ ଅବା ଉପାଦାନ କାରଣ ରହିଥାଏ, ସେହି ବସ୍ତୁ ଜାଣିବାଯୋଗ୍ୟ ଅଟେ । ଭଗବାନଙ୍କ ଅବତାର ଗ୍ରହଣ ସ୍ୱେଚ୍ଛାରେ ହୋଇଥାଏ ଆଉ ସେ ସ୍ୱୟଂ ସମସ୍ତଙ୍କର ଆଦିକାରଣ ଅଟନ୍ତି । ଏହା ବ୍ୟତୀତ ସମସ୍ତଙ୍କର ଦ୍ରଷ୍ଟା ଓ ଅଧିଷ୍ଠାନ ହୋଇଥିବା କାରଣରୁ ସେ ମଧ୍ୟ କାହାର ଜ୍ଞେୟ ହୋଇ ପାରନ୍ତି ନାହିଁ । ସ୍ୱପ୍ନ-ଦ୍ରଷ୍ଟାଙ୍କୁ କୌଣସି ସ୍ୱପ୍ନ ପୁରୁଷ କିଭଳି ଜାଣିପାରିବେ । ଏଥିପାଇଁ ତାଙ୍କୁ ମଧ୍ୟ କେହି ଜାଣିପାରନ୍ତି ନାହିଁ ।
ପ୍ରଶ୍ନ— ଯଦି ଭଗବାନ୍ ଆଦିକାରଣ ହେବା କାରଣରୁ ଦେବତା ଓ ମହର୍ଷିଙ୍କର ଜ୍ଞେୟ ନୁହଁନ୍ତି , ତେବେ ଭକ୍ତମାନଙ୍କର ମଧ୍ୟ ସେ ଆଦିକାରଣ ଅଟନ୍ତି, ତେବେ ସେମାନେ ମଧ୍ୟ କିଭଳି ତାଙ୍କର ମହିମା ବୋଧ ହୋଇପାରିବେ ?
ଉତ୍ତର — ଭଗବାନଙ୍କ ଭଳି ଭକ୍ତ ମଧ୍ୟ ଅନାଦି ଅଟନ୍ତି । ଭକ୍ତମାନଙ୍କ ପାଇଁ ହିଁ ତାଙ୍କର ଅବତାର ହୋଇଥାଏ । ଅତଃ ସେମାନେ ତାଙ୍କ ଅବତାରର ରହସ୍ୟ ବୋଧ ହୋଇପାରିବେ । ଭକ୍ତଙ୍କ ସହ ଭଗବାନଙ୍କର ଆତ୍ମୀୟତା ରହିଛି, ଅତଃ ତାଙ୍କଠାରୁ ସେ କୌଣସି ଆଶା ରଖନ୍ତି ନାହିଁ ।।୨।।
ଯେଉଁ ପୁରୁଷ ମୋତେ ଅଜନ୍ମା, ଅନାଦି ଓ ସମ୍ପୂର୍ଣ୍ଣଲୋକର ମହେଶ୍ୱର ବୋଲି ଜାଣିଥାନ୍ତି, ସେ ମନୁଷ୍ୟମାନଙ୍କ ମଧ୍ୟରେ ଅସଂମୂଢ ଅର୍ଥାତ୍ ଜ୍ଞାନୀ ଅଟନ୍ତି ଆଉ ସେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ।୩ ॥
ଏହି ଶ୍ଳୋକ ଭଗବାନଙ୍କର ସଗୁଣ-ନିର୍ଗୁଣ ଉଭୟ ସ୍ୱରୂପର ପ୍ରତିପାଦନ କରିଥାଏ । ‘ଅଜ’ ଓ ‘ଅନାଦି’ ପଦ ନିର୍ଗୁଣ ରୂପର ପ୍ରତିପାଦନ କରିଥାଏ ଆଉ ‘ମହେଶ୍ୱର’ ପଦ ତାଙ୍କର ସଗୁଣରୂପର ମୁଁ ବ୍ରହ୍ମରୂପ, ମୁଁ ବ୍ରହ୍ମ ଅଟେ, ରାମ ରୂପ ମୁଁ ରାମ ଓ କୃଷ୍ଣରୂପ ମୁଁ କୃଷ୍ଣ । କିନ୍ତୁ ସେହି ଅନେକ ରୂପରେ ମଧ୍ୟ ମୋତେ ଏକକୀ ଯିଏ ଜାଣିଥାଏ, ସେ ସମସ୍ତ ବନ୍ଧନରୁ ମୁକ୍ତ ହୋଇଯାଏ । ଆଉ ଯିଏ ମୋର ବାସ୍ତବିକ ସ୍ୱରୂପକୁ ନ ଜାଣି ମୋତେ କେବଳ ବସୁଦେବନନ୍ଦନ ବୋଲି ମାନିନେଇଥାଏ, ସେ ମୂଢ ଅଟେ ଆଉ ବନ୍ଧନରେ ପତିତ ହୋଇଚାଲେ । ଅସଂମୂଢ ଅବା ଜ୍ଞାନୀ ସେ ଅଟନ୍ତି, ଯିଏ ମୋର ତାତ୍ତ୍ୱିକ ସ୍ୱରୂପକୁ ଜଣିଥାନ୍ତି । ଭଗବାନଙ୍କର ସଚ୍ଚିଦାନନ୍ଦ ସ୍ୱରୂପକୁ ତ ତତ୍ତ୍ୱବେତ୍ତା ହିଁ ଅବଗତ ହୋଇପାରନ୍ତି । କାହିଁକି ନାଁ ସେ ଆତ୍ମା ଭିନ୍ନ ଅନ୍ୟ କିଛିକୁ ଦେଖିପାରନ୍ତି ନାହିଁ । ଅତଃ ସମ୍ପୂର୍ଣ୍ଣ ମନୁଷ୍ୟଙ୍କ ମଧ୍ୟରେ ଭଗବାନ୍ ତାଙ୍କୁ ଅସଂମୂଢ କହିଛନ୍ତି ଆଉ ସେ ସମ୍ପୂର୍ଣ୍ଣ ପାପ ଅବା ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ।
ପ୍ରଶ୍ନ — ଅନ୍ୟ ଶ୍ଳୋକରେ କହିଛନ୍ତି କି, ମୋତେ ଦେବତା ଓ ମହର୍ଷି ମଧ୍ୟ ଜାଣିପାରନ୍ତି ନାହିଁ ଆଉ ଏଠାରେ ନିଜକୁ ଜାଣିନେଲେ ହିଁ ପାପରୁ ମୁକ୍ତି ମିଳେ ବୋଲି କହିଛନ୍ତି । ଏହି ଉଭୟ ବାକ୍ୟର ସଙ୍ଗତି କିଭଳି ବୋଧ ହେଉଛି ?
ଉତ୍ତର — ଏହାର ଅର୍ଥ, ଯେଭଳି କି ପୂର୍ବ ଶ୍ଳୋକରେ ବ୍ୟାଖ୍ୟାରେ କରାଯାଇଛି, ଏଭଳି ବୁଝିବା ଦରକାର କି ମୋ ଭକ୍ତ ଅତିରିକ୍ତ ମୋତେ କେହି ଜାଣି ପାରନ୍ତି ନାହିଁ ।
ପ୍ରଶ୍ନ— ଏହି ଶ୍ଳୋକରେ ଭକ୍ତଙ୍କ ବିଷୟରେ କିଛି ଉଲ୍ଲେଖ ନାହିଁ ।
ଉତ୍ତର— ଏହି ଶ୍ଳୋକରେ ନ ହେଉ, ଅନ୍ୟତ୍ର କେତେକ ସ୍ଥାନରେ ଏଭଳି ପ୍ରମାଣ ମିଳିଥାଏ, ଯଥା— ‘ଭକ୍ତ୍ୟା ମାମଭିଜାନାତି’ (୧୮/୫) ‘ଭକ୍ତ୍ୟା ତ୍ୱନନ୍ୟୟା ଶକ୍ୟ— ଜ୍ଞାତୁମ୍’ (୧୧/୫୩) ଇତ୍ୟାଦି ।
ସଙ୍ଗତି— ପରବର୍ତ୍ତୀ ୪ଗୋଟି ଶ୍ଳୋକରେ ଭଗବାନ୍ ନିଜ ବିଭୂତି ବିଷୟରେ ଉଲ୍ଲେଖ କରିଛନ୍ତି—
ବୁଦ୍ଧି(ବିବେକବତୀ ବୁଦ୍ଧି) ଜ୍ଞାନ, ଅସଂମୋହ(ମୋହ ରହିତ ହେବା), କ୍ଷମା, ସତ୍ୟ, ଦମ(ଇନ୍ଦ୍ରିୟ-ନିଗ୍ରହ), ଶମ, ସୁଖ, ଦୁଃଖ, ଉତ୍ପତ୍ତି, ନାଶ, ଭୟ, ଅଭୟ, ଅହିଂସା, ସମତା, ସନ୍ତୋଷ, ତପ, (ଏକାଗ୍ରତା), ଦାନ(କ୍ଷମାଦାନ ଆଦି) ଯଶ ଓ ଅପଯଶ—ଏସବୁ ଭୂତଗଣଙ୍କର ଭିନ୍ନ ଭିନ୍ନ ଯେତେ ସବୁ ଭାବ ମୋଠାରେ ହିଁ ହୋଇଥାଏ । ଅର୍ଥାତ୍ ମୋ ଯୋଗମାୟାରୁ ହିଁ ହୋଇଥାଏ ।୩ ॥
ଏଠାରେ ସୃଷ୍ଟିର ଉତ୍ପତ୍ତି ପ୍ରକୃତିରୁ ନୁହେଁ ଭଗବାନଙ୍କ ଠାରୁ ହୋଇଛି ବୋଲି କୁହାଯାଇଛି । ଆଉ ଯାହାଠାରୁ ଯାହାର ଉତ୍ପତ୍ତି ହୋଇଛି, ସେ ତାଙ୍କରି ସ୍ୱରୂପ ହୋଇଥାନ୍ତି । ଯେଉଁଠି ଏଭଳି କୁହାଯାଏ କି ଭଗବାନ (ପୁରୁଷ)ଙ୍କର ସତ୍ତା ଦ୍ୱାରା ପ୍ରକୃତି ସୃଷ୍ଟି ରଚନା କରିଥାଏ, ସେଠାରେ ସାଂଖ୍ୟ ଓ ଯୋଗର ସିଦ୍ଧାନ୍ତ ବୁଝିବାକୁ ହେବ । କିନ୍ତୁ ଭଗବାନଙ୍କଠାରୁ ତ ସୃଷ୍ଟି ସେହିଭଳି ହୋଇଥାଏ, ଯେଭଳି ସ୍ୱପ୍ନଦ୍ରଷ୍ଟାଙ୍କ ଠାରୁ ସ୍ୱପ୍ନ । ସେଠାରେ ସ୍ୱପ୍ନ କେବଳ ପ୍ରତୀତିମାତ୍ର ଅଟେ, ବାସ୍ତବରେ ସ୍ୱପ୍ନଦ୍ରଷ୍ଟା ହିଁ ଅଟେ । ସେହିଭଳି ଜଗତ୍ ଆତ୍ମା ଠାରୁ ଭିନ୍ନ ନୁହେଁ । ସେଠାରେ ତ ଏଭଳି ଦେଖାଯାଇଥାଏ କି ଜ୍ଞାନ ଓ ଅଜ୍ଞାନ ମଧ୍ୟ ଭଗବାନଙ୍କଠାରୁ ଭିନ୍ନ ନୁହେଁ । ଏହି କଥା ଭଗବାନ୍ ୧ମ ଅଧ୍ୟାୟ ୧୯ଶ୍ଳୋକରେ କହିଛନ୍ତି ତଥା ୧୫ଶ ଅଧ୍ୟାୟ ୧୫ଶ ଶ୍ଳୋକରେ ମଧ୍ୟ କହିବେ— ‘ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ’ ଇତ୍ୟାଦି ।।
ସପ୍ତ ମହର୍ଷି, (ସନକାଦି) ଚତୁଃ ପୂର୍ବପୁରୁଷ ଓ ଚତୁର୍ଦ୍ଦଶ ମନୁ— ଏସବୁ ମୋର ସତ୍ତା ଦ୍ୱାରା ମନରୁ ହିଁ ଉତ୍ପନ୍ନ ହୋଇଛନ୍ତି, ଯେଉଁଠାରୁ ଏ ସମସ୍ତ ପ୍ରଜା ଉତ୍ପନ୍ନ ହୋଇଛନ୍ତି ।୪-୫ ॥
ଅର୍ଥାତ୍ ଏହା ମୋର ମାନସ ସୃଷ୍ଟି ଅଟେ, ମୋ’ଠାରେ ହିଁ ସ୍ଥିତ ଆଉ ମୋଠାରେ ହିଁ ବିଲୀନ ହୋଇଯାଏ । ଭିନ୍ନ ଭିନ୍ନ ପ୍ରତୀତ ହେଲେ ମଧ୍ୟ ଏହା ମୋ’ଠାରୁ ଅଭିନ୍ନ, କାହିଁକି ନାଁ ପୂର୍ଣ୍ଣ ବସ୍ତୁ ତ ଏକ ହିଁ ହୋଇପାରେ, ଦୁଇଟି ପୂର୍ଣ୍ଣ ହୋଇନପାରେ, କାହିଁକି ନାଁ ଦୁଇଟିରେ ଦେଶ-କାଳ ପରିଚ୍ଛେଦ ନ ହେଲେ ମଧ୍ୟ ବସ୍ତୁ-ପରିଚ୍ଛେଦ ହୋଇଯିବ । ଅତଃ ଉଭୟ ହିଁ ପରିଚ୍ଛିନ୍ନ ସିଦ୍ଧ ହେବ ।
ପ୍ରଶ୍ନ— ସପ୍ତ ମହର୍ଷି କିଏ କିଏ ଅଟନ୍ତି ?
ଉତ୍ତର — ଭିନ୍ନ ଭିନ୍ନ ମନ୍ୱନ୍ତରରେ ଭିନ୍ନ ଭିନ୍ନ ସପ୍ତର୍ଷି ହୋଇଥାନ୍ତି । ଏହି ମନ୍ୱନ୍ତରର ସପ୍ତର୍ଷି ହେଉଛନ୍ତି—ମରୀଚି, ଅଙ୍ଗିରା, ଅତ୍ରି, ପୁଲସ୍ତ୍ୟ, ପୁଲହ, କ୍ରତୁ ଓ ବଶିଷ୍ଠ ।
ଯିଏ ମୋର ଏହି ବିଭୂତି ଯୋଗକୁ ତତ୍ତ୍ୱତଃ ବୋଧ ହୋଇଥାଏ, ସେ ନିଶ୍ଚଳ ଯୋଗ ଯୁକ୍ତ ହୋଇଥାଏ, ଏଥିରେ ସଂଶୟ ନାହିଁ ।୬ ॥
ଭଗବାନଙ୍କୁ ଏହି ସମ୍ପୂର୍ଣ୍ଣ ପ୍ରପଞ୍ଚର ଅଧିଷ୍ଠାନ ଜାଣିବା, ଅର୍ଥାତ୍ ସୃଷ୍ଟି ନୁହେଁ କେବଳ ଭଗବତ୍ ସତ୍ତା ହିଁ ଅଟେ— ଏଭଳି ଜାଣିବା ହିଁ ନିଶ୍ଚଳ ଯୋଗ ଅଟେ ଅଥବା ସମ୍ପୂର୍ଣ୍ଣ ଜଗତକୁ ଭଗବାନଙ୍କର ସ୍ୱରୂପ ଜାଣିବା ଏବଂ ନିଜକୁ ତାଙ୍କର ସାକ୍ଷୀମାତ୍ର, ତାଙ୍କଠାରୁ ପୃଥକ୍ ଦୃଶ୍ୟ ହେବା । ଯେଭଳି ସ୍ୱପ୍ନ ପୁରୁଷ ସ୍ୱପ୍ନଦ୍ରଷ୍ଟାଙ୍କ ଠାରୁ ଭିନ୍ନ ନୁହଁନ୍ତି, କେବଳ ପ୍ରତୀତିମାତ୍ର ଅଟନ୍ତି, ସେହିଭଳି ସମ୍ପୂର୍ଣ୍ଣ ପ୍ରପଞ୍ଚ ନିଜଠାରୁ ଭିନ୍ନ ନୁହଁନ୍ତି— ଏଭଳି ଜାଣିବା ହିଁ ତତ୍ତ୍ୱତଃ ଜାଣିବା ଏବଂ ଏହା ହିଁ ନିଶ୍ଚଳ ଯୋଗ ଅଟେ  ।
ସଂଗତି—ଏହିଭଳି ଭଗବାନ୍ ନିଜ ବିଭୂତିସମୂହର ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ପରବର୍ତ୍ତୀ ଦୁଇଗୋଟି ଶ୍ଳୋକରେ ନିଜ ଭଜନର ବିଧି ସମ୍ପର୍କରେ କହୁଛନ୍ତି—
ମୁଁ ହିଁ ସମସ୍ତଙ୍କର ଉତ୍ପତ୍ତି ସ୍ଥାନ ଆଉ ମୋ’ଠାରୁ ହିଁ ସମସ୍ତଙ୍କର ପ୍ରବୃତ୍ତି ହୋଇଥାଏ । ଏଭଳି ନିଶ୍ଚୟ କରି ବିବେକୀ ପୁରୁଷ ଭାବପୂର୍ବକ ମୋର ଭଜନ କରିଥାନ୍ତି ।୭ ॥
ବିବେକୀ ପୁରୁଷ ‘ସବୁକିଛି ମୋର ହିଁ ସ୍ୱରୂପ’ ଏଭଳି ମାନି ଖାଇବା-ପିଇବା, ଚାଲିବା-ବୁଲିବା, ଯାହାକିଛି ଶୁଭାଶୁଭ କର୍ମ କରିଥାଏ, ସବୁକିଛି ମୋ ବୁଦ୍ଧିରେ, ମୋ ପାଇଁ ହିଁ କରିଥାଏ । ତାହାର ପ୍ରତ୍ୟେକଟି ସମୟ ଆତ୍ମାକାର ବୃତ୍ତି ରହିଥାଏ—ଏହା ହିଁ ତାହାର ଭଜନ ଅଟେ । ‘ବୁଧାଃ’ ଶବ୍ଦରୁ ଏଠାରେ ଅପରୋକ୍ଷ ଜ୍ଞାନୀ ବୋଲି ବୁଝିବାକୁ ହେବ । କିନ୍ତୁ ଏଭଳି ମାନିନେଲେ ଶୁଦ୍ଧ ବ୍ରହ୍ମଙ୍କ ଠାରୁ ଭେଦର ଆଶଙ୍କା ରହିବ । ଅତଃ ଏହି ଶ୍ଳୋକ ଭକ୍ତିପରକ ବୁଝିବା ଦରକାର ଅଥବା ଏହାକୁ ଜ୍ଞାନୋତ୍ତର ଭକ୍ତି ବୋଲି କହିପାରିବା । ଅଥବା ମୁଁ ସମସ୍ତଙ୍କର ଉତ୍ପତ୍ତିର କାରଣ ଅଟେ, ଅତଃ ଏ ସବୁକିଛି ମୋର ସ୍ୱରୂପ ଅଟେ— ଏଭଳି ଭାବନାରେ ଯୁକ୍ତହୋଇ ବିବେକୀ ମୋର ଭଜନ କରିଥାଏ । ଏଭଳି ଭାବନା ବିବେକୀ ପୁରୁଷଙ୍କର ହିଁ ହୋଇପାରେ । ମୂର୍ଖମାନଙ୍କର ତ ଏଭଳି ଭାବନା ହୋଇନପାରେ । ଏହା ସର୍ବଭାବ ଅଟେ, ଏହା ୧୫ଶ ଅଧ୍ୟାୟର ୧୯ଶ ଶ୍ଳୋକରେ ଉଲ୍ଲେଖ କରାଯିବ । ଏହି ଭାବକୁ ଗୋସ୍ୱାମୀ ତୁଳସୀଦାସ କହନ୍ତି—
ଉସ ବିଚାରି ପଣ୍ଡିତ ମୋହିଂ ଭଜହୀଂ ।
ପାୟେ ହୁଁ ଜ୍ଞାନ ଭଗତି ନହିଂ ତଜହୀଂ ।।୮।।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.