Press "Enter" to skip to content

ବିଭୂତି ଯୋଗ

Last updated on August 13, 2022

ହନୁମାନ ପ୍ରସାଦ ପୋଦ୍ଦାର

ଭଗବାନଙ୍କର ବିଭୂତି ଓ ଯୋଗଶକ୍ତି ତଥା ସେସବୁ ଜାଣିବାର ଫଳ —

ଶ୍ରୀ ଭଗବାନ କହିଲେ— ହେ ମହାବାହୁ ! ପୁନଃ ତୁମେ ମୋର ଶ୍ରେଷ୍ଠ(ପରମ ରହସ୍ୟ ଓ ପ୍ରଭାବଯୁକ୍ତ) ବଚନ ଶ୍ରବଣ କର, ଯାହା ମୁଁ ତୁମଭଳି ଅତିଶୟ ପ୍ରିୟ ଭକ୍ତଙ୍କ ପାଇଁ ତଥା ତୁମ ହିତ କାମନାରେ କହୁଅଛି ।।୧ ॥ ମୋର ପ୍ରକଟ ଲୀଳାକୁ (ଅଥବା ମୋର ପ୍ରଭାବକୁ) ନାଁ ଦେବତାଗଣ ଜାଣନ୍ତି ନାଁ ମହର୍ଷିଗଣ, କାହିଁକି ନାଁ ମୁଁ ଦେବତା ଓ ମହର୍ଷିଙ୍କର ମଧ୍ୟ ସର୍ବପ୍ରକାର ଆଦିକାରଣ ଅଟେ ।।୨।। ଯିଏ ମୋତେ(ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କୁ) ଅଜନ୍ମା, ଅନାଦି ଏବଂ ଲୋକ ମହେଶ୍ୱର ବୋଲି ଜାଣନ୍ତି, ମନୁଷ୍ୟମାନଙ୍କ ମଧ୍ୟରେ ସେହି ଜ୍ଞାନବାନ୍ ପୁରୁଷ ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇଯାଆନ୍ତି ।।୩।। ବୁଦ୍ଧି, ଜ୍ଞାନ, ମୋହହୀନତା, କ୍ଷମା, ସତ୍ୟ, ଇନ୍ଦ୍ରିୟ ବଶ୍ୟତା, ମନୋନିଗ୍ରହ, ସୁଖ-ଦୁଃଖ, ଉତ୍ପତ୍ତି-ପ୍ରଳୟ, ଭୟ ଓ ଅଭୟ, ଅହିଂସା, ସମତା, ସନ୍ତୋଷ, ତପ, ଦାନ, କୀର୍ତ୍ତି ଓ ଅକୀର୍ତ୍ତି— ପ୍ରାଣୀମାନଙ୍କର ଏହି ନାନା ପ୍ରକାର ଭାବ ମୋଠାରେ ହିଁ ହୋଇଥାଏ ।।୪-୫।। ସପ୍ତ ମହର୍ଷି, ତାଙ୍କଠାରୁ ପୂର୍ବରେ ଜନ୍ମନେଇଥିବା ଚତୁଃ ସନକାଦି କୁମାର ତଥା ସ୍ୱାୟମ୍ଭୁବ ଆଦି ଚତୁର୍ଦ୍ଦଶ ମନୁ— ମୋ ସହ ଭାବଯୁକ୍ତ ଏ ସମସ୍ତେ ମୋ ସଂକଳ୍ପରୁ ହିଁ ଉତ୍ପନ୍ନ ହୋଇଛନ୍ତି, ଯାହାର ସଂସାରରେ ଉତ୍ପନ୍ନ ଏ ସମସ୍ତ ପ୍ରଜା ରହିଛନ୍ତି ।।୬।। ଯେଉଁ ପୁରୁଷ ମୋର ଏହି ପରମୈଶ୍ୱର୍ଯ୍ୟରୂପ ବିଭୂତିକୁ ଓ ଯୋଗଶକ୍ତିକୁ ତତ୍ତ୍ୱତଃ ଜାଣନ୍ତି, ସେ ନିଶ୍ଟଳ ଭକ୍ତିଯୋଗରେ ଯୁକ୍ତ ହୋଇଯାଆନ୍ତି—ଏଥିରେ ତିଳେମାତ୍ର ସଂଶୟ ନାହିଁ ।।୭।।

ଫଳ ଓ ପ୍ରଭାବସହିତ ଭକ୍ତିଯୋଗ—

ମୁଁ ସମସ୍ତଙ୍କ ଉତ୍ପତ୍ତିର କାରଣ, ଆଉ ମୋଠାରେ ହିଁ ସମସ୍ତ ଜଗତ୍ ଚେଷ୍ଟା କରିଥାଏ— ଏହିଭଳି ବୋଧହୋଇ ଭାବସମନ୍ୱିତ ବୁଦ୍ଧିମାନ୍ ଭକ୍ତ ମୋତେ(ପରମେଶ୍ୱରଙ୍କୁ) ହିଁ ନିରନ୍ତର ଭଜନ କରିଥାଏ ।।୮।। ନିରନ୍ତର ମୋଠାରେ ମନଯୁକ୍ତ ଓ ମୋତେ ହିଁ ପ୍ରାଣ ଅର୍ପଣକାରୀ ଭକ୍ତଜନ ମୋର ଚର୍ଚ୍ଚା ଦ୍ୱାରା ପରସ୍ପର ମୋର ପ୍ରଭାବକୁ ଜାଣି ତଥା ଗୁଣ-ପ୍ରଭାବସହିତ ନିତ୍ୟ ମୋରକଥା ଶୁଣି ସନ୍ତୁଷ୍ଟ ରହନ୍ତି ଓ ମୋଠାରେ ହିଁ ରମଣ କରନ୍ତି ।।୯।। ସେହି ନିରନ୍ତର ମୋଠାରେ ପ୍ରେମପୂର୍ଣ୍ଣ ଭଜନାକାରୀ ଭକ୍ତଙ୍କୁ ମୁଁ ସେହି ବୁଦ୍ଧିଯୋଗ ପ୍ରଦାନ କରିଥାଏ, ଯେଉଁଥିରେ ସେ ମୋତେ ହିଁ ପ୍ରାପ୍ତ ହୋଇଥାନ୍ତି ।।୧୦ ॥ ସେମାନଙ୍କ ଉପରେ ଅନୁଗ୍ରହ କରିବା ପାଇଁ ଅନ୍ତଃକରଣରେ ସ୍ଥିତ ମୁଁ ସ୍ୱୟଂ ତାଙ୍କର ଅଜ୍ଞାନଜନିତ ଅନ୍ଧକାରକୁ ପ୍ରକାଶମୟ ତତ୍ତ୍ୱଜ୍ଞାନରୂପ ଦୀପକ ଦ୍ୱାରା ନଷ୍ଟ କରିଦିଏ ।।୧୧।।

ଅର୍ଜ୍ଜୁନଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ମହତ୍ତାଜ୍ଞାପନ ପୂର୍ବକ ସ୍ତୁତି ଓ ବିଭୂତି ତଥା ଯୋଗୈଶ୍ୱର୍ଯ୍ୟ ବର୍ଣ୍ଣନ ନିମିତ୍ତ ପ୍ରାର୍ଥନା —

ଅର୍ଜ୍ଜୁନ କହିଲେ— ଆପଣ ପରମବ୍ରହ୍ମ, ପରମ ଧାମ ଓ ପରମ ପବିତ୍ର ଅଟନ୍ତି । ଆପଣଙ୍କୁ ସମସ୍ତ ଋଷିଗଣ ଓ ଦେବର୍ଷି ନାରଦ, ଅସିତ, ଦେବଳ, ବ୍ୟାସ, ସନାତନ ଦିବ୍ୟ ପୁରୁଷ ଏବଂ ଦେବଙ୍କର ମଧ୍ୟ ଆଦିଦେବ, ଅଜନ୍ମା ଓ ସର୍ବବ୍ୟାପୀ ବତାଇ ଆଉ ସ୍ୱୟଂ ଆପଣ ମଧ୍ୟ ମୋତେ ଏଭଳି ହିଁ କହିଥାନ୍ତି ।।୧୨-୧୩।। ହେ କେଶବ ! ଆପଣ ଯାହା କିଛିବି ମୋତେ କହୁଛନ୍ତି, ସେ ସବୁକୁ ମୁଁ ସତ୍ୟ (ତତ୍ତ୍ୱଃ) ମାନୁଅଛି । ଭଗବାନ୍ ଆପଣଙ୍କ ଲୀଳାମୟ ସ୍ୱରୂପକୁ ନାଁ ଦେବଗଣ ଜାଣନ୍ତି, ନାଁ ଦାନବମାେନ ଜାଣନ୍ତି ।।୧୪।। ହେ ଭୂତଗଣଙ୍କର ଉତ୍ପନ୍ନକାରୀ, ଭୂତେଶ୍ୱର ! ଦେବଙ୍କର ଦେବ ! ଜଗତର ସ୍ୱାମୀ ପୁରୁଷୋତ୍ତମ ! ଆପଣ ସ୍ୱୟଂ ନିଜ ଦ୍ୱାରା ନିଜକୁ ଜାଣନ୍ତି ।।୧୫।। ଅତଃ ଆପଣ ସେହି ଦିବ୍ୟ ବିଭୂତିସମୂହକୁ ସମ୍ପୂର୍ଣ୍ଣ ବତାଇବାକୁ ସମର୍ଥ ଅଟନ୍ତି, ଯେଉଁ ବିଭୂତି ଦ୍ୱାରା ଏହି ଲୋକକୁ ବ୍ୟାପ୍ତ କରି ଆପଣ ସ୍ଥିତ ଅଛନ୍ତି ।।୧୬।। ହେ ଯୋଗେଶ୍ୱର ! ମୁଁ କିଭଳି ନିରନ୍ତର ଆପଣଙ୍କର ଚିନ୍ତନକରି ଆପଣଙ୍କୁ ବୋଧ ହୋଇପାରିବି, ଆପଣ କେଉଁ କେଉଁ ଭାବରେ ମୋ ଦ୍ୱାରା ଚିନ୍ତନ କରାଯିବା ଯୋଗ୍ୟ ଅଟନ୍ତି ।।୧୭।। ହୋ ଜନାର୍ଦ୍ଦନ ! ଆପଣଙ୍କର ଯୋଗଶକ୍ତିକୁ ଓ ବିଭୂତିକୁ ପୁନଃ ବିସ୍ତାରପୂର୍ବକ ବତାଇଦିଅନ୍ତୁ କାହିଁକି ନାଁ ଆପଣଙ୍କ ଅମୃତମୟ ବଚନକୁ ଶୁଣି ଶୁଣି ମୋର ତୃପ୍ତି ହେଉନାହିଁ ।।୧୮।।

ଶ୍ରୀକୃଷ୍ଣଙ୍କ ଦ୍ୱାରା ନିଜର ବିଭିନ୍ନ ବିଭୂତି ଓ ଯୋଗଶକ୍ତିର ବର୍ଣ୍ଣନା —

ଶ୍ରୀଭଗବାନ କହିଲେ— ହେ କୁରୁଶ୍ରେଷ୍ଠ ! ଏବେ ମୁଁ ତୁମକୁ ମୋର ପ୍ରଧାନ ପ୍ରଧାନ ଦିବ୍ୟ ବିଭୂତିସମୂହକୁ କହିବି, କାହିଁକି ନାଁ ମୋ ବିସ୍ତାରର ଅନ୍ତ ନାହିଁ ।।୧୯।। ହେ ଅର୍ଜୁନ ! ସମସ୍ତ ଭୂତଙ୍କର ହୃଦୟରେ ସ୍ଥିତ ସମସ୍ତଙ୍କର ଆତ୍ମା ମୁଁ ଅଟେ । ଆଉ ମୁଁ ହିଁ ସମସ୍ତ ଭୂତଙ୍କର ଆଦି, ମଧ୍ୟ ଓ ଅନ୍ତ ଅଟେ ।।୨୦।। ମୁଁ ଅଦିତିଙ୍କ ଦ୍ୱାଦଶ ପୁତ୍ର ମଧ୍ୟରେ ବିଷ୍ଣୁ, ଜ୍ୟୋତିମାନଙ୍କ ମଧ୍ୟରେ କିରଣ ପ୍ରଦାନକାରୀ ସୂର୍ଯ୍ୟ, ମରୁତଙ୍କ ମଧ୍ୟରେ ମରୀଚି-ଅଣଚାଶ ବାୟୁଦେବତାଙ୍କ ମଧ୍ୟରେ ତେଜ ଓ ନକ୍ଷତ୍ରମାନଙ୍କର ଅଧିପତି ଚନ୍ଦ୍ରମା ଅଟେ ।।୨୧।। ମୁଁ ସମସ୍ତ ବେଦ ମଧ୍ୟରେ ସାମ ବେଦ, ଦେବଗଣଙ୍କ ମଧ୍ୟରେ ଇନ୍ଦ୍ର, ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନ ଆଉ ଭୂତପ୍ରାଣୀଙ୍କ ମଧ୍ୟରେ ଚେତନା(ଜୀବନ ଶକ୍ତି ଅଟେ) ।।୨୨।। ମୁଁ ଏକାଦଶ ରୁଦ୍ରମଧ୍ୟରେ ଶଙ୍କର ଓ ଯକ୍ଷରାକ୍ଷସଙ୍କ ମଧ୍ୟରେ ଧନପତି କୁବେର ଅଟେ  ମୁଁ ଅଷ୍ଟବସୁମାନଙ୍କ ମଧ୍ୟରେ ପାବକ(ଅଗ୍ନି) ଓ ଶିଖରଶାଳୀ ପର୍ବତ ମଧ୍ୟରେ ସୁମେରୁ ଅଟେ ।।୨୩।। ହେ ପାର୍ଥ ! ତୁମେ ମୋତେ ପୁରୋହିତଗଣଙ୍କ ମଧ୍ୟରେ ପ୍ରମୁଖ ବୃହସ୍ପତି ବୋଲି ଜାଣ । ମୁଁ ସେନାପତିଗଣଙ୍କ ମଧ୍ୟରେ ସ୍କନ୍ଦ ଓ ଜଳାଶୟମଧ୍ୟରେ ସମୁଦ୍ର ଅଟେ ।।୨୪।। ମୁଁ ମହର୍ଷିମାନଙ୍କ ମଧ୍ୟରେ ଭୃଗୁ ଓ ଶବ୍ଦମଧ୍ୟରେ ଏକାକ୍ଷର (ପ୍ରଣବ) ଓଁକାର ଅଟେ । ସମସ୍ତ ପ୍ରକାର ଯଜ୍ଞ ମଧ୍ୟରେ ଜପଯଜ୍ଞ ଓ ସ୍ଥିର ସ୍ଥାବରମାନଙ୍କ ମଧ୍ୟରେ ହିମାଳୟ ଅଟେ ।।୨୫।। ମୁଁ ସମସ୍ତ ବୃକ୍ଷ ମଧ୍ୟରେ ପୀପଳ, ଦେବର୍ଷିମାନଙ୍କ ମଧ୍ୟରେ ନାରଦ, ଗନ୍ଧର୍ବମାନଙ୍କ ମଧ୍ୟରେ ଚିତ୍ରରଥ ଓ ସିଦ୍ଧଗଣଙ୍କ ମଧ୍ୟରେ କପିଳମୁନି ଅଟେ ।୨୬।। ଅଶ୍ୱମାନଙ୍କ ମଧ୍ୟରେ ଅମୃତ ସହିତ ଉତ୍ପନ୍ନ ଉଚ୍ଚୈଃଶ୍ରବା, ଶ୍ରେଷ୍ଠ ହସ୍ତୀମାନଙ୍କ ମଧ୍ୟରେ ଐରାବତ ଓ ମନୁଷ୍ୟଙ୍କ ମଧ୍ୟରେ ରାଜା ବୋଲି ଜାଣ ।।୨୭।। ମୁଁ ଶସ୍ତ୍ର ମଧ୍ୟରେ ବଜ୍ର ଓ ଗାଈ ମଧ୍ୟରେ କାମଧେନୁ ଅଟେ । ଶାସ୍ତ୍ରୋକ୍ତ ରୀତିରେ ସନ୍ତାନ ଉତ୍ପତ୍ତିର ହେତୁ କାମଦେବ ଓ ସର୍ପମାନଙ୍କ ମଧ୍ୟରେ ସର୍ପରାଜ ବାସୁକି ଅଟେ ।।୨୮।। ମୁଁ ନାଗଗଣଙ୍କ ମଧ୍ୟରେ ଶେଷନାଗ ଓ ଜଳଚରମାନଙ୍କ ଅଧିପତି ବରୁଣ ଦେବତା ଅଟେ । ପିତରଙ୍କ ମଧ୍ୟରେ ଅର୍ଯମା ତଥା ଶାସନକର୍ତ୍ତାଙ୍କ ମଧ୍ୟରେ ଯମରାଜ ଅଟେ।।୨୯।। ମୁଁ ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦ, ଗଣନାକାରୀଙ୍କ ମଧ୍ୟରେ ସମୟ, ପଶୁମଧ୍ୟରେ ମୃଗରାଜ ସିଂହ ଓ ପକ୍ଷୀମାନଙ୍କ ମଧ୍ୟରେ ଗରୁଡ ଅଟେ ।।୩୦।। ମୁଁ ପବିତ୍ରକାରୀ ବାୟୁ ଓ ଶସ୍ତ୍ରଧାରୀମାନଙ୍କ ମଧ୍ୟରେ ଶ୍ରୀରାମ ଅଟେ । ମତ୍ସ୍ୟମାନଙ୍କ ମଧ୍ୟରେ ମଗର ଓ ନଦୀମାନଙ୍କ ମଧ୍ୟରେ ଜାହ୍ନବୀ—ଶ୍ରୀଗଙ୍ଗା ଅଟେ ।।୩୧।। ହେ ଅର୍ଜ୍ଜୁନ ! ସୃଷ୍ଟିର ଆଦି, ଅନ୍ତ ଓ ମଧ୍ୟ ମୁଁ ହିଁ ଅଟେ । ମୁଁ ବିଦ୍ୟାମଧ୍ୟରେ ଅଧ୍ୟାତ୍ମବିଦ୍ୟା(ବ୍ରହ୍ମବିଦ୍ୟା) ଏବଂ ପରସ୍ପର ବିବାଦକାରୀଙ୍କ ମଧ୍ୟରେ ତତ୍ତ୍ୱ ନିର୍ଣ୍ଣୟ ନିମିତ୍ତକ କରାଯାଉଥିବା ବାଦ ଅଟେ ।।୩୨।।
ମୁଁ ଅକ୍ଷରମଧ୍ୟରେ ଅକାର ଓ ସମାସ ମଧ୍ୟରେ ଦ୍ୱନ୍ଦ୍ୱ ନାମକ ସମାସ ଅଟେ । ମୁଁ ହିଁ ଅକ୍ଷୟକାଳ(କାଳର ମଧ୍ୟ ମହାକାଳ) ତଥା ସବୁଆଡକୁ ମୁଖ ସମ୍ପନ୍ନ ବିରାଟ ସ୍ୱରୂପ ଏବଂ ସମସ୍ତଙ୍କର ଧାରଣ-ପୋଷଣକାରୀ ଅଟେ ।।୩୩।। ମୁଁ ସମସ୍ତଙ୍କର ନାଶକାରୀ ମୃତ୍ୟୁ ଓ ଉତ୍ପନ୍ନ ହେବାକୁ ଥିବା ଉତ୍ପତ୍ତିର ହେତୁ ଅଟେ । ନାରୀମାନଙ୍କ ମଧ୍ୟରେ କୀର୍ତ୍ତି, ଶ୍ରୀ, ବାଣୀ, ସ୍ମୃତି, ମେଧା, ଧୃତି ଓ କ୍ଷମା ଅଟେ ।।୩୪।। ମୁଁ ଗାୟନଯୋଗ୍ୟ ଶ୍ରୁତି ମଧ୍ୟରେ ବୃହତ୍ସାମ, ଛନ୍ଦ ମଧ୍ୟରେ ଗାୟତ୍ରୀ, ମାସ ମଧ୍ୟରେ ମାର୍ଗଶିର ଓ ଋତୁମଧ୍ୟରେ ବସନ୍ତ ଅଟେ ।।୩୫।। ମୁଁ ଛଳନାକାରୀଙ୍କ ମଧ୍ୟରେ ଜୁଆ, ତେଜସ୍ୱୀପୁରୁଷଙ୍କର ତେଜ, ବିଜେତାମାନଙ୍କର ବିଜୟ, ନିଶ୍ଚୟକାରୀଙ୍କର ନିଶ୍ଚୟ ଓ ସତ୍ତ୍ୱଶୀଳମାନଙ୍କର ସତ୍ତ୍ୱ ଅଟେ ।।୩୬।। ମୁଁ ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ବାସୁଦେବ(ବସୁଦେବପୁତ୍ର ଶ୍ରୀକୃଷ୍ଣ), ପାଣ୍ଡବମାନଙ୍କ ମଧ୍ୟରେ ଧନଞ୍ଜୟ(ତୁମେ) ଅଟେ । ମୁନିମାନଙ୍କ ମଧ୍ୟରେ ବେଦବ୍ୟାସ ଓ କବିମାନଙ୍କ ମଧ୍ୟରେ ଉଶନା କବି(ଶୁକ୍ରାଚାର୍ଯ୍ୟ) ମଧ୍ୟ ମୁଁ ହିଁ ଅଟେ ।।୩୭।। ମୁଁ ଦମନକାରୀଙ୍କ ମଧ୍ୟରେ ଦଣ୍ଡ(ଦମନ ଶକ୍ତି) ଅଟେ, ଜୟେଚ୍ଛୁମାନଙ୍କର ନୀତି, ଗୁପ୍ତରଖିବା ଯୋଗ୍ୟ ଭାବର ରକ୍ଷକ ମୌନ ଅଟେ ଓ ଜ୍ଞାନବାନମାନଙ୍କର ତତ୍ତ୍ୱଜ୍ଞାନ ଅଟେ ।।୩୮।। ଆଉ ହେ ଅର୍ଜ୍ଜୁନ ! ସମସ୍ତ ଭୂତଙ୍କର ବୀଜ ଅର୍ଥାତ୍ ଉତ୍ପତ୍ତିର ଯେଉଁସବୁ କାରଣ, ସେସବୁ ମୁଁ ହିଁ ଅଟେ, ଏଭଳି ଚର-ଅଚର କୌଣସି ବି ଭୂତ ନାହାଁନ୍ତି, ଯିଏ ମୋ ବିନା ତିଷ୍ଠି ରହିଛନ୍ତି ।।୩୯।। ହେ ପରନ୍ତପ ! ମୋର ଦିବ୍ୟ ବିଭୂତିର ଅନ୍ତ ନାହିଁ, ମୁଁ ମୋର ବିଭୂତିସମୂହ ସବିସ୍ତାର ତୁମକୁ ସଂକ୍ଷେପରେ ମାତ୍ର କହିଅଛି ।।୪୦।। ଯେଉଁସବୁ ବିଭୂତିଯୁକ୍ତ(ଐଶ୍ୱର୍ଯ୍ୟଯୁକ୍ତ), କାନ୍ତିଯୁକ୍ତ ଓ ଶକ୍ତିଯୁକ୍ତ ବସ୍ତୁ ରହିଛି, ସେ ସବୁକୁ ତୁମେ ମୋର ତେଜାଂଶର ଅଭିବ୍ୟକ୍ତି ବୋଲି ଜାଣ ।।୪୧।। ଅଥବା ହେ ଅର୍ଜ୍ଜୁନ ! ଏତେ ଅଧିକ ଜାଣିବାର ତୁମର କଣ ପ୍ରୟୋଜନ ରହିଛି ? ଏତିକି ମାତ୍ର ଜାଣ ଯେ, ମୁଁ ଏହି ସମ୍ପୂର୍ଣ୍ଣ ଜଗତକୁ ନିଜ ଯୋଗଶକ୍ତିର ଏକ ଅଂଶମାତ୍ର ଦ୍ୱାରା ଧାରଣ କରି ରହିଛି ।।୪୨।।
ବିଭୂତିଯୋଗ ନାମକ ଦଶମ ଅଧ୍ୟାୟ ସମାପ୍ତ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.