Last updated on August 13, 2022
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ)
ବ୍ରହ୍ମରେ ଆରୋପିତ ଏହି ସଂସାର ଭ୍ରମ ମଧ୍ୟ ଅଧିଷ୍ଠାନ ବ୍ରହ୍ମବିଷୟକ ଜ୍ଞାନ ଦ୍ୱାରା ଏକାକୀ ନିବୃତ୍ତ ହୋଇପାରେ । ଅନ୍ୟ କୌଣସି ଉପାୟରେ ନୁହେଁ । ବହୁ ଶ୍ରୁତି ବାକ୍ୟରେ ଏହାର ପ୍ରମାଣ ମିଳେ । ତେଣୁ ପ୍ରଶ୍ନ ଆସିପାରେ, ତେବେ କର୍ମ କଣ ଅନୁଷ୍ଠାନ ସାପେକ୍ଷ ନୁହେଁ ? ନାଁ । ତାହା କେବେ ନୁହେଁ । ଜ୍ଞାନୀମାନଙ୍କ ପକ୍ଷରେ କର୍ମର ପ୍ରୟୋଜନ ହିଁ ନାହିଁ । କିନ୍ତୁ ଅଜ୍ଞାନୀ ପକ୍ଷରେ ତାହା ଅବଶ୍ୟ ଅନୁଷ୍ଠେୟ, କାରଣ କର୍ମ ବନ୍ଧନର ହେତୁ/କାରଣ ହେଲେ ମଧ୍ୟ, ଈଶ୍ୱରଙ୍କଠାରେ ଫଳାର୍ପଣ ବୁଦ୍ଧି ଦ୍ୱାରା ସମ୍ପାଦିତ ହୋଇଥିଲେ ତାହା ବନ୍ଧନର କାରଣ ହୁଏନାହିଁ ବରଂ ଚିତ୍ତଶୁଦ୍ଧିରେ ସହାୟକ ହୁଏ । ଚିତ୍ତ ସମ୍ପୃକ୍ତ ଯାବତୀୟ ମଳ ଓ ଦୋଷ ପରିମାର୍ଜନା ନିମନ୍ତେ ଚିତ୍ତକୁ ଅନ୍ତର୍ମୁଖ କରାଇବା ଅର୍ଥାତ୍ ପ୍ରତ୍ୟଗାତ୍ମପରାୟଣ କରାଇବା ଦରକାର । ନୈଷ୍କର୍ମ୍ୟ ସିଦ୍ଧି ୧/୪୯ରେ କୁହାଯାଇଛି, ଚିତ୍ତ ଶୁଦ୍ଧି ଦ୍ୱାରା ବୁଦ୍ଧିର ପ୍ରତ୍ୟଗାତ୍ମପରାୟଣତା ଉତ୍ପାଦନ କରାଇ କର୍ମ କୃତାର୍ଥ ହୋଇ ବର୍ଷାଋତୁ ଅଭିଗମନରେ ମେଘକୁଳ ଭଳି ଅସ୍ତମିତ ଅର୍ଥାତ୍ ଦୂରୀଭୂତ ବା ନିଶ୍ଚିହ୍ନ ହୋଇଯାଏ । ପୂର୍ବରୁ ପ୍ରତ୍ୟକ୍-ପ୍ରବଣତାର ଅର୍ଥ ଅନାୟାସରେ ପ୍ରତ୍ୟଗାତ୍ମାରେ ଅବସ୍ଥାନ କରିବାକୁ କୁହାଯାଇଛି । ଶୁଦ୍ଧଚିତ୍ତ ବ୍ୟକ୍ତିଗଣ ବିବେକ ବୈରାଗ୍ୟାଦି ସାହାଯ୍ୟରେ ମୋକ୍ଷସାଧନରୂପା ଜ୍ଞାନଲାଭ କରିଥାନ୍ତି, ସୁତରାଂ ଭଗବାନ୍ ସନତ୍ସୁଜାତ କହୁଛନ୍ତି କି, ସମସ୍ତ ଅନର୍ଥର ବୀଜ ହେଉଛି, ପ୍ରମାଦ । ତାହାକୁ ସ୍ୱରୂପ ବିଚ୍ୟୁତି ବା ମୃତ୍ୟୁ ବୋଲି କୁହାଯାଏ । ଏହାର ଅଧିଷ୍ଠାତା ଯମ ବା ଅନ୍ୟକେହି ନୁହଁନ୍ତି । ବିଷୟବିଷାନ୍ଧ ଅବିଦ୍ୟାବିମୂଢ଼ ସ୍ୱାତ୍ମବ୍ୟତିରିକ୍ତ ଦ୍ୱୈତଦର୍ଶନକାରୀ ଜନ୍ମମୃତ୍ୟୁ ପ୍ରବାହରେ ପତିତ ହୋଇଥିବା ବ୍ୟକ୍ତିଗଣ ମୋଦ୍ୱାରା ବର୍ଣ୍ଣିତ ପ୍ରମାଦରୂପ ମୃତ୍ୟୁ ଅତିରିକ୍ତ ମୃତ୍ୟୁରୂପା ବୈବସ୍ୱତ ଯମଙ୍କ କଥା କହିଥାନ୍ତି ।
କାମାଦି ଦ୍ୱାରା ପ୍ରମାଦର ବଦ୍ଧହେତୁତ୍ୱ
ଏପର୍ଯ୍ୟନ୍ତ “ପ୍ରମାଦ ହିଁ ମୃତ୍ୟୁ” ଭାବରେ ମୃତ୍ୟୁକୁ ପ୍ରଦର୍ଶନ କରାଯାଇଛି । ଅତଃପର କାର୍ଯ୍ୟରୂପେ ଉକ୍ତ ପ୍ରମାଦର ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରାଯାଉଛି—
ପ୍ରମାଦଜନିତ ମୃତ୍ୟୁ ପ୍ରଥମତଃ ସାମାନ୍ୟ ଅହଂକାର ରୂପରେ ମନୁଷ୍ୟ ହୃଦୟରେ ପ୍ରକଟିତ ହୋଇଥାଏ । ତାପରେ ତାହା ବିଶେଷ ଅହଂକାର ରୂପ ଧାରଣକରେ । ଏହି ଅହଂକାରଠାରୁ କାମ ଉତ୍ପନ୍ନ ହୁଏ, କାମ ପ୍ରତିହତ ହେଲେ କ୍ରୋଧରୂପ ଧାରଣ ଜନ୍ମେ ଏବଂ ତାହାର ଆବେଶ ହେଲେ ମନୁଷ୍ୟ ଜ୍ଞାନଶୂନ୍ୟ ହୋଇ ମହାମୂଢ଼ ଅବସ୍ଥାକୁ ପ୍ରାପ୍ତ ହୁଏ । ଅତଃପର ଅହଂକାର ମମକାରରୂପ ବୃତ୍ତିରେ ପ୍ରତିଫଳିତ ଚିଦାଭାସରୂପ ସେହି ଜୀବ କୁମାର୍ଗରେ ଗମନ କରିବାପୂର୍ବକ ଆତ୍ମଯୋଗ ବଞ୍ଚିତ ହୁଏ । ଅର୍ଥାତ୍ ପରମାତ୍ମାଲାଭରେ ଅସମର୍ଥ ହୋଇ ପୁନଃ ପୁନଃ ସଂସାରାଗତିକୁ ଲାଭକରେ ॥୭ ॥
ଏହାପରେ ଜୀବର କି ଦୁର୍ଦ୍ଦଶା ହୁଏ, ତାହାକୁ ବର୍ଣ୍ଣନା କରିବାକୁ ଯାଇ କୁହାଯାଇଛି—
ସେହି ଅହଂକାର ବଶୀଭୂତ ମୋହମୁଗ୍ଧ ଜୀବସମଗ୍ର ଇହଲୋକରୁ ପ୍ରସ୍ଥିତ ହୋଇ ପୁନରାୟ ଏହି ସଂସାରରେ ପତିତ ହୋଇଥାନ୍ତି ଅର୍ଥାତ୍ ଜନ୍ମଗ୍ରହଣ କରିଥାନ୍ତି । ସେହି ଜନ୍ମରେ ଇନ୍ଦ୍ରିୟମାନଙ୍କ ତାଡ଼ନାରୁ ନିଜକୁ ବିଷୟ ଭୋଗାକୁଳ କରିପକାନ୍ତି । ଏହିଭଳି ଇନ୍ଦ୍ରିୟମାନଙ୍କର ତାଡ଼ନାକୁ ଚରିତାର୍ଥ କରିବାର ବ୍ୟର୍ଥ ଚେଷ୍ଟାରେ ପୁନଃ ପୁନଃ ଜନ୍ମଗ୍ରହଣ କରିଥାନ୍ତି । ତାହାକୁ ଆମେ ମହାଦୁର୍ଦ୍ଦଶାଗ୍ରସ୍ତ ବୋଲି କହିଥାଉ ।।୮।।
ପୂର୍ବରୁ ଅବିଦ୍ୟା ଓ କାମ, ବନ୍ଧନର କାରଣ, ଏହାକୁ ପ୍ରତିପାଦନ କରାଯାଇଛି । ଏଥର କର୍ମକୁ ବନ୍ଧନର କାରଣ ଦର୍ଶାଇବାକୁ ଯାଇ ଶ୍ରୀ ସନତ୍ସୁଜାତ କହୁଛନ୍ତି—
ସଂସାରରେ ଆବଦ୍ଧ ଜୀବ ବିବିଧ କର୍ମାନୁଷ୍ଠାନ କରି ଉକ୍ତ କର୍ମଫଳରେ ଆସକ୍ତ ହୋଇ ବିଚିତ୍ର କର୍ମବିପାକର ଅନୁଗମନ କରିଥାଏ, ମୃତ୍ୟୁକୁ କେବେହେଲେ ଅତିକ୍ରମ କରିପାରେ ନାହିଁ । ଦେହୀ ଜୀବ ସତ୍ ବସ୍ତୁକୁ ନଜାଣିପାରି ବିଷୟ ରସରେ ଆସକ୍ତିବଶତଃ ଏହି ସଂସାରରେ ନିୟତ ଭ୍ରମଣ କରିଥାଏ ।
କହିବାବାହୂଲ୍ୟ, କର୍ମାନୁଷ୍ଠାନରେ କେବଳମାତ୍ର ଯେ ଅମୃତତ୍ୱ ଲାଭରୁ ବଞ୍ଚିତ ହୁଏ, ତାହା ନୁହେଁ ବରଂ ଅଧିକ ଦୂରବସ୍ଥା ପ୍ରାପ୍ତ ହୁଏ, ତେଣୁ ଆମେ ତାକୁ ବିବିଧ କର୍ମାନୁଷ୍ଠାନରେ ବ୍ରତୀ ବୋଲି ବୁଝିବା ଦରକାର । ପୁନଶ୍ଚ ସଦ୍ବସ୍ତୁ ଚିଦାନନ୍ଦ, ଅଦ୍ୱିତୀୟ ବ୍ରହ୍ମାତ୍ମଭାବ ଜାଣିନପାରିବାକୁ ସଦ୍ବସ୍ତୁରେ ଅଜ୍ଞାନ ବୋଲି କହିପାରିବା । ଅନ୍ଧ ଯେପରି ଉଚ୍ଚନୀଚ ଅବା କଣ୍ଟକାଦି ପୂର୍ଣ୍ଣ ସ୍ଥଳବିଶେଷରେ ପତିତ ହୋଇ ଅଶେଷ ଦୁର୍ଦ୍ଦଶା ପ୍ରାପ୍ତ ହୁଏ, ସେହିଭଳି ବିବେକହୀନ ବ୍ୟକ୍ତି ବିଷୟାକାଂକ୍ଷା କଷ୍ଟକୁ ସ୍ୱୀକାର କରି ନିରନ୍ତର ଦୁଃଖାନୁଭବ କରିଥାଏ ॥୯ ॥
ଭୋଗ୍ୟ ବିଷୟରେ ଇନ୍ଦ୍ରିୟସମୂହର ଯେଉଁ ପ୍ରବୃତ୍ତି ଜନ୍ମେ ତାହାକୁ ମହାମୋହ କହନ୍ତି । ମିଥ୍ୟା ବିଷୟାନୁରାଗୀ ବ୍ୟକ୍ତିଗଣ ନିତ୍ୟନିୟତ ସଂସାରଗତି ହିଁ ଭୋଗ କରିଥାନ୍ତି । କାରଣ ଏହି ବିଷୟାନୁରକ୍ତି, ଜୀବକୁ ସ୍ୱୀୟ ବ୍ରହ୍ମଭାବ ଠାରୁ ବିଚ୍ୟୁତ କରାଇଦିଏ ଏବଂ ସେତେବେଳେ ଜୀବ ବିଷୟ ଚିନ୍ତାରେ ମଗ୍ନ ହୋଇପଡ଼େ ।
ପ୍ରବୃତ୍ତି ଜନ୍ମାଇବାର ଅର୍ଥ ହେଲା, ବିଷୟରେ ସତ୍ୟତ୍ୱ ବୁଦ୍ଧି ରହିବାରୁ ତାହାକୁ ଲାଭ କରିବା ନିମନ୍ତେ ପ୍ରବୃତ୍ତ ରହିବାକୁ ବୁଝାଏ । ବିଷୟରେ ପ୍ରବୃତ୍ତି ନହେଲେ, ଆତ୍ମାରେ ଯାହାଙ୍କର ପ୍ରବୃତ୍ତି ଜନ୍ମେ ତାହାଙ୍କର ମୋହନିବୃତ୍ତି ହୋଇଥାଏ । ସେହିଭଳି ବିଷୟଭୋଗ ସୁଖ ଚିନ୍ତାରେ ତଲ୍ଲୀନ ହେବାକୁ ଅର୍ଥାତ୍ ଇନ୍ଦ୍ରିୟସୁଖ ଜନିତ କାର୍ଯ୍ୟକ୍ରମରେ ନିଜକୁ ମଗ୍ନ ରଖିବାକୁ ବିଷୟ ଚିନ୍ତା କୁହାଯାଏ ॥୧୦ ॥
ଅତଃପର ତାଙ୍କର କି ଦଶା ହୁଏ, ତାହାକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି—
ପ୍ରଥମତଃ ବିଷୟ ସ୍ମରଣକୁ ଏହି ଅବିବେକୀ ଜୀବ ସ୍ୱ ସ୍ୱରୂପଠାରୁ ଭ୍ରଷ୍ଟ କରିପକାଏ, ଯାହା ସର୍ବଜନ ପ୍ରସିଦ୍ଧ ଅଟେ । ତାପରେ ବିଷୟ ସାନ୍ନିଧ୍ୟରେ ରହି କାମ ତାହାକୁ ଅଭିଭୂତ କରିପକାଏ ଏବଂ କାମ୍ୟ ବସ୍ତୁ ପ୍ରତିହତ ହେଲେ ଚିତ୍ତରେ କ୍ରୋଧ ଉଦ୍ରେକ ହୁଏ । ଏହିଭଳି ଭାବେ ବିଷୟ ଚିନ୍ତା ଆଦି ମିଳିତ ହୋଇ ଉକ୍ତ ଜୀବକୁ ସ୍ୱ-ବଶୀଭୂତ କରି ମୃତ୍ୟୁ ମୁଖରେ ନିକ୍ଷେପ କରନ୍ତି । ଏକମାତ୍ର ଧୀରବ୍ୟକ୍ତି ଧୈର୍ଯ୍ୟ ସହକାରେ ମୃତ୍ୟୁକୁ ଅତିକ୍ରାନ୍ତ କରିପାରେ ॥୧୧ ॥(ବିବେକୀ କେବଳ ମୃତ୍ୟୁକୁ ଜୟ କରିପାରେ, ଏହା ଆଗକୁ ସ୍ପଷ୍ଟ ହୋଇଛି ।)
କ୍ଷୁଦ୍ରବୁଦ୍ଧି ବ୍ୟକ୍ତିଗଣ ବାହ୍ୟ ବିଷୟଭୋଗ ନିମନ୍ତେ ଲାଳାୟିତ ହୋଇଥାନ୍ତି, ଯେଉଁଥିପାଇଁ କାମ-କର୍ମ ଆଦିରେ ଆବଦ୍ଧ ହୋଇପଡ଼ନ୍ତି । ବିବେକୀଗଣ ବିଷୟ ଚିନ୍ତାମୁକ୍ତ ହୋଇ ନିତ୍ୟ ପରମାନନ୍ଦମୟ ସ୍ୱ ସ୍ୱରୂପରେ ସ୍ଥିତ ହୁଅନ୍ତି । ଅର୍ଥାତ୍ ମୃତ୍ୟୁରୂପ ସଂସାର ବନ୍ଧନରୁ ମୁକ୍ତ ହୋଇପାରନ୍ତି । (କ.ଉ ୨-୧-୨)
ଚିତ୍ତ ବିକାରର କାରଣ ରୂପରସାଦି ବିଷୟ ସମ୍ମୁଖରେ ବିଦ୍ୟମାନ ହେଲେ ମଧ୍ୟ ଯାହାର ଚିତ୍ତ କୌଣସି ପ୍ରକାରେ ବିକାରଗ୍ରସ୍ତ ହୁଏନାହିଁ, ତାହାଙ୍କୁ ଆମେ ଧୀର ବ୍ୟକ୍ତି ବୋଲି ବୁଝିବା ଦରକାର ।
ବିଷୟାଭିମୁଖୀ ଚିତ୍ତକୁ ସ୍ୱ ବଶୀଭୂତ କରାଇ ସ୍ୱ ସ୍ୱରୂପ ପରମାତ୍ମାଙ୍କର ଅପରୋକ୍ଷ ଜ୍ଞାନ ସାହାଯ୍ୟରେ ଆୟତ୍ତ କରିବାକୁ ଧୈର୍ଯ୍ୟ କୁହାଯାଇପାରେ ।
ବିବେକର ମୃତ୍ୟୁରେ ମୃତ୍ୟୁ
ବିବେକୀଗଣ ଧୈର୍ଯ୍ୟ ଅବଲମ୍ବନରେ ବିଷୟସମୂହକୁ ପରାଭୂତ କରି କିଭଳି ମୃତ୍ୟୁକୁ ଅତିକ୍ରମ କରିଥାନ୍ତି, ସେଥିପାଇଁ କୁହାଯାଉଛି—
ନଶ୍ୱର ବିଷୟସମୂହ ଅଶୁଚି ଓ ଦୁଃଖାତ୍ମକ ବୋଧ ହେତୁ ତୁଚ୍ଛ ଜ୍ଞାନ କରି ଯିଏ ତାହାକୁ ତ୍ୟାଗ କରିଦିଅନ୍ତି ଏବଂ ପରେପରେ ଉକ୍ତ ବିଷୟସମୂହକୁ ଆଉ ସ୍ମରଣ କରନ୍ତି ନାହିଁ, ସେ ମୃତ୍ୟୁର ମଧ୍ୟ ମୃତ୍ୟରୂପଠାରୁ ନିଜକୁ ମୃତ୍ୟୁକୁ ଯେପରି ଗ୍ରାସ କରିପକାଇଛନ୍ତି । ଏହିଭଳି ବିଷୟ ଭୋଗ ବିନାଶକାରୀ ବ୍ୟକ୍ତି ଯଥାର୍ଥ ବିଧାନ କରି ଅର୍ଥାତ୍ ଆତ୍ମବତ୍ ଉପଭୋଗ କରିଥାନ୍ତି ।।୧୨।।
ବିଷୟପ୍ରତିସଂହାରଂ ଯଃ କରୋତି ବିବେକତଃ ।
ମୃତ୍ୟୁର୍ମୃତ୍ୟୁରିତିଖ୍ୟାତଃ ସ ବିଶ୍ୱାନାତ୍ମବିତ୍ କବିଃ ।।
ରୂପରସାଦି ବିଷୟ ଜଗତରେ ଚିରକାଳ ରହିଛି ଏବଂ ରହିବ ମଧ୍ୟ । ସେଥିରୁ ପରିତ୍ରାଣ ପାଇବା ଏକମାତ୍ର ଉପାୟ ବିବେକର ଅର୍ଥାତ୍ ବିଚାରର ଅଟେ । ବିଷୟ ତୁଚ୍ଛ, ମିଥ୍ୟା ଏହିଭଳି ବିଚାର କରୁକରୁ ଚିତ୍ତରେ ବିଷୟ ପ୍ରତି ଆକର୍ଷଣ କ୍ଷୀଣ ହୁଏ ଏବଂ ଆତ୍ମସ୍ୱରୂପ ପ୍ରକଟିତ ହୁଏ । ଏହିଭଳି ଭାଗ୍ୟବାନ୍ ବ୍ୟକ୍ତି ଆତ୍ମବିତ୍ ଅର୍ଥାତ୍ ଯଥାର୍ଥ ବିଦ୍ୱାନ୍ ହୋଇଥାନ୍ତି । ସେ ମୃତ୍ୟୁର ମଧ୍ୟ ମୃତ୍ୟୁସ୍ୱରୂପ ଅର୍ଥାତ୍ ମୃତ୍ୟୁଞ୍ଜୟୀ ହୋଇଥାନ୍ତି ।
ପୂର୍ବୋକ୍ତ ପ୍ରକାରେ ବିଦ୍ୱାନ୍ ଅନିତ୍ୟ ଆଦିର ଚିନ୍ତନ କରି ମିଥ୍ୟାତ୍ୱବୋଧ ବିଷୟକୁ ତ୍ୟାଗ କରିଥାନ୍ତି, କିନ୍ତୁ ଯେଉଁମାନେ ଏହିଭଳି ବିଷୟ ତ୍ୟାଗ କରିବାକୁ ଅସମର୍ଥ, ତାଙ୍କର କଣ ହୁଏ ତାହା ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି—
ବିଷୟ କାମନାର ବଶବର୍ତ୍ତୀ ହେଲେ କାମ୍ୟ ବିଷୟ ସହିତ ସେହି କାମୀ ପୁରୁଷ ବିନାଶପ୍ରାପ୍ତ ହୋଇଥାନ୍ତି । ବିଷୟ କାମନା ମିଥ୍ୟାତ୍ୱବୋଧ କାରଣରୁ ପରିତ୍ୟକ୍ତ ହେଲେ ବ୍ୟକ୍ତି ଜନ୍ମଜନ୍ମାନ୍ତରରେ ମଧ୍ୟ ଅର୍ଜିତ ପୁଣ୍ୟ ପାପାତ୍ମକ କର୍ମରାଶିରୂପକ ଧୂଳିରୁ ବିମୁକ୍ତ ହୋଇଥାଏ ।।୧୩।।
ଦେହାସକ୍ତି ହିଁ ପତ୍ତନର କାରଣ—
କାମ୍ୟ ବିଷୟଭୂତ ଏହି ଦେବ ହେୟ କାହିଁକି ? ସେଥିପାଇଁ କହୁଛନ୍ତି—
ପ୍ରାଣୀଗଣଙ୍କର ଶରୀର ଏକାନ୍ତ ଭାବେ ତମୋମୟ ଜଡ଼ ଏବଂ ସାକ୍ଷାତ୍ ନରକ ବ୍ୟତୀତ ଅନ୍ୟକିଛି ନୁହେଁ । ତଥାପି ସ୍ତ୍ରୀ ଆଦି ଶରୀରରେ କମନୀୟ ବୁଦ୍ଧି କାରଣରୁ ଆସକ୍ତହୋଇ ଜୀବ ତା ପଛରେ ଦୌଡ଼ିଥାଏ ଏବଂ ଊର୍ଦ୍ଧ୍ୱ ଦୃଷ୍ଟି ଅର୍ଥାତ୍ ଆକାଶବନ୍ଧଦୃଷ୍ଟିପଥଗାମିନୀ ବ୍ୟକ୍ତି ଗର୍ତ୍ତ କଣ୍ଟକାଦିରେ ପତ୍ତନ ଭଳି ଘୋର ନର୍କରେ ପତିତ ହୋଇ ମହାଦୁର୍ଦ୍ଦଶାଗ୍ରସ୍ତ ହୁଏ ।।୧୪।।
ଶରୀର କର୍ମଜନିତ, ଅସ୍ଥି, ସ୍ନାୟୁ, ରକ୍ତ, ମାଂସ, ଦୁର୍ଗନ୍ଧଯୁକ୍ତ ମଳମୂତ୍ରପୂର୍ଣ୍ଣ, ଜରାଶୋକରୋଗାଦିର ଆଳୟ, ମଳିନ ଏବଂ ଅନିତ୍ୟ ବୋଲି ତାହା ସାକ୍ଷାତ୍ ନର୍କ ବ୍ୟତୀତ ଅନ୍ୟକିଛି ହୋଇନପାରେ ।
ବିଷୟୀର ଜୀବନ ବ୍ୟର୍ଥ
ବିଷୟୀ ଜୀବର ଜୀବନର ବ୍ୟର୍ଥତା ବର୍ଣ୍ଣନା କରି କହିଛନ୍ତି—
ହେ କ୍ଷତ୍ରୀୟ ରାଜନ୍ ! ବିଷୟବିମୋହିତ ଚିତ୍ତ ସମ୍ପନ୍ନ ବ୍ୟକ୍ତି ତଦତିରିକ୍ତ ପରମାତ୍ମତତ୍ତ୍ୱବସ୍ତୁର ସତ୍ତାକୁ ସ୍ୱୀକାର କରିନଥାନ୍ତି ଏବଂ ତତ୍ ପ୍ରତିପାଦକ ଅଧ୍ୟାତ୍ମ ଶାସ୍ତ୍ରାଦି ଅଧ୍ୟୟନ ବା ଶ୍ରବଣ ମଧ୍ୟ କରିନଥାନ୍ତି । ତାଙ୍କର ଦେହଧାରଣ ତୃଣ ବିନିର୍ମିତ ବ୍ୟାଘ୍ରଭଳି ନିରର୍ଥକ ହୋଇଥାଏ । କ୍ରୋଧ, ଲୋଭ ବଶତଃ ଓ ମୋହ, ଭୟାକ୍ରାନ୍ତ ଯେଉଁ ତୁମର ଅନ୍ତରାତ୍ମା ଏହି ଶରୀରରେ ଦୃଷ୍ଟିଗୋଚର ହେଉଛି, ତାହା ହିଁ ମୃତ୍ୟୁ ।।୧୫।।
ଚତୁର୍ବେଦୋହପି ଯୋ ବିପ୍ରଃ ସୂକ୍ଷ୍ମାତ୍ ବ୍ରହ୍ମ ନ ବିନ୍ଦତି ।
ବେଦଭାରଭରାକ୍ରାନ୍ତଃ ସ ବୈ ବ୍ରାହ୍ମଣଃ ଗର୍ଦଭଃ ।। (ବଶିଷ୍ଠେ)
ସୂକ୍ଷ୍ମ ବ୍ରହ୍ମତତ୍ତ୍ୱ ବିଷୟରେ ଅଜ୍ଞ ଚତୁର୍ବେଦୀ ବେଦଭାରବାହୀ ବ୍ରାହ୍ମଣ ଗୋଟିଏ ଭାରବାହୀ ଗଧ ବ୍ୟତୀତ ଅନ୍ୟକିଛି ନୁହେଁ ।
କ୍ରୋଧମୋହାଦି ପରବଶ ଜୀବାତ୍ମାର ଦେହାଭିମାନରୂପ ଯେଉଁ ପ୍ରମାଦ ଅର୍ଥାତ୍ ଅଜ୍ଞାନ ରହିଛି, ତାହା ହିଁ ମୃତ୍ୟୁ । ଆତ୍ମାର ଜୈବ ଭାବ ହିଁ ମୃତ୍ୟୁ । ମନୁଷ୍ୟ ନିଜେ ନିଜର ବନ୍ଧୁ ଓ ନିଜର ନିଜେ ହିଁ ଶତ୍ରୁ ହୋଇଥାଏ । (ଗୀତା)
Be First to Comment