Last updated on August 13, 2022
ମହର୍ଷି ସୁଶ୍ରୁତଙ୍କୁ ପ୍ରାଚୀନ ଭାରତର ଶଲ୍ୟତନ୍ତ୍ରର ଜନକ ଭାବରେ ଗ୍ରହଣ କରାଯାଇଛି । ସୁଶ୍ରୁତ ସଂହିତା ଆଧୁନିକ ଶଲ୍ୟତନ୍ତ୍ରକୁ ବହୁଳ ଭାବରେ ପ୍ରଭାବିତ କରିଛି ବୋଲି ବୈଦେଶିକ ଶଲ୍ୟବିତ୍ମାନେ କହିଛନ୍ତି । ସୁଶ୍ରୁତଙ୍କ ମତରେ ଶରୀର ମଧ୍ୟରେ ପ୍ରବେଶ କରିଥିବା ବାହ୍ୟବସ୍ତୁ (Foreign body) ପୂୟ (Pus) ବିଭିନ୍ନ ସ୍ରାବ (Secretions) ମୂଢ଼ଗର୍ଭ (Obstructed Labour), ଦୁଷ୍ଟବ୍ରଣ ଆଦି ଶଲ୍ୟ ପଦାର୍ଥକୁ ବାହାର କରିବା ବିଧି ବର୍ଣ୍ଣନା କରାଯାଇଛି, ଏତଦ୍ ବ୍ୟତୀତ ଯନ୍ତ୍ର (Blunt instrument), ଶସ୍ତ୍ର (Sharp instrument), କ୍ଷାର ଚିକିତ୍ସା, ଅଗ୍ନିକର୍ମର ପ୍ରୟୋଗ, ରୋଗନିବାରଣ (Prevention) ତଥା ବ୍ରଣ ସମ୍ବନ୍ଧରେ ବିଶେଷ ବିବରଣ ରହିଛି । ସୁଶ୍ରୁତଙ୍କ ମତରେ “ମନଃ ଶରୀର ବାଧକରାଣି ଶଲ୍ୟାନି” ଅର୍ଥାତ୍ ଯାହା ମନ ଓ ଶରୀରକୁ କଷ୍ଟଦିଏ ତାକୁ ଶଲ୍ୟ କୁହାଯାଏ । ସୁଶ୍ରୁତ ସଂହିତାର ଶ୍ରେଷ୍ଠ ଟୀକାକାର ଡହ୍ଲଣଙ୍କ ମତରେ “ଶଲ୍ୟାହରଣ ପ୍ରଧାନ ତନ୍ତ୍ରଂ ଶଲ୍ୟତନ୍ତ୍ରମ୍” । ଦ୍ୱିତୀୟରେ—“ଅତିପ୍ରବୃଦ୍ଧଂ ମଳଦୋଷଜ ଶରୀରିଣାଂ ସ୍ଥାବରଜଙ୍ଗମାନାମ୍ ଯତ୍ କିଞ୍ଚଦାବାଧକରଂ ଶରୀରରେ ତତ୍ସର୍ବମେବ ପ୍ରବଦନ୍ତି ଶଲ୍ୟମ୍ ।”
ଶଲ୍ୟ କର୍ମକୁ ସୁଶ୍ରୁତ ତିନି ଭାଗରେ ବିଭକ୍ତ କରିଛନ୍ତି—୧.ପୂର୍ବକର୍ମ (Pre operative), ୨. ପ୍ରଧାନ କର୍ମ (Operative procedures), ଏବଂ ୩. ପଶ୍ଚାତ୍ କର୍ମ (Post operative care)
ଲଂଘନ (Fasting) ଠାରୁ ବିରେଚନ ପର୍ଯ୍ୟନ୍ତ କର୍ମକୁ ପୂର୍ବକର୍ମ ତଥା ପାଟନ ଓ ରୋପଣ କ୍ରିୟାକୁ ପ୍ରଧାନ କର୍ମ, ବଳବର୍ଣ୍ଣାଗ୍ନି ଓ ଅଗ୍ନି (ପାଚନ କ୍ରିୟା) ଫେରାଇ ଆଣିବାକୁ ପଶ୍ଚାତ କର୍ମ କୁହାଯାଏ ।
ସୁଶ୍ରୁତ ସଂହିତାରେ ଶଲ୍ୟ କର୍ମକୁ ଆଠ ଭାଗରେ ବିଭକ୍ତ କରାଯାଇଛି—
ତଚ୍ଚ ଶସ୍ତ୍ରକର୍ମାଽଷ୍ଚବିଧମ୍ । ତଦ୍ୟଥା—ଛେଦ୍ୟଂ ଭେଦ୍ୟଂ ଲେଖ୍ୟଂ ବେଧ୍ୟମ୍ ଆହାର୍ଯ୍ୟଂ ବିସ୍ରାବ୍ୟଂ ସୀବ୍ୟଂ ମିତି । ସୁ.ସୂ.୫.୫
ଶଲ୍ୟକର୍ମ ବା Surgical Procedures ଆଠପ୍ରକାର—୧.ଛେଦ୍ୟ (Excision), ୨.ଭେଦ୍ୟ (Incision), ୩.ଲେଖ୍ୟ (Scraping), ୪.ବେଧ୍ୟ (Puncturing), ୫.ଏଷ୍ୟ (Probing), ୬. ଆହାର୍ଯ୍ୟ (Extraction), ୭.ବିସ୍ରାବ୍ୟ (Drainage) ବା (Blood letting) ତଥା ୮.ସୀବ୍ୟ (Suturing)
ବ୍ରଣଭେଦନ ଗୁଣ (Qualities of good incision)—୧.ଆୟତ (Adequate length), ୨.ବିଶାଳ (Adequate Extensibility), ୩.ସମ (Regular and uniformally cut edges) ତଥା ସୁବିଉନ୍ତ (ଠିକ୍ ଭାବରେ ଅଲଗା ହେବା) ଏବଂ ନିରାଶ୍ରୟ ଅର୍ଥାତ୍ ଯେପରି ପୂୟ ରହିନଯାଏ, ସର୍ବୋପରି ପ୍ରାପ୍ତକାଳ ଅର୍ଥାତ୍ ଅବସ୍ଥାରେ ବା ଉପଯୁକ୍ତ ସମୟରେ ଶସ୍ତ୍ର କର୍ମ କରିବା ଉଚିତ ।
ଶୌର୍ଯ୍ୟମାଶୁକ୍ରିୟା ଶସ୍ତ୍ରତୈକ୍ଷ୍ଣ୍ୟମସ୍ୱେଦ ବେପଥୁ ।
ଅସମୋହଶ୍ଚ ବୈଦ୍ୟଶ୍ଚ ଶସ୍ତ୍ରକର୍ମଣି ଶସ୍ୟତେ । ସୁ.ସୂ.୫.୧୦
ଶଲ୍ୟବୈଦ୍ୟର ଗୁଣ (Qualities of surgeon) ୧.ସୌର୍ଯ୍ୟ (Boldness), ୨.ଆଶୁକ୍ରିୟା (Swiftness in action), ୩.ଶସ୍ତ୍ରତୈକ୍ଷ୍ଣ (Sharpness of instruments), ୪.ଅସ୍ୱେଦ ଏବଂ ବେପଥୁ ଅର୍ଥାତ୍ ଶସ୍ତ୍ରକର୍ମ କରିବା ସମୟରେ ଭୟରେ ଝାଳ ନବହିବା ଏବଂ କମ୍ପ ନହେବା (No sweating and trembling of hand) ତଥା ୫.ଅସଂମ୍ମୋହ (Confidence) ଆଦି ଗୁଣବାନ ହେବା ଉଚିତ ।
ଯତୋ ଯତୋ ଗତିଂ ବିଦ୍ୟାଦୋତ୍ସଙ୍ଗୋଂ ଯତ୍ର ଯତ୍ର ଚ ।
ତତ୍ର ତତ୍ର ବ୍ରଣଂ କୁର୍ଯ୍ୟାଦ୍ୟଥା ଦୋଷୋ ନ ତିଷ୍ଠତି । ସୁ.ସୂ. ୫.୧୨
ପ୍ରତିଭେଦନ ଓ ବହୁଭେଦନ (Multiple incision) ଯଦି ଗୋଟିଏ ଭେଦନରେ ସମ୍ପୂର୍ଣ୍ଣପୂୟ ବାହାରେ ନାହିଁ ତେବେ ଏକାଧିକ ଭେଦନ କରିବା ଦରକାର । ଯେଉଁଠି ଯେଉଁଠି ମାର୍ଗ ବା ପୁଂୟା ରହିଥିବ ସେଠାରେ ଦୋଷ (ପୂୟ) ବାହାର କରିବ ଯେପରି ପୂଜ ରହିବ ନାହିଁ) ମୂତଗର୍ଭୋଦରାର୍ଶୋଽଶ୍ମରୀ ଭଗନ୍ଦର ମୁଖରୋଗେଷ୍ୱ ଭୁକ୍ତବତଃ କର୍ମ କୁର୍ବୀତ । ସୁ.ସୂ. ୫.୧୩
ଖାଲିପେଟରେ ଶସ୍ତ୍ରକର୍ମ କରିବାଯୋଗ୍ୟ ବ୍ୟାଧି—ମୂଢ଼ଗର୍ଭ (Malpresentation)
ଉଦର ରୋଗ (Abdominal Diseases), ଅର୍ଶ (Piles), ଅଶୁରୀ (Urinary Stone), ଭଗନ୍ଦର (Fistula-in-ano) ଏବଂ ମୁଖରୋଗରେ ଭୋଜନ ନକରି ଶଲ୍ୟ କର୍ମ କରିବା ଉଚିତ ।
ଧୂପନ ଦ୍ରବ୍ୟ—ତଦନନ୍ତର ଗୁଗୁଳୁ, ଅଗରୁ, ଝୁଣା, ବଚ, ଧଳାସୋରିଷ ଏହାର ସୂକ୍ଷ୍ମଚୂର୍ଣ୍ଣକୁ ଲବଣ, ନିମ୍ବପତ୍ର ତଥା ଘୃତ ମିଶାଇ ବ୍ରଣର ଧୂପନ କରାଯାଏ । ଯେଉଁ ଘୃତ ଶେଷ ରହେ ତାକୁ ହୃଦୟାଦି ପ୍ରାଣ ସ୍ଥାନରେ ମର୍ଦ୍ଦନ କରିବ ।
ବ୍ରଣ ବନ୍ଧନ (Bondage), ବଦଳିବା ସମୟ— ଶଲ୍ୟକ୍ରିୟା ପରେ ସେହି ସ୍ଥାନରେ ବ୍ରଣ ବନ୍ଧନ କରାଯାଏ । ସେହି ବନ୍ଧନ ତୃତୀୟ ଦିନରେ ଖୋଲି ସଦ୍ୟୋବ୍ରଣୋକ୍ତ ଦ୍ରବ୍ୟରେ ଧୋଇ ପୂର୍ବପରି ବନ୍ଧନ କରିବ । ଏହି ପଟିକୁ ଦ୍ୱିତୀୟ ଦିନ ଖୋଲିବ ନାହିଁ । ବ୍ରଣିତ ବା ଶସ୍ତ୍ରକ୍ରିୟା ହୋଇଥିବା ଲୋକର ବାହାର ଓ ଆଭ୍ୟନ୍ତର ବ୍ରଣ ପୂର୍ଣ୍ଣରୂପେ ରୋପଣ ଓ ସ୍ଥିରତା ନହେବାଯାଏ ବ୍ୟାୟାମ, ହର୍ଷ, କ୍ରୋଧ, ଅଜୀର୍ଣ୍ଣ, ଭୟକୁ ପରିତ୍ୟାଗ କରିବ ।
ଆପତ୍କାଳିକ ଅବସ୍ଥାରେ ଶଲ୍ୟଚିକିତ୍ସକ ଉପରୋକ୍ତ ନିୟମକୁ ପାଳନ କରିବା ଆବଶ୍ୟକତା ନାହିଁ । ଜଳିଯାଉଥିବା ଘରକୁ ସୁରକ୍ଷା କଲାପରି ଶୀଘ୍ର ରୋଗୀପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ଉଚିତ ।
ବେଦନା ଶମନ ଉପାୟ—ଶସ୍ତ୍ର ପ୍ରୟୋଗ ପରେ ରୋଗୀର ବେଦନା ଶାନ୍ତି ପାଇଁ ଯଷ୍ଟିମଧୁଚୂର୍ଣ୍ଣକୁ ଘୃତରେ ପାକକରି ସାମାନ୍ୟ ଉଷ୍ଣ ଥିବା ଅବସ୍ଥାରେ ବ୍ରଣ ସ୍ଥାନରେ ଲଗାଇହେବ ।
ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧
Be First to Comment