Press "Enter" to skip to content

ସୁଶ୍ରୁତଙ୍କ ମତରେ ଶଲ୍ୟ ସମ୍ବନ୍ଧୀ ହିତୋପଦେଶ-୭

Last updated on August 13, 2022

ମହର୍ଷି ସୁଶ୍ରୁତ ଶଲ୍ୟକର୍ମ ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର (Brunt instrument) ବିଷୟରେ ବିଶଦ ବର୍ଣ୍ଣନା କରିଛନ୍ତି ।
ଯନ୍ତ୍ରଶତମେକୋତ୍ତରମ୍ ;
ଅତ୍ର ହସ୍ତମେବ ପ୍ରଧାନତମଂ ଯନ୍ତ୍ରାଣାମବଗଚ୍ଛ ।
ଯନ୍ତ୍ର ସଂଖ୍ୟା ୧୦୧ ଅଟେ । ଏଥିମଧ୍ୟରୁ ହସ୍ତକୁ ପ୍ରଧାନ(ସୁ.ଶ୍ରୁ.-୭.୩) ଯନ୍ତ୍ର ଭାବେ ଗ୍ରହଣ କରାଯାଇଛି । କାରଣ ହସ୍ତ ବିନା ଯନ୍ତ୍ରର ପ୍ରୟୋଗ ଅସମ୍ଭବ ଅଟେ । ଯେହେତୁ ଯନ୍ତ୍ରର ପ୍ରୟୋଗ ଏବଂ ଯନ୍ତ୍ରକର୍ମ ହସ୍ତର ଅଧୀନ ଅଟେ ।
ସମାହିତାନି ଯନ୍ତ୍ରାଣି ଖରଶ୍ଲକ୍ଷ୍ଣ ମୁଖାନି ଚ ।
ସୁଦୃଢାନି ସୁରୂପାଣି ସୁଗ୍ରହାଣି ଚ କାରୟେତ୍ ।
ସୁ.ସୂ.୭.୯
ଯନ୍ତ୍ର ସମାହିତ ଅର୍ଥାତ୍ ପ୍ରମାଣବନ୍ଧ, ଅଧିକ ମୋଟା ବା ଅଧିକ କ୍ଷୁଦ୍ର ହେବା ଉଚିତ ନୁହେଁ । ଆବଶ୍ୟକତା ଅନୁସାରେ କେତେକ ଯନ୍ତ୍ର ଦନ୍ତୁରିତ, କେତେକ ଚିକ୍କଣ ମୁଖଯୁକ୍ତ, ଅତ୍ୟନ୍ତ ଦୃଢ, ସୁନ୍ଦର, ଯାହା ଠିକ୍ ଭାବରେ ଧରିହେବ, ସେପରି ନିର୍ମାଣ କରିବ । ଯନ୍ତ୍ର (Brunt instrument) ଦ୍ୱାରା ଶରୀରରୁ ଶଲ୍ୟ ବା ବାହ୍ୟବସ୍ତୁ (Foreign body) ବାହାର କରାଯାଏ । ଏହି ଯନ୍ତ୍ରଗୁଡିକୁ ଛଅ ଭାଗରେ ବିଭକ୍ତ କରାଯାଇଛି, ଯଥା—୧) ସ୍ୱସ୍ତିକ ଯନ୍ତ୍ର, ୨)ସଂଦଶ ଯନ୍ତ୍ର, ୩) ତାଳ ଯନ୍ତ୍ର, ୪) ନାଡୀ ଯନ୍ତ୍ର, ୫) ଶଳାକା ଯନ୍ତ୍ର, ୬)ଉପ ଯନ୍ତ୍ର । ଏହିପ୍ରକାର ଯନ୍ତ୍ରକୁ ଯଥାକ୍ରମେ ୧) Cruciform instruments, ୨) Pincer like instruments, ୩) Spoon shaped instruments, ୪)Tubular instruments, ୫)Rod like instruments, ୬)Accesory instruments କୁହାଯାଏ । ଯନ୍ତ୍ରର ଆକୃତି ଅନୁସାରେ ନାମକରଣ କରାଯାଇଛି ।
ସ୍ୱସ୍ତିକ ଯନ୍ତ୍ରର ସଂଖ୍ୟା-୨୪, ସଂଦଶ ଯନ୍ତ୍ରର ସଂଖ୍ୟା- ୨, ତାଳ ଯନ୍ତ୍ରର ସଂଖ୍ୟା-୨, ନାଡୀ ଯନ୍ତ୍ରର ସଂଖ୍ୟା-୨୦, ଶଳାକା ଯନ୍ତ୍ରର ସଂଖ୍ୟା-୨୮ ଏବଂ ଉପ ଯନ୍ତ୍ରର ସଂଖ୍ୟା-୨୫ ପ୍ରକାର ଅଟେ । ଏହି ଯନ୍ତ୍ରଗୁଡିକ ପ୍ରାୟ ଲୁହା(steel)ରେ ନିର୍ମାଣ କରାଯାଏ । କୌଣସି କଠୋର ବସ୍ତୁ ଲୁହା ବ୍ୟତୀତ ସୁନା, ରୂପା, ତମ୍ବା, ଶୃଙ୍ଗ, ହାତୀଦାନ୍ତ ବା କଠିନ କାଷ୍ଠରେ ମଧ୍ୟ ନିର୍ମାଣ ହୁଏ । ଏହି ଯନ୍ତ୍ରଗୁଡିକ ନାନା ପ୍ରକାର ହିଂସ୍ର ଜନ୍ତୁର ମୁଖ ବା ପକ୍ଷୀର ମୁଖ ଆକୃତିର ହୋଇଥାଏ । ଶଲ୍ୟ ଅସଂଖ୍ୟ ପ୍ରକାର ହୋଇଥିବାରୁ ଚିକିତ୍ସକ ଆବଶ୍ୟକତା ଅନୁସାରେ ନିଜର ବୁଦ୍ଧି ପ୍ରୟୋଗ କରି ଅନେକ ପ୍ରକାର ଯନ୍ତ୍ର ନିର୍ମାଣ କରିବାକୁ ସୁଶ୍ରୁତ ନିର୍ଦ୍ଦେଶ ଦେଇଛନ୍ତି ।
ସୁଶ୍ରୁତ ସଂହିତାରେ ୨୦ ପ୍ରକାର ଶସ୍ତ୍ର (sharp instruments)ର ବର୍ଣ୍ଣନା ମିଳେ । ଯଥା— କାଣ୍ଡଳାଗ୍ର-Circular Knife ୨- କରପତ୍ର-Bone Saw, ୩- ବୃଦ୍ଧି ପତ୍ର-Scal pel, ୪-ନଖ ଶସ୍ତ୍ର-Nail paren, ୫- ମୁଦ୍ରିକା-Ring Knife, ୬-ଉତ୍ପଳ(ପଦ୍ମ ସଦୃଶ)ପତ୍ର – Lancet , ୭- ଅର୍ଦ୍ଧଧାର—Single edged knife, ୮- ସୂଚୀ-Suturing needle-straight and curved, ୯-କୁଶ ପତ୍ର-Bistoury, ୧୦- ଆଟୀମୁଖ- Hawkbill scissors(କଇଁଚ ପରି), ୧୧— ଶରାରୀମୁଖ-Scissors, ୧୨- ଅନ୍ତର୍ମୁଖ- Curved Bistoury, ୧୩- ତ୍ରିକୁଚକ-Brush, ୧୪- କୁଠାରିକା-Chisel or Axeshaped Knife, ୧୫) ବ୍ରୀହିମୁଖ-Trocher, ୧୬- ଆରା- Awl,୧୭- ବେତସ ପତ୍ରକ- A Kind of scalpel, ୧୮- ବଡିଶ-Sharp hook, ୧୯- ଦନ୍ତଶଙ୍କୁ-ଦନ୍ତ ଶର୍କରା(Tartar) ବାହାର କରିବାକୁ-Tooth scaler, ୨୦- ଏଷଣୀ- Sharp probe, Maleable probe (ଭଗନ୍ଧର, ନାଡୀ, ବ୍ରଣ) ପରୀକ୍ଷା କରିବା ପାଇଁ ବ୍ୟବହାର ହୁଏ—To examine fistulous tract.
ଅନୁଶସ୍ତ୍ର — ମହର୍ଷି ସୁଶ୍ରୁତ ଯନ୍ତ୍ର, ଶସ୍ତ୍ର ବ୍ୟତୀତ ଅନୁଶସ୍ତ୍ର ପ୍ରୟୋଗ ବିଷୟରେ ସ୍ୱତନ୍ତ୍ର ଉଲ୍ଲେଖ କରିଛନ୍ତି । ଯଥା-ଜଳୌକା (Leech) କ୍ଷାର – Caustic ବା କ୍ଷାରସୂତ୍ର ଓ ଅଗ୍ନିକର୍ମ ।
ଶିଶୁ ଏବଂ ଶସ୍ତ୍ର କର୍ମକୁ ଭୟ କରୁଥିବା ରୋଗୀଙ୍କ ପାଇଁ ସୁଶ୍ରୁତ- ତ୍ୱକ୍ ସାର, ସ୍ଫଟିକ କାଚ ଏବଂ କୁରୁବିନ୍ଦ ଆଦିକୁ ଶସ୍ତ୍ର ଅଭାବରେ ବ୍ୟବହାର କରିବାକୁ କହିଛନ୍ତି ।
ଶିଶୂନାଂ ଶସ୍ତ୍ର ଭୀରୁଣାଂ ଶସ୍ତ୍ରା ଭାବେ ଚ ଯୋଜୟେତ୍ ।
ତ୍ୱକ୍ ସାରାଦି ଚତୁର୍ବର୍ଗଂ ଛେଦ୍ୟେ ଭେଦ୍ୟ ଚ ବୁଦ୍ଧିମାନ୍ । ସୁ.ସୂ-୮-୧୬
ଜଳୌକା ବା Leechର ପ୍ରୟୋଗ ଦୂଷିତ ରକ୍ତ ବିସ୍ତ୍ରାବଣ ପାଇଁ ବ୍ୟବହୃତ ହେଉଛି । Plastic Surgery ପାଇଁ ଏହାର ବ୍ୟବହାର ହେଉଥିବାରୁ ପାଶ୍ଚାତ୍ୟ ଦେଶରେ Leech Bank ପ୍ରତିଷ୍ଠା ହେଲାଣି ।
କ୍ଷାରଚିକିତ୍ସା ବା କ୍ଷାର ସୂତ୍ରର ପ୍ରୟୋଗ ଦ୍ୱାରା ଅର୍ଶ, ଭଗନ୍ଦର ରୋଗର ଚିକିତ୍ସା ବିଶେଷ ଭାବରେ ଆୟୁର୍ବେଦ ଦ୍ୱାରା ଓ ପାଶ୍ଚାତ୍ୟ Seargon ମାନଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଛି । AIIMS New Delhi ତଥା Bhubaneswar AIIMSରେ ମଧ୍ୟ ଭଗନ୍ଦର ଚିକିତ୍ସା କ୍ଷାର ସୂତ୍ର ଦ୍ୱାରା କରାଯାଉଛି । ଆୟୁର୍ବେଦ ଚିକିତ୍ସା ଓ ଆୟୁର୍ବେଦ କଲେଜ ମାନଙ୍କରେ କ୍ଷାର ସୂତ୍ର ଚିକିତ୍ସା ଅତ୍ୟନ୍ତ ଲୋକପ୍ରିୟ ହୋଇଛି ।
କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରୋ. ଡା. ପ୍ରଭାକର ଜନାର୍ଦ୍ଦନ ଦେଶପାଣ୍ଡେ ସୁଶ୍ରୁତ ବର୍ଣ୍ଣିତ କ୍ଷାରସୂତ୍ର ଚିକିତ୍ସା ଉପରେ ଗବେଷଣାତ୍ମକ ପ୍ରୟୋଗ କରି ବୈଜ୍ଞାନ ଆଧାର ଦେଇଛନ୍ତି । ୧୯୭୨ ମସିହାରେ ଆମେରିକା ଓ ପାଶ୍ଚାତ୍ୟ ଦେଶରେ ମେଡିକାଲ କଲେଜ ଓ ଆନ୍ତର୍ଜାତିକ ସେମିନାରମାନଙ୍କରେ ଉପସ୍ଥାପନ କରିବାରୁ ଏହି ଚିକିତ୍ସା ବିଦେଶରେ ମଧ୍ୟ ହେଲାଣି । ମହର୍ଷି ସୁଶ୍ରୁତଙ୍କୁ ଶଲ୍ୟତନ୍ତ୍ରର ଜନକ ଭାବରେ ସମ୍ମାନ କରୁଛନ୍ତି ।
(କ୍ରମଶଃ…)

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.