Last updated on August 13, 2022
ପବମାନଃ ପୁନାତୁ ମା ତ୍ରତ୍ୱେ ଦକ୍ଷାୟ ଜୀବସେ ।
ଅଥୋ ଅରିଷ୍ଟତାତୟେ ।। ମନ୍ତ୍ର: ଅଥର୍ବବେଦ-୬/୧୯/୨
ଭାବାର୍ଥ : ହେ ପରମାତ୍ମା ! ମୋ ହୃଦୟରେ ଭକ୍ତିଭାବ ଓ କର୍ମଣ୍ୟତାର ବିକାଶ କରନ୍ତୁ । ମୋତେ ଆରୋଗ୍ୟ ଓ ସୁସ୍ଥ ଜୀବନ ପ୍ରାପ୍ତ ହେଉ । ମୋତେ ସବୁଦିଗରୁ ପବିତ୍ର କରାନ୍ତୁ ।
ସନ୍ଦେଶ : ମନୁଷ୍ୟକୁ ବାହ୍ୟ ଓ ଆନ୍ତଃ ଉଭୟତଃ ପବିତ୍ର ରହିବା ଦରକାର କାହିଁକି ନାଁ ପବିତ୍ରତା ମଧ୍ୟରେ ହିଁ ପ୍ରସନ୍ନତା ନିହିତ । ପବିତ୍ରତା ମଧ୍ୟରେ ଚିତ୍ତର ପ୍ରସନ୍ନତା, ଶୀତଳତା, ଶାନ୍ତି, ନିଶ୍ଚିନ୍ତତା, ପ୍ରତିଷ୍ଠା, ସତ୍ୟତା ଓ ସଚ୍ଚୋଟତା ଲୁଚି ରହିଥାଏ । ଚୈତନ୍ୟତା, ଜାଗରୁକତା, ସୁରୁଚି, ସାତ୍ତ୍ୱିକତା, ସ୍ୱଚ୍ଛତା, ସରଳତା ଓ ସୁବ୍ୟବସ୍ଥା ମଧ୍ୟରେ ସୌନ୍ଦର୍ଯ୍ୟ ଥାଏ, ଏହାକୁ ପବିତ୍ରତା କୁହାଯାଏ ।
ପବିତ୍ରତା ଏକ ଆଧ୍ୟାତ୍ମିକ ଗୁଣ ଅଟେ । ଆତ୍ମା ସ୍ୱଭାବତଃ ପବିତ୍ର ଓ ସୁନ୍ଦର ଅଟେ, ଅତଃ ଆତ୍ମପରାୟଣ ବ୍ୟକ୍ତିର ବିଚାର, ବ୍ୟବହାର ତଥା ବସ୍ତୁ ସର୍ବଦା ସ୍ୱଚ୍ଛ ଓ ସୁନ୍ଦର ହୋଇଥାଏ ।
ମନୁଷ୍ୟକୁ ସର୍ବଦା ବାହ୍ୟ ଏବଂ ଆନ୍ତରିକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଦରକାର । ଆନ୍ତଃ ପବିତ୍ରତା କାରଣରୁ ସେ ଶ୍ରେଷ୍ଠ, ଶାଳୀନ, ସଜ୍ଜନ ଓ ସୁସଂସ୍କୃତ ହୋଇଥାଏ । ମାନସିକ ପବିତ୍ରତା ମନୁଷ୍ୟକୁ ତପସ୍ୱୀ, ସଂଯମୀ ଓ ନିୟମିତ ଜୀବନ ନିର୍ବାହ ନିମିତ୍ତ ପ୍ରେରିତ କରିଥାଏ, ଯଦ୍ଦ୍ୱାରା ତାକୁ ସ୍ୱାସ୍ଥ୍ୟ, ଆରୋଗ୍ୟତା ଓ ଦୀର୍ଘାୟୁର ବରଦାନ ମିଳିଥାଏ । ତାହାର ଇନ୍ଦ୍ରିୟ ପୁଷ୍ଟ ଓ ସବଳ ହୋଇଥାଏ । ଇନ୍ଦ୍ରିୟର ସଞ୍ଚାଳନ ମନ ଦ୍ୱାରା ହୋଇଥାଏ । ଏହି ମନ ଭଲ-ମନ୍ଦ ଇଚ୍ଛା ଓ ଅଭିଳାଷା ପୋଷଣ କରିଥାଏ, ଆଉ ଶରୀରକୁ ପ୍ରଭାବିତ କରିଥାଏ ।
ଶାରୀରିକ ଓ ମାନସିକ ପବିତ୍ରତା ସହିତ ଆଧ୍ୟାତ୍ମିକ ପବିତ୍ରତା ମଧ୍ୟ ଆବଶ୍ୟକ କାରଣ ଏହାବିନା ମନୁଷ୍ୟ ଜୀବନର ପ୍ରଧାନ ଲକ୍ଷ୍ୟ ଆତ୍ମୋନ୍ନତି ପ୍ରାପ୍ତ କରିପାରେନାହିଁ । ଆଧ୍ୟାତ୍ମିକ ପବିତ୍ରତାରେ ହିଁ ପ୍ରକୃତ ପ୍ରେମ, ଭକ୍ତି, ଦୟା, ଉଦାରତା, ପରୋପକାରର ଭାବନା ଜାଗ୍ରତ ହୋଇଥାଏ ଆଉ ଦେବତ୍ୱ ଭାବ ବିକଶିତ ହୋଇଥାଏ । ସତ୍ତ୍ୱଗୁଣୀ ବୁଦ୍ଧି ମନୁଷ୍ୟକୁ ଜୀବନ୍ତ ଓ ପ୍ରାଣବାନ୍ କରିଥାଏ, ଓଜସ୍ୱୀ, ତେଜସ୍ୱୀ ଓ ବର୍ଚସ୍ୱୀ କରିଥାଏ, ସତ୍ସଙ୍ଗ, ସ୍ୱାଧ୍ୟାୟ, ସେବା, ସଂଯମ ଓ ସାଧନାରେ ପ୍ରେରିତ କରି ଯଶସ୍ୱୀ କରାଏ । ଶାସ୍ତ୍ରରେ ଏହି କଥା ସ୍ପଷ୍ଟ ଉଲ୍ଲିଖିତ ଯେ, ଜନ୍ମରୁ ଆମେ ସମସ୍ତେ ଶୂଦ୍ର ହୋଇଥାଉ, କେହି ହେଲେ ଜନ୍ମଜାତ ବ୍ରାହ୍ମଣ ନୁହଁନ୍ତି । ବ୍ରାହ୍ମଣ ହେବା ନିମିତ୍ତ ଆତ୍ମବଳ, ତପବଳ, ନୈତିକବଳ ଓ ଧର୍ମାଚରଣର ଆବଶ୍ୟକତା ପଡିଥାଏ । ଯଦି କୌଣସି ବ୍ୟକ୍ତିଠାରେ ଏସବୁ ଗୁଣ ନଥାଏ, ତେବେ ସେ ବ୍ରାହ୍ମଣ କୁଳରେ ଜନ୍ମ ନେଲେ ମଧ୍ୟ ଶୂଦ୍ର ଠାରୁ ମଧ୍ୟ ନୀଚ୍ଚ ବୋଲାଏ ।
ଅତଃ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ପବିତ୍ରତା ଦ୍ୱାରା ହିଁ ଜୀବନୋଦ୍ଦେଶ୍ୟ ପ୍ରାପ୍ତି ସମ୍ଭବ ହୋଇପାରିବ ।
Be First to Comment