Press "Enter" to skip to content

ନୀଳାଦ୍ରି ମହୋଦୟ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ-2

Last updated on August 13, 2022

ଦ୍ୱିତୀୟ ଅଧ୍ୟାୟ (ଖ)ହେ ଦ୍ୱିଜଗଣ ! ବିଦ୍ୟାପତିଙ୍କ ମୁଖରୁ ଏକଥା ଶୁଣି ବିଶ୍ୱାବସୁ ଅତି ରୋକ୍ ଠୋକ୍ ଭାଷାରେ କହିଲେ ! ହେ ବ୍ରାହ୍ମଣଶ୍ରେଷ୍ଠ ବିଦ୍ୟାପତି ! ଏ ମାର୍ଗ ଅତ୍ୟନ୍ତ ଭୟଙ୍କର ।
ବିଶ୍ୱାବସୁ କହିଲେ— ହେ ବିଦ୍ୟାପତି ! ଏହି ସ୍ଥାନ ଅତ୍ୟନ୍ତ ଦୁର୍ଗମ । ସେ ସ୍ଥାନକୁ ଯିବା ମାର୍ଗ ସିଂହ ଓ ବ୍ୟାଘ୍ର ପ୍ରଭୃତି ହିଂସ୍ର ଜନ୍ତୁଙ୍କ ଦ୍ୱାରା ପରିପୂର୍ଣ୍ଣ । ଦେବତାମାନଙ୍କୁ ମଧ୍ୟ ସେହି ମାର୍ଗ ଅଗୋଚର । ସେଠାରେ ଥିବା ନୀଳ ପର୍ବତର ଅତ୍ୟନ୍ତ ଗୋପନୀୟ କନ୍ଦରରେ କେବଳ ସ୍ଥାନୀୟ ଲୋକେ ହିଁ ମାଧବଙ୍କୁ ପୂଜା କରିଥାଆନ୍ତି ।
ତୁମ୍ଭେ ଏଭଳି ସ୍ଥାନକୁ ଯିବ କିପରି ? ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିବ କିପରି ? ବିଶ୍ୱାବସୁଙ୍କର ଏତାଦୃଶ ନୀରସ ବଚନ ଶୁଣି ବିଦ୍ୟାପତିଙ୍କର ଦୁଇ ଆଖିରୁ ଧାର ଧାର ହୋଇ ଲୋତକ ବର୍ଷଣ ହେବାକୁ ଲାଗିଲା ।
ହେ ଦ୍ୱିଜଗଣ ! ଏହାପରେ ବିଶ୍ୱାବସୁ ମନେ ମନେ ଚିନ୍ତା କଲା, ଆଖି ବୁଜି ପୂର୍ବବୃତ୍ତାନ୍ତଗୁଡିକ ମନେ ପକାଇଲା ।
ସଂସାରରେ ଇନ୍ଦ୍ରଦ୍ୟୁମ୍ନ ନାମକ ରାଜା ଜନ୍ମଗ୍ରହଣ କରିବେ । ସେ ଇନ୍ଦ୍ରଙ୍କ ପରି ପ୍ରବଳ ପରାକ୍ରମୀ । ତାଙ୍କ ପୁରୋହିତଙ୍କର ଆତ୍ମୀୟସୋଦର ହେଉଛନ୍ତି ଏହି ବିଦ୍ୟାପତି ବ୍ରାହ୍ମଣ । ରାଜା ତାଙ୍କୁ ଏହି ସ୍ଥାନ ଦେଖି ଠିକଣା କରିବାକୁ ପଠାଇବେ ।
ସେ ମାଧବଙ୍କୁ ଦର୍ଶନ କରିବା ପାଇଁ ଆସିବେ । ସେ ଯେତେବେଳେ ସେଠାକୁ ଆସି ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯିବେ, ସେତେବେଳେ ଏହି ସୁବର୍ଣ୍ଣ ବାଲୁକାମୟ ଦିବ୍ୟ ନୀଳାଚଳ େକ୍ଷତ୍ରକୁ ପରିତ୍ୟାଗକରି ପ୍ରଭୁ ଅନ୍ତର୍ଦ୍ଧାନ ହୋଇଯିବେ । ମୁଁ ଏକଥା ଆଗରୁ ଶୁଣିଛି ।
ଏଠାରେ ସେ ରାଜା ଅବସ୍ଥାନ କରିବେ । ଏଥିରେ ସନ୍ଦେହ ନାହିଁ । ପ୍ରଭୁଙ୍କ ନିମନ୍ତେ ପ୍ରାସାଦ(ମନ୍ଦିର) ମଧ୍ୟ ତୋଳିବେ । ସେ ଅନେକ ଅଶ୍ୱମେଧ ଯଜ୍ଞ କରି ‘ଦାରୁବ୍ରହ୍ମ’ କଳେବରରେ ପ୍ରଭୁଙ୍କର ସପ୍ତଧାମୂର୍ତ୍ତି ସ୍ଥାପନ କରିବେ ।
ସେ ଧର୍ମପରାୟଣ ରାଜା ବ୍ରହ୍ମଲୋକକୁ ଯିବେ । ସେଠାରୁ ବ୍ରହ୍ମାଙ୍କୁ ଏ ମର୍ତ୍ତ୍ୟଧାମକୁ ଅଣାଇ ପ୍ରତିଷ୍ଠା କାର୍ଯ୍ୟ ନିର୍ବାହ କରାଇବେ ।
ହେ ଦ୍ୱିଜଗଣ ! ବିଶ୍ୱାବସୁ ଶବର ଏହିପରି ଭାବରେ ମନେ ମନେ ଚିନ୍ତାକରି ଅତି ସୁକୋମଳ ଭାଷାରେ ନିଜର ବକ୍ତବ୍ୟ ଉପସ୍ଥାପନ କଲା ।
ହେ ବିଦ୍ୟାପତି ! ଆସନ୍ତାକାଲି ପ୍ରଭାତରେ ଦେବଦୁର୍ଲ୍ଲଭ ନିରଞ୍ଜନ ନୀଳମାଧବଙ୍କୁ ତୁମ୍ଭେ ଦର୍ଶନ କରିବ ।
ତୁମ୍ଭେ ଏଠାରେ ଆଜି ଫଳ ମୂଳ ପ୍ରଭୃତି ଭୋଜନ କରି ରାତ୍ରିଯାପନ କର । ବିଶ୍ୱାବସୁଙ୍କର ଏତାଦୃଶ ଆନନ୍ଦପ୍ରଦ ବଚନ ଶୁଣି ପରମାର୍ଥ ତତ୍ତ୍ୱଜ୍ଞ ବିଦ୍ୟାପତିବ୍ରାହ୍ମଣଙ୍କର ଶରୀରରେ ରୋମାଞ୍ଚ ଜାତ ହେଲା ।
ସେ(ବିଦ୍ୟାପତି) କହିଲେ ଯେ ମହାପ୍ରଭୁଙ୍କ ଦର୍ଶନ ବିନା ମୁଁ ଜଳ ବୁନ୍ଦାଏ ମଧ୍ୟ ସ୍ପର୍ଶ କରିବି ନାହିଁ । ମୋତେ ତୁମ୍ଭେ ସେହି ସ୍ଥାନକୁ ଅତି ଶୀଘ୍ର ଘେନିଯାଅ ।
ବିଶ୍ୱାବସୁ ତାଙ୍କର କଥା ଅତି ଦୃଢତା ଏବଂ ଆଦର ସହକାରେ ଶୁଣି ବିଦ୍ୟାପତିଙ୍କର ହାତଧରି ସେଠାକୁ ଚଲାପଠାରେ ଘେନିଗଲା, ଯେଉଁଠାରେ ପଦ୍ମଲୋଚନ ମହାପ୍ରଭୁ ନୀଳମାଧବ ଅବସ୍ଥାନ କରିଥିଲେ ।
ହେ ବିପ୍ରଗଣ ! ବିଶ୍ୱାବସୁ ବିଦ୍ୟାପତିଙ୍କୁ େସଠାକୁ ନେଇ ରୋହିଣୀକୁଣ୍ଡର ଜଳରେ ସ୍ନାନକରାଇ କଳ୍ପବଟ ଛାୟାରେ ଉପବେଶନ କରାଇଲେ ।
ତାହାପରେ ନୀଳ ମେଘ ସଦୃଶ ବର୍ଣ୍ଣ, ଅର୍ଦ୍ଧ ବିକଶିତ ପଦ୍ମ ପରି ଚକ୍ଷୁ, କୁମାର ପୂର୍ଣ୍ଣମୀର ଚନ୍ଦ୍ର ପରି ମୁଖ, ନାନା ଅଳଙ୍କାରରେ ବିଶୋଭିତ, ଶ୍ରୀଦେବୀ ଓ ଭୂଦେବୀଙ୍କ ଉଭୟ ପାର୍ଶ୍ୱରେ ଆଲିଙ୍ଗିତ, ସୁମଧୁର ହସ ହସ ବଦନ, ପୀତାମ୍ବର ପରିହିତ, ସୁରମ୍ୟ ଗଳାହାର ଓ କର୍ଣ୍ଣରେ କେୟୂର ତଥା ପାଦରେ ନୁପୂର ଧାରଣ କରିଥିବା, ରତ୍ନସିଂହାସନାରୂଢ, ଦେବବନ୍ଦିତ, ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଥିବା ଚତୁର୍ଭୁଜ ତଥା ସମସ୍ତଲକ୍ଷଣସମ୍ପନ୍ନ ବନମାଳାଶୋଭା ମାଧବଙ୍କୁ ସେ ଦର୍ଶନ କରାଇଲା ।
ତାହାପରେ ବିଦ୍ୟାପତି ମାଧବଙ୍କୁ ଦର୍ଶନ କରି ଦଣ୍ଡପ୍ରଣାମ ଜଣାଇ ଆନନ୍ଦରେ ଗଦ୍ ଗଦ ବଚନରେ ସ୍ତୁତି ଗାଇ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କଲେ ।
ହେ ଦେବ ଦେବ ! ହେ ପରମେଶ୍ୱର ! ତୁମ୍ଭଙ୍କୁ ନମସ୍କାର । ହେ ପ୍ରଭୁ ତୁମ୍ଭର ଦର୍ଶନଲାଭ କରି ମୁଁ ଆଜି କୃତାର୍ଥ ହୋଇଅଛି, ପ୍ରଭୁ କୃତାର୍ଥ ହୋଇଅଛି ।
ଇନ୍ଦ୍ର ପ୍ରଭୃତି ଦେବଗଣ, ନାରଦ ପ୍ରଭୃତି ମୁନିଗଣଙ୍କୁ ଯେ ଅଗୋଚର, ବେଦ ଓ ଧର୍ମଶାସ୍ତ୍ରରେ ଯାହାଙ୍କ ସନ୍ଧାନ ଦୁର୍ଲ୍ଲଭ, ସେହି ଦେବତାଙ୍କୁ ମୁଁ ଆଜି ଦର୍ଶନ କରିଛି ।
ବ୍ରହ୍ମା ବା ଦେବ ଦେବ ମହାଦେବ କିମ୍ବା ଅନ୍ୟ ଦେବଗଣ ଯାହାଙ୍କ ଦର୍ଶନ ଲାଭ କରିବାକୁ ସମର୍ଥ ହୋଇନାହାଁନ୍ତି, ମୁଁ ଆଜି ସେହି ମହାପ୍ରଭୁଙ୍କ ଦର୍ଶନ ଲାଭକରି କୃତକୃତ୍ୟ ହୋଇଅଛି । ମୋ ଆଖି ଆଜି ଏହି ଆନନ୍ଦାଶ୍ରୁରେ ଉଛୁଳି ଉଠୁଛି ।
ଏହିପରି କହି ସଂଯତେନ୍ଦ୍ରିୟ ବିଦ୍ୟାପତି ମହାପ୍ରଭୁଙ୍କୁ ବାରମ୍ବାର ପ୍ରଣାମ ଜଣାଇ ସନ୍ତୁଷ୍ଟ କଲେ । ଭୂମିରେ ଅତି ଆନନ୍ଦରେ ଗଡିଗଲେ ।
ତାହାପରେ ପୁଣି ଉଠି ପ୍ରଭୁଙ୍କ ସମ୍ମୁଖରେ ପରମ ଭକ୍ତି ସହକାରେ ସହସ୍ରବାର ଓଁକାର ଉଚ୍ଚାରଣ ପୂର୍ବକ ଭକ୍ତି ନିବେଦନ କରି କୃତକୃତ୍ୟ ହେଲେ ।
‘‘ଯିବା ବାଟ ବଡ ଦୁର୍ଗମ । ଘର ବହୁଦୂରରେ, ଆସନ୍ତୁ ଶୀଘ୍ର ଯିବା ।’’ ଏହିପରି ବିଶ୍ୱାବସୁ ଶବର କହନ୍ତେ ବିଦ୍ୟାପତି କହିଲେ, ମୁଁ ପ୍ରଭୁଙ୍କ ନିକଟରେ ରହିବି । ତୁମ୍ଭେ ଯାଅ । ଆଜି ରାତ୍ରିରେ ମୋତେ ଏଠାରେ ସୁଖରେ ରହିବାକୁ ଦିଅ ।
ବିଶ୍ୱାବସୁ କହିଲେ—’’ହେ ବିଦ୍ୟାପତି ! ଏଠାରେ ରହିଲେ ସିଂହ ବ୍ୟାଘ୍ର ପ୍ରଭୃତି ହିଂସ୍ରପ୍ରାଣୀମାନେ ମାରି ଖାଇଯିବେ ।’’ ଏହା କହି ବିଶ୍ୱାବସୁ ତାଙ୍କ ହାତଧରି ନିଜ ଘରକୁ ଘେନିଗଲା । ।୯୦ । ।
ଘରେ ପହଞ୍ଚାଇ ବିଷ୍ଣୁଙ୍କ ଶ୍ରୀଅଙ୍ଗ ନିର୍ମାଲ୍ୟ ଏବଂ ପ୍ରସାଦ ଭୋଜନ ଦେଇ ଆଶ୍ୱସ୍ତ କରାଇଲା ।। ବିଦ୍ୟାପତି ପ୍ରସାଦ ପାଉ ବିଶ୍ୱାବସୁ ସହିତ ଅତି ଆନନ୍ଦରେ ବନ୍ଧୁତା ସ୍ଥାପନ କଲେ ।। କହିଲେ— ‘‘ହେ ଭାଇ ! ବର୍ତ୍ତମାନ ଏହି ଦ୍ରବ୍ୟ ସବୁ ବଡ ଦୁର୍ଲ୍ଲଭ । ଏ ବଣଜଙ୍ଗଲରେ କେଉଠୁ ସବୁ ପାଇଲ । ଏ ପଦାର୍ଥ ରାଜାଙ୍କୁ ମଧ୍ୟ ଦୁର୍ଲ୍ଲଭ ଅଟେ ।।୯୧-୯୩।।’’
ବିଦ୍ୟାପତିଙ୍କର କଥାଶୁଣି ସେ କହିଲା— ‘‘ସନ୍ଧ୍ୟାରେ ଆସି ଦେବତାମାନେ ଏହି ଦ୍ରବ୍ୟସବୁ ମାଧବଙ୍କୁ ଅର୍ପଣ କରିଥାନ୍ତି ।। ବିଷ୍ଣୁଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରି ପ୍ରତ୍ୟହ ସକାଳୁ ଉଠି ଏହି ଦିବ୍ୟ ‘ପ୍ରସାଦ’ ଓ ନିର୍ମାଲ୍ୟ ଦ୍ରବ୍ୟ ମୁଁ ପ୍ରାପ୍ତ ହୁଏ ।।୯୪-୯୫।।
ମୋର ଜ୍ଞାତି-କୁଟୁମ୍ବ ତଥା ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ବାଣ୍ଟି ଶେଷରେ ଏହି ମହାପ୍ରସାଦ ସେବନ କରି ମୁଁ ସର୍ବଦା କାଳାତିପାତ କରେ ।’’ ବିଶ୍ୱାବସୁ ମୁଖରୁ ଏହି କଥା ବିଦ୍ୟାପତି ଶୁଣିଲେ ।।୯୬।। ସେ (ବିଦ୍ୟାପତି) ବିଶ୍ୱାବସୁଙ୍କୁ ବିଷ୍ଣୁ ଭାବରେ ଜ୍ଞାନକରି ଭକ୍ତି ଗଦଗଦ୍ ଚିତ୍ତରେ ତାକୁ କୁଣ୍ଢେଇ ପକାଇଲେ ଏବଂ ତା’ସହିତ ମିତ୍ରତା ସ୍ଥାପନ କଲେ । ମହାପ୍ରସାଦ ପାଇ ନିଜେ ଅତିମାତ୍ରାରେ କୃତକୃତ୍ୟ ହେେଲ । ପୁରୁଷୋତ୍ତମ କ୍ଷେତ୍ର ଏବଂ ମହାପ୍ରଭୁ ମାଧବ ଓ ମହାପ୍ରସାଦର ମହିମା ଶୁଣି ଅତି ଆନନ୍ଦିତ ହୋଇ ସେ ଏହି କଥା କହିଲେ ।।୯୭-୯୯।।
ବିଦ୍ୟାପତି କହିଲେ— ହେ ସଖା ! ମୁଁ ତୁମ୍ଭ ସହ ଏହି ଠାରେ ଆଜିଠାରୁ ରହିବି । ତୁମ୍ଭେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବାବେଳେ ତୁମ୍ଭ ସହିତ ଯାଇ ପ୍ରତ୍ୟହ ମୁଁ ମଧ୍ୟ ଦର୍ଶନ କରିବି ।।୧୦୦।।
ଏ ରାଜ ସେବାରେ କ’ଣ ଅଛି ? ଏ ପିଲାଛୁଆ ସଂସାରରେ ବା କ’ଣ ଅଛି ? ସ୍ୱଚକ୍ଷୁରେ ଯେତେବେଳେ ମୁଁ ଶ୍ରୀମାଧବଙ୍କୁ ଅନବରତ ଦର୍ଶନ କରିବାର ସୁଯୋଗ ପାଇଛି, ତା ନିକଟରେ ଏସବୁ ତୁଛ ।।୧୦୧।।
ଏହି କଥାମାନ କହୁଥିବାର ବିଦ୍ୟାପତି ବ୍ରାହ୍ମଣଙ୍କ ଠାରୁ ଶୁଣି ପୂର୍ବ ଘଟଣାମାନ ମନେପକେଇ ବିଶ୍ୱାବସୁ କହିଲା— ହେ ସଖା ! ତୁମେ ଏପରି କୁହନାହିଁ । କାରଣ ଏହି ପବିତ୍ର କ୍ଷେତ୍ରରେ ସ୍ୱୟଂ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଆସି ଅବସ୍ଥାନ କରିବେ ।।୧୦୨-୧୦୩।।
ସେ ଏଠାରେ ନାନା ଯଜ୍ଞମାନ ଅନୁଷ୍ଠାନ କରି ଦାରୁ ବ୍ରହ୍ମଙ୍କର ପ୍ରକାଶ କରିବେ । ତାହା ଦ୍ୱାରା ଏହି କ୍ଷେତ୍ରର ମହିମା ଅତିମାତ୍ରାରେ ବଢିଯିବ ।।୧୦୪।।
ହେ ସଖା ! ମୁଁ ଏହିକଥା ବହୁପୂର୍ବରୁ ଶୁଣିଅଛି । ତେଣୁ ତୁମ୍ଭେ ବର୍ତ୍ତମାନ ଯାଅ ଏବଂ ମହାରାଜଙ୍କୁ ସଙ୍ଗରେ ନେଇଆସ ।।୧୦୫।। ଏହା କହି ଶବର ଶ୍ରେଷ୍ଠ ବିଶ୍ୱାବସୁ ନିଜ ଘରେ ଶୟନକଲେ । ବିଦ୍ୟାପତି ମଧ୍ୟ ସେହିପରି ଶୟନକକ୍ଷକୁ ଗଲେ ।।୧୦୬।। ସେହିଦିନ ରାତ୍ରିରେ ଭକ୍ତବତ୍ସଳ ମାଧବ ମହାପ୍ରଭୁ ଜଗନ୍ନାଥ ବ୍ରାହ୍ମଣଶ୍ରେଷ୍ଠ ବିଦ୍ୟାପତିଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ଏହି କଥା କହିଲେ ।।
ଶ୍ରୀ ମାଧବ କହିଲେ— ହେ ବିଦ୍ୟାପତି ! ତୁମ୍ଭେ ମନରେ ଏପରି କିଛି ନ ଭାବି ଅତି ଶୀଘ୍ର ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କୁ ଏଠାକୁ ଆଣିବାର ବ୍ୟବସ୍ଥା କର ।।୧୦୮।। ଏହି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ରାଜା ଇନ୍ଦ୍ରଦ୍ୟୁମ୍ନ ଅବସ୍ଥାନ କରିବେ । ତୁମ୍ଭେ ମଧ୍ୟ ଏହିଠାରେ ରହି ସଦା ସର୍ବଦା ମୋର ନିତ୍ୟସେବା କରିବ ।।୧୦୯।। ସ୍ୱପ୍ନରେ ଏହି କଥା କହି ଭକ୍ତବାନ୍ଧବ ଭଗବାନ୍ ମାଧବ ନିଜ କଣ୍ଠରୁ ଗୋଟିଏ ଅତି ସୁନ୍ଦର ମାଳା ତାଙ୍କୁ ପ୍ରଦାନକରି ଅନ୍ତର୍ଦ୍ଧାନ ହୋଇଗଲେ । ନିଦ୍ରାଭଙ୍ଗ ହେବାପରେ ସେ ଭଗବାନଙ୍କ ନିକଟରେ କୃତକୃତ୍ୟ ହେଲେ । ନୀଳାଚଳନାଥଙ୍କୁ ଦର୍ଶନକରି ଦଣ୍ଡପ୍ରଣାମ ଜଣାଇଲେ ।।୧୧୧।। ତାହା ପରେ ସେ ପରମବନ୍ଧୁ ବିଶ୍ୱାବସୁଙ୍କୁ ବାରମ୍ବାର ଆଲିଙ୍ଗନ କରି କୁଣ୍ଢାଇ ପକାଇ ନିଜଦେଶକୁ ଗଲେ ।।୧୧୨।। ବିଦ୍ୟାପତି ବ୍ରାହ୍ମଣଙ୍କୁ ଆସୁଥିବାର ଦେଖି ଇନ୍ଦ୍ରଦ୍ୟୁମ୍ନ ମହାରାଜ ନିଜ ଆସନରୁ ଉଠି ନମସ୍କାର କଲେ ।।୧୧୩।। ସୂର୍ଯ୍ୟଙ୍କ ତେଜରେ ତେଜୀୟାନ୍ ହୋଇଥିବା ପରି ଅତି ଚଞ୍ଚଳ ଜଣାପଡୁଥିବା ବିଦ୍ୟାପତିଙ୍କୁ ଦେଖି ରାଜା ଅତି ଆନନ୍ଦିତ ହୋଇପଡିଲେ ଏବଂ ପରମଭକ୍ତି ସହକାରେ ପଚାରିଲେ ! ଆପଣ ମାଧବଙ୍କ ଦର୍ଶନ ପାଇଲେ ?।।୧୧୪।।
ଇନ୍ଦ୍ରଦ୍ୟୁମ୍ନ ପଚାରିଲେ, ହେ ବିଦ୍ୟାପତି, ହେ ଧର୍ମଜ୍ଞ, ହେ ମହାପ୍ରାଜ୍ଞ, ହେ ଭଗବତ୍ ଭକ୍ତିପରାୟଣ, ମାଧବଙ୍କ ସମ୍ପର୍କରେ କ’ଣ ସବୁ ଶୁଣିବାକୁ ପାଇଲ । କେହି କିଛି ସୁବିଧା ଅସୁବିଧା କଥା କହିଲେ କି ?।୧୧୫।। ମାଧବଙ୍କର ଦର୍ଶନ ଯଦି ପାଇଛ, ତେବେ ମୋତେ ସେ ସମ୍ପର୍କରେ ବୁଝାଇ କହ । ଯେଉଁ ଦେଶରେ ମାଧବଙ୍କୁ ଦର୍ଶନ କଲ, ସେ ସମ୍ପର୍କରେ ମୋତେ ବିବରଣୀ ଦିଅ ।।୧୧୬।। ବିଦ୍ୟାପତି କହିଲେ, ହେ ଇନ୍ଦ୍ରଦ୍ୟୁମ୍ନ ! ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟ । ମୋତେ ତୁମ୍ଭେ ଯେଉଁ ଜଟିଳ ପ୍ରଶ୍ନ ପଚାରିଛ, ବିଶ୍ୱାବସୁଙ୍କ ଦୟାରୁ ମୁଁ ଯେପରି ଦର୍ଶନ କରିଅଛି ଏବଂ ଯାହା ଶୁଣିଅଛି ତାହା କହୁଅଛି ।।୧୧୭।। ସେଠାରେ ନୀଳାଚଳ ଧାମରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରଣ କରି ଇନ୍ଦ୍ରନୀଳମଣି ପରି ଶ୍ୟାମଳ ମୁକ୍ତିଦାତା ଶ୍ରୀମାନ ନୀଳମାଧବ ବିରାଜମାନ କରିଛନ୍ତି ।।୧୧୮ ସେ ସୁବର୍ଣ୍ଣ ପଦ୍ମ ଉପରେ ଅବସ୍ଥାନ କରିଛନ୍ତି । ଦେବତା ମଣ୍ଡଳୀ ତାଙ୍କୁ ପୂଜା-ଅର୍ଚ୍ଚନା କରୁଛନ୍ତି । ନାନା ଅଳଙ୍କାରରେ ବିଭୂଷିତ ହୋଇଛନ୍ତି । ତାଙ୍କ ପାର୍ଶ୍ୱରେ ଶ୍ରୀଦେବୀ ଏବଂ ଭୂଦେବୀ ଅଛନ୍ତି ।।୧୧୯।। ହେ ରାଜା ! ସେ ପ୍ରଭୁଙ୍କର ଚଉରାଅଶୀ ଯବ ପ୍ରମାର ଉଚ୍ଚତା । ତାଙ୍କ ସମ୍ମୁଖରେ କଳ୍ପବୃକ୍ଷ ବିରାଜମାନ କରିଛନ୍ତି ।।୧୨୦।। ନିଖିଳ ଜଗତକୁ ପବିତ୍ର କରୁଥିବା ଜଳକୁ ବହନ କରି ରୋହିଣୀ କୁଣ୍ଡ ସେଠାରେ ବିଦ୍ୟମାନ । ସେହି ଜଳରେ ଦେବତାମାନେ ପ୍ରତ୍ୟକ୍ଷ ନୀଳମାଧବଙ୍କ ପୂଜା କରୁଛନ୍ତି ।।୧୨୧।। (କ୍ରମଶଃ)

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.