Press "Enter" to skip to content

ଶିବ-ତତ୍ତ୍ୱ :
ଶିବ ଚତୁର୍ଦ୍ଦଶୀ (ଜାଗର) ଅନୁଚିନ୍ତା

Last updated on August 13, 2022

ସତ୍ୟଂ-ଶିବଂ-ସୁନ୍ଦରମ୍— ଭଗବାନ ଶଙ୍କରଙ୍କର ଏହି ସୁନ୍ଦର ନାମ ବ୍ରହ୍ମଙ୍କର ସ୍ୱରୂପ-ଲକ୍ଷଣ ସତ୍ୟମ୍, ଜ୍ଞାନମ୍, ଆନନ୍ଦମ୍, ବ୍ରହ୍ମର ପ୍ରତୀକ ଅଟେ । ମାଣ୍ଡୂକ୍ୟୋପନିଷଦ୍ ୭ମ ମନ୍ତ୍ରରେ ସ୍ପଷ୍ଟ ରୂପରେ ଉଲ୍ଲିଖିତ ହୋଇଛି—’ଶିବମଦ୍ୱୈତଂ ଚତୁର୍ଥଂ ମନ୍ୟନ୍ତେ ।’ ‘ଚତୁର୍ଥମ୍’—ତୂରୀୟ ଅମାତ୍ର ବ୍ରହ୍ମଙ୍କର ବାଚକ ଅଟେ ।
ବ୍ରହ୍ମ ନିର୍ଗୁଣ-ନିରାକାର ହେଲେ ମଧ୍ୟ ମାୟାର ଉପାଧିରେ ସଗୁଣ-ନିରାକାର ତଥା ସଗୁଣ-ସାକାର-ସ୍ୱରୂପରେ ବି ଉପଲବ୍ଧ ହୋଇଥାନ୍ତି । ଭଗବାନ୍ ଶିବଙ୍କର ଲିଙ୍ଗରୂପ ନିରାକାର ତଥା ମୂର୍ତ୍ତିରୂପ ସାକାରର ବୋଧକ ଅଟେ ଆଉ ବାସ୍ତବରେ ଉଭୟ ରୂପ ବ୍ରହ୍ମଙ୍କ ଠାରୁ ଅଭିନ୍ନ ଅଟେ ।
ସନାତନ ଧର୍ମରେ ଆଦିଦେବ ବିଷ୍ଣୁ, ବ୍ରହ୍ମା ଓ ମହେଶ ଅଟନ୍ତି, ତନ୍ମଧ୍ୟରୁ ଭଗବାନ ବିଷ୍ଣୁଙ୍କର ଖ୍ୟାତି ସତ୍ତ୍ୱଗୁଣ ପ୍ରଧାନ, ବ୍ରହ୍ମାଙ୍କର ଖ୍ୟାତି ରଜୋଗୁଣ ପ୍ରଧାନ ତଥା ଶଙ୍କରଙ୍କର ଖ୍ୟାତି ତମେଗୁଣ ପ୍ରଧାନ ଅଟେ । ତମୋଗୁଣର ବହୁପ୍ରକାରେ କୁଚର୍ଚ୍ଚା ରହିଥିବାର ଦେଖାଯାଏ । କିନ୍ତୁ ଟିକିଏ ବିଚାରକରି ଦେଖିଲେ ତମୋଗୁଣ ଅନ୍ୟ ଗୁଣର ଅଧିଷ୍ଠାନ ଭାବରେ ସିଦ୍ଧ ହୋଇଥାଏ । ସେହି ଆଧାର ବିନା ପ୍ରକାଶକ ସତ୍ତ୍ୱଗୁଣ ଓ କ୍ରିୟାତ୍ମକ ରଜୋଗୁଣ ନିଜ କାର୍ଯ୍ୟରେ ସେହିଭଳି ସ୍ଥିର ଓ ସଫଳ ହୋଇପାରନ୍ତି ନାହିଁ, ଯେଭଳି ତମୋଗୁଣୀ ନିଦ୍ରା ଏବଂ ବିଶ୍ରାମ ବିନା ଜାଗ୍ରତ ଓ ସ୍ୱପ୍ନ ନିଜ ନିଜ କାମରେ ଅସଫଳ ହୁଅନ୍ତି ଆଉ ଅନ୍ଧକାର ବିନା ପ୍ରକାଶ-ତତ୍ତ୍ୱ ତଥା ସ୍ଥିର ସ୍ଥିତି ବିନା ଚଳନକ୍ରିୟାର ଅନୁଭବ ହୁଏନାହିଁ ।
ଉପାସକଙ୍କର ଦୃଷ୍ଟିରେ ଶଙ୍କରଙ୍କୁ ତମୋଗୁଣୀ ଦେବତା କୁହାଯିବାର ତାତ୍ପର୍ଯ୍ୟ ହେଉଛି, ସେ ଏତେ ଦୟାଳୁ ଏବଂ ମଉଜୀ ଅଟନ୍ତି କି ଯେଉଁ ଦୋଷ ଓ ଅପବିତ୍ରତା କାରଣରୁ ସାଧାରଣତଃ ତାଙ୍କୁ ଘୃଣା କରାଯାଏ, ସେ ସେଥିପ୍ରତି ଧ୍ୟାନ ସୁଦ୍ଧା ଦିଅନ୍ତିନାହିଁ ଆଉ ଭକ୍ତଙ୍କର ଟିକିଏମାତ୍ର ସେବାଭାବରେ ତୃପ୍ତହୋଇ ତାଙ୍କୁ ଧର୍ମ-ଅର୍ଥ-କାମ-ମୋକ୍ଷ ସବୁକିଛି ପ୍ରଦାନ କରିଥାନ୍ତି । ସେ ସ୍ୱୟଂ ଏତେ ବିରକ୍ତ ଯେ ସମସ୍ତ ଦୃଶ୍ୟମାନ ବସ୍ତୁରାଜିକୁ ସେ ତୁଚ୍ଛ ମନେକରିଥାନ୍ତି । ଏହି ସ୍ୱଭାବ କାରଣରୁ ସେ ସମୁଦ୍ର-ମନ୍ଥନରୁ ନିର୍ଗତ ‘ହଳାହଳ ବିଷ’ ପାନ କରିଥିଲେ ଏବଂ ନାଁ କୌଣସି ରତ୍ନ ପ୍ରାପ୍ତିର ମଧ୍ୟ କେବେ ଅଭିଳାଷା ରଖିନଥିଲେ । ଏହିସବୁ ଗୁଣ କାରଣରୁ ସେ ରାବଣ ତଥା ଭସ୍ମାସୁର ଆଦିଙ୍କୁ ମଧ୍ୟ ବିନା ବିଚାରରେ ଅନେକ ବର ପ୍ରଦାନ କରିଥିଲେ ।
ଶଙ୍କରଦେବଙ୍କ ବିଷୟରେ ଗୋଟିଏ କଥା ରହିଛି । ଜଣେ ଚୋର ଥିଲା । ସେ କୌଣସି ଏକ ଶିବ ମନ୍ଦିରକୁ ଘଣ୍ଟା ଚୋରି କରିବାପାଇଁ ଗଲା । ଘଣ୍ଟାଟିକୁ ଆଣିବା ପାଇଁ ହାତ ନ ପାଇବାରୁ ସେ ଶିବଲିଙ୍ଗ ଉପରେ ଚଢିଗଲା । ମହାଦେବ ଶଙ୍କର ଭାବିନେଲେ ଲୋକମାନେ ତ ମୋ ଉପରେ କିଛି ବସ୍ତୁ ଅର୍ପଣ କରୁଛନ୍ତି, କିନ୍ତୁ ଇଏ ତ ସ୍ୱୟଂ ନିଜକୁ ଅର୍ପଣ କରିଦେଇଛି । ଅତଃ ସହସା ପ୍ରକଟ ହୋଇଗଲେ ଓ ତାର କଲ୍ୟାଣ କଲେ । ତାଙ୍କର ଏଭଳି ମହାନତା କାରଣରୁ ସେ ‘ମହାଦେବ’ ନାମରେ ପରିଚିତ ।
ଭଗବାନ ଶଙ୍କର ଜ୍ଞାନ, ଯୋଗ, ବୈରାଗ୍ୟ ଭକ୍ତିର ଭଣ୍ଡାର ହିଁ ନୁହଁନ୍ତି ବରଂ ଆଗମ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ନୃତ୍ୟ, ବାଦ୍ୟ, ସଙ୍ଗୀତ, ବ୍ୟାକରଣ ଆଦି ସମସ୍ତ କଳା ଓ ବିଦ୍ୟାମାନଙ୍କର ଆଚାର୍ଯ୍ୟ ମଧ୍ୟ ଅଟନ୍ତି । ତାଙ୍କର ବାସ୍ତବିକ ସ୍ୱରୂପ ଅତ୍ୟନ୍ତ ସୋମ୍ୟ ଏବଂ ଶାନ୍ତିଦାୟକ ଅଟେ—’କର୍ପୂରଗୌରଂ କରୁଣାବତାରମ୍’ ।
ତାଙ୍କର କ୍ରୋଧାନଳ ଲୀଳା ଜଗତର କଲ୍ୟାଣ ନିମିତ୍ତ ହିଁ ସମୟେ ସମୟେ ପ୍ରକଟିତ ହୋଇଥାଏ । ଯେଭଳି — କାମଦେବଙ୍କର ସଂହାର ଏବଂ ପ୍ରଳୟ ଓ ମହାପ୍ରଳୟ । ଏଥିପାଇଁ ଶଙ୍କରଙ୍କର ରୂପ ମଧ୍ୟ ବିରୁଦ୍ଧ ଧର୍ମାଶ୍ରୟ ଅଟେ । ଗୋଟିଏ ପଟେ ମସ୍ତକରେ ପତିତପାବନୀ ଗଙ୍ଗା ଏବଂ ଶୀତଳ ଚନ୍ଦ୍ରମା, ଅନ୍ୟପଟେ ଗଳାରେ ଭୟଙ୍କର ସର୍ପ, ହସ୍ତରେ ତ୍ରିଶୂଳ ତଥା ବ୍ରହ୍ମରୂପୀ ଡମ୍ବରୁ ଶୋଭିତ । ଦେବୀ ପାର୍ବତୀଙ୍କର ବିବାହ ଅବସରରେ ଦେବଦେବଙ୍କର ଭୟାନକ ଏବଂ ସୌମ୍ୟ ଉଭୟ ରୂପ ଦର୍ଶନ ହୋଇଥିଲା ।
ଶାସ୍ତ୍ରରେ ଯେଉଁଠି ବି ‘ଈଶ୍ୱର’ ଅଥବା ‘ଈଶ’ ଶବ୍ଦ କୌଣସି ବିଶେଷଣ ବିନା ବ୍ୟବହୃତ ହୋଇଛି, ତାହାର ଅର୍ଥ ‘ଶଙ୍କର’ ବୋଲି ବୁଝାଯାଇଥାଏ । ରୁଦ୍ରହୃଦୟ-ଉପନିଷଦରେ ଉଲ୍ଲିଖିତ ଅଛି—ବିଷ୍ଣୁ କାର୍ଯ୍ୟ, ବ୍ରହ୍ମା କ୍ରିୟା ଏବଂ ମହେଶ୍ୱର କାରଣ ଅଟନ୍ତି, କିନ୍ତୁ ବାସ୍ତବରେ ଏ ତିନିହେଁ ଏକ ଅଟନ୍ତି ।
କାର୍ଯ୍ୟଂ ବିଷ୍ଣୁଃ କ୍ରିୟା ବ୍ରହ୍ମା କାରଣଂ ତୁ ମହେଶ୍ୱରଃ ।
ପ୍ରୟୋଜନାର୍ଥ ରୁଦ୍ରେଣ ମୂତିରିକା ତ୍ରିଧା କୃତା ।।
ବିଷ୍ଣୁ କାର୍ଯ୍ୟ ଅଟନ୍ତି, ବ୍ରହ୍ମା କ୍ରିୟା ଅଟନ୍ତି ଓ ମହେଶ୍ୱର କାରଣ ଅଟନ୍ତି । ପ୍ରୟୋଜନାର୍ଥେ ରୁଦ୍ର ଗୋଟିଏ ମୂର୍ତ୍ତିକୁ ତିନି ପ୍ରକାରରେ କରିଥିଲେ ।
ଏହି ପ୍ରସଙ୍ଗରେ ଏକ ସ୍ମରଣୀୟ କଥା ରହିଛି କୁ ଭଗବାନ୍ ରାମ ଲଙ୍କାଯାତ୍ରା ପୂର୍ବରୁ ଏକ ଶିବଲିଙ୍ଗ ସ୍ଥାପନା କରିଥିଲେ, ଯାହାର ନାମ ରାମେଶ୍ୱର ଏବଂ ସେ ତାହାର ପୂଜା କରିଥିଲେ ।
ସତ୍ୟଂ ଶିବଂ ସୁନ୍ଦରମ୍ କଲ୍ୟାଣସ୍ୱରୂପ ଭଗବାନ୍ ଶଙ୍କର ଯିଏ ନିଜ ଭକ୍ତଙ୍କ ନିମିତ୍ତ ସୁହୃତ୍ ଓ ଦୁଷ୍ଟମାନଙ୍କ ନିମିତ୍ତ ଭୋଲେବାବା ନାମରେ ପରିଚିତ, ସେ ଆମ ସମସ୍ତଙ୍କର ମଙ୍ଗଳ କରନ୍ତୁ । ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।
ଭଗବାନ ସଦାଶିବ ଓ ତାଙ୍କର ଉପାସନା
‘ସଦାଶିବ’ର ଅର୍ଥ ନିତ୍ୟ ମଙ୍ଗଳମୟ । ନିତ୍ୟ-ମଙ୍ଗଳ ଅର୍ଥାତ୍ ତ୍ରିକାଳ ମଙ୍ଗଳ । ଉପାସନାର ଅର୍ଥ ସମ୍ବନ୍ଧ ରକ୍ଷା କରିବା । ଶ୍ରୀମଦ୍ ଆଦିଶଙ୍କର ଭଗବତ୍ପାଦଙ୍କ ଦ୍ୱାରା ସଂସ୍ଥାପିତ ଭଗବାନ୍ ସଦାଶିବଙ୍କର ଉପାସନା ପଦ୍ଧତି ମଧ୍ୟ ରହିଛି । ତଦନୁସାରେ ଈଶ୍ୱରଙ୍କର ଦୁଇଗୋଟି ସ୍ୱରୂପ ଅନୁଭୂତ ହୋଇଥାଏ—ଗୋଟିଏ ନିର୍ଗୁଣ, ଯିଏ ସମ୍ପୂର୍ଣ୍ଣ ମାନବଙ୍କ ମନରୁ ସୁଦୂର ରହିଥାନ୍ତି । ଅନ୍ୟଟି ସଗୁଣ ଯିଏ ବୟକ୍ତିକ ପ୍ରକୃତି ଅନୁରୂପ ନାମ ଏବଂ ରୂପ ଭେଦରେ ଅର୍ଥାତ୍ ଭିନ୍ନ ଭିନ୍ନ ନାମ ଏବଂ ରୂପଦ୍ୱାରା ଅନୁଭବଯୋଗ୍ୟ ଅଟନ୍ତି । ତୃତୀୟ ଏକ ସ୍ୱରୂପ ଏହି ପଦ୍ଧତିରେ ରହିଛି, ଯିଏ ହସ୍ତ-ପଦ ଆଦି ନଥିବାରୁ ସଗୁଣ ହୋଇପାରନ୍ତି ନାହିଁ । ସ୍ୱରୂପ ଥିବାରୁ ନିର୍ଗୁଣ ମଧ୍ୟ ନୁହଁନ୍ତି । ସେ ରୂପ-ଅରୂପ ‘ଲିଙ୍ଗ’ ଅଟନ୍ତି । ଲିଙ୍ଗ ଅର୍ଥାତ୍ ଚିହ୍ନ । ନିର୍ଗୁଣ ସଦାଶିବଙ୍କର ଚିହ୍ନ ହୋଇଥିବାରୁ ସେ ଶିବଲିଙ୍କ କୁହାଯାଆନ୍ତି । ଶିବଙ୍କର ଅର୍ଥ ହେଉଛି ଲିଙ୍ଗ—ଚିହ୍ନ ଅଥବା ‘ଶିବପ୍ରଜ୍ଞାନେ’ ଅର୍ଥଯୁକ୍ତ ଲିଙ୍ଗ ।
‘ଜ୍ଞାନମିଚ୍ଛେନ୍ମହେଶ୍ୱରାତ୍’ ଏହା ଆମ ପୂର୍ବପୁରୁଷମାନଙ୍କର ଅନୁଭବୋକ୍ତି । ଜ୍ଞାନ ହିଁ ମୋକ୍ଷର ସାଧନ ହୋଇଥାଏ । ଏକ ନିର୍ଗୁଣ ବସ୍ତୁ ସତ୍ୟ ଅଟେ, ସେହିଥିରୁ ହିଁ ଏହି ବିଭିନ୍ନତାପୂର୍ଣ୍ଣ ଜାଗତିକ ବସ୍ତୁର ସୃଷ୍ଟି ହୋଇଥାଏ, ସ୍ଥିତି ହୋଇଥାଏ ତଥା ସଂହାର ମଧ୍ୟ । ତାହାର ସତ୍ୟ-ସ୍ୱରୂପାବଗମନ ହିଁ ଜ୍ଞାନ ଅଟେ । ଏହା କେବଳ ମହେଶ୍ୱରଙ୍କ କୃପାରୁ ହିଁ ପ୍ରାପ୍ତ ହୋଇଥାଏ ।
ଜଗତର ବିଭିନ୍ନତା ଶକ୍ତି ତଥା ଶିବ(ଜଡ) ଉଭୟର ସଂଯୋଗରେ ହିଁ ହୋଇଥାଏ । ଯେଭଳି ବିଦ୍ୟୁତ୍ ‘ଶକ୍ତି’ ଏବଂ ଲ୍ୟାମ୍ପ, ଫ୍ୟାନ୍, ରେଡିଓ ଆଦି ଜଡ ବସ୍ତୁ ଅଟେ । ଅସୀମ ଏକ ହିଁ ଶକ୍ତିର ଭିନ୍ନ ଭିନ୍ନ ରୂପ ଅଟେ । ଆମ ପାଖରେ ଏଇ ଯେଉଁ ସବୁ ଶକ୍ତି ଆମେ ପାଖରେ ପାଉଛେ, ଅସୀମ ଶକ୍ତି ଓ ଜଡ ଶକ୍ତି ଉଭୟର ସମ୍ମିଳିତ ସ୍ୱରୂପ ଅଟେ ଯଥା—ପାର୍ବତୀ-ପରମେଶ୍ୱର, ଉମା-ମହେଶ୍ୱର ଆଦି ଆଦି ।
ମନୁଷ୍ୟ ଜନ୍ମ ଦୁର୍ଲ୍ଲଭ ଅଟେ, ଯାହାର ମୁଖ୍ୟ ଲକ୍ଷ୍ୟ ମୋକ୍ଷ ଅଟେ । ଯାହାର ମୁଖ୍ୟ ସାଧନ ଜ୍ଞାନ, ଯିଏ ଭଗବାନ୍ ସଦାଶିବଙ୍କର ଉପାସନାରୁ ହିଁ ଉପଲବ୍ଧ ହୋଇଥାନ୍ତି । ଏହି ଉପାସନାରେ ଲିଙ୍ଗର ସ୍ଥାନ ଶ୍ରେଷ୍ଠତମ ।
‘ଅଭିଷେକପ୍ରିୟଃ ଶିବଃ’ ଏହା ହେଉଛି ଉପାସକମାନଙ୍କର ଅନୁଭବ । ଅତଃ ପ୍ରତ୍ୟେକ କଲ୍ୟାଣକାମୀ ବ୍ୟକ୍ତିଙ୍କୁ ପ୍ରତିଦିନ ଘରେ ଅବା ମନ୍ଦିରରେ ଲିଙ୍ଗଙ୍କର ଅଭିଷେକ କରିବା ଦରକାର । ତାଙ୍କର ଅର୍ଚ୍ଚନା ମଧ୍ୟ କେବଳ ପୁଷ୍ପ-ପଲ୍ଲବ ଦ୍ୱାରା ହିଁ ହୋଇଥାଏ । ତନ୍ମଧ୍ୟରୁ ବିଲ୍ୱପତ୍ର ଅଗ୍ରଗଣ୍ୟ ଅଟେ ।
ମହାନ୍ ସିଦ୍ଧ ପୁରୁଷ ‘ଶ୍ରୀତିରୁମୂଲର’ଙ୍କ କଥନ ହେଉଛି, ପତ୍ର ଦ୍ୱାରା ଅର୍ଚ୍ଚନ କରିବା ସମସ୍ତଙ୍କ ପାଇଁ ସୁଲଭ । ଏହା ହେଉଛି ବାହ୍ୟପୂଜା । ଯଦି ଏହା ହୋଇ ନ ପାରିବ ତେବେ ମାନସିକ ପୂଜା ମଧ୍ୟ ବିହିତ ହିଁ ଅଟେ । ଏକାଗ୍ରଚିତ୍ତ ହୋଇ ସମସ୍ତ ପୂଜା-ପଦ୍ଧତିକୁ ମନରେ ହିଁ ସମ୍ପାଦନ କରିବା ମାନସିକ ପୂଜା ବୋଲାଏ । ବାହ୍ୟକ୍ରମ ମାନସିକ କ୍ରମର ସହାୟକ ହୋଇଥାଏ ।
ଅତଃ ପ୍ରତ୍ୟେକଙ୍କୁ ଦୈନିକ ଲିଙ୍ଗପୂଜାରେ ରତ ରହିବା, ସେଥିରୁ ଐହିକ ତଥା ଆମୁଷ୍ମିକ ଲାଭ ପ୍ରାପ୍ତ କରିବା ଏବଂ ମାନବ-ଜନ୍ମକୁ ସାଫଲ୍ୟ କରିବା ଉଚିତ ।
ଓମ୍‌ ନମଃ ଶିବାୟ !!!

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.