Last updated on August 13, 2022
🌺ଓଡ଼ିଆରେ ଗୋଟିଏ କଥା ଅଛି, “ମକର- ଦିନ ହେଲା ବକର।” – ଏହାର ତାତ୍ପର୍ଯ୍ୟ ଏହି ଯେ ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଉଷାକାଳ। ଏଣୁ ଏହି ଦିନଠାରୁ ଦିନ ବକ୍ର ହୁଏ; ଅର୍ଥାତ୍ ଦିନର ଅବଧିରେ ପରିବର୍ତ୍ତନ ହୁଏ।
🌺ଆମ କୃଷିକାରୀ ସଂସ୍କୃତିରେ ଏହି ସଂକ୍ରାନ୍ତିର ମହତ୍ତ୍ୱ ହେଉଛି, ଏହି ସମୟକୁ ଧାନ, ଆଖୁ ଆଦି ଶୀତକାଳୀନ ଫସଲ ଅମଳର ସମୟ ହୋଇଥାଏ। ସେ ଦୃଷ୍ଟିରୁ ଏହି ଦିନ ନୂଆ ଅରୁଆ ଚାଉଳ ଓ ନୂଆ ଗୁଡ଼ ସହିତ, ନଡ଼ିଆ, ଛେନା, କଦଳୀ ଏବଂ ଘିଅ ଓ ଦୁଧ ଆଦି ମିଶାଇ ‘ମକର-ଚାଉଳ’ ପ୍ରସ୍ତୁତ କରାହୁଏ। ତାହାକୁ ଦେବ-ଦେବୀଙ୍କୁ ଭୋଗ ଲଗାଯାଏ। ଶିବ, ସୂର୍ଯ୍ୟନାରାୟଣ ଓ ମକର-ମାଧବ ଏହି ସଂକ୍ରାନ୍ତିର ଉପାସ୍ୟ ଦେବତା।
🌺ଦିନଥିଲା, ଲୋକେ ଭାରରେ ଏହିସବୁ ସାମଗ୍ରୀ ନେଇ ଦେବୀ-ଦେବତାଙ୍କ ମନ୍ଦିରକୁ ଆସୁଥିଲେ। ତୀର୍ଥ ପୁଷ୍କରିଣୀ ଓ ନଦୀ ଆଦିରେ ‘ମକର ସ୍ନାନ’ କରୁଥିଲେ। ଦେବ-ଦେବୀଙ୍କ ପୀଠରେ ଏହିଦିନଠାରୁ ‘ମକର ମେଳା’ ଆରମ୍ଭ ହେଉଥିଲା। ଏବେ ଅନେକ ପୀଠରେ ଏହାର ଅବଶେଷ ମାତ୍ର ରହିଛି। ଓଡ଼ିଶାର ଆଦିବାସୀ ସଂପ୍ରଦାୟର ମଧ୍ୟ ଏହା ଏକ ପ୍ରମୁଖ ପର୍ବ।
🌺ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେତୁ ଏହି ଦିନଟିକୁ ଯେ ଏକଦା ନୂଆବର୍ଷ ରୂପେ ଗ୍ରହଣ କରାଯାଉଥିଲା, ତାହାର ପ୍ରମାଣ ଶ୍ରୀଜଗନ୍ନାଥ ମନ୍ଦିରର କେତେକ ରୀତିନୀତିରେ ମିଳେ। ଶ୍ରୀମନ୍ଦିରରେ ଏହା ଏକ ତିନିଦିନିଆ ଉତ୍ସବ। ମକର ସଂକ୍ରାନ୍ତିର ପୂର୍ବଦିନ ‘ଚାଉଳ ମେଲାଣ’ ଓ ‘ଫୁଲ ମେଲାଣ’ ଏବଂ ତା’ ପୂର୍ବଦିନ ‘ଦୁଧ ମେଲାଣ’ ରୂପେ ଏହା ପାଳିତ ହୋଇଥାଏ।
🌺ଶ୍ରୀମନ୍ଦିରର ‘ସ୍ୱତ୍ୱଲିପି’ ଅନୁସାରେ, ‘ଦୁଧମେଲାଣ’ ନୀତିରେ ‘ଦେଶ’ମାନଙ୍କରୁ ଗୋପାଳମାନେ ଦୁଧଭାର ଆଣି ଆସନ୍ତି ଏବଂ ଜଗନ୍ନାଥବଲ୍ଲଭ ମଠଠାରେ ‘ଗୋଧନ’ (ଗୋ-ଦୋହନ) ନୀତି ସଂପନ୍ନ ହୁଏ। ସେହି ଦୁଧକୁ ଘଣ୍ଟ, ଛତା ଓ କାହାଳୀ ସହ ଶ୍ରୀମନ୍ଦିରକୁ ନିଆଯାଏ। ସେହିପରି ‘ଚାଉଳ ମେଲାଣ’ ନୀତିରେ ‘ଧାନଘର’ଠାରୁ ବେରବୋଇର ପ୍ରଧାନ ଚାଉଳ ବିଜେ କରନ୍ତି। ସେହି ଚାଉଳକୁ ପଟୁଆର କରି ବଡ଼ଦେଉଳ ପରିକ୍ରମା କରାଯାଏ। ‘ଫୁଲମେଲାଣ’ରେ ମାଳିମାନେ ଶ୍ରୀମନ୍ଦିରକୁ ମାଳଚୂଳ ଘେନି ଆସନ୍ତି ଏବଂ ତାହାକୁ ଶ୍ରୀମନ୍ଦିର ପରିକ୍ରମା କରାଯିବା ପରେ, ଖୁଣ୍ଟିଆ ସେବକ ନେଇ ସଂଧ୍ୟା ଆଳତି ବେଶରେ ଲାଗି କରାନ୍ତି।
🌺ଏହି ଅବସରରେ ମକର ସଂକ୍ରାନ୍ତିର ପୂର୍ବଦିନ ଶ୍ରୀଜଗନ୍ନାଥଙ୍କର ‘ନବାଙ୍କ’ ବେଶ ମଧ୍ୟ ହୋଇଥାଏ ।
ସନାତନ ସଂସ୍କୃତିରେ ମକର ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ରାଶି ଲଡୁ, ଖେଚେଡ଼ି ଓ ମକର ଚାଉଳ ଭୋଗ ଦେବାର ପରମ୍ପରା ରହିଛି। ଦେଶର ପୂର୍ବାଞ୍ଚଳରେ ଦହି ଚୁଡା ଖାଇ ଦିନ ଆରମ୍ଭ କରାଯାଏ। ତେବେ ବିଶେଷ କରି ଏହି ଦିନ ରାଶି ଲଡୁ ହିଁ କାହିଁକି ପୂଜା କରାଯାଏ ଏବଂ ଖିଆଯାଏ ଜାଣିଛନ୍ତି କି ? ଏହା ପଛରେ ରହିଛି କିଛି କାରଣ।
ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ସମୟ ଗଣନା ଅନୁସାରେ ସୂର୍ଯ୍ୟ ମକର ରାଶିରୁ ମିଥୁନ ରାଶିକୁ ଗତି କରନ୍ତି ସେହି ସମୟକୁ ଉତ୍ତରାୟଣ କୁହାଯାଏ। ଏହି ସମୟ ୬ ମାସର ହୋଇଥାଏ। ଏହାପରେ ସୂର୍ଯ୍ୟ କର୍କଟ ରାଶିରୁ ଧନୁ ରାଶିକୁ ଯାଇଥାନ୍ତି। ଏହାକୁ ଦକ୍ଷିଣାୟନ କୁହାଯାଏ। ସୂର୍ଯ୍ୟଙ୍କ ଉତ୍ତରାୟଣକୁ ବହୁତ ଶୁଭ ବୋଲି କୁହାଯାଏ। ସେଥିପାଇଁ ଏହି ସମୟରେ ସବୁ ପ୍ରକାର ଶୁଭ କାର୍ଯ୍ୟ ହୋଇଥାଏ। ଏହି ସମୟରେ କରାଯାଉଥିବା ପୁଣ୍ୟ କର୍ମର ୧୦୦ ଗୁଣ ଫଳ ମିଳିଥାଏ ବୋଲି କୁହାଯାଏ।
ମକର ସଂକ୍ରାନ୍ତିର ଏତେ ମହତ୍ତ୍ୱ ରହିଛି ଯେ ଦେଶର ବିଭିନ୍ନ ଭାଗରେ ଏହି ପର୍ବର ଭିନ୍ନ ଭିନ୍ନ ନାଁ ରହିଛି। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଆନ୍ଧ୍ରପ୍ରଦେଶରେ ସଂକ୍ରାନ୍ତି, ଗୋଆ, ଓଡିଶା, ହରିୟାଣା, ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି କୁହାଯାଏ। ମକର ସଂକ୍ରାନ୍ତିରେ ଡାଲି ଓ ଚାଉଳରେ ତିଆରି ଖେଚେଡ଼ି ଖାଇବା ଓ ଦାନା କରିବାରର ଅନେକ ମହତ୍ତ୍ୱ ରହିଛି। ଚାଉଳକୁ ଚନ୍ଦ୍ରମାର ପ୍ରତୀକ ଭାବେ ଗ୍ରହଣ କରାଯାଏ ଏବଂ ଡାଲି ଶନିଙ୍କ ପ୍ରତୀକ। ଅନ୍ୟ ସବୁଜ ପରିବା ବୁଧଙ୍କ ପ୍ରତୀକ। ଏ ସମସ୍ତଙ୍କ ସମ୍ପର୍କ ମିଶ୍ରଣ ମଙ୍ଗଳ ଓ ସୂର୍ଯ୍ୟଙ୍କ ସହ ରହିଛି। ସେଥିପାଇଁ ଏହି ଖେଚେଡ଼ି ସେବନ କଲେ ଏହିସବୁ ଗ୍ରହଙ୍କ ସକାରାତ୍ମକ ପ୍ରଭାବ ପଡିଥାଏ।
ଏହିଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି କରାଯାଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯାଇଥାଏ । ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ। ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କୁ ବେଶ କରାଯାଇଥାଏ।
ଏହାପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ହୋଇଥାନ୍ତି। ତେବେ ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ଆଳତୀ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।
ମକର ସଂକ୍ରାନ୍ତିରେ ରାଶିରେ ତିଆରି ଲଡୁ ବା ମିଠା ଖାଇବାର ମଧ୍ୟ ପରମ୍ପରା ରହିଛି। ଶ୍ରୀମଦଭାଗବତ ଏବଂ ଶ୍ରୀମଦ୍ଦେବୀଭାଗବତ ମହାପୁରାଣ ଅନୁସାରେ ଶନିଦେବଙ୍କର ନିଜ ପିତା ସୂର୍ଯ୍ୟଙ୍କ ସହ ପଡ଼େନି। ସୂର୍ଯ୍ୟ ନିଜର ପ୍ରଥମ ପତ୍ନୀ ଓ ଦ୍ୱିତୀୟ ପତ୍ନୀ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସନ୍ତାନ ମଧ୍ୟରେ ଭେଦଭାବ କରୁଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ଶନିଦେବ ରାଗିଯାଇ ସୂର୍ଯ୍ୟଙ୍କୁ କୁଷ୍ଠରୋଗର ଅଭିଶାପ ଦେଇଥିଲେ। ରୋଗମୁକ୍ତ ସୂର୍ଯ୍ୟ ଶନିଙ୍କ ଘର ଅର୍ଥାତ କୁମ୍ଭ ରାଶିକୁ ଜଳାଇ ଦେଇଥିଏ। କିନ୍ତୁ ପରେ ନିଜ ପୁତ୍ରକୁ କଷ୍ଟରେ ଦେଖି ଶନି ନିଜ ପୁତ୍ରକୁ ସାକ୍ଷାତ କରିବାକୁ ଶନିଙ୍କ ଘରେ ପହଂଚିଥିଲେ। ସେଠାରେ ସେ ଯାଇ ଦେଖିଲେ ଶନିଙ୍କ ଘରେ ଅର୍ଥାତ କୁମ୍ଭ ରାଶିରେ ରାଶିକୁ ଛାଡି ସବୁକିଛି ଜଳି ଯାଇଥିଲା। ଶନି ସୂର୍ଯ୍ୟଙ୍କୁ ରାଶି ଭୋଗ ଦେଇଥିଲେ। ଏହାପରେ ଶନିଙ୍କୁ ନିଜ ବୈଭବ ପୁଣି ମିଳିଥିଲା। ସେହିଦିନ ଠାରୁ ମକର ସଂକ୍ରାନ୍ତିରେ ରାଶି ଖାଇବାର ପରମ୍ପରା ଚାଲିଆସିଛି।
ମକର ସଂକ୍ରାନ୍ତି ଦିନ ରାଶି ଓ ଖେଚେଡ଼ି ଖାଇବାର ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ସମୟରେ ଦେଶର ଅନେକ ସ୍ଥାନରେ ଶୀତ ଲହରୀ ଜାରି ରହିଥାଏ। ସୂର୍ଯ୍ୟ ଗୋଟିଏରୁ ଅନ୍ୟ ରାଶିକୁ ଗତି କଲେ ପାଣିପାଗରେ ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ନାନା ରୋଗ ବ୍ୟାଧିର ଆଶଙ୍କା ମଧ୍ୟ ରହିଥାଏ। ରାଶି ଏବଂ ଖେଚେଡ଼ିରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀରକୁ ଗରମ ରଖିବା ସହ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ସେଥିପାଇଁ ମକର ସଂକ୍ରାନ୍ତି ଦିନ ରାଶି ଓ ଖେଚେଡ଼ି ଖିଆଯାଇଥାଏ।
ଦକ୍ଷିଣ ଓଡ଼ିଶାର ଗଣପର୍ବ ଭାବେ ପାଳିତ ହୋଇଥାଏ ମକର ସଂକ୍ରାନ୍ତି। ଆନ୍ଧ୍ର ସୀମାବର୍ତ୍ତୀ ଗଜପତି ଜିଲ୍ଲାରେ ଅଧିକାଂଶ ତେଲୁଗୁ ଭାଷାଭାଷୀ ଲୋକ ରହୁଥିବାରୁ ପୋଙ୍ଗଲ ବା ପାଣ୍ଡୁକୁ ଭାବେ ଏହି ଉତ୍ସବକୁ ବହୁ ଜାକଜମକରେ ପାଳିଥାନ୍ତି ଏଠାକାର ବାସିନ୍ଦା। କୋଭିଡ କଟକଣା ସତ୍ତ୍ୱେ ପର୍ବ ପାଳନରେ ଉତ୍ସାହ କିଛି କମିନାହିଁ। ପୋଙ୍ଗଲ ପର୍ବର ପ୍ରଥମ ରାତିରେ ଭୋଗୀ ରାବଣକୁ ପୋଡ଼ିଥାନ୍ତି । ଘରର ସବୁ ଅଦରକାରୀ ଜିନିସକୁ ପୋଡ଼ିଥାନ୍ତି । କାରଣ ଏହା କରେ ତାଙ୍କର ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ କରିଥାନ୍ତି।
🌹କଣ ରହିଛି ମାନ୍ୟତା-🌹
ମକର ସଂକ୍ରାନ୍ତି ଦିନ ଗଙ୍ଗାମାତା ଭାଗୀରଥିଙ୍କ ପଛେ ପଛେ ଚାଲି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗର ସହ ମିଶିଥିଲେ ।
ମାନ୍ୟତା ଏହା ଯେ, ଏହି ଦିନ ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ନେଇ ବ୍ରତ ରଖିଥିଲେ ।
ଏହା ମଧ୍ୟ ବିଶ୍ୱାସ କରାଯାଏ କି ଆଜି ଠାରୁ ୧୦୦୦ ବର୍ଷ ପୂର୍ବେ ମକର ସଂକ୍ରାନ୍ତି ୩୧ ଡିସେମ୍ବରରେ ପାଳନ କରାଯାଉଥିଲା । ଗତ ଏକ ହଜାର ବର୍ଷରେ ଏହାର ଦୁଇ ସପ୍ତାହ ଆଗକୁ ଘୁଂଚିଯିବା ଯୋଗୁଁ ୧୪ ଜାନୁୟାରୀରେ ଏହା ପାଳନ କରାଯାଉଛି । ଏବେ ସୂର୍ଯ୍ୟଙ୍କର ଚଳନ ଆଧାରରେ ଏହା ଅନୁମାନ କରାଯାଏ । ୫୦୦୦ ବର୍ଷ ପରେ ମକର ସଂକ୍ରାନ୍ତି ଫେବୃୟାରୀ ମାସର ଶେଷରେ ପାଳନ କରାଯିବ ।
ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବାକୁ ‘ମକର ସଂକ୍ରାନ୍ତି’ କୁହାଯାଏ ।
ମହାରାଷ୍ଟ୍ରରେ ବିଶ୍ୱାସ କରାଯାଏ କି ମକରସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଗତି ଧିରେ ଧିରେ ବଢେ । ଏଥିପାଇଁ ଏହି ଦିନ ରାଶିର ବିଭିନ୍ନ ମିଷ୍ଠାନ ତିଆରି କରି ଉଭୟ ଉଭୟଙ୍କୁ ବାଣ୍ଟିଥାନ୍ତି ଏବଂ ଶୁଭକାମନା ଦେଇ ଉତ୍ସବ ପାଳନ କରିଥାନ୍ତି ।
courtsy: Biswanatha Panda, NIC, PURI
Be First to Comment