Press "Enter" to skip to content

ବିଭୂତି ଯୋଗ (୧୦ମ ଅଧ୍ୟାୟ): ଗୀତା-ଜ୍ଞାନ

Last updated on February 6, 2021

ସ୍ୱାମୀ ଅପୂର୍ବାନନ୍ଦ

ଅଧ୍ୟାୟ ସାରାଂଶ :
ଶ୍ରୀଭଗବାନଙ୍କର ସବୁଠାରୁ ବଡ଼ ବିଭୁତି ଏହି ଯେ ସେ ବିଶ୍ୱାନୁଗା ହୋଇ ମଧ୍ୟ ବିଶ୍ୱାତିଗ, ପ୍ରପଞ୍ଚାଭିମାନୀ ହୋଇ ମଧ୍ୟ ପ୍ରପଞ୍ଚାତୀତ । ସେ ସଗୁଣ ପୁଣି ନିର୍ଗୁଣ, ସେ ଏକ ପୁଣି ବହୁତ । ଯାହାକୁ ବେଦରେ “ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟ ଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ” ଇତ୍ୟାଦି ଏବଂ “ଅଙ୍ଗୁଷ୍ଠମାତ୍ରଃ ପୁରୁଷଃ” କୁହାଯାଇଛି, ତାଙ୍କୁ ହିଁ ପୁଣି କହିଛନ୍ତି—“ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍‌” ଇତ୍ୟାଦି ଏବଂ ତାଙ୍କୁ ହିଁ “ନମସ୍ତେ ଅସ୍ତୁ ବିଦ୍ୟୁତେ ନମସ୍ତେ ସ୍ତନୟିତ୍ନବେ” ଇତ୍ୟାଦି ବାକ୍ୟରେ ସ୍ତୁତି କରାଯାଉଛି । ସେଥିପାଇଁ ତ ଏହି ଆପାତବିରୁଦ୍ଧ ସ୍ୱଭାବ ଶ୍ରୀଭଗବାନଙ୍କର ଜ୍ଞାନ ଅତିଦୁର୍ଲ୍ଲଭ । “ଅବିଜ୍ଞାତଂ ବିଜାନତାଂ ବିଜ୍ଞାତଂ ଅବିଜାନତାମ୍‌ ।” ଅର୍ଥାତ୍‌ ଯେଉଁମାନେ କହନ୍ତି—ପରଂବ୍ରହ୍ମ ବା ଭଗବାନଙ୍କୁ ଜାଣନ୍ତି ନାହିଁ, ସେମାନେ ତାହାଙ୍କୁ ଜାଣନ୍ତି ଏବଂ ଯେଉଁମାନେ କହନ୍ତି, ପରଂବ୍ରହ୍ମଙ୍କୁ ଜାଣନ୍ତି, ସେହିମାନେ ହିଁ ତାହାଙ୍କୁ ଜାଣନ୍ତି ନାହିଁ, କାରଣ ସେ ଯିଏ ଅଜ୍ଞେୟ, ତାହା ପ୍ରଥମୋକ୍ତ ବ୍ୟକ୍ତିଗଣ ବୁଝିଛନ୍ତି ।
ଶ୍ରୀରାମକୃଷ୍ଣଦେବ କହିଛନ୍ତି, “ତାଙ୍କର ଅର୍ଥାତ୍‌ ଭଗବାନଙ୍କର ଇତି କରାଯାଏ ନାହିଁ । ତାଙ୍କର କାର୍ଯ୍ୟ ମଣିଷ କ’ଣ ବୁଝିବ ? ଅନନ୍ତ କାର୍ଯ୍ୟ । ତାଙ୍କୁ କିଏ ଜାଣିବ? ମୁଁ ଜାଣିବାକୁ ଚେଷ୍ଟା କରେନାହିଁ । ମୁଁ କେବଳ ‘ମା ମା’ ବୋଲି ଡାକେ । ମା ଯାହା କରନ୍ତି ।” ଇତ୍ୟାଦି ।
ଶ୍ରୀଭଗବାନ୍‌ ଏହି ବିଭୂତିଯୋଗ-ଅଧ୍ୟାୟର ପ୍ରଥମରେ ହିଁ କହିଛନ୍ତି—ମୋର ସ୍ୱରୂପତତ୍ତ୍ୱ ଦେବତାମାନେ ମଧ୍ୟ ଜାଣନ୍ତି ନାହିଁ । କାରଣ, ମୁଁ ସେମାନଙ୍କର ମଧ୍ୟ ଆଦିକାରଣ, ଅର୍ଥାତ୍‌ ଦେବତାଗଣ ମଧ୍ୟ ଶ୍ରୀଭଗବାନଙ୍କଠାରୁ ଉଦ୍‌ଭୂତ । ସମସ୍ତ ମହର୍ଷି, ଚତୁର୍ଦ୍ଦଶ ମନୁ ପ୍ରଭୃତି ସମସ୍ତେ ଭଗବାନଙ୍କଠାରୁ ସୃଷ୍ଟ ।
ଅର୍ଜ୍ଜୁନକର୍ତ୍ତୃକ ପୃଷ୍ଟ ହୋଇ ଶ୍ରୀଭଗବାନ କହୁଛନ୍ତି—“ମୋର ବିଭୁତିର ଅନ୍ତ ନାହିଁ । ମୁଁ ଭୂତବର୍ଗର ଆଦି ଅନ୍ତ ଓ ମଧ୍ୟ । ଆଦିତ୍ୟଗଣଙ୍କ ମଧ୍ୟରେ ମୁଁ ବିଷ୍ଣୁ, ଜ୍ୟୋତିଷ୍କଗଣଙ୍କ ମଧ୍ୟରେ ମୁଁ ସୂର୍ଯ୍ୟ, ନକ୍ଷତ୍ରଗଣଙ୍କ ମଧ୍ୟରେ ମୁଁ ଚନ୍ଦ୍ରମା, ଦେବଗଣଙ୍କ ମଧ୍ୟରେ ମୁଁ ଇନ୍ଦ୍ର, ରୁଦ୍ରଗଣଙ୍କ ମଧ୍ୟରେ ଶଙ୍କର, ବାୟୁଗଣରେ ମୁଁ ମରୀଚି ।….ଯାହା କିଛି ଐଶ୍ୱର୍ଯ୍ୟଯୁକ୍ତ ଏବଂ ଶ୍ରୀସମ୍ପନ୍ନ ବା ବିଶେଷ ଶକ୍ତିସମ୍ପନ୍ନ ସେ ସମସ୍ତ ହିଁ ମୋ ଶକ୍ତିର ସାମାନ୍ୟ ପ୍ରକାଶ ବୋଲି ଜାଣିବ । ମୁଁ ହିଁ ଏକାଂଶରେ ଏହି ସମସ୍ତ ଜଗତ ଅଧିକାର କରି ବିରାଜିତ ।” କ୍ଷୁଦ୍ର ମନୁଷ୍ୟ ତାଙ୍କର ପୂର୍ଣ୍ଣ ମହିମା କିପରି ବୁଝିବ ? ସେଥିପାଇଁ ଶ୍ରୀଭଗବାନ କୃପାପରବଶ ହୋଇ—ଅର୍ଜ୍ଜୁନଙ୍କୁ ଲକ୍ଷ୍ୟ କରି ଜଗଦ୍‌ବାସୀଙ୍କ ପାଇଁ ତାହାଙ୍କୁ ପାଇବାର ସହଜ ଉପାୟ କହିଦେଉଛନ୍ତି, “ଯେଉଁମାନେ ମୋଠାରେ ଚିତ୍ତ ଅର୍ପଣ କରି ପ୍ରୀତିପୂର୍ବକ ମୋତେ ଭଜନ କରନ୍ତି—ସେମାନେ ମୋତେ ଲାଭ କରିବାକୁ ସମର୍ଥ ହୁଅନ୍ତି ।”

ବିଭୂତିଯୋଗ ସାଧାରଣ ଅର୍ଥ


ପୂର୍ବେ ସପ୍ତମ ଅଷ୍ଟମ ଓ ନବମ ଅଧ୍ୟାୟରେ ପରମେଶ୍ୱରଙ୍କର ସ୍ୱରୂପ ବର୍ଣ୍ଣନା ପ୍ରସଙ୍ଗରେ ଶ୍ରୀଭଗବାନ୍‌ ସଂକ୍ଷେପରେ ନିଜ ବିଭୂତିର ବର୍ଣ୍ଣନା କରିଛନ୍ତି । ଇଦାନୀଂ ସର୍ବତ୍ର ଈଶ୍ୱରଦୃଷ୍ଟି ନିମିତ୍ତ ସେହି ବିଭୂତି ଏବଂ ତାଙ୍କଠାରେ ଭକ୍ତି ଅବଶ୍ୟକରଣୀୟ ବିଷୟ ସମ୍ବନ୍ଧରେ ବିସ୍ତୃତ ଭାବରେ କହୁଅଛନ୍ତି ।
ଶ୍ରୀଭଗବାନ୍‌ କହୁଅଛନ୍ତି— ହେ ମହାବାହୋ ! ପୁନର୍ବାର ମୋର ପରମାତ୍ମବିଷୟକ ବାକ୍ୟ ଶୁଣ, ମୋ ବାକ୍ୟରେ ତୁମେ ପ୍ରୀତିଯୁକ୍ତ ବୋଲି ମୁଁ ତୁମର ହିତପାଇଁ କଲ୍ୟାଣପ୍ରଦ କଥା କହୁଅଛି ।।୧।।
ଦେବଗଣ କିମ୍ୱା ମହର୍ଷିଗଣ କେହି ବି ମୋର ପ୍ରଭବ ବା ଉତ୍ପତ୍ତି ଜାଣନ୍ତି ନାହିଁ, କାରଣ, ମୁଁ ଦେବତା ଓ ମହର୍ଷିଗଣଙ୍କର ସମସ୍ତ ପ୍ରକାର ଆଦିକାରଣସ୍ୱରୂପ । (ଅତଏବ ମୋର କୃପା ବ୍ୟତୀତ କେହି ମୋତେ ଜାଣିପାରେ ନାହିଁ) ।।୨।।
ଯିଏ ମୋତେ ସର୍ବକାରଣ ବୋଲି ଅନାଦି, ଜନ୍ମରହିତ ଏବଂ ସର୍ବଲୋକର ମହେଶ୍ୱର ବୋଲି ଜାଣନ୍ତି, ସେ ମାନବଜାତି ମଧ୍ୟରେ ମୋହଶୂନ୍ୟ ହୋଇ ସର୍ବପ୍ରକାର ପାପରୁ ମୁକ୍ତ ହୁଅନ୍ତି ।।୩।।
ବୁଦ୍ଧି, ଜ୍ଞାନ, କର୍ତ୍ତବ୍ୟ ବିଷୟରେ ବ୍ୟାକୁଳତାର ଅଭାବ ବା ଔଦାସୀନ୍ୟ, କ୍ଷମା, ସତ୍ୟ, ଦମ (ବା ବାହ୍ୟେନ୍ଦ୍ରିୟ-ସଂଯମ), ଶମ (ଚିତ୍ତସଂଯମ), ସୁଖ, ଦୁଃଖ, ଜନ୍ମ, ମୃତ୍ୟୁ, ଭୟ, ଅଭୟ, ଅହିଂସା, ରାଗଦ୍ୱେଷାଦିରାହିତ୍ୟ ହେତୁ ସମଚିତ୍ତତା, ସନ୍ତୋଷ, ତପଃ (ଇନ୍ଦ୍ରିୟସଂଯମପୂର୍ବକ କୃଚ୍ଛ୍ରସାଧନ), ସ୍ୱୋପାର୍ଜିତ ଧନାଦି ଦାନ, ସତ୍‌କୀର୍ତ୍ତି ଓ ଅକୀର୍ତ୍ତି— ପ୍ରାଣୀମାନଙ୍କର ଏହିସବୁ ନାନାବିଧ ଭାବ ମୋଠାରୁ ହିଁ ଉତ୍ପନ୍ନ ହୋଇଥାଏ ।।୪-୫।।
ଭୃଗୁ ପ୍ରଭୃତି ସପ୍ତମହର୍ଷି, ସେମାନଙ୍କର ପୂର୍ବବର୍ତ୍ତୀ ସନକାଦି ଚାରିଜଣ ଏବଂ ଚତୁର୍ଦ୍ଦଶ ମନୁ, ଏମାନେ ସମସ୍ତେ ହିଁ ମୋର ସଂକଳ୍ପଜାତ ଏବଂ ଜ୍ଞାନୈଶ୍ୱର୍ଯ୍ୟାଦି ପ୍ରଭାବସମ୍ପନ୍ନ, ଜଗତର ସମସ୍ତ ପ୍ରଜା ଏମାନଙ୍କଠାରୁ ଉତ୍ପନ୍ନ ।।୬।।
ଯିଏ ମୋର ଏହି ବିଭୂତି ଅର୍ଥାତ୍‌ ସର୍ବଜ୍ଞତ୍ୱ ଏବଂ ଯୋଗୈଶ୍ୱର୍ଯ୍ୟ ଯଥାର୍ଥତଃ ଜାଣନ୍ତି, ସେ ନିଃସଂଶୟରୂପେ ସମ୍ୟଗ୍‌ଦର୍ଶନଦ୍ୱାରା ମୋଠାରେ ହିଁ ଯୁକ୍ତ ହୁଅନ୍ତି— ଏଥିରେ ସନ୍ଦେହ ନାହିଁ ।।୭।।
ମୁଁ ସମଗ୍ର ଜଗତର ଉତ୍ପତ୍ତିର କାରଣ । ମୋଠାରୁ ସମସ୍ତ (ସ୍ଥିତି-ନାଶ ଓ ବୁଦ୍ଧିଜ୍ଞାନାଦି) ପ୍ରବର୍ତ୍ତିତ ହୁଏ । ଏହି ତତ୍ତ୍ୱ ସମ୍ୟକ୍‌ ରୂପେ ଜାଣି ପଣ୍ଡିତଗଣ ପ୍ରୀତିଯୁକ୍ତ ହୋଇ ମୋତେ ଭଜନ କରନ୍ତି ।।୮।।
ଯେଉଁମାନଙ୍କର ଚିତ୍ତ ମୋଠାରେ ଅର୍ପିତ, ଯେଉଁମାନେ ମଦ୍‌ଗତପ୍ରାଣ ଏପରି ଭକ୍ତଗଣ ପରସ୍ପର ମଧ୍ୟରେ ଜ୍ଞାନ, ବଳ ଓ ବୀର୍ଯ୍ୟାଦିବିଶିଷ୍ଟ ମୋର ପ୍ରସଙ୍ଗ ଓ ଗୁଣକୀର୍ତ୍ତନାଦି କରି ପରମ ସନ୍ତୋଷ ଲାଭ କରନ୍ତି । ସେମାନଙ୍କର ଆଉ କୌଣସି ଅଭାବ ରହେନାହିଁ, ସେମାନେ (ସଂସାରରେ ଥାଇ ମଧ୍ୟ) ପରମାନନ୍ଦ ସମ୍ଭୋଗ କରନ୍ତି ।।୯।।
ଯେଉଁ ଭକ୍ତଗଣ ମୋଠାରେ ସତତ ଯୁକ୍ତଚିତ୍ତ ହୋଇ ପ୍ରୀତିପୂର୍ବକ ମୋତେ ଭଜନ କରନ୍ତି, ସେମାନଙ୍କୁ ମୁଁ ଏପରି ମଦ୍‌ବିଷୟକ ଜ୍ଞାନ ପ୍ରଦାନ କରେ, ଯାହାଦ୍ୱାରା ସେମାନେ ମୋତେ ଲାଭ କରନ୍ତି ।।୧୦।।
ସେହି ଭକ୍ତଗଣଙ୍କ ଉପରେ କୃପାପରବଶ ହୋଇ ସେମାନଙ୍କ ଅନ୍ତଃକରଣରେ ଆତ୍ମସତ୍ତାର ପ୍ରକାଶପୂର୍ବକ ହୃଦୟରେ ଉଜ୍ଜ୍ୱଳଜ୍ଞାନରୂପକ ଦୀପ ଜାଳି ଦେଇ ସେମାନଙ୍କର ଅଜ୍ଞାନାନ୍ଧକାର ସମୂଳେ ବିନଷ୍ଟ କରେ ।।୧୧।।
ଅର୍ଜ୍ଜୁନ କହିଲେ— ଆପଣ ପରବ୍ରହ୍ମ ପରମାତ୍ମା, ଆପଣ ହିଁ ଶ୍ରେଷ୍ଠ ଆଶ୍ରୟସ୍ୱରୂପ, ସର୍ବଶ୍ରେଷ୍ଠ ଓ ପବିତ୍ରତା ବିଧାୟକ । ଭୃଗୁ ଆଦି ସମସ୍ତ ଋଷି, ଦେବର୍ଷି ନାରଦ, ଅସିତ, ଦେବଳ ଓ ବ୍ୟାସ ଆପଣଙ୍କୁ ସନାତନ ପୁରୁଷ ଓ ଦିବ୍ୟ ଅର୍ଥାତ୍‌ ସ୍ୱୟଂପ୍ରକାଶ ଆଦିଦେବ, ଜନ୍ମାଦିରହିତ ଏବଂ ସର୍ବବ୍ୟାପୀ ବିଭୁ ବୋଲି କହିଛନ୍ତି । ଆପଣ ନିଜେ ମଧ୍ୟ ମୋତେ ତାହା ହିଁ କହୁଛନ୍ତି ।।୧୨-୧୩।।
ହେ କେଶବ ! ତୁମେ ଯାହା କିଛି ମୋତେ କହିଛ, ସେସବୁ ସତ୍ୟ ବୋଲି ମନେକରେ । କାରଣ, ହେ ଭଗବାନ୍‌ ! କି ଦେବଗଣ, କି ଦାନବଗଣ, କେହିହେଲେ ତୁମର ପ୍ରଭବ (ଅର୍ଥାତ୍‌ ଆବିର୍ଭାବତତ୍ତ୍ୱ) ଜାଣନ୍ତି ନାହିଁ ।।୧୪।।
ହେ ପୁରୁଷୋତ୍ତମ, ହେ ଭୂତଭାବନ, ହେ ଦେବଦେବ, ଅର୍ଥାତ୍‌ ଦେବଗଣଙ୍କର ମଧ୍ୟ ପ୍ରକାଶକ, ହେ ଜଗତ୍‌ପତେ, ତୁମେ ସ୍ୱୟଂ ହିଁ ନିଜର ଜ୍ଞାନଦ୍ୱାରା ନିଜର ସ୍ୱରୂପକୁ ଜାଣ । ଅର୍ଥାତ୍‌, ତୁମର ସ୍ୱରୂପ ସମ୍ବନ୍ଧରେ ଆଉ କେହି ହେଲେ ଜାଣନ୍ତି ନାହିଁ ।।୧୫।।
ତୁମେ ଯେଉଁ ସମସ୍ତ ବିଭୂତିଦ୍ୱାରା ଏହି ଲୋକସମୂହରେ ବ୍ୟାପ୍ତ ହୋଇଅଛ, ସେସବୁ ଅଦ୍ଭୁତ ଆତ୍ମବିଭୂତି ତୁମେ ହିଁ ବିଶେଷଭାବରେ କହିପାର ।।୧୬।।
ହେ ଯୋଗିନ୍‌ ! ମୁଁ ତୁମକୁ ସର୍ବଦା କିପରି ଭାବରେ ବିଭୂତି ମାଧ୍ୟମରେ ଚିନ୍ତା କଲେ ତୁମର ମାହାତ୍ମ୍ୟ ଜାଣିପାରିବି ? ହେ ଭଗବାନ୍‌ ! ମୁଁ ତୁମକୁ କେଉଁ କେଉଁ ବସ୍ତୁରେ ଚିନ୍ତା କରିବି, ତାହା ମୋତେ କୁହ ।।୧୭।।
ହେ ଜନାର୍ଦ୍ଦନ ! ତୁମେ ପୁଣି ନିଜ ଯୋଗୈଶ୍ୱର୍ଯ୍ୟ ଓ ବିଭୂତିସମୂହ ମୋତେ ବିସ୍ତୃତଭାବରେ କୁହନ୍ତୁ । କାରଣ, ତୁମର ବାକ୍ୟାମୃତପାନରେ ମୋର ତୃପ୍ତି ହେଉନାହିଁ—ଅର୍ଥାତ୍‌ ଆକାଙ୍‌କ୍ଷା ଆହୁରି ବଢ଼ିଯାଉଛି— ଆହୁରି ଅଧିକ ଶୁଣିବାକୁ ଇଚ୍ଛା ହେଉଅଛି ।।୧୮।।
ଶ୍ରୀଭଗବାନ କହିଲେ— ହେ କୁରୁଶ୍ରେଷ୍ଠ ! ଆଚ୍ଛା, ତାହା ହିଁ ହେବ । ମୋର ବିଶେଷ ବିଶେଷ ଦିବ୍ୟ ବିଭୂତିସମୂହ ତୁମକୁ କହୁଛି । କାରଣ ମୋର ବିଭୂତିର ଅନ୍ତ ନାହିଁ (ଅତଏବ ତୁମ ନିକଟରେ ସେସବୁ ନିଃଶେଷରେ ବର୍ଣ୍ଣନା କରିବା ମଧ୍ୟ ସମ୍ଭବ ନୁହେଁ) ।।୧୯।।
ହେ ଗୁଡ଼ାକେଶ ଅର୍ଜ୍ଜୁନ ! ମୁଁ ସର୍ବଭୂତର ପ୍ରତ୍ୟକ୍‌ଚୈତନ୍ୟରୂପେ ବିରାଜମାନ । ମୁଁ ହିଁ ସର୍ବଭୂତର ଉତ୍ପତ୍ତି, ସ୍ଥିତି ଓ ଲୟସ୍ଥାନ— ସ୍ୱରୂପ ଅର୍ଥାତ୍‌ ମୁଁ ହିଁ ସୃଷ୍ଟି ସ୍ଥିତି ଓ ପ୍ରଳୟର କର୍ତ୍ତା ।।୨୦।।
ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରେ ମୁଁ ବିଷ୍ଣୁନାମକ ଆଦିତ୍ୟ, ଜ୍ୟୋତିଷ୍କଗଣଙ୍କ ମଧ୍ୟରେ ଅଂଶୁମାନ୍‌ ସୂର୍ଯ୍ୟ, ଊନପଞ୍ଚାଶ ମରୁତ ମଧ୍ୟରେ ମୁଁ ମରୀଚି (ଆବହ ବାୟୁ) ଏବଂ ନକ୍ଷତ୍ରଗଣଙ୍କ ମଧ୍ୟରେ ଚନ୍ଦ୍ରମା ।।୨୧।।
ମୁଁ ବେଦସମୂହ ମଧ୍ୟରେ ସାମବେଦ, ଦେବଗଣଙ୍କ ମଧ୍ୟରେ ଇନ୍ଦ୍ର, ଇନ୍ଦ୍ରିୟଗଣଙ୍କ ମଧ୍ୟରେ (ସଂକଳ୍ପବିକଳ୍ପାତ୍ମକ) ମନ ଏବଂ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ଚେତନା-ଶକ୍ତି ।।୨୨।।
ମୁଁ ଏକାଦଶ ରୁଦ୍ରଙ୍କ ମଧ୍ୟରେ ଶଙ୍କର, ଯକ୍ଷ ଓ ରାକ୍ଷସଗଣଙ୍କ ମଧ୍ୟରେ କୁବେର, ବସୁଗଣଙ୍କ ମଧ୍ୟରେ ଅଗ୍ନି ଏବଂ ପର୍ବତମାନଙ୍କ ମଧ୍ୟରେ ସୁମେରୁ ପର୍ବତ ।।୨୩।।
ହେ ପାର୍ଥ ! ପୁରୋହିତଗଣଙ୍କ ମଧ୍ୟରେ ମୋତେ ମୁଖ୍ୟ ବୃହସ୍ପତି ବୋଲି ଜାଣିବ । ମୁଁ ସେନାପତିଗଣଙ୍କ ମଧ୍ୟରେ କାର୍ତ୍ତିକେୟ ଏବଂ ଜଳାଶୟମାନଙ୍କ ମଧ୍ୟରେ ସମୁଦ୍ର ।।୨୪।।
ମହର୍ଷିମାନଙ୍କ ମଧ୍ୟରେ ମୁଁ ଭୃଗୁ, ଶବ୍ଦସମୂହ ମଧ୍ୟରେ ମୁଁ ବ୍ରହ୍ମବାଚକ, ଏକାକ୍ଷର ଓଁକାର, ସକଳଯଜ୍ଞ ମଧ୍ୟରେ ମୁଁ ଜପଯଜ୍ଞ ଏବଂ ସ୍ଥାବର ପଦାର୍ଥ ମଧ୍ୟରେ ମୁଁ ହିମାଳୟ ।।୨୫।।
ମୁଁ ବୃକ୍ଷମାନଙ୍କ ମଧ୍ୟରେ ଅଶ୍ୱତ୍ଥ, ଦେବର୍ଷିମାନଙ୍କ ମଧ୍ୟରେ ନାରଦ, ଗନ୍ଧର୍ବଗଣଙ୍କ ମଧ୍ୟରେ ଚିତ୍ରରଥ ଏବଂ ସିଦ୍ଧ ମହାପୁରୁଷଗଣଙ୍କ ମଧ୍ୟରେ କପିଳାଖ୍ୟ ମୁନି ।।୨୬।।
ମୋତେ ଅଶ୍ୱଗଣଙ୍କ ମଧ୍ୟରେ ସମୁଦ୍ରମନ୍ଥନ ସମୟରେ ଉଦ୍‌ଭୂତ ଉଚ୍ଚୈଃଶ୍ରବା, ଶ୍ରେଷ୍ଠ ହସ୍ତୀମାନଙ୍କ ମଧ୍ୟରେ ଇନ୍ଦ୍ରବାହନ ଐରାବତ ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ରାଜା ବୋଲି ଜାଣିବ ।।୨୭।।
ମୁଁ ସକଳ ଅସ୍ତ୍ର ମଧ୍ୟରେ ବଜ୍ର, ଧେନୁଗଣଙ୍କ ମଧ୍ୟରେ କାମଧେନୁ, ମୁଁ ସକଳ କାମ ମଧ୍ୟରେ ସନ୍ତାନ ଉତ୍ପତ୍ତିହେତୁ କନ୍ଦର୍ପ ଏବଂ (ବିଷାକ୍ତ) ସର୍ପଗଣଙ୍କ ମଧ୍ୟରେ ସର୍ପରାଜ ବାସୁକି ।।୨୮।।
ନାଗଗଣଙ୍କ ମଧ୍ୟରେ ମୁଁ ନାଗରାଜ ଅନନ୍ତ, ଜଳଚରଗଣଙ୍କ ମଧ୍ୟରେ ମୁଁ ଜଳଦେବତା ବରୁଣ, ପିତୃଗଣଙ୍କ ମଧ୍ୟରେ ପିତୃରାଜ ଅର୍ଯ୍ୟମା ଏବଂ ନିୟାମକମାନଙ୍କ ମଧ୍ୟରେ ମୁଁ (ମୃତ୍ୟୁରାଜ) ଯମ ।।୨୯।।
ଦୈତ୍ୟଗଣଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ, ଗଣନାକାରୀଗଣଙ୍କ ମଧ୍ୟରେ ମୁଂ କାଳ, ପଶୁଗଣଙ୍କ ମଧ୍ୟରେ ମୁଁ ପଶୁରାଜ ସିଂହ ଏବଂ ପକ୍ଷୀଗଣଙ୍କ ମଧ୍ୟରେ ମୁଁ ବିନତାନନ୍ଦନ ଗରୁଡ଼ ।।୩୦।।
ବେଗଗାମୀଗଣଙ୍କ ମଧ୍ୟରେ ମୁଁ ପବନ, ଶସ୍ତ୍ରଧାରୀମାନଙ୍କ ମଧ୍ୟରେ ମୁଁ ଦାଶରଥି ରାମ, ମତ୍ସଗଣଙ୍କ ମଧ୍ୟରେ ମୁଁ ମକର, ସ୍ରୋତସ୍ୱତୀମାନଙ୍କ ମଧ୍ୟରେ ମୁଁ ଜାହ୍ନବୀ ।।୩୧।।
ହେ ଅର୍ଜ୍ଜୁନ ! ମୁଁ ଆକାଶାଦି ସୃଷ୍ଟ ପଦାର୍ଥସମୂହର ଆଦି ଅନ୍ତ ଓ ମଧ୍ୟ, ଅର୍ଥାତ୍‌ ଉତ୍ପତ୍ତି, ସ୍ଥିତି ଓ ସଂହାରକର୍ତ୍ତା । ବିଦ୍ୟାସମୂହ ମଧ୍ୟରେ ମୁଁ ଅଧ୍ୟାତ୍ମବିଦ୍ୟା ଏବଂ ଦାସଗଣଙ୍କ ମଧ୍ୟରେ ମୁଁ ବାଦ ଅର୍ଥାତ୍‌ ତତ୍ତ୍ୱନିର୍ଣ୍ଣୟ ନିମିତ୍ତ ଯେଉଁ ତର୍କ ତାହା ।।୩୨।।
ବର୍ଣ୍ଣସମୂହ ମଧ୍ୟରେ ମୁଁ (ଆଦ୍ୟ ଅକ୍ଷର) ଅକାର ଏବଂ ସମାସଗୁଡ଼ିକ ମଧ୍ୟରେ ଦ୍ୱନ୍ଦ୍ୱସମାସ । ମୁଁ ଅକ୍ଷୟ କାଳ (ଅଥବା କାଳର ଦେବତା ପରମେଶ୍ୱର) ଏବଂ ମୁଁ ହିଁ ସର୍ବକର୍ମଫଳଦାତୃଗଣଙ୍କ ମଧ୍ୟରେ ବିଶ୍ୱତୋମୁଖ ବିଧାତା ।।୩୩।।
ମୁଁ ସର୍ବହର ମୃତ୍ୟୁ, ଭାବୀ କଲ୍ୟାଣସମୂହ ମଧ୍ୟରେ ଅଭ୍ୟୁଦୟ ଏବଂ ନାରୀମାନଙ୍କ ମଧ୍ୟରେ କୀର୍ତ୍ତି, ଶ୍ରୀ, ବାକ୍‌, ସ୍ମୃତି, ମେଧା, ଧୃତି ଓ କ୍ଷମାରୂପକ (ଦୈବୀ ସମ୍ପଦରୂପ)ମୁଁ ।।୩୪।।
ସାମବେଦୋକ୍ତ ମନ୍ତ୍ରସମୂହ ମଧ୍ୟରେ ମୁଁ ବୃହତ୍‌ସାମ, ଛନ୍ଦବଦ୍ଧ ମନ୍ତ୍ରସମୂହ ମଧ୍ୟରେ ଗାୟତ୍ରୀ, ବୈଶାଖାଦି ଦ୍ୱାଦଶମାସ ମଧ୍ୟରେ ମାର୍ଗଶୀର ମାସ ଏବଂ ଋତୁସମୂହ ମଧ୍ୟରେ ବସନ୍ତ ଋତୁ ।।୩୫।।
ମୁଁ ବଞ୍ଚନାକାରୀମାନଙ୍କ ମଧ୍ୟରେ ଅକ୍ଷକ୍ରୀଡ଼ାରୂପକ ଛଳ, ତେଜସ୍ୱୀମାନଙ୍କର ତେଜସ୍ୱରୂପ, ମୁଁ ହିଁ ଜୟୀର ଜୟ, ଉଦ୍ୟମୀର ଉଦ୍ୟମ ଏବଂ ସାତ୍ତ୍ୱିକ ପୁରୁଷର ସତ୍ତ୍ୱଗୁଣ ।।୩୬।।
ମୁଁ ଯାଦବକୁଳ ମଧ୍ୟରେ (ଶ୍ରେଷ୍ଠ) ଶ୍ରୀକୃଷ୍ଣ, ପାଣ୍ଡବଗଣଙ୍କ ମଧ୍ୟରେ (ଶ୍ରେଷ୍ଠ) ଅର୍ଜ୍ଜୁନ, ବେଦାର୍ଥମନନଶୀଳ ମୁନିମାନଙ୍କ ମଧ୍ୟରେ ମୁଁ କୃଷ୍ଣଦ୍ୱୈପାୟନ ବ୍ୟାସଦେବ ଏବଂ ସୂକ୍ଷ୍ମାର୍ଥଦର୍ଶୀ କବିମାନଙ୍କ ମଧ୍ୟରେ ମୁଁ ଶୁକ୍ରାଚାର୍ଯ୍ୟ ଅଟେ ।।୩୭।।
ମୁଁ ବମନକାରୀମାନଙ୍କ ଦଣ୍ଡ, ଜୟାଭିଳାଷୀମାନଙ୍କ ମଧ୍ୟରେ ମୁଁ ହିଁ ସାମ, ଦାନ, ଭେଦ ଓ ଦଣ୍ଡ—ଏହି ନୀତି । ଗୋପନୀୟ ବିଷୟରେ ମୌନ ଏବଂ ଆତ୍ମଜ୍ଞାନୀମାନଙ୍କର ତତ୍ତ୍ୱଜ୍ଞାନ ।।୩୮।।
ହେ ଅର୍ଜ୍ଜୁନ ! ଆଉ ମଧ୍ୟ ସର୍ବଭୂତର ଯାହା କାରଣ ତାହା ମଧ୍ୟ ମୁଁ । ମୋ ବ୍ୟତୀତ ସତ୍ତାବାନ୍‌ ହୋଇପାରେ ସ୍ଥାବର-ଜଙ୍ଗମରେ ଏପରି କିଛି ପଦାର୍ଥ ନାହିଁ—ଅର୍ଥାତ୍‌ ମୁଁ ହିଁ ସର୍ବଭୂତର ଆତ୍ମସ୍ୱରୂପ ।।୩୯।।
ହେ ପରନ୍ତପ ! ମୋର ଦିବ୍ୟ ବିଭୂତିସମୂହର ଅନ୍ତ ନାହିଁ । ତଥାପି ମୁଁ ବିଭୂତିର ଏହି ବିସ୍ତାର ଅତି ସଂକ୍ଷେପରେ କେବଳ ଦିଗ୍‌ଦର୍ଶନରୂପେ କହିଲି ।।୪୦।।
ଯାହା ଯାହା ଐଶ୍ୱର୍ଯ୍ୟଯୁକ୍ତ, ଶ୍ରୀସମ୍ପନ୍ନ ଓ ଶକ୍ତିମାନ୍‌, ସେହି ସମସ୍ତ ବସ୍ତୁ ମୋ ତେଜର ଅଂଶ ସଂଭୂତ ବୋଲି ତୁମେ ଜାଣ ।।୪୧।।
ଅଥବା ହେ ଅର୍ଜ୍ଜୁନ ! ମୋର ଏହିସବୁ ବିଭୂତି-ବିସ୍ତାର ସମ୍ବନ୍ଧରେ ତୁମର କଣ ପ୍ରୟୋଜନ ? ଏତିକି କେବଳ ଜାଣିଲେ ଯଥେଷ୍ଟ ହେବ ଯେ ମୁଁ ମୋର କେବଳ ଗୋଟିଏ ପାଦଦ୍ୱାରା ଏହି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପରିବ୍ୟାପ୍ତ ବା ଧାରଣ କରି ରହିଛି । ମୋର ବାକି ତିନି ପାଦ ଅବ୍ୟାକୃତ ରହିଛି ।।୪୨।।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.