Press "Enter" to skip to content

ତୈତ୍ତିରୀୟ ଉପନିଷଦର ଅମର ବାର୍ତ୍ତା -୨

Last updated on August 13, 2022

ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନ
ମାନବୀୟ ଶିକ୍ଷା : ମୌଳିକ ତତ୍ତ୍ୱ

ପଠନ-ପାଠନରୁ ପୂର୍ବ ସ୍ତୁତି, ଆରାଧନା ମାଧ୍ୟମରେ ଜଗନ୍ନିୟନ୍ତା ପରମେଶ୍ୱରଙ୍କର ସ୍ମରଣ ଏବଂ ବନ୍ଦନ ସଦୈବ ଅପେକ୍ଷିତ ଅଟେ ।
ହେ ଓମ୍‌  ! ଆପଣ ଆମର ପ୍ରକୃତ ମିତ୍ର ଅଟନ୍ତି, ଆପଣ ଆମ ପ୍ରାଣକୁ ଶାନ୍ତି ପ୍ରଦାନ କରନ୍ତୁ । ଆପଣ ସୁଖକାରୀ ହୁଅନ୍ତୁ, ଆମର ସମ୍ପୂର୍ଣ୍ଣ ବାୟୁ ସଂସ୍ଥାନକୁ ଶାନ୍ତି ପ୍ରଦାନ କରୁ । ଆମର ନେତ୍ର ଶାନ୍ତ ରହୁ, ଆମର ବାହୁ ସବଳ ରହୁ, ଆମର ବାଣୀ ବୁଦ୍ଧି ଏବଂ ବୃହତୀ ବିଦ୍ୟାପତି ଆମପାଇଁ ସୁଖକାରୀ ହେଉ । ଆମର ଆଧାର ସଶକ୍ତ ଏବଂ ଗତି କ୍ରିୟାରେ ସମର୍ଥ ହେଉ । ଆମର ପାଦ ସୁଦୃଢ଼ ହେଉ, ସର୍ବାଧାର, ସର୍ବଫଳପ୍ରଦ ବାୟୁମଣ୍ଡଳର ନିୟନ୍ତା ବ୍ରହ୍ମା ଆପଣ ନମସ୍କରଣୀୟ ଅଟନ୍ତି । ଆପଣ ହିଁ ପ୍ରତ୍ୟକ୍ଷ ବ୍ରହ୍ମ ଅଟନ୍ତି । ଆପଣ ସମସ୍ତ ଦିବ୍ୟଶକ୍ତିସମୂହର ପ୍ରତ୍ୟକ୍ଷ ବ୍ରହ୍ମ ଅଟନ୍ତି । ଆପଣଙ୍କୁ ହିଁ ପ୍ରତ୍ୟକ୍ଷ ବ୍ରହ୍ମ କହୁଛି । ତାହା କହିବି ଯାହା ଶାସ୍ତ୍ରାନୁକୂଳ ଋତ ଅଟେ । ଏଥିପାଇଁ ସତ୍ୟ କହିବି । ମନ, ବଚନ, କର୍ମରେ ଠିକ୍‌ କହିବି । ଅନ୍ତଃକରଣର ବିରୁଦ୍ଧ କିଛି ବି କହିବି ନାହିଁ ।
ସମସ୍ତ ଶୁଭ କାର୍ଯ୍ୟ ପୂର୍ବରୁ ଈଶସ୍ତୁତି ନିମିତ୍ତ ସତ୍ୟବଚନର ପ୍ରତିଜ୍ଞା କରୁଛି । ମୋର ସତ୍ୟ ବଚନ ଶ୍ରୋତାଙ୍କ ଅପେକ୍ଷା ବକ୍ତାଙ୍କର ରକ୍ଷା କରୁ, ତାହା ଉପଦେଷ୍ଟାଙ୍କର ରକ୍ଷା କରୁ ।
ଋଷି କହୁଛନ୍ତି, ଶିକ୍ଷା ଦୁଇପ୍ରକାର ଅଟେ । ଗୋଟିଏ ଶବ୍ଦ-ଶିକ୍ଷା, ଦ୍ୱିତୀୟ ଅର୍ଥ-ଶିକ୍ଷା ବୋଲାଏ । ବାଳକ (ବାଳିକା) ଉଚ୍ଚାରଣ ଶୁଦ୍ଧ କରନ୍ତୁ, ଏହି ଦୃଷ୍ଟିରୁ ପ୍ରଥମ ଶବ୍ଦ-ଶିକ୍ଷାରେ—ବର୍ଣ୍ଣ, ସ୍ୱର, ମାତ୍ରା, ପ୍ରଯତ୍ନ, ମଧ୍ୟମ, ଦ୍ରୁତ, ବିଲମ୍ବିତ ବୃତ୍ତି ଏବଂ ସଂହିତା ଅଥବା ଅବସାନ ଆଦିର ଯଥାର୍ଥ ସ୍ୱରୂପର ବୋଧ ହେବା ଶବ୍ଦ-ଶିକ୍ଷା ବୋଲାଏ । ଏହା ଅନ୍ତର୍ଗତ ଶିକ୍ଷା ନାମକ ବେଦାଙ୍ଗ ଏବଂ ବ୍ୟାକରଣ ମଧ୍ୟ ପରିଗଣିତ ହୋଇଯାଏ । ଏହାକୁ ବାଚକ ସମ୍ବନ୍ଧିତ ଶିକ୍ଷା ମଧ୍ୟ ବୋଲାଯାଏ । ଗୁଣ, କର୍ମ, ସ୍ୱଭାବସମୂହକୁ ଶୁଦ୍ଧ କରିବା ଅର୍ଥ ଶିକ୍ଷା ଅଟେ । ଉଭୟଠାରେ ଦ୍ୱିତୀୟ ଶିକ୍ଷାର ମହତ୍ତ୍ୱ ରହିଛି । ଓଁ ଶିକ୍ଷାଂ ବ୍ୟାଖ୍ୟାସ୍ୟାମଃ । ବର୍ଣ୍ଣଃ ସ୍ୱରଃ ମାତ୍ରା ବଳମ୍‌, ସାମ ସନ୍ତାନଃ ଇତ୍ୟୁକ୍ତଃ ଶିକ୍ଷାଧ୍ୟାୟଃ ।୨/୧ ।
ଉପନିଷତ୍‌କାରଗଣ ବର୍ଣ୍ଣ, ସ୍ୱର, ମାତ୍ରା, ବଳ, ସନ୍ତାନ ଆଦିର ଶିକ୍ଷାକୁ ସଂହିତା ବୋଲି କହିଛନ୍ତି । ଏହାର ପରବର୍ତ୍ତୀ ଭିନ୍ନଭିନ୍ନ ବିଷୟସମୂହସ୍ଥିତ ଜ୍ଞାନର ଶିକ୍ଷା ‘ମହାସଂହିତା’ ନାମରେ ନାମିତ । ଏହି ଶିକ୍ଷାର ଲକ୍ଷ୍ୟ ବ୍ରହ୍ମଜ୍ଞାନ ଅଟେ । ସଂହିତାର ଅର୍ଥ ହେଉଛି ବାକ୍ୟସମୂହର ଯୋଗ, ଯାହା ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥିବ, ପରସ୍ପର ସହିତ ସାମଞ୍ଜସ୍ୟ ରକ୍ଷା କରୁଥିବ । ବାକ୍ୟବିନ୍ୟାସ ଯେଉଁ ବର୍ଣ୍ଣ, ସ୍ୱର ଆଦିର ଜ୍ଞାନରୁ ଉତ୍ପନ୍ନ ହୋଇଥାଏ, ତାହା ସଂହିତା ଅଟେ । ଏପ୍ରକାର ପ୍ରାଥମିକ ଶିକ୍ଷାର ଜ୍ଞାନ ସଂହିତା-ଜ୍ଞାନ ଅଟେ । ଏହାପରେ ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷା ସମ୍ବନ୍ଧିତ ଜ୍ଞାନ ସଂହତ ଜ୍ଞାନ ଅଟେ । ଏହି ମହାସଂହିତା ଜ୍ଞାନ ପାଞ୍ଚପ୍ରକାର ଅଟେ, ତାହାକୁ — ଅଧିଲୋକ, ଅଧିଜ୍ୟୋତିଷ, ଅଧିବିଦ୍ୟା, ଅଧିପ୍ରଜ ତଥା ଅଧ୍ୟାତ୍ମ କହନ୍ତି ।
ଅଧିଲୋକ— ଲୋକ ସମ୍ବନ୍ଧୀ ଜ୍ଞାନ ଅଟେ । ଏହାକୁ ଭୂଗୋଳ ବିଦ୍ୟା ମଧ୍ୟ କହିପାରିବା ।
ଅଧିଜ୍ୟୋତିଷ—ଏହାକୁ ଖଗୋଳବିଦ୍ୟା ଅବା ଜ୍ୟୋତିଷବିଦ୍ୟା ମଧ୍ୟ କହିପାରିବା । ଏହା ପଢ଼ାଇବା, ଉପଦେଶ ଦେବା ବିଦ୍ୟା ସମ୍ବନ୍ଧୀ ଉପଯୋଗୀ ସାଧନସମୂହର ବ୍ୟାଖ୍ୟାନ ଅଟେ ।
ଅଧିପ୍ରଜ— ସନ୍ତାନୋତ୍ପତ୍ତି ଗୃହସ୍ଥ ବିଷୟକ ଜ୍ଞାନ ହିଁ ଅଧିପ୍ରଜ ବୋଲାଏ ।
ଅଧ୍ୟାତ୍ମ— ବିଦ୍ୟାସମୂହର ଜ୍ଞାନ ସ୍ୱତଃ ଗ୍ରହଣ କରିବା ଏବଂ ତାହାକୁ ନିଜର ସନ୍ତାନ ପର୍ଯ୍ୟନ୍ତ ପହଞ୍ଚାଇବାପରେ ମାନବର ଦାୟିତ୍ୱ ହେଉଛି ସେ ଜ୍ଞାନର ଅନ୍ତିମ ସୀମା ଆତ୍ମଜ୍ଞାନର ପ୍ରାପ୍ତି କରୁ ।
ଉପନିଷଦରେ ଏହି ଆତ୍ମଜ୍ଞାନକୁ ଅଧ୍ୟାତ୍ମଜ୍ଞାନ କୁହାଯାଇଛି । ଉପନିଷଦ୍‌ରେ ଅଧ୍ୟାତ୍ମର ଦୁଇଗୋଟି ଅର୍ଥ ରହିଛି—
ଆତ୍ମାର ଅର୍ଥ ଶରୀର ଅନ୍ୟଟି ଆତ୍ମା ମଧ୍ୟ ଅଟେ । ଶରୀର ଦୃଷ୍ଟିରୁ ତାହାର ଦୁଇଗୋଟି ବିଭାଗ କରାଯାଇଛି । ପ୍ରଥମ ଅଧର ହନୁ, ଥୋଡିରୁ ଭିନ୍ନ ଭାଗ ଏବଂ ଦ୍ୱିତୀୟ ଉତ୍ତର ହନୁ ଅବା ଥୋଡିରୁ ଉପର ସ୍ଥିତ ଭାଗ । ଥୋଡିରୁ ନିମ୍ନ ଭାଗରେ ଶରୀରର ସମସ୍ତ କର୍ମେନ୍ଦ୍ରିୟ କେନ୍ଦ୍ରିତ ହୋଇ ରହିଥାଏ । ଉପନିଷତ୍‌କାର କର୍ମେନ୍ଦ୍ରିୟସମୂହକୁ ‘ଅଧରା ହନୁଃ ପୂର୍ବରୂପମ୍‌’ ପୂର୍ବରୂପ କହନ୍ତି ଏବଂ ସେହି ଜ୍ଞାନେନ୍ଦ୍ରିୟସମୂହର ଜ୍ଞାନକୁ ଉତ୍ତରରୂପ ‘ଉତ୍ତରା ହନୁଃ ଉତ୍ତରରୂପମ୍‌’ କହନ୍ତି । ବାଣୀ ଦ୍ୱାରା କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟସମୂହର ସନ୍ଧିକୁ ବାକ୍‌ ସନ୍ଧିଃ କୁହାଯାଇଛି । ବାଣୀର ସାଧିକ ଜିହ୍ୱା ଅଟେ, ଏଥିପାଇଁ ସେହି ଯୋଡକୁ ‘ଜିହ୍ୱାସନ୍ଧାନମ୍‌’ କୁହାଯାଇଛି । ଶାରୀରିକ ଦୃଷ୍ଟିରୁ ଅଧ୍ୟାତ୍ମର ଏହା ମଧ୍ୟ ପ୍ରକ୍ରିୟା ଅଟେ, ହେଲେ ଶାରୀରିକ ଜ୍ଞାନ ପର୍ଯ୍ୟନ୍ତ ଅଧ୍ୟାତ୍ମ ଜ୍ଞାନ ମର୍ଯ୍ୟାଦିତ ନୁହେଁ, ଫଳତଃ ଉତ୍ତର ହନୁ ପ୍ରତୀକ ଅଟେ— ଜ୍ଞାନେନ୍ଦ୍ରିୟସମୂହ ଏବଂ ଆତ୍ମଜ୍ଞାନର । ତୈତ୍ତିରୀୟ ଉପନିଷଦ୍‌ରେ ତାହାକୁ ‘ଅଧ୍ୟାତ୍ମ’ କୁହାଯାଇଛି । (‘ଇତ୍ୟଧ୍ୟାତ୍ମମ୍‌’) ଏହି ଭଳି ଏହି ଉପନିଷତ୍‌ର ଦୃଷ୍ଟିରେ ସମ୍ପୂର୍ଣ୍ଣ ଶରୀର ଏବଂ ଆତ୍ମା ସହିତ ସମ୍ବନ୍ଧିତ ସମସ୍ୟାଗୁଡିକର ଜ୍ଞାନ ଅଟେ । ସଂହିତା-ମହାସଂହିତା ଶବ୍ଦସମୂହର ଅର୍ଥ ହେଉଛି, ସମସ୍ତଙ୍କର ଏକତ୍ରିତ ହେବା । ଏହା ଜ୍ଞାନର ମହାସଂହିତା ଅଟେ । ଏହି ପାଞ୍ଚ ମହାସଂହିତାସମୂହର ବର୍ଣ୍ଣନା ପ୍ରଜା, ପଶୁ, ବ୍ରହ୍ମତେଜ, ଅନ୍ନ, ସ୍ୱର୍ଗଲୋକ ସହ ସମନ୍ୱିତ ହୋଇଯାଏ ।
ସ୍ୱାଧ୍ୟାୟ ତଥା ପ୍ରବଚନର ମହତ୍ତ୍ୱ
ଶିକ୍ଷାକୁ ସୁରକ୍ଷିତ ରଖିବାପାଇଁ ସ୍ୱାଧ୍ୟାୟ ଏବଂ ପ୍ରବଚନର ବିଶେଷ ମହତ୍ତ୍ୱ ରହିଛି । ତାହାର ବିବରଣୀ ଏହି ଉପନିଷଦ୍‌ର ନବମ ଅନୁବାକରେ ରହିଛି । ତା ପୂର୍ବରୁ ଚତୁର୍ଥରୁ ଅଷ୍ଟମ ପର୍ଯ୍ୟନ୍ତ ଅନୁବାକରେ ଭୂଃ, ଭୁବଃ, ସ୍ୱଃ ଆଦି ବ୍ୟାହୃତିସମୂହ ଏବଂ ଓଁକାରର ବିଶଦ ଚର୍ଚ୍ଚା କରାଯାଇଛି । ବିଦ୍ୟାର୍ଥୀମାନଙ୍କୁ ପରମେଶ୍ୱରଙ୍କ ଠାରୁ ମେଧା ଆଦି ସର୍ବୋତ୍ତମ ବସ୍ତୁସମୂହକୁ ପ୍ରାପ୍ତ କରିବା ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ ଏବଂ ଯଥାଶକ୍ତି ଉଦ୍ୟୋଗ କରିବା ଆବଶ୍ୟକ । ଏହା ସହିତ ଶିକ୍ଷା ପ୍ରାପ୍ତ କରିବା ପୂର୍ବରୁ ପୃଥିବୀ, ଅଗ୍ନି, ଋକ୍‌, ପ୍ରାଣ ସହ ସମ୍ବନ୍ଧିତ ଭୂ ; ଅନ୍ତରିକ୍ଷ, ବାୟୁ, ଯଜୁଃ, ଅପାନ ସହ ସମ୍ବନ୍ଧିତ ଭୁବଃ ; ଅସୌ ଆଦିତ୍ୟ, ଚନ୍ଦ୍ରମା, ବ୍ରହ୍ମ, ଅନ୍ନ ସହ ସମ୍ବନ୍ଧିତ ଚତୁର୍ଥ ବ୍ୟାହୃତି ଆଦିର ସମ୍ୟକ୍‌ ଅର୍ଥ ଅବଗତ ହେବା ଆବଶ୍ୟକ । ଶିକ୍ଷା ପ୍ରାପ୍ତି କରିବା ପୂର୍ବରୁ ଶିଷ୍ୟକୁ ଉପାସନା ସମ୍ବନ୍ଧିତ ଶିକ୍ଷା ପ୍ରାପ୍ତ କରିବାପାଇଁ ପ୍ରଥମେ ନିଜର ମନ ଏବଂ ଇନ୍ଦ୍ରିୟସମୂହକୁ ସମ୍ୟକ୍‌ ନିୟନ୍ତ୍ରଣ କରିବା ଆବଶ୍ୟକ । ଜୀବାତ୍ମାକୁ ନିଜର ସ୍ୱରୂପ ସମ୍ବନ୍ଧରେ ଅବଗତ ହୋଇ ସତ୍ୟ ସନାତନ ନିରାକାର ବ୍ରହ୍ମଙ୍କର ଉପାସନା କରିବା ଆବଶ୍ୟକ । ଏହିଭଳି ସାଧକ ବିଦ୍ୟାର୍ଥୀଙ୍କୁ ପୃଥିବୀଆଦି ତିନି ପଞ୍ଚକ ଅଧିଭୌତିକ, ଆଧିଦୈବିକ ତଥା ପ୍ରାଣାଦି ତିନିଗୋଟି ଅଧ୍ୟାୟ ସମ୍ବନ୍ଧିତ ପଞ୍ଚକ ସମ୍ବନ୍ଧରେ ସମ୍ୟକ୍‌ ଜ୍ଞାନ ହେବା ଆବଶ୍ୟକ । ଅଷ୍ଟମ ଅନୁବାକ ଅନ୍ତର୍ଗତ ଶୁଭ କର୍ମସମୂହର ପ୍ରାରମ୍ଭ କରିବା ପୂର୍ବକ ତଥା ଉପାସନା ନିମନ୍ତେ ଓମିତି ବ୍ରହ୍ମ, ଓମିତୀଦ ଁ୍‌ସର୍ବମ୍‌, ଓମିତି ସାମାନି ଗାୟନ୍ତି, ଓଁ ଶୋମିତି ଶାସ୍ତ୍ରାଣି ଶଂସନ୍ତି । (ଶି.୮ଅନୁ.) ଓଁକାର ହିଁ ବ୍ରହ୍ମ ଅଟନ୍ତି, ଓଁକାର ସବୁକିଛି ଅଟନ୍ତି, ଓଁକାରଙ୍କର ସାମ ସ୍ତୁତି କରନ୍ତି । ଓଁକାରଙ୍କର ସମସ୍ତ ଶାସ୍ତ୍ର ପ୍ରଶଂସା କରନ୍ତି । ଏହିଭଳି ପ୍ରତ୍ୟେକ ଶୁଭ କାର୍ଯ୍ୟର ପ୍ରାରମ୍ଭ କରିବା ପୂର୍ବକ ତଥା ଉପାସନା ନିମନ୍ତେ ଓଁକାରଙ୍କର ଉଚ୍ଚାରଣ ଏବଂ ଧ୍ୟାନ କରିବା ଆବଶ୍ୟକ ।
ଉପନିଷତ୍‌କାର ଶିକ୍ଷାକୁ ଜୀବିତ-ଜାଗ୍ରତ ରଖିବାପାଇଁ ସ୍ୱାଧ୍ୟାୟ ଏବଂ ପ୍ରବଚନ ଦୁଇଗୋଟି ଉପାୟ ସମ୍ପର୍କରେ କହିଅଛନ୍ତି । ସ୍ୱାଧ୍ୟାୟରୁ ଯେଉଁ ଶିକ୍ଷା ପ୍ରାପ୍ତ ହୁଏ, ଯାହା ପାଠ କରାଯାଏ, ତାହାର ମନନ କରିବା ଆବଶ୍ୟକ । ଏହା ସହିତ ନୂତନ ନୂତନ ଗ୍ରନ୍ଥସମୂହର ଅଧ୍ୟୟନ କରିବା, ଦ୍ୱିତୀୟ ନିଜ ବ୍ୟକ୍ତିତ୍ୱର ଅଧ୍ୟୟନ କରିବା, ଏହା ମୂଲ୍ୟାଙ୍କନ କରିବା ଯେ, ମୁଁ ଜୀବନରେ କଣ ହୋଇପାରିଛି ? ନିଜର ଶିକ୍ଷା, ଅଧ୍ୟୟନକୁ ସୁରକ୍ଷିତ ରଖିବାପାଇଁ ମାନବ ଯାହାକିଛି ଜାଣେ, ତାହାକୁ ସେ ପ୍ରବଚନ ଦ୍ୱାରା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇଥାଏ । ଏହା ସହିତ ସାଧକ ବିଦ୍ୟାର୍ଥୀଙ୍କୁ ଅବଗତ ହେବା ଆବଶ୍ୟକ ଯେ, ସର୍ବତ୍ର ଭଗବାନଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ, ଯାହାକୁ ଋତ କହନ୍ତି, ଚଳିବ, ମାନବ ଦ୍ୱାରା ନିର୍ଦ୍ଧାରିତ ନିୟମ ନୁହେଁ । ଉପନିଷତ୍‌କାରମାନଙ୍କ ପରାମର୍ଶ ହେଉଛି—ଜୀବନରେ ସତ୍ୟର ପାଳନକର, ଅନ୍ୟମାନଙ୍କପାଇଁ ମଧ୍ୟ ସତ୍ୟର ପ୍ରବଚନକର । ଋତ ଏବଂ ସତ୍ୟର ପାଳନ କରିବା ଏକପ୍ରକାର ତପସ୍ୟା ଅଟେ । କୌଣସି ପ୍ରକାର ପ୍ରଲୋଭନରେ ନ ପଡିବା ତପ ଅଟେ, ତାହାର ଦମନ କରିବା ଦମ ଅଟେ, ପ୍ରଲୋଭନ ମଧ୍ୟରେ ଶାନ୍ତ ରହିବା ଶମ ଅଟେ । ଏହିଭଳି ଅଗ୍ନ୍ୟାଧାନ, ଅଗ୍ନିହୋତ୍ର, ଅତିଥି-ସେବା, ମାନବ-ସେବା, ପ୍ରଜା-ପାଳନ, ସନ୍ତାନୋତ୍ପତ୍ତି, ପୁତ୍ର-ପୌତ୍ରାଦିଙ୍କର ପାଳନ ଆଦି ସମସ୍ତ ଦାୟିତ୍ୱ ପୂର୍ଣ୍ଣ କରିବା ଭଳି ସ୍ୱାଧ୍ୟାୟ, ପ୍ରବଚନ ଆଦିକୁ ତ୍ୟାଗ କରନ୍ତୁ ନାହିଁ । ଏ ସମସ୍ତ ଉପଦେଶ ଦେବାପୂର୍ବକ ଋଷି କହୁଛନ୍ତି, ସତ୍ୟ ହିଁ ସବୁକିଛି ଅଟେ । ସତ୍ୟ କହୁଥିବା ରଥୀତରଙ୍କ ପୁତ୍ରଙ୍କର କହିବା ଅନୁସାରେ—ତପ ହିଁ ସବୁକିଛି । ଏହି ତପସ୍ୱୀ ପୁରୁଶିଷ୍ଟଙ୍କ ପୁତ୍ରର କଥନ ଥିଲା—ସ୍ୱାଧ୍ୟାୟଏବଂ ପ୍ରବଚନ ହିଁ ସବୁକିଛି ଅଟେ । ମୁଦ୍‌ଗଲଙ୍କର ପୁତ୍ରଙ୍କ କଥନାନୁସାରେ—ଏହି ଉଭୟ କର୍ମଦ୍ୱାରା ପରମ କଲ୍ୟାଣ ସମ୍ଭବ ହୋଇଥାଏ । ପଠନ-ପାଠନ ହିଁ ତପ ଅଟେ, ତାହାର ନିଶ୍ଚିତରୂପେ ସେବନ କରିବା ବିଧେୟ ।
ଯେଉଁ ବିଦ୍ୟାର୍ଥୀ ଋତ, ସତ୍ୟ, ତପ, ସ୍ୱାଧ୍ୟାୟ, ପ୍ରବଚନ ଆଦି ସହ ସମନ୍ୱିତ ଜୀବନ ବ୍ୟତୀତ କରିଥାନ୍ତି, ତାହାଙ୍କୁ ଅନୁଭୂତି ହୋଇଥାଏ— ଶରୀର ରୂପୀ ବୃକ୍ଷକୁ ମୁଁ ହିଁ ଗତି ପ୍ରଦାନ କରିଥାଏ । ମୋର କୀର୍ତ୍ତି ପର୍ବତ ସମ ଉଚ୍ଚ ଏବଂ ସୁଦୃଢ଼ ଅଟେ, ଉଚ୍ଚ ସ୍ଥିତିରେ ପହଞ୍ଚିବା କାରଣରୁ ମୁଁ ପବିତ୍ର ଅଟେ, ଜ୍ଞାନୀମାନଙ୍କ ଭଳି ମୁଁ ପବିତ୍ର ଅଟେ, ମୁଁ ଅମୃତ ପାଇସାରିଛି । ଋତ, ସତ୍ୟ, ତପ, ସ୍ୱାଧ୍ୟାୟ, ପ୍ରବଚନ ଆଦି ଦ୍ୱାରା ପ୍ରାପ୍ତ ସମ୍ପଦ ମୋର ବର୍ଚସ୍ୱୀ ଧନ ଅଟେ । ଉତ୍ତମ ମେଧାରୂପୀ ଅମୃତ ଦ୍ୱାରା ମୁଁ ସିଞ୍ଚନ ହୋଇଛି । ବେଦ ଅନୁସାରେ ଋଷି ତ୍ରିଶଂକୁଙ୍କର ଏହା ବଚନ ଅଟେ ।
ଶିକ୍ଷାଧ୍ୟାୟ ବଲ୍ଲୀରେ ପ୍ରାରମ୍ଭିକ ଶିକ୍ଷାରୁ ନେଇ ଉଚ୍ଚତମ ଶିକ୍ଷା ପର୍ଯ୍ୟନ୍ତ କଣ କଣ ପଢ଼ିବା ଆବଶ୍ୟକ, ଏ ବିଷୟରେ ଚର୍ଚ୍ଚା କଲେ ଦେଖାଯାଏ ପ୍ରାଚୀନ ଶିକ୍ଷଣାଳୟସମୂହର ଆଚାର୍ଯ୍ୟ ତାଙ୍କର ଅନ୍ତେବାସୀ ଶିଷ୍ୟମାନଙ୍କଠାରୁ ଦୀର୍ଘ ଅଧ୍ୟୟନ, ଶିକ୍ଷା-କାର୍ଯ୍ୟକ୍ରମ ପରେ ନିଜର ଦୀକ୍ଷାନ୍ତ ଭାଷଣରେ କେଉଁଭଳି ଦକ୍ଷିଣାକୁ ଅପେକ୍ଷା କରୁଥିଲେ, ତାହାର ପୂର୍ବରୁ ଚର୍ଚ୍ଚା ସରିଛି । ସମସ୍ତ ପ୍ରକାର ଶିକ୍ଷା ଗ୍ରହଣ କରିବାପରେ ଏହି ଉପନିଷଦର ଦ୍ୱିତୀୟ ବ୍ରହ୍ମାନନ୍ଦ ବଲ୍ଲୀରେ ଆଚାର୍ଯ୍ୟ ତଥା ଅନ୍ତେବାସୀ ମିଳିତ ହୋଇ ପରସ୍ପର ସହ ତାଦାତ୍ମ୍ୟ ସ୍ଥାପିତ କରିବାପାଇଁ ସଂକଳ୍ପ କରୁଥିଲେ—
”ହେ ଭଗବାନ୍‌, ଉଭୟଙ୍କର ଏକସଙ୍ଗରେ ରକ୍ଷା କରନ୍ତୁ, ଆମେ ଦୁଇଜଣ ଏକସଙ୍ଗରେ ମିଳିତ ହୋଇ (ଅବତୁ) ତୃଷ୍ଣାକୁ ଛାଡି ତୃପ୍ତ-ସନ୍ତୁଷ୍ଟ ହୋଇଯାଉ, ଉଭୟଙ୍କର ଏକସଙ୍ଗରେ ପାଳନ-ପୋଷଣ, ଖାଦ୍ୟ-ପାନୀୟ ଗ୍ରହଣ କରୁ, ଉଭୟଙ୍କର ଏକସଙ୍ଗରେ ରକ୍ଷା କରନ୍ତୁ । ଉଭୟେ ଏକସଙ୍ଗରେ ପରସ୍ପରର ବଳ ବୃଦ୍ଧି କରନ୍ତୁ, ଉଭୟଙ୍କର ପଠନ-ପାଠନ, ପ୍ରଭାବୋତ୍ପାଦକ ହେଉ, ଆମେ ପରସ୍ପର ମଧ୍ୟରେ କଦାପି ଦ୍ୱେଷଭାବ ଯୁକ୍ତ ନହେଉ । ଉଭୟେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ତିନିପ୍ରକାର ଶାନ୍ତି ପ୍ରାପ୍ତ ହେଉ ।”
ଆଧ୍ୟାତ୍ମିକ, ମାନସିକ ଏକତାର ପ୍ରାର୍ଥନା କରିବାପରେ ବ୍ରହ୍ମଜ୍ଞାନ ବିଷୟରେ କହୁଛି—ବ୍ରହ୍ମଙ୍କୁ ଠିକ୍‌ ଭାବରେ ଅବଗତକାରୀ ବ୍ୟକ୍ତି ସୃଷ୍ଟିରେ ଯାହାକିଛି ବି ଜାଣିବାଯୋଗ୍ୟ ପରମ ରହସ୍ୟ ଅଟେ, ତାହାକୁ ଜାଣିଯାଆନ୍ତି । ଏହି କାରଣରୁ ଉକ୍ତ ଉକ୍ତି ସମୂହ କଥିତ ହୋଇଛି । ବ୍ରହ୍ମ ସତ୍ୟ ଅଟେ, ଜ୍ଞାନ ଅନନ୍ତ ଅଟେ, ଯାହାକୁ ସାଧକ-ଜିଜ୍ଞାସୁ ହୃଦୟାକାଶର ଗହନ ଗୁହାରେ ସେହି ଅବଗତ ହୁଅନ୍ତି, ତାହା ସମ୍ପୂର୍ଣ୍ଣ କାମନାସମୂହ ଦ୍ୱାରା ତୃପ୍ତ ହୋଇଯାଏ, ଫଳତଃ ସେ ବ୍ରହ୍ମଙ୍କ ସହ ତାଦାତ୍ମ୍ୟ ସ୍ଥାପିତ କରିନିଏ ।
କ୍ରମଶଃ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.