Last updated on August 13, 2022
ଆମ ହିନ୍ଦୁ ଧର୍ମ ନାନା ଶାସ୍ତ୍ରଗ୍ରନ୍ଥର ଗନ୍ତାଘର । ଏହି ଶାସ୍ତ୍ରରାଜିରେ ଭଗବତ୍ ପ୍ରାପ୍ତି ନିମିତ୍ତ ଅନେକ ସାଧନସବୁ ବତାଯାଇଛି, କିନ୍ତୁ ସେଥିରେ ଏଭଳି ଏକ ସରଳ ସାଧନ ରହିଛି, ଯାହାର କାର୍ଯ୍ୟ କାଳରେ ତଥା ଲକ୍ଷ୍ୟ ପୂର୍ତ୍ତିରେ ଆନନ୍ଦ ହିଁ ଆନନ୍ଦ ରହିଛି । ଅନ୍ୟ ସବୁ ସାଧନର କାର୍ଯ୍ୟକାଳରେ ପ୍ରଥମେ କଷ୍ଟ ଅନୁଭୂତ ହୁଏ, ଆଉ ପରିଣାମରେ ସୁଖ, ହେଲେ ଏହି ସାଧନରେ ତ ଉଭୟ ଅବସ୍ଥାରେ ଆନନ୍ଦ ହିଁ ଆନନ୍ଦ ଆଉ ପ୍ରସନ୍ନତା ମିଳିଥାଏ । ଏହି ସାଧନରେ କେବେହେଲେ କଷ୍ଟ ହୁଏନାହିଁ । ଯେଉଁ ସାଧନରେ ଅଳ୍ପ ବହୁତ କଷ୍ଟ ମିଳିଥାଏ, ସେଥିପାଇଁ ତ ବୋଧହୁଏ କେହି ସାଧକ ଇଚ୍ଛା କରନ୍ତି ନାହିଁ କିନ୍ତୁ ଯେଉଁଥିରେ କଷ୍ଟ ନାହିଁ ସେଥିରେ ବୋଧହୁଏ କାହାର କୌଣସି ଆପତ୍ତି ରହିବା ଉଚିତ ନୁହେଁ, କାହିଁକି ନାଁ ସେଥିରେ ଶାନ୍ତି ଓ ଆନନ୍ଦ ଉଭୟ ଅନୁଭବ ହୋଇଥାଏ । ଆଉ ସେଥିରେ ଏକ ବିଶେଷତା ହେଉଛି ସେଥିରେ କେବେ ମନ ଭରେନାହିଁ । ଛୋଟରୁ ଛୋଟ ବିଷୟାନନ୍ଦ ପାଇଁ ବ୍ୟକ୍ତି ପ୍ରୟାସ ତ କରିଥାଏ କିନ୍ତୁ ଇନ୍ଦ୍ରିୟ ଦ୍ୱାରା ଆନନ୍ଦ ଉପଭୋଗ କରି ସେ ଆନନ୍ଦିତ ହୋଇଯାଏ । ଯେଭଳି ପେଟଭରି ଭୋଜନ କରିବା ପରେ ଆଉ ସ୍ୱାଦିଷ୍ଟ ଅନ୍ନ ଖାଇବାର ଇଚ୍ଛା ରହେନାହିଁ, ସେହିଭଳି ଅନ୍ୟ ବିଷୟଭୋଗ ଜନିତ ଆନନ୍ଦର କଥା, କାହିଁକି ନାଁ ଏସବୁ ସାଧାରଣ ଆନନ୍ଦ ଅଟେ । କିନ୍ତୁ ଏହି ସାଧନରେ ଯେଉଁ ଆନନ୍ଦ ମିଳିଥାଏ, ତାହା ଅଲୌକିକ ତଥା ସେଥିରେ ହ୍ରାସ ନ ହୋଇ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗେ । ଏଭଳି ଅବସ୍ଥାରେ ଯଦି କେହି ସାଧନ କରିବାକୁ ମନାକରନ୍ତି ତେବେ କଣ କରାଯିବ !!
ଏହି ସାଧନ ଅତି ସୁଗମ, ଶାସ୍ତ୍ର ସମ୍ମତ ତଥା ଯୁକ୍ତିସଂଗତ ଅଟେ । ଏଥିରେ ପ୍ରତ୍ୟେକ ସମୟରେ ପ୍ରସନ୍ନ ଓ ମୁଗ୍ଧ ସ୍ଥିତି ଉପଲବ୍ଧ ହୁଏ । ପ୍ରଭୁଙ୍କର ନିଜ ଲୋକଙ୍କ ଉପରେ ଅତ୍ୟନ୍ତ ଦୟାଭାବ ରହିଛି, ଅତଏବ ନିଜର କଲ୍ୟାଣ ନିଶ୍ଚିତ ହେବ, ଏଥିରେ ତିଳେ ହେଲେ ଶଙ୍କା କରିବା ଉଚିତ ନୁହେଁ । ପ୍ରତ୍ୟେକ ସମୟରେ ଭଗବତ୍ ସ୍ମରଣ ପୂର୍ବକ ଆନନ୍ଦରେ ନିବାସ କରିବାକୁ ହେବ । ଭଗବତ୍ ସ୍ମରଣରେ ମୁଗ୍ଧ ହୋଇଯିବା ଦରକାର । ପ୍ରସନ୍ନତା ଓ ଆନନ୍ଦ ତ ଭଗବାନଙ୍କର ସ୍ୱରୂପ ଅଟେ । ନିଜ ଇଷ୍ଟଦେବଙ୍କର ସ୍ମରଣକର ଅଥବା ଭଗବାନଙ୍କର କୌଣସି ଏକ ସ୍ୱରୂପକୁ ଯେଭଳି ନାରାୟଣ, ରାମଚନ୍ଦ୍ର, ଶିବ, କୃଷ୍ଣ ତଥା ନିରାକାର ଆଦି । ଯଦି କିଏ କହନ୍ତି କି ଭଗବାନଙ୍କର ସ୍ମରଣରେ ଆନନ୍ଦ ମିଳୁନାହିଁ, ଆନନ୍ଦ ନ ମିଳିଲେ କଣ ଶାସ୍ତ୍ର ତାଙ୍କୁ ଆନନ୍ଦଘନ ବୋଲି କହିଥାନ୍ତେ । ଅତଃ ସିଦ୍ଧ ହେଉଛି କି, ଭଗବତ୍ ସ୍ମରଣରେ ଆନନ୍ଦ ହିଁ ଆନନ୍ଦ ରହିଛି, ଅନ୍ୟ କିଛି ନୁହେଁ । ଆନନ୍ଦ ପ୍ରତୀତ ନ ହେବା ତ ନିଜର ମାନ୍ୟତା ଅଟେ । ଯଦି ସାଧକ କେବଳ ମାନିନେବେ କି, ଭଗବତ୍ ସ୍ମରଣରେ ଆନନ୍ଦ ରହିଛି, ତାକୁ ଆଗକୁ ଗଲେ ନିଶ୍ଚିତ ଆନନ୍ଦ ଉପଲବ୍ଧି ହେବ, ତେବେ ଏଥିରେ ଶଙ୍କାର ଆବଶ୍ୟକତା ନାହିଁ । ମାନିନେବାରେ ହିଁ କଲ୍ୟାଣ ନିହିତ । ଭଗବାନ ଦୟାସାଗର ଅଟନ୍ତି ।’ ‘ଭଗବତ୍ ସ୍ମରଣରେ ଆନନ୍ଦ ଉପଲବ୍ଧି ହୁଏ’— କେବଳ ଏତିକି ବୁଝିନେଲେ ଦୟାମୟ ଭଗବାନ୍ ତାକୁ ନିଶ୍ଚିତ ଆନନ୍ଦ ଉପଲବ୍ଧି କରାଇଦେବେ । ତାଙ୍କର ଦୟାଳୁତା ଆମର ନିବେଦନ ଉପରେ ନିର୍ଭର କରେ । ଏହି ସାଧନରେ ରତ ରହିଲେ ନିଶ୍ଚୟ କଲ୍ୟାଣ ହେବ, କାହିଁକି ନାଁ ପ୍ରଭୁଙ୍କର ଦୟା ଅପାର, ସୀମାତୀତ । ଭଗବତ୍ ସ୍ୱରୂପ ସହିତ ତାଙ୍କ ଗୁଣ, ପ୍ରଭାବ, ରହସ୍ୟ, ତତ୍ତ୍ୱକଥାକୁ ମନେପକାଅ ଆଉ ତନ୍ମଧ୍ୟରେ ହିଁ ମୁଗ୍ଧ ରହ । ତାଙ୍କର ସ୍ୱରୂପ ସନ୍ଦର୍ଶନ କରି ବିଭୋର ହୁଅ । ନିଜକୁ ସଦା ଆନନ୍ଦରେ ମଜ୍ଜାଇରଖ । ସେଥିରୁ ବାହାରକୁ ଆସନାହିଁ, ବୁଡି ରହ କାରଣ ଭଗବାନ୍ ଆନନ୍ଦ ସ୍ୱରୂପ ଅଟନ୍ତି । ମନ ନ ହେଲେ ସେଥି ପ୍ରତି ଖାତିର କରନାହିଁ । ଏଭଳି ବୁଝ କି, ଆନନ୍ଦ ବ୍ୟତୀତ ଆଉ କୌଣସି କଥାର ଶଙ୍କା ହିଁ ନାହିଁ । ଭଗବାନ ତ ବହୁତ ଦୟାଶୀଳ । ଭଗବାନ ଯଦି ଆମକୁ ମନୁଷ୍ୟ ଜନ୍ମ ନ ଦେଇଥାନ୍ତେ, ତେବେ ଆମେ କଣ କରିପାରିଥାନ୍ତେ ? ତାଙ୍କ ଉପରେ ଆମର ବା କଣ ଜୋର ଅଛି ? ପାହାଡ ଅବା ତଦୁପରସ୍ଥ ବୃକ୍ଷ ରୂପରେ ଜନ୍ମ ଦେଇଥିଲେ ଆମେ କଣ କରିପାରିଥାନ୍ତେ । କିନ୍ତୁ ଏହା ଭଗବାନଙ୍କର ଅପାର ଦୟା ଯେ ସେ ଆମକୁ ମନୁଷ୍ୟ ଜନ୍ମ ଦେଇଛନ୍ତି, ତେବେ ତାଙ୍କରି ସ୍ମରଣରେ ମୁଗ୍ଧ ନହେବା କିଭଳି ? ଆମର ଜନ୍ମ ଆର୍ଯ୍ୟାବର୍ତ୍ତରେ ହୋଇଛି, ଯାହା ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ଭୂମି । ଅନ୍ୟ ସବୁ ଭୂମି ଭୋଗଭୂମି ଅଟେ । ଏହା କେବଳ ଆଧ୍ୟାତ୍ମଭୂମି, ଯେଉଁଠି ଆମର ଜନ୍ମ ହୋଇଛି । କେତେ ଆଶ୍ଚର୍ଯ୍ୟର କଥା ! ଆଉ କେଉଁଠି ଜନ୍ମ ହୋଇଥିଲେ ଆମେ ଆଉ କଣ କରିପାରିଥାନ୍ତେ !
ଭଗବାନ ସମସ୍ତ ଭୂତ ସମୁଦାୟ ଉପରେ ଅହୈତୁକୀ ଦୟା କରିଥାନ୍ତି । ତଥାପି ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର କି—
‘‘ହେ ଭଗବନ୍ ! ମୁଁ ଅଯୋଗ୍ୟ । ମୋତେ ନିମିତ୍ତ କରି ଆପଣଙ୍କର ଯାହା କିଛି କରିବାର ଅଛି କରନ୍ତୁ । ଆଉ ଯାହାକିଛି ମୋ ଦ୍ୱାରା ସମ୍ଭବ ହେଉଛି, ସେସବୁ ଆପଣଙ୍କର ଦୟାରଫଳ ।’’
ବ୍ୟକ୍ତି ଯାହାର ପ୍ରଶଂସା କରିବାକୁ ଚାହେଁ, ତାହାର ସ୍ତୁତି କରେ, ତାହାର ଗୁଣଗାନ କରେ । ଆମର କୌଣସି ବ୍ୟକ୍ତିକୁ ଖୁସି କରିବାର ଆବଶ୍ୟକତା ନାହିଁ, ଆମେ ତ କେବଳ ଭଗବାନଙ୍କୁ ପ୍ରସନ୍ନ କରିବା ଦରକାର । ତେଣୁ ଆମକୁ ଭଗବାନଙ୍କର ସ୍ତୁତି କରିବା ଦରକାର । ଭଗବାନଙ୍କ ଉପରେ ଭରସା ରଖିବା ଦରକାର କି ଆମର ତାଙ୍କପ୍ରତି ଭଲପାଇବା ନ ରହିଲେ ମଧ୍ୟ ତାଙ୍କର ଆମ ପ୍ରତି ଭଲପାଇବା ନିଶ୍ଚିତ ରହିବ । ଆମେ ଭଗବାନଙ୍କୁ ପ୍ରେମ ପୂର୍ଣ୍ଣ ସ୍ତୁତି ନ କଲେ ମଧ୍ୟ ସେ ଆମର ସହାୟତା ନିଶ୍ଚିତ କରିବେ । କାରଣ ତାଙ୍କ ବିନା ଆଉ କିଏ ଆମର ସହାୟତା କରିବ ? ଏତିକି ନୁହେଁ, ସେ ଆପଣଙ୍କୁ ଏତେ ଭଲପାଇବେ, ଯଦ୍ଦ୍ୱାରା ଆପଣଙ୍କୁ ତାଙ୍କର ଦର୍ଶନ ମଧ୍ୟ ମିଳିପାରିବ । ସେ ନିଶ୍ଚିତ କୃପାଳୁ ଅଟନ୍ତି । ପ୍ରଶ୍ନ ହେଉଛି ଭଗବାନ୍ ଯଦି ଏଭଳି ଅଟନ୍ତି, ତେବେ ଶୀଘ୍ର ମିଳନ୍ତି ନାହିଁ କାହିଁକି ? ବିଶ୍ୱାସ ରଖ କି, ଯାହାକିଛି ବିଳମ୍ବ ଭଗବତ୍ ମିଳନରେ ହେଉଛି, ସେସବୁ ଆପଣଙ୍କ କଲ୍ୟାଣ ନିମିତ୍ତ । ଏଥିରେ କୌଣସି ସନ୍ଦେହ ନାହିଁ । ବିଳମ୍ବ ଦ୍ୱାରା ଆପଣଙ୍କ ଭିତରେ ବ୍ୟାକୁଳତା ଭାବ ବୃଦ୍ଧି ପାଇଥାଏ । ଭଗବାନଙ୍କର ଦୟା ପ୍ରତି ମନୁଷ୍ୟ ତ ଅନୁମାନ କରିପାରିବ ନାହିଁ । ତାଙ୍କ ଦୟାର ଅନୁଭବ କରିବାରେ ଯେଉଁ ଆନନ୍ଦ, ସେହି ଆନନ୍ଦ ଆପଣଙ୍କୁ ବିଷୟରେ କେବେ ମିଳି ହିଁ ନାହିଁ । ଅନ୍ତଃକରଣରେ ଯଦି ପ୍ରସନ୍ନତା ବୋଧ ହେଉନାହିଁ, କେବଳ କଳ୍ପନା କରିନିଅ କି ଅନ୍ତଃକରଣ ପ୍ରସନ୍ନତାରେ ଭରି ହୋଇରହିଛି, ତେବେ ସେହି ସଂକଳ୍ପ ସତ୍ୟ ହୋଇଉଠିବ । ଭଗବାନଙ୍କର ଦୟାରେ ସେହି ସଂକଳ୍ପ ସତ୍ୟହୋଇଯାଏ, ଏଥିରେ କୌଣସି ସନ୍ଦେହ ନାହିଁ । ଗୀତାରେ କୁହାଯାଇଛି—
ପ୍ରଶାନ୍ତମନସଂ ହ୍ୟେନଂ ଯୋଗିନଂ ସୁଖମୁତ୍ତମମ୍ ।
ଉପୈତି ଶାନ୍ତରଜସଂ ବ୍ରହ୍ମଭୂତମକଳ୍ମଶମ୍ ।। (୬/୨୭)
ଯାହାର ମନ ଭଲ ଭାବରେ ଶାନ୍ତ, ଯିଏ ପ୍ରପଞ୍ଚରୁ ରହିତ, ଯାହାଙ୍କର ରଜୋଗୁଣ ଶାନ୍ତ ହୋଇଗଲାଣି— ଏଭଳି ଏହି ସଚ୍ଚିଦାନନ୍ଦଘନ ବ୍ରହ୍ମଙ୍କ ସହ ଏକତ୍ୱଭାବ ପ୍ରାପ୍ତ ହୋଇଥିବା ସେହି ଯୋଗୀଙ୍କୁ ଅତ୍ୟୁତ୍ତମ ଆନନ୍ଦ ପ୍ରାପ୍ତି ହୋଇଥାଏ ଆଉ—
ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଳ୍ମଷଃ ।
ସୁଖେନ ବ୍ରହ୍ମସଂସ୍ପର୍ଶମତ୍ୟନ୍ତଂ ସୁଖମଶ୍ୱୁତେ ।। (୬-୨୮ )
ନିଷ୍ପାପ ଯୋଗୀ ଏହିଭଳି ନିରନ୍ତର ଆତ୍ମାକୁ ପରମାତ୍ମାରେ ଲଗାଇରଖି ସୁଖ ପୂର୍ବକ ପରବ୍ରହ୍ମ ପରମାତ୍ମାପ୍ରାପ୍ତି ରୂପକ ଅନନ୍ତ ଆନନ୍ଦ ଉପଲବ୍ଧି କରନ୍ତି ।
ସାଧନରେ ସୁଖ ଓ ପରିଣାମରେ ପରମସୁଖ ପ୍ରାପ୍ତିରେ ଶଙ୍କାର ସ୍ଥାନ ନାହିଁ । ଏହି ବଚନ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତ୍ୟକ୍ଷ ବଚନ ଅଟେ । ଭଗବାନଙ୍କର ବଚନ କଦାପି ଅସତ୍ୟ ନୁହେଁ । ପ୍ରତ୍ୟକ୍ଷ ସାଧନ କର ଆଉ ତାର ସତ୍ୟତାର ପରୀକ୍ଷା ନିଅ । ଯେତେବେଳେ ସେହି ଆନନ୍ଦରେ ରସ ପ୍ରାପ୍ତି ହେବ, ସେତେବେଳ ଆଉ ଅନ୍ୟ କୌଣସି ସାଧନର ଆବଶ୍ୟକତା ପଡେନାହିଁ । ପ୍ରସନ୍ନତାରେ ଏତେ ମୁଗ୍ଧ ହୋଇଯିବା ଦରକାର କି ଅନ୍ୟ କୌଣସି ଚିନ୍ତା ରହିବ ହିଁ ନାହିଁ । ଭଗବାନଙ୍କର ଶରଣ ନେବା ପରେ ଚିନ୍ତାର ଆଉ କୌଣସି କାରଣ ହିଁ ନାହିଁ । ଚିନ୍ତା ତ ପାଖ ମାଡିବ ହିଁ ନାହିଁ । ଆନନ୍ଦରେ ତ ଆଉ ଜୀଇଁବା-ମରିବାର ଖାତିର ନାହିଁ । ସେ ତ କେବଳ ସେହି ଆନନ୍ଦରେ ହିଁ ରମଣ କରିଥାନ୍ତି । ସେଠାରେ କୌଣସି ସାଂସାରିକ ଇଚ୍ଛାର ଅଭାବ ରହିଥାଏ । ଯେତେବେଳେ ଆନନ୍ଦରେ ମନୁଷ୍ୟର ଏଭଳି ଅବସ୍ଥା ହୋଇଥାଏ, ସେତେବେଳେ ଭଗବାନ୍ ସ୍ୱୟଂ ତାକୁ ସମ୍ଭାଳିଥାନ୍ତି । ତାହାର ଆଧାର କ’ଣ ? କେବଳ ପ୍ରଭୁ ପ୍ରେମ ଓ ପ୍ରଭୁଙ୍କର ଦୟା । ତାଠାରୁ ବଳି ଆଉ ଆଧାର କ’ଣ ହୋଇପାରେ ! ଗୋଟିଏ ଶିଶୁର ଆଧାର କ’ଣ ? କେବଳ ତାର ମାତା, ଦୁଗ୍ଧ ପାନ ନିମିତ୍ତ ଶିଶୁ କ୍ରନ୍ଦନ କରିଥାଏ, ମାତା ତାକୁ ଦୁଗ୍ଧପାନ କରାଇଥାଏ । ଏମିତି ମାତା କେବେ ସେଥିରେ ବିଳମ୍ବ କରିପାରେ, କିନ୍ତୁ ଭଗବାନ୍ ଏଭଳି ବିଳମ୍ବ କେବେ କରିପାରିବେ କି ? ଆଉ ଯଦି କରନ୍ତି, ତେବେ ଏହା ବୁଝିବାକୁ ହେବ କି ସେଥିରେ ନିଜର ଅଧିକା କଲ୍ୟାଣ ରହିଛି ।
ଭଗବାନ୍ ସର୍ବଜ୍ଞ ଅଟନ୍ତି । ନିଜର ମଙ୍ଗଳ କେଉଁଥିରେ, ତାହା ସେ ଭଲ ଭାବରେ ଜାଣନ୍ତି । ଅତଏବ ତାଙ୍କ ଉପରେ ଦୃଢ ଅତୁଟ ବିଶ୍ୱାସ ରଖି କୌଣସି ପ୍ରକାର ଚିନ୍ତା କରିବ ନାହିଁ । ଯେଭଳି ଗୁଙ୍ଗା ମିଶିରି ଖାଇ ଆନନ୍ଦରେ ମଗ୍ନ ହୋଇଯାଏ, ସେହିଭଳି ଭଗବାନଙ୍କର ଦୟା ଉପରେ ବିଚାରକରି ସେଥିରେ ନିମଗ୍ନ ହୋଇଯିବା ଦରକାର, ଅନ୍ୟ କୌଣସି କଥାର ବିଚାର କରିବା ଉଚିତ ନୁହେଁ । ଭଗବାନଙ୍କ ବିଚାରରେ ରାଜି ହୋଇଯିବା ଦରକାର, ଚାହେଁ ଖାଲ ମଧ୍ୟରେ ପତିତ ହୁଅ, ସେଥିରେ କୌଣସି ଆପତ୍ତି ନାହିଁ । ସେଥିରେ ହିଁ ପ୍ରସନ୍ନ ରହିବା ଦରକାର । ଆଉ ସେହି ଭଗବତ୍ ଆନନ୍ଦର ଦୃଢତା ସହକାରେ ପ୍ରଚାର କର, ଯେପରି ଅନ୍ୟ ସମସ୍ତେ ମଧ୍ୟ ସେହି ଆନନ୍ଦରେ ମୁଗ୍ଧ ହୋଇଚାଲିବେ । ଏଭଳି ସ୍ଥିତି ହେବା ଦରକାର କି, ଯଦି ସେ ସମୟରେ କେହି ତାଙ୍କୁ ଅଗ୍ନିରେ ନିକ୍ଷେପ କରନ୍ତି ତାହା ମଧ୍ୟ ତାଙ୍କୁ ଜଣାପଡିବ ନାହିଁ । ପ୍ରଶ୍ନ ହୋଇପାରେ କି, ଏଭଳି ସ୍ଥିତିରେ ବିକାର ଉତ୍ପନ୍ନ ହେବା ସମ୍ଭବ, ତେବେ ସେଠାରେ ବିକାର ଉତ୍ପନ୍ନ ହେବାର କାରଣ ହିଁ ନାହିଁ । ଯଦି ବିକାର ଉତ୍ପନ୍ନ ହୁଏ, ତେବେ ତାହା ମୂର୍ଖତା ମାତ୍ର, ଅଜ୍ଞତା ହିଁ ତାହାର କାରଣ ହୋଇପାରେ । ଅତଏବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଶକ୍ତି ଅନୁସାରେ ସାଧନ ଜାରି ରଖିବା ଦରକାର ଆଉ ଭଗବାନଙ୍କର ଅସୀମ ଦୟାର ଅନୁଭବ କରି ମୁଗ୍ଧ ହେବା ଦରକାର । ଫଳତଃ ଏହି ସାଧନରେ ଯେତେ ସମୟ ଲଗ୍ନ ହୋଇରହିବ, ଆନନ୍ଦ ସେତିକି ସେତିକି ଅନୁଭବ ହୋଇ ଚାଲିବ । ତଥା ପରିଣାମତଃ ପରମାନନ୍ଦ ପ୍ରାପ୍ତି ହୋଇପାରିବ, ଏଥିରେ କୌଣସି ଶଙ୍କା ନାହିଁ । T
Be First to Comment