Press "Enter" to skip to content

ଐତରେୟ ଉପନିଷଦର କାହାଣୀ-4

Last updated on February 6, 2021

ଉକ୍ତ ଉପନିଷତ୍‌ର ପୂର୍ବ ଦୁଇଗୋଟି ଅଧ୍ୟାୟରେ —ବ୍ରହ୍ମାଣ୍ଡରେ ସୃଷ୍ଟିର ଉତ୍ପତ୍ତି ଏବଂ ପିଣ୍ଡରେ ପୁରୁଷଙ୍କର ଜନ୍ମ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଛି  । ଏହି ତୃତୀୟ ବା ଅନ୍ତିମ ଅଧ୍ୟାୟରେ ଋଷି ଜିଜ୍ଞାସା ପ୍ରକଟ କରିଛନ୍ତି କି, ବ୍ରହ୍ମାଣ୍ଡରେ ସୃଷ୍ଟି ଉତ୍ପନ୍ନକାରୀ କିଏ ଅଟନ୍ତି ଆଉ ଏହି ପିଣ୍ଡରେ କିଏ ଜୀବନ ପ୍ରଦାନ କରନ୍ତି ? ସେହି ଆତ୍ମା କିଏ, ଯାହାର ଆମେ ଉପାସନା କରିବା ? ସେହି ଆତ୍ମା କିଏ, ଯାହା ମାଧ୍ୟମରେ ଜୀବ ସଂସାରରେ ରୂପ ଦର୍ଶନ କରିଥାଏ, ଯାହା ଦ୍ୱାରା ଏହି ଶବ୍ଦ ଶୁଣିଥାଏ, ଯାହା ମାଧ୍ୟମରେ ଏହି ଗନ୍ଧ ଆଘ୍ରାଣ କରିଥାଏ, ଯାହା ମାଧ୍ୟମରେ ସେ ବାଣୀର ବ୍ୟବହାର କରିଥାଏ, ଯାହା ମାଧ୍ୟମରେ ଏହି ଭୋଜ୍ୟ ପଦାର୍ଥ ସ୍ୱାଦ ଲାଗିଥାଏ ଅବା ଅସ୍ୱାଦ ଲାଗିଥାଏ ଏହାର ପାର୍ଥକ୍ୟ ଜାଣିପାରେ  ।
ଆତ୍ମାର ସ୍ୱରୂପ ସମ୍ପର୍କରେ କହିବାପୂର୍ବକ ପରବର୍ତ୍ତୀ ଋଚ୍ଚାରେ କୁହାଯାଇଛି—ହୃଦୟରେ କାମ, କ୍ରୋଧ, ଲୋଭ, ମୋହ ଆଦି ମନର ଭାବନା, ମନର ବିଚାର, ଆମର ସମ୍ୟକ୍‌ ଜ୍ଞାନ, ସମସ୍ତ ପ୍ରକାର ଜ୍ଞାନ (ଆଜ୍ଞାନମ୍‌) ବିଶେଷ ବିଷୟର ଜ୍ଞାନ (ବିଜ୍ଞାନମ୍‌) ଉତ୍କୃଷ୍ଟ ଜ୍ଞାନ ଏ ସବୁ ଯାହାର କାରଣ ଅଟେ, ତାହା ଆତ୍ମା ଅଟେ  । ଆମମାନଙ୍କ ମଧ୍ୟରେ ଯେଉଁ ଆଧ୍ୟାତ୍ମିକ ତତ୍ତ୍ୱ ରହିଛି— ମେଧା (ବୁଦ୍ଧି) ଅନ୍ତର୍ଦୃଷ୍ଟି (ଦୃଷ୍ଟିଃ) ଧୈର୍ଯ୍ୟ (ଧୃତିଃ) ମନନ ଶକ୍ତି (ମତିଃ) ବୁଝାସୁଝା (ମନୀଷା) ଶକ୍ତିଃ (ଜୂତିଃ) ସ୍ମରଣ-ଶକ୍ତି (ସ୍ମୃତିଃ) ନିଶ୍ଚୟ (ସଂକଳ୍ପ) କର୍ମ-ପରିଶ୍ରମ (କ୍ରତୁଃ) ପ୍ରାଣଶକ୍ତି (ଅସୁଃ) ଇଚ୍ଛା କରିବା (କାମଃ) ସ୍ୱତଃ ଏବଂ ଅନ୍ୟମାନଙ୍କୁ ନିଜ ବଶରେ କରିବା, ଏ ସମସ୍ତ ପ୍ରଜ୍ଞାନ, ଚେତନ ସ୍ୱରୂପ ଆତ୍ମାର ନାମ ଅବା ସ୍ୱରୂପ ଅଟେ  ।
ପରମାତ୍ମାଙ୍କ ବିଷୟରେ ଉପନିଷତ୍‌କାର କହୁଛନ୍ତି—ଏହି ବ୍ରହ୍ମା, ଏହି ଇନ୍ଦ୍ର, ଏହି ପ୍ରଜାପତି ଏବଂ ଅନ୍ୟ ସମସ୍ତ ଦେବତା, ସେ ସମସ୍ତ ଦେବତାଙ୍କ ବ୍ୟତିରେକ ପୃଥିବୀ, ବାୟୁ, ଆକାଶ, ଜଳ ତଥା ଅଗ୍ନି ଆଦି ପଞ୍ଚ ମହାଭୂତ, ନେଉଳ, ସାପ ଆଦି ପୃଥିବୀରେ ଦେଖାଯାଉଥିବା କ୍ଷୁଦ୍ର ଜୀବଜନ୍ତୁ, ଇତର ପ୍ରାଣୀମାନଙ୍କ ବୀଜ, ଅଣ୍ଡାଦିରୁ ଉତ୍ପନ୍ନ ହେଉଥିବା ଅଣ୍ଡଜ ପକ୍ଷୀ, ସାପ ଆଦି, ଜରାୟୁରୁ ଉତ୍ପନ୍ନ ହେଉଥିବା ମନୁଷ୍ୟ, ଗାଈ, ଘୋଡା ଆଦି ଜରାୟୁଜ, ଗରମରୁ ଉତ୍ପନ୍ନ ହେଉଥିବା କୀଟ, ମଶା, ମାଛି ଆଦି ସ୍ୱଦେଜ, ପୃଥିବୀକୁ ଫୁଟାଇ ଜନ୍ମ ନେଉଥିବା ବୃକ୍ଷ, ଗୁଳ୍ମ ବନସ୍ପତି ଆଦି ଉଦ୍ଭିଜ୍ଜ ଆଦି ସବୁ ପ୍ରଜ୍ଞାନ-ବ୍ରହ୍ମ ଅଟନ୍ତି  । ଘୋଡା, ଗାଈ, ହାତୀ ଆଉ ଯେକୌଣସି ପ୍ରାଣୀ ଜଗତରେ ଜଙ୍ଗମ ଗତିଶୀଳ, ଉଡୁଥିବା ପକ୍ଷୀ ଆଦି ତଥା ଗୋଟିଏ ସ୍ଥାନରେ ସ୍ଥିର ରହିଥିବା ବୃକ୍ଷାଦି ସ୍ଥାବର ଆଦି ସମସ୍ତ ପ୍ରଜ୍ଞା-ନେତ୍ର ଅଟନ୍ତି  । ଏ ସମସ୍ତ ପ୍ରଜ୍ଞାନରେ ପ୍ରତିଷ୍ଠିତ ଅଟନ୍ତି, ପ୍ରଜ୍ଞାନରେ ସ୍ଥିତ ଅଟନ୍ତି, ପ୍ରଜ୍ଞାନ ହିଁ ବ୍ରହ୍ମ ଅଟେ  ।
ଏହିଭଳି ଉପନିଷତ୍‌କାରଗଣ ବ୍ରହ୍ମଙ୍କୁ ପ୍ରଜ୍ଞାନ କହିଅଛନ୍ତି, ପ୍ରଜ୍ଞାନର ଅର୍ଥ ହେଉଛି ଚେତନତା  । ଚୈତନ୍ୟ ସ୍ୱରୂପତା ହିଁ ବ୍ରହ୍ମ ଅଟନ୍ତି  । ଦିବ୍ୟଶକ୍ତିସମୂହ ସମସ୍ତପ୍ରକାର ଭୂତସମୂହ, ସମସ୍ତ ପ୍ରାଣୀ, ସ୍ଥାବର, ଜଙ୍ଗମ ଯାହାକିଛି ବି ଅଛନ୍ତି, ସମସ୍ତେ ପ୍ରଜ୍ଞାନମୟ ଅଟନ୍ତି— ଚେତନତା ଦ୍ୱାରା ଓତଃପ୍ରୋତ ଅଟନ୍ତି  । ପ୍ରଥମେ ଆତ୍ମା ନିମନ୍ତେ ପ୍ରଜ୍ଞାନ ଏବଂ ଚେତନା ଆଦି ନାମକରଣ କରାଗଲା (ସର୍ବାଣି ପ୍ରଜ୍ଞାନସ୍ୟ ନାମଧ୍ୟେୟାନି ଭବନ୍ତି କୁହାଗଲା) । ଅଧୁନା ପରମାତ୍ମାଙ୍କୁ ପ୍ରଜ୍ଞାନ କୁହାଯାଇଛି (ପ୍ରଜ୍ଞାନଂ ବ୍ରହ୍ମ)  । ଆତ୍ମା ଏବଂ ପରମାତ୍ମା ଉଭୟଙ୍କର ସ୍ୱରୂପ ପ୍ରଜ୍ଞାନ-ଚେତନା ଅଟେ  । ଯେଉଁ ଉପାସକ ଏହି ସତ୍ୟକୁ ଅବଗତ ହୋଇଯାନ୍ତି, ସେ ଅମରପଦ ପ୍ରାପ୍ତ କରିନିଅନ୍ତି  । ଜିଜ୍ଞାସୁ ଉପାସକ ଯେତେବେଳେ ଜ୍ଞାନ-ସ୍ୱରୂପ, ଚେତନାସ୍ୱରୂପ ପ୍ରଜ୍ଞା ଆତ୍ମାର ବାସ୍ତବିକ ସ୍ୱରୂପକୁ ଅବଗତ ହୋଇଯାନ୍ତି, ସେତେବେଳେ ସେ ଏହି ମର୍ତ୍ତ୍ୟଲୋକରୁ ଉତ୍‌କ୍ରମଣ କରି ସେହି ସ୍ୱର୍ଗଲୋକରେ ସମସ୍ତ କାମନା ପୂର୍ଣ୍ଣକରି ଅମର ହୋଇଯାନ୍ତି  ।
ଐତରେୟ ଉପନିଷତ୍‌ର ସ୍ୱ ବିଷୟର ସମାପନ କରିବାପୂର୍ବକ ଋଷି ଉଦ୍‌ବୋଧନ କରିଥାନ୍ତି — ମୋର ବାଣୀ ମନରେ ସ୍ଥିତ ହେଉ, ମୋର ମନ ବାଣୀରେ ପ୍ରତିଷ୍ଠିତ ହେଉ, ମୋର ବାଣୀରେ ଯେଉଁ କଥା ହେଉ, ତାହା ମନରେ ମଧ୍ୟ ହେଉ, ବାଣୀ ତଥା ମନରେ କୌଣସି ବିରୋଧ ନ ହେଉ  । ମୋର ବାହ୍ୟ ସ୍ୱରୂପ ସମ୍ମୁଖ-ପ୍ରତ୍ୟକ୍ଷରେ ଯାହା ଅଟେ, ତାହା ଅପ୍ରତ୍ୟକ୍ଷରେ ମଧ୍ୟ ହେଉ, ମୋର ବାହାରେ ଯାହାକିଛି ରହିଛି, ତାହା ମୋ ଅଭ୍ୟନ୍ତରରେ ମଧ୍ୟ ରହୁ  । ବେଦର ଜ୍ଞାନ ମୋ ବୁଦ୍ଧିରେ ଜାଗ୍ରତ ରହୁ, ମୁଁ ବିଦ୍ୱାନଗଣଙ୍କ ଠାରୁ ଯାହାକିଛି ଜାଣିଛି, ବୁଝିଛି, ତାହା ମୋଠାରୁ ଯେପରି ଦୂରେଇନଯାଉ  । ମୁଁ ଯାହାକିଛି ପଢ଼ିଛି, ତାହା ଦିନରାତି ମୋ ସହିତ ସଂଲଗ୍ନ ହୋଇ ରହୁ  । ଯେତେବେଳେ ମାନବର ବେଦଜ୍ଞାନ, ଶ୍ରୁତିଜ୍ଞାନ ଏବଂ ଅଧ୍ୟୟନ ଜ୍ଞାନ ସେଥିରେ ଓତଃପ୍ରୋତ ହୋଇଯିବ, ସେ ସମୟରେ ସେ ଅଧିକାରପୂର୍ବକ କହିପାରିବ କି ମୁଁ ଯାହାକିଛି କହିବି, ସତ୍ୟ କହିବି  । ବେଦ ଶ୍ରୁତି-ଆଧାରରେ ମୋର ରକ୍ଷା କରନ୍ତୁ, ସେ ଉପଦେଷ୍ଟାଙ୍କର ରକ୍ଷା କରନ୍ତୁ, ମୋର କରନ୍ତୁ, ବକ୍ତାଙ୍କର ରକ୍ଷା କରନ୍ତୁ  । ଋଷିଙ୍କର ଅନ୍ତିମ ବକ୍ତବ୍ୟ ଏହିଭଳି—
‘‘ଏଠାରେ ଋଷି ସଂକଳ୍ପ କରିଛନ୍ତି କି, ସେ କେବଳ ଋତ କହିବେ, କେବଳ ସତ୍ୟ କହିବେ  । ବୈଦିକ ବାଙ୍‌ମୟରେ ଋତ ତଥା ସତ୍ୟର ଅନେକ ସ୍ଥାନରେ ଏକସଙ୍ଗରେ ପ୍ରୟୋଗ କରାଯାଇଛି ଋଗ୍‌ବେଦ ୧୦, ୧୧୦-୧ରେ ଋତଂ ଚ ସତ୍ୟଂ ଚାଭୀଦ୍ଧାତ୍‌ ତପସଃ ଅଧ୍ୟଜାୟତ  । ଋଗ୍‌ବେଦ ୧,୧୧୩,୨ରେ ଋତବାକେନ ସତ୍ୟେନ ଶ୍ରଦ୍ଧୟା ତପସା ସୁତଃ ଇନ୍ଦ୍ରାୟ ଇନ୍ଦ୍ରୋ ପରିସ୍ରବ  । ଏଠାରେ ସତ୍ୟର ବିଶେଷଣ ରୂପେ ଋତବାକ୍‌ ଶବ୍ଦର ପ୍ରୟୋଗ କରାଯାଇଛି  । ସତ୍ୟର ବାଣୀରେ ଋତ ସ୍ଥିତ ହେଉ  ।’’
ଅନୁଶୀଳନ : ବୈଦିକ ବିଦ୍ୱାନମାନଙ୍କର ନିଷ୍କର୍ଷ ହେଉଛି— ଋତବାକ୍‌ ହେଉ, ସତ୍ୟ ବଚନରେ ଋତ ହେଉ, ତାହା ସତ୍ୟଠାରୁ ଉପର କକ୍ଷା ଅଟେ  । ନିଷ୍କର୍ଷ ହେଉଛି କି, ଋତ ଅଖଣ୍ଡ ଈଶ୍ୱରୀୟ ବିଧାନ ନିମନ୍ତେ ପ୍ରଯୁକ୍ତ ହୋଇଛି ଏବଂ ସତ୍ୟ ଶବ୍ଦର ସାମାଜିକ ବିଧାନ ନିମନ୍ତେ ପ୍ରୟୋଗ ହୋଇଛି  । ସାମାଜିକ ବିଧାନ ତତ୍‌କାଳୀନ ସାମାଜିକ ସ୍ଥିତି ଉପରେ ଆଶ୍ରିତ ହୋଇଥାଏ, କିନ୍ତୁ ଈଶ୍ୱରୀୟ ବିଧାନ ଋତ ଅପରିବର୍ତ୍ତନୀୟ ଅଖଣ୍ଡ ଅଟେ  ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.